Unknown

 

 

 

 

 

 

 

 

 

 

 

 

ନିଃଶବ୍ଦ ସମୟ ସ୍ରୋତ

ଦଶରଥ ସାମଲ

 

ଗାଳ୍ପିକ ବନ୍ଧୁ

 

ସର୍ବଶ୍ରୀ ଅଚ୍ୟୁତାନନ୍ଦ ପତି

ନିମାଇଁ ପଟ୍ଟନାୟକ

ରାଧାବିନୋଦ ନାୟକ

ସମରେନ୍ଦ୍ର ପ୍ରସାଦ ଦାସ

ନାରାୟଣ ପଣ୍ଡାଙ୍କୁ .........

 

 

 

 

 

 

 

 

 

 

 

 

 

ନିଃଶବ୍ଦ ସମୟ ସ୍ରୋତ

 

ଏଥିରେ ଅଛି

 

୧.

ମାୟାମୟୀ ରାତ୍ରି

୨.

ଏକ ବ୍ୟତିକ୍ରମର ବେଦନା

୩.

ବାବୁ ସ୍ୱରୂପାନନ୍ଦଙ୍କ ବୃତ୍ତାନ୍ତ

୪.

ନୀଳ ହ୍ରଦର କଇଁ

୫.

ବିପୁଳା ନଦୀର ମୁହାଁଣ

୬.

ଅସାଧାରଣ

୭.

ଏକ ଆକସ୍ମିକ ଅନୁଭୂତିର ସ୍ପନ୍ଦନ

୮.

ଗୋଟିଏ ନୂଆ ତଥ୍ୟର ଆବିଷ୍କାର

୯.

ଅନ୍ତରଙ୍ଗ

୧୦.

ନିଃଶବ୍ଦ ସମୟ ସ୍ରୋତ

୧୧.

ରାତ୍ରିର କୁହୁଡ଼ି

୧୨.

ମଲା ନଈର ଇତିବୃତ୍ତ

୧୩.

ବନ୍ଦୀର ଆତ୍ମକଥା

୧୪.

ରାହୁଗ୍ରାସ

୧୫.

ଲ୍ୟାଣ୍ଡସ୍କ୍ୟାପର ନକ୍‍ସା

୧୬.

ପୀଡ଼ିତର ସ୍ୱଗତୋକ୍ତି

୧୭.

କତିପୟ ଗଙ୍ଗଶିଉଳି

୧୮.

ଉଜାଣି ସୁଅ

 

ମାୟାମୟୀ ରାତ୍ରି

 

ରାତି ନିବିଡ଼ ।

 

ସମରେନ୍ଦ୍ର ଶୋଇଛନ୍ତି ନିଜ କ୍ୱାର୍ଟରରେ । ଆଖିରେ ନିଦ ନାହିଁ । ଶୋଇବାକୁ ଯେତେ ଚେଷ୍ଟାକଲେ ମଧ୍ୟ ନିଦ ଆସୁନାହିଁ ।

 

ସମରେନ୍ଦ୍ର ଖଟ ଉପରୁ ଉଠିପଡ଼ି ଝର୍କା ପାଖକୁ ଆସିଲେ । ଘରର ବାହାରେ ନୀରବ ନିଝୁମ ରାତି । ପଡ଼ୋଶୀ କ୍ୱାର୍ଟର ସବୁ ଢୁଳାଇ ପଡ଼ିଛନ୍ତି, ରଣକ୍ଳାନ୍ତ ସୈନିକମାନଙ୍କ ପରି ଚୁପ୍‍ଚାପ୍-

 

ସମରେନ୍ଦ୍ର ଲାଇଟ୍ ଅଫ୍ କରି ପୁଣି ଆଖି ମୁଦି ଶୋଇବାକୁ ଚେଷ୍ଟାକଲେ ।

 

ସମରେନ୍ଦ୍ରଙ୍କ ଆଖିର ପତାରେ ତନ୍ଦ୍ରାର ଅଳସ ମନ୍ଥର ସ୍ପର୍ଶ... ।

 

ନିଦ ଆସି ମଧ୍ୟ ଆସି ନାହିଁ । ଖୋଲା ଝର୍କାଦେଇ କିଏ ଯେପରି ପଶିଆସିଲା ତାଙ୍କ ଘର ଭିତରକୁ ।

 

ତାଙ୍କର ଅର୍ଦ୍ଧନିଦ୍ରିତ ଚେତନାର ତାଳୀବନରେ ହଠାତ୍ ପ୍ରଭଞ୍ଜନ ସୃଷ୍ଟି ହେଲା । ସେ ଚାହିଁଲେ ଭୟାତୁର ଭାବରେ ଘର ଭିତରର ଅନ୍ଧାରକୁ ।

 

ଖୋଲା ଝର୍କାଦେଇ ଅଦୂର ଅନ୍ଧାର ମଧ୍ୟରେ ଲାଇଟପୋଷ୍ଟର ଧାରେ ଆଲୁଅ ମୂର୍ଚ୍ଛିତ ହୋଇ ପଡ଼ିଥିଲା ଘରର ଗୋଟିଏ କୋଣରେ । ସେଇ ଭୀରୁ ଆଲୁଅରେ ସମରେନ୍ଦ୍ର ଚାହିଁଲେ ଆଗନ୍ତୁକଙ୍କୁ ।

 

ସମରେନ୍ଦ୍ର ଧାରଣା କରିପାରିଲେ ଯେ ସେ ଏକ ନାରୀ । ନୀଳରଙ୍ଗର ଶାଢ଼ି ପିନ୍ଧିଛି । ମୁଣ୍ଡରେ ଅପର୍ଯ୍ୟାପ୍ତ କେଶରାଶି ଅବିନ୍ୟସ୍ତ ଭାବରେ ବିଛୁରି ପଡ଼ିଛି ଏଣେତେଣେ । ହାତରେ ଦୁଇପଟି ଚୁଡ଼ି । ବାସ୍ !

 

ସମରେନ୍ଦ୍ର ଚମକି ଉଠିଲେ ! ଝର୍କାର ରେଲିଂ ଭିତରେ ଗୋଟିଏ ମଣିଷ ଯେ ଘର ଭିତରକୁ ପଶିଆସି ପାରିଲା, ତାହା ହିଁ ତାଙ୍କୁ ବିସ୍ମିତ କରିଦେଲା । ରାତ୍ରିର ଅନ୍ଧାରରେ ନାରୀମୂର୍ତ୍ତିଟି ଚୁପ୍‍ଚାପ୍ ଠିଆ ହୋଇଥିବାର ଦେଖି ତାଙ୍କର ବିସ୍ମୟ ପ୍ରାଣାନ୍ତକ ଶଙ୍କାକୁଳରେ ରୂପାନ୍ତରିତ ହୋଇଗଲା ।

 

ସମରେନ୍ଦ୍ର ଭୟ କମ୍ପିତ ମନରେ ନିଜ ବିଛଣାରେ ଶୋଇ ରହିଲେ ମୌନହୋଇ । କଥା କହିବାକୁ କିମ୍ୱା ବିଛଣାରୁ ଉଠି ନାରୀମୂର୍ତ୍ତିଟିର ସନ୍ଧାନ ନେବାକୁ ତାଙ୍କର ସାହସ ହେଲାନାହିଁ ।

 

ରାତ୍ରିର କେଉଁ ପ୍ରହରରେ ତାଙ୍କୁ ନିଦ ହେଲା ଓ ସେଇ ନାରୀମୂର୍ତ୍ତିଟି କେତେବେଳେ ଘର ଭିତରୁ ଅନ୍ତର୍ଦ୍ଧାନ ହେଲା, ତାହା ମଧ୍ୟ ସେ ଜାଣି ପାରିଲେ ନାହିଁ ।

 

ସକାଳେ ନିଦ ଭାଜିଲ୍ଲା । ଗତ ରାତ୍ରିର ଭୌତିକତା ତାଙ୍କ ଅବଚେତନରେ କେଉଁ ଏକ ଧୂସର ସ୍ମୃତିର ଏକ ପାଦଚିହ୍ନ ରଖିଦେଇ ଗଲା ।

 

ଏବେ ପ୍ରତିଦିନ ରାତିରେ ସମରେନ୍ଦ୍ରଙ୍କୁ ଠିକ୍ ନିଦ ଲାଗିଆସୁଥିବା ବେଳେ ସେଇ ନାରୀମୂର୍ତ୍ତିଟି ଆସୁଛି । ପ୍ରଥମେ ପ୍ରଥମେ ସେଇ ମୂର୍ତ୍ତିଟି ଆସୁଥିଲା ଖୁବ୍ ନୀରବ ନିଃଶବ୍ଦରେ, ଏବେ କିନ୍ତୁ ଆସୁଛି ଡିଙ୍ଗର ଅତିକ୍ରାନ୍ତ ଏକ ଝରଣାର ସ୍ୱର ବହନ କରି ।

 

ପ୍ରଥମେ ପ୍ରଥମେ ସମରେନ୍ଦ୍ର ଯେପରି ଆତଙ୍କିତ ହେଉଥିଲେ, ଏବେ ସେଇ ଛାୟାମୂର୍ତ୍ତିଟିକୁ ଦେଖି ଅବଶ୍ୟ ଆତଙ୍କିତ ହେଉ ନାହାନ୍ତି । ତେବେ ତାଙ୍କ ପକ୍ଷରେ ରାତ୍ରିଟା ହିଁ ଭୌତିକ ହୋଇଉଠିଲା କ୍ରମଶଃ ।

 

ଏବଂ ସେଥିପାଇଁ ତାଙ୍କ ପକ୍ଷରେ ରାତ୍ରି ଥିଲା ଏକାନ୍ତ ମାୟାମୟୀ । ଏଇ କୁହୁକିନୀ ରାତିରେ ଆସୁଥିଲା ଗୋଟିଏ ସୁନ୍ଦରୀ ଅବିବାହିତା ତରୁଣୀ । ତା’ର ବାସ୍ନାରେ ମହକି ଉଠୁଥିଲା ଘରର ସମସ୍ତ ବାୟୁସ୍ତର । ଯଦିଓ ଭୟ ଲାଗୁଥିଲା ତାଙ୍କୁ କିଛି ପରିମାଣରେ, ତା’ର ଆକସ୍ମିକ ଉପସ୍ଥିତିର ଆକର୍ଷଣ ତାଙ୍କ ପକ୍ଷରେ ଥିଲା ଆହୁରି ଅଲଂଘନୀୟ ।

 

ସେଦିନ ରାତିରେ ଶୋଇବାକୁ ଯାଉଥିଲେ ସମରେନ୍ଦ୍ର । ତାଙ୍କ ଭିତରେ ହଠାତ୍ ଏକ ପ୍ରଶ୍ନ ଉଠିଲା, ସେ ଆଜି ସେଇ ରହସ୍ୟମୟୀ ନାରୀମୂର୍ତ୍ତିଟିକୁ ଜିଜ୍ଞାସା କରିବେ ଏବଂ ସେ ଯେ କାହିଁକି ବରାବର ତାଙ୍କ ପାଖକୁ ଆସୁଛି, ତାହାର ଉଦ୍ଦେଶ୍ୟ ବୁଝିବେ ।

 

ସମରେନ୍ଦ୍ର ଶୋଇଲାବେଳେ ଝର୍କା ବନ୍ଦ କରିଦେଇ ଶୋଇଲେ ।

 

ରାତ୍ରି ବାରଟା ହେବ । ପାଖ କ୍ୱାର୍ଟରମାନେ ବେଶ୍ ଢୁଳେଇ ପଡ଼ିଲେଣି । ଝର୍କା ଫାଙ୍କରେ ଦେଖି ହେଉଛି ଜହ୍ନର ଆଲୁଅକୁ । କ୍ୱାଟର୍‍ ସମ୍ମୁଖ ଝାଉଁଗଛରୁ ଏକ ଅସ୍ପଷ୍ଟ ସଙ୍ଗୀତ ମର୍ମରିତ ହେଉଥିଲା ।

 

ସମରେନ୍ଦ୍ର ଭାବିଲେ, ଆଜି ଝର୍କା ବନ୍ଦ ଅଛି । ହୁଏତ ଛାୟାମୂର୍ତ୍ତିଟି ଆସିବ ନାହିଁ । ଯଦିବା କୌଣସି ପ୍ରକାରେ ଆସିପାରେ, ଆଜି ହୁଏତ ପ୍ରଶ୍ନ ବାଣରେ ତାଙ୍କୁ ସେ ଜର୍ଜରିତ କରିଦେବେ ।

 

ସମରେନ୍ଦ୍ରଙ୍କ ମନ ଆବେଗର ଉତ୍ତାପରେ ଆନ୍ଦୋଳିତ ହୋଇ ଉଠୁଥିଲା ।

 

ଅଦୂର ଷ୍ଟେସନରେ ଏକ ଯାତ୍ରୀବାହୀ ଟ୍ରେନ୍ ହୁଏତ ଷ୍ଟେସନ ଛାଡ଼ୁଥିଲା । ତା’ର ଯାତ୍ରାକାଳୀନ ଝନକାର ଧ୍ୱନି, ରାତ୍ରିର ନୀରବ ନିଃଶବ୍ଦ ପ୍ରହରକୁ ଯେପରି ତିଳତିଳ କରି ହତ୍ୟା କରୁଥିଲା ।

 

ସମରେନ୍ଦ୍ର ଛାୟାମୂର୍ତ୍ତିଟିର ଅପେକ୍ଷାରେ ରହି ରହି କ୍ରମଶଃ ଭାରାକ୍ରାନ୍ତ ଅନୁଭବ କଲେ ଏବଂ ଧାରଣା କରିନେଲେ ଯେ ବୋଧହୁଏ ସେ ଆଉ ଆସିବ ନାହିଁ ।

 

ସମରେନ୍ଦ୍ରଙ୍କୁ ନିଦ ଲାଗି ଲାଗି ଆସୁଛି; କିନ୍ତୁ ଝର୍କାର ସ୍ୱଳ୍ପ ରନ୍ଧ୍ରଦେଇ ଦୂର ଆକାଶରେ ପକ୍ଷୀଟିଏ ଉଡ଼ିଗଲା ପରି ଉଡ଼ି ଉଡ଼ି ଆସିଲା ଭଅଁର କି ପ୍ରଜାପତିଟିଏ ଘର ଭିତରକୁ ଖୁବ୍ ଦ୍ରୁତ ଗତିରେ ।

 

ସମରେନ୍ଦ୍ର ପୁଣି ଚମକି ଉଠିଲେ ଓ ଚାହିଁଦେଲେ ଘର ଭିତରକୁ ।

 

ଭଅଁର କି ପ୍ରଜାପତି, ପୁଣି ଘର ଭିତର ନାରୀ ମୂର୍ତ୍ତିଟିହୋଇ ଠିଆ ହୋଲାଣି । ପୁଣି ଶୁଭିଲାଣି କାଚର ରୁଣୁଝୁଣୁ ସ୍ୱର । ଘରର ବାୟୁସ୍ତର ପୂର୍ବପରି ସୁରଭିତ ।

 

ସମରେନ୍ଦ୍ର ସାହସ ବାନ୍ଧି ଉଠିପଡ଼ିଲେ ଖଟ ଉପରୁ ଏବଂ ବସିପଡ଼ିଲେ ସେଇ ଛାୟାମୂର୍ତ୍ତିଟିକୁ ନିରୀକ୍ଷଣ କରି ।

 

ଛାୟାମୂର୍ତ୍ତିଟି ସ୍ଥିର, ଅବିଚଳିତ ।

 

ସମରେନ୍ଦ୍ର ପ୍ରଶ୍ନ କଲେ, ତମେ କିଏ ? ପ୍ରତିଦିନ କାହିଁକି ଆସୁଛ ମୋ ପାଖକୁ ? ତମେ ଯେ ମଣିଷ ନୁହଁ ଏବଂ ନିଶ୍ଚିତ ଭାବରେ ଯେ ଏକ ପ୍ରେତ, ଏଥିରେ ଆଉ ସନ୍ଦେହ ନାହିଁ । ତମର ପରିଚୟ ଦିଅ !

 

ଛାୟାମୂର୍ତ୍ତିଟି ନିର୍ବାକ, ମୌନ । ସେ ଖାଲି ଫୋପାଡ଼ି ଲାଗିଲା ହସର ଅବିର, ମେଞ୍ଚାଏ ମେଞ୍ଚାଏ ତାଙ୍କ ଆଡ଼କୁ ।

 

ତା’ପରେ ପୁଣି ସେଇ ଭଅଁର କି ପ୍ରଜାପତି ରୂପରେ, ଝର୍କାର ସେଇ ସ୍ୱଳ୍ପ ଫାଙ୍କ ଦେଇ ଅଦୃଶ୍ୟ ହୋଇଗଲା ।

 

ସମରେନ୍ଦ୍ର ଆଶ୍ଚର୍ଯ୍ୟ ହେଲେ ଏବଂ ଝର୍କାଖୋଲି ଚାହିଁଲେ ବାହାରକୁ ।

 

ବାହାରେ ନୀରବ ନିଃଶବ୍ଦ ରାତି ଶୋଇରହିଛି ଅଜଗର ପରି ।

 

ସମରେନ୍ଦ୍ରଙ୍କ ବିସ୍ମୃତିର ଧୂସର ବାଲିବନ୍ତ ଆଜି ଦିଶୁଛି ଏକ ଶାଣିତ ତରବାରୀ ପରି ଚିକ୍ ଚିକ୍ । ସେଇ ତରବାରୀ ତାଙ୍କୁ ଯେପରି ମାରି ଦେବାପାଇଁ ନଇଁ ଆସୁଛି ତାଙ୍କରି ଆଡ଼କୁ ।

 

ସମରେନ୍ଦ୍ର ସକାଳୁ ଉଠି ଅଳସ ଭାଙ୍ଗୁଥିଲେ ।

 

ଗତ ଛଅବର୍ଷ ତଳର ଏକ ମର୍ମଦାହୀ ଦୃଶ୍ୟ ଭାସି ଉଠିଲା ତାଙ୍କ ଆଗରେ ।

 

ମମତାକୁ କେତେ ଭଲ ପାଉଥିଲେ ସେ । ମମତା ମଧ୍ୟ ତାଙ୍କୁ ପ୍ରାଣଦେଇ ଭଲ ପାଉଥିଲା । କଲେଜରେ ସେ ଚତୁର୍ଥ ବାର୍ଷିକ ଶ୍ରେଣୀରେ ପଢ଼ୁଥିଲାବେଳେ ମମତା ପଢ଼ୁଥିଲା ଦ୍ୱିତୀୟ ବାର୍ଷିକ ଶ୍ରେଣୀରେ । ଦିନେ କେଉଁ ଏକ ବସନ୍ତର ଭୀରୁ ସନ୍ଧ୍ୟାରେ ଉଭୟଙ୍କର ଦେଖାହେଲା କେଜାଣି ଉଭୟ ଉଭୟଙ୍କୁ ସେହି ଦିନଠାରୁ ଭଲ ପାଇବାକୁ ଲାଗିଲେ ।

 

ବଡ଼ଦିନ ଓ ଗ୍ରୀଷ୍ମ ଛୁଟିରେ କେତେ ଯେ ସେମାନେ ବୁଲିଛନ୍ତି ! ଚନ୍ଦ୍ରପକ୍ଷ ରାତିରେ ଇନ୍ଦ୍ରାବତୀ ନଦୀର ଆଦିଗନ୍ତ ବାଲିବନ୍ତରେ କେତେ ଯେ ସେମାନେ ଶୋଇଛନ୍ତି, ଆଜି ସେସବୁ ଛାଇଛାଇଆ ଦେଖାଯାଉଛି ଦୂରରୁ । ସମରେନ୍ଦ୍ରଙ୍କୁ ମମତା ପ୍ରତିଜ୍ଞାକରି କହିଥିଲା ତମ ବିନା ଆଉ କାହାରିକୁ ମୁଁ ବିବାହ କରିବି ନାହିଁ । ଯଦି ପରିବାର ମୋ ପ୍ରତିଜ୍ଞା ପଥରେ କଣ୍ଟାହୋଇ ଠିଆ ହୁଅନ୍ତି, ତେବେ ଆତ୍ମହତ୍ୟା କରିବି ସିନା, ତମ ବ୍ୟତୀତ ଆଉ କାହାରିକୁ ବିବାହ କରିବି ନାହିଁ ।

 

ସମରେନ୍ଦ୍ର ମଧ୍ୟ ଅନୁରୂପ ଭାବେ କହିଥିଲେ ମମତାକୁ ।

 

ପ୍ରାୟ ବର୍ଷକ ପରେ ସେ ଯେତେବେଳେ କଲେଜ ଛାଡ଼ିଲେ ଓ ଉପାଧ୍ୟୁତ୍ତର ଶ୍ରେଣୀରେ ନୀଳନଗରରେ ପାଠ ପଢ଼ିଲେ ସେତେବେଳେ ଉଭୟଙ୍କ ବିବାହ ପ୍ରସ୍ତାବ ଅବଶ୍ୟ ପଡ଼ିଥିଲା; କିନ୍ତୁ ସମରେନ୍ଦ୍ରଙ୍କ ବାପା ଓ ବୋଉ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ବଂଶଗତ ମର୍ଯ୍ୟାଦା ଦୃଷ୍ଟିରୁ ।

 

ମମତାଠାରୁ କେତେ ଯେ ସେ ଚିଠି ପାଇଥିଲେ ଓ କେତେ ଉତ୍ତର ମଧ୍ୟ ସେଇଭଳି ବିକଳ ବିଧୃତ ଭାଷାରେ ଲେଖିଥିଲେ ଆଜି ମନେପଡ଼ୁଛି ଅସ୍ପଷ୍ଟହୋଇ ।

 

ସମରେନ୍ଦ୍ର ଅତୀତର ସେଇ ସମସ୍ତ ପ୍ରତିଜ୍ଞାକୁ ବାପା ବୋଉଙ୍କର ବାଧ୍ୟବାଧକତାରେ ଭୁଲିଗଲେ । ଭୁଲିଗଲେ ମମତାର ଅନେକ ବର୍ଷର ନିବିଡ଼ ମମତାକୁ । ଶେଷକୁ ସେ ବାଧ୍ୟହୋଇ ବିବାହ କଲେ ମମତା ବଦଳରେ ସ୍ନିଗ୍ଧାକୁ.... ।

 

ବିବାହର କିଛି ଦିନ ପରେ ସେ ଖବର ପାଇଥିଲେ ମମତା ଆତ୍ମହତ୍ୟା କରିଛି ବୋଲି ।

 

ମମତାର ଆତ୍ମହତ୍ୟା, ତାଙ୍କ ଚେତନାରେ ସେତେବେଳେ ଯେଉଁ ଭୟଙ୍କର ପ୍ରତିକ୍ରିୟା ସୃଷ୍ଟି କରିଥିଲା, ଆଜି ମନେ ପଡ଼ିଯାଉଛି ତାଙ୍କର କ୍ରମଶଃ । କେବଳ ସ୍ନିଗ୍ଧା, ମନର ସେଇ ଦୁର୍ବଳତାକୁ ପୂରଣ କରିବା ଲାଗି ଆଗେଇ ଆସିଥିଲା ତାଙ୍କ ପାଖକୁ । ସ୍ନିଗ୍ଧା ତାଙ୍କୁ କେତେ ବୁଝାଇଛି, କେତେ ତାଙ୍କୁ ଭୁଲାଇବା ପାଇଁ ଆପ୍ରାଣ ଚେଷ୍ଟା କରିଛି, କୋଡ଼ରେ ଶୋଇ ମୁଣ୍ତ ସାଉଁଳିଛି, ଓଠକୁ ଧରି କେତେ କାନ୍ଦିଛି । ପଛକଥା ଭୁଲିଯାଅ, ଭୁଲିଯାଅ କହି କେତେଥର ତା’ର ସେଇ ନରମ ନିଥର ବିଲମ୍ୱିତ ଓଠକୁ ତାଙ୍କ ଓଠ ପାଖରେ ରଖିଛନ୍ତି ତା’ର ସୀମା ନାହିଁ । ସମରେନ୍ଦ୍ର ଏକ ଦୀର୍ଘଶ୍ୱାସ ମାରିଲେ ।

 

ଛଅବର୍ଷ ତଳର ସେଇ ମମତା ଆସୁଛି ଆଜି ସମ୍ଭବତଃ ତାଙ୍କ ପାଖକୁ ଭୟଙ୍କର ରାତିରେ, ପୃଥିବୀ ଶୂନ୍‍ଶାନ୍‍ ହେଲେ । କେତେବେଳେ ଆସୁଛି ପ୍ରଜାପତି ରୂପରେ, କେତେବେଳେ ଆସୁଛି ନାମହୀନ ଛୋଟ ପକ୍ଷୀଟିଏ ହୋଇ, ଆଉ ପୁଣି କେତେବେଳେ ଆସୁଛି ନାରୀର ରୂପନେଇ ସାମାନ୍ୟ ଶବ୍ଦ ସୃଷ୍ଟି କରି ।

 

ସମରେନ୍ଦ୍ରଙ୍କ ଅବତେତନ ମନର ଦୁର୍ବଳତା ପୁଣି କାହିଁକି ଆକର୍ଷିତ ହୋଇ ଉଠିଲା ମମତା ପ୍ରତି । ମମତା ଆସୁଛି ପ୍ରାୟ ପ୍ରତିଦିନ ତାଙ୍କ ପାଖକୁ । ତା’ର ପ୍ରେତାତ୍ମା ଆସୁଛି ତାଙ୍କ ପାଖକୁ, ଯାହାର ସେଇ ସ୍ୱର୍ଗତଃ ଆତ୍ମା ଏବେ ମଧ୍ୟ ଅଶାନ୍ତ । ଅମାପ ଅବଶୋଷରେ ତାହାର ଆତ୍ମା ଆଜି ମଧ୍ୟ ପୀଡ଼ିତ ।

 

ଅତୀତର ସେଇ ସମସ୍ତ କ୍ଳେଦାକ୍ତ ସ୍ମୃତିକୁ ସେ ଚେଷ୍ଟା କରିଛନ୍ତି ମନ ଭିତରୁ ପାଶୋରି ଦେବାଲାଗି । ସେ ସ୍ମୃତି କେତେ ବର୍ଷ ପଡ଼ିଯାଇଥିଲା ମହଳଣ; ମାତ୍ର ଏବେ ରାତିର ଅନ୍ଧାରରେ ଝର୍କାଦେଇ ଆସୁଥିବା ଗୋଟିଏ କ୍ଷୁଦ୍ର ପ୍ରଜାପତିର ଆଗମନ ତାଙ୍କ ସ୍ମୃତିର ଦିଗନ୍ତକୁ ଆହୁରି କରି ଦେଉଛି ଚିକ୍‍କଣ ଓ ସ୍ପଷ୍ଟ ।

 

ସମରେନ୍ଦ୍ର ଭାବିଲେ ହେ ମୋର ମୃତ ଅତୀତ ! ଆଉ କାହିଁକି ତମେ ମୋର ଚେତନାକୁ କରିଦେଉଛ ରକ୍ତାକ୍ତ ? ମନର ଆକାଶ ଆଜି ମେଘମୁକ୍ତ ଥିଲାବେଳେ ତମେ କାହିଁକି କରିଦେଉଛ ମେଘାକ୍ରାନ୍ତ ?

 

ସମରେନ୍ଦ୍ର ଆସ୍ତେ ଆସ୍ତେ ସଚେତନ ହେଲେ ଏବଂ ଅତୀତକୁ ଭୁଲିଯିବା ପାଇଁ ସଂକଳ୍ପବଦ୍ଧ ହେଲେ ।

 

ସେଦିନ ପୁଣି ରାତ୍ରି ଆସିଲା । ସମରେନ୍ଦ୍ର ନିଜ କ୍ୱାର୍ଟରରେ ଶୋଇଛନ୍ତି । ନିଦ ଲାଗିଆସିଛି ଏଇମାତ୍ର ।

 

ଝର୍କା ଦେଇ ପଶି ଆସିଲା ପୂର୍ବପରି ଏକ ପ୍ରଜାପତି । ସବୁ ଥର ସେ ଆସୁଥିଲା ସାମାନ୍ୟ ଶବ୍ଦ କରି କିନ୍ତୁ ଏଥର ଆସିଛି ଅପେକ୍ଷାକୃତ ବଡ଼ ଶବ୍ଦ ସୃଷ୍ଟିକରି ।

 

ସମରେନ୍ଦ୍ରଙ୍କ ନିଦ ଭାଜିଗଲା ଓ ସେ ଖଟ ଉପରେ ବସି ପଡ଼ିଲେ । ଘର ଭିତରକୁ ପଶି ଆସିବା ପ୍ରଜାପତିଟି ହଠାତ୍ ଏକ ନାରୀ ରୂପରେ ରୁପାନ୍ତରିତ ହେବାର ଦେଖିଲେ ଏବଂ ଘରର ଗୋଟିଏ କୋଣରେ ନୀରବରେ ଠିଆ ହୋଇ ଥିବାର ଲକ୍ଷ୍ୟ କଲେ ।

 

ସମରେନ୍ଦ୍ର ପୁଣି ଅନାଇଲେ ଘରର ସେଇ କୋଣକୁ ।

 

ହଠାତ୍ ଘରର କୋଣ ଅନୁକୋଣ ସୁରଭିତ ହୋଇ ଉଠିଲା ।

 

ସମରେନ୍ଦ୍ର ରାତିର ନିଃଶବ୍ଦତା ମଧ୍ୟରେ ଗଭୀର ଭାବାବେଗରେ ପ୍ରଚୋଦିତ ହେଲେ ଏବଂ ଖଟ ଉପରୁ ଉଠି ପଡ଼ି କହିଲେ......କ’ଣ ତମର ଇଚ୍ଛା ମମତା ? ପ୍ରାୟ ପ୍ରତିଦିନ ଭିନ୍ନ ଭିନ୍ନ ରୂପ ନେଇ କହିଁକି ଆସୁଛ ମୋ ପାଖକୁ ? କାହିଁକି ଆସୁଛ ଭୌତିକ ରଜନୀରେ କୁଢ଼ କୁଢ଼ ରହସ୍ୟ ବୁଣି ଦେଇ ? କାହିଁକି ? କାରଣ କ’ଣ ?

 

ଉତ୍ତର କିଛି ନାହିଁ । ଖାଲି ହସର ଏକ ପିଚକାରି ।

 

ସମରେନ୍ଦ୍ର ଖଟ ଉପରୁ ଉଠି ଆସି ଚାଲିଗଲେ ସେଇ ଛାୟା ମୂର୍ତ୍ତିର ନିକଟକୁ । ଅନେକ ଦିନ ପରେ ଆଜି ସେ ମମତାକୁ ଧରି ପକାଇବେ ଓ ଅନେକ ଦିନର ଅବଶୋଷ ଓ ତୃଷ୍ଣାର ପରିସମାପ୍ତି ପାଇଁ ତାକୁ କୋଳାଗ୍ରତ କରିନେବେ ।

 

ସମରେନ୍ଦ୍ର ଭାବାବେଗରେ ଛାୟା ମୂର୍ତ୍ତିଟିକୁ କୋଳାଗ୍ରତ କଲେ । କିନ୍ତୁ କାହିଁ ସେଇ ମମତାର ଅସ୍ତିତ୍ୱ ? କାହିଁ ତାହାର ସେଇ ସୁଠାମ ସୁଗୋଲ ଶରୀରର ସ୍ଥାପତ୍ୟ ? ଖାଲି ଶୂନ୍ୟତା, ଖାଲି ଶୂନ୍ୟ ବାତାବରଣ, ଅନ୍ଧକାର, ନିର୍ଜନତା...

 

ଘରର ବିପରୀତ କୋଣରେ ପୁଣି ସେଇ ହସର ପିଚକାରି । ଠିକ୍ ମମତାର ହସ ପରି-

 

ସମରେନ୍ଦ୍ର ପୁଣି ଘରର ବିପରୀତ କୋଣକୁ ଆଗେଇଲେ ଏବଂ କହିଲେ, ମମତା, ମତେ ଆଉ ଭୁଲ୍ ବୁଝନାହିଁ । ମୁଁ ପ୍ରକୃତରେ ଭୁଲ୍ କରିଛି । ମୋର ଭୁଲର ପ୍ରତିଶୋଧ ନେବା ପାଇଁ ତମେ କେତେକାଳ ଭୟଭୀତ କରାଇବ ? କେତେବର୍ଷ ମୋତେ ତମାମ ରାତି ଉନ୍ନିଦ୍ର କରାଇବ ? ମୋତେ ଏତେ ଭଲ ପାଉଥିଲ ଅଥଚ ଗତ ଛଅ ବର୍ଷ ଧରି ମୋର ସ୍ୱାସ୍ଥ୍ୟ କ୍ଷୟିତ ହେବାରେ ଲାଗିଛି, ତମର କ’ଣ ଟିକିଏ ଦୟା ହେଉନାହିଁ ?

 

ସମରେନ୍ଦ୍ର ଅନୁଭବ କଲେ ଘରର ସେହି କୋଣରେ ମମତା ଯେପରି ଠିଆ ହୋଇଛି । ତାଙ୍କର ସେଇ ଭାବାବେଗ ଆଉ ପ୍ରଶମିତ ହେଲା ନାହିଁ । ସେ ସେହି କୋଣକୁ ଚାଲିଯାଇ ପୂର୍ବପରି ରୂପହୀନ, ସତ୍ତାହୀନ, ଶୂନ୍ୟତାକୁ କୋଳାଗ୍ରତ କଲେ ।

 

ଏଇ କୋଳାଗ୍ରତ ମଧ୍ୟରେ ଯଦିଓ ପୂର୍ବପରି ବ୍ୟର୍ଥତା ରହିଥିଲା କିନ୍ତୁ ତଥାପି ରହିଥିଲା ସ୍ପର୍ଶାନୁଭୂତିର ଏକ କ୍ଷୀଣ ଚମକ । ସମରେନ୍ଦ୍ର ଅନୁଭବ କଲେ ତାଙ୍କ ହାତ ମୁଠାରେ ରହିଯାଇଛି କେରେ ଛିଡ଼ା ପଣତର ଶୋଷାଂଶ ।

 

ସମରେନ୍ଦ୍ରଙ୍କ କୋଠରୀ ପୂର୍ବପରି ସୁରଭିତ । ସେ ଗନ୍ଧର ମହକ ଯେପରି ବେଳୁବେଳ ଘନୀଭୂତ ହେଉଛି ଏବଂ ସେ ଯେପରି ଏଇ ଘରେ ପ୍ରଥମ ଥର ପାଇଁ ଆଜି ଏକ ନୂଆ ଅନୁଭୂତି ଲାଭ କରୁଛନ୍ତି ।

 

ସମରେନ୍ଦ୍ରଙ୍କ ମନର ଭାବାବେଗ ଆଉ ପ୍ରଶମନ ହେଉନାହିଁ । ବରଂ ସେ ଆବେଗର ମାତ୍ରା ବେଳୁ ବେଳ ବଢ଼ି ଚାଲିଛି ।

 

ସମରେନ୍ଦ୍ର ତଥାପି, ହାତରେ ଛିଡ଼ା ପଣତର ଶେଷାଂଶ ଧରି, ଘର ଭିତରେ ବୁଲିବାକୁ ଲାଗିଲେ । ତାଙ୍କର ମନେ ହେଲା ଏଇ ପାଖରେ ଯେମିତି ମମତା ଠିଆ ହୋଇଛି ଓ ତାହାର ଦେହର ଗନ୍ଧ ସେ ସ୍ପଷ୍ଟ ଭାବରେ ବାରି ପାରୁଛନ୍ତି ।

 

ସମରେନ୍ଦ୍ର, ଆଜି ମମତାକୁ ଧରିବାକୁ ଏକାନ୍ତ ପାଗଳ । ଯାହାକୁ ସେ ଅନିଚ୍ଛାକୃତ ଭାବରେ ଛଅବର୍ଷ ତଳେ ହଜାଇ ଦେଇଥିଲେ ସମୟର କେଉଁ ବାଲିବନ୍ତରେ ଆଜି ସେହି ବାଲିବନ୍ତକୁ ସେ ଖୋଜୁଛନ୍ତି ରାତିର ଅନ୍ଧାରରେ ।

 

ଖୋଜି ଖୋଜି ସମରେନ୍ଦ୍ର ନୟାନ୍ତ ହେଲେ । ତଥାପି ଘର ଭିତରେ ମମତାର ସନ୍ଧାନ ପାଇଲେ ନାହିଁ । ସମରେନ୍ଦ୍ର ବାଧ୍ୟ ହୋଇ ଲାଇଟ୍ ଜାଳିଲେ ।

 

ଘର ଭିତରେ ତାଙ୍କ ଛଡ଼ା କେହି ନାହିଁ । ସବୁ ଶୂନ୍‍ଶାନ୍ । ତାଙ୍କର ଖଟ, ବିଛଣାଚଦର, ଜାମାପ୍ୟାଣ୍ଟ, ବହିପତ୍ର ଓ ଅନ୍ୟାନ୍ୟ ଆସବାବ ଠିକ୍ ରହିଛି ପୂର୍ବପରି । ଘରର ମହକିତ ସୁରଭି ଏବେ ମଧ୍ୟ ଖେଳି ବୁଲୁଛି ଏଣେ ତେଣେ ।

 

ସମରେନ୍ଦ୍ର ଚାରିଆଡ଼କୁ ଅସହାୟ ଭାବରେ ଚାହିଁଲେ । କେବଳ ଶୂନ୍ୟତା ଓ ନିଃସଙ୍ଗତା-

 

ହଠାତ୍ ବାହାରୁ ଶୁଭିଲା ଖୁବ୍ ଧୀର, ଶୀର୍ଣ୍ଣ ଅଥଚ ଖୁବ୍ ସୁଲଳିତ ସ୍ୱର । ତାହା ପୁଣି ଗୋଟିଏ ନାରୀ କଣ୍ଠର ଅଚାନକ ସ୍ୱର–ମୋତେ ଖୋଜୁଛ ସିନା ମୁଁ କିନ୍ତୁ ଏପଟେ । ଲାଇଟ୍ ବନ୍ଦ କରି ଅଗଣାକୁ ଆସ, ମୋତେ ପାଇବ ।

 

ସମରେନ୍ଦ୍ରଙ୍କ ପକ୍ଷରେ ଏହା ଯେପରି ଥିଲା ଏକ ଭୌତିକ ରଜନୀ । ସେ ଶୁଣି ପାରିଲେ ତାଙ୍କର ଅତି ସୁପରିଚିତ ମମତାର କଣ୍ଠସ୍ୱର ।

 

ସେ ହଠାତ୍ ଲାଇଟ୍ ଅଫ୍ କଲେ ଏବଂ ଘରର ଦର୍ଜା ଖୋଲି ଅଗଣାକୁ ଆସିଲେ ।

 

ରାତିର ଅନ୍ଧାରରେ ଅଗଣାର ଗଛଲତା ଦେଖି ହେଉନାହିଁ । ଅଥଚ ମମତାର ସେଇ ପରିଚିତ ବାସ୍ନା ଯେପରି ଅଗଣାକୁ ମହକିତ କରି ଦେଇଛି ।

 

ଅଗଣାରେ ପନ୍ଦର କୋଡ଼ିଏ ମିନିଟ୍ ଖୋଜିଲ୍ଲା ପରେ ପୁଣି ଆଉ କିଛି ଦୂରରୁ ସେହି ସ୍ୱର ଶୁଭିଲା–ମୁଁ ଅଗଣା ଏପଟକୁ ଚାଲି ଆସିଛି । ମୋତେ ଯଦି ସତରେ ଭଲ ପାଅ, ଚାଲିଆସ ଏଇଆଡ଼କୁ ।

 

ସମରେନ୍ଦ୍ର ଅଗଣା ପାର ହେଲେ ଏବଂ ରାସ୍ତା ଉପରକୁ ଚାଲି ଆସିଲେ ।

 

ଆଗରେ ସେଇ ନୀଳରଙ୍ଗର ଶାଢ଼ି ପରିହିତା ନାରୀଟିଏ ଚାଲିଛି । ମୁଣ୍ତରେ ନୁଖୁରା ଫୁରୁ ଫୁରୁ ବାଳ ଜଙ୍ଘ ପର୍ଯ୍ୟନ୍ତ ଲୋଟି ପଡ଼ିଛି । ସମରେନ୍ଦ୍ର ପଛେ ପଛେ ।

 

କିଛି ବାଟ ଗଲାପରେ ସମରେନ୍ଦ୍ର କହିଲେ, ଏତେ ଜୋରରେ ଚାଲନାହିଁ ମମତା, ମୁଁ ଚାଲି ପାରୁନାହିଁ । ପାଦ ଧୀର ମନ୍ଥର କର, ଆମେ ସାଙ୍ଗ ହୋଇଯିବା । ତମେ ଯୁଆଡ଼କୁ କହିବ ମୁଁ ସେଆଡ଼କୁ ଯିବି ।

 

ଆଗରୁ ଶୁଭୁଛି ପୁଣି ସେହି ସ୍ୱର । ଆସ, ଆସ ମୋ ପାଖକୁ । ମୋ ପାଦ ମୁଁ ଧୀର କଲିଣି ।

 

ନାରୀ ମୂର୍ତ୍ତିଟି ଆଗେ ଆଗେ । ସମରେନ୍ଦ୍ର ପଛରେ । ଦୁହେଁ ଚାଲିଛନ୍ତି ।

 

ସମରେନ୍ଦ୍ର ଅନେକ ବାଟ ଆସିଲା ପରେ ଗୋଟିଏ ନଦୀ ପଡ଼ିଲା । ନଦୀରେ ପାଣିର ସୁଅ ଚାଲିଛି । ଅଥଚ ମମତା ନଦୀ ପାର ହୋଇ, ଆରପାରିରେ ଠିଆ ହୋଇଛି ।

 

ନଦୀ ଭିତରକୁ ପଶିବାକୁ ସମରେନ୍ଦ୍ରଙ୍କୁ ଭୟ ଲାଗିଲା । ସେ ନଦୀଟିକୁ ଲକ୍ଷ୍ୟ କଲେ, ସେଥିରେ ଭାସି ଆସୁଛି ଅନେକ କାଠିକୁଟା ଓ ଫେଣ । ନଈର ଛାତି ଫୁଲି ଉଠୁଛି ଉପରକୁ ଉପରକୁ ଯେପରି ପ୍ରବଳ ବନ୍ୟା ମାଡ଼ି ଆସୁଛି ।

 

ସମରେନ୍ଦ୍ର ଚାହିଁଲେ ଆଉ ଟିକିଏ ନଈକୁ । ପ୍ରବଳ ବେଗରେ ମାଡ଼ି ଆସୁଛି ବନ୍ୟା ଓ ତାହା ଯେପରି ଆଉ ଟିକିଏ ପରେ ଦୁଇକୂଳ ଲଂଘି ବୋହିଯିବ ।

 

ଆରପାରିରୁ ସେଇ ପରିଚିତ ନାରୀଟିର ସ୍ୱର । ଆସ ସମରେନ୍ଦ୍ର, ମୁଁ ଏପାରିରେ । ନଦୀ ପାର ହୋଇ ତମେ ଚାଲି ଆସ ମୋ ପାଖକୁ । ମୁଁ ତମର ମମତା ।

 

ସମରେନ୍ଦ୍ର ଖୁବ୍ ଉଚ୍ଚ ସ୍ୱରରେ ଉତ୍ତର ଦେଲେ–ଆଗରେ ଭରା ନଈ, ହୁଏତ ଅକାତକାତ ଜଳ । ମୁଁ କିପରି ଯିବି ମମତା ? ମୋତେ ଭୟ ହେଉଛି ।

 

ଭୟ ହେଉଛି ? ମମତାର ହସରେ ସତେ ଯେପରି ଉତ୍ତରଳ ବନ୍ୟା । ସେ ହସୁଛି ବେଦମ୍ ।

 

କିଛି ସମୟ ପରେ ମମତାର ହସ ବନ୍ଦ ହେଲା ଏବଂ ସେପାରିରୁ ଉତ୍ତର ଆସିଲା: ଏ ହେଉଛି ପ୍ରତାରଣାର ଭରା ନଈ । ତମେ ମୋତେ ପ୍ରତାରିତ କରିଛ ଭୟଙ୍କର ଭାବରେ । ଏବେ ବି ସମୟ ଅଛି ସମରେନ୍ଦ୍ର, ଯଦି ମୋପ୍ରତି ତମର ଆନ୍ତରିକତା ଥାଏ, ତେବେ ଖୁବ୍‍ ଅକ୍ଳେଶରେ ତମେ ପାର ହୋଇପାରିବ ଏ ନଈକୁ । ତମ ପାପର ତମେ ପ୍ରାୟଶ୍ଚିତ କର ।

 

ସମରେନ୍ଦ୍ର ଆହତ ହେଲେ ଏବଂ ଚାରିଆଡ଼କୁ ଚାହିଁଲେ । ସବୁଆଡ଼େ ରାତ୍ରିର ସେଇ ଘନ ଅନ୍ଧକାର ଏବଂ ନିର୍ଜନତା । ରାତିର ଏଇ ଘୋର ଅନ୍ଧକାର ମଧ୍ୟରେ ସେ ଯେ କିପରି ନଦୀ ପାର ହେବେ ?

 

ସେ ଆଉଥରେ ନଦୀ ବକ୍ଷକୁ ଚାହିଁଲେ । ନଦୀର ସ୍ରୋତ କ୍ରମଶଃ ପ୍ରବଳ ହେଉଛି ଏବଂ ସେଥିରେ କାଠିକୁଟା ଏବଂ ଫେନଚୂଡ଼ମାନ କ୍ରମଶଃ ବହଳ ହେଉଛି !

 

ଆରପାରିରୁ ମମତାର ସେଇ ପ୍ରତିଧ୍ୱନି । ମୋ ପ୍ରତି ଯଦି ତମର ଆନ୍ତରିକତା ଥାଏ, ତେବେ ତମେ ଅକ୍ଳେଶରେ ନଦୀ ପାରହୋଇ ଆସିବ ।

 

ଆସ, ଥରେ ଚେଷ୍ଟାକର ।

 

ସମରେନ୍ଦ୍ରଙ୍କ ମନରେ ନାନା ସଂଘାତ ଓ ଦ୍ୱିଧା । ମମତା ପ୍ରତି ତାଙ୍କର ଆନ୍ତରିକତାର ଅଭାବ କେବେ ନ ଥିଲା । କିନ୍ତୁ ଘଟଣା ଚକ୍ରରେ ସେ ଯେତେବେଳେ ଅନ୍ୟତ୍ର ବିବାହ କଲେ, ସେତେବେଳେ ସେ ଆନ୍ତରିକତାର ବିମଳ ଫଲ୍‍ଗୁ, ବିସ୍ମୃତିର କେଉଁ ବାଲିବନ୍ତରେ ହଜି ଯାଇଥିଲା । ଆଜି କିନ୍ତୁ ସେଇ ବିମଳ ଫଲ୍‍ଗୁ, ସମୟ-ବାଲିବନ୍ତର ସମସ୍ତ ପହଡ଼ ଭାଜି ଅବଶ୍ୟ ଉତ୍‍କ୍ରାନ୍ତ ହେଉଛି ।

 

ମମତାର ସେଇ ସ୍ୱର ତୁହାଇ ତୁହାଇ ରାତିର ନିଃଶବ୍ଦ ବାତାବରଣ ମଧ୍ୟରେ ପ୍ରତିଧ୍ୱନିତ ହେଉଛି ।

 

ସମରେନ୍ଦ୍ର ତଥାପି ସମ୍ଭାଳି ପାରିଲେ ନାହିଁ । ତାଙ୍କ ଭିତରେ ସମସ୍ତ ଦ୍ୱନ୍ଦ୍ୱର ବରଫ ତରଳିଗଲା ଏବଂ ପୁଣି ଏକ ଉଦାତ୍ତ ଆବେଗରେ ନଦୀ ଭିତରକୁ ପଶିବାକୁ ଆରମ୍ଭ କଲେ ।

 

ମମତା ପୁଣି ଉଚ୍ଚ ସ୍ୱରରେ ଚିତ୍କାର କଲା: ଦେଖ ସମରେନ୍ଦ୍ର, ମୋ ପ୍ରତି ଯଦି ତମର ଆନ୍ତରିକତାର ଅଭାବ ଥାଏ, ତେବେ ଏଇ ପ୍ରତାରଣା ନଦୀର ପ୍ରଖର ସ୍ରୋତରେ ତମେ ନିଶ୍ଚୟ ଭାସିଯିବ । ଏ ନଦୀରେ ଭାସିଗଲା ପରେ ତମେ କୁଆଡ଼େ ନିଶ୍ଚିହ୍ନ ହୋଇଯିବ । ଏଇ ପ୍ରତାରଣାର ଅପକର୍ମ ଲାଗି ତମେ ହୁଏତ ମୋଭଳି ଅଶରୀରୀ ରୂପ ଧାରଣ କରିବାକୁ ବାଧ୍ୟ ହେବ ।

 

ଆଉ ସେତେବେଳେ–ତମେ ଏବଂ ମୁଁ, ଆମେ ଦୁହେଁ ଏଇ ପାର୍ଥିବ ଜଗତଠାରୁ ଅନେକ ଦୂରରେ ବସତି ସ୍ଥାପନ କରିବା ଏବଂ ପାର୍ଥିବ ଜଗତର ସମସ୍ତ ପ୍ରତାରଣା, କୋଳାହଳ, ପ୍ରବଞ୍ଚନା ଏବଂ ବାଧ୍ୟବାଧକତାଠାରୁ ମୁକ୍ତହୋଇ ଆମେ ସ୍ୱଚ୍ଛନ୍ଦ ଜୀବନଯାପନ କରିବା । ନଈ ପାର ହେବାକୁ ଭୟକରି ଯଦି ସେପାରିର ସେଇ ପାର୍ଥିବ ଜଗତର ନିତ୍ୟ କୋଳାହଳ ଓ ହଳାହଳ ଭିତରେ ରହିଯାଅ, ତା’ହେଲେ ତମ ସହିତ ମୋର ଆଉ ମିଳିତ ହେବାର ସମ୍ଭାବନା ନାହିଁ ।

 

ସମରେନ୍ଦ୍ର ପୁଣି ଏକ ପ୍ରମତ୍ତ ଆବେଗର ନଦୀରେ ଲମ୍ଫ ଦେଲେ ।

 

ଆରପାରିରୁ ଶୁଭୁଛି ମମତାର ସେଇ ସ୍ୱର ଏବଂ ସେହି ସ୍ୱରର ଅନୁରଣନ ସମଗ୍ର ରାତ୍ରିର ନିଶବ୍ଦତାକୁ ଖଣ୍ତଖଣ୍ତ କରି ସତେ ଯେପରି ହତ୍ୟା କରୁଛି ।

Image

 

ଏକ ବ୍ୟତିକ୍ରମର ବେଦନା

 

ଜର୍ଜ. ଯେଉଁଦିନ ଦେଶର ଏକ ପଶ୍ଚିମ ପ୍ରାନ୍ତରେ ଅବସ୍ଥାପିତ ହେବାର ଆଦେଶ ପାଇଲେ ସେଦିନ ତାଙ୍କ ମନରେ କୌଣସି ଆଶଙ୍କା କିମ୍ୱା ପ୍ରତିକ୍ରିୟା ଦେଖାଦେଇ ନ ଥିଲା । କାରଣ ଭାରତକୁ ଆସିବାର ତାଙ୍କର ଦଶବର୍ଷ ପୂରି ଯାଇଥିଲା । ଏହି ଦଶବର୍ଷ ମଧ୍ୟରେ ସେ ଆକୁମାରୀ ହିମାଚଳ ବୁଲିଛନ୍ତି ଏବଂ ଏଦେଶର ଐତିହ୍ୟ ଓ ସଂସ୍କୃତି ସମ୍ପର୍କରେ ତାଙ୍କର ଗବେଷଣା ଅବ୍ୟାହତ ରହିଛି ।

 

ତେଣୁ ଏ ଦେଶର ପଶ୍ଚିମ ପ୍ରାନ୍ତରେ ଅବସ୍ଥାପିତ ହେବାର ଆଦେଶ ବରଂ ତାଙ୍କ ମନରେ ଅଧିକ କୌତୂହଳ ସୃଷ୍ଟି କଲା । କାରଣ ସେହି ଅଞ୍ଚଳଟିକୁ ସେ କେବେ ଦେଖି ନ ଥିଲେ ଏବଂ ତାହାର ଲୋକସଂସ୍କୃତି ସମ୍ପର୍କରେ ମଧ୍ୟ ତାଙ୍କର ଧାରଣା ନ ଥିଲା ।

 

ଡିସେମ୍ୱରର ଏକ ଶୀତ ସକାଳରେ ସେ ଟ୍ରେନରୁ ଓହ୍ଲାଇଲେ ଏବଂ ତାଙ୍କର ବ୍ୟକ୍ତିଗତ ଆସବାବପତ୍ର ଗୋଟିଏ ଟ୍ୟାକ୍‍ସିରେ ଲଦି ବିହଙ୍ଗ ସହରର ଏକ ହୋଟେଲ ଅଭିମୁଖେ ଚାଲିଲେ ।

 

ଟ୍ରେନ୍ ଲାଇନ୍‍ର ଅଳ୍ପ ଦୂରରେ ବିହଙ୍ଗ ସହର । ପଶ୍ଚିମ ପ୍ରାନ୍ତର ଏହା ଏକ ଜିଲ୍ଲା ମହକୁମା । ଏହାର ଅବସ୍ଥିତିରେ ପ୍ରଚୁର ଗ୍ରାମୀଣ ବାୟୁମଣ୍ତଳ ଭରି ରହିଥିବାର ଜର୍ଜ ଲକ୍ଷ୍ୟ କଲେ । ଶୀତ ସକାଳର ପାତଳ କୁହୁଡ଼ି ଭେଦି ଚାଳଘରର ଚା’ ଦୋକାନମାନଙ୍କରୁ କୋଇଲା ଧୂଆଁ ମୋଡ଼ି ମୋଡ଼ି ହୋଇ ଉଠି ଯାଉଥିଲା ଊର୍ଦ୍ଧ୍ୱ ଆକାଶକୁ । ସକାଳର କୁହୁଡ଼ି ଓ ସେହିସବୁ ଧୂଆଁ ମିଶି ବିହଙ୍ଗ ସହରକୁ କରି ଦେଇଥିଲା ଯେପରି ଆହୁରି ମଳିନ ଓ କୁହେଳିକାଚ୍ଛନ୍ନ ।

 

ଟ୍ୟାକ୍‍ସି ଡ୍ରାଇଭର ଦ୍ରୁତ ଗତିରେ ଟ୍ୟାକ୍‍ସି ଚଳାଉଛି । ସେ ଜର୍ଜଙ୍କୁ ପହଞ୍ଚାଇ ଦେବ ଏକ ସମ୍ଭ୍ରାନ୍ତ ହୋଟେଲରେ, ଯେଉଁଠି ରହିବା ଓ ଖାଇବାର ଏକତ୍ର ସୁବିଧା ଅଛି ।

 

ଭାରତୀୟ ସହରମାନଙ୍କର ରାସ୍ତାଧାରର ଦୁଇପାର୍ଶ୍ୱରେ ଛାୟାନିବିଡ଼ ଧାଡ଼ି ଧାଡ଼ି ବୃକ୍ଷମାନଙ୍କର ଚିରାଚରିତ ଶୋଭାଯାତ୍ରା ଅବଶ୍ୟ ଜର୍ଜଙ୍କ ଆଖିରେ ପଡ଼ିଲା ନାହିଁ । ଠାଏ ଠାଏ ପତ୍ରହୀନ ବାବୁଲା ଗଛମାନଙ୍କର କଣ୍ଟକିତ ସ୍ୱରୂପ ତାଙ୍କୁ ଦେଖାଯାଉଥିଲା ସ୍ପଷ୍ଟ ଭାବରେ ।

 

ଟ୍ୟାକ୍‍ସି ଏକ ଦୁଇମହଲା ହୋଟେଲ ପାଖରେ ଅଟକିଲା । ଜର୍ଜ ଏବଂ ଡ୍ରାଇଭର ଦୁହେଁ ଓହ୍ଲାଇଲେ ଏବଂ ପରେ ପରେ ହୋଟେଲ କର୍ତ୍ତୃପକ୍ଷଙ୍କଦ୍ୱାରା ପ୍ରେରିତ କେତୋଟି ବାଳକ, ତାଙ୍କର ଜିନିଷପତ୍ର ବୋହିନେଇ ଉପର ମହଲାକୁ ଚାଲିଲେ ।

 

ବିହଙ୍ଗକୁ ଆସିବାର ପାଞ୍ଚଦିନ ହୋଇଗଲା । ଜର୍ଜ କାହିଁକି କେଜାଣି ସଠାକାର ବାତାବରଣ ସହିତ ଖାପଖୁଆଇବାରେ କଷ୍ଟବୋଧ କରୁଛନ୍ତି । ଭାରତର ବଡ଼ ବଡ଼ ସହରରେ ମିଳାମିଶା କରିବାରେ ଏବଂ ଏପରିକି ବହୁ ଲୋକଙ୍କୁ ଆପଣାର ବ୍ୟକ୍ତିଗତ ବନ୍ଧୁରୂପେ ପାଇବାରେ ତାଙ୍କୁ ମିଳିଥିବା ପର୍ଯ୍ୟାପ୍ତ ସୁବିଧା ଓ ସୁଯୋଗ; କିନ୍ତୁ କେଜାଣି କାହିଁକି ଏଠାକାର ପରିବେଶ ତାଙ୍କୁ ଲାଗୁଛି ଭିନ୍ନ, ଅଲଗା ।

 

ଦଶବର୍ଷ ରହଣୀ ମଧ୍ୟରେ ସେ ଭାରତୀୟ ଭାଷା ସହିତ ଊଣା ଅଧିକେ ପରିଚିତ । ଭାରତର ତିନିଗୋଟି ମୁଖ୍ୟ ଭାଷା ସେ କହିପାରନ୍ତି ସ୍ପଷ୍ଟ ଭାବରେ ଏବଂ ସେହି ଭାଷାରେ ଅଧିକାଂଶ ସମୟରେ ସେ ଲେଖାଲେଖି କରନ୍ତି ପତ୍ରପତ୍ରିକାରେ । ସେହି ପରିଚିତ ତିନୋଟି ପ୍ରିୟ ଭାଷା ଗୋଟିକ ପରେ ଗୋଟିଏ ପ୍ରୟୋଗ କରି ମଧ୍ୟ ସେ ଯେପରି ପାଇପାରୁ ନାହାନ୍ତି ଯଥାର୍ଥ ଉତ୍ତର ।

 

ହୋଟେଲ ମାଲିକଙ୍କଠାରୁ ଆରମ୍ଭ କରି ପ୍ରାଚ୍ୟ ସଂସ୍କୃତି ଗବେଷଣା କେନ୍ଦ୍ରର ସ୍ଥାନୀୟ ଗବେଷକମାନଙ୍କ ପର୍ଯ୍ୟନ୍ତ ତାଙ୍କ ସହିତ ଇଂରାଜୀରେ ଭାବ ବିନିମୟ କରିବା ପାଇଁ ଅଗ୍ରାଧିକାର ଦେଉଥିବାର ଦେଖି ତାଙ୍କୁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ଭାରତୀୟ ଭାଷାରେ ସେ ଯେତେବେଳେ କଥାବାର୍ତ୍ତା ଆରମ୍ଭ କରନ୍ତି, ସେମାନେ ବିସ୍ମୟପ୍ରଦ ଭାବରେ ତାହାର ଉତ୍ତର ଇଂରେଜୀରେ ଦିଅନ୍ତି । ଏପରିକି ସେହି ଭାଷାମାନଙ୍କୁ ସେମାନଙ୍କ ମଧ୍ୟରୁ ଅନେକ ବୁଝନ୍ତି ନାହିଁ ।

 

ଜର୍ଜ ନିଜେ ମଧ୍ୟ ଏଠାକାର ଭାଷା ବୁଝି ପାରୁନାହାନ୍ତି । କୌଣସି ସ୍ୱୀକୃତ ଭାରତୀୟ ଭାଷାରେ କଥାବାର୍ତ୍ତା ନକରି ସ୍ଥାନୀୟ ଲୋକମାନେ ଏକ କିମ୍ଭୂତକିମାକର ଧ୍ୱନିରେ ଭାବ ବିନିମୟ କରନ୍ତି, ଯାହାକୁ ବୁଝିବା ଏକାନ୍ତ ଦୁଃସାଧ୍ୟ ।

 

ଗତକାଲି ସ୍ଥାନୀୟ ବିଶ୍ୱବିଦ୍ୟାଳୟର ପ୍ରାକୃତ ଅଧ୍ୟାପକଙ୍କ ସହିତ, ପ୍ରାଚ୍ୟ ଗବେଷଣାଗାରର ଯୁବକ ଗବେଷକମାନେ ପରିଚୟ କରାଇ ଦେଇଥିଲେ । ତାଙ୍କ ସହିତ ସୁଯୋଗ କ୍ରମେ ଜର୍ଜଙ୍କର ଆଳାପ ହେଲା । ଆଳାପ କ୍ରମେ ସେ ଯେତେବେଳେ ଇଂରେଜୀ ଛାଡ଼ି ଭାରତୀୟ ଭାଷାରେ କହିବାକୁ ଆରମ୍ଭ କଲେ ସେତେବେଳେ ପ୍ରଫେସର ଚୟନୀଙ୍କ ମୁଖରେ କିପରି ଏକ ବିରକ୍ତିକର ପ୍ରତିଫଳନ ସେ ଲକ୍ଷ୍ୟ କଲେ । ଏବଂ ଚୟନୀ ହଠାତ୍ ସଂସ୍କୃତରେ କଥାବାର୍ତ୍ତା ଆରମ୍ଭ କରିଦେଲେ । ସୌଭାଗ୍ୟକୁ ଜର୍ଜ ସଂସ୍କୃତରେ ଜାଣିଥିଲେ ବୋଲି ତାଙ୍କ ସହିତ ଭାବ ବିନିମୟ କରି ପାରିଲେ ନଚେତ୍ ହୁଏତ ସେ ନିଜେ ଅପମାନିତ ହୋଇଥାନ୍ତେ ।

 

ସେଦିନ ସଂଧ୍ୟାବେଳେ ସେ ଏକାକୀ ବିହଙ୍ଗ ସହରରେ ବୁଲୁଥିଲେ । ପାଦରେ ଚାଲିଚାଲି ଗ୍ରାମୀଣ ବାତାବରଣ ମିଶା ବିହଙ୍ଗ ସହରର ଏକ କିଲୋମିଟର ଦୂରକୁ ସେ ଚାଲି ଆସିଲେ । କିନ୍ତୁ ରାସ୍ତାକଡ଼ର ଚାରିଆଡ଼େ ଅର୍ଥାତ୍ ଏଇ ଏକ କିଲୋମିଟର ଦୂରତ୍ୱ ମଧ୍ୟରେ ସେ ଦେଖିଲେ ଗୋଟିଏ ପ୍ରକାର ଦୃଶ୍ୟ । ପ୍ରତି ଦୁଇଶହ ଗଜ ବ୍ୟବଧାନରେ ସେ ଦେଖୁଛନ୍ତି ଗୋଟିଏ ଗୋଟିଏ ମଦଭାଟି ଏବଂ ସେଠି ଜମିଛନ୍ତି ଅନେକ ଲୋକ । ଚାଲିଛି ଭାରସାମ୍ୟହୀନ, ପ୍ରସଙ୍ଗ ବିହୀନ ଗୁଡ଼ାଏ ଅବୋଧ୍ୟ ସଂଳାପ ଏବଂ ପୁଣି ଅର୍ଥହୀନ ସ୍ୱର ସଙ୍ଗୀତ । ଅବଶ୍ୟ ସେସବୁ ସ୍ଥାନୀୟ ଭାଷାରେ ।

 

ଜର୍ଜ ନିଜର କୌତୂହଳ ସମ୍ଭାଳି ନ ପାରି ଲୋକ ଜମିଥିବା ଗୋଟିଏ ସ୍ଥାନ ଆଡ଼କୁ ଆଗେଇଲେ । ମୁଖ୍ୟ ରାସ୍ତାର ବିଦ୍ୟୁତ୍ ଆଲୋକରୁ ଚେନାଏ ଛଟିକି ପଡ଼ିଛି ସେ ଭାଟି ଉପରେ । ଭାଟି ସାମନାରେ ମିଞ୍ଜିମିଞ୍ଜି ହୋଇ ଜଳୁଛି ଗୋଟିଏ ଲଣ୍ଠନ । ଜର୍ଜ ଧୀରେ ଧୀରେ ସେଠାରେ ପହଞ୍ଚିଗଲେ ।

 

ଜର୍ଜଙ୍କୁ ଦେଖି, ଜମିଥିବା ଲୋକ ପରସ୍ପର ବିସ୍ମୟରେ ଚାହାଁଚାହିଁ ହେଲେ ଏବଂ ଭାଟିର ମାଲିକ ଭାରତୀୟ ଭାଷାରେ ଆନନ୍ଦରେ କହି ଉଠିଲେ–ଆସନ୍ତୁ ସାଅବ୍–ବସନ୍ତୁ କହି ତାଙ୍କୁ ଯେପରି ସଙ୍ଖୋଳି ବସିଲେ ।

 

ତାଙ୍କ ଆସିବାର ଛଅଦିନ ପରେ ଏକ ପରିଚିତ ଭାରତୀୟ ଭାଷା ଶୁଣି ଜର୍ଜ ଅବାକ୍ ହୋଇଗଲେ ଏବଂ ମଦଭାଟିର ଖୁବ୍ ନିକଟସ୍ଥ ହୋଇ ଦେଖିଲେ ଦଶ ପନ୍ଦର ଲୋକ ବସିଛନ୍ତି ଏବଂ ଦେଶୀ ମଦ୍ୟପାନର ନିଶା ହେତୁ କେତେକ ସଂପୂର୍ଣ୍ଣ ଭାବରେ ଢୁଳାଉ ନ ଥିଲେ ମଧ୍ୟ ଢୁଳାଇବାର ଉପକ୍ରମ କରୁଛନ୍ତି ।

 

ଜର୍ଜଙ୍କୁ ଦେଖି ଭାଟିର ମାଲିକ ଗୋଟିଏ ଦଉଡ଼ିଆ ଖଟ ପକାଇ ଦେଲା ଏବଂ ଭାରତୀୟ ଭାଷାରେ କହିଲା–ବସନ୍ତୁ ଆଜ୍ଞା ଏଇଠି ।

 

ନିଶା ଢୁଳୁଢୁଳୁ ଆଖିରେ ଅନ୍ୟମାନେ ତାଙ୍କ ଭଳି ଜଣେ ବିଦେଶୀ ଆଗନ୍ତୁକଙ୍କୁ ଚାହିଁ ରହିଥିଲେ ଗୁଡ଼ାଏ ପ୍ରଶ୍ନବାଚକ ଚିହ୍ନନେଇ । ଅଥଚ କେହି କିଛି କହୁ ନ ଥିଲେ । ଏପରିକି ସେମାନଙ୍କ ମଧ୍ୟରେ ଯେଉଁସବୁ ପ୍ରସଙ୍ଗ ବିହୀନ ଆଲୋଚନା ହେଉଥିଲା ତାହା ମଧ୍ୟ ହଠାତ୍ ବନ୍ଦ ହୋଇଗଲା ।

 

ମଦଭାଟିର ମାଲିକ ଭାଟି ଭିତରକୁ ଚାଲିଗଲା ଏବଂ ଅଳ୍ପ କିଛିକ୍ଷଣ ପରେ ଗୋଟିଏ ବିଶାଳ କାଚ ଗ୍ଲାସରେ ଗ୍ଲାସେ ମଦ ଆଣି ତାଙ୍କୁ ଧରାଇବାକୁ ଇଚ୍ଛାକଲା । ସେ ହଠାତ୍ କହି ଉଠିଲା–ନାଇଁ ଭାଇ, ସେ ସବୁରେ ମୋର ଅଭ୍ୟାସ ନାହିଁ । ବୁଲୁବୁଲୁ ଚାଲି ଆସିଲି ହଠାତ୍ ତମ ପର୍ଯ୍ୟନ୍ତ । ତମର ଆତିଥେୟତା ପାଇଁ ଧନ୍ୟବାଦ ।

 

ମଦଭାଟିର ମାଲିକ, ତାଙ୍କଠାରୁ ଏଇକଥା ଶୁଣି ସାରିଲା ପରେ ତାଙ୍କୁ ଅବଶ୍ୟ ପିଇବାକୁ ଜୋର୍ ଦେଲେ ନାହିଁ । ସେଇ ଗ୍ଲାସଟିକୁ ଧରି ପୁଣି ଭାଟି ଭିତରକୁ ବାହୁଡ଼ି ଗଲେ । ସେଠାରେ ଜମିଥିବା ଲୋକେ ବିହଙ୍ଗୀ ଭାଷାରେ କ’ଣ ମଧ୍ୟ କଥାବାର୍ତ୍ତା ହେଲେ । ଭାଟିର ମାଲିକ ଭାଟିରୁ ଫେରିଆସି ସେମାନଙ୍କ ସହିତ କ’ଣ ମଧ୍ୟ କଥାବାର୍ତ୍ତା ହେଲା । ଜର୍ଜ ଅବଶ୍ୟ ଏହି ସଂଳାପର ଅର୍ଥ କିଛି ବୁଝି ପାରିଲେ ନାହିଁ । ସେ ଭାଟି ମାଲିକକୁ କହିଲେ–ଆଚ୍ଛା ଭାଇ ଚାଲିଲି–ଧନ୍ୟବାଦ ।

ସେଇ ମଦଭାଟିର ମାଲିକ ଜର୍ଜଙ୍କ ପଛେ ପଛେ ବଳେଇ ଦେବା ଉବ୍ଦେଶ୍ୟରେ କିଛି ବାଟ ଆସିଲା । ସେ ମୁଖ୍ୟ ରାସ୍ତାରେ ପହଞ୍ଚିଲା ପରେ ଜର୍ଜ ତାଙ୍କୁ ପଚାରିଲେ–ତମ ଏ ବିହଙ୍ଗରେ ସଂଧ୍ୟା ହେଲାପରେ ସମସ୍ତେ କ’ଣ ମଦ୍ୟପାନ କରନ୍ତି ? କାରଣ କ’ଣ ? ମଦ୍ୟପାନ ନ କଲେ ବିହଙ୍ଗର ଲୋକେ କ’ଣ ବଞ୍ଚିପାରିବେ ନାହିଁ ?

ମଦଭାଟିର ମାଲିକ ହଠାତ୍ କି ଉତ୍ତର ଦେବେ ଠିକ୍ କରିପାରିଲା ନାହିଁ । ତା’ଭିତରେ ଏକ କ୍ରୁଦ୍ଧ ବାମ୍ଫ ଉଠୁଥିଲା । ଯଦିଓ ସେ ତାଙ୍କ ସହିତ ଏକ ପରିଚିତ ଭାରତୀୟ ଭାଷାରେ କଥାବାର୍ତ୍ତା କରୁଛି; ତଥାପି ବିହଙ୍ଗର ଲୋକେ ଯେଉଁ ସଂକୀର୍ଣ୍ଣତା ମଧ୍ୟରେ ପୀଡ଼ିତ, ମଦଭାଟିର ମାଲିକ ଏରଫାନ୍ ଏଥିରୁ ବାଦ ପଡ଼ନ୍ତା କିପରି ?

ସେ ବାହାରକୁ କୃତ୍ରିମ ହସ ହସି କହିଲା–ମଦ ନ ପିଇଲେ ମନ ଓ ମେଜାଜ୍ ଠିକ୍ ରହେ ନାହିଁ । ତେଣୁ ଏ ଅଞ୍ଚଳର ଲୋକେ ମଦ୍ୟପାନରେ ଅଭ୍ୟସ୍ତ ।

ଜର୍ଜ ଆଉ କିଛି ତା’ ସହିତ ଯୁକ୍ତି ନ କରି ଭଦ୍ର ଭାବରେ ତାକୁ ବିଦାୟ ଦେଇ ନିଜ ବାଟ ଧରିଲେ ।

ଇତି ମଧ୍ୟରେ ଜର୍ଜ ପ୍ରାଚ୍ୟ ଗବେଷଣା କଲୋନୀରେ ବେଶ୍ ଏକ ଚମତ୍କାର କ୍ୱାଟର ପାଇଛନ୍ତି । ଏବଂ ହୋଟେଲ ଛାଡ଼ି ଏଠାକୁ ଆସିବାର ଗୋଟାଏ ପକ୍ଷ ବିତିଗଲାଣି ।

ଏଇ ପନ୍ଦର ଦିନ ରହଣୀ ମଧ୍ୟରେ ତାଙ୍କର ମନେହେଲା ବିହଙ୍ଗର ସାଧାରଣ ଲୋକଙ୍କଠାରୁ ଏହି କଲୋନୀର ଲୋକେ ଆହୁରି ଯେପରି ଅସହଯୋଗୀ । ଏଇ ଅସହଯୋଗ ପଛରେ ସେମାନଙ୍କର ଘୃଣା ତାଙ୍କ ପ୍ରତି ଯେ ତୀବ୍ରତର ହେଉଥିଲା, ଏକଥା ଭଲ ଭାବରେ ସେ ଉପଲବ୍ଧି କରି ପାରୁଥିଲେ ।

ଜର୍ଜଙ୍କ ମନ ଗଭୀର ଦୁଃଖରେ ଭରିଗଲା । ସେ ଭାରତକୁ ଆସିଛନ୍ତି ଗତ ଦଶବର୍ଷ ହେଲା ଜ୍ଞାନ ଓ ପ୍ରଜ୍ଞାର ଅନ୍ୱେଷଣରେ । ଏଥିପାଇଁ ଭାରତୀୟ ଭାଷାଗୁଡ଼ିକୁ ଆୟତ୍ତ କରିବା ଲାଗି ଦିନ ଦିନ, ରାତି ରାତି ବସି କେତେ ସେ ପରିଶ୍ରମ କରିଛନ୍ତି, କେତେ ଆନନ୍ଦ ପାଇଛନ୍ତି, କେତେ ଯନ୍ତ୍ରଣା ମଧ୍ୟ ଭୋଗିଛନ୍ତି । ନିଜକୁ ଭାରତୀୟ କରିବା ଲାଗି ତା’ର ପାଣି ପବନ, ତା’ର ଖାଦ୍ୟ ପରିଧେୟ ସହିତ ନିଜକୁ ସାମିଲ କରିବା ଲାଗି କେତେ ନିଷ୍ଠାପର ହୋଇଛନ୍ତି । ସବୁଥିରେ ଏକ ଅଭିନ୍ନ ଭାରତୀୟ ହେବାପାଇଁ କେତେ ବର୍ଷ ଧରି ସେ ଏକ ମାନସିକ ପ୍ରସ୍ତୁତିଗତ ସଂଗ୍ରାମରେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି । ମାତ୍ର ବିହଙ୍ଗ ଯେପରି ତାଙ୍କ ତପଶ୍ଚର୍ଯ୍ୟାର ଏକ ବ୍ୟତିକ୍ରମ !

ଦିନେ ସନ୍ଧ୍ୟାବେଳେ ସେ ତାଙ୍କ କ୍ୱାଟରରେ ଅଛନ୍ତି । ଏକ ପୁରାତନ ସଂସ୍କୃତ ଭାଷାରେ ଲିଖିତ ତାଳପତ୍ର ପୋଥି ଲେଉଟାଉଛନ୍ତି । ସେହି କଲେନୀର ପ୍ରାୟ–ସାତ ଆଠଜଣ ବ୍ୟକ୍ତି ଯେଉଁମାନେ ପ୍ରାଚ୍ୟ ଗବେଷଣା ପରିଷଦର କର୍ମଚାରୀ ଭାବରେ କାର୍ଯ୍ୟ କରନ୍ତି, ତାଙ୍କ ପାଖରେ ପହଞ୍ଚିଲେ ଏବଂ ସାଙ୍ଗେ ସାଙ୍ଗେ ତାଙ୍କ ବିରୁଦ୍ଧରେ ଏକ ଗୁରୁତର ଅଭିଯୋଗ ବାଢ଼ି ବସିଲେ ।

ଜର୍ଜ ସେ ଅଭିଯୋଗ ଶୁଣି ହତବାକ୍ ହୋଇଗଲେ । ଅଗତ୍ୟା ଏଇ କ୍ରୁଦ୍ଧ, ଏକବୁଝା, ଆକ୍ରମଣାତ୍ମକ ଓ ଭାବପ୍ରବଣ କର୍ମଚାରୀମାନଙ୍କୁ କ୍ଷମାଭିକ୍ଷା କରି ଏହି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି କହିବାରୁ ସେହି ଉତ୍‍କ୍ଷିପ୍ତ ବାସିନ୍ଦାମାନେ, ବିଜୟ ଗୌରବରେ ସ୍ଥାନ ତ୍ୟାଗ କଲେ ।

 

ଅଭିଯୋଗ ହେଲା, ଜର୍ଜ ପ୍ରତିଦିନ ପ୍ରାତଃଭ୍ରମଣ କରିବାକୁ ଯାଆନ୍ତି । ଏଇ କଲୋନୀ ଅତିକ୍ରାନ୍ତ କଲାପରେ, କେଉଁକାଳରୁ ବିହଙ୍ଗଠାରେ ସ୍ଥାନୀୟ ମହାର୍ଜା, ଯେଉଁ ବିଶାଳ ପୁଷ୍କରିଣୀଟିଏ ଖୋଳାଇ ଥିଲେ ସେହି ପୁଷ୍କରିଣୀର ସ୍ୱଚ୍ଛ ସ୍ଫଟିକ ଜଳରେ ଏଇ କର୍ମଚାରୀମାନଙ୍କ ବଧୂମାନେ ପ୍ରତି ସକାଳରେ ସ୍ନାନ କରନ୍ତି । ଜର୍ଜ ସେଇବାଟେ ପ୍ରତିଦିନ ପ୍ରାତଃଭ୍ରମଣରେ ଯାଆନ୍ତି ଏବଂ ମଧ୍ୟ ଫେରନ୍ତି । ବଧୂମାନେ ସ୍ନାନରତା ଥିବାବେଳେ ଏବଂ ସେମାନଙ୍କର କେଶବାସ ବିନ୍ୟସ୍ତ ଥିବା ସମୟରେ ଜର୍ଜ କୁଆଡ଼େ ଫଟୋ ଉଠାନ୍ତି ।

 

ଜର୍ଜ ଏଇ କାଳ୍ପନିକ ଅଭିଯୋଗ ଶୁଣିଲା ପରେ ଏକ ଗଭୀର ମାନସିକ ବେଦନାର ପୀଡ଼ିତ ହେବାକୁ ଲାଗିଲେ । ପ୍ରାଚ୍ୟ ଗବେଷଣା ପରିଷଦର କର୍ମଚାରୀମାନେ ପାଠଶାଠ ପଢ଼ିଛନ୍ତି । ଏ ଦେଶର ଶିକ୍ଷିତ ନାଗରିକ ଭାବରେ ପରିଚିତ ହେଉଛନ୍ତି ଅଥଚ ଏଭଳି ଏକ ଭିତ୍ତିହୀନ ଓ ନିନ୍ଦନୀୟ ଅଭିଯୋଗ କିପରି ଆଗତକଲେ, ତାହା ହିଁ ତାଙ୍କୁ ବିସ୍ମିତ କରିଦେଲା । ଗତ ଦଶବର୍ଷ କଟାଇ ଦେଲେ ଭାରତର ବିଭିନ୍ନ ପ୍ରାନ୍ତରେ କେଡ଼େ ଉଲ୍ଲାସରେ । ଭାରତର ଗ୍ରାମ୍ୟ ଜୀବନ, ତା’ର ପ୍ରକୃତି, ନଦୀ ନାଳ, ପାହାଡ଼, ଝରଣା, ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ବର୍ଣ୍ଣବୈଭବ, ଶରତ ଋତୁର ମେଘହୀନ ଆକାଶ, ବସନ୍ତର ହିଲ୍ଲୋଳ–‘ଏଇ ଭାରତର ସାଗର ତୀରେ’ ମରିବାକୁ ସେ ଇଚ୍ଛା କରିଛନ୍ତି । ସବୁଆଡ଼େ ଭାରତୀୟମାନେ ସ୍ନେହ ଓ ଶ୍ରଦ୍ଧାରେ ତାଙ୍କର ଚିନ୍ତା ଓ ଚେତନାକୁ କେତେ ଆଦ୍ର ଓ ସିକ୍ତ କରିଛନ୍ତି । କେତେ ପୂଜା ପାର୍ବଣରେ ତାଙ୍କୁ ଘରକୁ ସଶ୍ରଦ୍ଧ ନିୟନ୍ତ୍ରଣ କରି ଆପଣାର ପ୍ରିୟ ପରିଜନଙ୍କଠାରୁ ଆହୁରି ଅନ୍ତରଙ୍ଗ ମଣି ଖାଇବାକୁ ଦେଇଛନ୍ତି ।

 

ମାତ୍ର ଆଜି ଏ କ’ଣ ? ଚରିତ୍ର ସଂହାର ପାଇଁ ଏ କି ଚକ୍ରାନ୍ତ ? ଏ କି କାଳ୍ପନିକ ଅଭିଯୋଗ ? ତାଙ୍କୁ ନିନ୍ଦିତ କରିବାପାଇଁ ଏ କି ମନଗଢ଼ା କୁତ୍ସିତ ଅଭିଯାନ ? କି ଅପରାଧ ସେ କଲେ ?

 

ଜର୍ଜଙ୍କ କୌତୂହଳ ସନ୍ଧାନୀ ମନ ହଠାତ୍ ବିପର୍ଯ୍ୟସ୍ତ ହୋଇଗଲା । ତାଙ୍କର ପ୍ରଜ୍ଞା ଅନ୍ୱେଷଣର ଏକନିଷ୍ଠ ସାଧନା ସତେ ଯେପରି ବିଡ଼ମ୍ୱିତ ହୋଇଗଲା । ଆଉ ଗୋଟିଏ ଦିନ ଏଠାରେ ରହିବାକୁ ତାଙ୍କର ଇଚ୍ଛା ହେଲା ନାହିଁ । ସେ ଏଠାରୁ ଚାଲି ଯିବାପାଇଁ ସ୍ଥିର କଲେ ।

 

ତା’ପରଦିନ ଏଇ ସମ୍ବାଦ ସେହି କଲୋନୀରେ ପ୍ରଚାରିତ ହୋଇଗଲା । କେତେକ ବିଚାରବନ୍ତ ଲୋକ ଜର୍ଜଙ୍କର ଏଇ ନିଷ୍ପତ୍ତିରେ ଦୁଃଖିତ ହେଲେ ଏବଂ ସହାନୁଭୂତି ମଧ୍ୟ ଜଣାଇଲେ । ମାତ୍ର ତାଙ୍କର ନିଷ୍ପତ୍ତି ଆଉ ବଦଳିଲା ନାହିଁ ।

 

ଆସନ୍ତା କାଲି ଜର୍ଜ ଚାଲିଯିବେ ବିହଙ୍ଗ ଛାଡ଼ି । ଗତ ତିନିମାସ ତଳେ ସେ ଏଠାକୁ ଆସିଥିଲେ । ପ୍ରାଚ୍ୟ ଭୂଖଣ୍ଡର ସଂସ୍କୃତି ଓ ସର୍ବୋପରି ବିହଙ୍ଗ ପରି ପଶ୍ଚିମ ପ୍ରାନ୍ତର ସଂସ୍କୃତି ସମ୍ପର୍କରେ ଏବେ ସେ ଗବେଷଣା ଆରମ୍ଭ କରିଥିଲେ । କିନ୍ତୁ ତାହା ରହିଯିବ ଅପୂର୍ଣ୍ଣ ହୋଇ ପ୍ରତିକୂଳ ପରିସ୍ଥିତିର ଚାପଯୋଗୁଁ ।

 

ସେଦିନ ସନ୍ଧ୍ୟାରେ ଜିନିଷପତ୍ର ବନ୍ଧାବନ୍ଧି କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି ଜର୍ଜ । ତାଙ୍କୁ ସାହାଯ୍ୟ କରୁଛି ଗତ ତିନିମାସ ତଳେ ନିଯୁକ୍ତି ପାଇଥିବା ଚାକର କରୁଣାକର ।

 

ବିଚରା କରୁଣାକର କେତେ ଉପକୃତ ହେଉଥିଲା ସତେ ! ସାହାବ ଚାଲିଗଲା ପରେ ପୁଣି ସେ ଫେରିଯିବ ଅଭାବର ସୀମାହୀନ ଅନ୍ଧକାର ମଧ୍ୟକୁ । ବିହଙ୍ଗ ସହରର କେଉଁ ଏକ କ୍ଷୟିଷ୍ଣୁ ସାମନ୍ତବାଦୀ ଘରେ ସେ ହୁଏତ ମୂଲ ଲାଗିବାକୁ ବାଧ୍ୟ ହେବ ।

 

ଜର୍ଜଙ୍କ ଗେଟ୍ ଖୋଲିବାର ଶବ୍ଦ ଶୁଣାଗଲା । ସେ ଅନାଇଲେ ବାହାରକୁ । ଲାଇଟ୍ ପୋଷ୍ଟର ସ୍ପଷ୍ଟ ଆଲୋକରେ ସେ ଦେଖିଲେ କେତେକ ନାରୀ ତାଙ୍କ କ୍ୱାଟରକୁ ଆସୁଛନ୍ତି । ଜର୍ଜଙ୍କ ମନରେ ଯୁଗପତ୍ ଆଶଙ୍କା । ଏଇ କଲୋନୀର ପୁରୁଷ କର୍ମଚାରୀମାନେ ତାଙ୍କ ବିରୁଦ୍ଧରେ ଯେଉଁ ଭିତ୍ତିହୀନ ଓ ମିଥ୍ୟା କୁତ୍ସାରଟନା କରିଥିଲେ, ସେଇ ପରିପ୍ରେକ୍ଷୀରେ, ନାରୀମାନଙ୍କର ଆଗମନ, ତାଙ୍କର ମାନସିକ ଅବସ୍ଥାକୁ ଆହୁରି ଦୟନୀୟ କରିଦେଲା । ଆଉ କିଛି ଅଘଟଣ ଘଟିବ କି ବୋଲି ଏକ ଅହେତୁକ ଆଶଙ୍କାରେ ସେ ଶଙ୍କାକୁଳ ହୋଇ ଉଠିଲେ । ତେଣୁ ସେ ସେମାନଙ୍କ ଆସିବାର ଉଦ୍ଦେଶ୍ୟ ଜାଣିବା ଲାଗି ନିଜେ ନଆସି, କରୁଣାକରକୁ ପଠାଇଲେ ।

 

କରୁଣାକର ବାହାରକୁ ଆସି ଆଗନ୍ତୁକ ନାରୀମାନଙ୍କ ସହିତ କ’ଣ କଥାବାର୍ତ୍ତା କଲା । ତାହା ଅବଶ୍ୟ ତାଙ୍କୁ ଶୁଣାଯାଉ ନଥିଲା । ପରେ କରୁଣାକର ସେଠାରୁ ଫେରିଆସି ତାଙ୍କୁ ଜଣାଇଲା–ସାହାବ ! ସେମାନେ ସବୁ ଆସିଛନ୍ତି ଆପଣଙ୍କୁ ସାକ୍ଷାତ କରିବା ପାଇଁ । ମୋତେ କିଛି ଜଣାଇବାକୁ ସେମାନେ ଉଚିତ୍ ମନେକଲେ ନାହିଁ ।

 

ଜର୍ଜ ଶଙ୍କାକୁଳ ଭାବରେ ଧୀରେ ଧୀରେ ଆସିଲେ ସେଇ ନାରୀମାନଙ୍କ ପାଖକୁ । ତାଙ୍କୁ ନିଜ ସାମ୍ନାରେ ଦେଖି ନାରୀମାନେ ସହାସ୍ୟ ବଦନରେ ନମସ୍କାର ଜଣାଇଲେ ଏବଂ ଅତି ନମ୍ର ଭାବରେ ବିହଙ୍ଗ ଭାଷାରେ ତାଙ୍କୁ କହିଲେ–ଆମେ ଶୁଣିଲୁ ଆପଣଙ୍କ ବିରୁଦ୍ଧରେ ଆମମାନଙ୍କ ସ୍ୱାମୀମାନେ କେତେକ ଅମୂଳକ ଅଭିଯୋଗ ଆଣିଛନ୍ତି । ଆମେ ଏକଥା ଶୁଣି ଅତ୍ୟନ୍ତ ଦୁଃଖିତ ଏବଂ ଲଜ୍ଜିତ । ପୁଣି ଆମେ ଶୁଣିଲୁ ଆପଣ ଆସନ୍ତା କାଲି ବିହଙ୍ଗ ଛାଡ଼ି ଅନ୍ୟତ୍ର ଚାଲିଯିବା ପାଇଁ ସ୍ଥିର କରିଛନ୍ତି । ଆପଣଙ୍କୁ ଆମେ ଏଇ ପ୍ରତିଶ୍ରୁତି ଦେଉଛୁ ଯେ ଆପଣଙ୍କ ଭଦ୍ରୋଚିତ ଅମାୟିକ ବ୍ୟବହାରରେ ଆମେମାନେ ସମସ୍ତେ ପ୍ରୀତ । ତେଣୁ ଆପଣଙ୍କୁ ଅନୁରୋଧ, ଆପଣ ଏଇ ସାମାନ୍ୟ କଥାରେ ବିହଙ୍ଗ ଛାଡ଼ି ଚାଲି ଯାଆନ୍ତୁ ନାହିଁ–

 

ଜର୍ଜ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କ ଉପସ୍ଥିତି ଓ ରହଣୀକୁ ସେମାନଙ୍କର ସ୍ୱାମୀମାନେ ବରଦାସ୍ତ କରୁ ନଥିବା ବେଳେ, ସେମାନେ କିପରି ଯେ ତାହା ବରଦାସ୍ତ, କରିପାରୁଛନ୍ତି ତାହା ତାଙ୍କୁ ଅଧିକ ଆଶ୍ଚର୍ଯ୍ୟାନ୍ୱିତ କରିଦେଲା । ସେମାନଙ୍କ ସହାନୁଭୂତି ପାଇଁ ଜର୍ଜଙ୍କ ମୁଣ୍ଡ ଏକ ଅପୂର୍ବ କୃତଜ୍ଞତାରେ ନଇଁ ଆସିଲା ।

 

ଜର୍ଜ ହସି ହସି କହିଲେ–ଆପଣମାନଙ୍କର ଏଇ ସ୍ପଷ୍ଟୀକରଣ ପାଇଁ ମୁଁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି । ଆପଣମାନେ ଯେ ଆସି ମୋତେ ଏଭଳି ଅନୁରୋଧ କରି ପାରିଛନ୍ତି ତାହାହିଁ ମୋ ପକ୍ଷରେ ବିପୁଳ ଗୌରବ । କିନ୍ତୁ ମୁଁ ଯେତେବେଳେ ମୋ ସ୍ୱାର୍ଥ ଦୃଷ୍ଟିରୁ ନିଷ୍ପତ୍ତି କରି ସାରିଛି ସେତେବେଳେ ତାହାର ପୁନର୍ବିଚାର ଆଉ କରି ହେବନାହିଁ । ଆପଣମାନଙ୍କ ସଶ୍ରଦ୍ଧ ଅନୁରୋଧ ରକ୍ଷା କରି ନପାରି ମୁଁ ଆନ୍ତରିକ ଦୁଃଖିତ ।

 

ବିହଙ୍ଗର ନାରୀମାନେ ଆଶ୍ୱସ୍ତ ହେଲେ । ସେମାନଙ୍କ ସମ୍ପର୍କରେ ଜର୍ଜ ଖରାପ ଧାରଣା ନ ନିଅନ୍ତୁ ତାହାହିଁ ଥିଲା ସେମାନଙ୍କ ଆଗମନର ଉଦ୍ଦେଶ୍ୟ ।

 

ଜର୍ଜ ସେମାନଙ୍କୁ ହାତଯୋଡ଼ି ନମସ୍କାର ଜଣାଇଲେ । ନାରୀମାନେ ପ୍ରତିନମସ୍କାର ଜଣାଇ ଆଶ୍ୱସ୍ତ ହୋଇ ଫେରିଗଲେ ତାଙ୍କ କ୍ୱାଟରରୁ ଏବଂ ହଜିଗଲେ ତା’ ପରେ ସଂଧ୍ୟାର ଅନ୍ଧକାର ମଧ୍ୟରେ ।

Image

 

ବାବୁ ସ୍ୱରୂପାନନ୍ଦଙ୍କ ବୃତ୍ତାନ୍ତ

 

ଯେଉଁଦିନ ବାବୁ ସ୍ୱରୂପାନନ୍ଦ ନିଜ ସ୍ତ୍ରୀର ପ୍ରରୋଚନାରେ ପଡ଼ି ଦେଶର ଏକ ଶିଳ୍ପ କାରଖାନାର ନିରାପତ୍ତାରକ୍ଷୀ ପଦରୁ ଇସ୍ତଫା ଦେଇ ଗାଁକୁ ଚାଲିଆସିଲା, ସେଦିନ ତା’ ମନରେ ଯେତିକି ସରସତା ନଥିଲା, ତାଠାରୁ ବଳି ସହସ୍ର ଗୁଣରେ ସରସତା ଦେଖା ଦେଇଥିଲା ତା’ ସ୍ତ୍ରୀ ଗାୟତ୍ରୀ ମନରେ । କାରଣ ଗାୟତ୍ରୀ ତା’ ସ୍ୱାମୀର ଉପାର୍ଜ୍ଜିତ ଅର୍ଥଲାଗି କେବେହେଲେ ବ୍ୟସ୍ତ ହେଉ ନଥିଲା । ତା’ର ବ୍ୟସ୍ତତା ଖୁବ୍ ବଢ଼ିଯାଇଥିଲା ଯେଉଁଦିନ ସେ ନିଧାର୍ଯ୍ୟ ଭାବରେ ଜାଣିଲା ଯେ ତା’ର ପ୍ରିୟତମ ସ୍ୱାମୀ ଶିଳ୍ପାଞ୍ଚଳର କୌଣସି ଏକ ଅବିବାହିତା ତରୁଣୀ ସହିତ କୁସମ୍ପର୍କ ରଖିଛନ୍ତି ଓ ସେଥିପାଇଁ ବର୍ଷେ ହେଲା ଗାଁକୁ ଆସିବାଲାଗି ଇଚ୍ଛା କରୁନାହାଁନ୍ତି । ସେଇଦିନଠାରୁ ଗାୟତ୍ରୀର ମୁଣ୍ଡ ବିଭମ୍ର ଧରିଲା । ତା’ର ସ୍ୱାମୀ ବାବୁ ସ୍ୱରୂପାନନ୍ଦଙ୍କୁ କେତେ ଚିଠି ଲେଖିଛି, କେତେ ଗୁହାରି ଜଣାଇଛି । ତା’ ନବବିବାହିତ ଜୀବନର କେତେ ବିମୁଗ୍‍ଧ ଉନ୍ନିଦ୍ର ରଜନୀ, କେତେ ନିଃସଙ୍ଗ ଦ୍ୱିପ୍ରହର ଓ କେତେ ବର୍ଷଣକ୍ଳାନ୍ତ ସନ୍ଧ୍ୟା ପ୍ରଭୃତିର ଘଟଣାବଳୀ ସେ ଚିଠିଗୁଡ଼ିକରେ ବର୍ଣ୍ଣନା କରିଛି । ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଜ୍ଞାନକୁ ନେଇ, ଫଳା ଅକ୍ଷରରେ ପ୍ରଥମ ଯୌବନରେ ପଢ଼ିଥିବା ‘ଭୁଲକାହାର’ ଓ ‘ମନଚୋରୀ’ ଉପନ୍ୟାସ ଶୈଳୀରେ ଗଳଦ୍‍ଘର୍ମ ହୋଇ ରାତିରେ ଶୋଇଲାବେଳେ କେତେ ଦୀର୍ଘ ପତ୍ର ସେ ଲେଖିଥିଲା । ଏବେ ବାବୁ ସ୍ୱରୂପାନନ୍ଦ ଚାକିରି ଛାଡ଼ି ଚାଲିଆସିବାରୁ ଗାୟତ୍ରୀ ମନରେ ଅଶେଷ ଆଶ୍ୱସ୍ତି ।

ଯେଉଁଦିନ ବାବୁ ସ୍ୱରୂପାନନ୍ଦ ଗାଁକୁ ଫେରି ଆସିଲା ସେଦିନ ସନ୍ଧ୍ୟାବେଳେ ଗାୟତ୍ରୀକୁ ଡାକି କହିଲା–ତମରି ପାଇଁ ଖାସ୍ ଚାକିରି ଛାଡ଼ିଲି । ଯାଇ ଦି’ପଇସା ତ ମିଳୁଥିଲା । ଏବେ ବେକାର ହୋଇ ଘରେ ବସିବି ତ ?

ଗାୟତ୍ରୀ ସାହସ ଦେଇ କହିଲା–ତମକୁ ପରଘରେ ଧାନକୁଟି ମୁଁ ବରଂ ପୋଷିବି, ମୋର କିନ୍ତୁ ସେ ଜାଗାରେ ଚାକିରିର ଆଉ ଦର୍କାର ନାହିଁ । କେଉଁ ସତ୍ୟାନାଶୀ ବୁଦ୍ଧିରେ ପଡ଼ି ମତେ ଭୁଲିଗଲ । ଆଉ ସେ ଚାକିରି କଥା ତୁଣ୍ଡରେ ଧରନି । ତମ ବଡ଼ ଭାଇ ଓ ଦାଦା ଅମନ ମନ କି କିଛି କିଛି ପଠାଉଛନ୍ତି ବେଳେ ବେଳେ । ଦିହେଁଯାକ ତ ରହିଗଲେ ଅଭେଡ଼ା ହୋଇ । ଯାହା ଯେତେବେଳେ ଦୁହେଁଯାକ ପଠାଉଛନ୍ତି, ସେତିକିରେ ଚଳିବା । ଜମିତ ଅଛି ତିନି ଏକର ଯାଏ । ତାକୁ ଭାଗ ଲଗେଇଦେବା ପୂର୍ବପରି । ଆଉ ଯଦି ପାର, ତମେ ବେଳେବେଳେ ଟାଟା ଯାଇ ବଡ଼ଭାଇ ଓ ଦାଦାଙ୍କୁ ମନାଇ ଆଉ କିଛି ଅଧିକ ଆଣିବାକୁ ଚେଷ୍ଟାକର ।

ବାବା ସ୍ୱରୂପାନନ୍ଦର ବେକାରୀ ମନ ଆପାତତଃ ଗାୟତ୍ରୀ କଥାରେ ଭଳିଗଲେ ମଧ୍ୟ ପରେ ଅର୍ଥାତ୍ ଗାଁକୁ ଆସିବାର ମାସକ ପରେ କେଜାଣି କାହିଁକି ତା’ର ମନ ଆଉ ବୁଝିଲା ନାହିଁ । ସିକ୍ୟୁରିଟି ଗାର୍ଡ଼ ଥିଲାବେଳେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କାରଖାନାର ଗେଟ୍ ପାଖରେ ୟୁନିଫର୍ମ ପିନ୍ଧି, ଲାଠିଧରି, ବୁଟ୍‍ମାଡ଼ି ଏପଟ ସେପଟ ପଇଁତରା ମାରୁଥିଲା ଓ ସାହେବମାନଙ୍କୁ ଦେଖି ବେଳେବେଳେ ସାଲୁଟ୍ ମାରୁଥିଲା । ଏଇ ସମସ୍ତ ସକ୍ରିୟ ଚଳମାନ ଜୀବନ ତା’ର ବେକାରୀ ମନକୁ ଭୟଙ୍କର ଭାବରେ ଓଜନିଆ କରିଦେଲା ।

ଏଣେ ଅତୀତରେ ତାର କେତେକ କାର୍ଯ୍ୟକଳାପ ଯୋଗୁ ଗାଁ ଲୋକେ ସୁଖ ପାଉ ନଥିଲେ । ଏପରିକି ସାତବର୍ଷ ଗାଁ ଛାଡ଼ି ଦୂର ଦେଶରେ ରହିଥିଲେ ସୁଦ୍ଧା ତଥାପି ସେସବୁ ଘଟଣାକୁ ଗାଁ ଲୋକେ କେବେ ଭୁଲି ନଥିଲେ । ତେଣୁ ଗାଁର ଲୋକେ ତା’ ସହିତ ବିଶେଷ ସମ୍ପର୍କ କିମ୍ବା ସହଯୋଗ ରଖୁନାହାନ୍ତି ।

 

ବାବୁ ସ୍ୱରୂପାନନ୍ଦ ଷଷ୍ଠଶ୍ରେଣୀ ପର୍ଯ୍ୟନ୍ତ ଅବଶ୍ୟ ପାଠ ପଢ଼ିଥିଲା । ତେଣୁ ଇଂରାଜୀରେ ଯତ୍‍କିଞ୍ଚିତ୍ ଜ୍ଞାନ ଅର୍ଜନ କରିବାକୁ ମଧ୍ୟ ସେ ସମର୍ଥ ହୋଇଥିଲା । ସେହି ଜ୍ଞାନର ପ୍ରମାଣ ସ୍ୱରୂପ ଠିକଣା ଲେଖିବା, ଗାଈ, ବଳଦ, ମାଛ, ପ୍ରେମ, ସ୍ତ୍ରୀ, ଚିଠି, ମକଦ୍ଦମା, ଦରଖାସ୍ତ, ଛୁଟି, ମନ୍ତ୍ରୀ, ବିଧାନସଭା, ପୁଅ, ଝିଅ ଓ ଏଇଭଳି ଗୁଡ଼ିଏ ଶବ୍ଦର ଇଂରାଜୀ ପ୍ରତିଶବ୍ଦ ଜାଣିବା ସହିତ ସେଗୁଡ଼ିକ ନିର୍ଭୁଲ ଭାବରେ ଲେଖିପାରି ଆଜିକୁ ଅଠାଇଶିବର୍ଷ ତଳେ ଗାଁରେ ନିଜକୁ ଜଣେ ଶିକ୍ଷିତ ବ୍ୟକ୍ତି ରୂପେ ସାବ୍ୟସ୍ତ କରିଥିଲା । କେବଳ ସେତିକି ନୁହେଁ ଏଇ ଜ୍ଞାନର ପ୍ରଖରତା ଯୋଗୁଁ ଗାଁ ଲୋକମାନଙ୍କ ମଧ୍ୟରେ ବାଦ, ବିବାଦ, କଳି, ତକରାଳ ଏବଂ ମିଛ ମାଲିମକଦ୍ଦମା କରାଇ ଗାଁ ଲୋକଙ୍କୁ ଭଦ୍ରକ ଦେଖାଉଥିଲା ।

 

ସାତବର୍ଷ ଗାଁରୁ ଦୂରେଇ ରହିଲା ପରେ ଏବଂ ଗୋଟିଏ କମ୍ପାନୀରେ ଚାକିରି କରିବା ହେତୁ ଅତୀତର ସେହିସବୁ କାର୍ଯ୍ୟାବଳୀ ଅବଶ୍ୟ ଅତୀତ କଳାପଟାରୁ ଲିଭିଯାଇଥିଲା । କିନ୍ତୁ ବାବୁ ସ୍ୱରୂପାନନ୍ଦଙ୍କ ଚେତନାରେ ତାହା ରହିଯାଇଥିଲା ସ୍ପଷ୍ଟ ଭାବରେ ସ୍ୱାକ୍ଷରିତ ହୋଇ ଯାହା ତାକୁ ଓ ଗାୟତ୍ରୀକୁ କେବଳ ଦେଖାଯାଉଥିଲା ।

 

ସେତେବେଳେ ଗାୟତ୍ରୀ ଥିଲା ଭାରି ଆଧୁନିକା । କାରଣ ଅପାଠୋଇ ବୋହୂ ଏବଂ ବୁଢ଼ୀହାଡ଼ିଙ୍କ ପାଖରେ ସେ ‘କାନ୍ଦଣା ଲହରୀ’ ସୁନ୍ଦର ସ୍ୱରରେ ବୋଲି ପାରୁଥିଲା ଏବଂ ବୈଶାଖର ଧୁ-ଧୁ ଖରାବେଳେ ତା’ ପାଖକୁ କାନ୍ଦଣା ଶିଖିବା ପାଇଁ ଆସୁଥିବା ଅପାଠୋଇ ଅନୂଢ଼ା ଝିଅମାନଙ୍କୁ ‘ଦୁଃଖିନୀ ଗୋବର ଗୋଟେଇ’ରୁ ଅଧ୍ୟାୟେ ପଢ଼ି ଶୁଣାଉଥିଲା । ତେଣୁ ଗାଁର ସେଇସବୁ ମାଇପିମାନଙ୍କୁ ତା’ର ଚତୁରତା ସମ୍ପର୍କରେ ସେ ବେଳେବେଳେ ଭାଷଣ ଦିଏ । ବାବୁ ସ୍ୱରୂପାନନ୍ଦଙ୍କୁ ଚାକିରି ଛଡ଼ାଇ କିପରି ସେ ଆଣିଲା ସେ ବିଷୟରେ ବହୁ ରୋମାଞ୍ଚକର ଓ ଚିତ୍ତଚାଞ୍ଚଲ୍ୟକାରୀ କାହାଣୀ କହି ସେମାନଙ୍କୁ ସ୍ତବ୍‍ଧ କରି ଦେଉଥିଲା ।

 

ଦିନେ ସକାଳେ ବାବୁ ସ୍ୱରୂପାନନ୍ଦ ଚା’ ପିଉ ପିଉ ଗାୟତ୍ରୀକୁ କହିଲେ–ବୁଝିଲ, ଗାଁରେ କିଛି ଭଲ ଲାଗୁନାହିଁ । ଚାକିରିଟିଏ ଯଦି ଜୁଟନ୍ତା ଏବଂ ଘରେ ଖାଇ ଯଦି ପଚାଶଟି ଟଙ୍କା ମିଳି ପାରନ୍ତା, ଖୁବ୍ ଭଲ ହୁଅନ୍ତା । ଏବେ ଗାଁରେ ଜନକଲ୍ୟାଣ ପରିଷଦ ଖୁବ୍ ଶୀଘ୍ର ଗଢ଼ାଯିବ । ସେଥିରେ ଅନେକ ଚାକିରି ଖୋଲିବ । ତା’ ଭିତରୁ ଯଦି ଗୋଟିଏ ଜୁଟିଯାଆନ୍ତା ନା...ତେବେ ଆରାମରେ ଚଳିଯାଇ ପାରନ୍ତି ।

 

ଗାୟତ୍ରୀ ହଠାତ୍ କଥା ଛଡ଼ାଇ ନେଇ କହିଲା–କାହିଁକି ଚେଷ୍ଟା କରୁନା । ସାରଙ୍ଗ ମ’–ସାରଙ୍ଗ ପଦାତିକରାୟଙ୍କୁ ତମେ କହୁନ । ଜନକଲ୍ୟାଣ ପରିଷଦର ସେ ତ ଜଣେ ଅଫିସର । ତା’ ଛଡ଼ା ସେ ଭାରି ପରୋପକାରୀ । ତାକୁ କହିଲେ ଅବଶ୍ୟ କଥା ସେ ରଖିବ । ଆଛା ମୋର ଯେତେବେଳେ ସୁବିଧା ହେବ, ମୁଁ କହିବି । ସେଇ ଯଦି ଚେଷ୍ଟା କରନ୍ତି କିମ୍ବା ତମପାଇଁ ସୁପାରିଶ କରନ୍ତି, ତେବେ ଚାକିରିଟା ହୋଇଯାଆନ୍ତା ।

 

ଇତି ମଧ୍ୟରେ ଜନକଲ୍ୟାଣ ପରିଷଦ ବିଧିବଦ୍ଧ ଭାବରେ ଗଠିତ ହୋଇଗଲା ।

 

ଦିନେ ସାରଙ୍ଗ ଫେରୁଥିଲେ ତାଙ୍କ ଚାକିରି ମୁକାମରୁ ଗାଆଁକୁ । ବସରୁ ଓହ୍ଲାଇ ଗାଁକୁ ଫେରୁଥିବାବେଳେ ବସଷ୍ଟାଣ୍ଡରେ ଦେଖାହେଲେ ବାବୁ ସ୍ୱରୂପାନନ୍ଦ ।

 

ସାରଙ୍ଗ ଆସୁଛନ୍ତି, ତାଙ୍କ ପଛେ ଚାଲିଛି ସ୍ୱରୂପାନନ୍ଦ । ସାରଙ୍ଗ ପଛକୁ ଫେରି ଚାହିଁ ପଚାରିଲେ କ’ଣ ଗାଁ’କୁ ଯିବ ? ସ୍ୱରୂପାନନ୍ଦ ଶିଷ୍ଟାଚାର ଛଳରେ ମୁଣ୍ଡରେ ହାତ ମାରିଲା ଏବଂ ସଂଭ୍ରମ ମଧ୍ୟ ଜଣାଇଲା । ନିଜର ଗରଜ ମେଣ୍ଟାଇବାବେଳେ ସ୍ୱରୂପାନନ୍ଦ ହୋଇଯାଏ ଅତ୍ୟନ୍ତ ବିନମ୍ର ଏବଂ କ୍ରୀତଦାସ । ଠିକ୍ ଗରଜ ମେଣ୍ଟିଗଲେ, ସେ ପୁଣି ହୋଇଯାଏ ସମ୍ରାଟଠାରୁ ଆହୁରି କିଛି ବଡ଼ ।

 

ଚାଲୁ ଚାଲୁ ମଝି ବାଟରେ ପହଞ୍ଚି କହିଲା–ମତେ ଟିକିଏ ମୁକରିର କରି ଦିଅନ୍ତନି ସାରଙ୍ଗବାବୁ ! ବେକାର ହୋଇ ଗାଁରେ ବସିଛି । ଜନକଲ୍ୟାଣ ପରିଷଦର କେସିୟର ଚାକିରିଟି ମତେ ଯଦି କରାଇ ଦିଅନ୍ତ, ମୁଁ ଅନ୍ତତଃ ବଞ୍ଚିଯାଆନ୍ତି ।

 

ସାରଙ୍ଗ କିଛି ସମୟ ନୀରବ ରହିଲା ପରେ କହିଲେ–ଜନକଲ୍ୟାଣ ପରିଷଦର କର୍ମକର୍ତ୍ତାମାନେ ଅଛନ୍ତି । ତମେ ବରଂ ସେମାନଙ୍କୁ ସିଧାସଳଖ ଅନୁରୋଧ କର । ସେମାନେ ସବୁ ନିଯୁକ୍ତି ଦେବା ଲୋକ । ତେବେ ମୁଁ ସେମାନଙ୍କୁ ପଚାରିବି କାଲି ।

 

ସ୍ୱରୂପାନନ୍ଦ, ସାରଙ୍ଗ ପାଖକୁ ଆହୁରି ଲାଗିଯାଇ କହିଲା–ଦେଖ, ସାରଙ୍ଗବାବୁ ! ଅତୀତରେ ମୁଁ ସିନା ଖରାପ ଥିଲି । ତମେ ଅବଶ୍ୟ ସେତେବେଳେ ପିଲାଥିଲ । ଏବେ ମୁଁ ସାତବର୍ଷ ବାହାରେ ଚାକିରି କଲାପରେ ମୁଁ ପୂରାପୂରି ବଦଳି ଯାଇଛି । ଗାଁରେ କେଉଁଠି ମୁକରିର ହୋଇଗଲେ ଉନ୍ନତିମୂଳକ କାର୍ଯ୍ୟରେ ମୁଁ ପୂରା ଦମରେ କାର୍ଯ୍ୟ କରିବି । ପରିଷଦର କର୍ମକର୍ତ୍ତାମାନେ ହୁଏତ ମୋ ଅତୀତ କାର୍ଯ୍ୟକଳାପର ନଜିର ଦେଖାଇ ନିଯୁକ୍ତି ଲାଗି ଆପତ୍ତି କରିବେ । ମାତ୍ର ତମେ ପ୍ରଭାବ ପକାଇଲେ, ସବୁ କିଛି ହୋଇଯିବ ।

 

ସାରଙ୍ଗ ଚାଲିଲେ ତାଙ୍କ ରାସ୍ତାରେ । ବାବା ସ୍ୱରୂପାନନ୍ଦ ଫେରିଗଲା ବସଷ୍ଟାଣ୍ଡକୁ ।

 

ସାରଙ୍ଗ ଚାଲିଛନ୍ତି ଗାଁ ଦାଣ୍ଡରେ । ସ୍ୱରୂପାନନ୍ଦ ଘର ପାରିହେଲେ ପଡ଼ିବ ତାଙ୍କ ଘର । ସାରଙ୍ଗ ଚାଲିଛନ୍ତି ନୀରବରେ ଗାଁ ରାସ୍ତାରେ ।

 

ସନ୍ଧ୍ୟାର ଲଘୁ ଅନ୍ଧାର ମଧ୍ୟରେ ସାରଙ୍ଗକୁ ଦେଖିପାରି ଗାୟତ୍ରୀ ତା’ ଦାଣ୍ଡଦୁଆରୁ ବଡ଼ ପାଟିରେ କହି ଉଠିଲା–ସାରଙ୍ଗବାବୁ କିହୋ ! ସକାଳ ବସରେ ନ ଆସି ସନ୍ଧ୍ୟା ବସରେ ଆସିଲ କିଆଁ ମ ? ତମ କଥା ପଡ଼ିଥିଲା ତ ଆଜି ! ଗାୟତ୍ରୀ କହି କହି ଓହ୍ଲାଇ ଆସିଲା ଦାଣ୍ଡ ଦୁଆରୁ ତଳକୁ ।

 

ଗାଁ’ ଲେଖାରେ ଗାୟତ୍ରୀକୁ ସାରଙ୍ଗ ଭାଉଜ ବୋଲି ଡାକନ୍ତି । ଯଦିଓ ବୟସରେ ସାରଙ୍ଗଠାରୁ ଗାୟତ୍ରୀ ଥିଲା ଯଥେଷ୍ଟ ବଡ଼, ତଥାପି ଗାଁ ଲେଖାର ଭାଉଜ ହିସାବରେ ସେ ଥିଲା ଅବଶ୍ୟ ନିକଟତର । କାରଣ ସାରଙ୍ଗ ହାଇସ୍କୁଲରେ ପଢ଼ୁଥିଲାବେଳେ ତାଙ୍କର ପ୍ରଥମ ତାରୁଣ୍ୟରେ ଏଇ ଗାୟତ୍ରୀ ଜାଳି ଦେଇଥିଲା ନିଆଁ, ବହୁ ପ୍ରେମ କାହାଣୀ କହି । ଅବଶ୍ୟ କଲେଜରେ ପଢ଼ିଲା ପରେ ସେହି ନିକଟତର ବାତାବରଣ ଅପସରି ଯାଇଥିଲା ନାନା କାରଣରୁ । ଜ୍ଞାନ, ଦୃଷ୍ଟିକୋଣ ଓ ଉଚ୍ଚତର ପରିବେଶ ମଧ୍ୟରେ ବୁଡ଼ିରହିଲା ପରେ ଅତୀତର ସେଇ ଏକ ସଂକୀର୍ଣ୍ଣ ଆକର୍ଷଣ ପ୍ରତି ସେ ହୋଇ ଯାଇଥିଲେ ଭୟଙ୍କର ଭାବରେ ଉଦାସୀନ ।

 

ସାରଙ୍ଗ ଥମ୍‍କି ଠିଆହେଲେ ! ଗାୟତ୍ରୀ ତାଙ୍କ ପାଖକୁ ଆସି କହିଲା–ଦୁଇମାସ ହେଲା ଚାକିରି ଛାଡ଼ି ତମ ଭାଇ ବେକାର । ତାଙ୍କ ଲାଗି ଚାକିରି ଖଣ୍ଡିଏ ଦରକାର । ଶୁଣିଲି, ଜନକଲ୍ୟାଣ ପରିଷଦ ଗଢ଼ାଯାଇଛି । ଗାଁ ଲୋକଙ୍କର କେତେ ଉପକାରରେ ଏଇ ପରିଷଦ କାମ କରିବ । ସେଥିପାଇଁ କେତୋଟି ନୂଆ ଚାକିରି ସେଠାରେ ଖୋଲିବ । ସେଇଠି ଯଦି ତାଙ୍କୁ କ୍ୟାସିୟର ଭାବରେ ରଖାଇ ଦେଇପାରନ୍ତ, ତେବେ ତମ ଉପକାର କ’ଣ ଆମେ ମନେ ରଖିବୁ ନାହିଁ ?

 

ସାରଙ୍ଗ ହସିଲେ ଏବଂ କହିଲେ–ସ୍ୱରୂପ ଭାଇଙ୍କଠାରୁ ମୁଁ ସବୁ ଶୁଣିଛି, ବୁଝିବି ସେକଥା-। ଆସନ୍ତା କାଲି କର୍ମକର୍ତ୍ତାଙ୍କୁ ପଚାରି ବୁଝିବି । ଗାୟତ୍ରୀ ସତେ ଯେପରି କୃତକୃତ୍ୟ ହୋଇଗଲା-

 

ସାରଙ୍ଗ ସ୍ୱାଭାବିକ ଗମ୍ଭୀର ଭଙ୍ଗୀରେ ପୁଣି ଚାଲିଲେ ତାଙ୍କ ଘରଆଡ଼େ ।

 

ବାବୁ ସ୍ୱରୂପାନନ୍ଦ ପ୍ରାୟ ଛଅମାସ ହେବ ଜନକଲ୍ୟାଣ ପରିଷଦର କ୍ୟାସିୟର ଭାବରେ ମୁକରିର ହୋଇଛନ୍ତି । ଏବେ ବାବା ସ୍ୱରୂପାନନ୍ଦଙ୍କ ସ୍ୱରୂପରେ ଏକ ନୂଆ ଧରଣର ଚିକ୍‍କଣତା ଦେଖାଯାଉଛି । ସେହିଭଳି ଗାୟତ୍ରୀର ପାନ ପଚପଚ ଓଠରେ ଏବଂ ତା’ର ନିତି ପିନ୍ଧା ଶାଢ଼ିମାନଙ୍କରେ ବେଶ୍ ଏକ ଧନୀକ ସୁଲଭ ସଂଭ୍ରମତା ଆତ୍ମପ୍ରକାଶ କରିଛି । ସେମାନଙ୍କ ପାରିବାରିକ ଚଳଣୀରେ ହଠାତ୍ ଯେପରି ଏକ ଚମକପ୍ରଦ ପରିବର୍ତ୍ତନ ରାଜତ୍ୱ କରି ବସିଲା ।

 

ଗାୟତ୍ରୀ, ବହୁବର୍ଷ ତଳେ ସେହି ଗାଁରେ ଥିଲା ଆଧୁନିକତାର ଏକ ଉଗ୍ର ପ୍ରତୀକ । ମାତ୍ର ସମୟର ସୁଅରେ ସେ ବି ହୋଇଗଲା ପୁରାତନ । ସେଇ ଗାଁଆକୁ କେତେ ଉଚ୍ଚ ଶିକ୍ଷିତା ବୋହୂ ଆସିଲେ କାହିଁ କେଉଁ ଦୂର ଦୂରାନ୍ତ ସହରରୁ । କେତେ ଲୋକ ଏଗାଁରୁ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଡିଗ୍ରୀ ଆଣିଲେ । ତଥାପି ଗାୟତ୍ରୀ ଶ୍ରୀଅକ୍ଷର ବିବର୍ଜିତା ବୟସ୍କା ନାରୀମାନଙ୍କ ପାଖରେ ସେ ସବୁଠାରୁ ପାଠୋଇ, ଆଧୁନିକା ଓ ତା’ର ସ୍ୱାମୀ ବାବୁ ସ୍ୱରୂପାନନ୍ଦ ସବୁଠାରୁ ବୁଦ୍ଧିମାନ ବୋଲି ଦାବିକରି ବସେ । ଏବେ ସ୍ୱରୂପାନନ୍ଦଙ୍କ ନୂତନ ନିଯୁକ୍ତିରେ ଓ ସେଠାରୁ ଦି’ପଇସା ଭଲ ରୋଜଗାର କରୁଥିବା ଫଳରେ ଗାୟତ୍ରୀ ସେହି ଦାବିଟିକୁ ଆହୁରି ତୀବ୍ରତର କରୁଛି ।

 

କିଛିମାସ ପରେ ସାରଙ୍ଗ ଆସିଲେ ପୁଣି ଗାଆଁକୁ । ଗାଆଁ ଲୋକେ ଜମିଗଲେ ସବୁ ତାଙ୍କ ପାଖରେ । ସେମାନଙ୍କର ଏହି ଜମାଏତ୍ ସମ୍ପର୍କରେ ସେ ପ୍ରଥମେ କିଛି ଧାରଣା କରିପାରି ନଥିଲେ । କିନ୍ତୁ ସେମାନେ ଯେତେବେଳେ ଜଣେ ପରେ ଜଣେ କହି ଉଠିଲେ–ଆମେ ମନା କରୁଛୁ ସାରଙ୍ଗବାବୁ । ସ୍ୱରୂପାନନ୍ଦଙ୍କୁ ରଖିବା ନାହିଁ । କିନ୍ତୁ ତମ କଥା ଆମେ ଭାଙ୍ଗିପାରିଲୁ ନାହିଁ । ତାକୁ ରଖାଇଦେଲୁ । ମାତ୍ର ଏବେ ଅନୁଷ୍ଠାନର ବହୁ ଟଙ୍କା ମାରିନେଇଛି । କେଡ଼େ କୋଠାଟାଏ ତୋଳୁଛି ଦେଖନ୍ତୁ ।

 

ଠିକ୍ ତା’ପରେ ଆଉ ଜଣେ କହିଲେ–ଏତେ ଟଙ୍କା ଆଣିଲା କୁଆଡ଼ୁ ?

 

ତା’ପରେ ଆଉ ଜଣେ କହିଲେ–ପ୍ରତିଦିନ ଚାଲିଛି ମାଛ ଓ ମାଂସର ଭୂରିଭୋଜନ ।

 

ଆଉ ଜଣେ କହିଲେ–ସୁନା ଗହଣା କେତେ ତା’ ସ୍ତ୍ରୀ ପିନ୍ଧିଲାଣି ଦେଖିଛ ?

 

ପରିଷଦର ଜଣେ ପୁରୁଖା ସଭ୍ୟ ଶୁଦ୍ଧୋଧନ କହିଲେ–ସବ୍ଡ଼ିଭିଜନ ଅଫିସରୁ ପରିଷଦକୁ ଯେଉଁ ଖାଦ୍ୟ ପଦାର୍ଥ ଆସୁଛି, ସେସବୁକୁ ବାଟରେ ସେ ବିକି ଦେଉଛି ଆଖିବୁଜା ! ଏଣେ ଇଆଡ଼େ ଖାତାପତ୍ରରେ ଜାଲ ନାଆଁ ଲେଖି, ଜାଲ ଦସ୍ତଖତ କରିଦେଉଛି । ଆମେ ଯେତେ କହୁଛୁ, ସେ ଆମ କଥାକୁ ଖାତିର କରୁନାହିଁ । ସବ୍ଡ଼ିଭିଜନ ଅଫିସରେ ଯେଉଁ ଅଫିସର ଅଛନ୍ତି, ତାଙ୍କୁ କ’ଣ ଶୁଙ୍ଘେଇ ଦଉଛି । ଆମେ ତାକୁ ବାହାର କରିଦେବାପାଇଁ ଯେତେ ଚିଠି ଲେଖୁଛୁ ସେଇ ଅଫିସରଙ୍କ ପାଖକୁ, ସେସବୁକୁ ଚପାଇ ଦେଉଛନ୍ତି ତାଙ୍କ ଅଫିସରେ ।

 

ପୁଣି ସମବେଦ ସ୍ୱରରେ ସମସ୍ତେ କହି ଉଠିଲେ–ଆଗରୁ ଗାଁରେ ଥିଲାବେଳେ କେତେ ନାଟ ଲଗାଇ ଟାଉଟରି କରୁଥିଲା । ଖାସ୍ ତମରି ପାଇଁ ତାକୁ ରଖିଦେଲୁ । ଏବେ ଗାଁ ଲୋକଙ୍କ ଧନ ମାରି ଖାଇଦେଉଛି । ତମେ ସାରଙ୍ଗବାବୁ ତା’ କଥା ବୁଝ !!

 

ସାରଙ୍ଗ ଏ ସମସ୍ତ ଶୁଣିଲା ପରେ ବିସ୍ମୟରେ ଅଭିହିତ ହେଲେ ଯେତିକି, ତା’ଠାରୁ ବଳି ସହସ୍ର ଗୁଣରେ ହେଲେ ବ୍ୟଥିତ । ଗାଁ ଲୋକମାନେ ଯାହା କହୁଥିଲେ, ତାହାହିଁ ହେଲା ସତ୍ୟ । ସେ ସଙ୍ଗେ ସଙ୍ଗେ ଡକାଇଲେ ବାବା ସ୍ୱରୂପାନନ୍ଦଙ୍କୁ ।

 

ସ୍ୱରୂପାନନ୍ଦଙ୍କୁ ବହୁ ପ୍ରଶ୍ନ ପଚାରିଥିଲେ ସାରଙ୍ଗ, ସେ କିନ୍ତୁ ଏଇ ଅଭିଯୋଗକୁ ପୂରାପୂରି ଅସ୍ୱୀକାର କଲା ।

 

ସାରଙ୍ଗ କହିଲେ–ଜମି କିଣିଲ, ଘର ପକ୍‍କା କଲ–ମାତ୍ର ଷାଠିଏଟି ଟଙ୍କା ଦରମା ପାଇ ତମେ କ’ଣ ଏସବୁ କରିପାରିଲ ?

 

ସ୍ୱରୂପାନନ୍ଦର ସେଦିନର ବିନୟ ଭାବ ଆଜି ନାହିଁ । ଏଇ ଚାକିରି ଖଣ୍ଡିକ ପାଇଁ ସାରଙ୍ଗ ପଛରେ ସେ କେତେ ଗୋଡ଼ାଇଛି । ତା’ ଚାକିରି ମୁକାମକୁ ଦଉଡ଼ି କେତେ ଅନୁନୟ ଅନୁରୋଧ କରିଛି । ମାତ୍ର ଆଜିର ବ୍ୟବହାରରେ ବିଚିତ୍ର ପରିବର୍ତ୍ତନ ।

 

ସ୍ୱରୂପାନନ୍ଦ କହିଲେ–ମୋ ପାଖରେ କ’ଣ ସଞ୍ଚୟ ଅର୍ଥ କିଛି ନାହିଁ ? ଶିଳ୍ପ କାରଖାନାରୁ ହଜାରେ ଟଙ୍କା ଦରମା ପାଉଥିଲି । (ସେ ସିକ୍ୟୁରିଟି ଗାର୍ଡ଼ଟିଏ ଥିଲା ମାତ୍ର) ସେହି ଟଙ୍କାକୁ ଗତ ଛଅ ସାତବର୍ଷ ଧରି ସାଇତି ରଖିଥିଲି ବ୍ୟାଙ୍କରେ । ଏବେ ସେହି ଟଙ୍କାରେ ଜମି କିଣିବାଠାରୁ ଆରମ୍ଭ କରି ଘର କାମରେ ଲଗାଉଛି ।

 

ସାରଙ୍ଗ ଆଉ କିଛି ପଚାରିଲେ ନାହିଁ । ବାବୁ ସ୍ୱରୂପାନନ୍ଦ ବେଶ୍ ଗମ୍ଭୀର ହୋଇ ନିର୍ଭୀକ ଭାବରେ ଫେରିଗଲା ତା’ଘରକୁ । ତା’ର ଧାରଣା ଥିଲା ଯେ ସବ୍ଡ଼ିଭିଜନାଲ ଅଫିସରେ ଯେତେବେଳେ ତାକୁ ଘଣ୍ଟ ଘୋଡ଼ାଉଛନ୍ତି, ସେତେବେଳେ ତା’ର କିଏ କ’ଣ କରିବ ? ଅସଦ୍ ଉପାୟରେ ପଇସା ନ କମାଇଲେ, ଚଳିହେବ ନାହିଁ । ତାକୁ ବଡ଼ ଲୋକ ହେବାକୁ ପଡ଼ିବ । ସାରଙ୍ଗବାବୁ କ’ଣ କରୁଛି କରୁ !

 

ଏ ଘଟଣାର ଦୁଇମାସପରେ ବାବା ସ୍ୱରୂପାନନ୍ଦଙ୍କ କାର୍ଯ୍ୟର ଏକ ତଦନ୍ତ ହେଲା । ଜଣାଗଲା ବାବୁ ସ୍ୱରୂପାନନ୍ଦ ଜନକଲ୍ୟାଣ ପରିଷଦରୁ ପନ୍ଦର ହଜାର ଟଙ୍କା ଆତ୍ମାସାତ୍ କରିଛି ଏବଂ ତତ୍‍କ୍ଷଣାତ୍ ତାକୁ ଚାକିରିରୁ ତଡ଼ି ଦିଆଯାଇଛି । ସେ କିନ୍ତୁ ଫେରାର ହୋଇଯାଇଛି ଏବଂ ଗାଁ ଲୋକେ ଆଶ୍ୱସ୍ତ ହୋଇଛନ୍ତି । ଗାୟତ୍ରୀଙ୍କ ମୁଣ୍ଡରେ ଚିନ୍ତା ସେ ହାତରୁ ସୁନା କାଚ ଓହ୍ଲାଇବେ ନା ରଖିବେ ! !

Image

 

Unknown

ନୀଳହ୍ରଦର କଇଁ

 

ଶାଳ, ପିଆଶାଳ ଓ ଅସଂଖ୍ୟ ନାମହୀନ ଗଛର ଠେସାଠେସି ଓ ଖୁନ୍ଦାଖୁନ୍ଦି ଅରଣ୍ୟର ଟାପୁ ମଧ୍ୟରେ ଏଇ ଯେ ପ୍ରତାପପୁର ଡାକବଙ୍ଗଳା ସମତଳ ଭୂଇଁର ଏକ ହଜାର ଫୁଟ ଉଚ୍ଚରେ ଅବସ୍ଥିତ, ସେତେ ଯେପରି ଦେଖା ଯାଉଛି ଦୂରରୁ ନୀଳ ଆକାଶ ପ୍ରାନ୍ତରେ ଗୋଟିଏ ଗୁଡ଼ି ଉଡ଼ିଲା ପରି ଆଖିକୁ ।

 

ସନ୍ଧ୍ୟାରେ ଉତ୍ତରୀ ଉଡ଼ୁଛି ପ୍ରତାପପୁର ଡାକବଙ୍ଗଳାର ଚଉପାଶରେ । ଅରଣ୍ୟର ତୃଣରାଜିରେ ସନ୍ଧ୍ୟାରେ ଝକମକି ଜଳିଲାଣି । ଆଉ ଟିକକ ପରେ ରାତି ଆସିବ ତା’ର ବାଘ ନଖ ହଲାଇ ।

 

ଅତନୁ କୁମାର ବସିଛନ୍ତି ପ୍ରତାପପୁର ଡାକବଙ୍ଗଳାର ବାରଣ୍ଡାରେ ଗୋଟିଏ ଆର୍ମଚେୟାର ଉପରେ ଢଳିପଡ଼ି ।

 

ପାଞ୍ଚଶହ ମାଇଲ ବାଟର ପଥଶ୍ରାନ୍ତି ଯେପରି ଏଇ ଅରଣ୍ୟ ସନ୍ଧ୍ୟାର ଡାକବଙ୍ଗଳା ବାରଣ୍ଡାରେ ଚୁପ୍‍ଚାପ୍‍ ବସିଗଲା ପରେ ଅପନୋଦିତ ହୋଇଯାଉଛି । ମନେ ହେଉଛି ପାଞ୍ଚଶହ ମାଇଲ ଦୂରର ସମସ୍ତ ଜଞ୍ଜାଳ ଓ କୋଳାହଳକୁ ଦୂରକୁ ଫିଙ୍ଗି ଦେଇ ଆଜି ଯେପରି ସେ ଏକ ବ୍ୟାକୁଳ ସନ୍ନ୍ୟାସୀ ।

 

ଏଇ ଯେ ସାମ୍ନାରେ ଅରାଏ ବୁଦିବୁଦିକିଆ ଘଞ୍ଚ ଜଙ୍ଗଲ, ଦିବସର ମ୍ଳାନ ଅବିର ବୁଣି ହୋଇ ଯାଇଥିଲା ତା’ଉପରେ ଏଇ କେତେ ମିନିଟ୍ ପୂର୍ବରୁ, ସେଇଠାରେ ଗୁଡ଼ାଏ ଛେଳି ଆସୁଥିଲେ ପିଠି ଓ ପେଟକୁ ଲଗାଲଗି ହୋଇ । ଆଉ ସେମାନଙ୍କ ପଛରେ ଆସୁଥିଲେ ଦୁଇଟି କଳା କଳା ମଣିଷ ପେଟ ତଳେ କାଛିଆ ମାରି, ସେମାନେ ଆଉ ଦୃଶ୍ୟ ହେଉ ନାହାନ୍ତି ତ ! ହୁଏତ ମୁଣ୍ଡିଆ ଆରପଟ କେଉଁ ଏକ ଆଦିବାସୀ ପଲ୍ଲୀରେ ସେମାନେ ପହଞ୍ଚି ସାରିବେଣି !

 

ଅରଣ୍ୟ ସନ୍ଧ୍ୟାରେ ଡାକବଙ୍ଗଳାର ବାରଣ୍ଡାରେ ଆର୍ମଚେୟାରରେ ବସି ଅତନୁଙ୍କ ଚେତନାର ଅବରୁଦ୍ଧ ଦ୍ୱାର ଆଜି ଯେପରି ଅନେକ ବର୍ଷ ପରେ ଉନ୍ମୁକ୍ତ ହୋଇଗଲା ହଠାତ୍ ।

 

ଅତନୁ କୁମାର ଚାହିଁଛନ୍ତି ଅରଣ୍ୟ ସନ୍ଧ୍ୟାର ବିଚିତ୍ର ରୂପକୁ । ଅଥଚ ତାଙ୍କ ଚେତନାର ସେଇ ନିର୍ଝର, ସିଏ ସମୟର ବାଲିବନ୍ତରେ ଅନେକ ଦିନ ଧରି ପହଡ଼ ଯାଇଥିଲା, ତାହା ଆଜି ଯେପରି ଠେଲି ପେଲି ଉପରକୁ ଉଠୁଛି ।

 

ଆଜିଠାରୁ ତିରିଶି ବର୍ଷ ତଳେ ସିଏ ମଧ୍ୟ ବୁଲୁଥିଲେ ଏଇ ଛେଳି ଜଗୁଆଳି ଆଦିବାସୀ ପିଲାଙ୍କ ପରି ନିର୍ଭୟରେ ଗାଈ ରଖୁଆଳ ପିଲା ହୋଇ ଦିଗଦାଣ୍ଡିର ବିସ୍ତୀର୍ଣ୍ଣ ପଡ଼ିଆରେ । ବୈଶାଖର ଝାଇଁ ମରା ତାତିରେ, ବିନା ବରଡ଼ା ଛତାରେ ସେ ବୁଲୁଥିଲେ ଗାଈ ଅଡ଼ାଇ ଅଡ଼ାଇ ଏପାଟରୁ ସେପାଟ । ରାତି ଅନିଦ୍ରା ହୋଇ କୃଷ୍ଣରଣା ଯାତ୍ରଦଳରେ ସେଇ ଯେଉଁ ନାଚପିଲା ତା’ର ମଧୁର କଣ୍ଠରେ ଗୀତଟିଏ ଗାଇ, ଶହଶହ ଦେଖେଣାହାରୀଙ୍କୁ ଯେପରି ସ୍ତବ୍ଧ କରି ଦେଉଥିଲା, ସେଇ ପିଲାଠାରୁ ଶିଖିଥିବା ସେଇ ନିର୍ଦ୍ଦିଷ୍ଟ ଗୀତଟିକୁ ଗାଇ, ପାଟ ମଝିରେ ଗାଈ ଅଡ଼ାଇ ଅଡ଼ାଇ ଯାଉଥିବା ବେଳର ବିସ୍ମୃତ ଗୀତ ଅତନୁଙ୍କ ଚେତନାରେ ରହି ରହି ଯେପରି ମୂର୍ଚ୍ଛିତ ହେବାକୁ ଲାଗିଲା ।

 

ପ୍ରତାପପୁର ଡାକବଙ୍ଗଳାର ଚଉପାଶର ଅରଣ୍ୟ ସିଡ଼ିରେ ସନ୍ଧ୍ୟାର କଳା-ବାଘ ଓହ୍ଲାଇ ଆସୁଛି ଆକାଶରୁ ତା’ର ଧୀର ଓ ନିଃଶବ୍ଦ ପାଦ ପକାଇ ।

 

ଆଃ–ସେଇ ଯେ ଖରାବେଳ ! ଦିଗଦାଣ୍ଡିର ଝଙ୍କାଳିଆ ବରଗଛ ତଳେ ଗାମୁଛା ପାରିଦେଇ ସେ ଶୋଇ ପଡ଼ନ୍ତି ବେଳେବେଳେ । ଗାଈସବୁ ଚାଲିଯାଆନ୍ତି ଚରିଚରି କଣ୍ଟପଡ଼ା ଗାଁ ପର୍ଯ୍ୟନ୍ତ । ସେଇ ଗାଆଁର ବାଉଁଶକଣୀ, ଭୁତିଆରି ଓ ଉଚ୍ଚ ଉଚ୍ଚ ସପ୍ତଫେଣୀ କଣ୍ଟା ଜଙ୍ଗଲରେ ସନ୍ଧ୍ୟାବେଳେ ରାଇଜ ଯାକର କାଉ ଉଡ଼ିଆସି ରାଉ ରାଉ ଶବ୍ଦରେ, ସଞ୍ଜର ପ୍ରଥମ ପ୍ରହରକୁ କରିଦିଅନ୍ତି କୋଳାହଳମୟ । ସେଇ ଗାଁ ପର୍ଯ୍ୟନ୍ତ ଦିନେ ଦିନେ ନିଦବାଉଳାରେ ଟାଇଁ ଟାଇଁ ଖରାରେ ସେ ଦଉଡ଼ି ଦଉଡ଼ି ଯାଇ ଅଡ଼େଇ ଆଣୁଥିଲେ ବାଟବଣା ଗାଈମାନଙ୍କୁ ।

 

ସେଇ ଯେ ମାନ୍‍ଧାତା ଘର ! ସେ କାଳର ବଡ଼ ଜମିଦାର । ନଈକୂଳେ ଚମତ୍କାର ବଗିଚାଟିଏ କରିଥିଲେ । ବେଳେବେଳେ ଗାଈମାନେ ସେଠାରେ ପଶିଗଲେ, ଆରମ୍ଭ ହୋଇଯାଏ ଅକଥନୀୟ ଅତ୍ୟାଚାର ।

 

ଖରାବେଳେ, ବିମୁକ୍ତ ଆକାଶ ତଳେ ସେଇ ସେ ଝଙ୍କାଳିଆ ବରଗଛ ଓ ବାବାଜୀର ଜଟାଜୁଟ ପରି ତାହାର ସମସ୍ତ ଓହଳ; ଅତନୁଙ୍କର ମନେହେଲା ତାହା ଯେପରି ତାଙ୍କ ଜୀବନର ଛାୟାଶୀତଳତା ଓ ଶାନ୍ତିର ପରମ ଆସ୍ପଦ ! ଆଜି ସେଇ ଗଛଟି ସେଠାରେ ଅଛିକି ନାହିଁ ! ଆହା ! ଶୈଶବର ଦିଗଦାଣ୍ଡି, ବରଗଛ ଓ ତୃତୀୟ ଶ୍ରେଣୀରେ ପଢ଼ୁଥିବାବେଳେ ନିତ୍ୟ ଆବୃତ୍ତି କରୁଥିବା ’ଆହେ ଦୟାମୟ ବିଶ୍ୱବିହାରି’ ଜଣାଣ (ତାହାର ମାର୍ମିକ ଅର୍ଥ ସେତେବେଳେ ମଧ୍ୟ ସେ ଜାଣିନଥିଲେ) ସତେ ଯେପରି ଜୀବନ ଅପରାହ୍ନର ଧୂସର ଆଲୋକରେ ଦେଖାଯାଉଛି ଦାଉ ଦାଉ ଅଗ୍ନି ପିଣ୍ଡପରି ।

 

ତାଙ୍କ ମନ ଫେରି ଯାଉଥିଲା ଅତୀତର ଛାଇଛାଇଆ ନିଭିଲା ନିଭିଲା ଗହରିଆ ଅନ୍ଧାରକୁ, ଯେଉଁ ଗହୀର ନିବୁଜ ହୋଇ ଆସୁଛି ବିବର୍ତ୍ତନର ଧୂମାଳ ବତାସରେ ।

 

ମାଇନର ପଢ଼ିଲାବେଳେ କେତେଥର ସ୍କୁଲକୁ ନଯାଇ ଝଡ଼କ୍ଲାନ୍ତ କୋହଲା ପାଗରେ ତାଙ୍କ ଗାଁର ସେଇ ଯେଉଁ ଛୋଟ ନଈଟି ଉତୁରି ପଡ଼ି ଚଉଦିଗ ଛଇଳି ମଇଳି ଦେଖାଯାଏ, ସେ ଯାଆନ୍ତି ପହଁରି ପହଁରି ସେଇ ସାପେଇ ନଈଟିକୁ ନିର୍ଭୀକ ଭାବରେ–ଗୋଟିଏ ହାତରେ ପଖାଳ ଭାତର କଂସା, ଶାଗ, ଲଙ୍କା ଓ ଲୁଣ ଆର ହାତରେ ପେଟ ତଳକୁ ପାଣିରେ ଆହୁଲା ମାରି ମାରି ସେ ଲାଗିଯାଆନ୍ତି ଆରକୂଳରେ ଆସ୍ତେ । ତା’ ପରେ ସେ ଚାଲି ଯାଆନ୍ତି ଝଡ଼ ବର୍ଷାରେ ତିନ୍ତି ତିନ୍ତି ତାଙ୍କର ବାବା ପାଖକୁ ଯିଏ ମଧ୍ୟ ଆକାଶଫଟା ଲଗାଣ ବର୍ଷାରେ କଣ୍ଟି ଉପରେ ହାତ ପକାଇ ହଳ ବଳଦ ଅଡ଼ାଇ ଚାଲିଥାଆନ୍ତି ।

 

ସେତେବେଳେ ଭୂଇଁରେ ଗାଁରେ ମଧ୍ୟ ଜମି ନ ଥିଲା ତାଙ୍କର । ଏଠୁ ସେଠୁ ମାଗି ଯାଚି ଦେଢ଼ମାଣ ଜମି ଚାଷ କରୁଥିଲେ ତାଙ୍କ ବାବା ଅପର୍ତ୍ତି ଦାସ ।

 

ସେଇ ଲଗାଣ ବର୍ଷାରେ ତାଙ୍କ ବାବା ଅପର୍ତ୍ତି ହିଡ଼ ଉପରେ ବସି ପଖିଆ ତଳେ ଭାତକଂସା ରଖି ପାଞ୍ଚ ମିନିଟରେ ଶେଷ କରିଦେଉଥିଲେ ଭୋଜନ ଓ ସେଇ ଭୋଜନ ଜନିତ ପାଞ୍ଚ ମିନିଟ ବିରତି ଯୋଗୁ ନିଜେ ଅତନୁ ଧରିଥିଲେ ହଳ । ପଟୁ ମାଟିରେ ଆଣ୍ଠୁଏ ପର୍ଯ୍ୟନ୍ତ ଗଳି ଯାଆନ୍ତି ସେ । ବର୍ଷାଦିନିଆ ଲଟକା କାଦୁଅରେ ଲଙ୍ଗଳରେ ଫାଳ ଗଳିଯାଏ ତଳକୁ ତଳକୁ ।

ସେତେବେଳେ ବାବା ମନା କରୁଥିଲେ ତାଙ୍କୁ–ନାଇଁ, ନାଇଁ ତୁ ପାରିବୁ ନାଇଁରେ । ତୋ କଅଁଳ ନରମ ହାତ ଲାଲ୍ ପଡ଼ିଯିବ । ବଳଦଙ୍କୁ ତୁ କ’ଣ ଆକଟି ପାରିବୁ ? ମୋର ତ ଏଇ ସରିଲା ଆସି ! ବଳଦ ଟିକିଏ ନିଃଶ୍ୱାସ ମାରନ୍ତୁ । ତୁ ପରା ପାଠପଢ଼ୁଆ ପିଲା, ଏ କାମ ତତେ ଆସିବନିରେ ଅତନୁ ।

ସେ କିନ୍ତୁ ମାନୁ ନ ଥିଲେ । ଲଙ୍ଗଳ କଣ୍ଟି ଦୋହଲି ଯାଉଥିଲା ଏପାଖ ସେପାଖ ! ହୁଏତ ବଳଦ ଗୋଡ଼ରେ ଫାଳ ବାଜିବାର ସମ୍ଭାବନା । ସେ କିନ୍ତୁ ଅତି ସାବଧାନରେ, ଦୋହଲା କଣ୍ଟି ଉପରେ ହାତ ରଖି ବୁଲାଇ ଆଣୁଥିଲେ ହଳ ଦୁଇ ଭେରା ।

ଶ୍ରାବଣର ସେଇ ଝିପିରି ଝିପିରି ଲଗାଣ ବର୍ଷା ! ପୁଣି ସେଇ କାଦୁଅ ହଳ, ଯେଉଁଠାରେ ତାଙ୍କ ଆଣ୍ଠୁ ଡୁବି ଯାଉଥିଲା । ସେଇ ଯେଉଁ ଛୋଟ ନଈଟି, ବନ୍ୟା ହେଲେ ତମ୍ବାଟିଆ ପାଣିରେ ତା’ର ଛାତି ଫୁଲି ଉଠେ, ପ୍ରଖର ସୁଅ ଛୁଟେ, ସେ ସବୁର ଏକ ଝିଲିମିଲି ସ୍ୱପ୍ନିଳ ଛବି ଅତନୁଙ୍କ ଚେତନାରେ କେଜାଣି କାହିଁକି ଆଜିର ଏଇ ଅରଣ୍ୟ ସନ୍ଧ୍ୟାରେ ବାରମ୍ବାର ପ୍ରତିଫଳିତ ହେବାକୁ ଲାଗିଲା ।

ତା’ପରେ ମାଟ୍ରିକ୍ ଶ୍ରେଣୀରେ ପାଠପଢ଼ା, ଏକାଦଶ ଶ୍ରେଣୀରେ ପଢ଼ୁଥିଲା ବେଳେ, ‘ଭାରତ ଛାଡ଼’ ଆନ୍ଦୋଳନର ଡାକରା ତାଙ୍କର ତରୁଣ ଚିତ୍ତକୁ ଚହଲାଇ ଦେଇଥିଲା । ସେ ହରିଜନ ସମ୍ପ୍ରଦାୟର ପିଲା ହୋଇଥିବାରୁ ଓ ବହୁ ଲୋକଙ୍କର କୃପା କଣିକାରେ ସେ ପାଠ ପଢ଼ୁଥିବାରୁ, ତାଙ୍କ ଉପରେ ଥିଲା ସମସ୍ତଙ୍କର କଟକଣା । କିନ୍ତୁ ସ୍ୱରାଜ ପାଇଁ ସେତେବେଳେ ସାରା ଭାରତରେ ଖେଳିଗଲା ଯେଉଁ ଉନ୍ମାଦନା, ସରକାରୀ କଳ, ହେଡ଼ମାଷ୍ଟ୍ରେ ଓ ଅନ୍ୟାନ୍ୟ ସାହାଯ୍ୟକାରୀ ବ୍ୟକ୍ତିବିଶେଷଙ୍କ ସମସ୍ତ ଅବରୋଧ ଓ କଟକଣାର ମେଘନାଦ ପାଚେରୀକୁ ଭାଙ୍ଗି ସେ ମଧ୍ୟ ଡେଇଁ ପଡ଼ିଥିଲେ ତା ଭିତରକୁ । ଦେଶର ଅଗଣିତ ଜନସେବୀଙ୍କ ପରି ସେ ମଧ୍ୟ ଗିରଫ ହେଲେ ଓ ଜେଲଗଲେ କିଛି କାଳ ।

ଜେଲରେ ଥିଲାବେଳେ ତାଙ୍କ ମନ ଭିତରେ ଜଳି ଉଠିଲା ଦେଶାତ୍ମବୋଧର ହୋମଶିଖା । ଅନ୍ୟ ନେତାମାନଙ୍କ ପରି ସେ ବି ଚିନ୍ତା କରିଥିଲେ ଦେଶ ସ୍ୱାଧୀନ ହେବ । ଧନୀ ଓ ଦରିଦ୍ରର ବୈଷମ୍ୟ ସ୍ୱାଧୀନ ଭାରତରେ ରହିବ ନାହିଁ । ହରିଜନ, ଆଦିବାସୀ ଓ ସମାଜର ପତିତ ଶ୍ରେଣୀରୂପେ ବିବେଚିତ ହେଉଥିବା ଲୋକମାନଙ୍କୁ ଅନ୍ୟାନ୍ୟ ଜାତିମାନଙ୍କ ପରି ପ୍ରତିଷ୍ଠିତ କରିବାକୁ ହେବ ।

ଏ ସବୁ ଭାବୁ ଭାବୁ ଅତନୁ ଚମକି ଉଠିଲେ । କୈଶୋର ଜୀବନର ବହୁ ବର୍ଣ୍ଣିଳ ବିସ୍ମୃତ ଅତୀତ ଆହା କେଡ଼େ ସୁଖକର ଲାଗୁଥିଲା ରୋମନ୍ଥନ କରିବାକୁ ! କିନ୍ତୁ ଜେଲ ଭିତରେ ଯାହା ଚିନ୍ତା କରାଯାଇଥିଲା, ଆଜି ତାହା ବାସ୍ତବରେ ପରିଣତ ହୋଇଛି କି ? ସେଥିପାଇଁ ସେ ନିଜେ କିଛି ଉଦ୍ୟମ କରିଛନ୍ତି ତ ?

ସେତେବେଳେ ତାଙ୍କର ଆଖିରେ ଭାସି ଉଠୁଥିଲା ଗୋଟିଏ କାଳ୍ପନିକ ନୀଳହ୍ରଦର ଅବସ୍ଥିତି ଓ ସେଥିରେ ଫୁଟିଥିବା ଶଙ୍ଖ ମଲମଲ ରଙ୍ଗର କଇଁଟିଏ । ଏହାର ଏକ ଚମତ୍କାର ରୂପକଳ୍ପ ସେ ଦେଖୁଥିଲେ ଭାରତ ବର୍ଷର ଅନାଗତ ଦିନମାନଙ୍କରେ ।

ଅତନୁ ପୁଣି କାହିଁକି ଆତଙ୍କିତ ହୋଇ ଉଠିଲେ । ତାଙ୍କ ଉପରେ କେଉଁ ଅଶରୀରୀ ସତେ ଯେପରି ଆସି ସବାର ହେଲା । ଏକ ଦାରୁଣ ଯନ୍ତ୍ରଣାରେ ସେ ଯେପରି ଛଟପଟ ହେବାକୁ ଲାଗିଲେ ।

 

ପ୍ରତାପପୁର ଡାକବଙ୍ଗଳାର ନିର୍ଜନ ଅରଣ୍ୟ ସନ୍ଧ୍ୟାରେ ଗୋଟିଏ ପେଟ୍ରୋମ୍ୟାକ୍‍ସ ଜଳିଲାଣି ଏଇ କେତେ ସମୟ ଆଗରୁ । ଆଉ କାହାରି ସ୍ୱର ଶବ୍ଦ ନାହିଁ । ପି. ଏ. ହୁଏତ ଆଗାମୀ କାଲି ଆଦିବାସୀ ମି.ଇ. ସ୍କୁଲର ପୁରସ୍କାର ବିତରଣୀ ଉତ୍ସବ ପରେ ଆଉ କିଛି କାର୍ଯ୍ୟକ୍ରମ କରୁଥିବେ ଓ ସେଥିପାଇଁ ବଙ୍ଗଳାର ଶେଷ ଭାଗରେ ଗୋଟିଏ ଏକେଲା ଘରେ ଲଣ୍ଠନ ଜାଳି ହୁଏତ ଫାଇଲ ପତ୍ର ଘାଣ୍ଟିବାରେ ବ୍ୟସ୍ତ ଥିବେ । ଡ୍ରାଇଭର ହୁଏତ କ୍ଳାନ୍ତି ହେତୁ ବଙ୍ଗଳା ବାରଣ୍ଡାରେ ଶୋଇ ଯାଇଥିବ । ଆଉ ବିଚରା ଜଗୁଆଳି ଓରଫ୍ ପୂଜାହାରୀ ବଙ୍ଗଳାର ରନ୍ଧନଶାଳାରେ ଚୁଲି ଫୁଙ୍କୁଥିବା ଅଥବା କୁକୁଡ଼ାର ପକ୍ଷୀ ଛଡ଼ାଇବାରେ ବ୍ୟସ୍ତ ରହିଥିବ ।

 

ପେଟ୍ରୋମ୍ୟାକ୍‍ସ ଲାଇଟ୍‍ର ସାଇଁ ସାଇଁ ଶବ୍ଦ ଅରଣ୍ୟ ସନ୍ଧ୍ୟାର ନିର୍ଜନତା ମଧ୍ୟରେ କେଜାଣି କାହିଁକି ଏକ ଭୟାନକ ପ୍ରତାତ୍ମାର ସ୍ୱର ପରି ତାଙ୍କୁ ଜଣାପଡ଼ିଲା । ଏକ ଅସ୍ଥିର ମାନସିକ ବ୍ୟାକୁଳତାରେ ସେ ଭାଙ୍ଗି ପଡ଼ୁଛନ୍ତି ସତେ ଯେମିତି ଓ ତାଙ୍କର ମନ ଭୀରୁ ସୁଲଭ ଆଶଙ୍କାରେ ଦ୍ରବୀଭୂତ ହୋଇ ଯାଉଛି କ୍ରମଶଃ ।

 

ସ୍ୱାଧୀନତା ପରେ କ’ଣ ହୋଇଛି ଦେଶରେ ? ଯେଉଁମାନଙ୍କ ପାଖରେ ଫଟା କଉଡ଼ିଟିଏ ସୁଦ୍ଧା ନଥିଲା ଆଜି ସେହିମାନେ ହୋଇଛନ୍ତି କୋଟିପତି । ଗରିବ ଆହୁରି ଗରିବ ହୋଇଛନ୍ତି ଓ ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଚୂରି ହୋଇ ଯାଇଛି । ଜମିଦାରମାନଙ୍କ ବଦଳରେ ଏକ ନୂଆ ଶୋଷକଶ୍ରେଣୀ ସୃଷ୍ଟି ହୋଇଛନ୍ତି; ସେମାନେ ହେଲେ କ୍ଷମତାସୀନ ରାଜନୈତିକ ଦଳ, ସେମାନଙ୍କର ଚେଲାଚାମୁଣ୍ଡା, ଗୋଡ଼ାଣିଆ, ବୋଲକରା, ପିନ୍ଧାଟେକା ଓ ଖୋସାମତିଆମାନେ ।

 

ସ୍ୱାଧୀନତା ପୂର୍ବରୁ ଘୋଷଣା କରାଯାଇଥିଲା କଳାବଜାରୀମାନଙ୍କୁ ଦିବାଲୋକରେ ଫାଶି ଖୁଣ୍ଟରେ ଝୁଲାଇ ନିର୍ମମ ଭାବରେ ମାରି ଦେବାକୁ । କିନ୍ତୁ କାହିଁ ? କଳାବଜାର, ଦୁର୍ନୀତି, ଭ୍ରଷ୍ଟାଚାର ଆଜି ତ ହୋଇଛି ବ୍ୟାପକ !

 

ଆଜି ଦେଶର ଗରିବ ଓ ଅସ୍ପୃଶ୍ୟ ଶ୍ରେଣୀ ସେଇଭଳି ରହିଛନ୍ତି ନିପୀଡ଼ିତ ଅବସ୍ଥାରେ । ଘୋର ଜଙ୍ଗଲରେ ଏବେ ସୁଦ୍ଧା ସେମାନେ ବୁଲୁଛନ୍ତି ଲଙ୍ଗଳା ହୋଇ ଅଖାଦ୍ୟ ଖାଇ ।

 

ସେ ଏକ ଅପରାଧୀ ପରି ମନେ କଲେ ନିଜକୁ । ସ୍ୱାଧୀନତା ପରେ ସେ ତିନି ତିନିଥର ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ରାଜଭବନରୁ ଗୁରୁ ଗମ୍ଭୀର ଭାବରେ ଶପଥ ପାଠ କରିବାର ସେଇ ଯେଉଁ ପରିବେଶ ! ଆହା ମନେ ପଡ଼ିଯାଉଛି ସବୁ । ସେ ପ୍ରତିଜ୍ଞା ପାଠର ସମସ୍ତ ଉଚ୍ଚାରଣ ଓ ପଂକ୍ତି ଯେପରି ଏକ ପ୍ରତାରଣା ଓ ପ୍ରହସନ !

 

ଜଣେ ହରିଜନ ସମ୍ପ୍ରଦାୟର ପ୍ରତିନିଧି ରୂପେ ଗତ ପନ୍ଦର ବର୍ଷକାଳ ସେ ମନ୍ତ୍ରୀମଣ୍ଡଳରେ ରହିଛନ୍ତି । ବିଭିନ୍ନ ବିଭାଗ ଦାୟିତ୍ୱରେ ସେ କାମ କରି ଆସିଛନ୍ତି କ୍ରମାଗତ ଭାବରେ ଗତ ପନ୍ଦର ବର୍ଷ । ସେ କ’ଣ କରିଛନ୍ତି ନିଜ ସମ୍ପ୍ରଦାୟର ଜମିହୀନ, ଭୂମିହୀନ ହଜାର ହଜାର ନିଷ୍ପେସିତ ଜନସାଧାରଣଙ୍କର ପ୍ରଗତି ଓ କଲ୍ୟାଣ ଲାଗି ?

 

ଅତନୁ ଜଳୁଥିଲେ ଅନୁତାପରେ । ଦେଶର ହଜାର ହଜାର ଲୋକେ ଦଳିତ ଜାତି ରୂପେ ରହିଥିଲା ବେଳେ ସେ ସର୍ବଦା କାମ କରି ଆସିଛନ୍ତି ସମାଜର ଉପର ସ୍ତରରେ ଥିବା ଧନୀ କଣ୍ଟ୍ରାକ୍ଟର, ପ୍ରଭାବଶାଳୀ ଜମି ମାଲିକ, ନ୍ୟସ୍ତସ୍ୱାର୍ଥ ବଡ଼ବଡ଼ ଧନୀ ବ୍ୟବସାୟୀ ଗୋଷ୍ଠୀମାନଙ୍କର । କାରଣ ଏହିମାନେ ତାଙ୍କୁ ନିର୍ବାଚନରେ ଜୟଯୁକ୍ତ କରାଇବାରେ ସାହାଯ୍ୟ କରନ୍ତି ଓ ମନ୍ତ୍ରୀ ହେଲାପରେ ସେ ସେମାନଙ୍କୁ ନାନା ଭାବରେ ଉପକୃତ କରାଇଥାନ୍ତି ।

 

ସମାଜର ନିତାନ୍ତ ଦୀନଦୁସ୍ଥ ଅବସ୍ଥାରେ ଥିବା ହରିଜନ, ଜମିହୀନ ଚାଷୀ, ମୂଲିଆ ଓ ମୂଲ ନ ପାଇ ଅଧ ଦିନେ ଭୋକ ଉପାସରେ ରହୁଥିବା ଶ୍ରମିକମାନଙ୍କୁ ଶୋଚନୀୟ ଭାବରେ ସେ ଅବହେଳା କରିଛନ୍ତି ।

 

ଅତନୁଙ୍କ ଚେତନାରେ ବିଦ୍ଧ ହୋଇଗଲା ସତେ ଯେପରି ଏକ ଶାଣିତ ଛୁରିକା ।

 

ସେ ଅନୁଭବ କଲେ ସତେ ଯେପରି ସେ ଜଣେ ଭଣ୍ଡ ଜନସେବୀ ! ପନ୍ଦର ବର୍ଷକାଳ କ୍ୟାବିନେଟ୍ ମନ୍ତ୍ରୀ ହୋଇ, ସରକାରୀ ବାସଭବନର ବିଳାସ ଓ ପ୍ରାଚୁର୍ଯ୍ୟ ମଧ୍ୟରେ ବୁଡ଼ିରହି ସେ ଭୁଲିଯାଇଛନ୍ତି ଏ ଦେଶର ଜନତାର କଲ୍ୟାଣ ଓ ମୁକ୍ତିଲାଗି । ଏଇ ପନ୍ଦର ବର୍ଷ ମଧ୍ୟରେ ସେ ତିନୋଟି କାର୍ କିଣିଛନ୍ତି ଓ ମାସକୁ ଏକହଜାର ଟଙ୍କା ଦରମା ବ୍ୟତୀତ ସରକାରୀ ରାଜକୋଷରୁ ଏକହଜାର ଟଙ୍କାରୁ ଊର୍ଦ୍ଧ୍ୱ ଗସ୍ତ ଖର୍ଚ୍ଚ ନେଇ ତାଙ୍କ ସ୍ତ୍ରୀ ଅନୁପମାଙ୍କୁ ଧରାଇ ଦେଇଛନ୍ତି । ତା’ ଛଡ଼ା, କେତେ ଭେଟି, ଲଞ୍ଚ ଓ ଉତ୍କୋଚ ! ସେ ସବୁର ଇୟତ୍ତା ନାହିଁ ।

 

ଅତନୁଙ୍କର ଗୋଟି ଗୋଟି ହୋଇ ମନେ ପଡ଼ିଲା ଅନେକ କଥା । ପ୍ରଥମେ ପ୍ରଥମେ ସେ ବଡ଼ ନୀତିବାନ୍ ଓ ନିଷ୍ଠାପର ଭାବରେ କାମ କରୁଥିଲେ । ବିନା ରାଜନୈତିକ ହସ୍ତକ୍ଷେପରେ ତାଙ୍କ ବିଭାଗକୁ ବେଶ୍ କିଛି କାଳ ପୁର୍ନଗଠିତ କରିଥିଲେ । ମାତ୍ର ଅନୁପମା ସେଇ ଅନାସକ୍ତ ବାଟରେ ଠିଆ ହେଲେ କଣ୍ଟକ ହୋଇ, ଅନ୍ୟ ମନ୍ତ୍ରୀମାନଙ୍କ ଉଦାହରଣ ଦେଇ । ଅନେକ ସମୟରେ ସେ ତାଙ୍କୁ ଦୁର୍ବଳ କରିଦେଲେ । କିଏ କୋଠା କଲା, କିଏ ଠିକାଦାରୀ ନେଲା, ନିଜ ସ୍ତ୍ରୀଙ୍କ ନାମରେ ସମ୍ପତ୍ତି କିଣିଲା ଇତ୍ୟାଦି ଇତ୍ୟାଦି...

 

ପ୍ରଥମେ ପ୍ରଥମେ ଏ ସମସ୍ତ ପ୍ରଲୋଭନ ପ୍ରତି ତାଙ୍କର କୌଣସି ପ୍ରତିକ୍ରୟା ନ ଥିଲା । କିନ୍ତୁ ପରେ କେଜାଣି କାହିଁକି ସେ ଦୁର୍ବଳ ହୋଇଗଲେ ଭୀଷଣ । ଅନ୍ୟମାନଙ୍କ ପରି ସେ ଠିଆ କରାଇଲେ ରାଜଧାନୀରେ ପ୍ରକାଣ୍ଡ ଅଟ୍ଟାଳିକା । ନିଜ ସ୍ତ୍ରୀ ନାମରେ, ନିଜ ଅଞ୍ଚଳରେ ପଚିଶି ଏକର ପର୍ଯ୍ୟନ୍ତ ଜମି କିଣିଲେ । ନିଜ ପୁଅ ଓ ଝିଅଙ୍କୁ ପବ୍ଲିକ୍ ସ୍କୁଲରେ ପାଠ ପଢ଼ାଇଲେ । ମୋଟାମୋଟି ଭାବରେ ମନ୍ତ୍ରୀ ହେଲାପରେ ସମାଜରେ ହୋଇପାରିଲେ ସେ ଜଣେ ଅତ୍ୟନ୍ତ ପ୍ରତିପତ୍ତିଶାଳୀ ବ୍ୟକ୍ତି-

 

ଏଇ କ’ଣ ଗାନ୍ଧୀବାଦ ? ଦେଶ ସେବା କରିବା ଲାଗି ଏଇ କ’ଣ ଗାନ୍ଧୀଦର୍ଶନର ଆଭିମୁଖ୍ୟ ?

 

ଏଇଥିପାଇଁ କ’ଣ ସେ ସ୍କୁଲ ପାଠ ଛାଡ଼ି ‘କରୋ ବା ମରୋ’ ମନ୍ତ୍ରରେ ଦୀକ୍ଷିତ ହୋଇଥିଲେ ସେତେବେଳେ ? ବ୍ରଟିଶ୍ ସାମ୍ରାଜ୍ୟବାଦର ସୂର୍ଯ୍ୟାସ୍ତ ଯେଉଁଠାରେ ହୁଏ ନାହିଁ, ସେଇ ଦେଶର ଯେଉଁ ଗଣ ବିପ୍ଳବ ସ୍ୱଷ୍ଟି ହୋଇଥିଲା ଓ ଯେଉଁଥିରେ ସମସ୍ତ କଟକଣାକୁ ଅବଜ୍ଞା କରି ସେ ଡେଇଁ ପଡ଼ିଥିଲେ ସେଇ ଆନ୍ଦୋଳନର ଅଗ୍ନିକୁଣ୍ଡ ଭିତରକୁ, ତାହା କ’ଣ ପାଇଁ ? ଏ ଦେଶରେ ବାଇଶି ବର୍ଷର ସ୍ୱାଧୀନତା ଯେପରି ଏକ ପ୍ରବଞ୍ଚନା, ସ୍ୱାଧୀନୋତ୍ତର ଭାରତରେ ମନ୍ତ୍ରୀ ଆସନରେ ବସି ଜନସେବା କରିବା ତହୁଁ ବଳି ଏକ ବିଡ଼ମ୍ୱନା ।

 

ଅପରାଧ ଜନିତ ମନର ଏଇ ଗ୍ଳାନିକର ବୈକଲ୍ୟ ମଧ୍ୟରେ ହଠାତ୍ ଅତନୁଙ୍କର ମନେ ପଡ଼ିଗଲା ତାଙ୍କ ବାବା ଅପର୍ତ୍ତିଙ୍କ କଥା । ସେଇ ଯେ ବର୍ଷଣ କ୍ଳାନ୍ତ ଶ୍ରାବଣର କାଦୁଅ ହଳ, ନଈ ପାରି ହେବାର ସେ ଯେଉଁ ଉବ୍ଦାମ ଆବେଗ, ବାବାଙ୍କୁ ସାହାଯ୍ୟ କରିବା ଲାଗି ସେ ଯେଉଁ ସ୍ୱେଚ୍ଛାକୃତ ଆଗ୍ରହ ଓ ଉତ୍ସାହ, ଆଜି ପଦବୀ, କ୍ଷମତା ଓ ଐଶ୍ଚର୍ଯ୍ୟ ମଧ୍ୟରେ ବୁଡ଼ି ରହି, ସେ ମନୋବୃତ୍ତି ଆଜି ଆଉ ନାହିଁ । ଆପଣାର ଧନସମ୍ପତ୍ତି ବଢ଼ାଇବା ଲାଗି ମନ ଭିତରେ ତୁହାଇ ତୁହାଇ ପ୍ରଶ୍ନ ଉଠୁଛି ।

 

ଆଃ–ବାବା ଯଦି ବଞ୍ଚିଥାନ୍ତେ ! ତାଙ୍କର ଗହରିଆ ଗହରିଆ ନେସେଡ଼ା ଆଖିରେ ଦେଖି ପାରିଥାନ୍ତେ ତାଙ୍କ ପୁଅ ଅତନୁ ଉନ୍ନତିର ଶୀର୍ଷ ଦେଶରେ କିପରି ଅଧିଷ୍ଠିତ ହୋଇ ପାରିଛି ! ତାଙ୍କ ପୁଅର ଦାମୀ ମଟରକାର୍, ସରକାରୀ ବାସଗୃହର ଆଧୁନିକ ପରିପାଟୀ, ସରଞ୍ଜାମ ଓ ଆସବାବ ଦେଖି ବାବା ହୁଏତ ଏହାକୁ ଏକ ଇନ୍ଦ୍ରପୁରୀ ମଣୁ ଥାଆନ୍ତେ ।

 

ଆଜି ମଧ୍ୟ ତାଙ୍କ ବାବାଙ୍କର ତିରିଶ ବର୍ଷ ତଳର ଅବସ୍ଥା ପରି ଏ ଦେଶର ଅସଂଖ୍ୟ ଜନତା, ଆପଣା ପରିବାରର ଅନ୍ନ ସଂସ୍ଥାନ କରି ନ ପାରି ରାତିଦିନ ଖଟିଖଟି ମରୁଛନ୍ତି । ଅଥଚ ପେଟପୂରା ଖାଇ ପାରୁନାହାନ୍ତି ଓ ଖୋଇପାରୁନାହାନ୍ତି ସେମାନଙ୍କର ପରିବାରମାନଙ୍କୁ । ଏପରି ଅବସ୍ଥାରେ, ସମାଜର ଏକ ନିମ୍ନ ଶେଣୀରୁ ଆସି, ଗାଡ଼ିରେ ଚଢ଼ି ଉତ୍ସବ ଉଦ୍‍ଘାଟନ, ଉନ୍ମୋଚନ, ପୁରସ୍କାର ବିତରଣ, ପୁଷ୍ପମାଲ୍ୟରେ ମଣ୍ଡିତ ହେବା ଓ ମାଇକ୍ରାଫୋନ୍ ଆଗରେ ଠିଆ ହୋଇ ବଡ଼ ବଡ଼ କଥା କହିବା ତାଙ୍କ ପକ୍ଷରେ ଯେପରି ଏକ ମାରାତ୍ମକ ବ୍ୟାଧି ।

 

ଅତନୁ ଯେପରି ଅଣନିଃଶ୍ୱାସୀ ହୋଇପଡ଼ିଲେ । ଅରଣ୍ୟ ସନ୍ଧ୍ୟାର ପ୍ରତାପପୁର ଡାକବଙ୍ଗଳା, ତାଙ୍କ ଜୀବନ ଅପରାହ୍ନର ଯେପରି ଏକ ଜ୍ଞାନପୀଠ ।

ଅତନୁଙ୍କ ଚେତନାର ଝଲମଲ ହୋଇ ଉଠିଲା ତାଙ୍କ ପିଲାବେଳର ନାଁ, ଯେଉଁଠାରେ କ୍ରମାଗତ ଭାବରେ ଦୁଇଟି ଦିନ ରହିବାର ଅବକାଶ ତାଙ୍କର ଘଟି ନାହିଁ । ରାଜଧାନୀର ସରକାରୀ ପ୍ରାସାଦ ଭିତରେ ରହି ରହି ସେ ଭୁଲି ଯାଇଛନ୍ତି ତାଙ୍କର ସେଇ କାଦୁଅ ପଚପଚ ଆନ୍ଧାରି ଗାଁକୁ, ଯେଉଁଠାରେ ବଢ଼ି, ମରୁଡ଼ି, ମହାମାରୀ, ଅଭାବ ଓ ଅନାଟନର ସର୍ବଗ୍ରାସୀ ରାହୁ ଅହରହ ଖାଁ ଖାଁ କରୁଛି ।

ସେଇ ଯେ ଦିଗଦାଣ୍ଡି, ତା’ର ଝଙ୍କାଳିଆ ବରଗଛ, ବାବାଜୀର ଜଟାଜୂଟ ପରି ଓହଳି ପଡ଼ିଥିବା ତା’ର ସମସ୍ତ ଓହଳ, ଗାଈ ଜଗୁଆଳ ସମୟର ସେ ଯେଉଁ ଅଧାଶିଖା ଯାତ୍ରାଗୀତର ଭଙ୍ଗା କ୍ଷୀଣସ୍ୱର ! କେଡ଼େ ଲୋଭନୀୟ ସେ ସମୟ !

ସେ ଆଉ କିଛି ଭାବି ପାରିଲେ ନାହିଁ ।

ଅତନୁ ଦୁଇ ଆଖିରେ ହାତ ଦେଇ ସତେ ଯେପରି ବିମୂଢ଼ ହୋଇଗଲେ । କିନ୍ତୁ ମୁଦା ଆଖିରେ ଭାସି ଉଠିଲା ତାଙ୍କ ସ୍ୱର୍ଗତ ବାପାଙ୍କର ଛବି, ଯାହାଙ୍କର ଶ୍ରାଦ୍ଧୋତ୍ସବ, ସମୟ ଅଭାବରୁ ଗତ ଦୁଇବର୍ଷ ହେଲା ସେ କରି ପାରିନାହାନ୍ତି ।

ଅରଣ୍ୟ ସନ୍ଧ୍ୟାର ସେଇ ନିର୍ଜନତା ମଧ୍ୟରେ କେହି ଯେପରି କହି ଉଠିଲା, ତମେ ପ୍ରତାରିତ ହୋଇଛ ଅତନୁ ! ଏବେ ମଧ୍ୟ ଯଥେଷ୍ଟ ସମୟ ଅଛି, ତମ ଚିନ୍ତାଧାରାର ମାର୍ଗ ବଦଳାଇବା ପାଇଁ ।

 

ଅତନୁ ଆଖି ଖୋଲି ଚାହିଁଲେ ବାହାରକୁ । ପେଟ୍ରୋମ୍ୟାକ୍‍ସ ଲାଇଟ୍‍ର ସେଇ ଭୟଙ୍କର ଆରଣ୍ୟକ ସାଇଁ ସାଇଁ ଶବ୍ଦ ତାଙ୍କୁ କିପରି ଭୟ ଲାଗିଲା ।

 

ସେଇ ଅନ୍ଧାରରେ ଡକବଙ୍ଗଳାର ଜଗୁଆଳି ଓରଫ୍ ପୂଜାହାରୀ ଆସି କହିଲା, ଆଜ୍ଞା ରୋଷେଇ ସରିଗଲାଣି, ଆସନ୍ତୁ !

 

ଅତନୁ ଆତ୍ମସ୍ଥ ହେଲେ ।

Image

 

ବିପୁଳା ନଦୀର ମୁହାଁଣ

 

ଦୁଇ ଜିଲ୍ଲାର ସୀମାନ୍ତ ଅଞ୍ଚଳକୁ ଦ୍ୱିଖଣ୍ଡିତ କରି ବହିଯାଇଛି ପ୍ରକାଣ୍ଡ ବଡ଼ ନଦୀ ଓ ତାହା ମିଶିଯାଇଛି ହେଇ ଅନେକ ଦୂରରେ ଦେଖାଯାଉଥିବା ସମୁଦ୍ରର ନୀଳ ନୀଳ ଜଳରାଶି ମଧ୍ୟରେ ଦୂରରୁ ଡେଇଁ ଡେଇଁ ।

 

ନଦୀ ଆରପଟେ ଆଉ ଏକ ଜିଲ୍ଲାର ଅବସ୍ଥିତି ଆରମ୍ଭ । ମାତ୍ର ବଡ଼ ନଈଟିର ଅତ୍ୟାଚାର, ବର୍ଷାଋତୁର ତିନି ମାସ ଧରି ସୀମିତ ରହେ ଓ ଦୁଇ ଜିଲ୍ଲା ସୀମାନ୍ତକୁ କୃତ୍ରିମ ଭାବରେ ବିଚ୍ଛିନ୍ନ କରିଦିଏ କିଛିକ୍ଷଣ ।

 

ସେଇ ଯେଉଁ ବଡ଼ ନଦୀ, ତାହାର ପୀଡ଼ନରେ, ତୀରବାସୀ ଉଚ୍ଛନ୍ନ । ତାହାର ଶାଖାପ୍ରଶାଖା ନଦୀ ସବୁ ସେଇ ଦୁଇଜିଲ୍ଲାର ସମତଳ ଅଞ୍ଚଳକୁ ସମୁଦ୍ରର ମୁହାଁଣ ପର୍ଯ୍ୟନ୍ତ କରି ଦିଏ ଆହୁରି ଶୋଚନୀୟ ଭାବରେ ବିପର୍ଯ୍ୟସ୍ତ ।

 

ଆଷାଢ଼ ମାସରେ ନଦୀବନ୍ଧର ଉଚ୍ଚ ଅଞ୍ଚଳରୁ ଠିଆ ହୋଇ ସମୁଦ୍ର ମୁହାଁଣ ପର୍ଯ୍ୟନ୍ତ ଅନାଇଁ ଦେଲେ, ଖାଲି ଦିଶେ ଛୋଟ ଛୋଟ ଧାନଗଛଗୁଡ଼ିକର ଶ୍ୟାମଳ ବିସ୍ତାର । କିନ୍ତୁ ବଡ଼ ନଦୀରେ ବନ୍ୟା ଆସିଲେ, ସେଇସବୁ ଶ୍ୟାମଳ ଶସ୍ୟକ୍ଷେତ୍ର ସମୁଦ୍ରର ପାଣି ସହିତ ମିଶିଯାଇ ଦେଖାଏ ଏକ ମହାସମୁଦ୍ର ପରି ।

 

କ୍ରମାଗତ ଧୋଇ ସେହି ବିଶାଳ ସମତଳ ଅଞ୍ଚଳର ଲୋକମାନଙ୍କୁ କରି ଦେଇଥିଲା ଦରିଦ୍ର ଓ ନିଃସ୍ୱ । ସେମାନେ ଯେତେ ପ୍ରତିକାର କଲେ ମଧ୍ୟ ବଡ଼ନଦୀର ପ୍ରକୋପରୁ ସେମାନେ ରକ୍ଷା ପାଇଲେ ନାହିଁ । ବନ୍ୟା ପ୍ରତିକାର ପାଇଁ ସେ ଅଞ୍ଚଳରେ ଚାଲିଲା କେତେ ସଭା, ସମ୍ମିଳନୀ । ଫର୍ଦ୍ଦ ଫର୍ଦ୍ଦ ଦରଖାସ୍ତ ଗଲା ସରକାରଙ୍କ ପାଖକୁ । କିନ୍ତୁ କିଛି ହେଲା ନାହିଁ ।

 

ଦିନେ ହଠାତ୍ ମୁହାଁଣ ନିକଟବର୍ତ୍ତୀ ସିଦ୍ଧେଶ୍ୱରପୁର ଗାଁରୁ ଆସିଲେ କାଳିଆ କୁଟୁକୁଟୁ ମଳଛିଆ ଲୁଗାପିନ୍ଧା ଜଣେ ଚାଷୀ, ନାଁ ତାଙ୍କର ସୁଦାମ ବିଶ୍ୱାଳ । ଲୁଗା ପିନ୍ଧିଛନ୍ତି ଆଣ୍ଠୁ ପର୍ଯ୍ୟନ୍ତ । ଦେହରେ ଗାମୁଛାଟିଏ । ହାତରେ ଗୋଟାଏ ବଡ଼ ଅଖା ବ୍ୟାଗ । ବଡ଼ନଦୀର ସମତଳ ଅଞ୍ଚଳର ଶହଶହ ଗାଁକୁ ଚାଲି ଚାଲି ବୁଲିଲେ ଏବଂ ଧୋଇଆ ମୁଲକର ଚାଷୀମାନଙ୍କୁ ଗୋଟିଏ ନୂଆ କଥା କହିଲେ, ଶାରଦ ଫସଲ ତ ହେଉ ନାହିଁ, ଆସ, ସବୁ ମିଳିମିଶି ଡାଳୁଅ କରିବା ।

 

ଖିଆନାହିଁ, ପିଆନାହିଁ । ଗାଁକୁ ଗାଁ ବୁଲୁଛନ୍ତି ସତେ ଯେପରି ସଂକଳ୍ପବଦ୍ଧ ହୋଇ । କେଉଁ ଠାକୁରାଣୀ ଘର ବାରଣ୍ଡାରେ, କେଉଁ ଗାଁର ଝଙ୍କାଳିଆ ବରଗଛର ଛାଇତଳେ ଅଥବା କାହାର ପିଣ୍ଡା ଉପରେ ବସିପଡ଼ି ବୁଝାଉଛନ୍ତି ବନ୍ୟାକ୍ଳିଷ୍ଟ ଚାଷୀମାନଙ୍କୁ–ଡାଳୁଅ ଯଦି କରିବ, ମୁଁ ପାଣି ଦେବାର ବ୍ୟବସ୍ଥା କରିଦେବି । ରାଜି ତ ଭାଇମାନେ ?

 

ସବୁ ଗାଁରେ ଖେଳିଗଲା ଏକ ନୂତନ ହାଓ୍ୱା । ଧୋଇଆ ମୁଲକର ପ୍ରତି ଚେତନାରେ ଉକୁଟି ଉଠିଲା ସୂର୍ଯ୍ୟୋଦୟର ଅରୁଣିମା । ସେମାନଙ୍କ ଭିତରେ କେତେ ଆଶା ଆଶ୍ୱାସନାର ଦିହୁଡ଼ି ଜଳିଲା–ପ୍ରତ୍ୟୟର କେତେ ପତାକା ଉଡ଼ିଲା ।

 

ଡାଳୁଅ କଲେ ସେମାନେ ବଞ୍ଚିଯିବେ ଛଅମାସ । ପୌଷରେ ଡାଳୁଅ ରୁଆ ହେବ ଏବଂ ବୈଶାଖରେ କଟା ହେବ । ବଡ଼ନଦୀର ବନ୍ୟାକୁ ଆଉ ଡର ନାହିଁ । ସୁଦାମଙ୍କ ନୂଆ ବାର୍ତ୍ତାର ପରିପ୍ରଚାର ଲାଗି, ତାଙ୍କ ସହିତ ଯୁଟିଗଲେ ଅନେଇ ଖାଁର ବହୁତ ବହୁତ ଚାଷୀ ।

 

ସୁଦାମଙ୍କ ପଦଯାତ୍ରା ତଥାପି ସରିନାହିଁ । ସେ ଧରିଥିବା ସେଇ ବିରାଟ ହାତ-ବ୍ୟାଗରେ ତାଙ୍କର ଅଛି ମୋଟା ଚୁଡ଼ା, କିଛି ଗୁଡ଼ ଏବଂ କେତୋଟି କଞ୍ଚାଲଙ୍କା । ବୁଲି ବୁଲି ଯେଉଁ ଯାଗାରେ ଭୋକ ଲାଗେ, ସେଇଠି ବସି ଗୋଟିଏ ତାଟିଆରେ ଚୁଡ଼ା ବତୁରାନ୍ତି । ଚିହ୍ନା ଜଣା ଲୋକେ ତାଙ୍କୁ ଯେତେ ଆଦର ଅଭ୍ୟର୍ଥନା ଜଣାଇ ଖାଇବାକୁ ନିମନ୍ତ୍ରଣ କରନ୍ତି, ସୁଦାମ କିନ୍ତୁ ଶୁଣନ୍ତି ନାହିଁ । ପାନଖିଆ ଦାନ୍ତରେ ସାମାନ୍ୟ ହସ ବିକଶାଇ ସେ କହନ୍ତି–ଡାଳୁଅ ଅମଳ କରି ପ୍ରଥମେ ଯେଉଁଦିନ ତମେ ସବୁ ଧାନ ଘରକୁ ଆଣିବ, ମତେ ସେଇଦିନ କରିବ ଆମନ୍ତ୍ରଣ ।

 

ପଦଯାତ୍ରା ଚାଲିଛି ସୁଦାମଙ୍କର । ଗାଁକୁ ଗାଁ, ଘରକୁ ଘର ବୁଲିଛନ୍ତି ନିର୍ବାଚନ ପ୍ରାର୍ଥୀଙ୍କ ପରି, ଅଥଚ ସେଥିପାଇଁ ତାଙ୍କର କ୍ଷମତା କିମ୍ୱା ପଦମର୍ଯ୍ୟାଦାର ସାମାନ୍ୟତମ ପ୍ରତିଫଳନ ନାହିଁ ।

 

ଲାଗ୍ ଲାଗ୍ ପନ୍ଦରଦିନ ବୁଲିଲାପରେ ସୁଦାମ ସମୁଦାୟ ଧୋୟା ମୁଲକଟିର ପରିକ୍ରମା ସାରିଦେଲେ ।

 

ତାଙ୍କ ପରିକ୍ରମା ସମାପ୍ତିର ତିନିଦିନ ପରେ, ଦିନେ ଅକସ୍ମାତ୍ ଦେଖାଗଲା, ଶହଶହ ଗାଁରୁ ହଜାର ହଜାର ଚାଷୀ ଛୁଟି ଆସୁଛନ୍ତି ଶିମୂଳିପଦା ପଡ଼ିଆକୁ । ସେଠାରେ ବିରାଟ ଚାଷୀ ସଭାର ଆୟୋଜନ । ଚାଲିଲା ସଭା ବହୁସମୟ ପର୍ଯ୍ୟନ୍ତ । ରାତି ଅନେକ ହୋଇଗଲା । ସେଦିନ ଥିଲା ପୁଣି ମାର୍ଗଶୀରର ଶୀତରାତି । ତଥାପି ଶୀତ ପ୍ରତି ଯେପରି କାହାର ଶଙ୍କା ନାହିଁ । ଶିମୂଳିପଦା ପଡ଼ିଆ ଥିଲା ସମତଳ ଅଞ୍ଚଳର ବନ୍ୟାକ୍ଳିଷ୍ଟ ଚାଷୀମାନଙ୍କର ଏକ କେନ୍ଦ୍ରସ୍ଥଳୀ । ସେଦିନ ଶିମୂଳିପଦା ଗାଁ ପଡ଼ିଆ ଶହଶହ ଦୂରାଗତ ଚାଷୀମାନଙ୍କର ଲଣ୍ଠନ ଆଲୁଅରେ, ହୋଇଉଠିଲା ଆଲୋକମୟ, କେଉଁ ଏକ ଗ୍ରାମୀଣ ରାତ୍ରି ହାଟପରି ।

 

ଏତେ ବଡ଼ ଜନସମାବେଶ ମଧରେ ସେଇ ଯେଉଁ କାଳିଆ ମଣିଷଟି–ସୁଦାମ ବିଶ୍ୱାଳ ଦେଢ଼ଘଣ୍ଟା କାଳ ବକ୍ତୃତା ତ ନୁହେଁ, ଖାଲି କଥା କହିଲେ । ଆମକୁ ଡାଳୁଅ କରିବାକୁ ପଡ଼ିବ । ବଡ଼ ନଦୀ ଆମକୁ ସବୁବେଳେ ବର୍ଷା ଋତୁରେ ସିନା ଡରାଉଛି । କିନ୍ତୁ ଡାଳୁଅ ଚାଷୀ ପାଇଁ ବନ୍ୟାକୁ ଆମର କି ଡର ? ଆସନ୍ତାକାଲି ବଡ଼ନଦୀର ସେଇ ଯେଉଁ ଶାଖାନଦୀ ବିପୁଳା, ତାକୁ ବନ୍ଧାଇବା ଲାଗି କାମ କରିବା । ପ୍ରତିଚାଷୀ ପରିବାରରୁ ଜଣେ ଜଣେ ଯିବେ ନଦୀ ବନ୍ଧକୁ । ହାତରେ କୋଡ଼ି, କୋଦାଳ କିମ୍ୱା କାଙ୍କ ଥିବ ।

 

ସୁଦାମଙ୍କର ଏଇ ପ୍ରସ୍ତାବକୁ ମିଳିଗଲା ବିପୁଳ ଜନ ସମର୍ଥନ । କରତାଳି ମାଡ଼ରେ ଶିମୂଳିପଦାର ସେଇ ଶୀତ-ରାତ୍ରିଟି ହୋଇ ଉଠିଲା ବେଶ୍ ଧ୍ୱନିମୁଖର ।

 

ବିପୁଳା ନାମଧେୟ ଶାଖାନଦୀଟି ପ୍ରକୃତରେ ଥିଲା ଅସମ୍ଭବ ଭାବରେ ଗଭୀର । ଯଦିଓ ତାହା ଥିଲା ବଡ଼ନଦୀର ଏକ ଶାଖା, ତହିଁରେ ପ୍ରବାହିତ ସମସ୍ତ ଜଳ ବିପୁଳା ଟାଣି ନେଉଥିଲା ଚୁମ୍ୱକ ପରି ଏବଂ ସେଇଠାରୁ ସମୁଦ୍ର ମୁହାଁଣ ପର୍ଯ୍ୟନ୍ତ ବଡ଼ନଦୀ ଥିଲା ନିତାନ୍ତ ଶୁଷ୍କ ଓ ଜଳହୀନ । ବିପୁଳା ବନ୍ଧ ହେଲେ, ସେହି ସବୁ ପାଣି ଆସିଯିବ ବଡ଼ନଦୀରେ ଏବଂ ତା’ର କୂଳବର୍ତ୍ତୀ ଧୋୟା ଗାଁର ଲୋକେ ସେଇଠାରୁ ପାଣି ନେଇ ରବିଚାଷ କରିବେ ।

 

ତା’ପରଦିନ ହଜାର ହଜାର ଚାଷୀ ଆସି ପହଞ୍ଚିଗଲେ ବିପୁଳା ମୁହାଁଣରେ । କେଡ଼େ ଭୟଙ୍କର ସେ ନଦୀ ମୁହାଁଣର ଜଳ ପ୍ରବାହ ! ଶହଶହ କୋଡ଼ି କୋଦାଳର ଭୁସ୍‍ଭାସ୍ ଶବ୍ଦ ଶୁଭୁଛି ଐକ୍ୟତାନିକ ରୀତିରେ । ବାଉଁଶ କଟା ଚାଲିଛି । ବସ୍ତାରେ ବାଲି ଭରଣା ହେଉଛି । ପାଖ ନଦୀ କୂଳରୁ ଚେକା କଟାଯାଇ ବୁହା ଚାଲିଛି ଝୁରାରେ ।

 

ସୁଦାମ ବୁଲୁଛନ୍ତି ସବୁ କାମ ତଦାରଖ କରି । ଲୁଗା ଖସି ପଡ଼ୁଛି ଅଣ୍ଟାରୁ ଲଟ୍‍କି ପଡ଼ୁଛି ନଈବାଲିରେ । ତାଙ୍କର ହାତ ହଲୁଛି । ପାଟି ଶବ୍ଦରେ ନଈକୂଳ ଘୋ ଘୋ କରୁଛି । ବୋହି ଆଣରେ ଚେକା, ପକାରେ ବାଲିବସ୍ତା । ଚାଲିଛି କାମ ଦିନ ରାତି ।

 

ଚାଷୀମାନେ ସେଇ ନଦୀପଠାରେ ରୋଷେଇ କରି ଖାଉଛନ୍ତି । ଶୀତ କାକରରେ ଘୋଡ଼ିଘାଡ଼ି ହୋଇ, ରାତି ହେଲେ ଶୋଇ ଯାଉଛନ୍ତି ।

 

ସୁଦାମଙ୍କ ଆଖିରେ ନିଦ ନାହିଁ, ସେ ଶୋଇପାରୁ ନାହାନ୍ତି ନିଶ୍ଚିନ୍ତରେ । ବସିପାରୁ ନାହାନ୍ତି ଗୋଟିଏ ଯାଗାରେ ଥୟ ଧରି । ବିପୁଳା ବନ୍ଧ ହେଲେ, ବଡ଼ନଦୀରେ ପାଣି ଛୁଟିଲେ ସେ ଗାଁକୁ ଫେରିବେ, ନଈଲେ ନାହିଁ ।

 

ସୁଦାମଙ୍କ ସାନଭାଇମାନେ କେତେଥର ଆସିଲେଣି ତାଙ୍କୁ ଫେରାଇ ନେବାପାଇଁ । ରଘୁନାଥ, ବେଣୁଧର, ଭଗବାନ ଓ ଜଗନ୍ନାଥ ପ୍ରତିଦିନ ଆସୁଛନ୍ତି ନଦୀବନ୍ଧକୁ ଜଣ ଜଣ ହୋଇ । ସେମାନେ କହନ୍ତି ଫେରିଚାଲ ଭାଇ ଘରକୁ । ବନ୍ଧ କାମ ତ ଚାଲିଛି, ଅନ୍ୟମାନେ ଅଛନ୍ତି । ତମେ ପନ୍ଦର ଦିନ ହେଲା ଭଲ କରି ପେଟକୁ ଗଣ୍ଡେ ଖାଇନ, ଆଜି ରାତିଟା ରହି ସକାଳୁ ଫେରି ଆସିବ ବନ୍ଧ ପାଖକୁ, ଚାଲ !

 

ସୁଦାମଙ୍କର ସେଇ ସ୍ୱାଭାବିକ ଉତ୍ତର–ନାଇଁରେ ବନ୍ଧ ନ ହେଲେ ଆଉ ଘରକୁ ଫେରିବି ନାହିଁ । ତମେ ସବୁ ପ୍ରତିଦିନ କାହିଁକି ଆସୁଛ ମୋ ପାଖକୁ ? ଘରଦ୍ୱାର ସବୁ ତମର । ଜମିବାଡ଼ିର ତମେ ଚାରିହେଁ ମାଲିକ । ମୋର ଜମିବାଡ଼ି ଘରଦ୍ୱାର ପ୍ରତି ଆଦୌ ଲୋଭ କିମ୍ୱା ମମତା ନାଇଁରେ-। ସାରା ଅଞ୍ଚଳର ଲୋକେ ଗଣ୍ଡେ ଭଲରେ ଖାଇ ସମୟ କଟେଇଲେ ସେଇ ତ ମୋର ସୁଖ । ତମେ ଚାଲି ଯା–

 

ଆଖ ପାଖ ଗାଁର ଲୋକେ, ସହାନୁଭୂତି ଦେଖାଇ ଦରଦୀ ପରି ଆସି କହୁଛନ୍ତି ସୁଦାମ ଭାଇ, ସୁଦାମ ଦାଦା, ସୁଦାମ ମଉଷା, ଘରକୁ ଯାଅ ଆଜି ଦିନଟା ପାଇଁ । କାଲି ସକାଳୁ ଫେରି ଆସି ନଈବନ୍ଧ କାମ କ’ଣ ଦେଖିବ ନାହିଁ ? ଆମେ ଅଛୁ ଶହଶହ ଲୋକ । ଆମେ କୌଣସି ପ୍ରକାରେ ବନ୍ଧ ବାନ୍ଧିବୁ । ତମେ ଆମକୁ ମତାଇଛ, ନୂଆ ବାଟ ଦେଖାଇଛ, ଶହଶହ ଚାଷୀଙ୍କୁ ଏକଜୁଟ କରାଇଛ । ଆମେ ସବୁ ଏଇ କାମରେ କ’ଣ ହେଳା କରିବୁ ?

 

ସୁଦାମ ହସି ଦିଅନ୍ତି । ସେ ବୁଝି ପାରନ୍ତି ଅନ୍ୟମାନଙ୍କର ଶ୍ରଦ୍ଧା, ସ୍ନେହ ଓ ସହାନୁଭୂତିକୁ-। ନ ଶୁଣିଲା ପରି କହନ୍ତି–ଘର କିଏ ନେଇ ଯାଉଛିକିରେ ? କାମ ସରିଲେ ବଳେତ ଯିବି ଘରକୁ-। ମତେ ବାଧ୍ୟ କରୁଛ କିଆଁ ? ନଈବନ୍ଧ ନ ସରିଲେ ଏଠାରୁ ପାଦେ ବାଟ ମୁଁ କୁଆଡ଼ିକି ଯିବିନାହିଁ-। ତମେ ସବୁ ଯାହା ଭାବୁଛ ଭାବ ।

 

ଭାଇମାନେ ଫେରି ଯାଆନ୍ତି ଜଣ ଜଣ ହୋଇ ନିରାଶରେ । ପାଖ ଗାଁର ଚିହ୍ନା ପରିଚୟ ଲୋକେ ମୁହଁ ହରାଇ ପୁଣି ଲାଗି ଯାଆନ୍ତି କାମରେ । ସୁଦାମ କିନ୍ତୁ ଘୁରି ବୁଲନ୍ତି କ୍ରମଶଃ-ପୋତା ବିପୁଳା ମୁହଁର ବନ୍ଧ ପାଖରେ । ଖୋଷଣି ତାଙ୍କର ଫିଟିପଡ଼େ । ଗାମୁଛା ପଡ଼ିଯାଏ ଏଣେତେଣେ । ସ୍ୱାଭାବିକ ଭାବରେ ଡାକ ପକାନ୍ତି–ବୋହି ଆଣରେ ବାଲିବସ୍ତା ।

 

ଆଠଦିନ ପରେ, ପୌଷର ଏକ ଶୀତ ସନ୍ଧ୍ୟାରେ, ହଠାତ୍‌ ବିପୁଳା ମୁହଁରୁ ପ୍ରସାରିତ ହେଲା ଗୋଟିଏ କଳରୋଳ । ସୁଦାମ ବିଶ୍ୱାଳ ଜିନ୍ଦାବାଦ ! ଶହଶହ ଚାଷୀ ଟେକି ନେଲେ ସୁଦାମକୁ । ଆନନ୍ଦରେ, ଉଲ୍ଲାସରେ କିଏ ତାଙ୍କୁ ଥୋଇଦେଲା ମୁଣ୍ଡରେ । ପୁଣି କିଏ ତାଙ୍କୁ କରିଦେଲା ଶ୍ରଦ୍ଧାସ୍ନିଗ୍‍ଧ ଭାବରେ କୋଳାଗ୍ରତ । ଆଲିଙ୍ଗନ....

 

ନଈବନ୍ଧ ସରିଗଲା । ବଡ଼ନଦୀର ଶୁଖିଲା ବାଲିକୁ ଭିଜାଇ ପାଣି ଚାଲିଲା ତଳକୁ ତଳକୁ; ଛାତିଏ ବେକେ ଗହୀରରେ ।

 

କୂଳେ କୂଳେ ଆରମ୍ଭ ହୋଇଗଲା ଡାଳୁଅ ଚାଷ । ତଳିପକା, କାଦୁଅ କରା, ରୁଆ ପୋତା ଏବଂ ସବୁକିଛି । ଧୋୟା ଅଞ୍ଚଳର ଜନଚେତନାରେ ଲାଗିଗଲା ଏକ ଉତ୍ସାହପ୍ରଦ ତରଙ୍ଗ ।

 

ପ୍ରତି ମାର୍ଗଶୀର ଶେଷରେ ଚାଷୀମାନେ ବନ୍ଧାଇ ବସିଲେ ବିପୁଳା ମୁହାଁଣକୁ । ସୁଦାମ ବିଶ୍ୱାଳ ସେଇଦିନଠାରୁ ହଜାର ହଜାର ଚାଷୀଙ୍କ ପାଖରେ ରହିଗଲେ ସ୍ମରଣୀୟ ହୋଇ, ଜଣେ ନିଃସ୍ୱାର୍ଥପର ଜନସେବୀ ଭାବରେ ।

 

ସେହିଦିନଠାରୁ ସୁଦାମଙ୍କର ଘର, ଜମିବାଡ଼ି, ନିଜର କୁଟୁମ୍ୱମାନଙ୍କ ପ୍ରତି ମମତା ରହିଲା ନାହିଁ । ସେ ବୁଲୁଛନ୍ତି ଗାଁକୁ ଗାଁ, ଚାଷୀମାନଙ୍କର ଦୁଃଖ ଦୁର୍ଦ୍ଦଶା ଦୂର କରିବା ପାଇଁ । ସେମାନଙ୍କ ମଧ୍ୟରୁ ମାନ-ମନାନ୍ତର, ଦୂରକରି, ସାରା ଅଞ୍ଚଳର ଲୋକଙ୍କୁ ଏକ କରିବା ଲାଗି ସେ ଲାଗିଛନ୍ତି ଦିନ ରାତି ।

 

ବଡ଼ନଦୀ କୂଳର ଏକ ବିସ୍ତୃତ ଅଞ୍ଚଳରେ ଚାଷୀମାନେ ପ୍ରତିବର୍ଷ ବସିଯାଉଥିଲେ ଚୁପ୍‌ଚାପ୍‍ ହାତଗୋଡ଼ ଜାକିଜୁକି । କିନ୍ତୁ ବିପୁଳା ମୁହାଁଣ ବନ୍ଧ ହେବା ବର୍ଷଠାରୁ ସେମାନଙ୍କୁ ବେଳ ନାହିଁ, ଫୁରସତ୍‍ ନାହଁ । ବଡ଼ନଦୀର ତୀରେ ତୀରେ କେତେ ଫସଲର ମହୋତ୍ସବ ।

 

ସୁଦାମ ବୁଲୁଛନ୍ତି ସେଇମିତି ବାୟା ପାଗଳାଙ୍କ ପରି । ଚାଷୀମାନଙ୍କର କ୍ଷେତକୁ ସେ ଦେଖୁଛନ୍ତି ବୁଲିବୁଲି । କିଏ ତାଙ୍କୁ ନେଇ ଯାଉଛି ପାଛୋଟି ଗହମ ଚାଷ ଦେଖାଇବାକୁ । କିଏ ତାଙ୍କୁ ନିମନ୍ତ୍ରଣ କରି ଦେଖାଇ ଦେଉଛି କୋବି ଓ ଆଳୁ ଗଛମାନଙ୍କୁ । ସେ ସେମାନଙ୍କୁ ଆହୁରି ଉତ୍ସାହିତ କରୁଛନ୍ତି । ଲାଗିପଡ଼ ଭାଇ ଲାଗିପଡ଼ । ଅଳସୁଆ ହୋଇ ଆଉ ତମେ ବସି ରହନାହିଁ ।

 

ଖାଲି ପାଦରେ ବୁଲିବୁଲି ତାଙ୍କ ଗୋଡ଼ ଫାଟୁଛି । କାଦୁଅ, ପଙ୍କ ଯେପରି ଲାଗି ରହିଛି ତାଙ୍କ ଗୋଡ଼ରେ ସବୁବେଳେ । କାଦୁଅ ପଙ୍କ ଛଡ଼ାଇବାକୁ ତାଙ୍କର ବେଳନାହିଁ, ନିଘା ନାହିଁ । କେତେଥର ଗାମୁଛା ତାଙ୍କର ହଜିଛି । କିଏ ଅବା ପାଇ ତାଙ୍କୁ ଫେରାଇ ଦେଇଛି ଦୟାକରି ପୁଣି । ମାତ୍ର ଏସବୁକୁ ତାଙ୍କର ଯେପରି ଖିଆଲ ନାହିଁ ।

 

ଯେଉଁଠି ସନ୍ଧ୍ୟା ହୁଏ, ସେ ଅଟକନ୍ତି ସେଇ ଗାଁରେ ଏବଂ ତା’ ପରଦିନ ବଡ଼ିଭୋଓରୁ ବାହାରି ପଡ଼ନ୍ତି ଅନ୍ୟ ଗାଁ’କୁ । ଶୀତ କାକରକୁ ତାଙ୍କର ଯେପରି ଡର ନାହିଁ । ଖଣ୍ଡିଏ ଚଦରରେ ତାଙ୍କ ଦେହରୁ ଶୀତ ଚାଲିଯାଏ ।

 

ସୁଦାମ କୌଣସି ସ୍କୁଲରେ ପଢ଼ି ନାହାନ୍ତି । ସେଭଳି ଲେଖିପଢ଼ି ଓ ବକ୍ତୃତା ଦେଇ ମଧ୍ୟ ଜାଣନ୍ତି ନାହିଁ । କିନ୍ତୁ ତାଙ୍କ ଭିତରେ ଥିଲା ଏକ ଅଦ୍ଭୁତ ମଣିଷପଣିଆ ଓ ସମଝଦାରୀ ବିଚାରବୋଧ-। ଆପଣାର ସଚ୍ଚୋଟପଣିଆ ଓ ସଙ୍କଳ୍ପ ଲାଗି ସେ ହୋଇଗଲେ, ହଜାର ହଜାର ନିରକ୍ଷର ଚାଷୀଙ୍କର ମଉଡ଼ମଣି ।

 

ଚାଷୀମାନେ ବିପୁଳା ମୁହାଁଣକୁ ପ୍ରତିବର୍ଷ ବନ୍ଧକରି ଡାଳୁଅ ଓ ଅନ୍ୟାନ୍ୟ ରବି ଫସଲ କରନ୍ତି ଏବଂ ସୁଦାମ ଚିରାଚରିତ ଭାବରେ ବିଶେଷତଃ ପ୍ରତିବର୍ଷ ବନ୍ଧ ହେବା ବଳେ ରାତିଦିନ ସେଇଠି ବସି ରହି ତା’ର ମୁଣ୍ଡି ମାରନ୍ତି ।

 

ଏମିତି ଦଶବାର ବର୍ଷ ଗଲାପରେ ଦିନେ ହଠାତ୍‌ ବନ୍ଧବାଡ଼-କର୍ତ୍ତୃପକ୍ଷ ଏଇ ବନ୍ଧଟିକୁ ବନ୍ଧାଇବା ପାଇଁ ନିଷ୍ପତ୍ତି କଲେ ଏବଂ ସେଇବର୍ଷଠାରୁ ରାଷ୍ଟ୍ରୀୟ ଖର୍ଚ୍ଚରେ ବନ୍ଧାହେଲା ।

 

ସୁଦାମ ଅନେକାଂଶରେ ବୋଝ ମୁକ୍ତ ହେଲେ । କିନ୍ତୁ ପ୍ରତିବର୍ଷ ମାର୍ଗଶୀର ଆରମ୍ଭ ହେଲେ, ସୁଦାମ ତାଙ୍କର ସେଇ ଆଣ୍ଠୁଲୁଚା ଲୁଗାଖଣ୍ଡି ପିନ୍ଧି ଓ ଚଦରଟିଏ ଘୋଡ଼ିହୋଇ ଦଉଡ଼ନ୍ତି ସେଇ ବଡ଼ ସହରକୁ । କାରଣ ପ୍ରତିବର୍ଷ ରାଷ୍ଟ୍ରୀୟ ଦପ୍ତରରୁ ଏଥିଲାଗି ଆଦେଶ ବାହାରେ ଏବଂ ସେଇ ଆଦେଶ କାଗଜ ଖଣ୍ଡିକୁ ହାତରେ ଧରି ଧୋଇଆ ମୁଲକରେ ରହୁଥ‌ିବା ବନ୍ଧର ଛୋଟକାଟିଆ କର୍ତ୍ତୃପକ୍ଷଙ୍କୁ ଧରାଧରି କରି ଶୀଘ୍ର ଶୀଘ୍ର ବନ୍ଧକାମ ଆରମ୍ଭ କରିଦିଅନ୍ତି । 1

 

ବଡ଼ ନଦୀର ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳରେ କ୍ରମେ ଲେକମାନଙ୍କ ମଧ୍ୟରୁ ନୂଆ ନୂଆ ନେତା ବନିଲେ । ବିଶ୍ୱବିଦ୍ୟାଳୟରୁ ପାଠ ଶେଷ କରି ସଭାମଞ୍ଚ ଉପରେ ଠିଆ ହୋଇ ଅନର୍ଗଳ ବକ୍ତୃତା ଝାଡ଼ିଲେ । କିଏ କେଉଁ ଦଳର ଲୋକ, ତାହା ସୁଦାମଙ୍କ ପକ୍ଷରେ ବୁଝିବା ଥିଲା କଷ୍ଟକର । ବହୁ ପଦପଦବୀ ଓ କ୍ଷମତା ଲାଗି ସେମାନେ ନିର୍ବାଚନରେ ଫୁଲ୍‍କା ଭାବରେ ଉତୁରି ଆସିଲେ । ଧୋୟା ଅଞ୍ଚଳର ସରଳ, ନିଷ୍କପଟ ଜନସାଧାରଣଙ୍କ ମଧ୍ୟରେ ସେମାନେ ଭରିଦେଲେ ଦଳାଦଳିର ଉତ୍କଟ ବିଷକ୍ରିୟା; ଅଥଚ ସେହି ଅଞ୍ଚଳର ଜୀବନନାଟିକା ବିପୁଳ। ବନ୍ଧ ସମ୍ପର୍କରେ କେହି ନେତା ମୁଣ୍ଡ ଖେଳାନ୍ତି ନାହିଁ । ମାର୍ଗଶୀର ମାସ ଆରମ୍ଭ ହୋଇଗଲେ ଚାଷୀମାନେ ଦଉଡ଼ନ୍ତି ସୁଦାମଙ୍କ ପାଖକୁ ।

 

ଏଇସବୁ ନେତାମାନେ ନିର୍ବାଚନ ବେଳେ ଆସନ୍ତି ସୁଦାମଙ୍କ ପାଖକୁ । ନିର୍ବାଚନରେ ମତେ ସାହାଯ୍ୟ କର ସୁଦାମ ବାବୁ ! ତମେ ଚାଷୀମାନଙ୍କୁ ଥରେ କହିଦେଲେ ସବୁ ଭୋଟ୍‍ ଅଜାଡ଼ି ହୋଇ ପଡ଼ିବ ମୋ’ ସପକ୍ଷରେ । ଭବିଷ୍ୟତରେ ତମେ ଯାହା କରିବାକୁ କହିବ, ମୁଁ ତାହା ନିଶ୍ଚୟ କରିବି । ଆସ, ବସ ଆମ ଗାଡ଼ିରେ । ଯିବା ଚାଷୀଭାଇମାନଙ୍କ ପାଖକୁ ।

 

ସୁଦାମ ହସି ଦିଅନ୍ତି । କାହା ସପକ୍ଷ ଓ ବିପକ୍ଷରେ କିଛି କହିବା ତାଙ୍କର ନୀତିବିରୁଦ୍ଧ । ତାଙ୍କର ସେଇ କୃଷ୍ଣରଙ୍ଗ ମୁହଁର ପାନଖିଆ ଦାନ୍ତରେ ହସର ଏକ ତଡ଼ିତ ଚହଟାଇ କହନ୍ତି–ମୋ କଥା କେହି ମାନିବେ ନାହିଁ ବାବୁ ! ଟଙ୍କା ଯୁଆଡ଼େ ଲୋକେ ଯିବେ ସିଆଡ଼େ । ଆମ ଦେଶର ଲେକଚରିତ୍ର ଆଉ ନାହିଁ । ତେଣୁ ସେସବୁ ଭୋଟ୍ କଥାରେ ମତେ ପୁରାନ୍ତୁ ନାହିଁ ଆଜ୍ଞା । ମତେ କ୍ଷମା କରନ୍ତୁ ।

 

ସୁଦାମର ସେଇ ଏକ୍‍ଜିଦିଆ ଅଥଚ ବିନୟୀ ସ୍ୱଭାବ ନିକଟରେ ଏଇସବୁ ପ୍ରତିଦ୍ୱନ୍ଦୀ ନେତାମାନେ ହାରମାନି ଲାଗି ଯାଆନ୍ତି ନିଜ କାମରେ । ସୁଦାମ କିନ୍ତୁ ରହିଯାଆନ୍ତି ଅନାସକ୍ତ ଭାବରେ କାହା ସପକ୍ଷ ଓ ବିପକ୍ଷରେ କିଛ ନ କହି ।

 

ଦିନେ ହଠାତ୍ ସେ ଅଞ୍ଚଳରେ ପ୍ରଚାରିତ ହୋଇଗଲା ଏବର୍ଷ ଆଉ ଆଡ଼ିବନ୍ଧ ବିପୁଳା ମୁହାଁଣରେ ହେବ ନାହିଁ । ପ୍ରତିବର୍ଷ ରାଷ୍ଟ୍ରୀୟ ଖର୍ଚ୍ଚରେ ଯେଉଁ ବନ୍ଧ ପଡ଼େ ଏଥର ତ ହେବନାହିଁ, ତା’ ଛଡ଼ା ଏପରି ବନ୍ଧଲାଗି କର୍ତ୍ତୃପକ୍ଷ ଚାଷୀମାନଙ୍କୁ ଆଉ ଉତ୍ସାହିତ କରିବେ ନାହିଁ ।

 

କ୍ରମେ ସୁଦାମ କାନରେ ଏଇ ଗୁଜବର ହାଓ୍ୱା ସଂକ୍ରମିତ ହେଲା । ସେ ଆଉ ଗାଁରେ ରହିପାରିଲେ ନାହିଁ ନିଶ୍ଚିନ୍ତରେ । ଦିନେ ନଭେମ୍ୱରର ଶୀତ ଥୁରୁଥୁରୁ ସକାଳରେ ତାଙ୍କର ସ୍ୱାଭାବିକ ପରିଧେୟ ଲୁଗାଖଣ୍ଡିଏ ପିନ୍ଧି ଓ ଚଦରଟି ଘୋଡ଼ି ହୋଇ ସେ ବଡ଼ ସହରକୁ ବସରେ ଚାଲିଗଲେ ।

 

ବଡ଼ ସହରରେ ପହଞ୍ଚି, ତାଙ୍କର ସେଇ ଫାଟ ଗୋଡ଼ରେ ବୁଲିଲେ ଏଦୁଆରୁ ସେ ଦୁଆର-। ବଡ଼ ସହରର ଆକାଶଚୁମ୍ୱୀ କୋଠା ଓ ତାହାର ଗମ୍ୱୁଜ ଏବଂ ଖିଲାଣମାନଙ୍କରେ ଖୋଦିତ ହୋଇଥିବା କାରୁକାର୍ଯ୍ୟ ଦେଖିବାକୁ ତାଙ୍କ ଭଲ ଲାଗୁଥିଲେ ମଧ୍ୟ ବିପୁଳା ନଦୀର ମୁହାଁଣ ବନ୍ଧର ଉଦବେଗ ତାଙ୍କୁ ସେଥିରୁ ନିଷ୍ଠୁର ଭାବରେ ନିବୃତ୍ତ କରୁଥିଲା । କେତେ କୋଠରୀର ସ୍ୱୟଂକ୍ରିୟ ଦର୍ଜା ଖୋଲି ସେ ଭୟ ଓ ଶଙ୍କିତ ଭାବରେ ପଶିଲେ । କେତେ ଗମ୍ଭୀର, ଉଦ୍ଧତ ମୁଣ୍ଡମାନଙ୍କୁ ସେ ପ୍ରଣମିଲେ । କେତେ ନାଲି-ଫିତାର ଗଣ୍ଠି ହୁଗୁଳିଲା ଓ ବନ୍ଧାହେଲା । ବହୁ ଶାରୀରିକ ଓ ମାନସିକ ଶ୍ରମ ସ୍ୱୀକାର କରି ସେ ଅବଶେଷରେ ଜାଣିଲେ ଯେ ପ୍ରଚାରିତ ଗୁଜବଟି ମିଥ୍ୟା ନୁହେଁ, ସତ୍ୟ-

 

ସୁଦାମଙ୍କ ମନରେ ଅନେକ ଯୁକ୍ତି । କାହିଁକି, କାହିଁକି ଏ ନିଷ୍ପତ୍ତି ? ଜନସାଧାରଣଙ୍କର ମଙ୍ଗଳ ପାଇଁ, ଚାଷୀମାନଙ୍କର ହିତ ପାଇଁ କର୍ତ୍ତୃପକ୍ଷଙ୍କର ବନ୍ଧ କରିବା ତ କର୍ତ୍ତବ୍ୟ ! ଆଡ଼ିବନ୍ଧ ନ ହେଲେ ହଜାର ହଜାର ଲୋକ ଯେ ଖାଇବା ବିନା ମରିଯିବେ, ସେକଥା କ’ଣ ଏଇସବୁ ବଡ଼ ମୁଣ୍ଡିଆ, ଜ୍ଞାନବନ୍ତ ପୁରୁଷମାନେ ଜାଣି ପାରୁ ନାହାନ୍ତି ?

 

ସୁଦାମ କେତେ ବୁଝାଇଲେ, କେତେ ଯୁକ୍ତି କଲେ, କେତେ ପ୍ରମାଣ ଯୋଗାଇଲେ । ସେଇସବୁ ମଥାଦାର ପୁରୁଷମାନଙ୍କର ହୃଦୟ ତରଳିବା ଲାଗି କେତେ ଅନୁନୟ ବିନୟ ହେଲେ । ତଥାପି ନିଷ୍ପତ୍ତିର ପୁନର୍ବିଚାର ହେଲା ନାହିଁ । ସୁଦାମ ଫେରି ଆସିଲେ ଗାଁକୁ ବଡ଼ ଦୁଃଖ ଓ ଅବସାଦରେ ।

ବସରେ ଆସିଲାବେଳେ ସୁଦାମ ଭାବୁଥିଲେ, ଚାଷୀମାନଙ୍କୁ ଲଗାଇ ଯେକୌଣସି ମତେ ବନ୍ଧ ବନ୍ଧାଇବାକୁ ହେବ । କୋଡ଼ିଏ ବର୍ଷ ତଳେ ଯେଉଁ ଚାଷୀମାନେ ପ୍ରବଳ ଉତ୍ସାହରେ କୋଡ଼ି କୋଦାଳ ଧରି, ଦଶ ପନ୍ଦର ମାଇଲ ବାଟରୁ ବଡ଼ନଦୀର ଶାଖା ବିପୁଳା ମୁହାଁଣ ବନ୍ଧାଇବାକୁ ଆସୁଥିଲେ ଏବଂ ପନ୍ଦରଦିନ କାଳ ଶୀତ କାକରରେ ଡେରା ପକାଇ ସେଇଠି ରହୁଥିଲେ, ସେମାନଙ୍କୁ ପୁଣି ସଂଗଠିତ କରି ସେ ବାନ୍ଧି ବସିବେ ଆଡ଼ିବନ୍ଧ । ତା’ ନହେଲେ ଏଡ଼େ ବଡ଼ ଅଞ୍ଚଳର ଲୋକେ ବଞ୍ଚିବେ କେମିତି ?

ବସ୍‌ରୁ ଓହ୍ଲାଇଲା ବେଳକୁ ସେଦିନ ସୁଦାମଙ୍କୁ ରାତି ହୋଇଗଲା । ସେ ଆଉ ଘରକୁ ଗଲେ ନାହିଁ । ବା’ଷଠି ବର୍ଷ ବୟସରେ ପୁଣି ତାଙ୍କର ଆରମ୍ଭ ହୋଇଗଲା ପଦଯାତ୍ରା । କୋଡ଼ିଏ ବର୍ଷ ତଳେ ସେ ଯେପରି ଘରକୁଘର, ଗାଁକୁ ଗାଁ ବୁଲି ଚାଷୀମାନଙ୍କୁ ବନ୍ଧ ବନ୍ଧାଇବା ଲାଗି ଡାକରା ଦେଇଥିଲେ, ପୁଣି ହେଲା ସେଇ ଡାକରାର ପୁନରାବୃତ୍ତି ।

–ଆମେ ଚାଷୀ ପୁଅ, ଆମେ କୋଦାଳ ଧରିଲେ, ପୃଥ୍ୱୀ ଓଲଟାଇ ଦେବା । ଗତ କେତେବର୍ଷ ଧରି ଆମେ ଅବଶ୍ୟ ହୋଇଯାଇଥିଲେ ଅଳସୁଆ । ଏବେ ଭାଇ, ତମ ଅଳସୁଆମି ଭାଙ୍ଗ । ଆସ, କୋଡ଼ି ଧର, କୋଦାଳ ଆଣ । ଚାଲ ବଡ଼ନଦୀକୁ ।

ବଡ଼ନଦୀର ସମତଳ ଅଞ୍ଚଳରେ ପୁଣି ଖେଳିଗଲା ସୁଦାମଙ୍କର ଆକୁଳ ନିବେଦନର ଡାକରା । ଚାଷୀମାନଙ୍କର ଅଲସ ସ୍ନାୟୁତନ୍ତ୍ରୀରେ ପୁଣି ଝଙ୍କାରିତ ହେଲା ଏକ ନୂତନ ସ୍ପନ୍ଦନ । ଗାଏଁ ଗାଏଁ ଚାଲିଲା ସଭା ଓ ଆଲୋଚନା । ସବୁଆଡ଼େ ଏକ କଥା, ଏକ ସ୍ୱର, ବନ୍ଧ ହେବ । ଡାଳୁଅ କରିବାକୁ ହେବ, ତା’ ନ ହେଲେ ବଞ୍ଚିବା କିପରି ?

ସୁଦାମ ତଥାପି ବୁଲୁଛନ୍ତି ଗାଁ’କୁ ଗାଁ । ସେ ଭୁଲିଗଲେଣି ଭୋକଶୋଷ । ଭୁଲିଗଲେଣି ତାଙ୍କ ବୟସାଧିକ୍ୟ ଜରା ଓ ବାର୍ଦ୍ଧକ୍ୟକୁ । କୋଡ଼ିଏ ବର୍ଷ ତଳେ ଦେହରେ ଅକାତକାତ ବଳ ଭରି ରହିଥିଲାବେଳେ ସେ ଯେମିତି ଏକ ସଂକଳ୍ପ ନେଇ ବୁଲୁଥିଲେ ଗାଁକୁ ଗାଁ’, ଆଜି ପୁଣି ସେଇ ସଂକଳ୍ପର ତରବାରୀ ଚିକ୍‍ଚିକ୍ କରି ଉଠୁଛି । ଦିନେ ପୁଣି ସଭାହେଲା ସେଇ ଶିମୂଳିପଦା ପଡ଼ିଆରେ । ଚାରିଆଡ଼ୁ ଛୁଟି ଆସିଲେ ବନ୍ୟା-ପୀଡ଼ିତ ଚାଷୀ । ସୁଦାମ କ୍ଳାନ୍ତ ଶାନ୍ତ ଅଥଚ ପରାଜିତ କଣ୍ଠରେ କହି ଚାଲିଲେ ତାଙ୍କର ବକ୍ତବ୍ୟ, ଚାଷକରି ତମେ ବଞ୍ଚିବାକୁ ଚାହଁ କି ନାଇଁ ଭାଇ-? ଯଦି ଡାଳୁଅ ନ କରିବ, ତମ ପରିବାର କ’ଣ ଖାଇ ବଞ୍ଚିବେ ? ଯଦି ବଞ୍ଚିବାକୁ ଚାହଁ, ତେବେ ଚାଲ ଆସନ୍ତା ବୁଧବାର ଦିନ ବିପୁଳା ମୁହାଁଣକୁ । ଆମ ପାଖରେ ଟଙ୍କା ପଇସା ନାହିଁ-। କିନ୍ତୁ ଖଟିବାର ଶକ୍ତି ତ ଦେଇଛନ୍ତି ଭଗବାନ ଆମକୁ ଯଥେଷ୍ଟ । ତେବେ କହ, ଆମେ ବନ୍ଧ ବାନ୍ଧି ପାରିବା କି ନାହିଁ ?

ତାଙ୍କ ପ୍ରସ୍ତାବକୁ ଅନୁମୋଦନ କରି ସଭାସ୍ଥଳରେ ଖେଳିଗଲା ପୁଣି ଏକ ମୃଦୁ ଗୁଞ୍ଜରଣ । ଏକ ସ୍ୱରରେ ସଭାସ୍ଥଳରେ ସମସ୍ତେ କ‌ହି ଉଠିଲେ–ଅଲବତ୍‍ ବନ୍ଧହେବ, ସୁଦାମ ଭାଇ । ସୁଦାମ ଭାଇ ଜିନ୍ଦାବାଦ୍ ।

ବିପୁଳା ମୁହାଁଣରେ ପୁଣି ଆରମ୍ଭ ହୋଇଗଲା ବନ୍ଧକାମ । ବୋହି ଆସିଲେ କେଉଁ ଦୂରଦୂରାନ୍ତ ଗାଁରୁ ଚାଷୀମାନେ ଚୁଡା ଚାଉଳ ଓ କୋଡ଼ି କୋଦାଳ କାନ୍ଧରେ ଝୁଲାଇ । ଭୁଷ୍‍ଭାଷ୍‍ ଧ୍ୱନିରେ ପୁଣି କମ୍ପି ଉଠିଲା ବଡ଼ନଦୀର ଶାଖା ମୁହାଁଣ ।

 

ସୁଦାମ ଥୟ ଧରି ରହୁନାହାନ୍ତି ଗୋଟିଏ ଯାଗାରେ । କେତେବେଳେ ଚେକା କଟା, କେତେବେଳେ ବାଲିବସ୍ତା ଭରଣା, କେତେବେଳେ କିଆ ଓ ବାଉଁଶ କଟାଳିମାନଙ୍କ ପାଖେ ସେ ବୁଲୁଛନ୍ତି ଚକାଚକା ଭଉଁରି ପରି । ଲୁଗା ଖସି ପଡ଼ୁଛି ଖୋଷଣୀରୁ । ଗାମୁଛା ଖସି ପଡ଼ିଲାଣି କେଉଁଠି କେତେବେଳେ । ଜଲଦି କର ଭଇ, ଜଲଦି କର । ଡେରି ହୋଇଗଲା ବନ୍ଧ ବାନ୍ଧିବାକୁ ଆମକୁ । ଚାଷୀମାନେ ତଳି ପକାଇ ସାରିଲେଣି । ପାଣି ନ ଗଲେ, ତମେ ସବୁ ରୋଇବ କେମିତି ତାକୁ ?

 

ଚାଲିଛି କାମ, ଆଉ ବେଶୀ ଡେରି ନୁହେଁ । ଦୁଇ ତିନିଦିନ ମଧ୍ୟରେ ପୁଣି ପଡ଼ିଯିବ ବିପୁଳା ମୁହଁରେ ସବୁ ବର୍ଷ ପରି ଏକ ଶକ୍ତିଶାଳୀ ବନ୍ଧ । ବଡ଼ନଦୀର ଶୁଖିଲା, ପ୍ରବାହହୀନ ରଗଡ଼ା ବାଲି ଉପରେ ପ୍ରବାହିତ ହେବ ପେଟେ, ଛାତିଏ ଗଭୀରର ସ୍ୱଚ୍ଛ ସ୍ଫଟିକ ଜଳ । ହଜାର ହଜାର ଧୋଇଆ ମୁଲକର ଚାଷୀମାନଙ୍କ ପାଖରେ ସେଇ ପାଣି ହେବ ହୀରା ଲୀଳା ଓ ମୋତି ମାଣିକଠାରୁ ଆହୁରି ମୂଲ୍ୟବାନ୍ ସମ୍ପତ୍ତି । ବଡ଼ନଦୀର କୂଳେ କୂଳେ ପୁଣି ଚେଇଁ ଉଠିବ ପହଡ଼ ପକା ଶ୍ୟାମଳ ଶସ୍ୟର ନିଦୁଆଳୀ ଆଖି ।

 

ତିନିଦିନ ପରେ ପୌଷର ଏକ ନୀରବ ନିଥର ସନ୍ଧ୍ୟାରେ ଦିନେ ହଠାତ୍‍ ‘ସୁଦାମ ବିଶ୍ୱାଳ ଜିନ୍ଦାବାଦ’ ଧ୍ୱନିରେ ବଡ଼ନଦୀର ମୁହାଁଣ ପ୍ରକମ୍ପିତ ହୋଇ ଉଠିଲା । ବନ୍ଧ ସରିଗଲା, ଚାଷୀମାନଙ୍କ ମଧ୍ୟରେ ସେହି ପୁରାତନ ଉତ୍ସାହ ଓ ଉନ୍ମାଦନାର ଭାବ ବିହ୍ୱଳତା । କୋଳାକୋଳି, ହର୍ଷଧ୍ୱନି ଏବଂ ଗଡ଼ ଜିତିବାର ଅପୂର୍ବ ବିଜୟ ଉଲ୍ଲାସ । ଚାଷୀମାନେ କାନ୍ଧରେ ଝୁଲାଇ ଦେଲେଣି କୋଡ଼ି, କୋଦାଳ ଓ କାଙ୍କ, ସେମାନେ ଫେରିଯିବେ ନିଜ ନିଜ ଗାଁ’କୁ ।

 

ସେମାନଙ୍କ ଘର ବାହୁଡ଼ାର ଏକ ଅବ୍ୟକ୍ତ ମାନସିକ ଆନନ୍ଦ ମଧ୍ୟରେ ହଠାତ୍ ବଡ଼ନଦୀର ଆରପଟୁ ଏକ ପେଟ୍ରୋମ୍ୟାକ୍‌ସ ଲାଇଟ୍‍ ଦେଖାଗଲା ଏବଂ ତାହା ଯେପରି ଆସୁଥିଲା ବିପୁଳା ମୁହାଁଣଆଡ଼କୁ । ଲାଇଟ ସାଙ୍ଗରେ ଆସୁଥବା ଲୋକେ ଯେପରି ଅସ୍ୱାଭାବିକ ଭାବରେ ଚାଲୁଥିଲେ-। ସେମାନଙ୍କ ଉଦ୍ଧତ ପଦଧ୍ୱନିରେ ସନ୍ଧ୍ୟାର ନୀରବିତ ନଦୀକୂଳ ଯେପରି ତିଳତିଳ କରି ଆତ୍ମହତ୍ୟା କରୁଥିଲା ।

 

ଚାଷୀମାନେ ଅନାଇ ରହିଥିଲେ ସେଇ ଲାଇଟ୍‌ ଆଡ଼କୁ ଚୁପ୍‍ଚାପ୍ ହୋଇ । ସୁଦାମ ଏଇ ନୀରବତାକୁ ଭଙ୍ଗ କରି କହିଲେ–ତମେ ଯାଅ ଭାଇମାନେ ଯେଝା ଯେଝା ଘରକୁ, ମୁଁ ରହିଲି ଏଠି ଏକାକୀ ବନ୍ଧକୁ ଜଗି । ଯଦି ପାର, ମୋ ପାଖରେ ଦୁଇ ତିନଜଣ ରହିଯାଇପାର, ନ ହେଲେ ମୁଁ ରହିବି ଏକା ।

 

ସୁଦାମଙ୍କ କଥା ଶୁଣି କେହି ଅବଶ୍ୟ ସେଠାରୁ ଗଲେ ନାହିଁ । ସମସ୍ତେ କିନ୍ତୁ ଅପେକ୍ଷା କରି ରହିଥିଲେ କ୍ରମ ଚଳମାନ ଆଲୋକଟିକୁ ।

 

ଲାଇଟ୍‌ ବନ୍ଧ ପାଖରେ ଆସି ପହଞ୍ଚିଲା । ପ୍ରାୟ ଦଶ ଜଣ ସଶସ୍ତ୍ର ପୋଲିସ ଅଫିସର କମର ଉପରେ ପିସ୍ତଲ ଝୁଲାଇ ବନ୍ଧ ଉପରେ ଠିଆ ହୋଇଗଲେ ।

 

ଧୂସର ଜହ୍ନ ଆଲୁଅରେ ନଈ ବନ୍ଧରେ ଠିଆ ହୋଇଥିବା ଚାଷୀମାନଙ୍କ ମଧ୍ୟରେ ଆଶଙ୍କାର କଳାମେଘ ଘୋଟି ଆସୁଛି କ୍ରମଶଃ । କଥା କ'ଣ ? ପୌଷର ଶୀତ ପ୍ରବଳ ହେଉଥିଲେ ମଧ୍ୟ ସେମାନେ ଠିଆ ହୋଇଥିଲେ ଭୟବିମୂଢ଼ ଅବସ୍ଥାରେ ।

 

ସଶସ୍ତ୍ର ପୋଲିସମାନଙ୍କ ମଧ୍ୟରୁ ହଠାତ୍‌ କେହି ଜଣେ ବେଶ୍ ଏକ ରାଜକୀୟ ଭଙ୍ଗୀରେ, ଔଦ୍ଧତ୍ୟପୂର୍ଣ୍ଣ କଣ୍ଠରେ କହି ଉଠିଲେ—ସୁଦାମ ବିଶ୍ୱାଳ କାହାନ୍ତି ?

 

ତତ୍‍କ୍ଷଣାତ୍‍ ସୁଦାମ ଚାଷୀମାନଙ୍କ ଗହଣରୁ ନିଷ୍କ୍ରାନ୍ତ ହୋଇ କହିଲେ–ମୁଁ ଏଇଠି ଅଛି ଆଜ୍ଞା, କ’ଣ ଦର୍କାର କହନ୍ତୁ ?

 

ପୋଲିସ ଅଫିସରଙ୍କ ପାଖକୁ ଚାଲିଗଲେ ସୁଦାମ ।

 

ଅଫିସର କହିଲେ–ତମେ ବେଆଇନ୍ ଭାବରେ ଲୋକମାନଙ୍କୁ ମତାଇ ଏଇ ବନ୍ଧ ବାନ୍ଧିଥିବାରୁ, ବର୍ତ୍ତମାନ ଗିରଫ ହେଲ । ତମ ନିକଟସ୍ଥ ଜିଲ୍ଲାର ଚାଷୀମାନେ ଆପତ୍ତି କରିଛନ୍ତି, ଏଇ ବନ୍ଧ ହେତୁ ସେମାନଙ୍କର ଶହଶହ ଏକର ଡାଳୁଅ ଧାନରେ ସମୁଦ୍ରର ଲୁଣି ପାଣି ମାଡ଼ିଗଲା । ତେଣୁ ତମେ ଗିରଫ ହେଲ ଏବଂ ଆସନ୍ତାକାଲି ଏଇ ବନ୍ଧ କାଟି ଦିଆଯିବ ।

 

ସୁଦାମ ପ୍ରତିବାଦ କରି ଉଠିଲେ । ଚାଷୀମାନଙ୍କ ମଧ୍ୟରୁ ଯେଉଁମାନେ ନିତାନ୍ତ ଡରକୁଳା, ସେମାନେ ଅବଶ୍ୟ ପଛଘୁଞ୍ଚା ଦେଉଛନ୍ତି କ’ଣ ଗୋଟାଏ ଆଶଙ୍କାରେ ଶିହରିତ ହୋଇ । ଆଉ ଅନ୍ୟମାନେ ଠିଆ ହୋଇଛନ୍ତି ନୀରବ ନିର୍ବେଦ ଭାବରେ ।

 

ସୁଦାମ କହିଲେ–ବନ୍ଧ ଯଦି ବେଆଇନ୍ ଭାବରେ ହୋଇଛି, ତେବେ ମତେ ତ ଗିରଫ କରୁଛ । ପୁଣି ବନ୍ଧ କାଟିବାର ଆଉ ଦରକାର କ'ଣ ? ଏ ବନ୍ଧ ୧୯୪୨ ମସିହାଠାରୁ ହୋଇ ଆସୁଛି । କାହିଁ ଏତେ ବର୍ଷ ଧରି ନିକଟସ୍ଥ ଜିଲ୍ଲାର ଲୋକେ କେବେ ତ ଆପତ୍ତି କରିନଥିଲେ ! ଆଜି ଏ କି ନୂଆ ଅଭିଯୋଗ ? ବନ୍ଧ ଆମେ କଟାଇ ଦେବୁ ନାହିଁ ।

 

ହଠାତ୍‍ ତାଙ୍କ ଉପରକୁ ଝୁଙ୍କି ପଡ଼ିଲେ ପୋଲିସ ବାହିନୀ ।

 

ସୁଦାମ ଗିରଫ ହେଲେ ଏବଂ ପୋଲିସ ବାହିନୀ ଯେଉଁବାଟ ଦେଇ ଆସିଥିଲେ, ସେଇଆଡ଼େ ମୁହାଁଇଲେ । ପେଟ୍ରୋମ୍ୟାକ୍‌ସ ଲାଇଟ୍‍ଟା ଚାଲିଲା ସେମାନଙ୍କ ସାଙ୍ଗରେ । ସେମାନଙ୍କର ଉଦ୍ଧତ ପଦଧ୍ୱନି ଶୁଭିଲା ବେଳକୁ ନଈ ମଝିରେ ଜମିଥିବା ହଜାର ହଜାର ଚାଷୀ ‘ସୁଦାମ ବିଶ୍ୱାଳ ଜିନ୍ଦାବାଦ’ ଧ୍ୱନିରେ ପୌଷର ଶୀତ ଶୀତ୍କାରିତ ସନ୍ଧ୍ୟାକୁ କରି ଦେଲେ ଆହୁରି ଶବ୍ଦାୟିତ । ସେମାନଙ୍କର ସ୍ଲୋଗାନର ଧ୍ୱନି କ୍ରମଶଃ ଉଠି ଯାଉଥିଲା ଆକାଶକୁ..... ଊର୍ଦ୍ଧ୍ୱ ଆକାଶକୁ-

Image

 

ଅସାଧାରଣ

 

ଆଜିକୁ ଏଗାର ବର୍ଷ ତଳେ ମୋର ସହପାଠିନୀ ବୀଣା ମତେ ପରିଚୟ କରାଇ ଦେଇଥିଲେ ଶ୍ରୀମତୀ ଅନୁପମାଙ୍କ ସହିତ ପୁରୀର ସମୁଦ୍ର ବେଳାରେ ।

 

ମୋର ସ୍ପଷ୍ଟ ମନେଅଛି, ସେଦିନ ଥିଲା ଶେଷ ଡିସେମ୍ବରର ଏକ ଅତିକ୍ରାନ୍ତ ସନ୍ଧ୍ୟା । ଯଦିଓ ସେଦିନ ଥିଲା ଶୀତର ଯଥେଷ୍ଟ ପ୍ରାଦୁର୍ଭାବ, ତଥାପି ସମୁଦ୍ର ବେଳାରେ ବୁଲିଲା ବେଳେ ଶୈତ୍ୟର ପ୍ରକୋପ ଏତେ ବେଶୀ ଅନୁଭୂତ ହେଉ ନ ଥିଲା ।

 

ସମୁଦ୍ର କୂଳରେ ବୁଲିବା ମୋର ସ୍ୱଭାବିକ ଅଭ୍ୟାସ ନଥିଲା । କେବେ କେମିତି ଇଚ୍ଛା ହେଲେ ସମୁଦ୍ର କୂଳରେ ବୁଲୁଥିଲି ଏବଂ ସମୁଦ୍ରର ଫେନାୟିତ ତରଙ୍ଗକୁ ସ୍ପର୍ଶ କରି ଏକ ଅପ୍ରମିତ ଚେତନାଗତ ଆନନ୍ଦ ପାଉଥିଲି ।

 

 

କିନ୍ତୁ ସେଦିନ ସମୁଦ୍ର ବେଳାକୁ ବୁଲିଯିବା ଉଦ୍ଦେଶ୍ୟରେ ଅବଶ୍ୟ ମୁଁ ଯାଇ ନଥିଲି । ସେଠାକୁ ମୁଁ ଯାଇଥିଲି କୌଣସି ଏକ ସାଂସ୍କୃତିକ ଉତ୍ସବରେ ଯୋଗଦେବା ଲାଗି । ସେଦିନର ଉତ୍ସବ କ’ଣ ଥିଲା ଓ ତାହାର ଉଦ୍ୟୋକ୍ତମାନେ କିଏ ଥିଲେ, ସେ ସବୁ ଆଉ ମନେ ନାହିଁ ।

 

ସେଦିନ ଉତ୍ସବରେ ଏକାକି ବୁଲୁବୁଲୁ ହଠାତ୍‍ ଦେଖାହେଲା ବୀଣା ସହିତ ଯିଏ ମୋ’ ସାଙ୍ଗରେ ଚାରିବର୍ଷ କାଳ କଲେଜରେ ପାଠ ପଢ଼ିଥିଲେ । ଆଜିକୁ ଊଣେଇଶି ବର୍ଷ ତଳେ ଅର୍ଥାତ୍‍ ବୀଣା ସହିତ ସମୁଦ୍ର ବେଳାଭୂମିରେ ମୋର ଦେଖା ହେବାର ଆଠ ବର୍ଷ ପୂର୍ବରୁ ଆମେ ଏକା ସାଙ୍ଗରେ ପଢ଼ୁଥିଲୁ । ପଢ଼ୁଥିଲାବେଳେ ଆମ ଦୁହିଁଙ୍କ ମଧ୍ୟରେ ବେଶ୍ ଏକ ଘନିଷ୍ଠତା ବଢ଼ିଥିଲା । କଲେଜ ଛାଡ଼ିବା ପରେ ଯଦିଓ ବୀଣା ସହିତ ମୋର କେବେ ଦେଖା ସାକ୍ଷାତ ହୋଇ ନ ଥିଲା, ତଥାପି ଆମ ଭିତରେ ସାମୟିକ ଭାବରେ ଚିଠିପତ୍ରର ବିନିମୟ ଘଟୁଥିଲା ।

 

ମତେ ସେଇ ସାଂସ୍କୃତିକ ଉତ୍ସବର ମଣ୍ଡପ ପାଖରେ ଦେଖି ବୀଣା ଚମକି ପଡ଼ିଲା ଏବଂ ମୋ ସାମ୍ନାକୁ ତତ୍‌କ୍ଷଣାତ୍‌ ଦ୍ରୁତ ଗତିରେ ଚାଲି ଆସି କହିଲା—କ'ଣ ଖବର ଦେବପ୍ରିୟ ?

 

ପ୍ରାୟ ବର୍ଷେ ହେଲା ତମଠାରୁ ଚିଠିପତ୍ର ପାଇ ନାହିଁ । ତମେ ନରାଜ ଛାଡ଼ିଲା ପରେ ଠିକଣା ଅଭାବରୁ ତମକୁ ଆଉ ଚିଠି ଲେଖି ପାରି ନାହିଁ । ତମେ ମଧ୍ୟ କାହିଁକି କେଜାଣି ପତ୍ର ଖଣ୍ଡିଏ ଲେଖି ନାହଁ ! କ'ଣ ତମର ହୋଇଛି ? ତମେ ଅବି କେଉଁଠି ?

 

ବୀଣାକୁ ଆକସ୍ମିକ ଭାବରେ ମଣ୍ଡପ ପାଖରେ ଦେଖି ମୁଁ ତଟସ୍ଥ ହୋଇଗଲି । ପ୍ରାୟ ଆଠବର୍ଷ ପରେ ତାକୁ ସମୁଦ୍ର ବେଳାରେ ଏକ ଉତ୍ସବକାଳୀନ ସନ୍ଧ୍ୟାରେ ପାଇ ହଠାତ୍ ତା’ ପ୍ରଶ୍ନର ଉତ୍ତର ଦେଇ ନ ପାରି ମୁଁ କେବଳ ତାକୁ ଚାହିଁ ରହିଲି ବିସ୍ମୟ ବିମୂଢ଼ ହୋଇ ।

 

ମୋର ଏଇ ତଟସ୍ଥତା ଦେଖି ବୀଣା ପୁଣି ମୋ ପାଖକୁ ଲାଗି ଆସି କହିଲା–କ’ଣ ଦେବପ୍ରିୟ ଚିହ୍ନି ପାରୁନ ?

 

ମୁଁ ଆତ୍ମସ୍ଥ ହେଲି ଏବଂ ସଙ୍ଗେ ସଙ୍ଗେ ଉତ୍ତର ଦେଲି–ଆରେ ତମେ କୁଆଡ଼େ ବୀଣା ? ଏତେ ବାଟରୁ ଏଇ ଉତ୍ସବରେ ଯୋଗଦେବା ପାଇଁ ତମେ କ'ଣ ଆସିଛ ? ଆଉ କିଛି କାମ ଅଛି ଏଠାରେ ?

ଆମେ ସେଇ ଉତ୍ସବ ମୁଖରିତ ମଣ୍ଡପରୁ ଧୀରେ ଧୀରେ ନିଷ୍କ୍ରାନ୍ତ ହୋଇ ସମୁଦ୍ରର ଆଉ ଏକ ପ୍ରାନ୍ତକୁ ଚାଲିଗଲୁ । ସନ୍ଧ୍ୟାର ସମୁଦ୍ର ସେତେବେଳେ ଦେଖାଯାଉଥିଲା ଏକ ବିଶାଳ ଦର୍ପଣ ପରି । ବୀଣା ସହିତ ଥିଲେ ଆଉ ଜଣେ ମହିଳା, ସମ୍ଭବତଃ ତା’ର ଜଣେ ବନ୍ଧୁ । ତାଙ୍କର କଥାବାର୍ତ୍ତା ଓ ଚାଲିଚଳଣିରେ ଭରି ରହିଥିଲା ସୁପ୍ରଚୁର ଗାମ୍ଭୀର୍ଯ୍ୟ ଓ ସଂଭ୍ରମବୋଧ ।

ବୀଣା ଏବଂ ମୁଁ ପ୍ରକୃତରେ ହୋଇ ଯାଇଥିଲୁ ଭାବ-ପ୍ରବଣ । ଆଠ ବର୍ଷ ତଳର କଲେଜ ଜୀବନ, ସେସମସ୍ତ ବିସ୍ମୃତ ଜୀବନର ଘଟଣାବଳୀ, କେତେ ଅଭିମାନ, କେତେ ମୁହଁ ଫୁଲାଫୁଲି, କେତେ ଓଡିଶା ବାହାର ଏକ୍‌ସ୍କରସନ୍‌ର ଅନୁଭୁତି, ପ୍ରତିବର୍ଷ ନାଟକ ଅଭିନୟ ହେବା ପାଇଁ ହିରୋ ଓ ହିରୋଇନ୍ ଭୂମିକା ପାଇଁ କେତେ ଆଗ୍ରହ ଓ ଅନାଗ୍ରହର ମାନସିକ ଆନନ୍ଦ ଓ ଦ୍ୱନ୍ଦ୍ୱ, କଲେକ ୟୁନିୟନ ନିର୍ବାଚନ ପାଇଁ କିପରି ସୃଷ୍ଟି ହୋଇଯାଏ ପରସ୍ପର ବିରୋଧୀ ଦୁଇଟି ରଣ ଶିବିର, ଓଃ କେତେ ସ୍ମୃତି କେତେ କଥା ! ଆମେ ଅତୀତକୁ କେତେ ରୋମନ୍ଥନ କଲୁ, ବିଗତ ଦିନର ସୃତିଚାରଣ କେତେ କଲୁ, ଆମେ ଭୁଲିଗଲୁ ଆମ ବର୍ତ୍ତମାନ ଜୀବନର ସ୍ଥିତି ।

ଆମ କଥାବାର୍ତ୍ତାକୁ ଯଦିଓ ଆନ୍ତରିକ ଭାବରେ ଶୁଣୁଥିଲେ ବୀଣାର ସେଇ ବନ୍ଧୁଟି, ମାତ୍ର କୌଣସି କଥାରେ ସେ ଭାବ ନେଉ ନଥିଲେ ।

ବହୁତ ଗପିଲା ପରେ ସମୁଦ୍ରର ଅନେକ ଅଶାନ୍ତ ଢେଉ ଆମ ବସିବା ସ୍ଥାନକୁ ସିକ୍ତ ଓ ଆର୍ଦ୍ର କରିଦେଲା ପରେ ବୀଣା କହିଲା–ଆରେ, ହେ, ଆମେ ଏତେ ବକିଲେ, ଅଥଚ ତମ ଠିକଣାଟା ! ମୁଁ ନେଇ ପାରିଲି ନାହିଁ । ନିଅ, ନିଅ ମୋ ଡାଇରୀ ଟିପି ଦିଅ, ତମେ ବର୍ତ୍ତମାନ ଏଇ ପୁରୀରେ ତ !

ବୀଣୀ ତା’ ବ୍ୟାଗରୁ ଡାଇରୀ ବାହାର କରିଦେବା ମାତ୍ରେ ମୁଁ ତତ୍‍କ୍ଷଣାତ୍ ମୋ ଠିକଣାଟି, ଲାଇଟ ପୋଷ୍ଟର ମେଞ୍ଚାଏ ଅସ୍ପଷ୍ଟ ଆଲୋକରେ ସେଥିରେ ଲେଖି ଦେଲି ।

ବୀଣା କହିଲା–ଶୁଣ ଦେବପ୍ରିୟ ! ତମକୁ ଦେଖି ମୁଁ ସବୁ କିଛି ଭୁଲିଗଲି । ଆରେ...ତମକୁ ତ ପରିଚୟ କରାଇ ଦେଇନି ଅନୁପମା ସହିତ । ଆରେ ଯା’–ତମେ ମଧ୍ୟ ପଚାରି ନାହଁ ଏଇ ଭଦ୍ରମହିଳାଟି କିଏ ବୋଲି ! ଆଉ ଅନୁପମା ମଧ୍ୟ ପଚାରୁ ନାହିଁ ତମ ପରିଚୟ ସମ୍ପର୍କରେ କିଛି !

ବୀଣା, ଅନୁପମା ପିଠିରେ ହାତ ମାରି କହିଲା–ଇଏ ହେଉଛି ମୋର ବନ୍ଧୁ ଅନୁପମା ଦାସ । ଓକିଲାତି କରୁଛନ୍ତି । ଯଦିଓ ଆମ ସାହିରେ ତାଙ୍କର ଘର, ସେ କିନ୍ତୁ ପଢ଼ୁଥିଲା ଚାରିବର୍ଷ କାଳ ରାଜେନ୍ଦ୍ର କଲେଜରେ । ଯଦି ବାଲେଶ୍ୱରରେ ସେ ପଢ଼ୁଥାନ୍ତା, ତା’ହେଲେ ତ ତମକୁ ଆଜି ତା’ ସହିତ ପରିଚୟ କରିବାକୁ ପଡ଼ି ନଥାନ୍ତା ।

ଆଉ ଅନୁପମା...ଇଏ ହେଉଛନ୍ତି ଦେବପ୍ରିୟ ଚମ୍ପତି ରାୟ । ଆମେ ଯେଉଁ ବର୍ଷ ସ୍ନାତକ ହେଲୁ ତମେ ଅବଶ୍ୟ ସେହି ବର୍ଷ ସ୍ନାତକ ହେଲ । କିନ୍ତୁ ତମେ ମନେ ରଖିଛ କି ନାହିଁ, ମୁଁ ଜାଣେନି–ଦେବପ୍ରିୟ ଥିଲେ ଓଡ଼ିଶା ଛାତ୍ର ଆନ୍ଦୋଳନର ଜଣେ ବିଶିଷ୍ଟ ଛାତ୍ର ନେତା । ସେ ଯେଭଳି ସୁବକ୍ତା, ସେଇଭଳି ମଧ୍ୟ ଜଣେ ଦକ୍ଷ ସଙ୍ଗଠକ ।

ଲାଇଟ ପୋଷ୍ଟରୁ ଛିଟିକି ପଡ଼ିଥିବା ଚେନାଏ ଆଲୁଅରେ ମୋ ଅତୀତ ଜୀବନର ପ୍ରଶଂସା ଶୁଣି ମୁଁ ଭାରି ଲଜ୍ଜିତ ହେଲି । ମୋର ଏଇ ଅସ୍ୱାଭାବିକ ସଲ୍ଲଜତାକୁ ଦୂର କରିବା ପାଇଁ ମୁଁ ନମ୍ର ପ୍ରତିବାଦ କଣ୍ଠରେ କହିଲି–ଥାଉ ବୀଣା, ଏସବୁ ପରିଚୟର ଆଉ ଆବଶ୍ୟକତା ନାହିଁ ।

 

ବୀଣା କିନ୍ତୁ ବନ୍ଦ ହେଲା ନାହିଁ । ସେ କହିଲା–ଶୁଣ ଦେବପ୍ରିୟ, ତମର ପରିଚୟ ଏଇ ତ ମାତ୍ର ଆରମ୍ଭ ! ତମ ସମ୍ପର୍କରେ ଅନୁପମା ଯେମିତି ଅଧିକ ଜାଣିବା ପ୍ରୟୋଜନ, ତମେ ମଧ୍ୟ ସେମିତି ତା’ ସମ୍ପର୍କରେ ଜାଣି ରଖିବା ଉଚିତ୍ ।

 

ଶୁଣ ଅନୁପମା । ମୁଁ ଯେତେ ଗୀତ ଲେଖିଛି, ସେ ସବୁର ସୁର୍ ଦେଇଛନ୍ତି ଏଇ ଦେବପ୍ରିୟ । କି ଚମତ୍କାର କଣ୍ଠ ! ଏବେ ଶୁଣୁଥିବୁ ରେଡ଼ିଓରୁ ତାଙ୍କ ଗୀତ !!

 

ଏସବୁ ପରିଚିତିରେ ଅନୁପମାର କୌଣସି ପ୍ରତିକ୍ରିୟା ହେଉ ନଥିଲା । ସ୍ଥଳ ଦେହ ଓ ଈଷତ୍ କଳା ରଙ୍ଗର ଗୋଲ ମୁହଁରେ ତା’ର ଫୁଟି ଉଠୁଥିଲା କ୍ଷୀଣତମ ଗାମ୍ଭୀର୍ଯ୍ୟର ଏକ ପ୍ରତିଫଳନ-

 

ଓଃ, ବୀଣା ଆଉ ବନ୍ଦ ହେବ ନାହିଁ । ଲୌକିକତାର ସ୍ରୋତରେ ସେ ଯେପରି ହୋଇ ଉଠିଛି ଆଜି ଏକାନ୍ତ ଭାବରେ ପ୍ରଗଳ୍‍ଭ । ସେ ପୁଣି କହିଲା–ଶୁଣ ଦେବପ୍ରିୟ । ଅନୁପମା ଜଣେ ବିଶିଷ୍ଟ ଲେଖିକା । ତମେ ପତ୍ରପତ୍ରିକାରୁ ପଢ଼ିଥିବ ତା’ର ଗଳ୍ପ ସବୁ । ତା’ର ପ୍ରତିଟି ଗଳ୍ପ ଆମ ସମାଜ ଜୀବନର ପ୍ରତିଭୂ । ସେଥିରେ କୌଣସି ଭୌତିକ କିମ୍ବା କାଳ୍ପନିକ ପୁଟର ସ୍ପର୍ଶ ନାହିଁ । ଧୂଳି ଧୂସରିତ ଧରଣୀର ଅତ୍ୟାଚାରିତ ଓ ଅଭାବଗ୍ରସ୍ତ ମଣିଷ ହେଉଛି ତା’ ଗଳ୍ପର ନାୟକ ।

 

ମୁଁ ପ୍ରକୃତରେ ଆଶ୍ଚର୍ଯ୍ୟ ହୋଇଗଲି । ମୋ ସ୍ମୃତିର ଦିଗନ୍ତ ହଠାତ୍ ଶ୍ୟାମଳ ହୋଇ ଉଠିଲା ଏବଂ ସ୍ମରଣ କଲି ସଦ୍ୟ ପଢ଼ିଥିବା ଅନୁପମାଙ୍କର ଏକ ଗଳ୍ପର ବିଷୟବସ୍ତୁକୁ ।

 

ସେତେବେଳେ ମୁଁ ଲକ୍ଷ୍ୟ କରିଥିଲି ଅନୁପମାଙ୍କୁ । ତଥାପି ତାଙ୍କର ସୁଗୋଲ ମୁଖମଣ୍ଡଳରେ ଏବଂ ଠିଆ ନାସାଗ୍ରରେ ତିଳେ ମାତ୍ର କୌଣସି ଆକୁଞ୍ଚନ କିମ୍ବା ସଙ୍କୋଚନର ପକ୍ରିୟା ଦେଖାଗଲା ନାହିଁ ।

 

ମୁଁ ଶିଷ୍ଟାଚାରକୁ ଜଗି କହିଲି–ମୁଁ ଭାରି ଖୁସି ଅନୁପମା ଦେବୀ ! ଅବଶ୍ୟ ମୁଁ ଲେଖକ କିମ୍ବା ସାହିତ୍ୟିକ ନୁହେଁ । ମାତ୍ର ଲେଖାଲେଖି ପ୍ରତି ମୋର ଅକୁଣ୍ଠ ଶ୍ରଦ୍ଧା ରହିଛି । ଅନେକ ଦିନପରେ ବୀଣାକୁ ସାକ୍ଷାତ କରିବାର ସୁଯୋଗ ପାଇବା ସଙ୍ଗେ ଆପଣଙ୍କ ସହିତ ପରିଚିତ ହେବାର ସୌଭାଗ୍ୟ....

 

ମୋର କଥା ସରି ନାହିଁ । ହଠାତ୍ ଉତ୍ସବ ମଣ୍ଡପରୁ ମାଇକ୍ରୋଫୋନ୍ ଡାକି ଉଠିଲା ବୀଣାପାଣି ଜେନା ଓ ଅନୁପମା ଦାସଙ୍କୁ ।

 

ଆମେ ସମସ୍ତେ ଉତ୍‍କର୍ଣ୍ଣ ହୋଇ ଉଠିଲୁ । ବୀଣା କହିଲା–ଓଃ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲା ବୋଧହୁଏ । ଆମକୁ ଖୋଜା ପଡ଼ିଛି ଯେହେତୁ ଆଜିର କାର୍ଯ୍ୟକ୍ରମରେ ଆମେ ଦୁହେଁ ମୁଖ୍ୟ ଅତିଥି ଓ ବକ୍ତା ।

 

ମୁଁ କହିଲି–ତେବେ ଚାଲ ଯିବା ଉତ୍ସବ ମଣ୍ଡପକୁ ।

 

ଆମେ ତିନିହେଁ ଉତ୍ସବ ମଣ୍ଡପକୁ ଆଗେଇଲୁ । ଆମ ପଛପଟେ ସମୁଦ୍ର ଗର୍ଜୁଥିଲା ପୂର୍ବପରି ଏକ ପ୍ରାଗୈତିକ ଯନ୍ତଣାରେ ଛଟପଟ ହୋଇ ।

 

ବୀଣା ସହିତ ସାକ୍ଷାତ ଓ ଅନୁପମାଙ୍କ ସହିତ ସେଦିନ ପୁରୀ ସମୁଦ୍ର ବେଳାରେ ପରିଚିତ ହେବାର ପ୍ରାୟ ଏଗାର ବର୍ଷ ପରେ ଦିନେ ତା’ଠାରୁ ଚିଠି ଖଣ୍ଡିଏ ପାଇଲି । ବୀଣା ଏବେ ତୋଷାଳୀ ନଗ୍ର କଲେଜରେ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପିକା ରୂପେ କାର୍ଯ୍ୟ କରୁଛି ।

 

ସେ ଲେଖିଥିଲା–ମୋର ବନ୍ଧୁ ଅନୁପମା, ଯାହାଙ୍କୁ ତମ ସହିତ ଏଗାର ବର୍ଷ ତଳେ ଡିସେମ୍ବରର ଏକ ଶୀତ ସନ୍ଧ୍ୟାରେ ପୁରୀ ସମୁଦ୍ର ବାଲିରେ ପରିଚୟ କରାଇ ଦେଇଥିଲି ସେ ଏବେ ଏଠାରୁ ବଦଳି ହୋଇ ତମ ରତ୍ନଗିରି ଯାଉଛି । ସେ କିଛି ବର୍ଷ ଓକିଲାତି କରି ଏବେ ମୁନସିଫ୍ ହୋଇଛି । ସେ ଥିଲା ଏଇ ତୋଷାଳୀ ନଗ୍ରରେ । ସେଠାରେ ପହଞ୍ଚିଲା ପରେ ତମ ସହିତ ଯୋଗାଯୋଗ ରଖିବା ପାଇଁ ମୁଁ ତାକୁ କହିଛି । ତମ ସହିତ ସେ ହୁଏତ ଦେଖା କରିଥିବ ।

 

ପୁରୀରୁ ଉଦୟଗିରି, ଉଦୟଗିରିରୁ ଦଣ୍ଡକାରଣ୍ୟ ଏବଂ ସେଠାରୁ ବଦଳି ହୋଇ ମୁଁ ଏବେ ଗତ ବର୍ଷେ ହେଲା ଏଇ ରତ୍ନଗିରିରେ ଅବସ୍ଥାପିତ ହୋଇଛି । ବୀଣାଠାରୁ ଚିଠି ପାଇଲା ପରେ ସେଦିନର ସମୁଦ୍ର କୂଳ ସନ୍ଧ୍ୟା ହଠାତ୍ ମୋ ସ୍ମୃତିରେ ସ୍ୱାକ୍ଷରିତ ହୋଇ ଉଠିଲା ।

 

ସେଦିନ ସମୁଦ୍ର ମୋ ଆଗରେ ଦେଖା ଯାଉଥିଲା ଏକ ବିଶାଳ ଦର୍ପଣ ପରି । ମାତ୍ର ଆଜି ଏଗାର ବର୍ଷ ପରେ ସେଦିନର ସନ୍ଧ୍ୟାକୁ ମନେ ପକାଇଲେ ଦୂର ଅତୀତର ସେଇ ବିଶାଳ ଦର୍ପଣରୁ ସତେ ଯେପରି ବେଶୀ ମାତ୍ରାରେ ପାରଦ ଲିଭି ଯାଇଥିବା ପରି ପ୍ରତୀତ ହେଲା ।

 

ଚିଠି ପଢ଼ି ସାରିଲା ପରେ ମୁଁ ମନେ ମନେ ଭାବିଲି କାହିଁ ଅନୁପମା ତ ମୋ ସହିତ ସମ୍ପର୍କ ରକ୍ଷା କରି ନାହାନ୍ତି ! ମୋର ସାଂପ୍ରତିକ ଠିକଣା ସେ ଯେତେବେଳେ ବୀଣାଠାରୁ ଆଣିଥିବେ, ସେତେବେଳେ ସମ୍ପର୍କ ରକ୍ଷା କରିବାର ଆଉ କୌଣସି ଅସୁବିଧା ତ ନାହିଁ । ହୁଏତ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଅନୁପମା ମୋ ସହିତ ଯୋଗାଯୋଗ ରଖି ନାହାନ୍ତି । ହୁଏତ ପରେ ରଖିବେ ।

 

ବୀଣାଠାରୁ ଚିଠି ପାଇବାର ମାସେ ଗଲା, ଦୁଇମାସ ଗଲା । ମାତ୍ର ଅନୁପମାଙ୍କର କୌଣସି ସମ୍ବାଦ ମିଳିଲା ନାହିଁ । ପରେ ମୋ କୌତୂହଳର ଅପନୋଦନ ପାଇଁ, ଜଣେ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ବନ୍ଧୁଙ୍କଠାରୁ ଅନୁପମାଙ୍କ କର୍ତ୍ତବ୍ୟରେ ଯୋଗ ଦେବାର ସତ୍ୟତା ସମ୍ପର୍କରେ ଜାଣିବାକୁ ପାଇଲି । ଫଳରେ ମୋ ସହିତ ଅନୁପମାଙ୍କ ସମ୍ପର୍କ ରକ୍ଷା କରିବାର ଆଗ୍ରହ, ମୋ ଭିତରୁ କ୍ରମଶଃ ମଉଳି ଆସିଲା ।

 

ଦିନେ ରତ୍ନଗିରି ସହରରେ ଏକ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହେଉଥିଲା । ସେଇ ଉତ୍ସବକୁ ଜଣେ ନିମନ୍ତ୍ରିତ ଅତିଥି ଭାବରେ ମୁଁ ଯାଇଥିଲି । ଯେତେବେଳେ ଉଦ୍ୟୋକ୍ତାମାନେ ମଞ୍ଚ ଉପରେ ସସମ୍ମାନେ ମତେ ନେଇ ବସାଇଲେ, ମୁଁ ଲକ୍ଷ୍ୟକଲି, ମୋ ପୂର୍ବରୁ ଜଣେ ମହିଳା ସେଠାରେ ଆସନ ଗ୍ରହଣ କରିଥିଲେ । ଶହଶହ ଶ୍ରୋତୃ ମଣ୍ଡଳୀର ଅଗ୍ନି-ଉଜ୍ୱଳ ଆଖି ସାମ୍ନାରେ, ମଞ୍ଚ ଉପରେ ପୁଣି ମୋ ପାଖକୁ ଲାଗି ବସିଥିବା ମହିଳାଙ୍କୁ ମୁଁ ଭଲ ଭାବରେ ଦେଖି ପାରିଲି ନାହିଁ-

 

କିଛି ସମୟ ପରେ ହଠାତ୍ ଉଦ୍ୟୋକ୍ତାମାନେ ମଞ୍ଚ ଅନ୍ତରାଳରୁ ମୋତେ ଗୀତ ଗାଇବା ଲାଗି ଅନୁରୋଧ କଲେ । ମୁଁ ଆଉ ବିଳମ୍ୱ ନ କରି ଶଙ୍କା ଓ ସମ୍ଭ୍ରମ ମଧ୍ୟରେ ମଞ୍ଚ ଅନ୍ତରାଳକୁ ଚାଲି ଯାଇ ଦୁଇ ତିନୋଟି ଗୀତ ଗାଇଥିଲି ।

 

ମୋ କାର୍ଯ୍ୟକ୍ରମ ସରିଲା ପରେ ମୁଁ ଆଉ ମଞ୍ଚ ଉପରକୁ ଯିବାଲାଗି ଇଚ୍ଛା କଲି ନାହିଁ ମୋର ଅନିଚ୍ଛା ସତ୍ତ୍ୱେ, ଉତ୍ସବର ଉଦ୍ୟୋକ୍ତାମାନେ ମତେ ନେଇ, ଜବରଦସ୍ତ ମୋ ପୂର୍ବ ସ୍ଥାନରେ ବସାଇ ଦେଲେ ।

 

ମୁଁ ମୋ ଆସନ ଗ୍ରହଣ କଲାବେଳେ ଅତି ସନ୍ତର୍ପଣରେ ଥରେ ସେ ମହିଳାଙ୍କ ଆଡ଼େ ଅନାଇଁ ଦେଲି । ତାଙ୍କୁ ଦେଖି ମୋର ମନେ ହେଲା, ମୁଁ ଯେପରି କେଉଁଠାରେ ତାଙ୍କୁ ଦେଖିଛି, ମୁଁ ମୋର ବିସ୍ତୃତ ଚାରଣ ଭୂଇଁରେ ସଚେତନ ଭାବରେ ପରିକ୍ରମା କଲି କିନ୍ତୁ ସେଇ ମହିଳାଙ୍କୁ ଚିହ୍ନଟ କରି ପାରିଲି ନାହିଁ ।

 

ଅନ୍ତରାଳ ମାଇକରୁ ପୁଣି ଏକ ଉଦ୍‍ଘୋଷଣା...ବର୍ତ୍ତମାନ ଓଡ଼ିଶାର ବିଶିଷ୍ଟ ଲେଖିକା ଅନୁପମା ଦାସ ଆପଣଙ୍କୁ ବକ୍ତୃତା ଦେବେ ।

 

ମୋ ଭିତରେ ଯେଉଁ ମହିଳାଙ୍କର ପରିଚୟ ଲାଗି ରୀତିମତ ଏକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ଗତ କିଛି ସମୟ ଧରି, ହଠାତ୍ ସେ ଦ୍ୱନ୍ଦ୍ୱର ଅବସାନ ଘଟିଲା ।

 

ତେବେ ଏଇ ଅନୁପମାଙ୍କୁ ଚିହ୍ନିବାରେ ମୋର କେଉଁଠି ତ୍ରୁଟି ରହିଗଲା, ତାହାହିଁ ମୁଁ ବିଶ୍ଳେଷଣ କରୁଥିଲି । ଏଗାର ବର୍ଷ ତଳେ ସମୁଦ୍ର କୂଳରେ ଅବଶ୍ୟ ତାଙ୍କୁ କେତେ ଘଣ୍ଟା ପାଇଁ ଦେଖିଥିଲି । ମାତ୍ର ସେତେବେଳର ଓ ବର୍ତ୍ତମାନର ଚେହେରା ମଧ୍ୟରେ ବି ବିରାଟ ପାର୍ଥକ୍ୟ । ଅନୁପମା ଆହୁରି ବପୁବତୀ ହୋଇଛନ୍ତି ଓ ଦେହର ଈଷତ୍ କଳା ରଙ୍ଗ ଏବେ ଘନ କଳାରେ ପରିଣତ ହୋଇଛି ।

 

ଯଦିବା ମୋ ଚିହ୍ନିବାରେ ତ୍ରୁଟି ରହିଗଲା, ତେବେ ସେ ମୋତେ ନ ଚହ୍ନିଲେ କିପରି ? ମୋ ନାଁ ଯେତେବେଳେ ସଭା ମଞ୍ଚରେ ଘୋଷଣା କରାଗଲା, ସେତେବେଳେ ସେ ତ ମତେ ଆପେ ପରିଚୟ ଦେଇ ପାରିଥାନ୍ତେ । ଆମେ ଏତେ ସମୟ ମଞ୍ଚ ଉପରେ ପାଖାପାଖି ହୋଇ ବସିଲୁ । ଅଥଚ ସେ ରହିଲେ ମୌନ ଗମ୍ଭୀର ହୋଇ ।

 

ଅନୁପମାଙ୍କ ବକ୍ତବ୍ୟ ଶେଷ ହେଲା । ସେ ଆସି ପୁଣି ବସିଲେ ମଞ୍ଚ ଉପରେ । ଇଚ୍ଛା ହେଉଥିଲା ତାଙ୍କୁ ମୋର ପରିଚୟ ଦେବି ବୋଲି ବୀଣା କଥା ଉଠାଇ । ମାତ୍ର କେଜାଣି କାହିଁକି ଚେତନାର ନିଭୃତ ଅଭ୍ୟନ୍ତରରେ ଲୁଚି ରହିଥିବା ମୋର ସେଇ ଭଦ୍ର ବ୍ୟବସ୍ଥାପକଟି ମତେ ବାରଣ କଲା ।

 

ଭାବିଲି, ମୋ ସହିତ ଯେତେବେଳେ ସେ ସମ୍ପର୍କ ରକ୍ଷା କରିବାକୁ ନିବୃତ୍ତ ହେଉଛି ଏବଂ ଇଚ୍ଛାକୃତ ଭାବରେ ଆମର ପରିଚୟକୁ ଏଡ଼ାଇ ଦେଉଛି, ସେତେବେଳେ ତାହାର ଆଚରଣକୁ ଅନୁକରଣ କରିବା ମୋ ପକ୍ଷରେ ଏକମାତ୍ର କର୍ତ୍ତବ୍ୟ ।

 

ଉତ୍ସବ ସାଙ୍ଗ ହେଲା । ମୁଁ ଜାଣି ଶୁଣି ସେଦିନ ଟି’ ପାର୍ଟିରେ ଯୋଗ ନ ଦେଇ ଘରକୁ ଫେରି ଆସିଲି । କାରଣ ମୋର ଆଣଙ୍କା ହେଉଥିଲା କାଳେ ଉଦ୍ୟୋକ୍ତାମାନେ ସେଇ ପରିବେଶ ମଧ୍ୟରେ ଆମକୁ ପରିଚୟ କରାଇ ଦେବେ ।

 

ଘରକୁ ଆସିଲା ବେଳେ ଭାବୁଥିଲି ବୀଣା ଓ ଅନୁପମା ଯଦିଓ ଦୁଇଟି ବନ୍ଧୁ, ସେମାନେ ଥିଲେ ପ୍ରକୃତରେ ଦୁଇଟି ଭିନ୍ନମୁଖୀ ଗତି ପ୍ରବାହ । ସେଇ ଦୁଇ ଭିନ୍ନମୁଖୀ ଗତି ପ୍ରବାହ କିପରି ଓ କାହିଁକି ଯେ ମିଳିତ ହୋଇ ପାରିଲେ, ତାହାହିଁ ବିସ୍ମୟକର !

ଏଭଳି ଏକ ବ୍ୟକ୍ତି ଚରିତ୍ର ବହନ କରିଥିବା ସତ୍ତ୍ୱେ ବୀଣା ଯେ କାହିଁକି ତା’ ସମ୍ପର୍କରେ ଏତେ ଆଗ୍ରହ ପ୍ରକାଶ କରି ମତେ ଚିଠି ଲେଖିଥିଲା, ତାହା ମଧ୍ୟ ରହିଗଲା ମୋ ଭିତରେ ରହସ୍ୟାବୃତ୍ତ ହୋଇ । ବୀଣା ଓ ମୋ ଭିତରେ ରହି ଯାଇଛି ଯେଉଁ ବନ୍ଧୁତ୍ୱ ତାହା ତ ଅମଳିନ !

ଏବେ ରତ୍ନଗିରିରେ ଅନେକ ଉତ୍ସବ ଅନୁଷ୍ଠିତ ହେଉଛି । ସଙ୍ଗୀତ ଆସର, ଚିତ୍ରକଳା ପ୍ରଦର୍ଶନୀ, ପଥପ୍ରାନ୍ତ ଓ ମଧ୍ୟରାତ୍ରିର କବିତା ଆଳାପନୀ, ନାଟକ ଅଭିନୟ ଓ ଆହୁରି କେତେ ଉତ୍ସବ ।

ବେଳେ ବେଳେ ଏକାକୀ ଏଇ ସବୁ କାର୍ଯ୍ୟକ୍ରମରେ ଅନୁପମା ବୁଲୁଥିବାର ମୁଁ ଲକ୍ଷ୍ୟ କରେ । ସେ ମଧ୍ୟ ଲକ୍ଷ୍ୟ କରିଥିବ ମୁଁ କିପରି ବୁଲୁଥାଏ ନିଃସଙ୍ଗ ହୋଇ । କିନ୍ତୁ ମତେ ଦେଖି ଦେଲା ମାତ୍ରେ, ଦୃଷ୍ଟି ଫେରାଇ ନେଇ ସେ ହୋଇଯାନ୍ତି ଅସାଧାରଣ ଭାବରେ ଗମ୍ଭୀର । ମତେ ନ ଜାଣିଲା ପରି ସେ ଶୋଚନୀୟ ଔଦାସିନ୍ୟ ପ୍ରଦର୍ଶନ କରନ୍ତି ।

ବେଳେ ବେଳ, ତାଙ୍କ ସମ୍ପର୍କରେ ମୋ ଭିତରେ ଅନେକ ପ୍ରଶ୍ନ ଉଠେ । ମଣିଷର ସ୍ମୃତି ଓ ପ୍ରବଣତା ଏତେ ମଳିନ ଓ ନିବୁଜ ନୁହେଁ । କଳାକାରକୁ ଦେଖିଲେ ଆଉ ଜଣେ କଳାକାର ଈର୍ଷା କାତରରେ, ଅହଂମନ୍ୟତାରେ ପୀଡ଼ିତ ହେବା ଅପେକ୍ଷା ଆପଣାର ଶ୍ରଦ୍ଧା ସ୍ନିଗ୍‍ଧ ବ୍ୟକ୍ତିତ୍ୱରେ ଆଉ ଜଣକୁ କ’ଣ ନିକଟତର କରି ପାରିବ ନାହିଁ ?

ମୁଁ ପ୍ରତିଥର ଅନୁପମାଙ୍କୁ ଦେଖିଲେ କଥାବାର୍ତ୍ତା କରିବି ବୋଲି ଭାବିଥିଲେ ମଧ୍ୟ ତାଙ୍କର ଜଳଦ ଗମ୍ଭୀର ଚେକା ଗୋଲ ମୁହଁ ଓ ଠିଆ ନାକକୁ ଦେଖି ଦେଲେ ମୁଁ ହୋଇଯାଏ କିପରି ଏକ ଉଦ୍ଧତ ଅଥଚ ସଚେତନ ମଣିଷଟି ।

ମୋ ଭିତରର ସେଇ ଯେଉଁ ନିର୍ଲିପ୍ତ ଅଥଚ ବିଚାରବନ୍ତ ମଣିଷଟି ବରାବର ମତେ ଉପଦେଶ ଦେଇ ଆସନ୍ତି, ସେ ମତେ ଧୀରେ ଧୀରେ ମୋ କାନରେ କହିଲେ–ତୁ ଯେପରି ଜଣେ ପ୍ରତିଭାବାନ୍ ଶିଳ୍ପୀ, ସେ ମଧ୍ୟ ସେଇପରି ଜଣେ ପ୍ରତିଭାବାନ୍ ଶିଳ୍ପୀ । ତୁ କାହିଁକି ତା’ର ଅହଙ୍କାର ପାଖରେ ପରାଜିତ ହେବୁ ? ତୋ ବଡ଼ ପଣିଆଁର ଟେକ ତୁ ବଜାୟ ରଖ ।

ଏସବୁ ବିଷୟ ବୀଣାକୁ ଲେଖି ଜଣାଇବାର ପ୍ରୟୋଜନ ନାହିଁ । ମୁଁ ତାକୁ ଅନୁପମା ବ୍ୟତୀତ ଅନ୍ୟ ବିଷୟରେ ଚିଠି ଲେଖିବି । କାରଣ ତାକୁ ଅନେକ ଦିନ ହେଲା ପତ୍ର ଲେଖି ନାହିଁ ।

Image

 

ଏକ ଆକସ୍ମିକ ଅନୁଭୂତିର ସ୍ପନ୍ଦନ

 

ରାତିରେ ନିୟମିତ ବହିପତ୍ର ଓ ପତ୍ରପତ୍ରିକା ପଢ଼ିବା ପରିତୋଷଙ୍କର ଏକ ଅଭ୍ୟାସ । ତାଙ୍କର ଏଇ ଅଭ୍ୟାସ ଗତ କୋଡ଼ିଏ ବର୍ଷରୁ ବରଂ ଅଧିକ କିଛି ହେବ ।

 

ସେଦିନ ରାତିରେ ସବୁଦିନ ପରି ପରିତୋଷ ଚେୟାର ଉପରେ ବସି ଟେବୁଲ ଲ୍ୟାମ୍ପ ଆଲୋକରେ ଗୋଟିଏ ମାସିକ ପତ୍ରିକାର ନୂତମ ସଂଖ୍ୟା ଓଲଟାଇବାରେ ଲାଗିଲେ । ପତ୍ରିକାଟିର ସମ୍ପାଦକୀୟରେ ଓଡ଼ିଶାର ବହୁ ବିତର୍କିତ ଏକ ସାମ୍ପ୍ରତିକ ସମସ୍ୟା ସମ୍ପର୍କରେ ଆଲୋକ ପାତ କରାଯାଇଥିବାର ଶିରୋନାମାରୁ ଜାଣି, ପରିତୋଷ ହଠାତ୍ ପଢ଼ିବାକୁ ଆରମ୍ଭ କଲେ ।

 

ମାତ୍ର ଏ କ’ଣ ? ଅତ୍ୟନ୍ତ ଉତ୍ସୁକତାର ସହିତ ପଢ଼ିବା ପାଇଁ ପରିତୋଷ ଇଚ୍ଛା କଲେ ମଧ୍ୟ ହଠାତ୍ ସେ ପଢ଼ି ପାରିଲେ ନାହିଁ । ପଢ଼ିବା ପାଇଁ ତାଙ୍କର ଅପରିମେୟ କୌତୂହଳ ସୃଷ୍ଟି ହେଉଥିଲେ ମଧ୍ୟ ମୁଦ୍ରିତ ଅକ୍ଷରଗୁଡ଼ିକ ଟେବୁଲ ଲ୍ୟାମ୍ପର ଅସ୍ପଷ୍ଟ ଅଲୋକରେ ଜାଲଜାଲୁଆ ଦେଖାଗଲା ।

 

ପରିତୋଷ ହଠାତ୍ ଏକ ଅସ୍ୱାଭାବିକତା ଅନୁଭବ କଲେ । ସ୍ୱାଭାବିକ ଭାବରେ ମୁଦ୍ରିତ ଅକ୍ଷରଗୁଡ଼ିକ ଯାହା ତାଙ୍କୁ ଦେଖାଯାଏ ସ୍ପଷ୍ଟ ଓ ଉଜ୍ଜ୍ୱଳ ହୋଇ ଆଜି ଯେପରି ତହିଁରେ ଏକ ଘୋର ବ୍ୟତିକ୍ରମ ଘଟୁଛି ।

 

ସେଦିନ ଥିଲା ମେ’ ମାସର ଏକ ଉତୁରା ଗ୍ରୀଷ୍ମରାତ୍ରି । ପରିତୋଷଙ୍କ ମୁଣ୍ଡ ଉପରେ ପଙ୍ଖା ଘୁରୁଛି ସବୁ ଗ୍ରୀଷ୍ମ ରାତିପରି । ଅଥଚ ତାଙ୍କର ଦୃଷ୍ଟିଶକ୍ତିରେ ଏକି ବୀଡ଼ମ୍ୱନା ?

 

ପରିତୋଷ ଦୁଇ ହାତରେ ଆଖି ମଳିଲେ ଏବଂ ଟେବୁଲ ଲ୍ୟାମ୍ପର ଲାଇଟ୍‍କୁ ବନ୍ଦ କରି କିଛି ସମୟ ଅନ୍ଧାରରେ ବସିଲେ । ସେ ଭାବୁଥିଲେ ସମ୍ଭବତଃ ଅତ୍ୟଧିକ ଗରମ ହେତୁ ସେ ଆଜି ଏଭଳି ଏକ ଅସ୍ୱାଭାବିକତା ଅନୁଭବ କରୁଛନ୍ତି ଏବଂ ଅନ୍ଧାରରେ କିଛି ସମୟ ଚୁପ୍‍ଚାପ ବସିଗଲେ ତାଙ୍କ ଦୃକଶକ୍ତିର ସ୍ୱାଭାବିକ ଔଜଲ୍ୟ ଆପେ ଆପେ ଫେରି ଆସିବ ଓ ପତ୍ରିକାଟି ପଢ଼ିବାରେ ତାଙ୍କର ଆଉ କୌଣସି ଅସୁବିଧା ହେବ ନାହିଁ ।

 

ପ୍ରାୟ ଅଧଘଣ୍ଟାଏ ପର୍ଯ୍ୟନ୍ତ ଅନ୍ଧାରରେ ନୀରବ ହୋଇ ବସିରହିଲା ପରେ ପରିତୋଷ ପୁଣି ଲାଇଟ୍ ଜାଳିଲେ ଏବଂ ଟେବୁଲ ଉପରେ ପୁଣି ଝୁଙ୍କିପଡ଼ି ପତ୍ରିକାଟିକୁ ପଢ଼ିବାରେ ଲାଗିଲେ ।

 

କିନ୍ତୁ ହେଲା ନାହିଁ । ଯେଉଁ ଏକ ନୂତନ ଚକ୍ଷୁ ଯନ୍ତ୍ରଣା ପତ୍ରିକାଟି ସର୍ବପ୍ରଥମେ ଖୋଲିଲାବେଳେ ସେ ଅନୁଭବ କରିଥିଲେ, ସେହି ନୂତନ ଅଥଚ ଅନନୁଭୂତ ଯନ୍ତ୍ରଣାରେ ପୁଣି ସେ ପୀଡ଼ିତ ହେବାରେ ଲାଗିଲେ ।

 

ପରିତୋଷ ନିଜ ଦୃଷ୍ଟିଶକ୍ତିର ଏଇ ଅପ୍ରତ୍ୟାଶିତ ବିଡ଼ମ୍ବନାର କାରଣ ସମ୍ପର୍କରେ କିଛି ବୁଝିପାରିଲେ ନାହିଁ । ମାତ୍ର ତାଙ୍କ ଦୃଷ୍ଟିଶକ୍ତିର ପୃଷ୍ଠଭୂମିରେ ଯେ ଜ୍ୟେଷ୍ଠର ପ୍ରଚଣ୍ଡ ରୌଦ୍ରଦଗ୍‍ଧ ଉତ୍ତାପ ଜଡ଼ିତ ହୋଇ ରହିଥିଲା, ଏଇ ଧାରଣା ଯେପରି କ୍ରମଶଃ ତାଙ୍କର ଦୃଢ଼ୀଭୂତ ହେଉଥିଲା ।

 

ସେ ବାଥ୍‍ରୁମ୍‍କୁ ଚୁପ୍‍ଚାପ୍ ଗଲେ ଏବଂ ବହୁ ସମୟ ପର୍ଯ୍ୟନ୍ତ କୁଣ୍ଡରୁ ଚଳା ଚଳା ପାଣି ଆଣି ଆଖିରେ ଛାଟିବାକୁ ଲାଗିଲେ । ତା’ପରେ ଢାଳରେ ପାଣିଭରି ମୁଣ୍ଡରେ ଢାଳିଲେ ଏବଂ ମଗଜରେ ଭଲ ଭାବରେ ପାଣିଦେଇ ହାତରେ ଥାପୁଡ଼ିବାରେ ଲାଗିଲେ । ଏ ସମସ୍ତ ଧୁଆଧୋଇ ପରେ ପରିତୋଷ ବାଥ୍‍ରୁମ୍‍ରୁ ଫେରି ମୁଣ୍ଡ ଓ ଆଖିକୁ ଭଲ ଭାବରେ ପୋଛି ଛାତ ଉପରକୁ ଗଲେ-

 

ଜ୍ୟେଷ୍ଠର ଏଇ ଦିନଗୁଡ଼ାକ ଯେପର ନିଆଁ ଭଳି ଜଳେ । ମାଟି, ଗଛ, କାନ୍ଥ ଓ ଛାତ ଯେପରି ସେହି ନିଆଁରେ ଡହଡହ ଦେଖାଯାଏ । କିନ୍ତୁ ସନ୍ଧ୍ୟାପରେ ସେଇ ଉତ୍ତାପର କ୍ରମଶଃ ପ୍ରଶମନ ଘଟେ ଓ ରାତ୍ରିରେ ଜ୍ୟେଷ୍ଠମାସ ଧୀର ପବନର ମନ୍ଥର ଛନ୍ଦରେ ଭିନ୍ନ ରୂପ ଧରେ ।

 

ପରିତୋଷ ଛାତ ଉପରେ ଯାଇ ବସିପଡ଼ିଲେ । ମନସ୍ତାତ୍ତ୍ୱିକ ରୀତିରେ ଯେପରି ଏକ କ୍ଳାନ୍ତି ଓ ଅବସାଦ ତାଙର ସମଗ୍ର ଶରୀରକୁ ଆଚ୍ଛାଦିତ କରି ଆସୁଥିଲା । ଜୀବନରେ କେତେ ଧୁ-ଧୁ ବୈଶାଖ, କେତେ ଝାଞ୍ଜିପିଟା ରୌଦ୍ରଦଗ୍‍ଧ ଅପରାହ୍ନ, ମାଇଲ ମାଇଲ ଧରି ଜ୍ୟେଷ୍ଠର ଅପରାହ୍ନରେ ଛତ୍ରହୀନହୋଇ କେତେ ସେ ବୁଲିଛନ୍ତି । କାହିଁ କେବେ ତ ଆଜିଭଳି ସେ କ୍ଳାନ୍ତି ଅନୁଭବ କରିନାହାନ୍ତି ? ତାଙ୍କର ଆଖି ଉପରେ ଗ୍ରୀଷ୍ମର କେତେ ଉଲଙ୍ଗ ପୀଡ଼ନ, ଦେହ ଉପରେ କେତେ ଅତ୍ୟାଚାରର ପ୍ରଳୟପୟୋଧି ବନ୍ୟା ଅତୀତରେ ବହିଯାଇଛି । କିନ୍ତୁ ଆଜି ଯେପରି ତାଙ୍କର ଲୁହାର ଶରୀର ଏ ବର୍ଷର ଗ୍ରୀଷ୍ମ ଋତୁରେ ଅନହୁତି ପରାଜିତ ହୋଇଛି ।

 

ଛାତ ଉପରେ ଅନେକ ସମୟ ବସିଲାପରେ ପରିତୋଷ ପୁଣି ଫେରିଆସିଲେ ଘରକୁ ।

 

ତାଙ୍କ ସ୍ତ୍ରୀ ନିର୍ମଳା ଏପର୍ଯ୍ୟନ୍ତ ଏସବୁ ନୀରବରେ ଲକ୍ଷ୍ୟ କରୁଥିଲେ ମଧ୍ୟ କିଛି କହି ନ ଥିଲେ । ନିର୍ମଳା ଜାଣିଥିଲେ ଯେ ଖରାଦିନେ ଦୀର୍ଘପଥ ଟୁର୍‍ରୁ ଫେରିଲା ପରେ ତାଙ୍କ ସ୍ୱାମୀ ଏପରି ହେଉଛନ୍ତି ଏବଂ ରାତିରେ ବିଶ୍ରାମ ନେଲାପରେ ସେ ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରିଆସିବେ ।

 

ପରିତୋଷ ଛାତ ଉପରୁ ଆସି ଘରେ ଲାଇଟ୍ ନ ଜାଳି ଅନ୍ଧାରରେ ବସିଲେ । ନିର୍ମଳା ରୋଷଘରୁ ଆସି କହିଲେ–ଦେହ କ’ଣ ଭଲ ଲାଗୁନି ନା କ’ଣ ? ମୁଁ ମନାକରୁଛି–ଖରାଦିନେ ଜୟପୁର ଭଳି ଦୂରପଥକୁ ଟୁରରେ ନ ଯିବାପାଇଁ । ତମେ କିନ୍ତୁ ନ ଶୁଣି ଚାଲିଗଲ, ଦେହ କ’ଣ ଲାଗୁଛି ?

 

ପରିତୋଷ କିଛି ଉତ୍ତର ନ ଦେଇ ପୂର୍ବଭଳି ନୀରବ ରହିଲେ । ତାଙ୍କଠାରୁ କିଛି ଉତ୍ତର ନ ପାଇ ନିର୍ମଳା କହିଲେ–ଖାଇସାରି ବେଶ୍ ଟିକିଏ ବିଶ୍ରାମ ନିଅ । ମୁଁ ଯାଉଛି ଖାଇବାକୁ ନେଇଆସେ ।

 

ପରିତୋଷ ସାମାନ୍ୟ କିଛି ଖାଇ ବିଛଣା ଧରିଲେ ।

 

ବିଛଣାରେ ଶୋଇ ପରିତୋଷ ଅଳସ ଭାଙ୍ଗୁଛନ୍ତି, ନିର୍ମଳା ବାସନ ଗୋଟାଇ ନେଉ ନେଉ କହିଲେ–ସବୁଦିନେ ସମାନ ପରିଶ୍ରମ କଲେ କ’ଣ ଚଳିବ ? ବୟସ ହେଲା । ବୟସକୁ ଚାହିଁ ପରିଶ୍ରମ କରିବା ଦରକାର ସିନା !

 

ନିର୍ମଳା ଚାଲିଗଲେ । ପରିତୋଷ ବିଛଣାରେ ପଡ଼ିରହିଲେ । କ୍ଳାନ୍ତିଯୋଗୁ ହୁଏତ ନିଦ ଶୀଘ୍ର ଲାଗି ଯାଇଥାନ୍ତା । କିନ୍ତୁ କେଜାଣି କାହିଁକି ତାଙ୍କୁ ସେଦିନ ନିଦ ହେଲାନାହିଁ । ନିର୍ମଳାଙ୍କ ଶେଷକଥା–ବୟସ ହେଲା’ର ସୁଦୂରପ୍ରସାରୀ ଅର୍ଥ ତାଙ୍କୁ ଯେମିତି ଅନେକ ଦିନ ପରେ ଆଜି ଗଭୀର ଭାବରେ ସ୍ପର୍ଶ କଲା ।

 

ସତେତ ! ତାଙ୍କୁ ଏବେ ଅଣଚାଳିଶି ପୂରି ଚାଳିଶି ଚାଲିଲା । ଏଇ ଚାଳିଶିବର୍ଷ ଯୋଗୁ ଆଜି ବୋଧହୁଏ ପଢ଼ି ପାରିଲେ ନାହିଁ । ଆଖିର ସ୍ୱାଭାବିକ ଦୃଶ୍ୟମାନ ଔଜଲ୍ୟ ଆଜିଠାରୁ ସମ୍ଭବତଃ ନଷ୍ଟ ହୋଇଗଲା । ଏବେ ତାଙ୍କୁ ପଢ଼ିବାକୁ ହେଲେ ସତରେ କ’ଣ ଚଷମାଟିଏ ଲଗାଇବାକୁ ହେବ ?

 

ସେ ଯେତେବେଳେ ମାଟ୍ରିକ୍ ପାଶ୍‍କରି ପ୍ରଥମେ କଲେଜରେ ନାଁ ଲେଖାଇଲେ ତାଙ୍କ ବାପାଙ୍କର ବି ଏମିତି ଦର୍କାର ପଡ଼ିଥିଲା ଚଷମାଟିଏ । ପରିତୋଷ ସେତେବେଳେ ଏଇ ଚଷମା ଲଗାଇବାର ଅର୍ଥଟାକୁ ଭାରି ହାଲ୍‍କା ଭାବରେ ଗ୍ରହଣ କରିଥିଲେ ।

 

ପ୍ରଥମେ ସେ ଧାରଣା କରିଥିଲେ ଅତ୍ୟଧିକ ଗରମ ହେତୁ ଓ ଦୂରପଥ ଗସ୍ତରୁ ଫେରିଥିବା ଯୋଗୁଁ ଆଖିକୁ ହଠାତ୍ ଭଲ ଭାବରେ ଦେଖାଗଲା ନାହିଁ । କିନ୍ତୁ ତାଙ୍କ ଅଲକ୍ଷ୍ୟରେ ଯେ ଆସି ଚାଳିଶି ବର୍ଷ ଧାପଦେଲା, ଏକଥା ପରିତୋଷ ବେଶ୍ ଉପଲବ୍‍ଧି କଲେ ।

 

ପିଲାମାନେ ଆରଘରେ କେତେବେଳୁ ଶୋଇ ପଡ଼ିଲେଣି । ବଡ଼ପୁଅ ଦାଣ୍ଡଘରେ ହୁଏତ ଏକାକୀ ପଢ଼ୁଥିବ । ନିର୍ମଳା ମଧ୍ୟ ତାଙ୍କ ସହିତ କଥାବାର୍ତ୍ତା କରୁ କରୁ ଏଇମାତ୍ର ଶୋଇଲା । ପରିତୋଷ ବିଛଣାରେ ପଡ଼ିରହି ଖାଲି ଏକର ସେକର ହେଲେ ।

 

ନିଜ ବୟସ ସମ୍ପର୍କରେ ପରିତୋଷ ସଚେତନ ହୋଇ ବଡ଼ ଚିନ୍ତାଗ୍ରସ୍ତ ହୋଇପଡ଼ିଲେ ।

 

କା’ଲିପରି ଲାଗୁଛି ତାଙ୍କ ପିଲାଦିନର କଥା । ତାଙ୍କ ଗାଁରେ ସେତେବେଳେ ନ ଥିଲା ପ୍ରାଥମିକ ସ୍କୁଲଟିଏ । ସେ ମାଇଲିଏରୁ କିଛି ଅଧିକବାଟ ଚାଲି ଚାଲି ଯାଉଥିଲେ ଆଉ ଗୋଟିଏ ଗାଁକୁ, ଯେଉଁଠାରେ ସ୍କୁଲ ଥିଲା । ବର୍ଷାଦିନେ ସେଇ ରାସ୍ତାରେ ହୋଇଯାଉଥିଲା ଆଣ୍ଠୁଏ ବହଳର କାଦୁଅ, ପୁଣି ସେଇ ରାସ୍ତାର ଅନେକ ଅଂଶ ଧୋଇ ଯାଉଥିଲା ନଈବଢ଼ିରେ । ସଡ଼କ ଭାଙ୍ଗିଯାଇ ମଝିରେ ମଝିରେ ଯେଉଁ ଘାଇ ହୁଏ, ସେଇ ଘାଇରେ ପରିତୋଷ ଓ ତା’ର ସାଙ୍ଗମାନେ ପେଟେ-ଛାତିଏ ପାଣିରେ ପଶି ଯାଉଥିଲେ ସ୍କୁଲକୁ ।

 

ସେଇଠାରେ ମାଇନର ଓ ହାଇସ୍କୁଲରେ ପାଠପଢ଼ା । ଶିକ୍ଷକମାନଙ୍କର କେତେ ଆବ୍‍ଦାର ଓ କଠୋର ଶାସନ ।

 

ମ୍ୟାଟ୍ରିକ୍ ପରେ କଲେଜରେ ପାଠପଢ଼ା । ଗାଁଠାରୁ ବହୁ ଦୂରରେ କେଉଁ ଏକ ପ୍ରଖ୍ୟାତ ସହରରେ ଜୀବନ ଗଢ଼ିଉଠେ । ବଡ଼ ହେବାପାଇଁ, ଜ୍ଞାନ ଆହରଣ କରିବା ଲାଗି କେତେ ସାଧନା ଓ ପ୍ରତିଯୋଗିତା । କେତେ ବହି ଓ କେତେ ମ୍ୟାଗାଜିନ୍ ପଢ଼ାହୁଏ । ରାତି ରାତି ଉଜାଗର ହୋଇ ପରୀକ୍ଷାଲାଗି ପ୍ରସ୍ତୁତ ହେବାକୁ ପଡ଼େ । ପୁଣି ପ୍ରଥମ ଯୌବନର ମଦିର ଆବେଗରେ ମନ ଉଡ଼ିଯାଉଥିଲା ଆକାଶର କେଉଁ ଏକ ମେଘ ମହଲକୁ । କେଉଁ ସହପାଠିନୀର ପ୍ରଣୟ ଭିକ୍ଷାପାଇଁ କଲେଜ୍ ନୋଟ୍ ବହିର ହୁଏ ବିନିମୟ । ତହିଁ ଉତ୍ତାରୁ ତାହାରି ଉଦ୍ଦେଶ୍ୟରେ ପ୍ରେମ କବିତା ଲେଖା । କଲେଜ ୟୁନିୟନ ନିର୍ବାଚନରେ ବିଜୟୀ ହେବା ପାଇଁ କେତେ ପ୍ରାଣମୂର୍ଚ୍ଛା ସଂଗ୍ରାମ ! କେଉଁ ମୁଲକର ବନ୍ୟାପୀଡ଼ିତ ଦୁର୍ଗତ ଜନସାଧାରଣଙ୍କୁ ରିଲିଫ୍ ବାଣ୍ଟିବା ଲାଗି ସେତେବେଳେ କି ସ୍ୱଦେଶ ବତ୍ସଳତା ! କେତେ ଗାଁ, କେତେ ଘର, କେତେ ଅନାଥା ବିଧବାମାନଙ୍କ ଦୁଃଖରେ ସେ ଦୁଃଖୀ ନ ହୋଇଛନ୍ତି !

 

ସେମାନଙ୍କ ଆଖିରୁ ଲୁହ ପୋଛିଲାବେଳେ ତାଙ୍କ ଆଖି କେତେ ଥର ଅଶ୍ରୁସଜଳ ନ ହୋଇଛି !

 

ହେଇ ତ ଏସବୁ କା’ଲିପରି ! ପାଠପଢ଼ା ପରେ ଆରମ୍ଭ ହେଲା ଆଉ ଏକ ନୂଆ ଜୀବନ, ବିବାହ । ପକ୍ୱଧାନର ବିପୁଳ ଗନ୍ଧେ ସୋରିଷ ଫୁଲର ମାଦକଛନ୍ଦେ–ତାଙ୍କର ବିବାହ ହୋଇଥିଲା ନିର୍ମଳା ସହିତ । ବିବାହ ଶଙ୍ଖର ମନ୍ଦ୍ରଧ୍ୱନି ଏବେ ବି ଯେପରି କାନ ଭିତରେ ବାରମ୍ୱାର ପ୍ରତିଧ୍ୱନିତ ହେଉଛି । ବ୍ୟାଣ୍ଡପାର୍ଟିର ସେଇ ଯେଉଁ ଏକ ସକରୁଣ ମୂର୍ଚ୍ଛନା ଆଜି ମଧ୍ୟ ଯେପରି ବାୟୁ ସ୍ତରରେ ରହି ରହି ନିଉଛାଳି ହେଉଛି ।

 

ଏଇ ତ, ଏଇ ତ ସବୁ କାଆଲି ପରି । ତା’ ପରେ ଆରମ୍ଭ ହେଲା ଜୀବନ ସଂଗ୍ରାମ, ଚାକିରି । ଜୀବନର ଗତି ପ୍ରବାହକୁ ଏଇ ଚାକିରି, ଭୟଙ୍କର ଭାବରେ ବଦଳାଇ ଦେଇଥିଲା । ଚାକିରି ଜୀବନ ଭିତରେ କେତେ ଦୂର ଦୂରାନ୍ତ ସ୍ଥାନ, କେତେ ପାହାଡ଼, ଜଙ୍ଗଲ, ଡିଙ୍ଗର, କେତେ ନଈ ନାଳ, ଅଜଣା ଅଦେଖା ସ୍ଥାନ ଓ ମଣିଷ ସେମାନଙ୍କର ବିଚିତ୍ର ଚରିତ୍ର, ବିଚିତ୍ର ବେଶଭୂଷା, ଈର୍ଷାକାତର, ସ୍ୱାର୍ଥପର ମନୋଭାବ ଏସବୁ ଯେମିତି ପରିତୋଷଙ୍କ ଅଭିଜ୍ଞତାକୁ ଆହୁରି ପୋଖତ ଓ ଶାଣିତ କରିଦେଲା । ଏଇ ଚାକିରି ଜୀବନ ଭିତରେ ଭୁଲି ହୋଇଗଲା ନିଜର ଜନ୍ମଭୂମି, ନିଜ ଗାଁ ନିଜ ମଣିଷ ଓ ଆପଣାର ପ୍ରିୟ ପରିଜନ ଆତ୍ମୀୟ ସ୍ୱଜନମାନଙ୍କୁ ।

 

ଏଇ ତ କାଆଲି ପରି ସେ ଚାକିରିରେ ପଶିଥିଲେ ।

 

ଆହା–ଚାକିରି ଜୀବନର କ୍ରୀତଦାସତ୍ୱ ମଧ୍ୟରେ ସେ ଯେ କି ତୋଷାମଦି ! ଉପର ହାକିମମାନଙ୍କୁ ସନ୍ତୁଷ୍ଟ ନ କଲେ ଓ ସେମାନଙ୍କ ତୁଷ୍ଟି ବିଧାନ ପାଇଁ କାମ ନ କଲେ ସରିଗଲା ସବୁ ।

 

ଏଇମାତ୍ର କେତୋଟି ବର୍ଷ ମଧ୍ୟରେ ଜନ୍ମ ନେଲେ ଦିଲ୍ଲୀପ, କ୍ଷମାମୟୀ, ବୁନୁ, କୁନୁ, ସୁନୁ ତାଙ୍କ ପିତୃତ୍ୱକୁ ଜାହିର କରି । ଚାଳିଶି ବର୍ଷ ବୟସ ମଧ୍ୟରେ ସଂସାର ସମ୍ପର୍କରେ ଗୁଡ଼ାଏ ଅଭିଜ୍ଞତା ଅର୍ଜନ କରିବା ବ୍ୟତୀତ ଆଉ ବା କ’ଣ ସେ କରିଛନ୍ତି ?

 

ଘର ଖଣ୍ଡିଏ, ଜମି ଗୁଣ୍ଠେ, ବ୍ୟାଙ୍କ ବାଲାନ୍‍ସ, ଗାଡ଼ିଟିଏ କ’ଣ ଯେ ସେ କରିଛନ୍ତି ? ଭଲ ଭାବରେ ଗଣ୍ଡିଏ ଖାଇବା ଓ ପିନ୍ଧିବା ବ୍ୟତୀତ ଆଉ ବା ସେ କ’ଣ କରିପାରିଲେ ?

 

କାମ କରିବାରେ ଉଦ୍ଦାମ ଆବେଗ ଚାଳିଶି ବର୍ଷ ପର୍ଯ୍ୟନ୍ତ ରହିଥାଏ । ଯାହା କରିବାର କଥା ଚାଳିଶିବର୍ଷ ବୟସ ପୂର୍ବରୁ କରାଯାଇପାରେ । ଚାଳିଶି ଉତ୍ତୀର୍ଣ୍ଣ ହେଲେ ଆଉ କ’ଣ କିଛି କରି ହୁଏ ?

 

ପରିତୋଷ ରାତ୍ରିର ସେଇ ନିର୍ଜନତା ମଧ୍ୟରେ ଘୋର ମାନସିକ ଅଶାନ୍ତି ଓ ଅବସାଦରେ ଭାଙ୍ଗି ପଡ଼ିଲେ । ସେ ଯେ ଆସି ଚାଳିଶିବର୍ଷ ବୟସରେ ପହଞ୍ଚିଗଲେଣି, ଏଇ ସଚେତନତା ତାଙ୍କୁ ଏକ ମର୍ମାନ୍ତିକ ମାନସିକ ଯନ୍ତ୍ରଣାରେ ବାରମ୍ୱାର ଦହନ କରିବାରେ ଲାଗିଲା ।

 

ସେ ଆଉ ଶୋଇପାରିଲେ ନାହିଁ । ବିଛଣାରୁ ହଠାତ୍ ଉଠିପଡ଼ିଲେ ଏବଂ ତାଙ୍କ ଉପରେ ସବାର ହୋଇଥିବା ବୟସର ସେଇ ଭୂତକୁ ଏକ ଶକ୍ତିଶାଳୀ ଲାତରେ ଦୂରକୁ ଫିଙ୍ଗିଦେବା ପାଇଁ ମନ ଭିତରେ ବିପୁଳ ଶକ୍ତି ସଂଗ୍ରହ କଲେ ।

 

ସେଇ ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ତାଙ୍କ ଟେବୁଲ ପାଖକୁ ଗଲେ ଓ ଲ୍ୟାମ୍ପର ସୁଇଚ୍ ଟିପିଲେ । ଟେବୁଲ ଉପରେ କୁଢ଼େଇ ହୋଇ ପଡ଼ିଲା ସଫେଦ ଆଲୋକ । ପତ୍ରିକାଟି ଭଙ୍ଗା ହୋଇ ରହିଥିଲା ସେଇମତି ଟେବୁଲରେ । ପରିତୋଷ ପୁଣି ତାକୁ ପଢ଼ିବା ଲାଗି ପ୍ରସ୍ତୁତ ହେଲେ ।

 

ସେ ଭାବିଲେ ବୟସ ସମ୍ପର୍କରେ ଅଧିକ ସଚେତନ ହେବା କୌଣସି ବୁଦ୍ଧିମାନ୍ ଲୋକର କର୍ତ୍ତବ୍ୟ ନୁହେଁ । ଏଇ ବୟସକୁ ଭୁଲିଯିବାକୁ ହେବ ଏବଂ ତଦ୍‍ଜନିତ ଯେଉଁସବୁ ସାଂସାରିକ ଚିନ୍ତା ତାଙ୍କ ଚେତନାରେ ଅକସ୍ମାତ ପ୍ରବେଶ କରିଛି, ତାକୁ ଠେଲି ପେଲି ବାହାର କରିଦେବାକୁ ହେବ । କିଏ କହିଲା ତାଙ୍କର ବୟସ ହୋଇଯାଇଛି ବୋଲି ।

 

ପରିତୋଷ ପୁଣି ପଢ଼ିବାକୁ ଉପକ୍ରମ କଲେ । ମାତ୍ର କାହିଁ ? ଅନେକ ସମୟ ଅତିବାହିତ ହେଲା । ଆଖିରେ ଯନ୍ତ୍ରଣା ଆହୁରି ବଢ଼ିଲା । ମାତ୍ର ଗୋଟିଏ ଧାଡ଼ି ସେ ବହୁ କଷ୍ଟରେ ଆୟତ୍ତ କରିପାରିଲେ । ପରବର୍ତ୍ତୀ ଧାଡ଼ିଗୁଡ଼ିକ ତାଙ୍କୁ ଦଶିଲା ପୂର୍ବପରି ଛାଇଛାଇଆ ଓ କୁହୁଡ଼ିଭିଜା ଦୂରାନ୍ତର ତାଳବଣ ପରି ବଳୟିତ ।

 

ସେ ପତ୍ରିକାଟିକୁ ରାଗରେ ବନ୍ଦ କରିଦେଲେ ଓ ଏକ ଦୀର୍ଘଶ୍ୱାସ ପକାଇଲେ । ନାଁ, ଆଉ ହେବ ନାହିଁ । ବୟସର ଏକ ନିର୍ଦ୍ଦିଷ୍ଟ ସଚେତନତା ତାଙ୍କର ସଂକଳ୍ପକୁ ବାରମ୍ୱାର ଆଘାତ କରୁଛି ଏବଂ ତାଙ୍କର ଦୂରନ୍ତ ତାରୁଣ୍ୟ ଉପରେ ବୟସର ସେଇ ନବାଗତ ପ୍ରୌଢ଼-ରାକ୍ଷସ, ବାରମ୍ୱାର ସବାର ହେଉଛି । ସେ ଚେୟାର ଉପରୁ ଉଠିପଡ଼ିଲେ ଏବଂ ନିର୍ମଳାଙ୍କ ସେଇ ପଦକ କଥା ‘ବୟସ ହୋଇଗଲା’ କଥାଟାକୁ ସେ ଯେପରି ଅଙ୍ଗୀକାର କରି ନେଲେ ।

 

ଟେବୁଲ ଲ୍ୟାମ୍ପର ସ୍ୱଳ୍ପ ଉଦ୍ଭାସରେ ସେ ଅନାଇଲେ ନିର୍ମଳାକୁ । ସେ ବେଶ୍ ଶୋଇଯାଇଛି ନିଦରେ । ନିଦ୍ରାଗତ ନିର୍ମଳାକୁ ସେ ଅନେକ ବର୍ଷ ହେଲା ଅର୍ଥାତ୍ ସୁନୁର ଜନ୍ମ ପରଠାରୁ ଦେଖି ନ ଥିଲେ ଏତେ ଆନ୍ତରିକତାର ସହିତ ଯଦି ଓ ସେମାନେ ଅଭ୍ୟାସ କରି ଗୋଟିଏ ଘରେ ଏବଂ ଦୁଇଟି ଶଯ୍ୟାରେ ଅଲଗା ଅଲଗା ଶୁଅନ୍ତି ।

 

ଆଜିକୁ ପନ୍ଦରବର୍ଷ ତଳେ ମାର୍ଗଶୀରର ଏକ ଶୀତ ଶୀତ୍କାରିତ ରାତିରେ ନିର୍ମଳାକୁ ସେ ଦେଖିଥିଲେ ନବବଧୂ ରୂପରେ ପ୍ରଥମ କରି । ଆଜି ପନ୍ଦର ବର୍ଷ ପରେ ପାଞ୍ଚଟି ସନ୍ତାନର ଜନନୀ ନିର୍ମଳା ଓ ସେଦିନର ନବବଧୂ ନିର୍ମଳା ମଧ୍ୟରେ ଓଃ କି ଆଶ୍ଚର୍ଯ୍ୟ ପାର୍ଥକ୍ୟ !

 

ଏକ ଅବ୍ୟକ୍ତ ବେଦନାରେ ଭାଙ୍ଗିପଡ଼ି, ଲାଇଟ୍ ଅଫ୍ କରି ପୁଣି ତାଙ୍କ ବିଛଣାରେ ସେ ଗଡ଼ି ପଡ଼ିଲେ ।

 

ନିର୍ମଳା ଓ ପିଲାମାନଙ୍କ ଅଜାଣତରେ ଆଖି ପରୀକ୍ଷା ସାରି ଏବଂ ନିଜ ରୁଚି ଅନୁଯାୟୀ ଫ୍ରେମ୍‍ଟିଏ ମନୋନୀତ କରି ପରିତୋଷ ଚଷମାଟିଏ କରିଛନ୍ତି ।

 

ସେଦିନ ସନ୍ଧ୍ୟାବେଳେ ଅଫିସରୁ ଫେରିଲା ପରେ ନିଜ ଟେବୁଲ ଲ୍ୟାମ୍ପର ଆଲୁଅରେ ଚୁପ୍‍ଚାପ୍‍ ନୂଆ ଚଷମାଟିକୁ ଆଖିରେ ଦେଇ ଚାରିଦିନ ତଳେ ପତ୍ରିକାଟିର ଯେଉଁ ଅଂଶଟିକୁ ପଢ଼ିବା ଲାଗି ବାରମ୍ୱାର ଚେଷ୍ଟାକରି ବିଫଳ ହୋଇଥିଲେ ସେଇ ଅଂଶକୁ ପଢ଼ୁ ପଢ଼ୁ, ହଠାତ୍ ସେ ସଚେତନ ହୋଇଗଲେ । ନିର୍ମଳା ହୁଏତ ବର୍ତ୍ତମାନ ଚା’ ଧରି ଆସୁଥିବେ ଓ ଚଷମା ଦେବା ଅବସ୍ଥାରେ ସେ ଯଦି ତାଙ୍କୁ ଦେଖନ୍ତି, ତେବେ ତାଙ୍କର ନୂଆ ଚେହେରା ଦେଖି ସେ ନିଶ୍ଚୟ ବିସ୍ମିତା ହେବେ । ପରିତୋଷ ଅତି ସନ୍ତର୍ପଣରେ ଚଷମାଟିକୁ ଆଖିରୁ ଖୋଲିବା ପୂର୍ବରୁ ଦର୍ପଣରେ ନିଜ ଚଷମାଦିଆ ମୁହଁଟିକୁ ଦେଖିନେଲେ । ତା’ପରେ ଚଷମାଟିକୁ ଖୋଲି, ସେଇ ପତ୍ରିକା ମଧ୍ୟରେ ଲୁଚାଇ ଦେଲେ ।

 

ସତକୁସତ ନିର୍ମଳା ଚା’ ଧରି ଆସିଲେ ଓ ଟେବୁଲ ଉପରେ କପ୍ ଥୋଇ ଦେଇ ଚାଲି ଯାଉ ଯାଉ ପରିତୋଷ ସୋହାଗରେ ଡାକିଲେ–ଶୁଣ ଟିକିଏ ଶୁଣି ଯା !

 

ନିର୍ମଳା ରୋଷଘରେ ତରକାରୀ ବସାଇ ଦେଇ ଆସିଛନ୍ତି । ଡେରି ହୋଇଗଲେ ହୁଏତ ତରକାରୀ ପୋଡ଼ିଯାଇପାରେ । ସ୍ୱାମୀଙ୍କର ଏଇ ଆକସ୍ମିକ ସୋହାଗ ବୋଳା ଡାକରେ ସେ ଥମକି ଠିଆ ହେଲେ ଏବଂ ପରିତୋଷଙ୍କ ପାଖକୁ ଲାଗି ଆସି କହିଲେ–କ’ଣ କହୁଛ ?

 

ପରିତୋଷ ପତ୍ରିକାଟିକୁ ଖୋଲି କହିଲେ–ଏଇ ଅଂଶତକ ତମେ ପଢ଼ିଲ ଦେଖି ?

 

ପରିତୋଷ ପତ୍ରିକାଟିର ଗୋଟିଏ ଅଂଶରେ ଆଙ୍ଗୁଳି ରଖି ନିର୍ମଳାଙ୍କୁ ପଢ଼ିବାକୁ ଦେଲେ-। ସ୍ୱାମୀଙ୍କର ଏପରି ଏକ ଆଦେଶରେ ଆଶ୍ଚର୍ଯ୍ୟ ହୋଇ ହସି ହସି କହିଲେ–କ’ଣ ପରୀକ୍ଷା କରୁଛ ମତେ ବିବାହର ପନ୍ଦର ବର୍ଷ ପରେ ?

 

ପରିତୋଷ କଥାଟାକୁ ବାଆଁରେଇ କହିଲେ–ନାଇଁ ମ, ମୁଁ ଦେଖୁଛି ତମେ କି ଭଳି ପଢ଼ି ପାରୁଛ, କବିତା ଆବୃତ୍ତିରେ, ମ୍ୟାଟିକ୍ ପଢ଼ୁଥିଲାବେଳେ ତମେ ପରା କୁଆଡ଼େ ଫାଷ୍ଟ୍ ହୋଇଥିଲ ! ଆଚ୍ଛା ଦେଖି ! !

 

ନିର୍ମଳା ଏକ ବାଧ୍ୟ ଶିଶୁ ପରି ଏବଂ ପୁଣି ସ୍ୱାଭାବିକ ଢଙ୍ଗରେ ଚାରିଧାଡ଼ି ପଢ଼ି ସାରିଲା ପରେ ପରିତୋଷ କହିଲେ–ବେଶ୍, ଠିକ୍ ଅଛି । ଭଳି ପଢ଼ି ପାରୁଛ ତ ତମେ । ଏତିକିରେ ଥାଉ । ତମେ ଏବେ ତମ କାମରେ ଯାଇପାର ।

ନିର୍ମଳା ଟିକିଏ ହସିଦେଲେ ଏବଂ କହିଲେ–ବାଃ, ଭଲ ଅଭିନୟ ତ କରିପାରିଲ ତମେ ଆଜି !

ନିର୍ମଳା ଚାଲିଗଲେ । ସେ ଭାବିଲେ ନିର୍ମଳା ତ ପଢ଼ି ପାରିଲା ବେଶ୍ ସ୍ୱଚ୍ଛନ୍ଦ ଭାବରେ । ତାଙ୍କର ଚାଳିଶି ହୋଇନାହିଁ । ତାଙ୍କଠାରୁ ବୟସରେ ସେ ପାଞ୍ଚବର୍ଷ ସାନ । ତେଣୁ ପଢ଼ିବାରେ ତାଙ୍କର କୌଣସି ଅସୁବିଧା ସୃଷ୍ଟି ହେଉନାହିଁ ।

ପରିତୋଷ ପୁଣି ଚଷମାଟିକୁ ବାହାର କରି ଆଖିରେ ଲଗାଇଲେ ଏବଂ ଅପୂର୍ଣ୍ଣ ରହିଥିବା ଅଂଶଗୁଡ଼ିକୁ ପଢ଼ିବାରେ ଲାଗିଲେ ।

ସାନପୁଅ କୁନୁ କେତେବେଳେ ତାଙ୍କ ରୁମ୍‍କୁ ପଶି ଆସିଛି ତା’ର ଟ୍ୟୁସନ ମାଷ୍ଟର ପାଖରୁ, ତାଙ୍କୁ ମାଲୁମ ନାହିଁ । ପରିତୋଷଙ୍କ ଆଖିରେ ଚଷମା ଦେଖି ସେ କୌତୂହଳରେ ତାଙ୍କ ପାଖକୁ ଯାଇ କହିଲା–ବାପା, ତମେ କ’ଣ ଚଷମା ପିନ୍ଧିଛ ? ଆଗରୁ ତ କେବେ ପିନ୍ଧୁ ନଥିଲ ? ଅଫିସ୍‍କୁ ଗଲାବେଳେ ତମେ ଯେଉଁ କଳା ଚଷମାଟି ପିନ୍ଧ, ମତେ ସେଇଟାକୁ ଦେଇଦେବ ।

ପରିତୋଷ କୁନୁକୁ କୋଳରେ ବସାଇ କହିଲେ–ଡାକ୍ତର କହିଛନ୍ତି ଚଷମା ନ ପିନ୍ଧିଲେ ଆଖି ଖରାପ ହେବ । ତେଣୁ ଏଇ ଚଷମାଟି କିଣିଲି । ଆଚ୍ଛା ବାପା ! ଚଷମାଟି ଭଲ ଦେଖାଯାଉଛି ତ ? କାଲି ମୋ ଆର କଳା ଚଷମାଟି ତତେ ଦେଇଦେବି ।

 

କୁନୁ ମନ ଖୁସିରେ ତାଙ୍କ କୋଳରୁ ଚଟ୍‍କରି ଉଠିପଡ଼ି ଦାଣ୍ଡ ଘରକୁ ଦଉଡ଼ି ଦଉଡ଼ି ଗଲାବେଳେ ଖୁବ୍ ବଡ଼ ପାଟିରେ କହୁଥିଲା–ବଡ଼ଭାଇ, ସାନଭାଇ, ଦେଈ ମ–ଦେଖିବ ଆସ ବାପା ନୂଆ ଚଷମା ପିନ୍ଧିଛନ୍ତି !

 

କୁନୁର ପାଟିରେ ସମଗ୍ର କ୍ୱାଟରଟି ପ୍ରକମ୍ପିତ ହୋଇଗଲା ଏବଂ ପରିତୋଷ ଏକ ନିଃସହାୟ ଅଥର୍ବ ବ୍ୟକ୍ତିପରି ଟେବୁଲ ଲ୍ୟାମ୍ପ ପାଖରେ ଝୁଙ୍କିପଡ଼ି ପତ୍ରିକାରେ ମୁଦ୍ରିତ ହୋଇଥିବା ଅକ୍ଷରଗୁଡ଼ିକୁ ନୂଆ ଚଷମାର ଲେନ୍‍ସ ଭିତରୁ ଦେଖୁଥିଲେ । ମାତ୍ର ତାଙ୍କର ଆଶଙ୍କା ହେଉଥିଲା ଯେ କାଳେ ଅନ୍ୟ ପିଲାମାନେ ଆସି ତାଙ୍କର କୃତ୍ରିମ ଆଖି ଦୁଇଟିକୁ ଦେଖି ନେବେ ।

Image

 

ଗୋଟିଏ ନୂଆ ତଥ୍ୟର ଆବିଷ୍କାର

 

ଶ୍ରଦ୍ଧାନନ୍ଦ ଥରେ ନିମାଇଁକୁ କହିଲେ–ବୁଝିଲ ନିମାଇଁ, ବିଗତ ଅତୀତରେ ଯେଉଁ ନାରୀ ତମର ପ୍ରଣୟିନୀ ହୋଇଥିବ, ଘଟଣାଚକ୍ରରେ ସେଇ ପ୍ରଣୟିନୀ ତମର ହୋଇଯିବ ଖୁବ୍ ଶତ୍ରୁ । ଏକଥା ଜାଣିଛ ?

 

କଥାଟାର ମର୍ମ ଅବଶ୍ୟ ହଠାତ୍ ଉପଲବ୍‍ଧି କଲେ ନିମାଇଁ । ମାତ୍ର ଶ୍ରଦ୍ଧାନନ୍ଦଙ୍କର ଏଇ ନୂଆ ତଥ୍ୟକୁ ସେ ଗ୍ରହଣ କରିପାରିଲେ ନାହିଁ । ସେ କିଛି ଉତ୍ତର ନ ଦେଇ ନୀରବ ରହିଲେ ଓ ଭାବିଲେ ଶ୍ରଦ୍ଧାନନ୍ଦଙ୍କ ଅନୁଭୂତିର ଦିଗନ୍ତ ଅବଶ୍ୟ ଗଭୀର: ପୃଥିବୀ ଏବଂ ତାର ଚରିତ୍ରମାନଙ୍କୁ ଚିହ୍ନିବାରେ ତାଙ୍କର ଅର୍ନ୍ତଦୃଷ୍ଟି ତୀକ୍ଷ୍‍ଣ । ମାତ୍ର ଏଇ ତଥ୍ୟଟି ତାକୁ କେମିତି ଅଡ଼ୁଆ ଅଡ଼ୁଆ ଲାଗିଲା-

 

ସେ ଭାବିଲେ, ଯେଉଁ ନାରୀଟି ଅତୀତରେ ଯେଉଁ ପୁରୁଷକୁ ପ୍ରେମ କରିଥିବ, ସେ ଆକର୍ଷଣର ମହକିତ ସୁରଭି ସାରା ଜୀବନ ତା’ର ଅନ୍ତରକୁ ଆମୋଦିତ କରୁଥିବ । ପ୍ରେମର ସରଳ ଅର୍ଥ ହୁଏତ ଅନ୍ୟମାନଙ୍କ ଦୃଷ୍ଟିରେ ପାପ କିମ୍ୱା ଅପରାଧ ହୋଇପାରେ, କିନ୍ତୁ ତାହା ଯେ ଏକ ଅପରିହାର୍ଯ୍ୟ ଚେତନାଗତ ଆନନ୍ଦ, ସେକଥା ଖୁବ୍ ଅଳ୍ପ ଲୋକେ ବୁଝନ୍ତି । ସେଥିପାଇଁ କେତେ ପ୍ରଣୟୀ ପ୍ରଣୟିନୀ ସମୟର ବିସ୍ମୃତ ବୋଲିବନ୍ତକୁ ଉଖାରି ତାହାର କେଉଁ ଅତଳ ଅଭ୍ୟନ୍ତରରେ ଲୁଚିଥିବା ସେଇ ଫଲ୍‍ଗୁଟିକୁ ଖୋଜି ବସନ୍ତି !

 

ନିମାଇଁ ଶ୍ରଦ୍ଧାନନ୍ଦକୁ କହିଲେ–ବୁଝିଲ ଶ୍ରଦ୍ଧାନନ୍ଦ ! ସମାଜର ଚିତ୍ର ଓ ଚରିତ୍ର ସମ୍ପର୍କରେ ତମଠାରୁ ଅନେକ ନୂଆ ନୂଆ ତଥ୍ୟ ମୁଁ ଶୁଣିଛି । ସବୁଥିରେ ତମ ଦୃଷ୍ଟିପାତ ପ୍ରକୃତରେ ନୂତନ ଧରଣର । ମାତ୍ର ଆଜିର ଏ ତଥ୍ୟ ସହିତ ମୁଁ ଏକମତ ହୋଇପାରୁ ନାହିଁ । ମୋର ମନେ ହେଉଛି ତମେ ଏକ ପ୍ରତିଷ୍ଠିତ ସତ୍ୟର ଅପଳାପ କରୁଛ ।

 

ଶ୍ରଦ୍ଧାନନ୍ଦ ଚିରାଚରିତ ଭାବରେ ହସିଦେଲେ । ନିମାଇଁ ସହିତ ଦେଶ ଓ ଜାତିର ନାନା ଜଟିଳ ସମସ୍ୟା ସମ୍ପର୍କରେ ଆଲୋଚନା କରୁଥିବାବେଳେ ତାହାର ଯୁକ୍ତି ଶୁଣି ଏହିପରି ହାଲ୍କା ଭାବରେ ସେ ହସି ଦିଅନ୍ତି । କାରଣ ସେ ଭଲ ଭାବରେ ଜାଣନ୍ତି ଯେ ନିମାଇଁ ଏବେ ମଧ୍ୟ ଏଇ ବିଚିତ୍ର ସଂସାର ତା’ର ପ୍ରକୃତି ତା’ର ମଣିଷ ଏବଂ ସେମାନଙ୍କର ପ୍ରବୃତ୍ତି ଓ ମନସ୍ତତ୍ୱ ସମ୍ପର୍କରେ, କଲେଜରେ ଅଠର ବର୍ଷ ତଳେ ପଢ଼ୁଥିବା ବେଳେ ଯେଉଁ ଉପରଠାଉରିଆ ଓ ପୁସ୍ତକଗତ ଜ୍ଞାନ ନେଇ ତା’ର ବିଚାରବୋଧକୁ ପରିପକ୍ୱ କରିଥିଲା, ଏବେ ମଧ୍ୟ ସେହି ବିଚାରବୋଧର ସାମାନ୍ୟ ପରିବର୍ତ୍ତନ ହୋଇନାହିଁ । କାରଣ ତା’ ମଧ୍ୟରେ ଗୁଡ଼ାଏ ପ୍ରବଣତା ଅଛି ଓ ଜଣେ ଧନାଢ଼୍ୟ ବ୍ୟକ୍ତି ଯଦି ଆସି ତା’ ପାଖରେ ଛଳନା କରି ଦରିଦ୍ରର ଅସରନ୍ତି କାହାଣୀ ଖୋଲି ବସେ, ନିମାଇଁର ହୃଦୟ ଆର୍ଦ୍ର ହୋଇଯାଏ, ଚକ୍ଷୁ ତା’ର ଅଶ୍ରୁ ସଜଳ ହୋଇଉଠେ ଓ ତା’ ପାଖରେ ଯାହା ପଇସାପତ୍ର ଥାଏ, ସେ ତାହାକୁ ଅକାତରରେ ସମର୍ପି ଦିଏ ।

 

ଶ୍ରଦ୍ଧାନନ୍ଦ ହସି ହସି କହିଲେ–ବୁଝିଲ ନିମାଇଁ–ମୁଁ ସତ୍ୟର ଅପଳାପ କରୁନାହିଁ । ତମେତ ଜାଣିଛ, ବନ୍ଧୁ ହିସାବରେ ତମକୁ ଅନେକକଥା କହିଛି । କେତେ ନିଷ୍ଠୁର କେତେ ଅସାମାଜିକ, କେତେ ବିଭତ୍ସ, ଆପାତଃ ଦୃଷ୍ଟିରେ ଯିଏ ଆଦର୍ଶବାଦୀ ସିଏ ପୁଣି କିପରି ଧପପାବାଜ ଏବଂ ଆହୁରି ଅଂସଖ୍ୟ ଘଟଣା ତମକୁ କହିଛି । ତମେ ମୋ ସଙ୍ଗେ ଆଜିପରି କେତେ ଯୁକ୍ତି କରିଛ-। ମୋ କଥାର ସତ୍ୟତା ପାଇଁ କେତେ ସନ୍ଧାନ ଏବଂ ଏପରିକି ମାସ ମାସ ଧରି କେତେ ଅନ୍ୱେଷଣ କରିଛି, ସେସବୁ ମୁଁ ଜାଣେ: କିନ୍ତୁ ମୋର ସେଇ ସମସ୍ତ ଆବିଷ୍କାରରେ ତମେ କେବେ ମିଥ୍ୟାଚାରର ସୂଚନା ପାଇଛ ?

 

ନିମାଇଁ କହିଲେ–ମୁଁ ପୂର୍ବପରି ତମର ସମସ୍ତ ତଥ୍ୟ ଓ ଯୁକ୍ତିକୁ ଗ୍ରହଣ କରିନେବି, ତମେ ଯଦି ଏହାକୁ ପ୍ରମାଣିତ କରିଦେବ ।

 

ଦୁହେଁ ମୁଖ୍ୟରାସ୍ତାରେ ଚାଲି ଚାଲି ସହର ଉପାନ୍ତରେ ଥିବା ଏକ ‘କଫି ହାଉସ୍’ରେ ପହଞ୍ଚିଲେ । ସେଠାରେ ଗୋଟିଏ ଟେବୁଲକୁ ସାମନା ସାମନି କରି ପଡ଼ିଥିବା ଦୁଇଟି ଚେୟାରରେ ବସିପଡ଼ି କଫି ବରାଦ ଦେଲେ ।

 

ସେଦିନ କାହିଁକି କେଜାଣି କଫି ହାଉସରେ ଥିଲା ପ୍ରବଳ ଭିଡ଼ । ଶ୍ରଦ୍ଧାନନ୍ଦ ଓ ନିମାଇଁଙ୍କ ଚାରିପିଠି ଘେରି ବସିଥିଲେ ସେମାନଙ୍କ ପରି କେତେକ କଫି-ପାନପ୍ରୟାସୀ ଭଦ୍ରଲୋକ । ଚାଲି ଚାଲି ଆସୁଥିଲାବେଳେ ସେମାନଙ୍କ ମଧ୍ୟରେ ଯେଉଁ ଆଲୋଚନା ହୋଇଉଠୁଥିଲା ଆନ୍ତରିକ, ତାହାର ଧାରା, କଫି ହାଉସ୍‍ର ଜନଗହଳି ମଧ୍ୟରେ କେତେ ସମୟ ପାଇଁ ରହିଗଲା ନିସ୍ପନ୍ଦିତ ହୋଇ । ଯେଉଁ ଆଲୋଚନା ତାଙ୍କର ବ୍ୟକ୍ତିଗତ ଜୀବନରେ ଦୁଇଟି ପରିଧି ମଧ୍ୟରେ ସୀମାବଦ୍ଧ ଥିଲା, ତାହାକୁ ସେମାନେ କିପରି ପୁଣି ଖୋଲି ଦିଅନ୍ତି ଜନଗହଳିର କ୍ରମଃସାନ୍ଦ୍ରତା ମଧ୍ୟରେ ?

 

ବହୁ ବିଳମ୍ୱରେ ବଏ ଆଣି ସେମାନଙ୍କୁ କଫି ଦେଇଗଲା । ଏପର୍ଯ୍ୟନ୍ତ ଶ୍ରଦ୍ଧାନନ୍ଦ ଓ ନିମାଇଁ ଚୁପଚାପ ବସିଥିଲେ ଏବଂ ଉଭୟଙ୍କ ଚେତନାରେ କ୍ରମଶଃ ଘନୀଭୂତ ହୋଉଥିଲା ସେଇ ନୂତନ ତଥ୍ୟର ଆବିଷ୍କାରଜନିତ ବାୟୁମଣ୍ଡଳ ।

 

କଫି ପିଇ ସାରିଲା ପରେ ଶ୍ରଦ୍ଧାନନ୍ଦ କହିଲେ; ପୂର୍ବଦିନମାନଙ୍କ ପରି କଫି ହାଉସ୍ ଆଜି ଜନବିରଳ ନୁହେଁ । ତେଣୁ ଏଠାରେ ଅଯଥାରେ ନ ବସି ଚାଲ ଯିବା ପାର୍କକୁ । ହୁଏତ ସେଠାରେ ଆଲୋଚନା ଲାଗି ଆମକୁ ପ୍ରଶସ୍ତ କ୍ଷେତ୍ର ମିଳିବ ।

 

ଦୁହେଁ ପୁଣି ମୁଖ୍ୟ ରାସ୍ତାରେ ପହଞ୍ଚିଲେ ଏବଂ ଚାଲି ଚାଲି ପାର୍କଆଡ଼କୁ ଆଗେଇଲେ ।

 

ସେମାନେ ଆସି ପାର୍କ ପହଞ୍ଚିଲେ । ସଂଧ୍ୟା ଅତିକ୍ରାନ୍ତ କରି ନ ଥିଲେ ମଧ୍ୟ ପାର୍କରେ ସେଦିନ ବିଶେଷ ଗହଳି ନ ଥିଲା । କାଁ ଭାଁ କେହି କେମିତି ବୁଲୁଥିଲେ ଅଥବା ଘାସ ପଡ଼ିଆରେ ଦଳେ ବସି କେହି କେମିତି ଖୁସି ଗପ କରୁଥିଲେ ।

 

ଶ୍ରଦ୍ଧାନନ୍ଦ ଓ ନିମାଇଁ ଦୁହେଁଯାକ ଗୋଟାଏ ଲମ୍ୱା ସିମେଣ୍ଟ ବେଞ୍ଚ ଉପରେ ଯାଇ ବସିଲେ । ଶ୍ରଦ୍ଧାନନ୍ଦ କହିଲେ; ମୋ ତଥ୍ୟ ସମ୍ପର୍କରେ ତମକୁ ଆଜି ଏକ ନିଛକ ସତ୍ୟ କାହାଣୀ କହିବି । ମୋର କାହାଣୀ ଶୁଣି ସାରିଲାପରେ ମୁଁ ଭାବୁଛି ତମର ପ୍ରଣୟଜନିତ ସେଇ ଅବବୋଧ ହୁଏତ ଦୂରହୋଇ ପାରିବ ।

 

ତେବେ କାହାଣୀଟି ଶୁଣ !

 

ମୁଁ ଯେଉଁ କାହାଣୀ କହୁଛି ସେଇ କାହାଣୀ ହେଉଛି ପନ୍ଦର ଷୋଳ ବର୍ଷ ତଳର କଥା । ମୋର ଜଣେ ବନ୍ଧୁ, ଜଣେ ଶିକ୍ଷିତା ଅଥଚ ସୁନ୍ଦରୀ ତରୁଣୀଙ୍କୁ ଖୁବ୍ ଭଲ ପାଉଥିଲେ ଏବଂ ବିନିମୟରେ ସେଇ ନାରୀଟି ତାଙ୍କୁ ମଧ୍ୟ ଖୁବ୍ ଶ୍ରଦ୍ଧା କରୁଥିଲେ । ଏଇ ପ୍ରୀତି ଏପରି ସ୍ତରରେ ଆସି ପହଞ୍ଚିଲା ଯେ ଗୋଟିଏ ଦିନ, ସେମାନେ ଯଦି ଭେଟାଭେଟି ନ ହୁଅନ୍ତି, ତେବେ ସେମାନେ ମନେକରନ୍ତି ଗୋଟାଏ ଯୁଗ ବୋଲି । ଏମାନଙ୍କର ସମ୍ପର୍କ ଏତେ ସୁଗଭୀର ବୋଲି କାହାରି ଧାରଣା ନ ଥିଲା । ସେ ଦୁହିଁଙ୍କ ବ୍ୟତୀତ ପୃଥିବୀର ଆଉ କୌଣସି ତୃତୀୟ ବ୍ୟକ୍ତି, ଏମାନଙ୍କର ପ୍ରଣୟ ସମ୍ପର୍କରେ ଖବର ରଖି ନ ଥିଲେ ।

 

ମୁଁ ମୋ’ର ବନ୍ଧୁଠାରୁ ଯାହା ଶୁଣିଛି, ସେଇଥିରୁ ଜାଣିଛି ସେମାନଙ୍କର ପ୍ରଣୟ ଥିଲା ଅସାଧାରଣ । ସେମାନଙ୍କର ପ୍ରୀତି କେବଳ ଚେତନା ସ୍ତରରେ ନ ଥିଲା କିମ୍ୱା ଦେହର ଦେହଳୀ ମଧ୍ୟରେ ସୀମାବଦ୍ଧ ହୋଇ ରହି ନଥିଲା । ଯାହା ମୁଁ ଲକ୍ଷ୍ୟ କରିଥିଲି ତାହାଥିଲା ପ୍ରକୃତରେ ଦେହାତୀତ । ଦୁଇଟି ଆବେଗ ଆକୁଳଧର୍ମୀ ଆତ୍ମା ତାଙ୍କର ହୁଏତ ଗୋଟିଏ କେନ୍ଦ୍ରବିନ୍ଦୁରେ ପହଞ୍ଚିବା ଲାଗି କେବେ କେମିତି ବିଚ୍ୟୁତ ହୋଇଥିବ; ମାତ୍ର ସେଇଟା ତ ଜୀବଜଗତର କଥା ।

 

କିନ୍ତୁ ଏ ସମସ୍ତ ସାଧାରଣ ପ୍ରକ୍ରିୟାକୁ ବାଦଦେଲେ ସେମାନଙ୍କର ପ୍ରଣୟ ଥିଲା ପ୍ରକୃତରେ ଉଚ୍ଚତର ।

 

ପୃଥିବୀର ସମସ୍ତଙ୍କ ଅନ୍ତରାଳରେ ସେମାନେ ଦିନେ ଶପଥ ନେଇଥିଲେ । ସେଇ ଶପଥର ଅର୍ଥହେଲା ସେମାନେ ବିବାହ କରିବେ ନାହିଁ, ଅଥଚ ସାରା ଜୀବନ ରହିବେ ଖୁବ୍ ନିକଟତର ହୋଇ । ଏଇ ନିକଟତର ସଂଯୋଗ ତାଙ୍କର ପ୍ରଣୟକୁ ସାର୍ଥକ କରିବ ଓ ପରିଣତ ବୟସରେ ଅର୍ଥାତ୍ ତାଙ୍କର ଜୈବିକ କାମନା ଊର୍ଦ୍ଧ୍ୱଗ ହୋଇଗଲା ପରେ ସେମାନେ ହୁଏତ ଏକତ୍ର ବସବାସ ପାଇଁ ବିଚାର କରିବେ ।

 

ମୋର ସେଇ କଥିତ ବନ୍ଧୁ, ସେମାନଙ୍କ ଶପଥ-ପତ୍ରର ଏକ ନକଲ ମୋତେ ଦେଖାଇଥିଲେ । ସେଇ ପତ୍ରରେ ମୁଁ ଉଭୟଙ୍କର ଦସ୍ତଖତ୍ ଦେଖିଥିଲି । ସେହି ପତ୍ରର କୌଣସି ବ୍ୟବସ୍ଥା ନଥିଲା ଯେ ଯଦି ଏହି ସର୍ତ୍ତ କୌଣସି ଭାବରେ ବିଡ଼ମ୍ୱିତ ହୁଏ ତେବେ ସେଥିଲାଗି ଆଇନ୍‍ଗତ ବା ସେହିଭଳି କିଛି ପନ୍ଥାର ଆଶ୍ରୟ ନିଆଯିବ ।

 

ଏଇ ଘଟଣାର ପ୍ରାୟ ଦଶବର୍ଷ ପରେ ଅର୍ଥାତ୍ ମୁଁ ପୁଣି ଓଡ଼ିଶାକୁ ଫେରି ଆସିବା ସମୟରେ, ଆଜିଭଳି ଏକଚୈତ୍ରର ମଳୟ-ହିଲ୍ଲୋଳିତ ସନ୍ଧ୍ୟାରେ ସେଇ ବନ୍ଧୁଟି ଅକସ୍ମାତ୍ ମୋ ପାଖରେ ଆସି ପହଞ୍ଚିଲେ । ତାଙ୍କର ସୌମ୍ୟ ଶାନ୍ତ ମୁଖମଣ୍ଡଳରେ ଯେପରି ଆତଙ୍କର ଏକ କଳା ଛାଇ ଲେଖି ହୋଇଯାଇଥିଲା । ତାଙ୍କର ବ୍ୟକ୍ତିତ୍ୱକୁ କିପରି ଏକ ଚାଞ୍ଚଲ୍ୟ ସ୍ପଷ୍ଟ ଭାବରେ ଆଚ୍ଛନ୍ନ କରି ରଖିବାର ମତେ ଜଣାପଡ଼ିଥିଲା ।

 

ମୁଁ ତାଙ୍କୁ ବସିବାକୁ କହିଲି । ଅନେକ ଦିନ ପରେ ତାଙ୍କୁ ଦେଖୁଥିବାରୁ, ମୁଁ ବେଶ୍ ଏକ ମାନସିକ ଆନନ୍ଦ ପାଉଥିଲି । ମୁଁ ପ୍ରଶ୍ନ ପଚାରିବା ପୂର୍ବରୁ ସେ ମତେ ହଠାତ୍ କହିଲେ–ଆମ ଶପଥପତ୍ରର ଖିଲାପ ହୋଇଛି ଏବଂ ମୋର ପ୍ରଣୟିନୀ ଏଇ ଖିଲାପ ପାଇଁ ମୁଖ୍ୟତଃ ଦାୟୀ । ମୁଁ କ’ଣ କରିବି, କହ ବନ୍ଧୁ ?

 

ମୁଁ ସତରେ ସେତେବେଳେ ଅବାକ୍ ହୋଇଗଲି ।

 

ତା’ପରେ ସେ କହିଚାଲିଲା–

 

ମୁଁ ଆଉ ବିବାହ କରିବି ନାହିଁ । ଏତେ ବଡ଼ ଆଦର୍ଶକୁ ମୋର ପ୍ରଣୟିନୀ ଅନେକ ବର୍ଷପରେ ପ୍ରତ୍ୟାଖ୍ୟାନ କରିପାରିଲେ । ମୋତେ ପ୍ରତାରିତ କରି ଅବଶ୍ୟ ଅନ୍ୟତ୍ର ଚାଲିଗଲେ, ତା’ ବୋଲି ସେହି ପ୍ରତାରଣାର ପ୍ରତିଶୋଧ ମୁଁ ନେଇ ପାରିବି ନାହିଁ । ମୋ ଜୀବନର ଏଇ ବିଶାଳ ଶୂନ୍ୟତା ହୁଏତ ଆଉ କେବେ ପରିପୂର୍ଣ୍ଣ ହେବ ନାହିଁ । ପ୍ରେରଣାବିହୀନ ଏକ ସୀମାହୀନ ନିଃସଙ୍ଗ ଯନ୍ତ୍ରଣାରେ ମୁଁ ହୁଏତ ସାରା ଜୀବନ ଛଟପଟ ହେବି ।

 

ମୁଁ ମୋର ସେଇ ବନ୍ଧୁଙ୍କୁ ବହୁତ ବୁଝାଇଲି । ହୃଦୟର ସୁନିବିଡ଼ ଉଚ୍ଛ୍ୱାସରେ ସେ ଯେଭଳି ମୋହାବିଷ୍ଟ ହୋଇଥିଲେ, ସେଥିରୁ ତାଙ୍କୁ ନିବର୍ତ୍ତାଇ ପାରିବା ଥିଲା ପ୍ରକୃତରେ କଷ୍ଟକର । ମୁଁ ଯେତେ ବୁଝାଇଲେ ମଧ୍ୟ ସେ ବୁଝିଲେ ନାହିଁ । ହୃଦୟର ସେଇ ସ୍ନିଗ୍‍ଧ ଓ ସୁବିମଳ ଆବେଗର କୁହେଳୀ ଆଚ୍ଛନ୍ନ କରି ଦେଇଥିଲା ତାଙ୍କର ସମସ୍ତ ଚେତନା-ପ୍ରବାହକୁ ।

 

ମୁଁ ମୋ ପାଖରେ ସେଦିନ ତାଙ୍କୁ ଅଟକାଇବା ଲାଗି ଚେଷ୍ଟା କଲି । କିନ୍ତୁ ପାରିଲି ନାହିଁ । ସେ ଖୁବ୍ ଭାଙ୍ଗି ପଡ଼ିଥିଲେ ଏବଂ ତାଙ୍କର ମାନସିକ ଯନ୍ତ୍ରଣା ଥିଲା ଖୁବ୍ ଅପ୍ରମିତ । ତେଣୁ ସେ ଚାଲିଗଲେ ।

 

ଶୁଣିବ ନିମାଇଁ ! ଏ ଘଟଣାର ଗତି ପ୍ରବାହ କିପରି ବିଚିତ୍ର ରୂପେ ଧରିଲା ପରବର୍ତ୍ତୀ ଅବସ୍ଥାରେ ?

 

ସେଇ ବନ୍ଧୁ ଜଣକ ଏକ ଉଚ୍ଚ ପଦବୀ ଚାକିରିରେ ରହିଥିଲେ । ସେତେବେଳେ ଆମେ ଯେଉଁ ସହରରେ ରହିଥିଲୁ, ସେହି ସହରରୁ ତାଙ୍କର ବଦଳି ହୋଇଗଲା ଅନ୍ୟତ୍ର । ସେତେବେଳକୁ ଏଇ ଦାରୁଣ ବିଚ୍ଛେଦର ପ୍ରାୟ ଦୁଇଟି ବର୍ଷ ଗଡ଼ିଯାଇଥିଲା ।

 

ମୋର ବନ୍ଧୁ ବରୁଣ ରାୟ ଯେଉଁ ସହରକୁ ବଦଳି ହୋଇଗଲେ, କି ଆଶ୍ଚର୍ଯ୍ୟର କଥା, ସେଇ ସହରରେ ରହୁଥିଲେ ତାଙ୍କର ସେଇ ଅତୀତର ପ୍ରଣୟିନୀ । ବଡ଼ ବିସ୍ମୟର କଥା ସେମାନଙ୍କର ସରକାରୀ ବାସଗୃହ ମଧ୍ୟ ଗୋଟିଏ ବ୍ଳକରେ ରହିଥିଲା । ସେମାନଙ୍କର ବାସଗୃହ ପ୍ରାୟ ସାମ୍ନାସାମ୍ନି ଥିଲା ଏବଂ ତାହାକୁ ଗୋଟିଏ ଛୋଟ ରାସ୍ତା ଯାହା ବିଚ୍ଛିନ୍ନ କରିଥିଲା ।

ସରକାରୀ ବାସଭବନର ଏଇ ଦୁର୍ଭାଗ୍ୟଜନକ ଅବସ୍ଥିତ ହେତୁ ସମୟ ସମୟରେ ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ଆରମ୍ଭ ହୋଇଗଲା । ମାତ୍ର ସେମାନଙ୍କ ମଧ୍ୟରେ କି ଯେ ଅଭିନୟ ! ଉଭୟ ସତେ ଯେପରି ଜଣାଉଥିଲେ କେହି କାହାରିକୁ ଚିହ୍ନି ନାହାନ୍ତି ।

ମାତ୍ର ଏ ଅଭିନୟ ସତ୍ତ୍ୱେ ବନ୍ଧୁ ବରୁଣ ପୀଡ଼ିତ ହେଲେ ସେଇ ଆବେଗ ଗତ ରୋଗରେ-। ତମର ସେଇ ଜ୍ୟାମିତିକ ପ୍ରମାଣ ଅନୁଯାୟୀ ନିମାଇଁ ! ସେ ପୁଣି ବାହୁନି ବସିଲେ ସେଇ ପୁରୁଣା ଅତୀତକୁ । ଯେଉଁ ଅତୀତ ଥିଲା କୃଷ୍ଣଚୂଡ଼ା ପରି ଏକ ରଙ୍ଗ-ବିଳାସ ।

ଅପର ପକ୍ଷରେ ତାଙ୍କର ପ୍ରଣୟିନୀ ଚିତ୍ରଲେଖା, ତାଙ୍କ ସହିତ ସାକ୍ଷାତ ହେଲାପରେ କେଉଁ ମାନସିକ ପ୍ରତିକ୍ରିୟାରେ ସଢ଼ୁଥିଲେ, ତାହା ଅବଶ୍ୟ ସେତେବେଳ ପର୍ଯ୍ୟନ୍ତ ଜଣାଯାଇ ନ ଥିଲା । ମାତ୍ର ସେଇ ଅତୀତର ସମସ୍ତ ରଙ୍ଗ-ବିଳାସକୁ ସେ ନିଷ୍ଠୁର ଭାବରେ ଫିଙ୍ଗି ଦେଇଥିଲେ ଅଳିଆ ଗଦାକୁ, ଏକଥା ଭଲ ଭାବରେ ଜାଣିଥିଲେ ବନ୍ଧୁ ବରୁଣ ।

ବନ୍ଧୁ ବରୁଣ ଯଦିଓ ଟାଣି ହୋଇଯାଉଛନ୍ତି ସ୍ୱାଭାବିକ ଭାବରେ ସେଇ ଧୂସର ଅତୀତକୁ, ତଥାପି ମଝିରେ ମଝିରେ ବଡ଼ ସଚେତନ ଭାବରେ ସ୍ମରଣ କରୁଥିଲେ ଚିତ୍ରଲେଖାର କୁତ୍ସିତ ପ୍ରତାରଣାକୁ ।

 

ମାସାଧିକ କାଳ ବରୁଣ ରହିଲା ପରେ, ସେଇ କଲୋନୀର ନାରୀମାନଙ୍କ ମଧ୍ୟରେ ସୃଷ୍ଟି ହୋଇଗଲା ବରୁଣ ବିରୋଧୀ ଏକ ଅସ୍ୱାଭାବିକ ବାୟୁମଣ୍ଡଳ । ଏହି ଅଭିଯାନରେ, ତମେ ଆଶ୍ଚର୍ଯ୍ୟ ହେବ ନିମାଇଁ, ସକ୍ରିୟ ଭାଗ ନେଇଥିଲା ସେଇ ଚିତ୍ରଲେଖା । ନାରୀମାନଙ୍କୁ ସେ ଧାରଣା ଦେଇଥିଲା ଯେ ବରୁଣ ଚରିତ୍ରହୀନ, ଯେତେବେଳେ ସେ ଅଫିସକୁ ଯାଏ ଏବଂ ଫେରେ ତା’ର କାରରେ, ସେତେବେଳେ ସେ ପରର ଝିଅ ବୋହୂଙ୍କୁ ଦେଖି ଦେଖି ଯାଏ ଓ ଆସେ । ତା’ ଛଡ଼ା କେତେ ଝିଅ ବୋହୂଙ୍କୁ କେଉଁଠୁ ଆଣି ନିଜ ଘରେ ରଖେ ଏବଂ ସେମାନଙ୍କୁ ଉପଭୋଗ କରି ତିନି ଚାରିଦିନ ପରେ ଛାଡ଼ିଦିଏ । ଏକ ପ୍ରତିକୂଳ ବାୟୁମଣ୍ଡଳ ବରୁଣଙ୍କ ବିରୁଦ୍ଧରେ ଗୁମ୍‍ସୁମ୍ ଅବସ୍ଥାରେ କେବଳ ନାରୀମାନଙ୍କ ମଧ୍ୟରେ ସୀମିତ ନ ରହି ତାହା କ୍ରମଶଃ ସେମାନଙ୍କ ସ୍ୱାମୀମାନଙ୍କ କାନକୁ ଆସିଲା । କିନ୍ତୁ ଏ କଥାରେ କେହି ଅବଶ୍ୟ ସେତେ ଗୁରୁତ୍ୱ ଦେଲେ ନାହିଁ । କାରଣ ବରୁଣ ଥିଲେ ଖୁବ୍ ଭଦ୍ର ଓ ଅମାୟିକ । ତାଙ୍କର ସାଧାରଣ ବ୍ୟବହାରରେ ହୁଏତ ଗୋଟିଏ ଶତ୍ରୁର ମନ ତରଳିଯିବ ।

ଏଇଠି ତମେ ନିମାଇଁ, ପଚାରି ପାର, ଚିତ୍ରଲେଖା ଏଭଳି ଭୂମିକା ନେବାର କାରଣ କ’ଣ ?

ସମ୍ଭବତଃ ଚିତ୍ରଲେଖା ଭୟ କରୁଥିଲା ବରୁଣର ଉପସ୍ଥିତିକୁ ଯେତେ ନୁହେଁ, ସେତେ ଭୟ କରୁଥିଲା ତା ନିଜର ବିକାରଗ୍ରସ୍ତ ମନର ବୈକଲ୍ୟକୁ । ସେଇ ଏକ ଅତୀତ, ବେଳେବେଳେ ଭୂତ ହୋଇ ଠିଆ ହୁଏ ଚିତ୍ରଲେଖା ଆଗରେ, ସେ ବେଳେବେଳେ ଦାନ୍ତ ରଗଡ଼େ । ତା’ର ବଡ଼ବଡ଼ ଆଖିରେ ତାକୁ ଅନାଇଁ ରହେ ବହୁ ସମୟ ଧରି । ଚିତ୍ରଲେଖା ଯେତିକି ନିଃସଙ୍ଗ ହୁଏ, ଅତୀତର ସେଇ ଭୂତ ତା’ର ସର୍ବବ୍ୟାପୀ ଭୟଙ୍କର ରୂପରେ ତାକୁ ଆହୁରି ଭୟଭୀତ କରେ । ଏପରି କି ସେ ସପନରେ ଦେଖିପାରେ ସେହି ଭୂତକୁ । ସେ ଯେପରି ମାଡ଼ି ବସିଛି ତା’ର ଚେତନାକୁ ଏବଂ ଦିନେ ତାକୁ ଓ ତା’ର ସ୍ୱାର୍ଥକୈନ୍ଦ୍ରିକ ସୁଖ-ସମ୍ଭୋଗକୁ ସେଇ ଭୂତ ଶେଷ କରିଦେବ ହୁଏତ ।

ତେଣୁ ସେ ସ୍ଥିର କଲା ଦୁଷ୍ଟ ବୁଦ୍ଧି ପ୍ରୟୋଗ କରିବାକୁ । ବରୁଣ ତା’ର ଆଖି ଆଗରୁ ଅଦୃଶ୍ୟ ହୋଇଗଲେ ମନର ଭୂତ ତା’ର ଦୂର ହୋଇଯିବ ଏବଂ ସେ ସମୟ କଟାଇନେବ ନିରୁପଦ୍ରବ ଭାବରେ ।

ନାରୀମାନଙ୍କ ମଧ୍ୟରେ ଥିବା ଏହି ଅସ୍ପଷ୍ଟ କଳଗୁଞ୍ଜନରୁ ଚେନାଏଁ ସ୍ୱର, ଯେଉଁଦିନ ବରୁଣଙ୍କର ଜଣେ ପ୍ରତିବେଶୀ ଅଫିସର ଶୁଣାଇଲେ, ସେଦିନ ବରୁଣ ଆଶ୍ଚର୍ଯ୍ୟ ହୋଇଗଲେ । ପ୍ରତିବେଶୀ ଭଦ୍ରବ୍ୟକ୍ତି ଜଣକ ଅବଶ୍ୟ କହିଥିଲେ–ଏଇ ସବୁ ବାଜେ କଥାରେ ଆପଣ କାନ ଦିଅନ୍ତୁ ନାହିଁ, ବରୁଣ ବାବୁ ! ମୁଁ ଜାଣିଲି ଏହାପଛରେ ଚିତ୍ରଲେଖା ସାମନ୍ତରାୟଙ୍କ କୁତ୍ସିତ ଷଡ଼ଯନ୍ତ୍ର ରହିଛି । ମୋ ସ୍ତ୍ରୀଙ୍କଠାରୁ ମୁଁ ସବୁ କଥା ଜାଣି ପାରିଛି ।

ବରୁଣ ସ୍ତମ୍ଭୀଭୂତ ହୋଇଗଲେ । ଏହି କୁତ୍ସିତ ନାଟକର ମୁଖ୍ୟ ନାୟିକା ଭାବରେ ଚିତ୍ରଲେଖା ଯେ କାର୍ଯ୍ୟ କରି ପାରିଛି, ତାହା ଜାଣି ସେ ଗଭୀର ବେଦନାରେ ବ୍ୟଥିତ ହୋଇ ଉଠିଲେ । ଯେଉଁ ଚିତ୍ରଲେଖା ଥିଲା ତାଙ୍କ ଚିନ୍ତା ଓ ଭାବରାଜ୍ୟର ଏକ ନିଷ୍ପାପ, ପବିତ୍ର ଉତ୍ସ, ତା’ର ଭିତରେ ଆଜି ଯେପରି ଖୁନ୍ଦି ହୋଇଯାଇଛି ହଳାହଳର ଏକ ଅଶାନ୍ତ ସମୁଦ୍ର ।

ସେହି ଘଟଣାଠାରୁ, ବରୁଣ ଅତୀତର ବାଲିବନ୍ତରେ ଲୁଚି ଯାଇଥିବା ସେଇ ଫଲ୍‍ଗୁଟିକୁ ଖୋଜିବାରେ ଉତ୍ସୁକତାରେ ଆଉ ଆଗ୍ରହ ପ୍ରକାଶ ନ କରି ଘର ବଦଳାଇ ଚାଲିଗଲେ ସେହି ସହରର ଅନ୍ୟ ଏକ ପ୍ରାନ୍ତରେ ଥିବା ଆଉ ଗୋଟିଏ ସରକାରୀ କ୍ୱାଟରକୁ ।

 

ସେ ଚାଲିଗଲା ପରେ ମଧ୍ୟ ଚିତ୍ରଲେଖା ବରୁଣର ଚରିତ୍ରକୁ କମ୍ ସଂହାର କରିନାହିଁ ।

 

ବୁଝିଲ ନିମାଇଁ, ଏଇ ହେଉଛି ମୋର ନୂଆ ତଥ୍ୟକୁ ପ୍ରତିଷ୍ଠିତ କରିବା ଲାଗି ଏକ ଆବଶ୍ୟକୀୟ କାହାଣୀ । ଯଦି ଚାହିଁବ, ବରୁଣକୁ ଚିଠି ଲେଖି ଏଠାକୁ ଅଣାଇବି ଓ ତମ ସହିତ ମଧ୍ୟ ପରିଚୟ କରାଇ ଦେବି ।

 

ନିମାଇଁ ପାର୍କର ଅନତିଦୂରରେ ଝୁଲୁଥିବା ନିର୍ମେଘ ଆକାଶର ଫାଳେ ଚାନ୍ଦୁଆକୁ ଚାହିଁ ରହିଥିଲା ନିର୍ବାକ ହୋଇ ।

Image

 

Unknown

ଅନ୍ତରଙ୍ଗ

 

ସେଦିନ ରାତିରେ ବୁଦ୍ଧନାଥଙ୍କୁ ଆଉ ନିଦ ହେଲାନାହିଁ ।

 

ତାଙ୍କ ପୁତୁରା ଅରୁଣର ଆସନ୍ତାକାଲି ବାହାଘର । ଅଥଚ ସେ ରହିଛନ୍ତି ଦୂରଦେଶରେ ଗାଁଠାରୁ ପ୍ରାୟ ଅଢ଼େଇଶହ ମାଇଲ ବ୍ୟବଧାନରେ ।

 

ରାତି ସେତେବେଳକୁ ଅନେକ ହେଲାଣି । ବାହାରେ ପ୍ରଥମ ଆଷାଢ଼ର ଟୁପୁଟୁପୁ ବର୍ଷା ଆରମ୍ଭ ହୋଇଛି । ବୁଦ୍ଧନାଥ ବିଛଣା ଛାଡ଼ି ଝର୍କାଦେଇ ଚାହିଁଲେ ବାହାରକୁ ।

 

ସହର ରାସ୍ତାର ବତୀଖୁଣ୍ଟମାନଙ୍କରେ ଆଲୁଅ ଜଳୁଛି ସତେଯେପରି ଅତନ୍ଦ୍ର ପ୍ରହରୀମାନଙ୍କ ପରି । ରାସ୍ତା ପାର୍ଶ୍ୱର ଧାଡ଼ି ଧାଡ଼ି ଆଲୋକମାଳା ସତେ ଯେପରି ଏ ସହରର ନିରାପତ୍ତା ରକ୍ଷା ଲାଗି ଜଳୁଛନ୍ତି ପ୍ରାଣାନ୍ତକ ହୋଇ, ଆପଣା ଦେହରୁ ସମସ୍ତ ଔଜଲ୍ୟ ନିଗାଡ଼ି ।

 

ବୁଦ୍ଧନାଥ କିପରି ଏକ ମାନସିକ ବେଦନାରେ ପୀଡ଼ିତ ହେବାକୁ ଲାଗିଲେ । ରାତିପାହିଲେ ଅରୁଣର ବାହାଘର ଅଥଚ ସେ ଯୋଗଦେଇ ପାରୁନାହାନ୍ତି ସେଥିରେ ।

 

ବୁଦ୍ଧନାଥ ଭାବିବାକୁ ଳାଗିଲେ । ଏଇ ମାତ୍ର ଭିନ୍ନେ ହେବାର ତିନିବର୍ଷ ହୋଇଯାଇଛି । ସିଦ୍ଧନାଥ, ବୁଦ୍ଧନାଥ ଓ ବଦ୍ରିନାଥ ଏମାନେ ତିନିଭାଇ । ସ୍ୱାଭାବିକ ଭ୍ରାତୃସୁଲଭ ସ୍ନେହ ଓ ମମତ୍ୱବୋଧ ନେଇ ସେମାନେ ଚଳି ଯାଇଥିଲେ ଅନେକ ବର୍ଷ । ଶୈଶବର କେଉଁ ଏକ ଅସଚେତନ, ଅନ୍ଧୀକୃତ ପାଣ୍ଡୁର ମୁହୂର୍ତ୍ତରୁ ଏବଂ ପୁଣି ଭିନ୍ନେହେଲା ପର୍ଯ୍ୟନ୍ତ ସେମାନେ ଏକା ଥାଳୀରେ ଖାଉଥିଲେ । ପର୍ବପର୍ବାଣିରେ, ଭୋଜି ଭାତରେ ଜଣକର ଅବର୍ତ୍ତମାନରେ ଅନ୍ୟ ଦୁଇଭାଇ ବ୍ୟଥିତ ହେଉଥିଲେ । କିନ୍ତୁ ଏଇ ଭ୍ରାତୃସୁଲଭ ପବିତ୍ର ଉଦ୍ୟାନ ମଧ୍ୟରେ ଆକସ୍ମିକ ଭାବରେ ପ୍ରବେଶ କଲା ଏକ ସ୍ୱାର୍ଥନ୍ୱେଷୀ ଝଡ଼ । ସେଇ ଝଡ଼ର ଅତ୍ୟାଚାରରେ ପାରିବାରିକ ଉଦ୍ୟାନଟିର ସେଇ ସୁକୋମଳ ବନସ୍ପତିଗୁଡ଼ିକ ଅଚିରେ ଢଳିପଡ଼ିଲେ ଭୂଇଁରେ । ସେମାନେ ଭିନ୍ନେ ହେଲେ ।

ବଡ଼ ସିଦ୍ଧନାଥ ଓ ସାନ ବଦ୍ରିନାଥ ରହିଗଲେ ମିଳିତ ଭାବରେ । କିନ୍ତୁ ବୁଦ୍ଧନାଥ ଅଲଗା ହୋଇଗଲେ ସେମାନଙ୍କଠାରୁ । ଘରଦ୍ୱାର, ଜମିବାଡ଼ି, ଯାବତୀୟ ଘରକରଣା ଓ ଏପରିକି କୁଲା ଛାଞ୍ଚୁଣୀ ପର୍ଯ୍ୟନ୍ତ ମଧ୍ୟ ଭାଗ ବଣ୍ଟୁଆରା ହୋଇଗଲା । ଭାଇ ଭାଇର ବହଳ ରକ୍ତ ସମ୍ପର୍କ ସତେ ଯେପରି ପାଣି ଫାଟିଗଲା ।

ସେଇମିତି ଥିଲେ ଆରତି, ଗାୟତ୍ରୀ ଓ ସାବିତ୍ରୀ । ସେମାନେ ଆସିଥିଲେ କେଉଁ କେଉଁ ଦୂରଦୂରାନ୍ତ ସହରତଳି ଅଞ୍ଚଳରୁ ସେମାନଙ୍କ ଘରକୁ ବୋହୂ ହୋଇ । ତିନିଭାଇଙ୍କ ପରି ସେମାନେ ମଧ୍ୟ ହୋଇଗଲେ ତିନି ଭଉଣୀ । ସେମାନଙ୍କ ଭିତରେ ସୃଷ୍ଟି ହୋଇଯାଇଥିଲା ଅପରିମିତ ମମତା । ମାତ୍ର ଏଇ ସମସ୍ତ ଆନ୍ତରିକତା ଓ ମମତାର ରଜ୍ଜୁ ସେଇଦିନ ଛିଡ଼ିଗଲା, ଯେଉଁଦିନ ସେମାନେ ଆପଣା ଆପଣା ଭିତରେ ସନ୍ଦେହ ଓ ସ୍ୱାର୍ଥପରତାର ତରବାରୀରେ ଛକା ପଞ୍ଝା ଖେଳିବାକୁ ଆରମ୍ଭ କରିଦେଲେ ।

ବୁଦ୍ଧନାଥ, ନିଜ ଶୋଇବା ଘରର ଝର୍କା ପାଖକୁ ଲାଗି ଆସି ଚାହିଁଦେଲେ ଆକାଶକୁ । ଆଷାଢ଼ର ରାତ୍ରି–ଆକାଶ, ମେଘଭାରାରେ ଓହଳି ପଡ଼ିଛି ମହୁଫେଣାପରି ନିମ୍ନଭାଗକୁ । ଟୁପୁଟୁପୁ ବର୍ଷାଧ୍ୱନି କ୍ରମଶଃ ବଢ଼ିବାକୁ ଆରମ୍ଭ କରିଛି ।

 

ବୁଦ୍ଧନାଥ ଭାବୁଥିଲେ, ଅରୁଣର ଆଜି ମଙ୍ଗନ । ରାତିରେ ତାଙ୍କ ଘରେ ହୋଇଥିବ ଭୋଜିଭାତ । ଅନେକ ଲୋକ ଆସିଥିବେ ତାଙ୍କ ଘରକୁ ନିମନ୍ତ୍ରିତ ହୋଇ ଭୋଜି ଖାଇବାକୁ । ବନ୍ଧୁବାନ୍ଧବ, ପ୍ରିୟ ପରିଜନ, ଜ୍ଞାତି କୁଟୁମ୍ୱ ହୁଏତ ସେଇ ଭୋଜି ଉତ୍ସବରେ ପଚାରିଥିବେ ବୁଦ୍ଧନାଥ କାହାନ୍ତି ? ତାଙ୍କ ବଡ଼ ପୁତୁରାର ବାହାଘର, ସେତ କାହିଁ ଆସିଲେ ନାହିଁ !

 

ବଡ଼ଭାଇ ସିଦ୍ଧନାଥ କଲିକତାରେ ରହନ୍ତି । ସେ ହୁଏତ ଆଜି ଆସି ପହଞ୍ଚିଥିବେ ଅଥବା ଆସନ୍ତାକାଲି ସକାଳେ ପହଞ୍ଚିବେ । ତେବେ ବୁଦ୍ଧନାଥ କାହିଁକି ଆସିଲେ ନାହିଁ ବୋଲି ପଡ଼ୋଶୀ ଓ ପ୍ରିୟ ପରିଜନ ଲୋକେ ଯେତେବେଳେ ପ୍ରଶ୍ନ ପଚାରିଥିବେ ତାହାର ଉତ୍ତର ବଡ଼ଭାଇଙ୍କ ସହିତ ଏକାନ୍ନବର୍ତ୍ତୀ ହୋଇ ରହିଥିବା ସାନଭାଇ ବଦ୍ରିନାଥ ହୁଏତ ଦେଇଥିବ ।

 

ବୁଦ୍ଧନାଥ ସେଇ ମେଘବର୍ଷିତ ରାତିରେ କେଜାଣି କାହିଁକି ଏକ ଅସ୍ଥିର ମାନସିକ ବେଦନାରେ ଭାଜି ପଡ଼ିଲେ । ପୁତୁରାର ବାହାଘର, ଅଥଚ ଭାଇମାନେ ତାଙ୍କୁ ଜଣାଇଲେ ନାହିଁ ।

 

ବୁଦ୍ଧନାଥ ଭାବୁଥିଲେ ।

 

ବାହାଘର ପ୍ରସ୍ତାବ ପଡ଼ିଥିଲାବେଳେ ସେ ଥରେ ଯାଇଥିଲେ ଗାଁକୁ । ଗାଁରେ ଥିଲାବେଳେ ସାନଭାଇ ବଦ୍ରିନାଥ, ସାହିର ଅନ୍ୟ ଲୋକମାନଙ୍କୁ ଧରି କନ୍ୟା ଦେଖିବାକୁ ଯାଇଥିଲା ଏବଂ ତା’ପର ଦିନ ବିବାହ ସମ୍ପର୍କରେ ଚୂଡ଼ାନ୍ତ ଭାବରେ ସ୍ଥିର ହୋଇଥିବାର ସେ ଶୁଣିଥିଲେ । ମାତ୍ର ଏ ସମ୍ପର୍କରେ ବଦ୍ରିନାଥ ତାଙ୍କୁ କିଛି ଜଣାଇଲା ନାହିଁ । ଗାଁ ଲୋକଙ୍କଠାରୁ ସେ ଶୁଣିବାକୁ ପାଇଲେ ଯେ ଅରୁଣର ବିବାହ ଗଡ଼ମାଣତ୍ରୀ ଗାଁରେ ହେବ ଏବଂ ତାହା ଆଷାଢ଼ ମାସର ସାତଦିନକୁ ସ୍ଥିର ହୋଇଛି ।

 

ବେଶ୍ ସେତିକି । ଏହି ସମ୍ୱାଦ ଅବଶ୍ୟ ଆପେ ଆପେ ତାଙ୍କ ପାଖକୁ ଆସିଥିଲା; କିନ୍ତୁ ବଡ଼ଭାଇ କିମ୍ୱା ସାନଭାଇ ଅଥବା ଭାଉଜ ତାଙ୍କୁ ଏକଥା କିଛି ଜଣାଇ ନ ଥିଲେ ।

 

ରାଗ ଓ ଅଭିମାନରେ ସେ ଚାଲିଆସିଲେ ବାଲେଶ୍ୱର । ଆସିଲାବେଳେ ସେ ସ୍ଥିର କରି ନେଇଥିଲେ ଯେ ବଡ଼ଭାଇ, ସାନଭାଇ ଓ ଭାଉଜଙ୍କ ସାମାଜିକ ଆଚରଣରେ ତ୍ରୁଟିଯୋଗୁଁ ସେ ପ୍ରତିବାଦ ସ୍ୱରୂପ ଅରୁଣର ବାହାଘରରେ ଯୋଗ ଦେବେନାହିଁ ।

 

ବୁଦ୍ଧନାଥ ଝର୍କା ପାଖରେ ଆକାଶର ପ୍ରସ୍ତ ପ୍ରସ୍ତ ମେଘକୁ ଚାହିଁ କେବଳ ଦୀର୍ଘଶ୍ୱାସ ମାରୁଥିଲେ ।

 

ବର୍ଷାରାତି ଏକ ସୀମାହୀନ ନିଃଶବ୍ଦତା ମଧ୍ୟରେ ଯେପରି ଦୀର୍ଘରୁ ଦୀର୍ଘତର ହେବାରେ ଲାଗିଛି ।

 

ସେ ତାଙ୍କ ପୁତୁରା ବାହାଘରକୁ ଯିବେ ନାହିଁ ବୋଲି ସ୍ଥିର କରିଥିଲେ ମଧ୍ୟ ଆଜି ଏଇ ମେଘବର୍ଷିତ ରାତିରେ, ତାଙ୍କର ସେଇ ଆକସ୍ମିକ କ୍ରୋଧଦୀପ୍ତ ସିଦ୍ଧାନ୍ତ ଭୁଲ ହୋଇଯାଇଛି ବୋଲି ସେ ଅନୁଭବ କରୁଛନ୍ତି; କାରଣ ଖାଇସାରିଲା ପରେ ନିଶ୍ଚିତରେ ନିଦ ଯିବେ ବୋଲି ବିଛଣା ଧରିଥିଲେ ମଧ୍ୟ ସେ କିନ୍ତୁ ଶୋଇପାରିଲେ ନାହିଁ । ଏକ ମାନସିକ ସଂଘାତରେ ସେ ଯେପରି ନିଜକୁ ଅପରାଧୀ ବୋଲି ମନେ କରୁଛନ୍ତି । ନିଦ ହେବ ବା କିପରି ?

 

ବର୍ଷାର ବେଗ ବଢ଼ିବାକୁ ଲାଗିଲା । ସିଦ୍ଧନାଥ ଫେରି ଆସିଲେ ଝର୍କା ପାଖରୁ ନିଜ ବିଛଣାକୁ ।

 

ତାଙ୍କ ମାନସିକ ଦ୍ୱନ୍ଦ୍ୱର ଯେପରି ଆଜି ପରିସମାପ୍ତି ନାହିଁ । ସେ ଭାବିଲେ, ଭାଇ ଓ ଭାଉଜଙ୍କୁ ଅଭିମାନ କରି ସେ ସିନା ଅରୁଣର ବାହାଘରକୁ ନ ଯିବା ପାଇଁ ସ୍ଥିର କରିଛନ୍ତି, ମାତ୍ର ଗାଁ ଓ ବନ୍ଧୁବାନ୍ଧବ ଲୋକେ ତାଙ୍କ ସମ୍ପର୍କରେ କି ଧାରଣା ପୋଷଣ କରିବେ ? ଗାଁ ଆଖପାଖ ଅଞ୍ଚଳର ଲୋକେ ଜାଣନ୍ତି ବୁଦ୍ଧନାଥ ବିଚାରବନ୍ତ, ଜ୍ଞାନୀ ଓ ଦୂରଦ୍ରଷ୍ଟା । ଅନ୍ୟ ଭାଇମାନଙ୍କ ପରି ସ୍ୱାର୍ଥପରତା ଓ ଇର୍ଷା କାତରତା ତାଙ୍କୁ ସ୍ପର୍ଶ କରିନାହିଁ । ଭିନ୍ନେ ହେଲାବେଳେ ସେ ଭାଇମାନଙ୍କୁ ଅକାତରରେ ଛାଡ଼ିଦେଲେ ଅନେକ ଜମିଜମା, କଲିକତାର ମହାଜନୀ । ବଣ୍ଟୁଆରା ପରେ ଭାଇମାନଙ୍କ ଭାଗରେ କୋଠା ଘରଟି ପଡ଼ିଲା ଏବଂ ତାହାର ଦରଦାମ ମଧ୍ୟ ନିର୍ଣ୍ଣୟ କରାଗଲା । କୋଠାଘରର ଅଂଶ ମୂଲ୍ୟ ଦେବାଲାଗି ଭାଇମାନେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏବେ ସୁଦ୍ଧା ସେଇ ଚଞ୍ଚକତା ସେମାନଙ୍କୁ ଗ୍ରାସ କରିଛି । ଫାଙ୍କି ଦେବାର ମନୋବୃତ୍ତି ଏବେ ସୁଦ୍ଧା ସେମାନଙ୍କର ଉଗ୍ର ଭାବରେ ରହିଛି ।

 

ତାଙ୍କର ଏଇ ଉଦାରତା ଲାଗି କେବଳ ଗାଁ ଲୋକ ନୁହଁନ୍ତି, ଯେଉଁମାନେ ସଂକୀର୍ଣ୍ଣତା ଓ ସ୍ୱାର୍ଥକୈନ୍ଦ୍ରିକ ମନୋଭାବକୁ ଘୃଣା କରନ୍ତି ବେଶୀ, ସେହିସବୁ ଉଚ୍ଚ ବିଚାର–ସମ୍ପନ୍ନ ଲୋକେ ବୁଦ୍ଧନାଥଙ୍କୁ ସ୍ୱାଗତ ଜଣାଇଲେ । ହୁଏତ ସେ ନିଜେ ଟିକିଏ କଠୋର ମନୋଭାବ ପୋଷଣ କରିଥିଲେ ଏବଂ ଆପଣାର ଆଇନଗତ ଅଂଶ ଆଦାୟ କରିବାକୁ ଜିଦ୍ ଧରିଥିଲେ, ସେ ନିଶ୍ଚିତ ଭାବେ ସଫଳ ହୋଇଥାନ୍ତେ । ଏବେ ମଧ୍ୟ ସଫଳତା ପାଇଁ ସମସ୍ତ ଅନୁକୂଳ ପରିବେଶ ରହିଛି ।

 

ଏ ସମସ୍ତ ତ୍ୟାଗ ସତ୍ତ୍ୱେ ତଥାପି ଭାଇମାନଙ୍କର ଅଦ୍ଭୁତ ସହଯୋଗ । ଆଉ କିପରି ତ୍ୟାଗ କରିଥିଲେ ସେମାନେ ସନ୍ତୁଷ୍ଟ ହୋଇଥାଆନ୍ତେ, ବୁଦ୍ଧନାଥ ଭାବି କିଛି ଠିକ୍ କରିପାରନ୍ତି ନାହିଁ-। ତାଙ୍କ ଉଦାରତା ଓ ସ୍ୱାର୍ଥତ୍ୟାଗର ମୂଲ୍ୟବୋଧ କ’ଣ ଏଇଆ ?

 

ବୁଦ୍ଧନାଥ ବିଛଣାର ଶୋଇରହି ଏକ ନିଷ୍ଫଳ ଅଭିମାନ ଓ କ୍ରୋଧରେ ପଳେ ପଳେ ଜଳି ଯାଉଥିଲେ । ଭାଇମାନଙ୍କର ଏଇସବୁ ଅନ୍ୟାୟ ଅସାମାଜିକ ଆଚରଣର ପ୍ରତିବାଦରେ ତାଙ୍କର ସମସ୍ତ ସ୍ନାୟୁତନ୍ତ୍ରୀ ଉତ୍ତେଜିତ ହୋଇଉଠିଲା । ଝର୍କା ପାଖରେ ଠିଆହୋଇ ସେ ଯେଉଁ ମାନସିକ ଉତ୍ତେଜନାରେ ସଢ଼ୁଥିଲେ, ତାହା ଯେପରି କ୍ରମଶଃ ବଢ଼ିବାକୁ ଆରମ୍ଭ କଲା ।

 

ବାହାରେ ବର୍ଷା ସହିତ ପବନ ଆରମ୍ଭ ହୋଇଯାଇଛି ।

 

ବୁଦ୍ଧନାଥ ପୁଣି ବିଛଣାରୁ ଉଠି ଝର୍କା ପାଖକୁ ଚାଲି ଆସିଲେ ଏବଂ ଶୋଇବା ଘରର ଲାଇଟ୍ ଜାଳିଲେ ।

 

ବୁଦ୍ଧନାଥ ଭାବିଲେ, ଏଇଭଳି ଝଡ଼ ପାଗରେ ଅରୁଣର ବିବାହ ଶୋଭାଯାତ୍ରା କିପରି ଯିବ ଗଡ଼ମାଣତ୍ରୀକୁ ? ଆହା ! ବିଚରା ବରଯାତ୍ରୀମାନେ ହଇରାଣ ହେବେ ଓ କନ୍ୟାପକ୍ଷ ଲୋକେ ବରଯାତ୍ରୀମାନଙ୍କୁ ଯଥାବିଧି ଅଭ୍ୟର୍ଥନା କରିବା ଲାଗି ଅସୁବିଧା ଭୋଗିବେ ।

 

ଅରୁଣର ବିବାହ ସହିତ ସେ ନିଜକୁ ଅସଂପୃକ୍ତ ରଖିବେ ବୋଲି ଯେତେ ସିଦ୍ଧାନ୍ତ କଲେ ମଧ୍ୟ କାହିଁକି କେଜାଣି ମାନସିକ ସ୍ତରରେ ଅତି ଅନ୍ତରଙ୍ଗ ଭାବରେ ସେ ତାହା ସହିତ ଜଡ଼ିତ ହୋଇ ଯାଉଛନ୍ତି । ନିଜ ପୁତୁରାର ବିବାହ ପ୍ରତି ନିତାନ୍ତ ଉଦାସୀନ ରହିବେ ବୋଲି ମୂଳରୁ ସେ ଯେଉଁ ପ୍ରତିଜ୍ଞା କରିଥିଲେ, ଆଜି ତା’ର ମଙ୍ଗନ ଉତ୍ସବର ଶେଷ ଭାଗରେ ସେ ପ୍ରତିଜ୍ଞାର ପାହାଡ଼ ଯେପରି ଟୁକୁରା ଟୁକୁରା ହୋଇ ବର୍ଷଣମୁଖର ରାତିରେ କୁଆଡ଼େ ମିଳେଇ ଯାଉଛି !

 

ଝର୍କା ଦେଇ ପବନ ପଶି ଆସୁଛି ତାଙ୍କ କୋଠରୀକୁ ଏବଂ ତା’ ସହିତ ବର୍ଷାର ଛିଟା ପଡ଼ୁଛି ତାଙ୍କ ଦେହରେ । ଟିକକ ପୂର୍ବରୁ ଅରୁଣର ବାହାଘର ସମ୍ପର୍କରେ ତାଙ୍କ ମନ ଭିତରେ ଦେଖାଦେଇଥିଲା ଯେଉଁ ପ୍ରତିକ୍ରିୟା, ବର୍ଷା ପାଗର ଶୀକର ଶୀତଳ ସ୍ପର୍ଶରେ ତାହା ଯେପରି କ୍ରମଶଃ ହୋଇଉଠିଲା ଶାନ୍ତ ଓ ନିରୁପଦ୍ରବ ।

 

ଅରୁଣ, ଆଜିକୁ ବାଇଶି ବର୍ଷ ତଳେ, କଳା କୁଟୁକୁଟୁ ହୋଇ ଗୋଟିଏ ମାଂସ ପିଣ୍ଡୁଳା ପରି ଜନ୍ମ ହୋଇଥିଲା ଏଇ ପୃଥିବୀ ପୃଷ୍ଠରେ । ତା’ର ମାତୃଗର୍ବକୁ ବିଦୀର୍ଣ୍ଣ କରି ପୃଥିବୀର ଏଇ ମାଟିରେ ସେ ପଡ଼ିଲା ମାତ୍ରେ ତା’ର କୁଆଁ କୁଆଁ ରବରେ ଶିଶୁହୀନ ତାଙ୍କ ପରିବାର ମଧ୍ୟରେ ଖେଳିଯାଇଥିଲା ଏକ ଅପୂର୍ବ ଆନନ୍ଦ ।

 

ବୁଦ୍ଧନାଥ ସେତେବେଳେ ପଢ଼ୁଥିଲେ କଲେଜରେ । ତାଙ୍କର ବୟସ ହୋଇଥିଲା ମାତ୍ର ଅଠର । ଗ୍ରୀଷ୍ମଛୁଟି ହେତୁ ସେତେବେଳେ କଲେଜ ବନ୍ଦଥିଲା । ସେ ରହୁଥିଲେ ଗାଁରେ ଖରାଛୁଟି କଟାଇବା ପାଇଁ ।

 

ଅରୁଣର ଜନ୍ମ ସେହି ଗ୍ରୀଷ୍ମ ଛୁଟିରେ । ସେତେବେଳକୁ ତାଙ୍କ ଭାଉଜଙ୍କର ଦୁଇଟି ପୁତ୍ର ସନ୍ତାନ ପେଟରୁ ମୃତ ଅବସ୍ଥାରେ ପଡ଼ିଥିଲେ । ତେଣୁ ଭାଉଜ ଆରତି ତାଙ୍କୁ କହିଥିଲେ–ଏଥର ଯେଉଁ ଛୁଆଟି ଜନ୍ମ ହେବ, ମୁଁ ତାକୁ ଟେକି ଦେବି ତମରି ହାତରେ ବୁଦ୍ଧନାଥ । ସେ ଆମ ପୁଅ ନୁହେଁ, ହେବ ତମରି ପୁଅ ।

 

ସେଦିନ ଅରୁଣ ତଳେ ପଡ଼ିଲା ପରେ ସେଇ ଏନ୍ତୁଡ଼ିଶାଳରୁ ଡାକ ଛାଡ଼ିଲେ ଭାଉଜ–ଡାକ ଡାକ ବୁଦ୍ଧନାଥଙ୍କୁ । ସେ ନେଇଯାନ୍ତୁ ତାକୁ ପୁଅ କରି କୋଳକୁ ।

 

ବୁଦ୍ଧନାଥଙ୍କର ସ୍ପଷ୍ଟ ମନେ ଅଛି, ସେ ଅରୁଣକୁ ତୋଳି ନେଇଥିଲେ ତାଙ୍କ ନିଜ କୋଳକୁ ସେଦିନ ଗ୍ରୀଷ୍ନର ଏକ ଅନାମଧେୟ ସକାଳରେ । ଅରୁଣ ବଞ୍ଚିଗଲା ବୁଦ୍ଧନାଥଙ୍କ ପରିବାର ମଧ୍ୟରେ କେତେ ଆଶା ଓ ଆନନ୍ଦର ଦିହୁଡ଼ୀ ଜାଳି ।

 

ସିଦ୍ଧନାଥଙ୍କର ପୁଅ ହୋଇଥିଲେ ମଧ୍ୟ ଅରୁଣର ଥିଲା ବୁଦ୍ଧନାଥଙ୍କ ପ୍ରତି ଅପରିମେୟ ଭକ୍ତି ଓ ସଂଭ୍ରମ । ଘରର କାହା କଥାକୁ ଅଙ୍ଗୀକାର କରିବାରେ ଅରୁଣର ଥିଲା ଭୟଙ୍କର ଅଗ୍ରାହ୍ୟ ମନୋବୃତ୍ତି । ମାତ୍ର ବୁଦ୍ଧନାଥ ଯାହା କହୁଥିଲେ ତତ୍‍କ୍ଷଣାତ୍ ତାହାକୁ ଅଙ୍ଗୀକାର କରିବାରେ ଅରୁଣର ଥିଲା ପ୍ରବଳ ଆଗ୍ରହ ଓ ଇଚ୍ଛା ।

 

ବୁଦ୍ଧନାଥ ଭାବିଲେ, ଏବେ ଭିନ୍ନେ ହୋଇଯିବା ପରେ ନିଜ ବାପ ମା’ଙ୍କ କଥାରେ ଓ ସେମାନଙ୍କ ଅନ୍ୟାୟ ଏବଂ ସ୍ୱାର୍ଥକୈନ୍ଦ୍ରିକ ମନୋଭାବର ସେ ଅବଶ୍ୟ କିଛି ଅଂଶରେ ଶୀକାର ହୋଇଯାଇଛି । ନହେଲେ ଅରୁଣର ଭକ୍ତି ଓ ଆନୁଗତ୍ୟ ଏବେ ମଧ୍ୟ ପୂର୍ବପରି ରହିଛି ତାଙ୍କ ପ୍ରତି ।

 

ସେଇ ଯେଉଁ ଛୁଆଟିକୁ ଆଜିକୁ ବାଇଶି ବର୍ଷ ତଳେ ମାଂସ ପିଣ୍ଡୁଳା ଆକାରରେ ସେ ଟେକି ଦେଇଥିଲେ ତାଙ୍କ କୋଳକୁ, ଆଜି ସେଇ ଛୁଆଟିର ମଙ୍ଗନ, ଆସନ୍ତାକାଲି ବାହାଘର । ଭାଇ ଭାଉଜ ପଛକେ ତାଙ୍କୁ ନ ଜଣାନ୍ତୁ, ସେ କିନ୍ତୁ ପହଞ୍ଚିଯିବେ ଘରେ ଆକସ୍ମିକ ଭାବରେ । ଅରୁଣର ବାହାଘର ଉତ୍ସବରେ ସେ କିପରି ବା ଅସହଯୋଗ କରିବେ ?

 

ବର୍ଷାର ଗତି ବେଳକୁବେଳ ପ୍ରବଳ ହେଉଛି, ପବନ ମଧ୍ୟ ପିଟୁଛି ପୂର୍ବପରି । ବୁଦ୍ଧନାଥ ଆସନ୍ତାକାଲି ସକାଳ ବସରେ ଘରକୁ ଯିବାପାଇଁ ସ୍ଥିର କଲେ ଓ ଝରକା ପାଖରୁ ଫେରି ଆସି ନିଜ ବିଛଣା ଧରିଲେ ।

 

ବୁଦ୍ଧନାଥ ପ୍ରତିଦିନ ଖୁବ୍ ଭୋଓରୁ ଉଠନ୍ତି । ମାତ୍ର ଗତକାଲି ଅନେକ ରାତିରେ ଶୋଇଥିବାରୁ, ସେ ଆଉ ବଡ଼ି ସକାଳୁ ଉଠିପାରିଲେ ନାହିଁ ।

 

ବର୍ଷା ଛାଡ଼ିଯାଇଛି । ସକାଳର ଆକାଶ ବେଶ୍ ମେଘମୁକ୍ତ । ବୁଦ୍ଧନାଥ ତଥାପି ବିଛଣାରେ ଶୋଇଛନ୍ତି ।

 

ତାଙ୍କ କ୍ୱାଟରର ଦାଣ୍ଡ ଦରଜାରେ ବାରମ୍ୱାର ଆଘାତ ହେଉଛି । ତଥାପି ବୁଦ୍ଧନାଥ ଶୋଇଛନ୍ତି ନିଘୋଡ଼ ନିଦରେ ।

 

ଦାଣ୍ଡ ଦରଜାରେ କରାଘାତ କଲାବେଳେ ଜଣେ କହୁଥିଲା–ବାବୁତ ଖୁବ୍ ଭୋଓରୁ ଉଠୁନ୍ତି । ଆଜି କାହିଁକି କେଜାଣି ଏତେବେଳଯାଏ ଉଠୁନାହାଁନ୍ତି !

 

ଅନ୍ୟ ଜଣେ କହୁଥିଲା–କାଲି ରାତିରେ, ବାବୁ କେତେବେଳେ ଶୋଇଲେ କହିପାରିବ-?

 

ପ୍ରଥମ ଜଣକ କହିଲା–ରୋଷେଇ ସାରି ତାଙ୍କୁ ଖାଇବାକୁ ଦେଇ ମୁଁ ତ ରାତି ଦଶଟାରେ ଗଲି ଘରକୁ । ବାବୁ ଖାଇସାରି ପଢ଼ାପଢ଼ି କିଛି କରନ୍ତି । ସମ୍ଭବତଃ ପଢ଼ୁପଢ଼ୁ ବେଶୀ ବେଳ ହୋଇ ଯାଇଥିବ । ତେଣୁ ଶୋଇଯାଇଛନ୍ତି ଏପର୍ଯ୍ୟନ୍ତ ।

 

କବାଟରେ ପୁଣି କ୍ରମାଗତ ପ୍ରଚଣ୍ଡ କରାଘାତ । ବୁଦ୍ଧନାଥଙ୍କ ନିଦ ହଠାତ୍ ଭାଜିଗଲା । ସେ ତରବର ହୋଇ ଆଖି ଅଧାମେଲା ଓ ଅଧାବୁଜା କରି କବାଟ ଖୋଲି ଦେଲା ପରେ ସର୍ବପ୍ରଥମେ ତାଙ୍କ ସାନଭାଇ ବଦ୍ରିନାଥ ଓ ତା’ପରେ ତାଙ୍କ ପିଅନ ବାଙ୍କନିଧିକୁ ଦେଖିଲେ ।

 

ବୁଦ୍ଧନାଥଙ୍କ ଅର୍ଦ୍ଧ ନିଦ୍ରିତ ଚେତନାରେ ହଠାତ୍ ଯେପରି କିଏ ନିଆଁ ଗୁଞ୍ଜିଦେଲା । ତାଙ୍କ ସାନଭାଇ ଅତି ସକାଳୁ ଅଢ଼େଇ ଶହ ମାଇଲ ଦୂରରୁ ଆସି ପହଞ୍ଚିବାର କାରଣ ସମ୍ପର୍କରେ ଯଦିଓ ସେ ନୀରବରେ ଯଦିଓ ସେ ନୀରବରେ ସବୁ କିଛି ବୁଝିପାରୁଥିଲେ ତଥାପି ତାଙ୍କ ଭିତରେ ବ୍ୟସ୍ତ୍ୟତା ଓ ଉଦ୍‍ବିଗ୍ନତା କ୍ରମଶଃ ବଢ଼ିବାକୁ ଲାଗିଲା ।

 

ସେ ଚଟାପଟ୍ ମୁହଁ ଧୋଇ ଯେତେବେଳେ ଟାଉଏଲରେ ମୁହଁ ପୋଛିଲେ ସେତେବେଳେ ତାଙ୍କ ସାନଭାଇ ବଦ୍ରିନାଥ କହିଲା–ଭାଇ ଚାଲ ଘରକୁ ! ଅରୁଣର ଆଜି ବିବାହ । ତମେ କ’ଣ ରହିଯିବ ଏତେ ଦୂରରେ ତା ବାହାଘରରେ ଯୋଗ ନ ଦେଇ ?

 

ବୁଦ୍ଧନାଥଙ୍କ ମନ ଅଭିମାନରେ ଫୁଲି ଫୁଲି ଉଠୁଥିଲା । ବଦ୍ରିନାଥଙ୍କ କାର୍ଯ୍ୟକଳାପ ସମ୍ପର୍କରେ ତାଙ୍କର ବହୁ ଅଭିଯୋଗ ଥିଲେ ମଧ୍ୟ ତା’ର ଏଇ ଅନୁଯୋଗରେ ସେ ଆଉ କିଛି ଉତ୍ତର ଦେଇ ପାରିଲେ ନାହିଁ । ମାତ୍ର ତାଙ୍କ ମୁହଁରେ ଅଭିମାନ ଓ ଗାମ୍ଭୀର୍ଯ୍ୟର ଏକ ମିଶ୍ରିତ ପ୍ରତିଫଳନ ଯେପରି ହଠାତ୍ ହୋଇଗଲା ।

 

ବୁଦ୍ଧନାଥ ନୀରବ ରହିବା ଦେଖି ବଦ୍ରିନାଥ କହିଲା–ଅରୁଣର ବାହାଘର ସମ୍ପର୍କରେ ତମକୁ କିଛି ନ ଜଣାଇ ମୁଁ ଭୁଲ କରିଛି ଭାଇ ! ତମେ ଆଉ ଡେରି ନ କରି ଚଞ୍ଚଳ ବାହାର, ଟ୍ୟାକ୍‍ସି ଠିଆ ହୋଇଛି ମେନରୋଡ୍ ଉପରେ । ଦିନ ବାରଟା ସୁଦ୍ଧା ଘରେ ନ ପହଞ୍ଚିଲେ, ବଡ଼ଭାଇ ହୁଏତ ଟ୍ୟାକ୍‍ସି ଧରି ପୁଣି ଆସି ଏଠି ପହଞ୍ଚିଯିବେ ।

 

ବୁଦ୍ଧନାଥ ବିସ୍ମିତ ହୋଇଗଲେ । ଅଢ଼େଇଶହ ମାଇଲ ଦୂରରୁ ଟ୍ୟାକ୍‍ସି ଧରି ଆସିଛି ବଦ୍ରିନାଥ ପୁଣି ସେହି ଟ୍ୟାକ୍‍ସିରେ ଫେରିଯିବ ସେ ଗାଁକୁ ? କାହିଁକି ଏତେ ଜରୁରୀ ? ଶେଷ ମୁହୂର୍ତ୍ତରେ କାହିଁକି ଏତେ ବ୍ୟସ୍ତତା ? ସେ ବାହାଘରରେ ଯୋଗ ନ ଦେଲେ ଅରୁଣର କ’ଣ ବାହାଘର ହୋଇ ପାରିବ ନାହିଁ ?

 

ଯେଉଁ ଛୁଆଟିକୁ ଏନ୍ତୁଡ଼ିଶାଳରୁ ସେ ନେଇଥିଲେ ପୁଅକରି, ତା’ର ବାହାଘର ହେବ, ଅଥଚ ସେ ଦେଖି ପାରିଲେ ନାହିଁ ସେହି କନ୍ୟାଟିକୁ, ଯିଏ ଆସିବ ତାଙ୍କର ବୋହୂ ହୋଇ ?

 

ବୁଦ୍ଧନାଥଙ୍କ ବିସ୍ମୟ ଆହୁରି ବଢ଼ିଗଲା । ସେ କେବଳ ପଚାରିଲେ–ଟ୍ୟାକ୍‍ସି ନ କରି ତୁ ତ ରାତ୍ରି ଟ୍ରେନରେ ଆସିଥିଲେ ଚଳିଥାନ୍ତା ! ଅଯଥାରେ ଖର୍ଚ୍ଚାନ୍ତ ହୋଇ ଟ୍ୟାକ୍‍ସିରେ କିଆଁ ତୁ ଆସିଲୁ ?

 

ବଦ୍ରିନାଥ, ବୁଦ୍ଧନାଥଙ୍କ ହୃଦବୋଧ କରିବା ଉଦ୍ଦେଶ୍ୟରେ କହିଲେ–ଗତକାଲି ବଡ଼ଭାଇ ସକାଳେ କଲିକତାରୁ ଆସି ଘରେ ପହଞ୍ଚିଲା ମାତ୍ରେ ସେ ତମ କଥା ଆଗ ପଚାରିଲେ । ବୁଦ୍ଧନାଥ କାହିଁକି ଆସିଲା ନାହିଁ, ତମେ ସବୁ ତାକୁ ଆସିବା ପାଇଁ ଚିଠି ଲେଖିଥିଲେ କି ନାହିଁ ଇତ୍ୟାଦି ବହୁ ପ୍ରଶ୍ନ ପଚାରି ଭାଉଜ ଓ ମୋ ଉପରେ ବିରକ୍ତି ହେଲେ । ଏପରି କି ସେ ଆଉ ଲୁଗାପଟା ନ ବଦଳାଇ ତମ ପାଖକୁ ଆସିବା ପାଇଁ ବାହାରିଲେ । ଘରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ମଧ୍ୟ ଆସିଯାଇଥିଲେ-। କିନ୍ତୁ ମୁଁ ଯେତେବେଳେ ତାଙ୍କ ପଛେ ପଛେ ଆସି ବସଷ୍ଟାଣ୍ଡରେ ପହଞ୍ଚିଲି ଏବଂ କହିଲି ମୁଁ ଯାଉଛି ସାନଭାଇଙ୍କୁ ଆଣିବି, ସେତେବେଳେ ସେ ନିଜେ ଆସିବାର ଯେଉଁ ବ୍ୟଗ୍ରତା ପ୍ରକାଶ କରୁଥିଲେ ତାହା ଅବଶ୍ୟ କମିଗଲା । ତେବେ ମତେ ସେ କହିଲେ–ଟ୍ୟାକ୍‍ସି କରି ତୁ ବାଲେଶ୍ୱର ଯାଆ ଏବଂ ସେଇ ଟ୍ୟାକ୍‍ସିରେ ବୁଦ୍ଧନାଥକୁ ନେଇ ଆସିବୁ । ଯିବା ଆସିବା ଟ୍ୟାକ୍‍ସି ଖର୍ଚ୍ଚ ପାଇଁ ସେ ମଧ୍ୟ ସାଙ୍ଗେ ସାଙ୍ଗେ ପକେଟରୁ ଟଙ୍କା ବାହାର କରି ଦେଇଦେଲେ ।

 

ବଡ଼ ଆବେଗରେ ବଦ୍ରିନାଥ ଏତକ କହିସାରିଲା ପରେ କାନ୍ଦି ପକାଇଲା । ତା’ର ବିଦୀର୍ଣ୍ଣ ଆବେଗକୁ ଚାପି ରଖିବା ପାଇଁ ଶତଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ସେ ପାରିଲା ନାହିଁ । ସେ ଲୁହ ଛଳଛଳ ଆଖିରେ କହିଲା–ଭାଇ ଘରେ ପହଞ୍ଚି ଯେତେବେଳେ ଜାଣିଲେ ଯେ ତମେ ଆସିନାହଁ, ସେତେବେଳେ ରାଗ ଓ କ୍ରୋଧରେ ଏବଂ ପରେ ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ । ସେ କହିଲେ–ଆମେ ଭାଇ ଭାଇ । ଭିନ୍ନେ ହେଲେ ବୋଲି ଆମେ କ’ଣ ପର ହୋଇଯିବା ? ଆମ ରକ୍ତର ନିବିଡ଼ତା କ’ଣ କମିଯିବ ? ବୁଦ୍ଧନାଥ ଅରୁଣର ବାହାଘରରେ ଆସନ୍ତାକାଲି ସନ୍ଧ୍ୟାସୁଦ୍ଧା ଯଦି ଏଠି ନ ପହଞ୍ଚେ, ତେବେ ମୁଁ ମଧ୍ୟ ସେ ଗଡ଼ମାଣିତ୍ରୀ ଗାଁକୁ ଯିବିନାହିଁ ।

 

ତେଣୁ ମୁଁ ଟ୍ୟାକ୍‍ସି କରି ଆସିଛି ଭାଇ ! ତମେ ବାସିକାମ ସବୁ ସାରଦେଇ ଜଲ୍‍ଦି ବାହାରିପଡ଼ ।

 

ବୁଦ୍ଧନାଥଙ୍କ ଅଭିମାନ ଗତକାଲି ମେଘବର୍ଷିତ ରାତିରେ ଅନେକାଂଶରେ ମଉଳି ଯାଇଥିଲା ଏବଂ ଅବଶୋଷର ଅବଶେଷ ଯାହା ଅବା ରହିଯାଇଥିଲା ତାଙ୍କ ଚେତନାରେ, ବଦ୍ରିନାଥକୁ ଦେଖିଲା ପରେ ଓ ତା’ଠାରୁ ବଡ଼ ଭାଇଙ୍କର ବ୍ୟସ୍ତତା ଜାଣିଲା ଉତ୍ତାରୁ ତାଙ୍କର ସମସ୍ତ ଅଭିମାନ କଟିଗଲା ।

 

ବୁଦ୍ଧନାଥ ତରବର ହୋଇ ବାସି କାମ ସାରି ତାଙ୍କ ପିଅନ ବାଙ୍କନିଧିକୁ କହିଲେ ଆରେ ଯା, ବଜାରରୁ କିଛି ଜଳଖିଆ ଆଣିବୁ । ବଦ୍ରିନାଥ କିଛି ଖାଇନାହିଁ । ସେ କିଛି ଖାଇ ସାରିଲା ପରେ ଆମେସବୁ ଯିବୁ ଗାଁକୁ ।

 

ବଦ୍ରିନାଥ କହିଲା–ତମେ ଆଗ ଟ୍ୟାକ୍‍ସିରେ ବସିଲ ଭାଇ, ତା’ପରେ ଯେଉଁ କଥା । ବାଟରେ ହେଲେ କେଉଁଠି ଖାଇ ଦେବା କିଛି ।

 

ବୁଦ୍ଧନାଥ କହିଲେ–ତା’ କେମିତି ହେବ ? ଏଠାରୁ କିଛି ନ ଖାଇ ଗଲେ ଆମେ ଏତେଗୁଡ଼ିଏ ବାଟ ଖାଲି ପେଟରେ ଯିବା କେମିତି ? ଟ୍ୟାକ୍‍ସିବାଲାକୁ ମଧ୍ୟ ଡାକ । ସେ ବି କିଛି ଖାଉ !

 

ଉଚ୍ଚ ଉଚ୍ଚ କୋଠାମାନଙ୍କରେ ଖରା ପଡ଼ିବା ପୂର୍ବରୁ ବୁଦ୍ଧନାଥ ଓ ବଦ୍ରିନାଥ ଗୋଟାଏ ଟ୍ୟାକ୍‍ସିରେ ବସି ତାଙ୍କ ଗାଁ ଆଡ଼କୁ ଯାଉଥିଲେ ଯାହା ବାଲେଶ୍ୱରଠାରୁ ଥିଲା ଅଢ଼େଇଶହ ମାଇଲ ବ୍ୟବଧାନ ।

Image

 

ନିଃଶବ୍ଦ ସମୟ ସ୍ରୋତ

 

ଶୁଦ୍ଧୋଧନ ଡାକରେ ଆସିଥିବା ଲଫାପାଟିକୁ ଚିରି ସେଥିରେ ଥିବା ଚିଠିଟିକୁ ପଢ଼ିବାରେ ଲାଗିଲେ । ଚିଠିଟିରେ ଲେଖାଥିଲା–ବାପୁରେ, ବର୍ଷେହେଲା ତମେସବୁ ଗାଁକୁ ଆସିନାହଁ । ପିଲାମାନଙ୍କୁ ନ ଦେଖି ମନଟା ଡହଳବିକଳ ହେଉଛି । ରଜକୁ ପିଲାମାନଙ୍କୁ ଧରି ତୁ ନିଶ୍ଚେ ଗାଁକୁ ଆସିବୁ–ତୋର ବୋଉ ।

 

ଶୁଦ୍ଧୋଦନ ବଲାଙ୍ଗୀର ଗସ୍ତରୁ ଫେରି ସନ୍ଧ୍ୟାବେଳେ ଘରେ ପହଞ୍ଚିଲା ପରେ ତାଙ୍କ ଅଡ଼ର୍ଲି ଦେଇଗଲା ଚିଠି ଖଣ୍ଡିକ । ନିଜ କ୍ୱାଟର ସାମ୍ନା ଲନରେ ଗୋଟିଏ ବେତ ଚୌକିରେ ବସି କ୍ଳାନ୍ତି ଅପନୋଦନ କରୁଥିବାବେଳେ ବୋଉର ଚିଠି ଖଣ୍ଡିକ ଶୁଦ୍ଧୋଧନଙ୍କ ଚେତନାରେ ଭରିଦେଲା ସତେ ଯେପରି ଆଶ୍ୱସ୍ତି ଓ ଆଶ୍ୱାସନାର କେତେ ମୃଦୁ ସ୍ନିଗ୍ଧ ପ୍ରଲେପ ।

 

ଜୀବନ ସଂଗ୍ରାମର କୁରୁକ୍ଷେତ୍ରରେ ବ୍ୟସ୍ତରହି ଗତ କେତେ ବର୍ଷହେଲା ସେ ଭୁଲି ଯାଇଛନ୍ତି ବାପା, ବୋଉ, ଗାଁ, ତାହାର ସମସ୍ତ ପର୍ବପର୍ବାଣୀ ଓ ଉତ୍ସବମାନଙ୍କୁ । ଅନେକ ଦିନ ପରେ ବୋଉଠାରୁ ଚିଠି ପାଇଲା ପରେ ଶୁଦ୍ଧୋଧନଙ୍କ ସ୍ମୃତିର ଦିଗନ୍ତରେ ହଠାତ୍ ବର୍ଣ୍ଣୋଜ୍ଜ୍ୱଳହୋଇ ଭାସିଉଠିଲା, ତାଙ୍କ ଗାଁର ସେଇ ରଜପର୍ବ ଏବଂ ସେଥିସହିତ ଜଡ଼ିତ ହୋଇ ରହିଥିବା ତାଙ୍କ ବାଲ୍ୟ, କୈଶୋର ଓ ଯୌବନର କେତେ ସ୍ମୃତି ।

 

ଗ୍ରୀଷ୍ମ ସନ୍ଧ୍ୟାର ବରଗଡ଼, ବେଳେବେଳେ ଅସହ୍ୟ ଉତ୍ତାପରେ ସତେ ଯେପରି ଭାଜିପଡ଼େ । ଗତ ଚାରିବର୍ଷ ଧରି ଶୁଦ୍ଧୋଧନ ଏହି ଗ୍ରୀଷ୍ମ ସହିତ ପରିଚିତ ହେଲେ ମଧ୍ୟ ବେଳେବେଳେ ଏଇ ଅସହନୀୟ ଉତ୍ତାପରେ ସେ ଯେପରି ଜଳିଯାନ୍ତି । ଲନରେ ଚେୟାରେ ଉପରେ ଖୋଲା ଦେହରେ ବସିଥିଲେ ମଧ୍ୟ ତଥାପି ତାଙ୍କ ଦେହ ଯେପରି କ୍ରମଶଃ ହୋଇଉଠୁଛି ସ୍ୱେଦାକ୍ତ ।

 

ଶୁଦ୍ଧୋଧନ ଚିଠିଖଣ୍ଡିକ ପଢ଼ିସାରିଲା ପରେ ସେ ଅନୁଭବ କରୁନାହାନ୍ତି, ସେଇ ଅସହ୍ୟ ଉତ୍ତାପର ଭାରାକ୍ରାନ୍ତିକୁ । ନିଜ ବୋଉର ଚିଠି ଖଣ୍ଡିକ ନିଦାଘ ନିପୀଡ଼ିତ ତାଙ୍କ ଶରୀରକୁ କିପରି ଏକ ଛାୟାଶୀଳତାର ମଧୁ ସ୍ପର୍ଶରେ କରିଦେଲା କୋମଳ ଓ ସ୍ନିଗ୍‍ଧ ।

 

ଶୁଦ୍ଧୋଧନଙ୍କ ଦୃଷ୍ଟିରେଖା ଫେରିଗଲା ଅତୀତକୁ–ରଜପର୍ବର ସେଇ ମଧୁର, ଧୂସର ବିସ୍ମୃତ ଦିନଗୁଡ଼ିକୁ ।

 

କାଆଲି ପରି ମନେହେଉଛି ! ସେ ମାଇନର ସ୍କୁଲରେ ପଢ଼ୁଥିବାବେଳେ ରଜର ମାସକ ପୂର୍ବରୁ ତାଙ୍କ ଗାଁ ହୋଇଉଠୁଥିଲା କେତେ ଚଳଚଞ୍ଚଳ । ଜ୍ୟେଷ୍ଠର ଉଦୁଉଦିଆ ନିଶୂନ୍ ଖରାବେଳେ ଶୁଦ୍ଧୋଧନ ଖିଆପିଆ ସାରି ବିଛଣା ଧରିଲାବେଳେ ଡୁଡ଼ୁ ଖେଳର ସେଇ ପରିଚିତ ନାଗରା ଧ୍ୱନି ତାଙ୍କ ଗାଁ ଚତର ପଡ଼ିଆରୁ ଭାସି ଆସେ ।

 

ଶୁଦ୍ଧୋଧନଙ୍କ ଆଖିପତା ଜ୍ୟେଷ୍ଠର ସେଇ ଖରାବେଳେ ମୁଦିହୋଇ ଆସୁଥିବାବେଳେ ଚତର ପଡ଼ିଆର ସେଇ ନାଗରା ଧ୍ୱନି ତାଙ୍କର ନିଦ୍ରାଳୁ ଚେତନାକୁ ଯେପରି ତିଳତିଳ କରି ହତ୍ୟା କରିଦିଏ । ସେ ଶୋଇ ପାରନ୍ତିନି ଆଉ ନିଶ୍ଚିତରେ । ଧୀରେ ଧୀରେ ବିଛଣାରୁ ଉଠି ସେ ଅନାନ୍ତି ଦାଣ୍ଡଘରକୁ ।

 

ଦାଣ୍ଡଘରେ ଶୋଇଥାନ୍ତି ତାଙ୍କର ବଡ଼ବାପା । ଲୁହା ପରି ନିଦା ଶକ୍ତିଶାଳୀ ମଣିଷଟିଏ । ଶୁଦ୍ଧୋଧନ, ତାଙ୍କର ବଡ଼ ଓ ସାନଭାଇ, ନିଦରେ ନ ଶୋଇଲା ପର୍ଯ୍ୟନ୍ତ ବଡ଼ବାପା ସେମିତି ଚେଇଁ ରହିଥିବେ । ସେମାନେ ସବୁ ନିଦରେ ଶୋଇଲେ ବଡ଼ବାପା ନିଦ ଯିବେ ।

 

ବଡ଼ବାପାରଙ୍କର ଶାସନ ଥିଲା ସେମାନଙ୍କ ପକ୍ଷରେ ପ୍ରକୃତରେ କଠୋରତର । ତାଙ୍କର ଧାରଣାଥିଲା, ପିଲାମାନେ ଖରାବେଳେ ନ ଶୋଇ ଖରାରେ ବୁଲିଲେ ସନ୍ଧ୍ୟାବେଳେ ପାଠ ପଢ଼ିଲାବେଳେ ଢୁଳାଇବେ ଏବଂ ସେମାନଙ୍କ ପାଠପଢ଼ାରେ ଗୁରୁତର ବାଧା ସୃଷ୍ଟିହେବ । ତେଣୁ ଶୁଦ୍ଧୋଧନ ଓ ତାଙ୍କର ଭାଇମାନେ ଗ୍ରୀଷ୍ମଦିନର ଖରାବେଳେ ନ ଶୋଇଲେ ବଡ଼ବାପା ସେମିତି ସେମାନଙ୍କୁ ଜଗି ବସିଥିବେ ।

 

ମାତ୍ର ନିଶୂନ୍ ଖରାବେଳେ ଗାଁ’ଯାକର ଲୋକେ ଯେତେବେଳେ ସମସ୍ତେ ବିଶ୍ରାମ ନିଅନ୍ତି, ସେତେବେଳେ ଚତର ପଡ଼ିଆରୁ ସେଇ ନାଗରା ଧ୍ୱନି ଶୁଦ୍ଧୋଧନଙ୍କ କାନରେ ରହି ରହି ବାରମ୍ବାର ବାଜିଉଠେ । ସେ ଚୁପ୍‍ଚାପ୍ ବିଛଣାରୁ ଉଠି ଓ ଅତି ସନ୍ତର୍ପଣରେ ଦାଣ୍ଡଘରେ ଶୋଇଥିବା ତାଙ୍କ ବଡ଼ବାପାଙ୍କୁ ନିରୀକ୍ଷଣ କରନ୍ତି । ଯଦି ବଡ଼ବାପା ଖରାବେଳେ ନିଦରେ ଶୋଇ ଘୁଙ୍ଗୁଡ଼ି ମାରନ୍ତି, ସେତେବେଳେ ଶୁଦ୍ଧୋଧନ ଜ୍ୟେଷ୍ଠର ସେଇ ମୁଣ୍ଡଫଟା ଖରାକୁ ଖାତିର ନ କରି ଘରୁ ଦାଣ୍ଡକୁ ବାହାରି ଆସନ୍ତି ଓ ସେଠାରୁ ଖୁବ୍‍ ଦ୍ରୁତ ଗତିରେ ଦଉଡ଼ି ଚାଲିଯାଆନ୍ତି ଚତର ପଡ଼ିଆକୁ ।

 

ତାଙ୍କର ବୟସର ପିଲାମାନେ ଦୁଇ ଦଳରେ ବିଭକ୍ତ ହୋଇ କିତି କିତି ଖେଳରେ ମାତିଯାଆନ୍ତି ଓ ଶୁଦ୍ଧୋଧନ ଯେଉଁ ପଟରେ ଠିଆ ହେଉଥିଲେ, ତାହା ହେଉଥିଲା ଜିତାପଟ ।

 

ଶୁଦ୍ଧୋଧନ, ଗ୍ରୀଷ୍ମ ସନ୍ଧ୍ୟାର ଲନରେ ବସି ଭାବି ଚାଲିଛନ୍ତି... ।

 

ସେ ଥିଲେ ଖୁବ୍ ଭଲ ଖେଳାଳୀ । ଗୋଡ଼ ଧରିବାରେ ସେ ଥିଲେ ଖୁବ୍ ଧୁରୀଣ । ଅପର ପକ୍ଷରୁ ଯେଉଁମାନେ ଖେଳଦେବାକୁ ଆସୁଥିଲେ, ସେମାନଙ୍କୁ ଆୟତ୍ତ କରିନେବାରେ ତାଙ୍କର ଥିଲା ଅପୂର୍ବ କୌଶଳ । କେବଳ ସେତିକି ନୁହେଁ, ଅପର ପଟକୁ ଖେଳ ଦେବାକୁ ଗଲେ ସେ କାନି ଖେଦି, ଖେଳାଳୀମାନଙ୍କ ମଧ୍ୟରୁ କାହାକୁ ଠେଲିଦେଇ ଦ୍ରୁତ ଗତିରେ ହରିଣ ପରି ଦଉଡ଼ି ଦଉଡ଼ି ଚାଲିଆସନ୍ତି । ଅପର ପକ୍ଷରେ ଖେଳାଳୀମାନେ ବ୍ୟୁହ ରଚି ତାଙ୍କୁ ଧରିବାକୁ ଉଦ୍ୟମ କଲାବେଳେ ସେ ଡେଇଁପଡ଼ନ୍ତି ଛାତିଏ ବେକେ ଉଚ୍ଚର କିଆ ଓ କଣ୍ଟାବାଡ଼କୁ ନିର୍ବିଘ୍ନରେ । ଦର୍ଶକମାନଙ୍କ ତାଳିମାଡ଼ରେ ଚତର ପଡ଼ିଆ କମ୍ପିଉଠେ ।

 

ଶୁଦ୍ଧୋଧନ କିତି କିତି ଖେଳ ବେଶ୍ ଉତ୍ସାହରେ ଖେଳୁଥିଲେ ମଧ୍ୟ ତାଙ୍କର ଅବଚେତନରେ ବଡ଼ବାପାଙ୍କ ପ୍ରତି ରହିଥିଲା ପ୍ରାଣାନ୍ତକ ଭୟ । ଖେଳିବା ବେଳେ ଯଦି ସେ ଆସି ଉପସ୍ଥିତ ହୋଇଯିବେ, ତା’ହେଲେ କିତି କିତି ଖେଳିବାର ସମସ୍ତ ଆନନ୍ଦ ନଷ୍ଟ ହୋଇଯିବ । ତେଣୁ ସେ ଖେଳିବାରେ ବ୍ୟସ୍ତ ରହିଥିଲାବେଳେ ବେଳେବେଳେ ଚମକି ଚାହିଁ ଦେଉଥିଲେ ଧୋବାସାହି ରାସ୍ତାକୁ–ଯେଉଁ ରାସ୍ତାରୁ ବଡ଼ବାପା ବାହାରି ଧାଇଁବେ ଚତର ପଡ଼ିଆକୁ ।

 

ତାଙ୍କର ସ୍ପଷ୍ଟ ଭାବରେ ମନେପଡ଼ୁଛି ଦିନକର କଥା । ବଡ଼ବାପାଙ୍କର ସତର୍କ ଦୃଷ୍ଟିକୁ ଅନେକଥର ଏଡ଼ାଇଦେଇ ସେ ଜ୍ୟେଷ୍ଠର ରୌଦ୍ରଦଗ୍‍ଧ ଖରାବେଳେ ଖେଳିବା ପାଇଁ ଲୁଚି ଲୁଚି ଦ୍ୱିପ୍ରହରର ବିଛଣା ଛାଡ଼ିବାରେ ସଫଳ ହୋଇଥିଲେ; ମାତ୍ର ସେଦିନ ଶୁଦ୍ଧୋଧନ ପଡ଼ିଗଲେ ଧରାରେ ।

 

ବଡ଼ବାପା ସେଦିନ ଦାଣ୍ଡଘରେ ସ୍ୱାଭାବିକ ଭାବରେ ଶୋଇବାର ଛଳନା କରିଥିଲେ । ତା’ର କାରଣ ଥିଲା ଶୁଦ୍ଧୋଧନଙ୍କ ବିରୁଦ୍ଧରେ ତାଙ୍କର ଅନ୍ୟ ଦୁଇଭାଇ ବଡ଼ବାପାଙ୍କ ପାଖରେ ଅଭିଯୋଗ ବାଢ଼ିଥିଲେ । ସେମାନଙ୍କ ଅଭିଯୋଗ ଥିଲା ତମେ ଶୋଇଲା ପରେ ସୁଧା ଚାଲିଯାଉଛି ପ୍ରତିଦିନ ଖେଳିବାକୁ ଏବଂ ତମେ ଉଠିବା ପୂର୍ବରୁ ସେ ଫେରିଆସୁଛି ଘରକୁ ।

 

ଏଭଳି ଅଭିଯୋଗ ଶୁଣିଲା ପରେ ବଡ଼ବାପାଙ୍କର ମୁରବିପଣିଆ ସେଦିନ ଅସ୍ୱାଭାବିକ ଭାବରେ ଗର୍ଜି ଉଠିଲା । ତାଙ୍କର କାଳିଆ ଗୋଲ ଚେକା ମୁହଁରେ ଦୁଇପଟ ମୋଟା ନିଶ, ସେଦିନ ଯେପରି ମୃଦୁ ଭାବରେ କମ୍ପି ଉଠିଥିଲା ଆଜି ବି ଅନେକ ବର୍ଷ ପରେ ଶୁଦ୍ଧୋଧନଙ୍କ ଚେତନାରେ ସଜୀବ ହୋଇ ରହିଛି ।

 

ତାଙ୍କ ରାଗିବା ପରଠାରୁ ଲାଗ ଲାଗ ଚାରିଦିନ, ଶୁଦ୍ଧୋଧନ ଆଉ ଖରାବେଳେ ଖେଳିବାକୁ ଗଲେ ନାହିଁ । ମନର ଉଦଣ୍ଡ ଆବେଗକୁ ବଡ଼ବାପାଙ୍କ ନାଲି ଆଖି ଡରରେ ଚାପି ଦେଇ ଭୟଙ୍କର ଯନ୍ତ୍ରଣା ଭିତରେ ଚାରୋଟି ବିଳମ୍ବିତ ଖରାବେଳ ସେ କଟାଇଥିଲେ । କିନ୍ତୁ ଚତର ପଡ଼ିଆରୁ ଭାସି ଆସୁଥିବା କିତି କିତି ଖେଳର ସେଇ ନାଗରା ଧ୍ୱନି ତାଙ୍କୁ କରି ଦେଉଥିଲା ବଡ଼ ବ୍ୟସ୍ତ ଓ ବିବ୍ରତ ।

 

ବଡ଼ ବାପାଙ୍କ ରାଗିବାର ଠିକ୍ ପାଞ୍ଚ ଦିନପରେ ପୁଣି ଥରେ ଖେଳପଡ଼ିଆକୁ ଯିବାଲାଗି ମନେ ମନେ ସ୍ଥିର କଲେ ଶୁଦ୍ଧୋଧନ । ସେଦିନ ଖାଇ ସାରି ସମସ୍ତେ ଖରାବେଳେ ଶୋଇଲେ । ବଡ଼ଭାଇ, ସାନଭାଇ ଓ ସେ ନିଜେ ବିଛଣା ଧରିଲେ । ବଡ଼ବାପା, ପୁଣି ଥରେ ଭାଇଙ୍କ ଉପରେ ତାଙ୍କ ଅଭିଭାବକ ସୁଲଭ ସୁତୀକ୍ଷ୍‍ଣ ଦୃଷ୍ଟି ପକାଇ ଦାଣ୍ଡ ଖଟ ଉପରେ ବିଛଣା ଧରିଲେ ।

 

ଚତର ପଡ଼ିଆରୁ ପୁଣି ବାଜି ଉଠିଲା, କିତି କିତି ଖେଳର ନାଗରା ସାଙ୍ଗକୁ ଗାଆଁ ପିଲାମାନଙ୍କର ଦୀର୍ଘାୟିତ ଏକ ହୋ ଧ୍ୱନି, ଯାହା ଖେଳ ଆରମ୍ଭ ପୂର୍ବରୁ ହୋଇଥାଏ । ଶୁଦ୍ଧୋଧନଙ୍କ ଚେତନାରେ ମର୍ମାନ୍ତିକ ଯନ୍ତ୍ରଣା । ଅନ୍ୟ ଦୁଇଭାଇ, ବଡ଼ବାପାଙ୍କ ଭୟରେ କେତେବେଳୁଁ ଶୋଇଗଲେଣି ।

 

ଶୁଦ୍ଧୋଧନ ଧୀରେ ଧୀରେ ଉଠି ବସିଲେ ବିଛଣାରୁ । ବଡ଼ବାପା ଶୋଇଲେ କି ନାହିଁ ! ଗୋଡ଼ ଚାପି ଚାପି ଅତି ସନ୍ତର୍ପଣରେ ଦାଣ୍ଡ ଖଟ ଉପରକୁ ଅନାଇଲେ ଶୁଦ୍ଧୋଧନ । ବଡ଼ବାପା ସ୍ୱାଭାବିକ ଭାବରେ ନିଦ ଯାଇଛନ୍ତି ।

 

ହଠାତ୍ ଦାଣ୍ଡଘରୁ କୁଦାଟିଏ ମାରିଦେଲେ ଶୁଦ୍ଧୋଧନ ଦାଣ୍ଡକୁ । ତା’ପରେ ବିଦ୍ୟୁତ୍ ବେଗରେ ସେ ଦଉଡ଼ିଗଲେ ଖେଳ ପଡ଼ିଆକୁ ।

 

କିଛି ବାଟ ଆସିଲା ପରେ, ମନେହେଲା କିଏ ଜଣେ ଯେପରି ତାଙ୍କର ପିଛା ଧରିଛି ଓ ପଛରେ ଦଉଡ଼ିଥିବା ବ୍ୟକ୍ତିଟି ତାଙ୍କୁ ଯେପରି ଆଉ କେତେ ମିନିଟ୍ ପରେ ଅତିକ୍ରମ କରି ଆଗେଇଯିବ । ସେଇ ଦଉଡ଼ନ ଭିତରେ ପଛର ପାଦଧ୍ୱନି ଯେପରି ତାଙ୍କର ନିକଟତର ହେଉଛି ।

 

ଶୁଦ୍ଧୋଧନ ଅନାଇଦେଲେ ପଛକୁ । ଯିଏ ଦଉଡ଼ୁଛନ୍ତି ଦ୍ରୁତଗତିରେ ତାଙ୍କ ପଛରେ ସେ ଆଉ କେହି ନୁହନ୍ତି, ସ୍ୱଂୟ ବଡ଼ବାପା !

 

ଶୁଦ୍ଧୋଧନ ଭୟ ଜନିତ ଶଙ୍କାରେ କ୍ଳାନ୍ତ ହୋଇ ଅଟକି ଗଲେ ସେଠାରେ । ବଡ଼ବାପା ତାଙ୍କର ଭୀମକାୟ ମୂର୍ତ୍ତିଧରି ଶୁଦ୍ଧୋଧନଙ୍କ ନିକଟରେ ପହଞ୍ଚିଲେ ଏବଂ ତାଙ୍କର କାନମୋଡ଼ି ଯେଉଁ ବ୍ରହ୍ମଚାପୁଡ଼ାଏ ସେଦିନ ତାଙ୍କ କାନ ମୂଳରେ ଦେଇଥିଲେ ସେଇ ଯନ୍ତ୍ରଣାର ପ୍ରକୋପ ଏବେ ମଧ୍ୟ ଶୁଦ୍ଧୋଧନଙ୍କ ଅବଚେତନର କେଉଁ ନିଭୃତ କୋଣରେ ଗୁରୁଗୁରୁ ହୋଇ ରହିଯାଇଛି ।

 

ସେହିଦିନଠାରୁ ଶୁଦ୍ଧୋଧନ ଆଉ ଖେଳିବାକୁ ଯାଇ ନ ଥିଲେ; ମାତ୍ର ଚତର ପଡ଼ିଆର ସେଇ କିତି କିତି ଖେଳର ନାଗରା ଶବ୍ଦ ଓ ଖେଳ ଆରମ୍ଭ ହେବା ପୂର୍ବରୁ ପିଲାମାନଙ୍କର ସମବେତ କଣ୍ଠ ସଙ୍ଗୀତର ସେଇ ମିଳିତ ମୂର୍ଚ୍ଛନା ତାଙ୍କ ଚେତନାରେ ରହି ଯାଇଥିଲା ବହୁ ବର୍ଷ ଧରି ସଞ୍ଚିତ ହୋଇ ।

 

ବଡ଼ବାପାଙ୍କର ସେଇ କଠୋର ଶାସନ, ପରବର୍ତ୍ତୀ ଜୀବନରେ ତାଙ୍କୁ କରି ଦେଇଥିଲା ଶୃଙ୍ଖଳିତ । ଶୈଶବର ସେଇ ଲଗାମହୀନ, ବିଶୃଙ୍ଖଳ ଜୀବନ ଭିତରେ ବଡ଼ବାପାଙ୍କର ରୋଷ କଷାୟିତ ନାଲିଆଖି, ତାଙ୍କ ଅଭିଭାବକ ସୁଲଭ ନିଦା ଟାଣୁଆ ବଳିଷ୍ଠ ବ୍ୟକ୍ତିତ୍ୱ, ତାଙ୍କର ଗୋଲ ଚେକା ମୁହଁ ଓ ତହିଁ ଉପରେ ଦୁଇପଟ ହୁରୁଡ଼ା ବାଘୁଆ ନିଶର ଅଙ୍କନ, ତାଙ୍କୁ କରି ଦେଇଥିଲା ପାଠ ପଢ଼ିବାରେ ଖୁବ୍ ମନଯୋଗୀ । ଶୈଶବର ଚେତନାରେ ଆକସ୍ମିକ ଭାବରେ ଲାଗି ଆସୁଥିଲା ଯେଉଁ ଦୁରନ୍ତ ଏକ ଝଡ଼, ତାଙ୍କରି କଟକଣା ଓ ଚେତାବନୀ ମଧ୍ୟରେ ସେ ହୋଇଗଲେ ଖୁବ୍ ଶାନ୍ତ ଓ ନମ୍ର ! ଗୁରୁଜନମାନଙ୍କୁ ଭକ୍ତି ଓ ଲଘୁଜନମାନଙ୍କୁ ସ୍ନେହ କରିବାକୁ ବଡ଼ବାପା ଶିଖାଇ ଦେଇଥିଲେ ।

 

ଗ୍ରୀଷ୍ମ ସନ୍ଧ୍ୟାର ନିଶୂନ୍ ଲନ୍ ମଧ୍ୟରେ ଶୁଦ୍ଧୋଧନ ଭାବି ଚାଲିଛନ୍ତି ରଜପର୍ବ ଓ ସେଥି ସହିତ ଜଡ଼ିତ ହୋଇ ରହିଥିବା ତାଙ୍କ ଶୈଶବର କେତେ ସ୍ମୃତି ।

 

ଅତି ଶୈଶବ ଅବସ୍ଥାରେ ସେ ବଢ଼ି ଆସିଥିଲେ ବଡ଼ବାପାଙ୍କ ପାଖରେ ତାଙ୍କଠାରୁ ସମସ୍ତ ସ୍ନେହ, ଶ୍ରଦ୍ଧା ଓ କଠୋର ଶାସନ ପାଇ । ବାପା ତାଙ୍କର ସେତେବେଳେ ଓଡ଼ିଶାଠାରୁ ଦୂରରେ, କେଉଁ ଏକ ବଡ଼ ସହରରେ ରହି ଚାକିରି କରୁଥିଲେ ଏବଂ ବର୍ଷକରେ ଥରେ ଦୁଇଥର ମାତ୍ର ଗାଁକୁ ଆସୁଥିଲେ ।

 

ଶୁଦ୍ଧୋଧନଙ୍କର ମନେ ପଡ଼ୁଛି.....ତାଙ୍କର ବାପା ବିଦେଶରୁ ଫେରିଲେ, ଘରେ ରହୁଥିଲେ ମାତ୍ର ଚାରି ପାଞ୍ଚଦିନ । ତା’ପରେ ଫେରି ଯାଉଥିଲେ କେଉଁ ଦୂରାନ୍ତର ବିଦେଶ ଭୂଇଁକୁ । ତାଙ୍କର ସେଇ ଚାରି ପାଞ୍ଚଦିନ ରହଣି ଭିତରେ ବାପା ସେମାନଙ୍କୁ ପଚାରି ବସୁଥିଲେ କେତେ ପାଠ-। ଇଂରାଜୀ, ବିଜ୍ଞାନ, ସାହିତ୍ୟ ଓ ଇତିହାସ । ପାଠ ନ ଆସୁଥିଲେ ଦୀନବନ୍ଧୁ ସାରଙ୍କ ପରି ସେ ଅବଶ୍ୟ କାନ ନ ମୋଡ଼ି, କୋଳରେ ବସାଇ କହି ଦେଉଥିଲେ ।

 

ଚାରି ପାଞ୍ଚଦିନ ରହିଲା ପରେ, ମାଛି ଅନ୍ଧାରରୁ ଉଠି ବାପା ବିଦେଶ ବାହୁଡ଼ିଗଲା ପରେ, ତାଙ୍କର ନିଦ ଭାଜେ ଏବଂ ବାପାଙ୍କୁ ଖୋଜି ଖୋଜି କେତେ ସେ କାନ୍ଦନ୍ତି; କିନ୍ତୁ ବଡ଼ବାପା ତାଙ୍କୁ କୋଳକୁ ତୋଳି ନେଇ ଗେହ୍ଲା କରି ବସନ୍ତି ଓ ବାପା ସନ୍ଧ୍ୟାବେଳକୁ ଫେରିବେ ବୋଲି କହି ତାଙ୍କୁ କେତେ ପ୍ରବୋଧନା ଦିଅନ୍ତି ।

 

ଶୁଦ୍ଧୋଧନ କ୍ରମଶଃ ଭୁଲିଯାନ୍ତି ବାପାଙ୍କର ଚାରିଦିନିଆ ସ୍ମୃତି, ତାଙ୍କର ସ୍ନେହ, ଶ୍ରଦ୍ଧା ଓ ସକଳ ସୋହାଗକୁ ପୁଣି ତାଙ୍କ ଚେତନାରେ ଆସ୍ଥାନ ଜମାଇ ବସନ୍ତି ବଡ଼ବାପା; ସ୍ନେହ, ପୀଡ଼ନ ଓ ନିର୍ମମତାର ମୂର୍ତ୍ତିମନ୍ତ ପ୍ରତୀକ ହୋଇ ।

 

ଶୁଦ୍ଧୋଧନ ଭାବି ଚାଲିଛନ୍ତି....

 

ତାଙ୍କର ମନେ ଅଛି, ହାଇସ୍କୁଲ ପାଠ ଶେଷକରି, ସେ ଯେତେବେଳେ ଦୂର କଲେଜକୁ ପଢ଼ିବାକୁ ଗଲେ, ସବୁଠାରୁ ସୁଖୀ ହୋଇଥିଲେ ବଡ଼ବାପା । ଯଦିଓ ଶୈଶବର ବଡ଼ବାପା, ତାଙ୍କର ଭୀମକାୟ ବ୍ୟକ୍ତିତ୍ୱ ସେତେବେଳେକୁ ଶୁଦ୍ଧୋଧନଙ୍କ ଚେତନାରେ ରାତି ସଞ୍ଚାର କରୁ ନଥିଲା, ତଥାପି ତାଙ୍କ ପ୍ରତି ରହିଥିଲା ଏକ ଅପରିମେୟ ସମ୍ଭ୍ରମ ।

 

ପ୍ରତିମାସରେ ଥରେ ବଡ଼ବାପା ଆସୁଥିଲେ ତାଙ୍କ ପାଖକୁ, କଲେଜ ହଷ୍ଟେଲକୁ । ସାଙ୍ଗରେ ଆଣୁଥିଲେ ବୋଉ, ବଡ଼ବୋଉ ତିଆରି କରିଥିବା ଖସାଲଡ଼ୁ, କାକରା, ଆରିସା ପିଠା, ମୁଢ଼ି ମୁଆଁ, ଛେନା ଚକଟା ଓ ଆହୁରି ଅନେକ ଜିନିଷ ଧରି, ଯାହା ଆଉ ମନେ ପଡ଼ୁନାହିଁ ।

 

ବଡ଼ବାପା ସେତେବେଳେ ତାଙ୍କୁ ପାଖରେ ବସାଉଥିଲେ–କହୁଥିଲେ ପଢ଼ାପଢ଼ି କରିବା ଲାଗି ଏଠି ଖରା ଛୁଟିରେ ରହିବୁ ନାହିଁରେ ସୁଧା । ରଜରେ ଯିବୁ ଗାଁକୁ । ଗତବର୍ଷ ଘରକୁ ଗଲୁ ନାହୁଁ । ତୋ ବୋଉ, ବଡ଼ବୋଉ ତୋ କଥା ମନେ ପକାଇ କେତେ କାନ୍ଦିଲେ । ଏତେବଡ଼ ପର୍ବ, ତୁ ନ ଗଲେ ମନଟା ସୁଖ ହେବ ନାହିଁରେ ।

 

ସେଦିନ ବଡ଼ବାପା ଆଉ କିଛି କହି ପାରିଲେ ନାହିଁ । ହଠାତ୍ ତାଙ୍କର କଣ୍ଠ ବାଷ୍ପାକୁଳ ହୋଇ ଉଠିଲା । ତାଙ୍କର ଦୁଇଟି ଆଖି ଛଳଛଳ ହୋଇଗଲା ।

 

ସେଦିନ ବଡ଼ବାପାଙ୍କ ଆଖିରେ ସେ ଲୁହ ଦେଖିଥିଲେ ପ୍ରଥମ କରି । ତାଙ୍କର କଠୋର, ଅଭିଭାବକ ସୁଲଭ ନିଷ୍ଠୁର ଆଖିରେ ଲୁହ ଦେଖି, ଶୁଦ୍ଧୋଧନ ଚମକି ଉଠିଥିଲେ । ଆପାତତଃ ପ୍ରତୀୟମାନ ହେଉଥିବା ତାଙ୍କର ଲୁହାପରି ବ୍ୟକ୍ତିତ୍ୱ ଯେ ଫୁଲ ପରି ନରମ କୋମଳ, ମୁଲାୟମ, ତାହାହିଁ ସେଦିନ ସେ ଧାରଣା କରିପାରିନଥିଲେ ।

 

ଗ୍ରୀଷ୍ମର ସେଇ ନିଃସଙ୍ଗ ସନ୍ଧ୍ୟାରେ ଶୁଦ୍ଧୋଧନ ତାଙ୍କ ବୋଉଙ୍କ ଚିଠିରୁ ଦେଖି ପାରୁଥିଲେ ତାଙ୍କ ବଡ଼ବାପାଙ୍କ ବିସ୍ମୃତ ଚେହେରାକୁ, ଯିଏ ଆଜିକୁ ବାରବର୍ଷ ତଳେ ହଠାତ୍ ହୃଦରୋଗରେ ଆକ୍ରାନ୍ତ ହୋଇ ଶେଷ ଶ୍ରାବଣର ଏକ ନୀରବ ସନ୍ଧ୍ୟାରେ ସାରାକାଳ ପାଇଁ ଆଖି ମୁଦି ଦେଲେ ।

 

ଶୁଦ୍ଧୋଧନଙ୍କ ଅବରୁଦ୍ଧ ଆବେଗ ହଠାତ୍ ଭାଜି ପଡ଼ିଲା ଏବଂ ସେ କଇଁ କଇଁ ହୋଇ କାନ୍ଦି ଉଠିଲେ ।

 

ଆଜିକୁ ବାର ବର୍ଷ ତଳେ ସେ ରହିଥିଲେ ବ୍ରହ୍ମପୁରଠାରେ । ବଡ଼ବାପାଙ୍କ ମୃତ୍ୟୁର ପରଦିନ ସେ ଯେତେବେଳେ ଟେଲିଗ୍ରାମ ପାଇ ଗାଁକୁ ଯାଆନ୍ତି, ସେତେବେଳେ ବଡ଼ବାପାଙ୍କ ମରଶରୀର ଚତର ପଡ଼ିଆ ମଶାଣି ଭୂଇଁର ପାଉଁଶରେ ଲୀନ ହୋଇ ମିଶି ଯାଇଥିଲା । ଶୈଶବର ଭୀତି ସଞ୍ଚାରକାରୀ, ଯୌବନର କଲ୍ୟାଣକାମୀ ଯେଉଁ ବଡ଼ବାପାଙ୍କ ଅନ୍ତର ତାଙ୍କ ପାଇଁ ହୋଇ ଉଠୁଥିଲା ସତତ କରୁଣା ଓ ଅନୁକମ୍ପାରେ ମେଦୂରିତ, ତାଙ୍କର ଆକସ୍ମିକ ପରଲୋକ ଜନିତ ସମ୍ବାଦ ପାଇ ସେ ଯେତେବେଳେ ଘରେ ପହଞ୍ଚନ୍ତି, ସେତେବେଳେ ସମଗ୍ର ଘରଟା ଏକ ଅସମ୍ଭବ ଶୂନ୍ୟତାରେ ଭରି ଯାଇଥିଲା । ନାଲି ଶଙ୍ଖାରେ ଭରପୁର ବଡ଼ବୋଉର ଲଙ୍ଗଳା ହାତକୁ ଦେଖି ସେ ଏକ ପ୍ରକାର ଭାଙ୍ଗି ପଡ଼ିଥିଲେ । ତାଙ୍କୁ ଦେଖି ବଡ଼ବୋଉ ସମେତ ପରିବାରର ଅନ୍ୟ ଲୋକେ ଯେତେବେଳେ ଏକ ସଙ୍ଗରେ କାନ୍ଦି ଉଠିଲେ, ସେତେବେଳେ ସେ ହୋଇଗଲେ ଏକାନ୍ତ ଅସହାୟ-। ଘରର ଯେଉଁଆଡ଼କୁ ଚାହିଁଲେ, ସବୁଆଡ଼େ ଦେଖା ଯାଉଥିଲା ବଡ଼ବାପାଙ୍କ ହାତ ସ୍ପର୍ଶର ଜୀବନ ସଙ୍କେତ ।

 

ଶୁଦ୍ଧୋଧନ ଭାବି ଚାଲିଛନ୍ତି । ବଡ଼ବାପାଙ୍କ କଥା ମନେ ପଡ଼ି ଗ୍ରୀଷ୍ମର ସେଇ ଉଦାସ ସନ୍ଧ୍ୟାରେ ତାଙ୍କ ଆଖିରୁ ଧାର ଧାର ହୋଇ ଲୁହ ବହି ଯାଉଥିଲା ।

ବହୁ ସମୟ ଶୁଦ୍ଧୋଧନ ବାହାରେ ବସିଥିବାର ଲକ୍ଷ୍ୟକରି ତାଙ୍କ ସ୍ତ୍ରୀ କଳାବତୀ ଚାଲି ଆସିଲେ ଲନ୍ ଆଡ଼େ । କାରଣ କଳାବତୀ ଜାଣିଥିଲେ ତାଙ୍କ ସ୍ୱାମୀ ନୀରବରେ ଏତେ ସମୟ ଚୁପ୍ ହୋଇ ବସନ୍ତି ନାହିଁ । ବାହାରେ ଘଣ୍ଟାଏ ବସିବା ଭିତରେ ତାଙ୍କୁ ଅଥବା ପିଲାମାନଙ୍କୁ ଡକା ଛାଡ଼ିବେ; ମାତ୍ର ଆଜିର ଏ ଦୀର୍ଘ ନୀରବତା ଦେଖି, ଧୀରେ ଧୀରେ ସେ ଶୁଦ୍ଧୋଧନଙ୍କ ପାଖକୁ ଚାଲି ଆସିଲେ ।

ଘରର ଆଲୁଅ, ଝରକାଦେଇ ଛିଟିକିପଡ଼ିଥିଲା ଶୁଦ୍ଧୋଧନଙ୍କ ଉପରେ । କଳାବତୀ ଦେଖିଲେ ତାଙ୍କ ସ୍ୱାମୀଙ୍କ ଆଖିରୁ ନୀରବରେ ଝରଝର ହୋଇ ଲୁହ ବହିଯାଉଛି ଓ ତାଙ୍କ କୋଳରେ ପଡ଼ିଥିବା ଚିଠିଟିଏ ଗ୍ରୀଷ୍ମ ସନ୍ଧ୍ୟାର ସ୍ୱଳ୍ପ ପବନରେ ସାମାନ୍ୟ ଉଡ଼ୁଛି ।

କଳାବତୀ ଚମକି ପଡ଼ିଲେ । ତାଙ୍କ ସ୍ୱାମୀଙ୍କୁ ନୀରବରେ କେବେ କାନ୍ଦିବାର ଗତ ପନ୍ଦର ବର୍ଷ ହେଲା ସେ ଦେଖି ନାହାନ୍ତି । କିନ୍ତୁ କଥା କ’ଣ ? କାହିଁକି ?

କଳାବତୀ ବ୍ୟସ୍ତହୋଇ ଶୁଦ୍ଧୋଧନଙ୍କ ପାଖକୁ ଲାଗିଯାଇ, ତାଙ୍କ ଆଖିରୁ ଲୁହ ପୋଛିଦେଇ କହିଲେ–କ’ଣ ତମର ହୋଇଛି ? ତମ ଆଖିରେ କାହିଁକି ଲୁହ ?

ଶୁଦ୍ଧୋଧନ ହଠାତ୍ ସଚେତନ ହୋଇ ଉଠିଲେ ଏବଂ ନିଜ କାନ୍ଦିବା କଥାଟାକୁ ଏଡ଼ାଇ ଦେବାକୁ ଚେଷ୍ଟା କରି କହିଲେ, ନାଇଁମ, କାନ୍ଦିବି କାହିଁକି ? ବୋଉ ଚିଠିଟି ପଢ଼ି ମୋର ଅନେକ କଥା ମନେପଡ଼ିଲା ।

 

କଳାବତୀ ତତକ୍ଷଣାତ୍ ଚିଠିଟା ନେଇ ଲାଇଟ୍ ସାମ୍ନାରେ ପଢ଼ି ବସିଲେ । ଶୁଦ୍ଧୋଧନ ଏଇ ଅବସରରେ ନିଜ ଟାଉଏଲରେ ଆଖି ପୋଛି, ସ୍ୱଚ୍ଛନ୍ଦ ଭାବରେ ବସିଗଲେ ।

 

ଚିଠିଟା ପଢ଼ିସାରିଲା ପରେ, କଳାବତୀଙ୍କ ମନଟା କିପରି ଆର୍ଦ୍ର ହୋଇ ଉଠିଲା ।

 

ଶୁଦ୍ଧୋଧନ ବସିଥିଲେ ଚୁପ୍ ଚାପ୍ ହୋଇ ।

 

କଳାବତୀ ଝର୍କା ଆଲୁଅରେ ଚିଠିଟା ପଢ଼ିସାରି ଶୁଦ୍ଧୋଧନଙ୍କ ପାଖକୁ ଆସି କହିଲେ–ବର୍ଷେ ହେଲା ପିଲାମାନଙ୍କୁ ନ ଦେଖି ବୋଉ ଭାରି ବ୍ୟସ୍ତ । ଆମେ ସବୁ ଏଥର ଯିବା ରଜକୁ । ବୋଉଙ୍କୁ ଚିଠି ଲେଖ ।

 

ଶୁଦ୍ଧୋଧନଙ୍କ ଭାବବିହ୍ୱଳତା ଓ ଆତ୍ମନିମଜ୍ଜନ ମଧ୍ୟରେ ହଠାତ୍ ତାଙ୍କ ଗାଁର ପରିବର୍ତ୍ତିତ ଚେହେରା ପ୍ରତିବିମ୍ବିତ ହୋଇ ଉଠିଲା ।

 

ଶୈଶବ ଓ କୈଶୋରର ତାଙ୍କ ଗାଁ, ତା’ର ରଜପର୍ବ, ସେଦିନର ସାଙ୍ଗସାଥି, ଆତ୍ମୀୟସ୍ୱଜନ ଓ ପଡ଼ୋଶୀ ଆଜି ଉତ୍ତୀର୍ଣ୍ଣ ଯୌବନର ପ୍ରଥମ ପ୍ରଭାତରେ ସତେ ଯେପରି ଦେଖାଯାଉଛନ୍ତି ମଳିନ ଓ ଧୂସର । ଅତୀତର ସେଇ ପରିବେଶ, ପ୍ରାଣଖୋଲା ଆତ୍ମୀୟତା, ପଡ଼ୋଶୀ ସୁଲଭ ନିବିଡ଼ତା ଓ ବନ୍ଧୁତ୍ୱର ମମତ୍ୱବୋଧ ସବୁ ଯେପରି ସମୟ-ରାକ୍ଷସର ତୀକ୍ଷ୍ମ ଦନ୍ତାଘାତରେ କ୍ଷତବିକ୍ଷତ ହୋଇଯାଇଛି । ବଡ଼ବାପା ମଧ୍ୟ ମହାକାଳର ସେଇ ନୀରବ ବଜ୍ରାଘାତରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେଦିନର ରଜପର୍ବ ଓ ଆଜିର ରଜପର୍ବ ମଧ୍ୟରେ କେତେ ତଫାତ୍ !

 

କଳାବତୀ ତାଙ୍କର ନୀରବତା ଲକ୍ଷ୍ୟ କରି କହିଲେ–କ’ଣ ଭାବୁଛ ? ରଜକୁ ଯିବାଟି ଗାଁକୁ ?

 

ଶୁଦ୍ଧୋଧନ କହିଲେ–ତମ ବୋଉକୁ ଲେଖିଦିଅ, ଆମେ ସଜବାଜ ଦିନ ଘରେ ଯାଇ ପହଞ୍ଚିବା । ନଗଲେ ବାପା ବୋଉ ମନଦୁଃଖ କରିବେ ।

 

ଶୁଦ୍ଧୋଧନ ହାତଘଣ୍ଟାକୁ ଚାହିଁ ଦେଖିଲେ ନଅଟା ବାଜିଛି । କହିଲେ–କଳା, ଚାଲ ବଢାବଢ଼ି କର ଖାଇବା । ଭୋକ ଲାଗିଲାଣି । ଭାରି କ୍ଳାନ୍ତି ଅନୁଭବ କରୁଛି ।

 

କଳାବତୀ ତହୁଁ ଚାଲିଗଲେ ଘରକୁ ।

 

ଶୁଦ୍ଧୋଧନଙ୍କ ଚେତନାରେ ତାଙ୍କ ବୋଉଙ୍କ ଚିଠି ପରିବର୍ତ୍ତେ ହଠାତ୍ ଭାସି ଉଠିଲା ବଡ଼ବାପାଙ୍କ ଲୁହ ଛଳଛଳ ଦୁଇଟି ଆଖି । ଆଜିକୁ କୋଡ଼ିଏ ବର୍ଷ ତଳେ କଲେଜ ହଷ୍ଟେଲରେ ବସି ବଡ଼ବାପା କହିଥିଲେ–ଏତେ ବଡ଼ ପର୍ବ, ତୁ ନଗଲେ ମନଟା ସୁଖ ହେବ ନାହିଁରେ ।

 

ବଡ଼ବାପାଙ୍କର ସେଇ ପଦୁଟିଏ କଥା ମନେପଡ଼ି, ଶୁଦ୍ଧୋଧନ ପୁଣି କିପରି ଉଦାସ ହୋଇ ଉଠିଲେ । ତାଙ୍କର ସ୍ନେହ-କଙ୍ଗାଳ ମନ, ଏକ ରିକ୍ତ ହାହାକାରରେ ଯେପରି ଭରିଗଲା ।

 

କଳାବତୀ ଘରୁ ଡକା ଛାଡ଼ିଲେ । ବଢାବଢ଼ି ସରିଲାଣି । ଆସ ଖାଇବ ।

 

ଶୁଦ୍ଧୋଧନ ସଚେତନ ହୋଇ ଘର ଭିତରକୁ ଚାଲି ଯାଉଥିଲେ । ଗ୍ରୀଷ୍ମର ଉତ୍ତାପ ତଥାପି ସେତେବେଳ ପର୍ଯ୍ୟନ୍ତ ଶୀତଳ ପଡ଼ି ନଥିଲା ।

Image

 

ରାତ୍ରିର କୁହୁଡ଼ି

 

ସୁଧାକର ହଠାତ୍ ଦାଣ୍ଡ ଦର୍ଜା ଖୋଲିଦେଲେ । ରାତି ସେତେବେଳକୁ ଏଗାରଟା ବାଜି ଯାଇଥିଲା ।

 

ସୁଧାକର ଦେଖିଲେ ତାଙ୍କ କ୍ୱାର୍ଟର ସାମ୍ନା ବିରାଟ ପଡ଼ିଆରେ ଜହ୍ନର ଏକ ଉତ୍‍କୂଳ ବନ୍ୟା । ପ୍ରାନ୍ତରର ଆରପଟେ କାଁ ଭାଁ ଯେଉଁ କେତୋଟି ସରକାରୀ କ୍ୱାର୍ଟର ଅଛି, ସେସବୁ କ୍ୱାର୍ଟରମାନଙ୍କରୁ ଲାଇଟ୍ କେତେବେଳୁଁ ନିଭିଯାଇଛି । ଜହ୍ନର ଆଲୁଅରେ ସେହିସବୁ କ୍ୱାର୍ଟରଗୁଡ଼ିକ ସତେ ଯେପରି ତୁଳାଇ ପଡ଼ିଛନ୍ତି ଗଭୀର ନିଦ୍ରାରେ ।

 

ସୁଧାକର କବାଟ ଆଉଜାଇ ତାଙ୍କ ଘର ସାମ୍ନା ସେହି ବିରାଟ ପ୍ରାନ୍ତର ମଧ୍ୟକୁ ଧୀରେ ଧୀରେ ଚାଲି ଆସିଲେ ।

 

ପଡ଼ିଆରେ ମଧ୍ୟ ଭାଗକୁ ଚାଲିଆସି ସୁଧାକର ବସିପଡ଼ିଲେ ଗୋଟିଏ ଯାଗାରେ । ସେ ଚାହିଁଲେ ଆକାଶକୁ । ଶରତ ପକ୍ଷର ସୁନୀଳ ଆକାଶରେ ଜହ୍ନ ଜଳୁଛି ଲକ୍ଷେ ଚନ୍ଦ୍ରଉଦିଆର ଆଲୁଅ ଢାଳି । ବେଳେବେଳେ ଆକାଶ ଧିଅରେ ଭାସି ଭାସି ଯାଉଛି ଧୂଳିଭିଣା ମେଘର ଖଣ୍ଡେ ଖଣ୍ଡେ ଚଦର ।

 

ସୁଧାକର ଆଜି ଅନେକ ବର୍ଷପରେ ଏଇ ଶରତ ପକ୍ଷର ଜହ୍ନକୁ ଦେଖୁଛନ୍ତି । ଆଜିକୁ କୋଡ଼ିଏ ବର୍ଷ ତଳେ ଚନ୍ଦ୍ରପକ୍ଷର ଜହ୍ନକୁ ଓ ତା’ର କୁହୁକିନୀ ମାୟାବିନୀ ଜ୍ୟୋତ୍ସ୍ନାକୁ ସେ ବେଶ୍ ଉପଲବ୍‍ଧି କରିଥିଲେ ଆପଣାର ଚେତନାରେ । ତରୁଣ ବୟସର ସେଇସବୁ ଜହ୍ନ ରାତି ଓ ତା’ ସହିତ ଜଡ଼ିତ ହୋଇ ରହିଥିବା ଅତୀତର କେତେ ସ୍ମୃତି, ଆଜିର ଜହ୍ନପରି ସୁଧାକରଙ୍କ ଚେତନାରେ ସ୍ପଷ୍ଟ ଓ ଉଜ୍ଜ୍ୱଳ ହୋଇ ଉଠିଲା ।

 

ପଚାଶ ବର୍ଷ ବୟସରୁ ସାମାନ୍ୟ କିଛି ଊଣା ସୁଧାକର, ତରୁଣ ବୟସର ସେହିସବୁ ସ୍ନିଗ୍‍ଧ ମଧୁର ସ୍ମୃତିକୁ ପଡ଼ିଆର ମଧ୍ୟଭାଗରେ ବସି ରୋମନ୍ଥନ କରିବାକୁ ଲାଗିଲେ ।

 

ସୁଧାକାର ଏପର୍ଯ୍ୟନ୍ତ ରହିଗଲେ ଅବିବାହିତ । ବିବାହ କରିବେ ବୋଲି ମନ ଭିତରେ ସ୍ଥିର କରିଥିଲେ ମଧ୍ୟ ଆପଣାର ଉଦାସୀନତା ଯୋଗୁଁ ସେ ରହିଗଲେ ଅବିବାହିତ ହୋଇ । ପଞ୍ଚତ୍ରିଶ ବର୍ଷ ଏଇ ଉଦାସୀନତା ପାଇଁ ଗଡ଼ିଗଲା ପରେ ସୁଧାକର ରହିଗଲେ ଅବିବାହିତ ଅନନ୍ତ ଆକାଶର କେଉଁ ଏକ ନାମହୀନ ନିଃସଙ୍ଗ ସନ୍ଧ୍ୟାତାରା ପରି ।

 

ତେଇଶି ବର୍ଷପରେ ସେ ପଶିଗଲେ ଶିକ୍ଷା ବିଭାଗରେ ଅଧ୍ୟାପନା କରିବା ପାଇଁ । ଦିନ ରାତି ଲିଖନ ପଠନ ଓ ଛାତ୍ର ଛାତ୍ରୀମାନଙ୍କୁ ଅଧ୍ୟାପନା କରିବାରେ ତାଙ୍କର ସମସ୍ତ ସମୟ ଅତିବାହିତ ହୋଇଗଲା । ଦିନ ରାତି ପଢ଼ି ପଢ଼ି ସେ ଭୁଲିଗଲେ ବିବାହ ପରି ଏକ ଅପରିହାର୍ଯ୍ୟ ମୌଳିକ ଆବଶ୍ୟକତାକୁ, ଭୁଲିଗଲେ ଘରସଂସାର ଓ ବୈଷୟିକ ବ୍ୟାପାରମାନଙ୍କୁ ।

 

ସୁଧାକର ପ୍ରାନ୍ତର ମଧ୍ୟଭାଗରେ ବସି ଶରତ ଆକାଶକୁ ଅନାଇଁ ରହିଲେ । ଗଦା ଗଦା ବହି ମଧ୍ୟରେ, ଜ୍ଞାନ ପିପାସାର ଯେଉଁ ଅନ୍ତହୀନ କୌତୂହଳ ରହିଛି, ପଡ଼ିଆର ମଧ୍ୟ ଭାଗରେ ବସି ଆକାଶର ଜହ୍ନକୁ ଚାହିଁ ରହିଲେ ସେହି ଜ୍ଞାନ ପିପାସାର ଅବ୍ୟକ୍ତ ଆନନ୍ଦ ଓ କୌତୂହଳ ମିଳୁନଥିଲେ ମଧ୍ୟ ତାଙ୍କୁ ଚେତନାର ପ୍ରତି ରନ୍ଧ୍ରରେ ଯେପରି ସଂଚରି ଯାଉଛି ଶାନ୍ତଶୀତଳ ଦିବ୍ୟୋନ୍ମାଦର ଏକ ନୀରବ ସ୍ପନ୍ଦନ, ଯାହା ଲାଗୁଛି ତାଙ୍କୁ ଏକ ନୂଆ ମାନସିକ ଆନନ୍ଦପରି ।

 

ବାଇଶି ବର୍ଷ ତଳେ ସେ ଭଲପାଇ ବସିଥିଲେ ଗୋଟିଏ ଝିଅକୁ । ତାହାହିଁ ଥିଲା ତାଙ୍କ ଜୀବନରେ କୌଣସି ଝିଅକୁ ଭଲ ପାଇବାର ପ୍ରଥମ ଓ ଶେଷ ପରିଣତି । ବାଇଶି ବର୍ଷ ତଳେ ସେଇ ଝିଅଟି ମଧ୍ୟ ତାଙ୍କୁ ଭଲ ପାଇଥିଲା ଅନୁରୂପ ଭାବରେ । ମାତ୍ର କୌଣସି କାରଣରୁ ଝିଅଟି ବିବାହ କରିଗଲା ଅନ୍ୟତ୍ର । ସୁଧାକର ସେଇ ଝିଅଟିର ସ୍ମୃତିକୁ ତିନିଚାରି ବର୍ଷକାଳ ବାହୁନି ବାହୁନି କ୍ରମଶଃ ଭୁଲିଗଲେ ତାକୁ ଏବଂ ଭୁଲିଗଲେ ବିବାହ କରିବା ଲାଗି ପ୍ରଥମ ଯୌବନର ଅଫୁରନ୍ତ ଆବେଗ ଓ ପ୍ରାଣ ଚାଞ୍ଚଲ୍ୟକୁ ।

 

ସୁଧାକର ପଡ଼ିଆର ମଧ୍ୟଭାଗରେ ବସି ଅନାଇ ରହିଛନ୍ତି ଶରତ ପକ୍ଷ ଆକାଶର ଜହ୍ନକୁ-। ସେଇ ଜହ୍ନର ଈଷତ୍ ମଳିନ ଛାଇ ଭିତରେ ଯେପରି ଦେଖାଯାଉଛି ତାଙ୍କର ଅତୀତ ଜୀବନର ସେଇ ମାନସୀ ତରୁଣୀର ମୁହଁ । ନିତାନ୍ତ ସ୍ପଷ୍ଟ ନ ହେଲେ ବି ଅସ୍ପଷ୍ଟ ନୁହେଁ ।

 

ଅନେକ ବର୍ଷ ପରେ, ଆଜି ସୁଧାକର ଅତୀତର ସ୍ମୃତିକୁ ସ୍ମରଣ କରି କରି ଭାବପ୍ରବଣ ହୋଇ ଉଠୁଛନ୍ତି । ଗତ ବାଇଶି ବର୍ଷ ଧରି ପଠନ ଲିଖନ ଓ ଏପରିକି ଗବେଷଣା କାର୍ଯ୍ୟରେ ବ୍ୟାପୃତ ରହି ଏବଂ ଡକ୍ଟରେଟ୍ କରିବା ଲାଗି ସମସ୍ତ ଚିନ୍ତା ଓ ଧ୍ୟାନ ଧାରଣାକୁ କେନ୍ଦ୍ରୀଭୂତ କରି ସେ ଭୁଲି ଯାଇଥିଲେ ବାହାରର ପୃଥିବୀକୁ । ଶରତ ପକ୍ଷ ଜହ୍ନ ରାତିରେ, ଖୋଲା ପ୍ରାନ୍ତରରେ ବସି ଗତ ବାଇଶି ବର୍ଷ ତଳର ଘଟଣାକୁ ରୋମନ୍ଥନ କରିବା ଆଜି ହେଉଛି ପ୍ରଥମ ।

 

ଯତନ ନଗ୍ରରୁ ବଦଳି ହୋଇ ସ୍ଥାନୀୟ ବିଶ୍ୱବିଦ୍ୟାଳୟକୁ ସେ ଆସିଲେଣି ଗତ ଚାରିବର୍ଷ ହେଲା । ଘର ସାମ୍ନାରେ ଏଇ ବିଶାଳ ପ୍ରାନ୍ତରଟିକୁ ତାଙ୍କ ବେଡ଼୍‍ରୁମରେ ବସି ଅନେକଥର ସେ ଦେଖିଛନ୍ତି । ମାତ୍ର ପଡ଼ିଆ ମଧ୍ୟକୁ ଆସି ଖୋଲା ଜହ୍ନ ରାତିରେ ଏକାକୀ ବସି କିଞ୍ଚିତ୍ ଭାବପ୍ରବଣ ହେବା ଏହା ହିଁ ତାଙ୍କ ଅଧ୍ୟାପନା କାଳର ପ୍ରଥମ ଦୃଷ୍ଟାନ୍ତ ।

 

ସୁଧାକରଙ୍କ ବିସ୍ମୃତିର ଅନ୍ଧ ଦିଗନ୍ତରେ ଭାସିଉଠିଲା ବନାନୀର ମୁହଁ । ଏଇମିତ ଜହ୍ନ ରାତିରେ, ବନାନୀ ଚାଲିଆସିଥିଲା ଛାତ୍ରୀନିବାସ ଛାଡ଼ି ତାଙ୍କ ପାଖକୁ । କଲେଜର ଛାତ୍ର ଓ ଛାତ୍ରୀନିବାସ ମଧ୍ୟରେ ରହିଥିଲା ଗୋଟିଏ ମିନିଟର ଚଲାପଥ ଦୂରତ୍ୱ ।

 

ସୁଧାକରଙ୍କ ସ୍ମୃତିର ଛାୟାପଥରେ ପ୍ରତିଫଳିତ ହେଉଛି ବନାନୀର ସେକାଳର ରୂପ । ଛାତ୍ରାବାସର ଝରକା ଖୋଲି ସେ ପଢ଼ୁଥିଲେ ଗଭୀର ମନ ଧ୍ୟାନଦେଇ । ସେତେବେଳେ ଥିଲା ଦୋଳ ଛୁଟି, ହଷ୍ଟେଲ ପ୍ରାୟ ଫାଙ୍କା । ସହପାଠୀମାନେ ଚାଲିଯାଇଥିଲେ ଗାଁକୁ ଓ ନିଜ ନିଜର ବାପ ମା’ ରହୁଥିବା ସ୍ଥାନମାନଙ୍କୁ । ସୁଧାକର ଓ ନିଶିକାନ୍ତ ରହିଯାଇଥିଲେ, ଦୋଳ ଛୁଟିରେ ପଢ଼ାପଢ଼ି କରିବା ପାଇଁ ।

 

ସୁଧାକର ଭାବୁଥିଲେ । ସେଦିନ ରାତି ପ୍ରାୟ ସାଢ଼େ ବାରଟା । ନିଶିକାନ୍ତ ତା’ ରୁମରେ ଶୋଇ ଯାଇଥିଲା ଅନେକବେଳୁ । ଝରକା ଆରପଟେ ବନାନୀ ଠିଆ ହୋଇଥିଲା କେଉଁ ଏକ ମଧ୍ୟଯୁଗୀୟ କାବ୍ୟ-ନାୟିକା ପରି ଅଭିସାରିକା ରୂପରେ । ତା’ର ବହଳ ମୁକୁଳିତ କଳା କେଶ ଲମ୍ବି ପଡ଼ିଥିଲା ଚରମ ଭାଗରେ । ତା’ର ଈଷତ୍ ନୀଳ ଶାଢ଼ି ଭିତରେ ରହିଥିବା ଏକ ଏକ ନାଲି ନକ୍‍ସାର ବୁଟୀ, ବିଦ୍ୟୁତ୍ ଆଳୋକର ଛିଟାରେ ଦେଖାଯାଉଥିଲା ଭାରି ଚମତ୍କାର ।

 

ଝରକା କବାଟରେ ବନାନୀ ସାମାନ୍ୟ କରାଘାତ କଲା ପରେ ସୁଧାକର ଚାହିଁ ଦେଲେ ଝରକାଆଡ଼େ । ଦୋଳପୂର୍ଣ୍ଣିମାର ଜହ୍ନ ଆଲୁଅ ଏବଂ ଝରକା ଦେଇ ତେର୍ଚ୍ଛା ଭାବରେ ପଡ଼ିଥିବା ବିଦ୍ୟୁତ୍ ଆଲୋକର ମିଶାମିଶି ବିଚିତ୍ର ଆଲୋକ ସମ୍ଭାରରେ ବନାନୀର ମୁହଁ ଦେଖାଯାଉଥିଲା ଏକ ଦେବୀ ମୂର୍ତ୍ତି ପରି ।

 

ସୁଧାକର ଛାତ୍ରାବାସର ଦ୍ୱାରା ଖୋଲି ଚାଲି ଆସିଲେ ବନାନୀ ପାଖକୁ । ଦୁହେଁ ନିର୍ଜନ ରାତିରେ ଛାତ୍ରାବାସକୁ ଲାଗି ବହି ଯାଇଥିବା ଏକ ବିଶାଳ ନଦୀ ବକ୍ଷକୁ ଚାଲିଗଲେ ହାତ ଧରାଧରି ହୋଇ ।

 

ସେଇ ଯେଉଁ ବିଶାଳ ନଦୀ, ବର୍ଷାଦିନେ ଯାହା ସାଧାରଣତଃ ଦେଖାଯାଏ ଖୁବ୍ ଭୟଙ୍କର, ଦୋଳପୂର୍ଣ୍ଣିମା ରାତିରେ ତାହା ହୋଇ ଯାଇଥିଲା ଧାରହୀନ । ତା’ର ଦିଗହୀନ ବାଲୁକା ଶଯ୍ୟାରେ ଜହ୍ନ ଜଳୁଥିଲା ଚିକ୍ ଚିକ୍ ହୋଇ । ବନାନୀ ଓ ସୁଧାକର ହାତ ଧରାଧରି ହୋଇ ଚାଲିଗଲେ ଅଙ୍କାବଙ୍କା ନଦୀରେ ଅନେକ ବାଟ ।

 

ସୁଧାକରଙ୍କର ଏବେ ସୁଦ୍ଧା ମନେଅଛି । ବାଲୁକା ଶଯ୍ୟାରେ ଅନେକ ବାଟ ଚାଲି ଚାଲି, ସେମାନେ କ୍ଳାନ୍ତ ହୋଇ ବସିପଡ଼ିଲେ । ସୁଧାକର କୋଳରେ ବନାନୀ ଶୋଇଲା ନିର୍ବିକାର ଭାବରେ । ସୁଧାକର ଆଉଁସିଦେଲେ ବନାନୀର ଆଲୁଳାୟିତ କଳା କଳା ବିଲମ୍ବିତ କେଶକୁ ।

 

ଦୁହେଁ ସେଦିନ ଦୋଳ ପୂର୍ଣ୍ଣିମାର ଜହ୍ନକୁ ଚାହିଁଚାହିଁ ନଦୀର ବାଲୁକାଶଯ୍ୟାରେ ଅନେକ ସମୟ କଟାଇଥିଲେ । ପ୍ରଥମ ପ୍ରଣୟର ମଦିର ଆବେଗରେ ବିହ୍ୱଳ ହୋଇ ସେମାନେ ଅନେକ କଥାବାର୍ତ୍ତା କରିଥିଲେ ।

 

ଓଃ ସେଇଦିନଠାରୁ ବନାନୀ ହୋଇଗଲା ତାଙ୍କ ଚିନ୍ତା ଓ ଚେତନାର କେନ୍ଦ୍ର ବିନ୍ଦୁ ।

 

ସୁଧାକରଙ୍କର ପରବର୍ତ୍ତୀ ଘଟଣାଗୁଡ଼ିକ ଆଉ ମନେପଡ଼ିଲା ନାହିଁ । ପରବର୍ତ୍ତୀ ଘଟଣାଗୁଡ଼ିକର ଦୁଃଖାନ୍ତକ ସ୍ମୃତି ଉଦ୍‍ଘାଟନ କରି କ’ଣ ଅବା ଲାଭ ? ମାତ୍ର ସେଇ ଯେ ବାଇଶି ବର୍ଷ ତଳର ଏକ ପ୍ରଥମ ଚୈତ୍ରର ରାତ୍ରି.....ବନାନୀ, ଛାତ୍ରାବାସ ନିକଟସ୍ଥ ଏକ ବିଶାଳ ନଦୀ, ତା’ର ଚୁନି ଚୁନି ନରମ ଶୀତଳ ବାଲି ଓ ଆଜବେଷ୍ଟସ୍ ରଙ୍ଗର ଆକାଶରେ ଏକ ବୃତ୍ତାକାର ଜ୍ୱଳନ୍ତ ରେଶମୀ ଜହ୍ନ ଆଜି ଯେପରି କାର୍ତ୍ତିକ ପୂର୍ଣ୍ଣିମାର ଏଇ ନିର୍ଜନ ପ୍ରାନ୍ତର ମଧ୍ୟରେ ଆପଣାର ଚେତନାରେ ଭୟଙ୍କର ଭାବରେ ଆଚ୍ଛନ୍ନ ହୋଇ ଆସୁଛି ।

 

ଆହା ! ବନାନୀ, ତମେ ଆଜି କେମିତି ଅଛ ? କିପରି ଅଛ ? ତମ ସ୍ୱାମୀଙ୍କ କୋଳରେ ଶୋଇଥିଲାବେଳେ, ଏଇ ପ୍ରୌଢ଼ ପଞ୍ଚଚାଳିଶି ବର୍ଷ ବୟସର ଅବିବାହିତ ସୁଧାକରର କଥା ତମର କେବେ କ’ଣ ମନେ ପଡ଼େନାହିଁ ?

 

ସୁଧାକର ଭାବିଲେ ବନାନୀକୁ ସେ ଅନେକ ବର୍ଷ ଧରି ପାଶୋରି ଦେଇଥିଲେ । ମାତ୍ର ଆଜି ଯେପରି ଏଇ ଜହ୍ନ ରାତିରେ ବଢନ୍ତି ପହଡ଼ରେ ଜହ୍ନର କ୍ରମଃ ସ୍ନିଗ୍‍ଧତା ମଧ୍ୟରେ ବନାନୀ ଯେପରି ଆହୁରି ସ୍ପଷ୍ଟ ଓ ଉଜ୍ଜ୍ୱଳ ହୋଇ ଦେଖାଯାଉଛି ।

 

ସୁଧାକରଙ୍କର ହଠାତ୍ ମନେପଡ଼ିଲା ଗତ ଛ’ମାସ ତଳର କଥା । ଛଅମାସ ତଳେ ସେ ଯାଇଥିଲେ ଏଇ ସହରର ପ୍ରଖ୍ୟାତ ଷ୍ଟେସନାରୀ ଦୋକାନକୁ କିଛି ସାବୁନ ଓ ବିସ୍କୁଟ କିଣିବା ପାଇଁ-। ଜିନିଷପତ୍ର କିଣି କାଉଣ୍ଟର ପାଖରେ ଠିଆ ହୋଇ ଦୋକାନ ମାଲିକଙ୍କୁ ଟଙ୍କା ବଢ଼ାଇ ଦେଉଥିବା ବେଳେ ମହିଳା କାଉଣ୍ଟରରେ ଠିଆ ହୋଇଥିଲା ବନାନୀ, ହୁଏତ କିଣିଥିବା ଜିନିଷର ମୂଲ୍ୟ ଦେବା ପାଇଁ । ପାଖରେ ରହିଥିଲା ତା’ର ଅଠର ଉଣେଇଶି ବର୍ଷର ପୁଅ ଯାହାକୁ କେତେ ଥର ବିଶ୍ୱବିଦ୍ୟାଳୟରେ ସେ ଦେଖିଥିବାର ମନେ ହେଉଥିଲା ।

 

ବନାନୀ ଚମକି ପଡ଼ିଲା । ସୁଧାକରଙ୍କ ଭିତରେ କ୍ରମଃ ନିର୍ବାପିତ ଦୀପ ଶିଖାର ଏକ ପ୍ରଜ୍ଜ୍ୱଳନ । ଦୋକାନୀ ହାତରୁ ଅବଶିଷ୍ଟ ଫେରି ପାଇବା ପଇସା ସୁଧାକର ଆଣୁଥିବାବେଳେ, ତାଙ୍କର ହାତ ରହିଗଲା ଏକ ପକ୍ଷଘାତ ରୋଗୀପରି । ବନାନୀ ଠିଆ ହୋଇଗଲେ ଏକ ପ୍ରାଣହୀନ, ନିସ୍ପନ୍ଦ ପ୍ରତିମାପରି ।

 

କିଛି ସମୟ ପରେ ସେମାନେ ସ୍ୱାଭାବିକତାକୁ ଫେରି ଆସିଲେ । ବନାନୀ ଆଗ ଆରମ୍ଭ କଲା–ପିଲାତ ନାହାନ୍ତି । ହାତରେ ଏତେଗୁଡ଼ାଏ ବିସ୍କୁଟ କାହିଁକି ଧରିଛ ?

 

ସୁଧାକର ହସିଲେ । ବାଇଶି ବର୍ଷ ତଳର ବନାନୀ ଓ ଆଜିର ବନାନୀ ମଧ୍ୟରେ ଏକ ଅଭୂତ ପାର୍ଥକ୍ୟ । ଷ୍ଟେସନାରୀ ଦୋକାନର କାଉଣ୍ଟର ପାଖରେ ଜଳୁଥିବା ଏକ ଫ୍ଲୋରୋସେଣ୍ଟ ଲାଇଟର ଶକ୍ତିଶାଳୀ ଆଲୁଅରେ ସେତେବେଳେ ସୁଧାକର ଅନାଇଁଲେ ବନାନୀର ଆଚରମ ଲମ୍ବିତ ସେ ଦିନର କେଶରାଶିକୁ । ଆରେ ଏ କ’ଣ ? କାନ ପାଖରେ ମେଞ୍ଚାଏ କଳା କେଶ ଭିତରେ ଦୁଇ ତିନୋଟି ପକ୍ୱ କେଶର ଅଦିନିଆ ଆଗମନ । ସତରେ କ’ଣ ବନାନୀ ବୁଢ଼ୀ ହୋଇଗଲେଣି ?

 

ସୁଧାକର ସେଠାରେ ଉତ୍ତର କିଛି ନ ଦେଇ ବନାନୀକୁ କହିଲେ–ବାହାରକୁ ଆସ । ଆଉ ତମର କିଛି କିଣିବାର ନାହିଁ ତ ?

 

ଦୁହେଁ ଚାଲିଆସିଲେ ଦୋକାନ ବାହାରର ଓସାରିଆ ରାଜପଥ ଉପରକୁ । ଆଗରେ ଊଣେଇଶି ବର୍ଷ ବୟସର ବନାନୀର ପୁଅ ଦୋକାନର ଲୋକଗହଳି ମଧ୍ୟରେ ସେତେବେଳକୁ ଅନ୍ୟତ୍ର କୁଆଡ଼େ ଚାଲି ଯାଇଥିଲା ।

 

ସୁଧାକର ଓ ବନାନୀ ଧୀରେ ଧୀରେ ଚାଲି ଆସିଲେ ରାଜପଥ ଉପରକୁ ଯେଉଁଠାରେ ମଣିଷର ଭିଡ଼ ପ୍ରାୟତଃ ନ ଥିଲା । ତେବେ ବନାନୀ ମଧ୍ୟରେ କିପରି ଏକ ସଂକୋଚ କିପରି ଏକ ସଲ୍ଲଜ ଓ ସଂଭ୍ରମ ବୁଡ଼ି ରହିଥିଲା ପରି ଅନୁମାନ କରି ହେଉଥିଲା ।

 

ସୁଧାକର କିଛି କହିବାକୁ ଉଦ୍ୟତ ହେବା ପୂର୍ବରୁ ବନାନୀ କହିଲା–ବିଶ୍ୱବିଦ୍ୟାଳୟର ହତା ପାରିହେଲେ ଯେଉଁ ବିରାଟ ପଡ଼ିଆ ପଡ଼େ ଠିକ୍‍ ତା’ ଆରପଟେ ଆମ କ୍ୱାର୍ଟର ସୁଧାକର । ଥରେ ଆସ ଆମ ଘରକୁ ! କ୍ୱାର୍ଟର ନମ୍ବର ପଚିଶି, ଟାଇପ ଫାଇଭ । ମୋ ସ୍ୱାମୀଙ୍କ ସହିତ ପରିଚୟ କରାଇଦେବି ।

 

ସୁଧାକର ନିରୁତ୍ତର । ସେ କେବଳ ଚାହିଁ ରହିଲେ ବନାନୀକୁ ଯୁଗ ଯୁଗର ଦେଖିବାର କ୍ଷୁଧା ନେଇ ।

 

ବନାନୀକୁ ଅସହ୍ୟ ଲାଗୁଥିଲା ସୁଧାକର ପାଖରେ ଆଉ ଗୋଟାଏ ମୁହୂର୍ତ୍ତ ଠିଆହେବାକୁ । ଅପରପକ୍ଷରେ ବନାନୀ ସୁଧାକର ପାଖରୁ ହଠାତ୍ ଚାଲି ଆସିବା ପାଇଁ ଇଚ୍ଛା କରୁନଥିଲା । ଗୋଟାଏ କିଭଳି ଦ୍ୱନ୍ଦ୍ୱ, କିପରି ଏକ ମାନସିକ ସଂଘାତ ଏକ ଅନୁକମ୍ପା ଏକ ଅନୁତାପ ଏବଂ ଅନିଶ୍ଚୟତାର ବନ୍ଦୀଶାଳାରେ ସେ ଯେପରି ଅଟକି ଯାଇଥିଲା ।

 

ସୁଧାକର ବହୁ ଶଙ୍କା ଓ ସଂଶୟ ମଧ୍ୟରେ କଣ୍ଠ ଦେଶରେ ବହୁ ଯନ୍ତ୍ରଣାର ବ୍ୟଥାକୁ ଚାପିରଖି କହିଲେ–ମତେ କ’ଣ ତମେ ପୂରାପୂରି ପାଶୋରି ଦେଇଛ ବନାନୀ ?

ବନାନୀର ଇଚ୍ଛା ହେଉଥିଲା ସୁଧାକରକୁ କୁଣ୍ଢାଇ ପକାଇ ଓ ପୁଣି ଗୋଡ଼ତଳେ ପଡ଼ି ତାଙ୍କୁ କ୍ଷମା ମାଗନ୍ତା । ତାର ଇଚ୍ଛା ହେଉଥିଲା, ସୁଧାକରର ପ୍ରତିଜ୍ଞାବଦ୍ଧ ଦେଉଳର ପୂଜାରିଣୀଟିଏ ହୋଇ, ତାଙ୍କର ଚରଣ-ବିଗ୍ରହରେ କେବଳ ମୁଣ୍ଡ କୋଡ଼ନ୍ତା । କେବଳ ତା’ରି ପାଇଁ ସେ ରହିଗଲେ ସାରା ଜୀବନ ବାଡ଼ୁଅ ହୋଇ । ଜୀବନଟାକୁ କଟାଇଦେଲେ କେଡ଼େ ଅନାସକ୍ତ ଓ ନିର୍ବିକାର ଭାବରେ ।

ବନାନୀ ଅନୁତାପରେ ଯେପରି ତିଳତିଳ ହୋଇ ଜଳି ଯାଉଥିଲା । ସୁଧାକରଙ୍କ ପ୍ରତି ଅନୁକମ୍ପା ଓ କରୁଣାରେ ତା’ର ହୃଦୟ ଯେପରି ମେଦୁରିତ ହୋଇଉଠିଲା ।

ବନାନୀ କହିଲା–ହେଇ ପୁଅ ଆସିଲାଣି । ମୁଁ ଯାଉଛି ସୁଧାକର । ତମେ ଆସିବ ଥରେ ଆମ ଘରକୁ । ମତେ କ୍ଷମା କରିବ, ମୁଁ ତମ ପାଖରେ ବେଶୀ ସମୟ ରହିପାରୁ ନାହିଁ ।

ବନାନୀ ସେଦିନ ଚାଲିଗଲା ରାତିର ଅନ୍ଧାରରେ ।

ସୁଧାକର ଭାବୁଥିଲେ ଏଇସବୁ କଥା ଜହ୍ନକୁ ଚାହିଁ ଚାହିଁ ଓ ତାଙ୍କ କ୍ୱାଟର ସାମ୍ନା ଏକ ବିସ୍ତୀର୍ଣ୍ଣ ପ୍ରାନ୍ତର ମଧ୍ୟରେ ବସି ।

 

ସୁଧାକର ଚାଲିଆସିଲେ ପ୍ରାନ୍ତରର ବିପରୀତ ପାର୍ଶ୍ୱରେ ଥିବା ଟାଇପ୍ ଫାଇଭ୍ କ୍ୱାଟରମାନଙ୍କ ସାମ୍ନାରେ ଯାଇଥିବା ଏକ ଅଣଓସାରିଆ ପିଚୁଦିଆ ରାସ୍ତା ଉପରକୁ ।

 

ସୁଧାକରଙ୍କୁ ନିଃସଙ୍ଗ ରାତିରେ ଏକୁଟିଆ ଚାଲିବାକୁ ଭଲ ଲାଗୁଥିଲା । ତାଙ୍କର ସ୍ମୃତିର ଦିଗନ୍ତରେ ଲାଗିରହିଥିଲା କନାନୀର ଶ୍ୟାମଳିମା ।

 

ସୁଧାକର ଅନାଇଲେ ସେଇସବୁ କ୍ୱାଟରମାନଙ୍କୁ । କ୍ୱାଟର ନମ୍ବର ୨୫–ଟାଇପ୍ ଫାଇଭ୍ । ଥରେ ଏଇବାଟ ଦେଇ ସେ ଯାଇଥିଲେ ଅନେକ ଦିନ ତଳେ । ସେ ବନାନୀର କ୍ୱାଟରକୁ ସେଦିନ ଠାବ କରିଥିଲେ । ତାଙ୍କ ଘର ଆଗ ପଡ଼ିଆର ବିସ୍ତୀର୍ଣ୍ଣ ପରିସରକୁ ଛାଡ଼ିଦେଲା ପରେ, ଅର୍ଥାତ୍ ତାଙ୍କ କ୍ୱାଟର ଓ ବନାନୀର କ୍ୱାଟରକୁ ଗୋଟିଏ ସରଳରେଖାରେ ସଂଯୋଗ କରାଯାଇପାରେ । ଏତେ ପାଖରେ ଥାଇ ମଧ୍ୟ ବନାନୀ ଅନେକ ଦୂରରେ । ଅତି ଆପଣାର ହୋଇ ମଧ୍ୟ ବନାନୀ ଆଜି ନିତାନ୍ତ ସାତପର ।

 

ବନାନୀ କେବେ କ’ଣ ପର ହୋଇପାରେ ? ହେଇ ସେଦିନ ସାକ୍ଷାତରେ ସେଇ ତରୁଣୀସୁଲଭ ଚାଞ୍ଚଲ୍ୟ ଓ ଆବେଗରେ ସେ ଯେପରି ଅବଗାହନ କରୁଥିଲା । ବୟସ ଅବଶ୍ୟ ଯଥେଷ୍ଟ ବଢ଼ିଯାଇଛି । ବାର୍ଦ୍ଧକ୍ୟର ପ୍ରଥମ ପାହାଚରେ ସେ ଅବଶ୍ୟ ଗୋଡ଼ ଦେଇଛି । ତା’ର ଘଞ୍ଚ କଳା କେଶ ମଧ୍ୟରେ ହୁଏତ ପକ୍ୱତା ଅତି କାର୍ପଣ୍ୟ ଭାବରେ ବୁଲି ଆସିଛି । ମାତ୍ର ସେଦିନର ବନାନୀ ଓ ଆଜିର ବନାନୀ ମଧ୍ୟରେ ବିଶେଷ କିଛି ତଫାତ୍ ନାହିଁ ।

 

ସୁଧାକର ବନାନୀର କ୍ୱାଟର ସାମ୍ନାରେ ଠିଆ ହେଲେ । ସେ ହୁଏତ ଶୋଇଯାଇଥିବ ଗଭୀର ନିଦ୍ରାରେ । ଆଜିର ଜହ୍ନରାତି, କଲେଜରେ ପଢ଼ୁଥିବାବେଳର ଜହ୍ନରାତି ପରି ତାକୁ ହୁଏତ ଉଦ୍‍ଭ୍ରାନ୍ତ କରୁ ନ ଥିବ । ସେ ଶୋଇଯାଇଥିବ ତା’ର ସେଇ ସ୍ୱାମୀଙ୍କ ପାଖରେ ବେଶ୍‍ ନିଶ୍ଚିତରେ ।

 

ସୁଧାକର ସେଇଠି ଠିଆହେଲେ କିଛି ସମୟ । ଇଚ୍ଛା ହେଲା ସେ ଡାକ ଛାଡ଼ିବେ ବନାନୀକୁ । ବନାନୀ ଦେଖିବ ଆସ, ଶରତ ପକ୍ଷର ଜହ୍ନକୁ । ସେଦିନ ଛାତ୍ରାବାସକୁ ଲାଗି ବହିଯାଇଥିବା ନଦୀର ବାଲିବନ୍ତରେ ଜହ୍ନ ଯେମିତ ଦେଖାଯାଉଥିଲା ଚହଟ ଚିକ୍‍କଣ; ସେଦିନର ଜହ୍ନ ଅପେକ୍ଷା ଆଜିର ଜହ୍ନ ଦେଖାଯାଉଛି ଆହୁରି ସ୍ନିଗ୍‍ଧ, ଆହୁରି ବିମଳ । ଆଜି ବି ସେଦିନ ପରି ରାତ୍ରି ଏକାନ୍ତ ନିର୍ଜନ । ଏଇ ତମ କ୍ୱାର୍ଟର ପଛପଟେ ବହିଯାଇଛି ଗୋଟିଏ ଛୋଟ ନଈ, ଯେଉଁଥିରେ କାର୍ତ୍ତିକ ମାସରେ ମଧ୍ୟ ସ୍ରୋତ ବନ୍ଦ ହୋଇଯାଇଛି ।

 

ସୁଧାକର ଆଶ୍ଚର୍ଯ୍ୟଜନକ ଭାବରେ ଭାବପ୍ରବଣ ହୋଇ ଉଠିଲେ । ସେ ବନାନୀର କ୍ୱାର୍ଟରର ସାମ୍ନା ଲୁହା ଗେଟକୁ ଖୋଲିଲେ ଏବଂ ତା’ପରେ ଧୀରେ ଧୀରେ ଆଗେଇ ଗଲେ ଦାଣ୍ଡ ବାରଣ୍ଡାପଟକୁ । ରାତି ପ୍ରାୟ ଗୋଟାଏ ହେବ । ଚୁପ୍‍ଚାପ୍ ନିଶୂନ ରାତି । ସୁଧାକର ଗୋଟାଏ ମସ୍ତବଡ଼ ଭାବାବେଗରେ ବଶବର୍ତ୍ତୀ ହୋଇ ରାତ୍ରିର ସେଇ ନିସ୍ତବ୍‍ଧତା ମଧ୍ୟରେ ଡାକ ପକାଇଲେ ବନାନୀ–ବନାନୀ ! ସେଇ ଡାକର ସ୍ୱର ତରଙ୍ଗ ବନାନୀ କ୍ୱାର୍ଟର ପଛପଟେ ବହିଯାଇଥିବା ଛୋଟ ନଈ କୂଳରେ ପ୍ରତିଧ୍ୱନିତ ହେଲା ଏବଂ ସେହି ପ୍ରତିଧ୍ୱନିର ତରଙ୍ଗ ମାଇଲ ମାଇଲ ବ୍ୟାପୀ ଧାନ କିଆରୀରେ ତରଙ୍ଗାୟିତ ହେବାକୁ ଲାଗିଲା ।

 

ସୁଧାକର ତଥାପି ଡାକ ଛାଡ଼ୁଛନ୍ତି : ବନାନୀ, ବନାନୀ....

 

କାହିଁକି କେଜାଣି କେଉଁ ଏକ ସ୍ୱର ତରଙ୍ଗର ପ୍ରଚଣ୍ଡ ପ୍ରବାହରେ ବନାନୀର ଶୋଇବା ଘର ଝର୍କା ଖୋଲିଗଲା । ଝର୍କାର କବାଟ ଖୋଲା ହେଲାବେଳେ ହଠାତ୍ ସୁଧାକରଙ୍କ ଡାକ ବନ୍ଦ ହୋଇଗଲା ।

 

ସେଇ ଝର୍କା ଅନ୍ତରାଳରୁ ଶୁଭୁଥିଲା–ସ୍ୱାମୀ ଯାଇଛନ୍ତି ଟୁରରେ । ପୁଅ ରହୁଛି ବିଶ୍ୱବିଦ୍ୟାଳୟ ହଷ୍ଟେଲରେ । ଘରେ ଛୋଟଝିଅ ଓ ଚାକର ପିଲାଟିଏ । ଏମାନଙ୍କୁ ଛାଡ଼ି ତମ ସାଙ୍ଗରେ କିପରି ଯିବି ? ଭାରି ଭୟ ଲାଗୁଛି ସୁଧାକର !

 

ତମେ ଏବେ ସୁଦ୍ଧା ରହିଯାଇଛ ଏକ ଚିକ୍‍ଚିକ୍ ଦର୍ପଣ ହୋଇ ମୋର ଅବଚେତନରେ । ବେଳେବେଳେ ସେହି ଦର୍ପଣରେ ତମକୁ ଦେଖି ମୁଁ ଭଲ ପାଇବସୁଛି, ଶ୍ରଦ୍ଧା ଅଜାଡ଼ୁଛି । ତମେ ଏବେ ସୁଦ୍ଧା ମୋ ପାଖରେ ରହିଛ ଅମଳିନ ହୋଇ ।

 

ମୁଁ ତମ ସାଙ୍ଗରେ ଯାଇପାରୁନି ସୁଧାକର । ମତେ କ୍ଷମା କରିବ । ସେ ନାହାନ୍ତି । ସାନଝିଅ ମୋ କୋଳରେ ଶୋଇଛି । ମୁଁ ଚାଲିଗଲେ ସେ ଖୋଜିବ ଏବଂ କାନ୍ଦିବ । ଚାକର ଟୋକାଟି ନିଶ୍ଚୟ ଏଡ଼େ ବଡ଼ ବିରାଟ କ୍ୱାର୍ଟର ମଧ୍ୟରେ ଭୟ କରିବ । ମୋ ସୁନାଟା ପରା ! ରାଗିବ ନାହିଁ, ଯାଆ ଶୋଇ ପଡ଼ିବ ।

 

ବନାନୀର ଶୋଇବା ଘର ଝର୍କା କବାଟ ପୁଣି ବନ୍ଦ ହୋଇଗଲା ।

 

ସୁଧାକରଙ୍କ ପରି ଦେଖାଯାଉଥିବା ଏକ ମଣିଷର ଛାଇ ଦ୍ରୁତ ଗତିରେ ଆଗେଇ ଆସୁଥିଲା ସେହି ବିରାଟ ପ୍ରାନ୍ତର ମଧ୍ୟକୁ ଯେଉଁଠାରେ କିଛି ସମୟ ପୂର୍ବରୁ ସୁଧାକର ବସିଥିଲେ ।

Image

 

ମଲା ନଈର ଇତିବୃତ୍ତ

 

ଶ୍ରାବଣର ଅସରାଏ ବର୍ଷା ଛାଡ଼ିଯାଇଛି ଇତି ପୂର୍ବରୁ । ମେଘନାଦ ଅଗଣା ବାରଣ୍ଡାରେ ଚେୟାର ଉପରେ ବସି ଚାହିଁଲେ ଆସନ୍ନ ସନ୍ଧ୍ୟାର ସହରକୁ ।

 

ତାଙ୍କ ଘର ସାମ୍ନାର ଲାଇଟ୍ ପୋଷ୍ଟରେ ଲାଇଟ୍ ଜଳିଲାଣି । ନର୍ଦ୍ଦମାରେ ନିଷ୍କ୍ରାନ୍ତ ପାଣି ସୁଅର କ୍ରମାଗତ କୁଳୁକୁଳୁ ଧ୍ୱନି ଶୁଭୁଛି ।

 

ମେଘନାଦ ଚାହିଁଲେ ଆକାଶକୁ । ଆକାଶ ପିଠିରେ ଧ୍ୱସଂର ମେଘଛୁଆ ଖେଳି ବୁଲୁଛୁନ୍ତି ଏଣେ ତେଣେ । ଆକାଶର ଗଭୀର ସୁନୀଳତାକୁ ପରିହାସ କରି ତାହାର ରଙ୍ଗ ଦେଖାଯାଉଛି ନିହାତି ଫିକା ଫିକା ।

 

ଶ୍ରାବଣର ବର୍ଷାଧୁଆ ସନ୍ଧ୍ୟାରେ, ରାସ୍ତାଧାରରେ ଢୁଳେଇ ପଡ଼ିଥିବା ଗଛମାନେ ଦେଖାଯାଉଛନ୍ତି ବେଶ୍ ଚହଟ ଚିକ୍‍କଣ ।

 

ମେଘନାଦଙ୍କର ମନେ ପଡ଼ିଲା ଆସନ୍ତାକାଲି ଅଗଷ୍ଟ ପନ୍ଦର; ଭାରତର ସ୍ୱାଧୀନତା ଦିବସ । ଖବରକାଗଜରୁ ପଢ଼ିଥିଲେ ଏଇ ଅବହେଳିତ ଜିଲ୍ଲାର ହେଡ଼କ୍ୱାଟରକୁ ଆସିବେ ନଗର ଉନ୍ନୟନ ମନ୍ତ୍ରୀ ପୁଣ୍ଡରୀକାକ୍ଷ ବାହୁ ବଳେନ୍ଦ୍ର ସିଂହ । ସେ ସାଲ୍ୟୁଟ୍ ନେବେ । ଦଳଦଳ ହୋଇ ପୋଲିସ୍, ଏନ୍. ସି. ସି. ଛାତ୍ରଛାତ୍ରୀ ଓ ଗୃହରକ୍ଷୀ କଦମ୍ କଦମ୍ ଆଗକୁ ବଢ଼ାଇ, ହାତରେ ପତାକା ଧରି ୟୁନିଫର୍ମ ପିନ୍ଧି, ମନ୍ତ୍ରୀ ଠିଆ ହୋଇଥିବା ମଞ୍ଚ ଦେଇ ଆହା ! ସେମାନେ ବଶମ୍ୱଦ ନାଗରିକ ରୂପେ ଧୀରେ ଧୀରେ ଅତିକ୍ରାନ୍ତ କରିଯିବେ । ମାନ୍ୟବର ମନ୍ତ୍ରୀ ମଞ୍ଚ ଉପରେ ଏକ ପଥର ପ୍ରତିମା ପରି ଅବିଚଳିତ ଭାବରେ ଠିଆ ହୋଇ କ୍ୟାଭେଣ୍ଡର ସିଗାରେଟ୍ ପ୍ୟାକେଟରେ ଥିବା କେଉଁ ଏକ ସାହେବର ଠାଣି ନେଇ ମୁଣ୍ଡ ଉପରେ ହାତମୁଠା ଖୋଲାକରି ସାଲ୍ୟୁଟ୍ ଗ୍ରହଣ କରିବେ । ମାର୍ଚ୍ଚିଂ ସଙ୍ଗୀତ ବାଜି ଉଠୁଥିବ ପୁଣି ସେତେବେଳେ ।

 

ମେଘନାଦଙ୍କ ବିସୃତିର ଅନନ୍ତ ଗର୍ଭରେ ଲୀନ ହୋଇଯାଇଥିବା ଯେଉଁ କେତେକ ଶାଣିତ ଅନୁଭୂତି, ସମୟର ବାଲିଝଡ଼ରେ ସେଇ ମହଳଣ ଓ କଳଙ୍କି ଲଗା ଅନୁଭୂତି, ଆଜି ସ୍ୱାଧୀନତା ଦିବସ ସ୍ମାରକୀର ପ୍ରାକ୍ କାଳରେ, ଏଇ ବର୍ଷାଧୁଆ ସନ୍ଧ୍ୟାରେ ତାହା ଯେପରି ପୁଣି ଚିକ୍ ଚିକ୍ କରୁଛି ।

 

ଭାରତର ସ୍ୱରାଜ ପାଇଁ ସେଦିନ କଲେଜରୁ ପାଠ ଛାଡ଼ି, ହଷ୍ଟେଲ ପାଚେରୀ ଡେଇଁ ଏକ ଉନ୍ନତ୍ତ ଆବେଗରେ ସେ ଖଣ୍ଡିଆ ଖାବୁଡ଼ା ହୋଇ ମିଶାଯାଇଥିଲେ ଏକ ଶୋଭାଯାତ୍ରାରେ, ଯେଉଁ ଶୋଭାଯାତ୍ରା ଚାଲିଥିଲା ମହାତ୍ମାଗାନ୍ଧୀଙ୍କୁ ସ୍ୱାଗତ ଜଣାଇବା ପାଇଁ ସହରର ସେଇ ଏକମାତ୍ର ରେଳ ଷ୍ଟେସନକୁ ।

 

ଗାନ୍ଧିଜୀ ଆସିଛନ୍ତି ଜାଣି କଲେଜ କର୍ତ୍ତୃପକ୍ଷ ଫତୁଆ ଜାରୀ କରିଥିଲେ ସେମାନଙ୍କ ଉପରେ । ହଷ୍ଟେଲ ଛାଡ଼ି ସନ୍ଧ୍ୟାବେଳେ କେହି ବାହାରକୁ ଯାଇପାରିବେ ନାହିଁ–ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ବିନା ଅନୁମତିରେ ପଦାକୁ ଗୋଡ଼ଦେଲେ ସେମାନଙ୍କୁ ରଷ୍ଟିକେଟ୍ କରାଯିବ–ଏହାହିଁ ଥିଲା ଘୋଷଣା । କିନ୍ତୁ କେଜାଣି କାହିଁକି ମେଘନାଦଙ୍କ ମନ ଭିତରେ ସୃଷ୍ଟିହେଲା ଏକ ପ୍ରଳୟଙ୍କାରୀ ଝଡ଼-। ଯେଉଁ ଗୋଟିଏ ସାଧାରଣ ମଣିଷ ଭାରତର ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଛୁଆଁଇ ଦେଇପାରିଛି ଏକ ଅପୂର୍ବ କାଉଁରୀ କାଠିର ଐନ୍ଦ୍ରଜାଲିକ ସ୍ପର୍ଶ ଓ ଯେଉଁ କୁହୁକ ସ୍ପର୍ଶରେ ସାରା ଦେଶରେ ଜାଗି ଉଠିଛି ଏକ ବିପୁଳ ଉନ୍ମାଦନା, ସେଇ ସାଧାରଣ (!) ମଣିଷଟି ଏଇ ଷ୍ଟେସନ୍ ଦେଇ କଲିକତା ଫେରୁଛି । ଅଥଚ ସେ ତାକୁ ଦେଖିପାରିବେ ନାହିଁ ?

 

ମେଘନାଦ ବାରମ୍ୱାର ସେଦିନର ସମ୍ୱାଦପତ୍ରରେ ଛାପା ହୋଇଥିବା ଗାନ୍ଧିଜୀଙ୍କର ଫଟୋଟିକୁ ନିରୀକ୍ଷଣ କରିବାକୁ ଲାଗିଲେ ଓ ତାଙ୍କ ଚେତନାରେ କାହିଁକି କେଜାଣି ସ୍ପର୍ଶିତ ହୋଇଗଲା ଏକ ଅପୂର୍ବ କୁହୁକ ସ୍ପର୍ଶ ।

 

କଲେଜ କର୍ତ୍ତୃପକ୍ଷଙ୍କୁ ପଚାରିବାର କୌଣସି ଆବଶ୍ୟକତା ନାହିଁ ।

 

ହଷ୍ଟେଲ ଭିତରୁ ଯେକୌଣସି ଉପାୟରେ ଖସିଯିବା ପାଇଁ ତାଙ୍କ ମନ ଭିତରେ ଜାଗି ଉଠିଲା ଏକ ଅବଦମିତ ଆବେଗ ଓ ଉତ୍ତେଜନା ଏବଂ ସେଥିପାଇଁ ଦିନସାରା ସେ ହେଲେ ଛଟପଟ-

 

ସନ୍ଧ୍ୟା ଆସିଲା । ସେଦିନର ଏଇ ସହର ଆଜିଭଳି ଅବଶ୍ୟ ଏପରି ଜନବହୁଳ ନ ଥିଲା-। ଏଇ ସହରର ତତ୍କାଳୀନ ଚେହେରା ଆଜିପରି ବର୍ଣ୍ଣାଢ଼୍ୟ ଅଥଚ ଆବର୍ଜନାରେ ପରିପୂର୍ଣ୍ଣ ନ ଥିଲା-। ରାସ୍ତାଧାରରେ କିରୋସିନ୍ ଲାଇଟ୍ ଜଳିଉଠିବା ପରେ କଲେଜ ହଷ୍ଟେଲ ପଛପଟ ରାସ୍ତାରେ ଶୁଭିଲା ଏକ ଜୟ ଜୟକାର ଧ୍ୱନି, ତାହା ଯେପରି ସହରର ସମୁଦାୟ କୋଳାହଳକୁ ପ୍ରତିହତ କରି ଆପଣାର ସ୍ୱରଗତ ପ୍ରାଧାନ୍ୟ ପ୍ରତିଷ୍ଠିତ କରୁଥିଲା ସବୁଆଡ଼େ ।

 

ମେଘନାଦଙ୍କ ଚେତନାରେ ଜଳି ଉଠିଥିଲା ଯେଉଁ ଦୀପ୍ତିମୟ ସୂର୍ଯ୍ୟ, ସହରର ସେଇ କୋଳାହଳ ଶୁଣିବା ମାତ୍ରେ, ତାହା ଯେପରି ପ୍ରଚଣ୍ଡ ଆଲୋକରେ ଝଲମଲ କରି ଉଠିଲା । ହଷ୍ଟେଲର ଗୋଟିଏ ରୁମରେ ସେ ରହିଥିଲେ ତାଙ୍କର ସହପାଠୀମାନଙ୍କ ମଧ୍ୟରେ ଅବଶ୍ୟ, ମାତ୍ର ସେଇ କୋଳାହଳ, ବିପୁଳ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । କିନ୍ତୁ ସେମାନେ ହଷ୍ଟେଲ ଓ କଲେଜ କର୍ତ୍ତୃପକ୍ଷଙ୍କଦ୍ୱାରା ଜାରୀ କରାଯାଇଥିବା ଅଙ୍କୁଶର କଠୋର କଟକଣା ମଧ୍ୟରେ ବାନ୍ଧିହୋଇ ଛଟପଟ ହେଉଥିଲେ ।

 

ସେ ଆଉ ନିଜକୁ ସମ୍ଭାଳି ରହିପାରିଲେ ନାହିଁ । ନିଜ ସିଟ୍ ଉପରୁ ଭୁଷ୍‍କରି ଉଠିପଡ଼ିଲେ ଏବଂ ସିଡ଼ିର ପାହାଚ ପାହାଚ ଅତିକ୍ରମ କରି ତଳ ମହଲାକୁ ଚାଲି ଆସିଲେ । ତଳ ମହଲାକୁ ଆସି ଦେଖିଲେ ସବୁ ଝର୍କା ବନ୍ଦ । ବାହାରକୁ ଯିବାପାଇଁ କୌଣସି ରାସ୍ତା ନାହିଁ । ଅଗଣାକୁ ଘେରି ରହିଥିବା ଜଗୁଆଳି କାନ୍ଥ ଦୁଇ ମଣିଷ ଉଚ୍ଚ ଓ ଖୁବ୍ ତୀଖ । ସେଥିରେ ପୁଣି ଭଙ୍ଗାକାଚ ବିଛାଇ ଦିଆଯାଇଛି ଓ ସେଇସବୁ ଭଙ୍ଗାକାଚ ଅଜସ୍ର ଉତ୍ତୋଳିତ ଛୁରିକା ପରି ରକ୍ତମୁହାଁ ହୋଇ ରହିଛନ୍ତି ।

 

ମେଘନାଦ ବନ୍ଦ ଦର୍ଜାମାନଙ୍କ ପାଖକୁ ଆସିଲେ । ନିରୀକ୍ଷଣ କରି ଦେଖିଲେ ବାହାର ପଟୁ ଚାବି ଦିଆଯାଇଛି । ପ୍ରତ୍ୟେକ ରୁଦ୍ଧ ଦର୍ଜା ପାଖରେ ଲାଠିଆଳ ଜଗୁଆଳି ବସିଛନ୍ତି ଓ ସୁପରିଣ୍ଟେଣ୍ଡେଣ୍ଟ, ଓଭରକୋଟ୍ ପିନ୍ଧି, ହଷ୍ଟେଲ ଆରପଟେ ପଇଁତରା ମାରୁଛନ୍ତି । ହଷ୍ଟେଲ ଭିତରେ ବନ୍ଦୀ ହୋଇ ରହିବା ଲାଗି ବିଧିବଦ୍ଧ ଏକ ଜେଲଖାନାର ପରିବେଶ ସୃଷ୍ଟି କରାଯାଇଛି ।

 

ସେ ବଡ଼ ବିଚଳିତ ହୋଇପଡ଼ିଲେ । କି ଉପାୟରେ ସେ ହଷ୍ଟେଲରୁ ଖସିଯିବେ ତାହା ଚିନ୍ତା କରି ନ ପାରି ହଷ୍ଟେଲ ବାରଣ୍ଡାର ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ; ମନର ଗଭୀର ଅଶ୍ୱସ୍ତି ଓ ଉତ୍ତେଜନାରେ ଟହଲ ମାରୁଥିଲା ।

 

କି ଏକ ଉଦାତ୍ତ ଆବେଗରେ, ଦୁଇମଣିଷ ଉଚ୍ଚର ପକକା୍ କାନ୍ଥକୁ ଡେଇଁବା ପାଇଁ ମେଘନାଦ ଉପକ୍ରମ କଲେ । ମନ ଓ ଦେହର ସମସ୍ତ ଶକ୍ତି ଠୁଳୀଭୂତ କରି ସେ ଲମ୍ଫ ମାରିଲେ । କାନ୍ଥରେ ଛାଇ ହୋଇଥିବା ଭଙ୍ଗା କାଚରେ ତାଙ୍କର ହାତ, ଗୋଡ଼, ଆଣ୍ଠୁ ଓ ପେଟ ଚିରି ହୋଇଯାଇ ରକ୍ତସ୍ରାବ ହେଲା; କିନ୍ତୁ ସେଥିପାଇଁ ସେ କେବେହେଲେ ସଚେତନ ନ ଥିଲେ । କାନ୍ଥ ଡେଇଁ ସେ ଯେତେବେଳେ ଆରପଟେ ଭୁଷ୍‍କରି ପଡ଼ିଲେ ଓ ରକ୍ତାକ୍ତ ଅବସ୍ଥାରେ କଲେଜ ପଡ଼ିଆରେ ନିର୍ଦ୍ଧୁମ ଦଉଡ଼ିବାକୁ ଲାଗିଲେ, ସେତେବେଳେ ତାଙ୍କ ପଛେପଛେ ତାଙ୍କୁ ଧରିବା ପାଇଁ କେହି ଦଉଡ଼ୁଥିବାର ତାଙ୍କର ମନେହେଉଥିଲା; କିନ୍ତୁ ତାଙ୍କର ମୁକ୍ତ ପକ୍ଷକୁ ଧରିବାକୁ ଆଉ କାହାର ସାମର୍ଥ୍ୟ ନ ଥିଲା ।

 

ଝୁଲନ୍ତ ଶୋଭାଯାତ୍ରା ଲମ୍ୱିଯାଇଥିଲା ଷ୍ଟେସନ ପର୍ଯ୍ୟନ୍ତ ଏକ ବିପୁଳ ଜୟଜୟକାର ଧ୍ୱନିରେ । ଶୋଭାଯାତ୍ରାର ଆଗ ଓ ପଛରେ ଅସଂଖ୍ୟ ପୋଲିସ୍ ଖୁନ୍ଦି ହୋଇ, ଯେକୌଣସି ଉତ୍ତେଜିତ ପରିସ୍ଥିତିର ମୁକାବିଲା କରିବା ପାଇଁ ଯେପରି ପ୍ରସ୍ତୁତ ହୋଇ ରହିଥିଲେ । ମେଘନାଦ ଯେତେବେଳେ ଦଉଡ଼ି ଦଉଡ଼ି ସେଇ ଝୁଲନ୍ତ ଶୋଭାଯାତ୍ରାର ଲାଞ୍ଜରେ ନିଜକୁ ମିଶାଇ ଦେଲେ ସେତେବେଳେ ଘନଘନ ନିଶ୍ୱାସ ଛାଡ଼ି, ନିଜ ହାତଗୋଡ଼କୁ ଚାହିଁବା ଲାଗି ସେ ଫୁରସତ୍ ପାଇଲେ । ରକ୍ତ ଛୁଟିଛି ଅବାରିତ ଭାବରେ । ପିନ୍ଧିଥିବା କୁର୍ତ୍ତାରେ ସେଇ ନିର୍ଗତ ରକ୍ତକୁ ପୋଛିଦେଇ ଶୋଭାଯାତ୍ରାର ଅସଂଖ୍ୟ ଜନତା ସହିତ ‘ମହାତ୍ମା ଗାନ୍ଧୀକି ଜୟ’ ଧ୍ୱନିରେ ପାଳିଧରି ସେ ଆଗକୁ ଆଗକୁ ଆଗେଇ ଚାଲିଲେ ।

 

ଶୋଭାଯାତ୍ରା ଷ୍ଟେସନରେ ପହଁଞ୍ଚିଲା । ଷ୍ଟେସନରେ ଅଟକିଥିବା ଟ୍ରେନର ଏକ ତୃତୀୟ ଶ୍ରେଣୀ ଡବା ଭିତରୁ ମହାତ୍ମା ଗାନ୍ଧୀ ଅନାଇଁ ଦେଖୁଥିଲେ ଜନତାର ବିପୁଳ ସମ୍ୱର୍ଦ୍ଧନା ଓ କଳ ଉଚ୍ଛ୍ୱାସକୁ ।

 

ଏକ ମୋଟା ଫ୍ରେମର ଚଷମା ତଳୁ ଉକୁଟି ଦିଶୁଥିଲା ଦୁଇଟି ଉଜ୍ଜ୍ୱଳ ଆଖି । ଶାଣିତ ନାକ ତଳେ ମୋଟା ମୋଟା ଫାଳି ଫାଳି ଓଠ । ସେଥିରେ ଲାଖି ରହିଥିଲା ପ୍ରତିନିୟତ ଯେପରି ଏକଧାର ମୂର୍ଚ୍ଛିତ ହସ ।

 

ଅସଂଖ୍ୟ ଜନତାର ଭିଡ଼ । ପୋଲିସ୍ ଶାନ୍ତିଶୃଙ୍ଖଳା ରଖିବା ପାଇଁ ପ୍ରାଣପଣେ ଚେଷ୍ଟାକରି ବିଫଳ ହେଉଥିଲେ ।

 

ମେଘନାଦଙ୍କ ଆଖି, ଗାନ୍ଧିଜୀଙ୍କ ଉପରେ ପଡ଼ିବା ମାତ୍ରେ ଏକ ଅସ୍ଥିର ଆକୁଳତାରେ, ପଛପଟୁ ଦଉଡ଼ିଯାଇ, ଲୋକମାନଙ୍କୁ ଠେଲିପେଲି ଆଗକୁ ଧସାଇ ପଶିଲେ ଓ ମହାତ୍ମା ଗାନ୍ଧୀଙ୍କ ପାଖରେ ଠିଆ ହୋଇଥିବା ଲୋକମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ।

 

ତାଙ୍କର ଉଚ୍ଚା ଲମ୍ୱା ଶରୀର ଉପରେ କିପରି କେଜାଣି ଗାନ୍ଧିଜୀଙ୍କ ନଜର ପଡ଼ିବା ମାତ୍ରେ ହିନ୍ଦୀରେ କହି ଉଠିଲେ, ଦେଖ ଦେଖ ସେହି ଯୁବକଟିକୁ, ତା’ର କୁର୍ତ୍ତା କିଆଁ ହୋଇ ଉଠିଛି ରକ୍ତରଞ୍ଜିତ ? ତାକୁ ଆସିବାକୁ ଦିଅ ମୋ ପାଖକୁ ।

 

ଲୋକେ ତାଙ୍କୁ ବାଟ ଛାଡ଼ିଦେଲେ ବିନିୟର ସହିତ ଗାନ୍ଧିଜୀଙ୍କ ନିର୍ଦ୍ଦେଶ ଶୁଣି । ସେହି ବିପୁଳ ଜନତା ସ୍ତବ୍‍ଧ ହୋଇ ଅନାଇଁ ରହିଲେ ଗାନ୍ଧିଜୀଙ୍କ ପରିବର୍ତ୍ତେ ସେହି ଦୁଃସାହସିକ ଯୁବକଟିକୁ ।

 

ଗାନ୍ଧିଜୀ ଆଉଁସି ଦେଇ, ଏପରି ହେବାର କାରଣ ପଚାରିଲେ; ସେ ତାଙ୍କୁ ସବୁକଥା ଖୋଲି କହିବାରୁ, ଗାନ୍ଧିଜୀ ମେଘନାଦଙ୍କ ମୁଣ୍ଡରେ ହାତମାରି ଆଶୀର୍ବାଦ ଜଣାଇଲେ ଏବଂ କହିଲେ ଏବେ ତ ଦେଖିଲ ! ଫେରିଯାଅ ହଷ୍ଟେଲକୁ ।

 

ଶ୍ରାବଣର ଏଇ ବର୍ଷାଧୁଆ ସନ୍ଧ୍ୟାରେ, ଅତୀତର ଏଇ ସମସ୍ତ କାହାଣୀ ରୋମନ୍ଥନ କରୁ କରୁ କାହିଁକି କେଜାଣି ହଠାତ୍ ସେ ରୋମାଞ୍ଚକ ହୋଇ ଉଠିଲେ ଓ ତାଙ୍କର ମନେହେଲା ସତେ ଯେପରି ଗାନ୍ଧିଜୀ ସେହି ଆଶୀର୍ବାଦର ଅଶ୍ଳେଷ ତାଙ୍କ ଚେତନାର କେଉଁ ଅଂଶରେ ସାଇତି ହୋଇ ରହିଯାଇଛି । ଗାନ୍ଧିଜୀଙ୍କ ହାତ ଯେତେବେଳେ ବୁଲି ଆସିଲା ତାଙ୍କ ମୁଣ୍ଡ ଉପରେ ସେତେବେଳେ ମେଘନାଦଙ୍କର ମନେହେଲା ସେ ଯେପରି ଆପଣାର ପାର୍ଥିବ ଅସ୍ତିତ୍ୱରୁ ମୁକ୍ତ ହୋଇ କେଉଁ ଏକ ଅତିମାନସ ଚେତନାର ଖୁବ୍ ପାଖାପାଖି ପହଞ୍ଚି ଯାଇଛନ୍ତି ।

 

ସେ ସ୍ତମ୍ଭୀଭୂତ ହୋଇ ବସିଗଲେ କିଛିକାଳ, ତାଙ୍କ ବିସ୍ମୃତିରୁ ପର୍ଦ୍ଦାରେ ପ୍ରତିଫଳିତ ହେଉଥିଲା ଅତୀତ ଅଭିଜ୍ଞତାର ଯେଉଁସବୁ ଦୃଶ୍ୟାବଳୀ, ତାହା ଯେପରି ନୀରବ ନିଶ୍ଚଳ ହୋଇଗଲା, ଗାନ୍ଧିଜୀଙ୍କର କଥା ମନେପଡ଼ି ।

 

ସେଦିନ ଶୋଭାଯାତ୍ରା କେତେବେଳେ ଭାଙ୍ଗିଲା ଓ ଗାନ୍ଧିଜୀ କେତେବେଳେ ଷ୍ଟେସନ ଛାଡ଼ିଲେ, ସେକଥା ତାଙ୍କର ଆଉ ମନେ ନ ଥିଲା । ସେ ଏଭଳି ବିହ୍ୱଳ ହୋଇ ଯାଇଥିଲେ ଯେ ସେଦିନର ପରବର୍ତ୍ତୀ ଘଟଣାମାନଙ୍କ ପ୍ରତି ଖୁବ୍ ଉଦାସୀନ ରହିଥିଲେ ।

 

ଗାନ୍ଧିଜୀଙ୍କ ଦର୍ଶନ ପାଇଁ ହଷ୍ଟେଲ ଓ କଲେଜ କର୍ତ୍ତୃପକ୍ଷଙ୍କ ଫତୁଆ ଜାରୀକୁ ଅସ୍ୱୀକାର କରିଥିବାରୁ ସେ କଲେଜରୁ ରଷ୍ଟିକେଟ୍ ହେଲେ । ଗାନ୍ଧିଜୀଙ୍କ ଡାକରାରେ ଯେଉଁ ‘ଭାରତଛାଡ଼’ ଆନ୍ଦୋଳନ ସାରା ଦେଶରେ ସୃଷ୍ଟି ହେଲା, ସେଥିରେ ମେଘନାଦ ପୂର୍ଣ୍ଣମାତ୍ରାରେ ନିଜକୁ ଉତ୍ସର୍ଗ କରିଦେଲେ ।

 

କଲେଜ ଛାଡ଼ିଲା ଦିନଠାରୁ ମେଘନାଦ ନିଜକୁ ଖୁବ୍ ଶକ୍ତିଶାଳୀ ମନେ କରୁଥିଲେ ଓ ନିଜ ଉପରେ ତାଙ୍କର ଦୃଢ଼ ଆତ୍ମ-ପ୍ରତ୍ୟୟ ସୃଷ୍ଟି ହୋଇଥିଲା । ସେ ହାତରେ ସୂତା କାଟିଲେ ଓ ନିଜ କଟା ସୂତାରେ ଲୁଗା ପିନ୍ଧିଲେ । କଲେଜରେ ପଢ଼ୁଥିବା ବେଳର ମସରାଇଜ୍ଡ଼୍ ଧୋତି ଓ ପଞ୍ଜାବୀ, ପ୍ୟାଣ୍ଟ ଓ କୋଟ୍ ଏକାଦିନେ ସେ ଫିଙ୍ଗି ଦେଇଥିଲେ କାଠଯୋଡ଼ିକୁ ।

 

ତା’ ପରେ ଚାଲିଲା ସ୍ୱରାଜ୍ୟ ଲାଗି କେତେ ଆନ୍ଦୋଳନ ଓ ସତ୍ୟାଗ୍ରହ ! ମଣିଜଙ୍ଗରେ ଯେଉଁ ଲୁଣମରା ସତ୍ୟାଗ୍ରହ ଆରମ୍ଭ ହୋଇଥିଲା, ସେ ବି ନେଇଥିଲେ ତା’ର ନେତୃତ୍ୱ । ପୋଲିସର କେତେ ଜୁଲୁମବାଜୀ, ଲାଠିମାଡ଼ ଓ ଲୁହାବୁହା ଗ୍ୟାସର ନୂଆ ନୂଆ ପ୍ରତିରୋଧ ସହିତ ତାଙ୍କୁ ସାମ୍ନା କରିବାକୁ ପଡ଼ିଥିଲା । ସ୍ୱରାଜ୍ୟ ପାଇଁ ବ୍ରିଟିଶ ସାମ୍ରାଜ୍ୟବାଦର ସମସ୍ତ ଅତ୍ୟାଚାରକୁ ସେମାନେ ହସିହସି ଏକ ଆଶୀର୍ବାଦ ରୂପେ ଧରି ନେଇଥିଲେ ଓ ସେଥିପାଇଁ ଯେଉଁ କୁଚ୍ଛ୍ର ସାଧନା କରିଥିଲେ ଆହା ! ତାହା ଯେପରି ସମାଜ ହୁଏତ ଭୁଲିଯାଇଥିବ ।

 

ଖରା ନାହିଁ, ବର୍ଷା ନାହିଁ, ଶୀତ ନାହିଁ, ସବୁବେଳେ ବୁଲୁଥିଲେ ସେ ଗାଆଁକୁ ଗାଁ । ହରିଜନ ସାହିରେ, ମୁସଲମାନ ବସ୍ତିରେ ଓ ଖ୍ରୀଷ୍ଟିୟାନ୍ ପଡ଼ାରେ ପକାଉଥିଲେ ସେ ଡେରା । ଧର୍ମ ଓ ଜାତିଗତ ଭେଦାଭେଦ ଭୁଲି, ସମସ୍ତଙ୍କୁ ଏକ ହେବାକୁ ସେ ଡାକରା ଦେଇଥିଲେ ଓ ନିଜକୁ ଜନତାର କଲ୍ୟାଣ ପାଇଁ ବିନିଯୋଗ କରିଥିଲେ ।

 

ସାରା ଜୀବନ ଦେଶ ଓ ଜାତିର ସେବାପାଇଁ ସେ ସମୟ ଦେଇଛନ୍ତି । ସ୍ୱୀଧୀନତା ପରେ ଯେତେବେଳେ ଏ ଦେଶରେ ସ୍ୱଦେଶୀ ମନ୍ତ୍ରୀମଣ୍ଡଳ ଗଠିତ ହେଲା, ସେଥିରେ ଅଂଶ ଗ୍ରହଣ କରିବା ପାଇଁ ତାଙ୍କୁ ଅନୁରୋଧ କରାଯାଇଥିଲା; କିନ୍ତୁ କଂଗ୍ରେସକୁ ରାଜନୈତିକ ଅନୁଷ୍ଠାନରେ ପରିଣତ କରିବା ପାଇଁ ଗାନ୍ଧିଜୀଙ୍କ ଇଚ୍ଛା ସହିତ ସେ ଅକୁଣ୍ଠ ବିଶ୍ୱାସୀ ଥିବାରୁ ସେଇ କ୍ଷମତା ଲୋଭକୁ ସେ ଅଗ୍ରାହ୍ୟ କରିଦେଲେ ।

 

ଦେଶ ସ୍ୱାଧୀନ ହେଲା । କଂଗ୍ରେସ ହେଲା ଏକ ରାଜନୈତିକ ଦଳ । ସେଇ ଦଳ ସହିତ ଆଉ କୌଣସି ସମ୍ପର୍କ ନ ରଖି, ଦେଶର ଲକ୍ଷ ଲକ୍ଷ ଦରିଦ୍ର ଜନତାର ଉନ୍ନତି ପାଇଁ ସେଇ ଦିନଠାରୁ କାମ ଆରମ୍ଭ କଲେ ।

 

ମେଘନାଦ ଭାବିଲେ, ଏଇତ ବାଇଶି ବର୍ଷ ତଳର କଥା । କାଲିପରି ଲାଗୁଛି ସତେ ! ସେତେବେଳେ ଏଇ ସହର ଥିଲା କେଡ଼େ ଛୋଟ; କିନ୍ତୁ ଆଜି ଶୋଚନୀୟ ଭାବରେ ହୋଇଯାଇଛି ଜନାକୀର୍ଣ୍ଣ । ଲୋକ ସଂଖ୍ୟାର ଆଧିକ୍ୟ ହେତୁ ଏହା ହୋଇଉଠିଛି ନିତାନ୍ତ ଆବର୍ଜନାପୂର୍ଣ୍ଣ, ବ୍ରିଟିଶ ରାଜତ୍ୱ ସମୟରେ ଏହାର ପରିଚ୍ଛନ୍ନତା ପାଇଁ ଯେତିକି ଦୃଷ୍ଟି ଦିଆଯାଉଥିଲା, ସ୍ୱାଧୀନ ଭାରତରେ ଆମରି ଦେଶନେତାଏ ଏହି ସହରର ବିକାଶ ପାଇଁ ସେତିକି ଦୃଷ୍ଟି ଦେଇନାହାଁନ୍ତି ।

 

ଆସନ୍ତକାଲି ଆସିବେ ନଗର-ଉନ୍ନୟନ ମନ୍ତ୍ରୀ, ତାଙ୍କୁ ଭେଟିଲେ ହୁଅନ୍ତା ! କିନ୍ତୁ ମନ୍ତ୍ରୀ ଓ ତାଙ୍କ ପାରିଷଦବର୍ଗମାନଙ୍କୁ ତୋଷାମଦ କରିବା ଅପେକ୍ଷା ଘରେ ବସି, ସମ୍ୱାଦପତ୍ରରେ ବିବୃତି ଦେବା ବରଂ ଶ୍ରେୟସ୍କର ।

 

ରାତ୍ରି କ୍ରମେ ବଢ଼ିଛି, କିନ୍ତୁ ମେଘନାଦ ଏକାନ୍ତ ନୀରବରେ ବସି ଭାବି ଚାଲିଛନ୍ତି ତାଙ୍କ ଜୀବନର ନାନା ଅନୁଭୂତି ଓ ତଦ୍‍ଜ୍ଜନିନିତ ନାନା ତିକ୍ତ ମଧୁର ସ୍ମୃତି ।

 

ପୁଣି ଏଥି ସହିତ, ଶ୍ରାବଣର ଏଇ ବର୍ଷାଧୁଆ ରାତିରେ ତାଙ୍କର ମନେ ପଡ଼ୁଛି ଆଉ ଗୋଟିଏ କଥା । ଆହା ! କେଡ଼େ କୌତୂହଳଜନକ ସତେ ।

 

ଏଇ ସହରଠାରୁ ମାତ୍ର ଦେଢ଼ ଶହ ମାଇଲ ଦୂରରେ ପୂର୍ବତନ ଦେଶୀୟ ରାଜ୍ୟ ଅଳକାପୁର । ଜାତୀୟ ଆନ୍ଦୋଳନର ପ୍ରତିଧ୍ୱନି ଯେତେବେଳେ ଏଇ ଅଳକାପୁରର ହଜାର ହଜାର ଅତ୍ୟାଚାରିତ ପ୍ରଜାମାନଙ୍କର ଚେତନାରେ ଧ୍ୱନିତ ହେବାକୁ ଲାଗିଲା, ସେତେବେଳେ ତାହାର ସ୍ୱାଭାବିକ ବାୟୁମଣ୍ଡଳ ହୋଇ ଉଠିଲା ବେଶ୍ ସରଗରମ । ସେତେବେଳର ମହାରାଜା ପରିକ୍ଷିତ, ପ୍ରଜାମାନେ ସେସବୁଥିରେ ଯେପରି ନ ମାତନ୍ତି ସେଥିପ୍ରତି ତୀକ୍ଷ୍‍ଣ ଦୃଷ୍ଟି ଦେଇଥିଲେ ଓ ତାଙ୍କ ପୋଲିସବାହିନୀକୁ ସତର୍କ ରହିବା ପାଇଁ ସଚେତନ କରାଇ ଦେଇଥିଲେ । ସେତେବେଳକାର ଗଡ଼ଜାତର ଜନସାଧାରଣ ! ଆହା ! କେଡ଼େ ନିରୀହ ! ନିଜ ନିଜ ବିବାହ ଉତ୍ସବ ପରେ, ପ୍ରଥମ ମଧୁଚନ୍ଦ୍ରିକା ପାଇଁ ସେମାନଙ୍କର ନବବିବାହିତ ପତ୍ନୀ, ମହାରାଜାଙ୍କ ନିକଟରେ ଉତ୍ସର୍ଗୀକୃତ ହୁଏ ଓ ତା’ପରେ ରାଜାଉଚ୍ଛିଷ୍ଟ ନାରୀମାନଙ୍କୁ ସେମାନେ ଗ୍ରହଣ କରିନିଅନ୍ତି ମହା ଆନନ୍ଦରେ ।

 

ଏଇଭଳି ଏକ ଅନ୍ଧପୀଡ଼ନରେ ଅଳକାପୁର ପୀଡ଼ିତ ଥିବାବେଳେ ପ୍ରଜାମାନଙ୍କ ମଧ୍ୟରେ ଅତି ଅକୃପଣ ଭାବରେ ତେଜି ଉଠିଥିଲା ପ୍ରଜା ଆନ୍ଦୋଳନ ।

 

ନିଜ ଦଳ ମଧ୍ୟରେ, ମେଘନାଦ ଜଣେ ସୁସଂଗଠକ ଓ ସୁବକ୍ତା ଥିବାରୁ, ତାଙ୍କୁ ଯିବାକୁ ପଡ଼ିଥିଲା ଅଳକାପୁର । ସେତେବେଳେ ତାଙ୍କୁ ଘେରିଯାଇଥିଲେ ରାଜା ପରୀକ୍ଷିତଙ୍କ ପୋଲିସବାହିନୀ, ସେମାନଙ୍କ ଜରିଆରେ ରାଜା ସମ୍ୱାଦ ଦେଇଥିଲେ ଯଦି ଚବିଶ ଘଣ୍ଟା ମଧ୍ୟରେ ତମେ ମେଘନାଦ ରାୟ ଅଳକାପୁର ଛାଡ଼ି ନ ଯାଅ, ତେବେ ତମକୁ ଗିରଫ କରାଯିବ ।

 

ମେଘନାଦ କିନ୍ତୁ ସେସବୁ ଶୁଣିଲେ ନାହିଁ । ତାଙ୍କ ପାଖକୁ ଆକର୍ଷିତ ହୋଇ ଆସିଲେ ଶହଶହ ପ୍ରଜା । ସଭା ସମିତିରେ ଯୋଗଦେବା ପାଇଁ କାହିଁ କେଉଁ ଆଦିବାସୀ ଅଞ୍ଚଳରୁ ଶହଶହ ଲୋକ ଛୁଟିଲେ । ସମଗ୍ର ଅଳକାପୁର କମ୍ପି ଉଠିଲା ଓ ସେଥିରେ ଏକ ନୂଆ ଚେତନାର ସୃଷ୍ଟି ହେଲା । ଯେଉଁ ପ୍ରଜାମାନେ ନିରୀହ, ବଶମ୍ୱଦ ଓ ଅତ୍ୟାଚାରିତ ହୋଇଥିଲେ, ସେମାନେ ରାଜତନ୍ତ୍ର ବିରୁଦ୍ଧରେ ନିର୍ଭୀକ ଭାବରେ ଲଢ଼ାଇ ଆରମ୍ଭ କରିଲେ । ଆଇନ୍ ଅମାନ୍ୟ ଆନ୍ଦୋଳନ ଚଳାଇଲେ, କିନ୍ତୁ ରାଜା ପରୀକ୍ଷିତ ବ୍ରିଟିଶ ସରକାରର ସହାୟତାରେ ବହୁ ସଂଖ୍ୟାରେ ପୋଲିସ ଆଣି ସେଇ ଆନ୍ଦୋଳନକୁ ଦବାଇ ଦେବାପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଆନ୍ଦୋଳନର ଶିଖା ଆହୁରି ପ୍ରଜ୍ୱଳିତ ହେଲା ।

 

ମେଘନାଦ ପୁଣି ସଚେତନ ହେଲେ, ଆଃ, ଆଉ କାହିଁକି ସେଇ ପୁରୁଣା କଥା ? ସେସବୁ ଭାବି ଆଜି କିଛି ଲାଭ ନାହିଁ । ରାଜନୈତିକ ବିବର୍ତ୍ତନରେ ସେହି ଅତ୍ୟାଚାରୀ ବ୍ରିଟିଶ ସାମ୍ରାଜ୍ୟବାଦର ପଦଲେହନକାରୀ ମହାରାଜା ପରୀକ୍ଷିତଙ୍କ ପୁତ୍ର, ପୁଣ୍ଡରୀକାକ୍ଷ ବାହୁବଳେନ୍ଦ୍ର ସିଂହ ଆଜି ନଗର ଉନ୍ନୟନ ମନ୍ତ୍ରୀ । କୋଟି କୋଟି ନିଃସ୍ୱ, ଦରିଦ୍ର ଓ ସ୍ୱାଧିନତା କାଙ୍ଗାଳ ଜନସାଧାରଣଙ୍କ ତ୍ୟାଗ, ଆୟାସ ଓ ଅଶ୍ରୁବଳରେ ଯେଉଁ ବହୁ ପ୍ରତୀକ୍ଷିତ କଷ୍ଟାର୍ଜିତ ସ୍ୱାଧୀନତା ମିଳିଥିଲା, ଆଜି ସ୍ୱାଧିନ ଭାରତର ଏକ ପରିବର୍ତ୍ତିତ ପରିସ୍ଥିତିରେ ସ୍ୱାଧୀନତା ଆନ୍ଦୋଳନର କଣ୍ଠରୋଧ କରିବାକୁ ଯେଉଁମାନେ ପ୍ରାଣପାତ ଉଦ୍ୟମ କରିଥିଲେ, ସେମାନଙ୍କର ଉଜ୍ଜ୍ୱଳ ଦାୟାଦ ଆଜି ଜନନେତା । ସାରାଜୀବନ ମଦ୍ୟପାନ, ଅଶ୍ୱାରୋହଣ, ବେଶ୍ୟାଳୟଗମନ ଓ ଚେସଖେଳି ଖେଳି ମଧ୍ୟଯୁଗୀୟ ସାମନ୍ତବାଦର ଯିଏ ପୁନାଦି ପକାଇଥିଲେ, ଆଜି ସେ ହେଉଛନ୍ତି ଶାସନକଳର ଅନ୍ୟତମ ଭାଗ୍ୟ–ବିଧାତା ! ଆଜି ସେଇ ପୁଣ୍ଡରୀକାକ୍ଷ ହେଉଛନ୍ତି ସମାଜବାଦୀ ସମାଜ ଗଠନର ଅନ୍ୟତମ ପ୍ରବକ୍ତା ।

 

ପୁଣ୍ଡରୀକାକ୍ଷ ଏବେ ମଧ୍ୟ ପାଉଛନ୍ତି ବାର୍ଷିକ ତିନି ଲକ୍ଷ ରାଜକୀୟ ଭତ୍ତା, ତିନି ହଜାର ଏକର ଜମି ରହିଛି ତାଙ୍କ ନାମରେ ଓ ଆହୁରି ହଜାର ହଜାର ଏକର ଜମି ରହିଛି ସେମାନଙ୍କ ଭାଇ ବିରାଦର, ପୋଇଲି ପରିବାରୀଙ୍କ ନାଆଁରେ ।

 

ସ୍ୱାଧୀନତା ଆନ୍ଦୋଳନବେଳେ ସ୍ୱରାଜ ଓ ସାମ୍ୟବାଦ ପାଇଁ ସେ ଏକା ନୁହଁନ୍ତି, ଯେଉଁ ହଜାର ହଜାର ଦେଶପ୍ରେମୀ ଜେଲ ଭିତରେ ଅକଥନୀୟ ଅତ୍ୟାଚାର ଭିତରେ ରହି ସ୍ୱପ୍ନ ଦେଖୁଥିଲେ, ସେ ସ୍ୱରାଜ ଓ ସାମ୍ୟବାଦ ଆଜି ବାହୁବଳେନ୍ଦ୍ର ସିଂହଙ୍କଦ୍ୱାରା ରୂପାୟନ ହେଉଛି । ବିଚିତ୍ର ଏ ଦେଶ ସତରେ ! ! ଦେଶପାଇଁ ଓ ସାମ୍ୟବାଦ ପ୍ରତିଷ୍ଠା କରିବା ପାଇଁ ଯେଉଁମାନେ ଚରମ ତ୍ୟାଗ କରିଥିଲେ, ସେମାନେ ଆଜି ରହିଗଲେ ଅନ୍ଧାରର କେଉଁ ଏକ ନିଭୃତ କୋଣରେ ।

 

ମେଘନାଦ ଏକ ଦାରୁଣ ବେଦନାବୋଧରେ ଭାଙ୍ଗି ପଡ଼ୁଥିଲେ ସେତେବେଳେ ।

 

ଶ୍ରାବଣ ଆକାଶରେ ପୁଣି ଧରି ଆସୁଥିଲା କଜଳ କଳା ମେଘର ଏକ ଉଦାସ ଛାଇ ।

Image

 

ବନ୍ଦୀର ଆତ୍ମକଥା

 

ଗତ ଚଉଦ ମାସ ଧରି ଜେଲର ଅମୁହାଁ ଦେଉଳ ଭିତରେ ରହି ଶୁଭକାନ୍ତ ଯେପରି ଅଣନିଃଶ୍ୱାସୀ ହୋଇ ଉଠିଥିଲେ ।

 

ସେ ଭାବୁଥିଲେ ଆଉ କେତେକାଳ ରହିବେ ଏଇମିତ ବନ୍ଦୀ ହୋଇ ? ଭାରତର ହଜାର ହଜାର ରାଜନୈତିକ ବନ୍ଦୀ ତାଙ୍କ ଭଳି ଜେଲର ଏକ ଅପନ୍ତରା ଅନ୍ଧାରୀ ଗୁହା ତଳେ, ଦୀର୍ଘଶ୍ୱାସ ଛାଡ଼ୁଥିବେ । ସେମାନଙ୍କର ସଂଖ୍ୟା ହଜାରେ କି ଲକ୍ଷେ, ତା’ ଭଳି ଏକ ରାଜନୈତିକ ବନ୍ଦୀ ପକ୍ଷରେ ଜାଣିବା କଷ୍ଟକର ।

 

ଶୁଭକାନ୍ତ ସକାଳୁ ଉଠିଲାବେଳକୁ ଦେଖିଲେ, ସେ ଯେଉଁ ସେଲରେ ବନ୍ଦୀ ଅଛନ୍ତି ତାହାର ବାହାର ପଟ କବାଟରେ ଏବେ ମଧ୍ୟ ତାଲାଟିଏ ଝୁଲୁଛି । ରାତି ପାହି ସକାଳ ହେଲେ ମଧ୍ୟ ୱାଡ଼ର ଏବେ ସୁଦ୍ଧା ସେଲର ତାଲା ଖୋଲି ନାହିଁ । ଖୋଲିବାକୁ ହୁଏତ ତା’ର ମନେ ନାହିଁ ।

 

ଶୁଭକାନ୍ତ ବିରକ୍ତ ହେଲେ ଓ ଭାବିଲେ ଜେଲ୍‍ର କର୍ତ୍ତୃପକ୍ଷ ଭାବନ୍ତି ଯେଉଁମାନେ ବନ୍ଦୀ ହୋଇ ଜେଲ୍‍କୁ ଆସନ୍ତି, ସେମାନେ ଯେପରି ଜାତିଦ୍ରୋହୀ, ରାଷ୍ଟ୍ରଦ୍ରୋହୀ ଓ ନିତାନ୍ତ ଅଦରକାରୀ । ଜେଲରେ ବନ୍ଦୀ ହୋଇ ରହିବା କିମ୍ୱା ଘଟଣା ଚକ୍ରରେ ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ଯେପରି ସେମାନଙ୍କର ଏକ ସହଜାତ ଧର୍ମ ।

 

ଶୁଭକାନ୍ତ ନିଜ ସେଲ୍‍ର ରୁଦ୍ଧ ଦର୍ଜା ପାଖକୁ ଆସି ଅନାଇଲେ ଜେଲର ଅଗଣାକୁ । ରାତି ପାହି ବେଶ୍ ସକାଳ ହେଲାଣି । ଅପରାଧୀ କଏଦୀମାନେ ଜେଲର ଅଗଣାରେ ଯେଉଁଠାରେ କୋବି, ଆଳୁ, ମୂଳା, ଲଙ୍କାମରିଚ ଓ ଶାଗ ଲଗାଯାଇଛି, ସେସବୁ କିଆରୀରେ ଘାସ, କୁଟା ବାଛୁଛନ୍ତି । କେହି କେହି କୋଡ଼ି କୋଦାଳ ଧରି କୋବି ଓ ଲଙ୍କା ଗଛମାନଙ୍କ ପାଖରେ ମାଟି ଖୁସାଉଛନ୍ତି । କେହି କେହି ଗହୀରିଆ କୂଅରୁ ପାଣି ବାହାର କରି ଗଛମାନଙ୍କରେ ପାଣି ଢାଳୁଛନ୍ତି ।

 

ଶୁଭକାନ୍ତ ଆଶ୍ଚର୍ଯ୍ୟ ହେଲେ । କଏଦୀମାନଙ୍କୁ ସକାଳ କାର୍ଯ୍ୟରେ ବ୍ୟସ୍ତ ରଖିବା ଲାଗି ଜେଲ୍ କର୍ତ୍ତୃପକ୍ଷ ଖୁବ୍ ଭୋଓରୁ ମୁକ୍ତ କରି ଦେଇଥିବା ବେଳେ, ରାଜନୈତିକ ବନ୍ଦୀମାନଙ୍କୁ ଏବେ ସୁଦ୍ଧା ମୁକ୍ତ କରିନାହାନ୍ତି । ଏହାର କାରଣ ଶୁଭକାନ୍ତଙ୍କ ପକ୍ଷରେ ସ୍ପଷ୍ଟ ହୋଇଗଲା । ଜେଲ୍ କର୍ତ୍ତୃପକ୍ଷ ବିଚାର କରନ୍ତି କଏଦୀମାନେ ହେଉଛନ୍ତି ଉତ୍ପାଦନକ୍ଷମ ଶ୍ରମିକ । ସେମାନେ ଅପରାଧ କରିଛନ୍ତି । ଚୋରି, ଡକାୟତି, ହତ୍ୟା ଓ ଲୁଟତରାଜ କରି ଯେହେତୁ ଜେଲଦଣ୍ତ ଭୋଗୁଛନ୍ତି, ସେମାନଙ୍କଠାରୁ କାମ ଆଦାୟ କରିବା ଯେପରି ଏକ ରାଷ୍ଟ୍ରୀୟ କର୍ତ୍ତବ୍ୟ । ସେଇଥିପାଇଁ ସେମାନଙ୍କୁ ସନ୍ଧ୍ୟା ଛଅଟା ବେଳେ ଗୋଠ ଭିତରେ ଭର୍ତ୍ତି କରି ଚାବି ଦିଆଯାଏ ଏବଂ ସକାଳ ଛଅଟା ପୂର୍ବରୁ ଗୋଠ ଭିତରୁ ମୁକ୍ତ କରି ଦିଆହୁଏ ।

 

ଆଉ ସେମାନଙ୍କ କଥା–ସେମାନେ ତ ରାଜନୈତିକ ବନ୍ଦୀ । ପ୍ରଚଳିତ ସରକାରକୁ ହଟାଇବା ଲାଗି ସେମାନେ ଉଦ୍ୟମ କରିଛନ୍ତି । ସେମାନେ ଏକଛତ୍ରବାଦ ବିରୁଦ୍ଧରେ ସ୍ପର ଉଠାଉଛନ୍ତି । ଗଣତନ୍ତ୍ରର ପୁନଃପ୍ରତିଷ୍ଠା ପାଇଁ, ସମ୍ବାଦପତ୍ରର ସ୍ୱାଧୀନତା ରକ୍ଷା ଲାଗି ଓ ବିଚାର ବିଭାଗର ମର୍ଯ୍ୟାଦାକୁ ଅକ୍ଷଣ୍ଣ ରଖିବା ନିମନ୍ତେ ସେମାନେ କୁଚ୍ଛ୍ର ସଂଗ୍ରାମ ଚଳାଇଛନ୍ତି । ତେଣୁ ସେମାନେ ଅଦରକାରୀ । ସକାଳ ଆଠଟାବେଳେ ସେଲର ଚାବି ଖୋଲିଲେ ମଧ୍ୟ ଅସୁବିଧା ନାହିଁ । କାରଣ ରାଜନୈତିକ ବନ୍ଦୀମାନେ କେବଳ ନିଷ୍କର୍ମା । ସେମାନେ ସକାଳ ହେଲେ ଖବରକାଗଜ ଲୋଡ଼ିବେ । ରେଡ଼ିଓ ଶୁଣିବେ । ଚା’ ଜଳଖିଆ ଖାଇବେ । ବଡ଼ ବଡ଼ ପଡ଼ିବେ ।

 

ଶୁଭକାନ୍ତ ବଡ଼ ଅଶ୍ୱସ୍ତିବୋଧ କଲେ । କେଉଁଦିନ ଏ ଦେଶରୁ କଳାଶାସନର ଅବସାନ ହେବ ? ଆପଦକାଳୀନ ଅବସ୍ଥା କେଉଁଦିନ ଭାରତରୁ ଉଠିଯିବ ? କେଉଁଦିନ ବ୍ୟକ୍ତିତନ୍ତ୍ର ଶାସନର ଅବସାନ ଘଟିବ ? ସମ୍ବାଦପତ୍ର, ରେଡ଼ିଓ ଓ ଟେଲିଭିଜନରେ କେବଳ ଦେଖାଯାଉଛି ଗୋଟିଏ ଏକଛତ୍ରବାଦୀ ଶାସକର ରୂପ । ଶୁଣାଯାଉଛି ଏକ ବ୍ୟକ୍ତିତନ୍ତ୍ରବାଦୀ ଶାସକର ରୁଢ଼ ସ୍ୱର, ତା’ର ବକ୍ତୃତା ଓ ବିବୃତିରେ, ଦେଶକୁ ନୂଆ ଭାବରେ ଏକଛତ୍ର ଦିଗରେ ଶାସନ କରିବା ପାଇଁ ତାର କୋଡ଼ିଏ ଗୋଟି ସନନ୍ଦ ବାରମ୍ବାର ଆକାଶ ପବନରେ ପ୍ରତିଧ୍ୱନିତ ହେଉଛି । ସେ ସନନ୍ଦ ଭାରତର ପୁରପଲ୍ଲୀର କାନ୍ଥବାଡ଼ରେ, ଘର ଅଗଣାରେ ଝୁଲାଯାଇଛି ।

 

ଶୁଭକାନ୍ତଙ୍କର ମନେ ପଡ଼ୁଛି ଯେଉଁଦିନ ହଠାତ୍ ଆପଦକାଳୀନ ପରିସ୍ଥିତି ଜାରୀ ହେଲା, ତା’ ପରଦିନ ସକାଳେ ସାରା ସହରଟା ଯେପରି ଏକ ଗୁମ୍‍ସୁମ୍ ନିସ୍ତବ୍‍ଧରେ ଆଚ୍ଛନ୍ନ ହୋଇଗଲା । ଏ ସମ୍ବାଦ ରେଡ଼ିଓରେ ଘୋଷିତ ହେଲା ପରେ ସାରା ସହରର ଜନତା ମୁହଁରେ ଆଶଙ୍କାର ଏକ କଳାମେଘ ଯେପରି ଛାଇଗଲା । ବସଷ୍ଟାଣ୍ତରେ, ରେଲଓ୍ୱଏ ଷ୍ଟେସନରେ, ଦୋକାନ ବଜାରରେ ସେହି ଗୋଟିଏ କଥା ଆଲୋଚନା, ଦେଶ କୁଆଡ଼କୁ ଯାଉଛି ?

 

ଶୁଭକାନ୍ତ ସେଦିନ ଆହୁରି ମ୍ରିୟମାଣ ହୋଇଗଲେ ସେ ଯେତେବେଳେ ଜାଣିଲେ ଯେ ଭାରତରେ ସମସ୍ତ ବିରୋଧୀ ଦଳର ନେତା ଗତକାଲି ରାତିରେ ଗିରଫ ହୋଇଯାଇଛନ୍ତି । ସହରରେ ଗଳି କନ୍ଦିରେ ବର୍ତ୍ତମାନ ଘୂରି ବୁଲୁଛନ୍ତି ପୋଲିସ୍ ବାହିନୀ, ବିରୋଧୀ ପକ୍ଷର ସମସ୍ତେ ସକ୍ରିୟ ଲୋକଙ୍କୁ ଗିରଫ କରିବା ପାଇଁ । ସମ୍ବାଦପତ୍ର ଉପରେ ଯାଞ୍ଚ ବ୍ୟବସ୍ଥା ଜାରୀ ହୋଇଛି । ସେମାନଙ୍କର ସ୍ୱାଧୀନତାକୁ ଅପହରଣ କରାଯାଇଛି ।

 

ଶୁଭକାନ୍ତଙ୍କର ମନେପଡ଼ୁଛି...ଜୁନ୍ ୨୭ ତାରିଖ ରାତିରେ ସେ ନିଜ ବାସଭବନ ଛାଡ଼ି ସହରତଳି ଅଞ୍ଚଳର ଏକ ଶ୍ରମିକ ବସ୍ତିକୁ ଆତ୍ମଗୋପନ କରିବା ପାଇଁ ଚାଲିଯାଇଥିଲେ । ସେତେବେଳକୁ ପୋଲିସର ସତୃଷ୍ଣ ଆଖି ତାଙ୍କ ଉପରେ ବେଶ୍ ଘୂରିବୁଲୁଥିଲା । ସହରତଳି ଅଞ୍ଚଳର ସେହି ଶ୍ରମିକ ବସ୍ତିରେ ଶୁଭକାନ୍ତଙ୍କର ଏକ ଛୋଟ ସାଙ୍ଗଠନିକ ଅଫିସ୍ ରହିଥିଲା । ସେ ସେଇଠି ଆତ୍ମଗୋପନ କରି ଇମାରଜେନ୍‍ସି ବିରୁଦ୍ଧରେ କାର୍ଯ୍ୟ କରିବା ଲାଗି ଓ ଜନସାଧାରଣଙ୍କୁ ସଙ୍ଗଠିତ କରିବା ପାଇଁ ଆଶ୍ରୟ ନେଇଥିଲେ ।

 

ସେଠି ମାତ୍ର ସପ୍ତାଟିଏ ସେ ରହିଥିଲେ । ସହରର କୋଳାହଳ ଶାନ୍ତ ପଡ଼ିଗଲେ, ରାତିର ନିଝୁମ ପହର ସହରରେ କ୍ରମେ ନଇଁଆସିଲେ, ସେ ଓ ତାଙ୍କର ତିନିଜଣ ସହର୍କମୀ ତିନୋଟି ସାଇକେଲ ଧରି ସହର ପରିକ୍ରମା କରୁଥଲେ । ସେମାନେ ସେତେବେଳେ ଆପଣାର ସ୍ୱାଭାବିକ ବେଶ ପୋଷାକରେ ନ ବାହାରି କୃତ୍ରିମ ବେଶରେ କଳାରଙ୍ଗର ପୋଷାକ ପିନ୍ଧି ସହରର ଏ ପ୍ରାନ୍ତରୁ ସେ ପ୍ରାନ୍ତ ପ୍ରାୟ ବାରମାଇଲ ବାଟ ଘୂରିବୁଲୁଥିଲେ । କେଉଁ ପ୍ରଶସ୍ତ କାନ୍ଥରେ, କେଉଁ କଲେଜର ମେନ୍ ଗେଟରେ, କେଉଁ ସୁପ୍ରସିଦ୍ଧ ହୋଟେଲର ଦ୍ୱାର ସାମ୍ନାରେ ଓ ସର୍ବୋପରି କଲେକ୍ଟରିଏଟର ସୁଉଚ୍ଚ କାନ୍ଥରେ ଏକଛତ୍ରବାଦୀ ଶାସନ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଜନସାଧାରଣଙ୍କୁ ନିର୍ଭିକ ହେବା ପାଇଁ ଆହ୍ୱାନ ଦେଉଥିଲେ । ପ୍ରତିଦିନ ନୂଆ ନୂଆ ଭାବରେ, ପ୍ରାଚୀରପତ୍ର ପ୍ରସ୍ତୁତ ହେଉଥିଲା । ସହରତଳିର କେଉଁ ଏକ ଅଜ୍ଞାତ ପ୍ରେସରେ ରାତିର ନିଃଶବ୍ଦ ପ୍ରହରରେ ଛାପାସରିଲା ପରେ ସେସବୁ ପ୍ରତିଦିନ କାନ୍ଥବାଡ଼ରେ ଶୋଭା ପାଉଥିଲା ।

 

ଲାଗ ଲାଗ ସାତଦିନ ଏପରି କଲାପରେ, ଏକଛତ୍ରବାଦୀ ଶାସନର ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ସରକାରୀ କର୍ତ୍ତୃପକ୍ଷ ଏକ ଆରଣ୍ୟ ହିଂସ୍ରତାରେ ଗର୍ଜିଉଠିଲେ । ସହରର କୋଣ ଅନୁକୋଣରେ ସେମାନେ ଘେରିଗଲେ ଏବଂ ପ୍ରତିଘର ତଲାସ କରିବାରେ ଲାଗିଗଲେ । ଏ ସମସ୍ତ ବ୍ୟାପାରରେ ବାମପନ୍ଥୀ ବିପ୍ଲବୀ ନେତା ଶୁଭକାନ୍ତଙ୍କର ପ୍ରତ୍ୟକ୍ଷ ହାତ ଅଛି ବୋଲି ସରକାରୀ ଦପ୍ତରରେ ଲେଖାହୋଇ ରହିଗଲା ।

 

ଶୁଭକାନ୍ତ ଏସମସ୍ତ ଘଟଣା ଜାଣିଲା ପରେ ଦିନେ ଅକସ୍ମାତ୍ ସେଇ ସହରତଳି ଅଞ୍ଚଳ ଛାଡ଼ି ଚାଲିଗଲେ ଜିଲ୍ଲାର ଆଉ ଏକ ଛୋଟ ସବ୍ଡ଼ିଭିଜନର ସଦର ମହକୁମା ଅଞ୍ଚଳକୁ । ସାରା ରାତି ଚାଲି ଚାଲି, ପ୍ରାୟ ୪୦ ମାଇଲ ଦୂରରେ ଅବସ୍ଥିତ ସେଇ ଛୋଟ ସବ୍ଡ଼ିଭିଜନରେ ପହଞ୍ଚି ଜଣେ ବନ୍ଧୁଙ୍କ ଘରେ ଆଶ୍ରୟ ନେଇଥିଲେ ଏବଂ ପୁଣି ସେଇଠାରେ ସେ ଆରମ୍ଭ କରିଦେଲେ ଇମାରଜେନ୍‍ସି ବିରୁଦ୍ଧରେ ଜନମତ ଜାଗ୍ରତ କରିବା ପାଇଁ ହ୍ୟାଣ୍ତବିଲ ଲେଖା । ଛୋଟ ସହରର ସାନ ସାନ ପିଲାଙ୍କୁ ହାତକରି ସାରା ରାତି ଅନିଦ୍ରା ରହି କାନ୍ଥ ବାଡ଼ରେ ମାରି ଚାଲିଲେ ସେଇସବୁ କାର୍ବୁନ ଉତରା ହ୍ୟାଣ୍ତବିଲ । ଏକଛତ୍ରଶାସନର ବିରୋଧକର । ଗଣତନ୍ତ୍ରର ହତ୍ୟାକାରୀମାନଙ୍କୁ ଚିହ୍ନିରଖ । ନାଗରିକ ସ୍ୱାଧୀନତା ନ ଫେରିଲା ପର୍ଯ୍ୟନ୍ତ ଆମ ସଂଗ୍ରାମର ଶେଷ ନାହିଁ ।

 

ସବ୍ଡ଼ିଭିଜନର ହେଡ଼କ୍ୱାର୍ଟରରେ ପ୍ରତିଦିନ ନୂଆ ନୂଆ ହ୍ୟାଣ୍ତବିଲ କାନ୍ଥବାଡ଼ରେ ମରାଯାଇ ଏକ ନୂଆ ପ୍ରକାର ସ୍ନାୟବିକ ଉତ୍ତେଜନା ସୃଷ୍ଟି କଲେ ଶୁଭକାନ୍ତ । ଯେଉଁ ଛୋଟ ସହରଟିରେ ପ୍ରଶାସନିକ ଓ ପୋଲିସ କର୍ତ୍ତୃପକ୍ଷ ଖୁବ୍ ନିଶ୍ଚିନ୍ତରେ ସମୟ କାଟୁଥିଲେ, ସେମାନଙ୍କ ମଧ୍ୟରେ ଖେଳିଗଲା ଆତଙ୍କର ଏକ କୋକୁଆ ଭୟ । କିଏ ସବୁ ଏମିତି କାଣ୍ତ କରୁଛି ? ଶାନ୍ତ ନିରୁପଦ୍ରବ ସହରରେ କିଏ ଆସି ସୃଷ୍ଟି କରୁଛି ଶାସନ ବିରୋଧରେ ପ୍ରଚଣ୍ତ ଆକ୍ରମଣ ? ଛୋଟ ସବ୍ଡ଼ିଭିଜନଟି ବିପଦମୁକ୍ତ ଓ ବିରୋଧୀ ରାଜନୈତିକ ନେତାମାନଙ୍କର ଉପଦ୍ରବରୁ ମୁକ୍ତ ରହିଥିଲାବେଳେ ପ୍ରତିଦିନ ହ୍ୟାଣ୍ତବିଲ ବଣ୍ଟାଯାଇ ଜନସାଧାରଣଙ୍କୁ ବିଦ୍ରୋହୀ ହେବା ପାଇଁ କିଏ ଯୋଗାଇ ଦେଉଛି ପ୍ରଚୁର ଅନୁପ୍ରେରଣା ଓ ଉତ୍ତେଜନା ?

 

ପ୍ରଶାସନିକ ଓ ପୋଲିସ୍ କର୍ତ୍ତୃପକ୍ଷ ହଠାତ୍ ସଜାଗ ହୋଇ ଉଠିଲେ । ସେମାନଙ୍କୁ ଏଦିଗରେ ସାହାଯ୍ୟ କରିବା ଲାଗି ଜିଲ୍ଲା ହେଡ଼କ୍ୱାଟରସରୁ ଚାଲିଆସିଲେ ଗୁଇନ୍ଦା ଦଳ ଷଡ଼ଯନ୍ତ୍ରକାରୀକୁ ଠାବ କରିବା ପାଇଁ । ବେଶ୍ ଛୋଟ ସହରଟିର ବାତାବରଣ ହୋଇ ଉଠିଲା ସରଗରମ । ଖୋଜା ଚାଲିଲା ଶୁଭକାନ୍ତକୁ ସହରର ସବୁଆଡ଼େ ।

 

ଶୁଭକାନ୍ତ ଦିନେ ଢୁ ଢୁ ଶ୍ରାବଣ ରତିରେ ସେଠା ଛାଡ଼ି ଅନ୍ୟତ୍ର ଚାଲିଗଲେ । ସହରର ଉପକଣ୍ଠରେ ଯେଉଁଠାରେ ମ୍ୟୁନିସିପାଲିଟିର ସରହଦ୍ ଶେଷ ହୋଇଛି, ସେଇଠି ଜଗି ରହିଥିଲେ ଅନେକ ସଶସ୍ତ୍ର ପୋଲିସ୍ ବାହିନୀ । ମାତ୍ର ଶୁଭକାନ୍ତ ଛଦ୍ମବେଶରେ ଲୁଙ୍ଗିମାରି, ଦାଢ଼ୀରଖି, ଦେହରେ ପଞ୍ଜାବୀଟିଏ ଦେଇ ଏବଂ ମୁଣ୍ତରେ ପଗଡ଼ିଟିଏ ବାନ୍ଧି, ବର୍ଷଣ କ୍ଳାନ୍ତ ରାତିରେ ଛତାଟିଏ ଖୋଲି ଚାଲିଗଲେ ସେମାନଙ୍କ ସାମ୍ନାରେ ନିକଟସ୍ଥ କେଉଁ ଅନ୍ଧାରିଆ ଗାଁକୁ । କେହି ତାଙ୍କୁ ଚିହ୍ନି ପାରିଲେ ନାହିଁ, କେହି ତାଙ୍କୁ ଧରିପାରିଲେ ନାହିଁ । ଅଥଚ ତାଙ୍କ ନାଁରେ ପରୁଓ୍ୱାନା ଝୁଲୁଛି ଗତ ଏକମାସ ହେଲା ।

 

ଶୁଭକାନ୍ତଙ୍କର ମନେପଡ଼ୁଛି...ଇମାରଜେନ୍‍ସି ଭିତରେ ଜୋଲ ବାହାରେ ରହି ସେ ଯେଉଁ ବିଦ୍ରୋହୀ ଭୂମିକା ନେଇଥିଲେ, ସେଇ ସମସ୍ତ ରୋମାଞ୍ଚକର କାହାଣୀର ଇତିବୃତ୍ତି । ସେଲର ଫାଟକ ଏପର୍ଯ୍ୟନ୍ତ ଖୋଲା ଯାଇନାହିଁ । ଖୋଲିଯିବାର କୌଣସି ପ୍ରୟୋଜନୀୟତା ଅଛି ବୋଲି କେହି ବୋଧହୁଏ ଅନୁଭବ କରୁନାହାଁନ୍ତି । ପୌଷ ସକାଳର ଝିଲିମିଲି ଖରା, ଜେଲ୍ ଅଗାଣାରେ, କୋବି କିଆରୀରେ, ଲଙ୍କା ପଟାଳୀରେ ବୁଣି ହୋଇିଯାଇଛି ଚିକ୍ ଚିକ୍ ହୋଇ । ଅଥଚ ସେ ରହିଛନ୍ତି ତଥାପି ବନ୍ଦୀ ହୋଇ ଗୋଟାଏ ସଂକୀର୍ଣ୍ଣ, ନାତିଦୀର୍ଘ କୋଠରୀରେ ।

 

ଶୁଭକାନ୍ତଙ୍କର ମନେପଡ଼ୁଛି ତାଙ୍କର ସେଇ ଦୁଃସାହସିକ ଅଭିଯାନର ଟୁକୁରା କାହାଣୀରୁ କିଛି ।

 

ସେଦିନ ରାତିରେ ଛୋଟ ସହରରୁ ପୋଲିସ୍ ଆଖିରେ ଧୂଳି ଦେଇ ଖସିଗଲା ପରେ ତାଙ୍କର ଆପାତତଃ ହେଡ଼କ୍ୱାଟରସ୍ ହେଲା ଇଚ୍ଛାମତୀପୁର ଗାଁ । ଏଇ ଗାଁ ଥିଲା କୃଷକ ଆନ୍ଦୋଳନ ପାଇଁ ସାରା ଓଡ଼ିଶାରେ ଖ୍ୟାତ । ତାଙ୍କ ପାର୍ଟିର ବହୁ ସମର୍ଥକ ଓ ଶୁଭାକାଂକ୍ଷୀ ଏଇ ଗାଁରେ ରହିଛନ୍ତି-। ତେଣୁ ସେଇଠାରେ ତାଙ୍କର ଅସ୍ଥାୟୀ ରହଣୀ ଆରମ୍ଭ ହୋଇଗଲା ।

 

ପ୍ରତିଦିନ ରାତିରେ ସେ କୃଷକମାନଙ୍କୁ ଦେଶର ଅବସ୍ଥା ବୁଝାଉଥିଲେ । ଏକଛତ୍ର ଶାସନ ବିରୁଦ୍ଧରେ ସେମାନଙ୍କୁ ସଂଗ୍ରାମ ଓ ସତର୍କ ହେବାଲାଗି ପ୍ରବର୍ତ୍ତାଉଥିଲେ । କେବଳ ଇଚ୍ଛାମତୀପୁର ନୁହେଁ, ସେଇ ଗାଁର ଆଖପାଖ ଲୋକେ ଯେଉଁମାନେ ଆପଦକାଳୀନ ପରିସ୍ଥିତିରେ ଅଣନିଃଶ୍ୱାସୀ ହେଉଥିଲେ ଏବଂ ଖବରକାଗଜରେ ଦେଶର ଏକଛତ୍ର ଶାସନର କର୍ତ୍ତାଙ୍କ ବାଣୀ ଓ ବକ୍ତୃତା ବ୍ୟତୀତ ଆଉ କୌଣସି ସମ୍ବାଦ ପାଉ ନ ଥିଲେ ସେମାନେ ମଧ୍ୟ ଆସି ତାଙ୍କ ପାଖରେ ପହଞ୍ଚୁଥିଲେ । ଅର୍ଥାତ୍ ଆଠମାଇଲ ପରିମିତ ଗ୍ରାମମାନଙ୍କରେ ଧୀରେ ଧୀରେ ଶାସନ ବିରୋଧୀ ଏକ ଅବହାଓ୍ୱା ସୃଷ୍ଟି ହେବାକୁ ଲାଗିଲା । ଏକଛତ୍ର ଶାସନ ଓ ତାଙ୍କର ସୁବେଦାରମାନଙ୍କ ବିରୁଦ୍ଧରେ ଗ୍ରାମାଞ୍ଚଳର ହାଟ ବଜାରରେ, ଚା’ ଦୋକାନ ଖଟିମାନଙ୍କରେ ପ୍ରତିବାଦର କ୍ରମ ଗୁଞ୍ଜରଣ ଆରମ୍ଭ ହୋଇଗଲା ।

 

ଏକଛତ୍ର ଶାସନର ଏଜେଣ୍ଟମାନଙ୍କ କାନରେ ଏ ସମ୍ବାଦ ନ ପହଞ୍ଚିବ ବା କିପରି ? ବିରୋଧୀଦଳର ବହୁ ନେତା ଓ କର୍ମୀ ତଥାପି ଗିରଫ ହୋଇନାହାନ୍ତି । ସେମାନ କେଉଁଠାରେ ଆତ୍ମଗୋପନ କରି ଜନସାଧାରଣଙ୍କୁ ଉତ୍ତେଜିତ ଓ ଉତ୍ସାହିତ କରୁଛନ୍ତି । ନୂଆ ଶାସନର ମୂଳଦୁଆକୁ ହୁଗୁଳା କରିଦେବା ପାଇଁ, ଏକଛତ୍ର ଶାସକଙ୍କର ଜନପ୍ରିୟତାକୁ ମିଳନ କରିଦେବା ଲଗି ଏବେ ମଧ୍ୟ ବିରୋଧୀ ନେତା ଓ କର୍ମୀ ଅଣ୍ତରଗ୍ରାଉଣ୍ତରେ ରହି କାର୍ଯ୍ୟ କରୁଛନ୍ତି । ତେଣୁ ସରକାରୀ ଗୁଇନ୍ଦା ଦଳ ଅତ୍ୟନ୍ତ ସତର୍କତାର ସହିତ ଘୂରି ବୁଲୁଛନ୍ତି ସହରରୁ ମଫସଲ ପର୍ଯ୍ୟନ୍ତ ।

 

ଦିନେ ରାତିରେ ସମୟ ସମ୍ଭବତଃ ଦୁଇଟା ହେବ । ଶୁଭକାନ୍ତ ଶୋଇଛନ୍ତି ଇଚ୍ଛାମତୀପୁର ଗାଁର ଯୁବକ ସଂଘ ଅଫିସରେ । ଅବଶ୍ୟ ଆଖିରେ ତାଙ୍କର ନିଦ୍ରା ନ ଥିଲା । ହଠାତ୍ ସେ ଶୁଣିପାରିଲେ କେତୋଟି ଜିପର ମିଳିତ ଘର୍ଘର ଧ୍ୱନି । ରାତ୍ରିର ନିସ୍ତବ୍‍ଧତାକୁ ତିଳ ତିଳ ହତ୍ୟାକରି ଏକ ଆସୁରିକ ଶବ୍ଦରେ କାନ ଅତଡ଼ା ପଡ଼ିଯାଉଛି । ଏ ଶବ୍ଦର ଉଦ୍ଦେଶ୍ୟ ଅବଶ୍ୟ ତାଙ୍କ ପାଖରେ ଅବୁଝା ରହିଲା ନାହିଁ । ସେ ତତ୍‍କ୍ଷଣାତ୍ ଉଠିପଡ଼ିଲେ ଏବଂ ଯୁବକ ସଂଘ ଘର ପଛପଟ ଦେଇ ରାତିର ନିବୁଜ ଅନ୍ଧାରରେ, ପାଣି କାଦୁଅ ଓ ମାଇଲ ମାଇଲ ଧାନ କିଆରୀ ମଧ୍ୟରେ ଏକ କାଳପୁରୁଷ ପରି ଅଣନିଃଶ୍ୱାସୀ ହୋଇ ଚାଲିବାକୁ ଆରମ୍ଭ କଲେ ।

 

ଧାନ ଗୋହିରୀର ଅନେକ ବାଟ ଚାଲିଆସିବା ପରେ ଏବଂ ଦିଗ ନିର୍ଣ୍ଣୟ କରିବା ପାଇଁ କୌଣସି କୂଳ କିନାରା ପାଉ ନ ଥିବାବେଳେ ହଠାତ୍ ଗୋଟାଏ ଟର୍ଚ୍ଚ ଲାଇଟର ଆଲୁଅ ସଞ୍ଚାରିତ ହୋଇଗଲା । ପୋଲିସ୍‍ବାହିନୀ ତଥାପି ମଧ୍ୟ ତାଙ୍କୁ ଅନୁଧାବନ କରୁଛନ୍ତି । ମାଇଲ ମାଇଲ ବ୍ୟାପୀ ଧାନ ଗୋହରୀ ମଧ୍ୟରେ ଯେଁଉଠି ସୀମାହୀନ ଅନ୍ଧକାର ରାଜତ୍ୱ କରି ବସିଛି, ସେଠାରେ ପୋଲିସବାହିନୀ ପରାଜିତ ହେବେ ସିନା, ସଫଳ ହେବେନାହିଁ । ପୋଲିସ ଦୃଷ୍ଟିରୁ ଖସିଯିବା ଲାଗି ପ୍ରାଣାନ୍ତକ ଉଦ୍ୟମ କରୁଥିବାବେଳେ ରାତିର ସେଇ ଅନ୍ଧକାର ମଧ୍ୟରେ ତାଙ୍କୁ ଖୁବ୍ ହସ ମଧ୍ୟ ଲାଗୁଥିଲା

 

ସେଇ ଅନ୍ଧାରରେ ଉଦ୍ଦେଶ୍ୟହୀନ ଭାବରେ ସେ ଚାଲୁଥିଲେ । ଅନେକ ସମୟ ପୂର୍ବରୁ ଗୁଡ଼ାଏ ଶକ୍ତିଶାଳୀ ଟର୍ଚ୍ଚ ଲାଇଟ୍‍ର ସମ୍ମିଳିତ ଆଲୋକ ଇଚ୍ଛାମତୀପୁରକୁ ଲାଗି ଧାନ କିଆରୀରେ ଜଳି ଉଠୁଥିଲା । ଏବେ ସେ ଆଲୋକ ଆଉ ପରିଦୃଶ୍ୟ ହେଉ ନାହିଁ । ସମ୍ଭବତଃ ପୋଲିସବାହିନୀ ନିରାଶ ହୋଇ ଫେରିଗଲେ ।

 

ସେଦିନ ଚାଲି ଚାଲି ରାତି ପାହିଲାବେଳକୁ ସେ ପହଞ୍ଚି ଯାଇଥିଲେ ଆଉ ଗୋଟିଏ ପାହାଡ଼ତଳି ଆଦିବାସୀ ଗାଁରେ । ସେଇ ଗାଁରେ ନକ୍ସଲବାଦୀ ବୋଲି ମିଥ୍ୟାରେ ଅଭିଯୋଗ କରି ପାଞ୍ଚଜଣ ସରଳ ନିରୀହ ଆଦିବାସୀମାନଙ୍କୁ ପୋଲିସ ଗୁଳିକରି ହତ୍ୟା କରିଥିଲେ । ସେ ସେଇଠାରେ ତାଙ୍କର ଡେରା ପକାଇଲେ ।

 

ଶୁଭକାନ୍ତଙ୍କର ମନେପଡ଼ୁଛି । ସେଇ ଗାଁରେ ଗୋଟିଏ ଟୁଙ୍ଗୀରେ ରହିଥିଲା ବେଳେ, ଆଦିବାସୀ ଲୋକମାନଙ୍କର ସ୍ନେହ ଓ ଶ୍ରଦ୍ଧା ଆଃ...ଭୁଲିବାର ନୁହେଁ । ବୁଢ଼ା, ଟୋକା ସବୁ ଆସିଥିଲେ ତାଙ୍କ ପାଖକୁ । ସେମାନଙ୍କ ପୁଅ ଓ ପୁତୁରାଙ୍କୁ ପୋଲିସ ଗୁଳିକରି ମାରି ଦେଇଥିବାରୁ ସେମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ତଥାପି ଲାଗି ରହିଥିଲା । ପୋଲିସ ଦେଖିଲେ ଘର ଛାଡ଼ି ସେମାନେ ପାହାଡ଼ କିମ୍ବା ଜଙ୍ଗଲ ଭିତରକୁ ଚାଲି ଯାଉଥିଲେ । ପୋଲିସ ଆସି ସେମାନଙ୍କ ପିଲା ଓ ସ୍ତ୍ରୀମାନଙ୍କୁ ନାଲି ଆଖି ଦେଖାଇ, ସବୁ ଜଙ୍ଗଲତଜାତ ଦ୍ରବ୍ୟ ନେଇ ଚାଲି ଯାଉଥିଲେ । ସେମାନେ ଭୟରେ ସୋରିଷ, ଅଦା, ଲଙ୍କା, ଶାଳପତ୍ର, ଶାଳମଞ୍ଜି ଓ ତେନ୍ତୁଳି ଦେଉଥିଲେ ଏବଂ ନିଜେ ଘୋର ଅଭାବ ଓ ଦାରିଦ୍ର୍ୟ ମଧ୍ୟରେ କାଳ କାଟୁଥିଲେ ।

 

ଶୁଭକାନ୍ତ ସେଠାରେ ଗୋଟିଏ ଦିନ ରହିଲା ପରେ ସେମାନଙ୍କୁ ନିର୍ଭିକ ହେବାକୁ ପ୍ରବର୍ତ୍ତାଇଲେ । ପୋଲିସ ଆସିଲେ ଏ ସବୁ ଦିଅ ନାହିଁ ଏବଂ ଏଗୁଡ଼ିକ ନେଇଗଲେ ସେମାନେ ଚଳିବେ କିପରି ବୋଲି ପୋଲିସକୁ ପ୍ରଶ୍ନ କରିବାକୁ ସେ ହିମତ୍ ଦେଲେ ।

 

କେଇଟା ଦିନ ଭିତରେ ଆଦିବାସୀ ଗାଁରେ ସେ ବେଶ୍ ଆସ୍ଥାନ ଜମାଇ ଦେଲେ । ଶାସନ ବିରୁଦ୍ଧରେ ସେମାନଙ୍କୁ ଭଲ ଭାବରେ ସଙ୍ଗଠିତ କରିଦେଲେ । ଯେଉଁ ପୋଲିସମାନେ ଜିପରେ ଭର୍ତ୍ତି କରି ବସ୍ତା ବସ୍ତା କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ନେଇ ଯାଉଥିଲେ, ସେମାନେ ଏବେ ଫେରୁଛନ୍ତି ନିରାଶ ମନରେ ଓ ରିକ୍ତ ହାତରେ ।

 

ନିରୋଳା ସମୟରେ ସେମାନଙ୍କୁ ସେ ବୁଝାଉଥିଲେ–ପୋଲିସମାନେ ହିଁ ଏକଛତ୍ରଶାସନର ଏଜେଣ୍ଟ । ଶାସନ ଏମାନଙ୍କୁ ଅତ୍ୟାଚାର କରିବାକୁ କହିଛି । ତମମାନଙ୍କ ପରି ଗରିବ ସାଧାରଣଙ୍କୁ ଭୟଭୀତ କରାଇ ଏମାନେ ଧନରତ୍ନ ଲୁଟି ନେବାକୁ ଶଖିଛନ୍ତି । ଏମାନଙ୍କୁ ସଙ୍ଗଠିତ ଭାବରେ ବିରୋଧ କର ।

 

ଉପର ମହଲରେ ଏବିଷୟରେ ସମ୍ଭବତଃ ଆଲୋଚନା ହେଉଥିଲା । ପ୍ରତିଦିନ ସେଇ ଆଦିବାସୀ ଗାଁକୁ ପୋଲିସ୍ ଆସୁଥିଲେ ଏବଂ ତାଙ୍କୁ ସର୍ବୋଦୟ କର୍ମୀ ଭାବରେ ସନ୍ଦେହ ଚକ୍ଷୁରେ ଦେଖୁଥିଲେ । ଦିନେ ଖରାବେଳେ ଶହଶହ ପୋଲିସ ଆସି ଛୋଟ ଗାଁଟିକୁ ଘେରାଉ କଲେ । ଚାହୁଁଥିଲେ ସେ ଖସି ପଳାଇ ଯାଇଥାନ୍ତେ । ମାତ୍ର କେତେକାଳ ସେ ଆଉ ପୋଲିସ ଆଖିରେ ଅନ୍ଧପୁଟୁଳି ବାନ୍ଧିବେ ?

 

ସେଇଠାରୁ ସେ ଧରାହୋଇ ଜିଲ୍ଲା ହେଡ଼କ୍ୱାଟରକୁ ଆସିଲେ । ପ୍ରଥମେ ସର୍ବୋଦୟ କର୍ମୀ ଭାବରେ ତାଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ କିନ୍ତୁ ହଠାତ୍ ସନ୍ଧ୍ୟାବେଳେ ସେ ଯେ ଜଣେ ନକ୍ସଲବାଦୀ ନେତା, ତାହା ହିଁ ବଦ୍ଧମୂଳ ଧାରଣା ହୋଇଗଲା ମାତ୍ର ରାତ୍ରିରେ ଯେତେବେଳେ ତାଙ୍କୁ ଥାନା ହାଜତରେ ରଖାଗଲା ଏବଂ ଅତ୍ୟାଚାରୀ ପୋଲିସ ଏସ୍. ପି. ଶ୍ରୀ ମହାପାତ୍ର ଥାନାରେ ଆସି ପହଞ୍ଚିଲେ ସେତେବେଳେ ତାଙ୍କୁ ଚିହ୍ନି ପାରିଥିଲେ । ଖରାବେଳଠାରୁ ରାତି ଆଠଟା ପର୍ଯ୍ୟନ୍ତ ଛୋଟଛୋଟ ପୋଲିସ ଅଫିସରମାନଙ୍କ ମଧ୍ୟରେ ସର୍ବୋଦୟ କର୍ମୀ ଏବଂ ପରେ ନକ୍ସଲବାଦୀ ନେତା ଭାବରେ ଯେଉଁ ସନ୍ଦେହ ସୃଷ୍ଟି ହୋଇଥିଲା, ତାହା ଦୂରୀଭୂତ ହୋଇ ସେ ଯେ ଜଣେ ସମାଜବାଦୀ ବାମପନ୍ଥୀ ନେତା ତାହା ହିଁ ପ୍ରତିଷ୍ଠିତ ହୋଇଗଲା ।

 

ତାଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋର୍ଡ଼ର ଛଅଗୋଟି ଧାରା ଅନୁଯାୟୀ ଅଭିଯୋଗ ଆଗତ କରାଗଲା । ପ୍ରତିଷ୍ଠିତ ସରକାରକୁ ଗାଦିଚ୍ୟୁତ କରାଇବା ପାଇଁ ଷଡ଼ଯନ୍ତ୍ର, ଜନସାଧାରଣଙ୍କୁ ବେଆଇନ ଭାବରେ ସଙ୍ଗଠିତ ଓ ଉତ୍ତେଜିତ କରି ଜାତୀୟ ସମ୍ପତ୍ତି ନଷ୍ଟ କରିଦେବାର ଉଦ୍ୟମ ଏବଂ ଆହୁରି ୪ ଗୋଟି ଧର୍ତ୍ତବ୍ୟ ଅପରାଧ ଯାହା ଆଉ ତାଙ୍କର ମନେ ପଡ଼ୁନାହିଁ ।

 

ତାଙ୍କଠାରୁ କଥା ଆଦାୟ କରିବା ଲାଗି ରାତି ସାଢ଼େ ଦଶଟା ବେଳେ ଚାରିଜଣ ପୋଲିସ ଅଫିସରମାନଙ୍କର ସେଇ ଯେଉଁ ଧାରାବାହିକ ପ୍ରଶ୍ନାବଳୀ ଆଜି ତାଙ୍କର ସ୍ପଷ୍ଟ ଭାବରେ ମନେ ପଡ଼ୁଚି । ଆପଣ ଜିଲ୍ଲା, ସବ୍ଡ଼ିଭିଜନ ଓ ଇଚ୍ଛାମତୀପୁର ଗାଁରେ ରହି ସରକାରଙ୍କ ବିରୁଦ୍ଧରେ ପ୍ରତିଦିନ ପ୍ରାଚୀର ପତ୍ର, ହ୍ୟାଣ୍ତବିଲ୍ ବାଣ୍ଟୁ ନ ଥିଲେ କି ? ଇଚ୍ଛାମତୀପୁର ଗାଁର ଜନସାଧାରଣଙ୍କୁ ସରକାରଙ୍କ ବିରୁଦ୍ଧରେ ମତାଉ ନଥିଲେ କି ? ସୁବଳପୁର ଆଦିବାସୀ ଗାଁରେ ରହି ସେମାନଙ୍କୁ ସରକାରଙ୍କ ବିରୁଦ୍ଧରେ କାର୍ଯ୍ୟ କରିବା ଲାଗି କହୁ ନଥିଲେ କି ?

 

ଶୁଭକାନ୍ତ ନିର୍ଭିକ ଭାବରେ ଉତ୍ତର ଦେଇଥିଲେ–ଦେଶର ଏକଛତ୍ରବାଦ ଲୋପ ନ ହେଲା ପର୍ଯ୍ୟନ୍ତ ଏ କାର୍ଯ୍ୟ ଚାଲିଥିବା ଓ ଚାଲୁ ରହିବ ।

 

ତା’ ପରେ ସେ ଏଇ କେନ୍ଦ୍ର ଜେଲକୁ ପ୍ରେରିତ ହୋଇଛନ୍ତି ।

 

ଏତିକିବେଳେ ଓ୍ୱାଡ଼ରଟିଏ ଆସି ସେଲରେ ତାଲା ଖୋଲିଲା ।

 

ଶୁଭକାନ୍ତର ଭାବନା ଫେରି ଆସିଲା ।

 

ଶୁଭକାନ୍ତ ଓ୍ୱାଡ଼ରକୁ କହିଲେ–ଆଜି ଗୁହାଳ ଖୋଲିବାରେ ଅନେକ ବିଳମ୍ବ କରିଦେଲ ଓ୍ୱାଡ଼ର ! କାରଣ କ’ଣ ?

 

ଓ୍ୱାଡ଼ର ବିଚରା ବଡ଼ ସନ୍ଦିଗଧ୍ ଚିତ୍ତରେ ଉତ୍ତର ଦେଲା–ଏସ୍. ପି. ଓ କଲେକ୍ଟର ସାହେବ ଆସିଥିଲେ ଖୁବ୍ ସକାଳୁ । ଜେଲ ସୁପରିଣ୍ଟେଣ୍ତେଣ୍ଟଙ୍କ ସହିତ ତାଙ୍କର କ’ଣ ଆଲୋଚନା ହେଲା । ଆପଣଙ୍କୁ ବୋଧହୁଏ ଏ ଜେଲରୁ ଅନ୍ୟ କେଉଁ ଜେଲକୁ ବଦଳି କରାଯିବ ।

 

ଶୁଭକାନ୍ତ ବିସ୍ମୟବିମୂଢ଼ ହୋଇଗଲେ । କଥା କ’ଣ ? କ’ଣ ହେଲା ତାଙ୍କର ଅପରାଧ-? କଏଦୀମାନଙ୍କୁ ସେଦିନ ଯେଭଳି ଭାବରେ ସାମାନ୍ୟ ଏକ ଘଟଣାରେ ମାଡ଼ିଦିଆଗଲା, ସେ ତାହାର ପ୍ରତିବାଦ କରିଥିଲେ । ଜେଲ କର୍ତ୍ତୃପକ୍ଷ ସେମାନଙ୍କ ଭୁଲ ସ୍ୱୀକାର ନ କଲା ପର୍ଯ୍ୟନ୍ତ, ସେମାନେ ଅନଶନ କରିବେ ବୋଲି ଘୋଷଣା କରିଥିଲେ । ଅବଶ୍ୟ କଏଦୀମାନଙ୍କୁ ସେ ଶକ୍ତି ଓ ସାମର୍ଥ୍ୟ ଦେଇଥିଲେ । ଅପରାଧୀମାନେ ଚୋରି, ଡକାୟତି କଲେ ବୋଲି ସେମାନଙ୍କର କ’ଣ ମାନବିକତା ନାହିଁ ? ବର୍ଷ ବର୍ଷ ଧରି ସେମାନଙ୍କୁ ବନ୍ଦୀ ରଖି, ସେମାନଙ୍କ ବିରୁଦ୍ଧରେ ଆଗତ ହୋଇଥିବା ଅଭିଯୋଗର ଫଏସଲା ନ କରି,ପଶୁ ଭଳି ସେମାନଙ୍କୁ ରଖାଯାଉଛି ଜେଲରେ-। ଖାଇବାକୁ ଦିଆଯାଉଛି ବଗଡ଼ା ଚାଉଳ, ଟିକିଏ ଡାଲି ପାଣି ଏବଂ ବିରାଡ଼ି ଘୁଅ ପରି ସାମାନ୍ୟ ବୋଇତି କଖାରୁ ତରକାରୀ । ବାସ୍ ।

 

ଏଇ ହେଲା ସେମାନଙ୍କର ବଞ୍ଚିବାର ଖାଦ୍ୟ । ସେଦିନ ସେମାନେ କୋବି କିଆରୀରେ ପାଣି ମଡ଼ାଇବା ଲାଗି ଅନିଚ୍ଛା ପ୍ରକାଶ କରିବାରୁ ସେମାନଙ୍କ ଉପରେ ହେଲା କୁଚ୍ଛତ୍ର ଆକ୍ରମଣ । ଫଳରେ ସେମାନେ ଅନଶନ କଲେ ଏବଂ ଗୋଟିଏ ଦିନ ଏବଂ ଗୋଟିଏ ରାତି ଅତିବାହିତ ହେଲା ଉତ୍ତାରୁ, ଜେଲ କର୍ତ୍ତୃପକ୍ଷ ବାଧ୍ୟ ହୋଇ ସେମାନଙ୍କ ଭୁଲ ସ୍ୱୀକାର କରିଥିଲେ ।

 

ଏ ଘଟଣା ପାଇଁ ସେ ଦାୟୀ ହେଲେ କିପରି ?

 

ଶୁଭକାନ୍ତ ସକାଳର ଖବରକାଗଜଟାକୁ ଲେଉଟାଇବାକୁ ଆରମ୍ଭ କଲେ । ଓ୍ୱାଡ଼ରଟି ଚାଲିଗଲା ଅନ୍ୟତ୍ର । ଶୁଭକାନ୍ତ ରେଡ଼ିଓ ଖୋଲି ଦେଲେ । ସର୍ବଭାରତୀୟ ସମ୍ବାଦରେ ଘୋଷଣା । ବିଖ୍ୟାତ ସର୍ବୋଦୟ ନେତା ଘୋର ଅସୁସ୍ଥ । ମୂତ୍ରାଶୟର ଚିକିତ୍ସା ପାଇଁ ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି ଏବଂ ସରକାରୀ ଖର୍ଚ୍ଚରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି ।

 

ଶୁଭକାନ୍ତ ବିବ୍ରତ ହେଲେ । ବିଖ୍ୟାତ ସର୍ବୋଦୟ ନେତା ଓ ଗାନ୍ଧୀବାଦୀ ପ୍ରାଣକୃଷ୍ଣଙ୍କର ମୂତ୍ରାଶୟ ରୋଗ ତ ନ ଥିଲା । ମାତ୍ର ହଠାତ୍ ଏ ବ୍ୟାଧିର ଉପକ୍ରମ କିପରି ?

 

ଶୁଭକାନ୍ତ ବ୍ୟଥିତ ହେଲେ । କେତେ ନେତା ଜେଲରେ ଅଛନ୍ତି । ସେମାନେ କିପରି ରହୁଥିବେ କେଜାଣି ? ଜେଲ ଭିତରେ ସେମାନଙ୍କୁ ହୁଏତ ଏଇ ଭଳି ମାରି ଦିଆଯାଇପାରେ । ଭାରତରେ ଗଣତନ୍ତ୍ରର କେବେ ଆଉ ପୁନଃ ପ୍ରତିଷ୍ଠା ହେବ ? ଜନ ଅସନ୍ତୋଷକୁ କେତେକାଳ ଧରି କ୍ଷମତା ଲୋଭୀ ଏକଛତ୍ର ଶାସକ ବନ୍ଧୁକ ମୁନରେ ଦବାଇ ରଖିବେ ? ନାଗରିକ ସ୍ୱାଧୀନତା ଯେଁଉଠାରେ ବିପନ୍ନ, ସେଦେଶରେ ଗଣତନ୍ତ୍ର ଅଛି ବୋଲି ଚିତ୍କାର କରିବା ଏକ ମସ୍ତବଡ଼ ଧପ୍‍ପାବାଜୀ । ଇମାରଜେନ୍‍ସି ଭିତରେ ଭୟ ଓ ଆତଙ୍କ ପ୍ରଦର୍ଶନ କରି ଯେଉଁ ଶାସକଗୋଷ୍ଠୀ ଦେଶରେ ଶାନ୍ତିଶୃଙ୍ଖଳା ଫେରି ଆସିଛି ବୋଲି ଦାବୀ କରି ବସନ୍ତି, ସେମାନେ ଗଣତନ୍ତ୍ରର ପୂଜାରୀ ନୁହଁନ୍ତି, ସେମାନେ ହେଉଛନ୍ତି ବ୍ୟକ୍ତିତନ୍ତ୍ର ଶାସନର ନିଷ୍ଠାପର ସ୍ତାବକ ।

 

ଶୁଭକାନ୍ତ ସକାଳର ଜଳଖିଆ ଶେଷ କରି ଚା’ ପିଉଥିଲେ । ହଠାତ୍ ଓ୍ୱାଡ଼ର ଆସି ଜଣାଇଲା–ଆପଣଙ୍କ ଜିନିଷପତ୍ର ଯାହା ଅଛି ବନ୍ଧାବନ୍ଧି କରିଦିଅନ୍ତୁ । ଗାଡ଼ି ଆସି ଜେଲ ସାମନାରେ-। ସୁପରିଣ୍ଟେଣ୍ତେଣ୍ଟ ଅଫିସରେ ଅଛନ୍ତି । ଆପଣଙ୍କୁ ଅନ୍ୟ କେଉଁ ଜେଲକୁ ପଠାଯିବ-। ଏସ୍. ପି. ଏବଂ କଲେକ୍ଟରଙ୍କ ଆଦେଶ ଆଜ୍ଞା ।

 

ଶୁଭକାନ୍ତ ଆଉ ବିଳମ୍ବ କଲେ ନାହିଁ । ଅନ୍ଧାରୀ ଶାସନ ସମୟରେ ନୀରବ ପ୍ରତିବାଦ କରିବା ବ୍ୟତୀତ ଅନ୍ୟ ଉପାୟ ଆଉ କିଛି ନାହିଁ । ଯେଉଁଦିନ ଏ କଳାରାତିର ଅବସାନ ହେବ, ସେଦିନ ଏକଛତ୍ର ଶାସକ ଓ ତାହାର ଏଜାଣ୍ଟମାନଙ୍କର ସମସ୍ତ ଅତ୍ୟାଚାର ଓ ବ୍ୟଭିଚାରର କାହାଣୀ ଖୋଲି ଦିଆଯିବ ।

 

ଶୁଭକାନ୍ତ ଜିନିଷପତ୍ର ବନ୍ଧାବନ୍ଧି କରିଦେଲେ । ଓ୍ୱାଡ଼ର, ଜଣେ କଏଦୀଙ୍କୁ ଡକାଇ ସେହି ଜିନିଷପତ୍ର ତା’ ହାତରେ ଦେଲେ । ଶୁଭକାନ୍ତ ଚାଲିଲେ ଜେଲ ଅଫିସକୁ ।

 

ଏଣେ କଏଦୀମାନଙ୍କ ପାଖରେ ଶୁଭକାନ୍ତ ଏ ଜେଲରୁ ଅନ୍ୟ ଜେଲକୁ ବଦଳି ହେଉଥିବାର ସମ୍ବାଦ ପ୍ରଚାରିତ ହୋଇଗଲା । ସେମାନେ ଧାଡ଼ିବାନ୍ଧି ଶୁଭକାନ୍ତଙ୍କୁ ବିଦାୟ ଦେବା ଲାଗି ଜେଲ ହତା ଭିତରେ ଅଶ୍ରୁପୂର୍ଣ୍ଣ ନୟନରେ ଠିଆ ହୋଇଥିଲେ । ସତେ ଯେପରି ସେମାନଙ୍କର ଜଣେ ଦରଦୀ, ଶୁଭକାଂକ୍ଷୀ ଓ ଅନ୍ତରଙ୍ଗ ଆତ୍ମୀୟ ବିଦାୟ ନେଇ ଚାଲିଯାଉଛନ୍ତି ।

 

ଶୁଭକାନ୍ତ ସେମାନଙ୍କ ପାଖରେ ଅଟକି ଯାଇ କହିଲେ–ଯେଉଁଦିନ ଅନ୍ଧାରୀ ଶାସନର କଳାରାତି ପାହିବ, ସେଦିନ ଜେଲର ସଂସ୍କାର ହେବ ଭାଇମାନେ ! ତମେମାନେ ସେପର୍ଯ୍ୟନ୍ତ ଦୁଃଖ କଷ୍ଟରେ ପଡ଼ିଥାଅ ଏଇଠି । ସେଇ ସୁଦିନ ଫେରି ଆସିବା ପାଇଁ ତମେମାନେ ଭଗବାନଙ୍କୁ ପ୍ରତିଦିନ ପ୍ରାର୍ଥନା କର । ଜେଲରୁ ମୁକ୍ତି ପାଇଲା ପରେ ଚୋରି ଡକାୟତି ବଦଳରେ ତମେ ଜଣେ ଜଣେ ସାଧାରଣ ମଣିଷ ପରି ଚଳିବାକୁ ଚେଷ୍ଟା କରିବ । ଯାଉଛି, ପୁଣି କେବେ ଦେଖା ହେବ । ଶୁଭକାନ୍ତ ଷାଠିଏ ଜଣ କଏଦୀଙ୍କ ସହିତ ଜଣ ଜଣ କରି କର ମର୍ଦ୍ଦନ କରି ସେମାନଙ୍କଠାରୁ ବିଦାୟ ନେଲେ ।

 

ଜେଲ୍ ଗେଟ୍ ପାଖରେ ଅନେକ ସଶସ୍ତ୍ର ପୋଲିସ ଠିଆ ହୋଇଛନ୍ତି । ସମ୍ଭବତଃ ଏମାନେ ତାଙ୍କୁ ଏସକଟ୍ କରି ଅନ୍ୟ ଜେଲକୁ ନେଇଯିବେ ।

 

ଆଗରେ ଜେଲ ଭେନ୍ । ସୁପରିଣ୍ଟେଣ୍ତେଣ୍ଟ ଜେଲ ଅଫିସ ଭିତରୁ ବାହାରି ଶୁଭକାନ୍ତଙ୍କୁ ପାଛୋଟି ନେଇଗଲେ ଏବଂ ଗୋଟିଏ ଚେୟାରରେ ବସିବା ପାଇଁ କହିଲେ । ତା’ ପରେ ସେ କହିଲେ–ଆପଣଙ୍କୁ ବ୍ରହ୍ମପୁର ଜେଲକୁ ପଠାଯାଉଛି । ସରକାରଙ୍କ ହୁକୁମ । ଆମର କିଛି ଦୋଷ ନାହିଁ ଶୁଭକାନ୍ତ ବାବୁ !

 

ଆବଶ୍ୟକୀୟ ବିବରଣୀ ଜେଲ ମାନୁଏଲ ଅନୁସାରେ ରେକର୍ଡ଼ ହେଲା ପରେ ଶୁଭକାନ୍ତ ଜେଲ ଭ୍ୟାନରେ ବସିଲେ ।

Image

 

Unknown

ରାହୁଗ୍ରାସ

 

ଗାଁଆକୁ ତିନି ବର୍ଷ ପରେ ଫେରିଲା ପରେ, ସର୍ବପ୍ରଥମେ ଅନିରୁଦ୍ଧ ନାଏକଙ୍କୁ ଖଦଡ଼ ପିନ୍ଧିବାର ଦେଖି ମୁଁ ବିସ୍ମିତ ହୋଇଗଲି । ଇଚ୍ଛା ହେଉଥିଲା ତାଙ୍କର ଏଇ ନବ କଳେବର ସମ୍ପର୍କରେ ତାଙ୍କୁ କିଛି ପ୍ରଶ୍ନ ପ୍ରଚାରିବି । କିନ୍ତୁ ସେଦିନ ଦାଣ୍ଡେ ସେ ଏତେ ଶୀଘ୍ର ଚାଲୁଥିଲେ ଯେ ତାଙ୍କୁ ଆଉ କିଛି ପଚାରିବାକୁ ସମୟ ମିଳିଲା ନାହିଁ ।

 

ସେଦିନ ସଞ୍ଜ ହେଲା । ଗାଁଆ ମି: ଇ: ସ୍କୁଲକୁ ଗଲି । ହେଡ଼୍‍ମାଷ୍ଟର ଚାରୁଚନ୍ଦ୍ର ଦେଖାହେଲେ । ସେ ବି ଆମରି ଗାଆଁ ଲୋକ । ବିନା ଦରବମାରେ, ନବ ପ୍ରତିଷ୍ଠିତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶିକ୍ଷକତା କରି ନିଜର ଆତ୍ମତ୍ୟାଗ ଓ ସେବା ମନୋବୃତ୍ତିର ପରିଚୟ ଦେଉଛନ୍ତି ।

 

ଚାରୁଚନ୍ଦ୍ର ଥିଲା ମୋର ସହପାଠୀ । ଏକାସାଙ୍ଗରେ ପ୍ରାଥମିକ ସ୍କୁଲଠାରୁ ଆରମ୍ଭ କରି ଇଣ୍ଟରମିଡ଼ିଏଟ ପର୍ଯ୍ୟନ୍ତ ପାଠ ପଢ଼ିଥିଲୁ । ଇଣ୍ଟରମିଡ଼ିଏଟ୍ ପରେ ପଢ଼ାରେ ତା’ର ଡୋରିବନ୍ଧା ହେଲା । ସେ ରହିଲା ଘରେ । ମୁଁ କିନ୍ତୁ ବି.ଏ. ପଢ଼ିବାକୁ କଲିକତା ଚାଲିଗଲି ।

 

ଚାରୁଚନ୍ଦ୍ରଙ୍କ ସହିତ ମୋର ବନ୍ଧୁତ୍ୱ ଅତ୍ୟନ୍ତ ନିବିଡ଼ । ସୁଦୂର ବମ୍ୱେ, ମାନ୍ଦ୍ରାଜ ଓ ରାଞ୍ଚିରେ, ଦୀର୍ଘ ସମୟ ଧରି ବିଭାଗୀୟ ଟ୍ରେନିଂ ନେଉଥିବାବେଳେ ଚାରୁଚନ୍ଦ୍ରର କଥା ମନେପଡ଼େ ।

 

ତା ଭଳି ଆମାୟିକ, ସରଳ ଏବଂ ପରୋପକାରୀ ବନ୍ଧୁଟିର କଥା ମନେପଡ଼ି ଅନ୍ତରତଳ ଆର୍ଦ୍ର ହୋଇ ଉଠେ ।

 

ପଲ୍ଲୀ ସନ୍ଧ୍ୟାର ଏକା ଶାରଦୀୟ ଲଗ୍ନରେ ନବପ୍ରତିଷ୍ଠିତ ମଧ୍ୟଇଂରାଜୀ ବିଦ୍ୟାଳୟର ଦ୍ୱାରଦେଶରେ ହଠାତ୍ ମୋତେ ଚିହ୍ନିପାରି ଚାରୁଚନ୍ଦ୍ର କୁଣ୍ଢାଇ ପକାଇଲା । କହିଲା–କିରେ ମଳୟ, ତିନିବର୍ଷପରେ ଗାଁଆ କଥା ତୋର କ’ଣ ମନେ ପଡ଼ିଲା ? ତମମାନଙ୍କ ଭଳି କେତେଜଣ ଉଚ୍ଚ ଶିକ୍ଷିତ ଯୁବକ ଥାଉଁ ଥାଉଁ, ଗାଁଆଟା ଉଚ୍ଛନ୍ନ ହୋଇଗଲା ଅଥଚ ତମେମାନେ ବିଦେଶରେ ମୋଟା ଦରମା ପାଇ ନୀରବରେ ରହିଗଲ ?

 

ଚାରୁଚନ୍ଦ୍ର ମୋତେ ହଠାତ୍ ଦେଖି ଯେ ଏଭଳି ପ୍ରଶ୍ନ ପଚାରି ବସିବ, ମୁଁ ଏକଥା ଜାଣିଥିଲି । କାରଣ, ଆଜି ନୁହେଁ ହାଇସ୍କୁଲରେ ପଢ଼ିଲା ଦିନଠାରୁ ତା’ର ଏଇ ପ୍ରଶ୍ନ ! ଗାଆଁରେ ସଂସ୍କାର କରିବ । ନବଜାଗରଣ ସୃଷ୍ଟି କରିବ । ଗାଆଁ ଭିତରୁ ଦଳାଦଳି ଲୋପ କରିବ ।

 

ମୁଁ ହସି ହସି କହିଲି–କ’ଣ କରିବି ଭାଇ ! ଦୀର୍ଘଦିନ ଧରି ଓଡ଼ିଶାରୁ ଅନୁପସ୍ଥିତ ଥିଲି । ଓଡ଼ିଶାଠାରୁ ସାତଶହ ମାଇଲ ଦୂରରେ ରହି ଗାଁ କଥା ମନରୁ ଦୂରେଇ ଦେବା ନିହାତି ସ୍ୱାଭାବିକ । ତା’ ବୋଲି ନିଜର ଜନ୍ମପୀଠ; ଏଇ ମଲ୍ଲିକାପୁରକୁ ମୁଁ କେବେହେଲେ ଭୁଲି ନାହିଁ । ତା’ର ପାଣି ପବନ ଓ ନଦୀକୂଳର ଆତ୍ମ-ବୀଥିକା ଗାଆଁଠାରୁ ଅନେକ ଦୂରରେ ରହି ମଧ୍ୟ ବାରମ୍ୱାର ମନେପଡ଼େ ।

 

ମୁଁ କିନ୍ତୁ ନିରୂପାୟ । ଗାଆଁରେ ଅନେକ କିଛି କାମ କରିବି ବୋଲି, ତୋ ଭଳି ମୁଁ ଚିନ୍ତା କରିଥିଲି । କିନ୍ତୁ ଚାକିରି ଜୀବନର ସର୍ବଗ୍ରାସୀ ଭୂତ, ମୋର ଯୋଜନା ଓ ପରିକଳ୍ପନାକୁ ଧୂଳିସାତ୍ କରିଦେଲା ।

 

ଚାରୁଚନ୍ଦ୍ର କହିଲା–ଆଚ୍ଛା, ଭିତରକୁ ଚାଲ । ସେଇଠି ବସି ଗପସପ କରିବା । ମି. ଇ. ସ୍କୁଲ କୋଠା ଏବେ ବି ସଂପୂର୍ଣ୍ଣ ହୋଇନାହିଁ । କାମ ଚାଲିଛି । ଆଉ ମାସେ ଦୁଇମାସ ପରେ କାମ ହୁଏତ ସଂପୂର୍ଣ୍ଣ ହୋଇଯିବ । ଆଉ ତୋ ଖବର କ’ଣ ?

 

ମୁଁ କହିଲି–ମୋ ଖବର ତ ସେଇମିତି । ଆଚ୍ଛା କହିଲୁ ଭାଇ, ଅନିରୁଦ୍ଧ ନାଏକ ଖଦଡ଼ ପିନ୍ଧିଲେ କେଉଁଦିନଠାରୁ ?

 

ଚାରୁଚନ୍ଦ୍ର ହସି ହସି କହିଲା–ତାଙ୍କ ଖଦଡ଼ ପିନ୍ଧିବାରେ ଏକ ସରଳ ଇତିହାସ ଜଡ଼ିତ ରହିଛି ମଳୟ ! ଗାଁଆକୁ ଯେତେବେଳେ ଆସିଛୁ, ବଳେ ତାଙ୍କ ଖବର ତୋ କାନରେ ବାଜିବ ଯେ–

 

ମୁଁ କହିଲି–ଯେଉଁ ଅନିରୁଦ୍ଧ ନାଏକ କଂଗ୍ରେସ ନାଆଁ ଶୁଣିଲେ ଚମକି ଉଠୁଥିଲେ, ସେଇ ଅନିରୁଦ୍ଧ ବାବୁ ଆଜି କେମିତି ଖଦଡ଼ର ଖୋଲି ପିନ୍ଧି ଚାରିଆଡ଼େ ବୁଲୁଛନ୍ତି । କୋର୍ଟ କଚେରୀକୁ ଦଉଡ଼ିବା ଯାହାଙ୍କର ନିତ୍ୟ ନୈମିତ୍ତିକ ଅଭ୍ୟାସ, ପରର ସମ୍ପତ୍ତି ଲୁଟ୍ କରିବା ଯାହାଙ୍କର ଚିରାଚରିତ ପେଷା, ଗାଆଁର ଲୋକଙ୍କର ଭିତରେ କଳି ତକରାଳ, ମାନ-ମନାନ୍ତର ଓ ବିଭେଦ ସୃଷ୍ଟି କରିବା ଯାହାଙ୍କର ମୌଳିକ ଧର୍ମ, ସେ ଯେ ଆଜି କିପରି ପବିତ୍ର ଖଦଡ଼ ଖୋଳ ଭିତରେ ଗାନ୍ଧୀ ନାମ ସ୍ମରଣ କରି ଆତ୍ମ-ଗୋପନ କରିବାକୁ ଚେଷ୍ଟାକଲେ, ତାହା ହିଁ ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଛି ।

 

ଚାରୁଚନ୍ଦ୍ର କହିଲା–ତାଙ୍କ କଥା କହନା ଭାଇ । ତାଙ୍କରି ପାଇଁ ଗ୍ରାମପଞ୍ଚାୟତରେ ଆଜି ବିଭେଦ । ଦଳାଦଳିରେ ଗାଁଟା ଆଜି ଉଚ୍ଛନ୍ନ ହୋଇଗଲେଣି । ଯେଉଁ ଦଳ ସଂଖ୍ୟାଗରିଷ୍ଠ ହୋଇ ସରପଞ୍ଚ ଆସନ ମାଡ଼ି ବସିଲେ, ସର୍ବପ୍ରଥମେ ସେଇ ଦଳର ସମର୍ଥକ ଥିଲେ । କିନ୍ତୁ ସରପଞ୍ଚ ତାଙ୍କୁ ମାଛଚାଷ କରିବାକୁ ୠଣ ନ ଦେବାରୁ, ସେ ସେହି ଦଳରୁ ବାହାରିଯାଇ, ବିରୋଧୀ ଦଳରେ ମିଶିଛନ୍ତି । ପଞ୍ଚାୟତକୁ ଯେଉଁ ଦଳ ବର୍ତ୍ତମାନ ଅକ୍ତିଆରରେ ରଖିଛନ୍ତି, ସେମାନଙ୍କ ବିରୁଦ୍ଧରେ ନଅଟା ମୋକଦ୍ଦମା ଝୁଲୁଛି । ସେ ହେଉଛନ୍ତି ସେହି ମୋକଦ୍ଦମାର ପହିଲା ନମ୍ୱର ଚାଳକ ଓ ପରାମର୍ଶଦାତା । ନିଜେ ସରପଞ୍ଚ ମଧ୍ୟ କଂଗ୍ରେସ ଦଳର ଲୋକ । ସେ କଂଗ୍ରେସ ଦଳର ସଭ୍ୟ ହୋଇ ମଧ୍ୟ କଂଗ୍ରେସ ଦଳ ବିରୁଦ୍ଧରେ ଯିବାକୁ ଟିକିଏ ହେଲେ କୁଣ୍ଠାବୋଧ କରୁ ନାହାନ୍ତି ।

 

ଚାରୁଚନ୍ଦ୍ରର କଥା ଉଦ୍‍ଗ୍ରୀବ ହୋଇ ଶୁଣୁଥିଲି । ଅନିରୁଦ୍ଧ ବାବୁଙ୍କର ମହୀୟାନ କୀର୍ତ୍ତିଗାଥା ସେ ଗୋଟି ଗୋଟି କହିଚାଲିଥିଲା ।

 

ଆମେ ଗପୁ ଗପୁ, ସେଦିନ ଅନେକ ରାତି ହୋଇଗଲା । ବେଶୀ ରାତି ହୋଇଯିବାରୁ ଆମେ ଦୁହେଁଯାକ ନିଜ ନିଜ ଘରକୁ ଫେରିଲୁଁ ।

 

ମୁଁ ମାସେ ଛୁଟିନେଇ ସେଥର ଗାଁରେ ରହିଲି ।

 

ଓଡ଼ିଶାରେ ଯେଉଁ ରାଜନୈତିକ ଅନିଶ୍ଚିତତା ଦୀର୍ଘଦିନ ଧରି ଦେଖା ଦେଇଥିଲା, ତା’ର ଅବସାନ ପାଇଁ ଏପ୍ରଦେଶରେ ପୁଣି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେଲା । ଓଡ଼ିଶାର ସବୁ ରାଜନୈତିକ ଦଳ ଅଣ୍ଟାଭିଡ଼ି, କମରକଷି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେଲେ । କେବଳ ସହର ବଜାର ନୁହେଁ, ନିପଟ ମଫସଲ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନ ସଙ୍କେତ, ଜିପ୍, ସଭା ଓ ଶୋଭାଯାତ୍ରାର ଅବିଶ୍ରାନ୍ତ ଧ୍ୱନି ଓ ଡାକବାଜି ଯନ୍ତ୍ରର କାନଫଟା କିଳିକିଳା ଶବ୍ଦରେ ମୁଖରିତ ହୋଇ ଉଠିଲା ।

 

ମୁଁ କିନ୍ତୁ ଆମ ନିର୍ବାଚନମଣ୍ଡଳୀର ରାଜନୈତିକ ଉତ୍ତେଜନା ଓ ବାତାବରଣକୁ ଅତି ନୀରବରେ ଲକ୍ଷ୍ୟ କରିଥିଲି ।

 

ଆମ ନିର୍ବାଚିନ ମଣ୍ଡଳୀରେ ସ୍ୱତନ୍ତ୍ର, ପ୍ରଜାସାମ୍ୟବାଦୀ ଓ କଂଗ୍ରେସ ଦଳର ତିନିଜଣ ଖ୍ୟାତାନାମା ବ୍ୟକ୍ତି ପ୍ରତିଦ୍ୱନ୍ଦିତା କରୁଥିଲେ । ଏହି ତିନୋଟି ପ୍ରାର୍ଥୀଙ୍କ ତରଫରୁ ଶହଶହ ପ୍ରଚାରକ, ଉଡ଼ାଟିଆ କର୍ମୀ ନିଯୁକ୍ତ ହୋଇ, ପଲ୍ଲୀର ସରଳ, ସ୍ୱାଭାବିକ, ସ୍ୱଚ୍ଛନ୍ଦ ଜୀବନ-ଯାତ୍ରାକୁ ଅତି ନିର୍ମମ ଭାବରେ ସକୁରଣ କରିଦେଇଥିଲେ ।

 

ମୁଁ କିନ୍ତୁ ଅନିରୁଦ୍ଧବାବୁଙ୍କ କୌଶଳପୂର୍ଣ୍ଣ ପ୍ରଚାର ଶୈଳୀକୁ, ପଦେ ପଦେ ଲକ୍ଷ୍ୟ କରୁଥିଲି-

 

ସମଗ୍ର ପଞ୍ଚାୟତରେ ଏଇ ଅନିରୁଦ୍ଧବାବୁ ଥିଲେ ସବୁଠାରୁ ସକ୍ରୀୟ କର୍ମଠ । ରାତି ରାତି ଅନିଦ୍ରା–ଖିଆ ପିଆ ନାହିଁ । ଦିନରାତି ଚାଲି ଚାଲି, ପଞ୍ଚାୟତର ସବୁ ଗାଁକୁ ପରିକ୍ରମା କରୁଛନ୍ତି । ସବୁ ଶ୍ରେଣୀର ଲୋକଙ୍କ ସହିତ ସଂପର୍କ ସ୍ଥାପନ କରୁଛନ୍ତି । ଏ ନିର୍ବାଚନଟା କେବଳ ଯେମିତି ତାଙ୍କର ପାଇଁ ଉଦ୍ଦିଷ୍ଟ । ଆମ ନିର୍ବାଚନମଣ୍ଡଳୀର ଗୁରୁଦାୟିତ୍ୱ କେହି ତାଙ୍କ ଉପରେ ନ୍ୟସ୍ତ ନ କରିଥିଲେ ମଧ୍ୟ ସେ ନିଜ ଉପରେ ସେ ଦାୟିତ୍ୱ ମୁଣ୍ଡାଇ ନେଇଛନ୍ତି ବୋଲି ଅନୁଭବ କରୁଛନ୍ତି ।

 

ପ୍ରତି ପାଞ୍ଚ ମିନିଟରେ ଯେଉଁ ଅନିରୁଦ୍ଧବାବୁ ପ୍ରସିଦ୍ଧ ଚକମାର୍କା ବିଡ଼ି ସେବନ କରି, ତା’ର ସୂତା ପର୍ଯ୍ୟନ୍ତ ଟାଣି ବସନ୍ତି, ଏଇ କେଇଦିନ ହେଲା ତାଙ୍କ ଓଠରେ ସିଗାରେଟ୍ କେବଳ ଲାଗିଛି । କ୍ୟାପ୍‍ଷ୍ଟାନ ସିଗାରେଟ୍ ବ୍ୟତୀତ ସେ ଆଉ କିଛି ଟାଣୁ ନାହାନ୍ତି । ଓଠରୁ ତାଙ୍କର ସିଗାରେଟ୍ ଛାଡ଼ ଯାଉନାହିଁ ।

 

ତାଙ୍କର ଏଇ କର୍ମବ୍ୟସ୍ତତା ଦେଖି ମୋ ମନ ଭିତରେ ଅନେକ ପ୍ରଶ୍ନ ଉଠେ । ସନ୍ଦେହ ଉପୁଜେ । ସେ କେଉଁ ଦଳର ପ୍ରାର୍ଥୀ ପାଇଁ ପ୍ରଚାର ଚଳାଉଛନ୍ତି ? କେଉଁ ପ୍ରାର୍ଥୀଙ୍କ ବିଜୟ ବୈଜୟନ୍ତୀ ଉଡ଼ାଇବା ପାଇଁ ସେ ବିଦ୍ଧପରିକର ଆଜି ? ଘରେ ଘରେ ପଶି ପ୍ରଚାର ଚଳାଇବା ବେଳେ, ମୁଁ ଲୁଚି ଲୁଚି, ତାଙ୍କର ଆବେଦନ ଶୁଣିବି । ତାଙ୍କର ଉଦବୋଧନକୁ କାନପାତି ଅପେକ୍ଷା କରିବି ।

 

ମତଦାନ ଦିବସର ଆଉ ମାତ୍ର ଦୁଇଟି ଦିନ ବାକି ଥିଲା...

 

ଶେଷ ଜ୍ୟେଷ୍ଠର ସନ୍ଧ୍ୟାକାଶ ମେଘାକ୍ରାନ୍ତ...ଶୀତଳ ପବନ ଧୀରେ ଧୀରେ ପିଟୁଛି । ଅନିରୁଦ୍ଧ କିନ୍ତୁ ଆମ ଗାଁର ଘରେ ଘରେ, ଆବାଳ ବୃଦ୍ଧ ବନିତାଙ୍କ ପାଖରେ ଭୋଟ ପ୍ରଚାର ଚଳାଇଛନ୍ତି ।

 

ଚାରୁଚନ୍ଦ୍ର ଓ ମୁଁ, ମେଘାକ୍ରାନ୍ତ ଅନ୍ଧକାରରେ ତାଙ୍କ ଅଜ୍ଞାତରେ ପଛେ ପଛେ ଚାଲିଥିଲୁ ।

 

ଅନିରୁଦ୍ଧ ଗାଁର ପନ୍ଦର କୋଡ଼ିଏ ଅଜ୍ଞାନ, ରାଜନୈତିକ ଚେତନାହୀନ କିଶୋରଙ୍କୁ, ଦିନକୁ ଛ’ଅଣା ପଇସାର ଲୋଭ ଦେଖାଇ, ‘‘କଂଗ୍ରେସକୁ ଭୋଟ ଦିଅ’’ ବୋଲି କୁହାଇ ଚିତ୍କାର ଛାଡ଼ୁଛନ୍ତି ।

 

ଅନିରୁଦ୍ଧ ଆଗେ ଆଗେ, ଦେଶକୁ ସ୍ୱାଧୀନ କଲା କିଏ ?

 

ପିଲାମାନେ–କଂଗ୍ରେସ ।

 

ଅନିରୁଦ୍ଧ–ରାମରାଜ୍ୟ ଆଣିଲା କିଏ ?

 

ପିଲାମାନେ–କଂଗ୍ରେସ

 

ଅନିରୁଦ୍ଧ–ପଞ୍ଚାୟତରାଜ ଗଢ଼ିଲା କିଏ ?

 

ପିଲାମାନେ–କଂଗ୍ରେସ

 

ଅନିରୁଦ୍ଧ–ଭୋଟ ଦେବ କାହାକୁ ?

 

ପିଲାମାନେ–କଂଗ୍ରେସକୁ

 

ଅନିରୁଦ୍ଧ–ଯୋଡ଼ି ବଦଳ ଚିହ୍ନିତ କାଗଜରେ

 

ପିଲାମାନେ–ଭୋଟ ଦିଅ, ମୋହର ମାର ।

 

ଅନିରୁଦ୍ଧଙ୍କ ଏଇ ସ୍ଳୋଗାନ ଶୁଣି, ତଥାପି ଆମେ ଦୁହେଁ ତାଙ୍କ ବିଷୟରେ ନିଶ୍ଚିତ ଧାରଣା ନେଇପାରିଲୁ ନାହିଁ । ରାତିରେ ଘର ଭିତରେ ପଶି କାହାକୁ କେଉଁ ବାକ୍ସରେ ଭୋଟ ଦେବାକୁ କହୁଛନ୍ତି ତାହାହିଁ ଥିଲା ଆମର ଜାଣିବାର କଥା ।

 

ଅନିରୁଦ୍ଧ, ପଟ୍ଟନାୟକ ସାହି ପାରହୋଇ ଗୋପାଳ ସାହିରେ ପଶିଲେ, ଗୋପାଳ ସାହିର ପ୍ରଥମ ଘର ନିରଞ୍ଜନ ବେହରାଙ୍କ ଘରକୁ ଉଠିଲେ ।

 

ପିଲାମାନେ, ସ୍ଳୋଗାନ ଦେଇ ଦାଣ୍ଡେ ଦାଣ୍ଡେ ଚାଲିଛନ୍ତି ।

 

ଆମେ ଦୁହେଁ, ମେଘାକ୍ରାନ୍ତ ଆକାଶର ଅନ୍ଧକାର ଭିତରେ ବେହେରାଙ୍କ ଝରକା ପାଖକୁ ଉଠିଯାଇ ତାଙ୍କ କଥା ଶୁଣିବା ପାଇଁ କାନ ଡେରିଲୁ ।

 

ବେହେରାଙ୍କ ଘରର ସ୍ତ୍ରୀ ଓ ବାଳକମାନେ ତାଙ୍କୁ ଘେରି ବସିଛନ୍ତି । ବେହେରା ଓ ତାଙ୍କର ତିନୋଟି ସାନଭାଇ ମଧ୍ୟ ଅନିରୁଦ୍ଧ ଉପଦେଶ ଶୁଣୁଛନ୍ତି । ମୋଟାମୋଟି ବେହେରାଙ୍କ ଘରର ପ୍ରାୟ ଦଶଗୋଟି ଭୋଟଙ୍କୁ ହାତ କରିବା ପାଇଁ ଫୁସ୍ ଫୁସ୍ ସ୍ୱରରେ ବକ୍ତୃତା ଝାଡ଼ୁଛନ୍ତି ଅନିରୁଦ୍ଧ !

 

ସେ କହୁଥିଲେ–ଖବରଦାର ଭାଇ ! ପ୍ରଜାସୋସାଲିଷ୍ଟ ପାର୍ଟିର ପ୍ରାର୍ଥୀ ମଙ୍ଗୁଳିଚରଣଙ୍କୁ କୁଡ଼ିଆ ଘର ଚିହ୍ନିତ କାଗଜର ଡାହାଣ ପାଖରେ ମୋହର ମାରିଦେବ । ମୁଁ କଂଗ୍ରେସର ଲୋକ ମଧ୍ୟ କଂଗ୍ରେସକୁ ଭୋଟ ଦେବାକୁ କହିବି ନାହିଁ । ଦଳର ଶୃଙ୍ଖଳା ରକ୍ଷା କରିବା ପାଇଁ, ମୁଁ ବାହାରେ କଂଗ୍ରେସ ସପକ୍ଷରେ ପ୍ରଚାର କରୁଛି । କିନ୍ତୁ ମୁଁ ଦେଖୁଛି କଂଗ୍ରେସ ଦଳର ପ୍ରାର୍ଥୀ ଅପେକ୍ଷା ପ୍ରଜାସୋସାଲିଷ୍ଟ ଦଳର ପ୍ରାର୍ଥୀ ଜଣେ ଟାଣୁଆ ଲୋକ । ଆସେମ୍ୱ୍ଲିକୁ ଗଲେ ଦି’ପଦ କିଛି କହିବି । ଆମ ଅଞ୍ଚଳର ସୁବିଧା, ଅସୁବିଧା, ଅଭାବ, ଅଭିଯୋଗ ବିଧାନସଭାରେ ଉପସ୍ଥାପିତ କରିବ । ତେଣୁ କୁଡ଼ିଆ ଘର ଚିହ୍ନିତ କାଗଜର ଡାହାଣ ପଟେ ଭୋଟ ଦେବ...

 

ଝରକା ପଟେ ଠିଆହୋଇ ମୁଁ ଓ ଚାରୁଚନ୍ଦ୍ର ଶୁଣୁଥିଲୁ । ଆମେ ଆଗରୁ ଯାହା ଭାବିଥିଲୁ ତାହା ହିଁ ବାସ୍ତବିକ୍ ସତ୍ୟ ହେଲା । ବାହାରେ କଂଗ୍ରେସର ଜୟଗାନ କରି, ଭିତରେ ପ୍ରଜାସୋସାଲିଷ୍ଟ ପାର୍ଟିର ବିଜୟ ହାସଲ ପାଇଁ ଚେଷ୍ଟା ଚଳାଇଛି ।

 

ମୁଁ ଧୀରେ ଧୀରେ ଚାରୁଚନ୍ଦ୍ର କାନରେ କହିଲି–ଅନିରୁଦ୍ଧ କ’ଣ ଦୁଇଦଳରୁ କିଛି ପକାଇଛି କିରେ ? ୟା’ ମତିଗତି ତ କିଛି ଭଲ ଦେଖାଯାଉ ନାହିଁ ।

 

ବାହାରେ ସେଇ ଅନ୍ଧକାର ଭିତରେ ମତେ ଚାରୁଚନ୍ଦ୍ର କହିଲା–କେବଳ ଦୁଇ ପାର୍ଟିରୁ ନୁହେଁ ମଳୟ–ତିନୋଟି ପାର୍ଟିରୁ ସେ କିଛି ମୋଟା ପରିମାଣର ଅର୍ଥ ପକାଇଛି । ଏଠାରେ ପି. ଏସ୍. ପି. ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ କହିଲା । ଆଉ ଅନ୍ୟ ସ୍ଥାନରେ ସେ ହୁଏତ ସ୍ୱତନ୍ତ୍ର ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ କହିପାରେ ଚାଲ୍, ଏଠାରୁ ଫେରିଯିବା ।

 

ଆମେ ଦୁହେଁ ସେଦିନ, ସେଇ ମେଘାକ୍ରାନ୍ତ ଆକାଶର ମଳିନ ଅନ୍ଧକାର ଭିତରେ, ଘରକୁ ନ ଫେରି ସ୍କୁଲକୁ ଫେରିଲୁ । ଆମକୁ ଆଉ କିଛି ଭଲ ଲାଗିଲା ନାହିଁ । ଅନିରୁଦ୍ଧ ପରି ବିଶ୍ୱାସଘାତକ, ଅବିମୃଷ୍ୟକାରୀ ଓ ଆତ୍ମଘୋତୀ ଲୋକ କୌଣସି ରାଜନୈତିକ ଦଳରେ ରହିବା କେବଳ ମାରାତ୍ମକ ନୁହେଁ, ଏ ଦେଶ ପ୍ରତି ଘୋର ବିପଦ ।

 

ସ୍କୁଲରେ ବସି ବସି ଗପ କରୁଁ କରୁଁ ସେଦିନ ଅନେକବେଳ ହୋଇଗଲା.....

 

ଚାରୁଚନ୍ଦ୍ର କହିଲା–ଆମେ ବର୍ତ୍ତମାନ ଯଦି ଅନିରୁଦ୍ଧକୁ ଲକ୍ଷ୍ୟ କରିବା ମଳୟ, ତେବେ ସେ ନିଶ୍ଚୟ ସ୍ୱତନ୍ତ୍ର ଦଳର ପ୍ରଚାର କରୁଥିବ । ଚାଲ ଯିବା, କ’ଣ ସେ କହୁଛି ।

 

ଆକାଶ ବର୍ତ୍ତମାନ ମେଘମୁକ୍ତ.....ଆକାଶର ମଥାନରେ ଉଠି ଆସୁଥିଲା ଚତୁର୍ଦ୍ଦଶୀର ବିଳମ୍ୱିତ ଚନ୍ଦ୍ର.....

 

ଆମେ ଗାଁର ପ୍ରତି ସାହିରେ ଅନିରୁଦ୍ଧଙ୍କ ସନ୍ଧାନ ନେଲୁ । କିନ୍ତୁ ଯେଉଁଆଡ଼କୁ ଗଲୁ, ସେଇଆଡ଼ୁ ନିରାଶ ହୋଇ ଫେରିଲୁ । ସେ ଆଉ ଗଲେ କୁଆଡ଼େ ?

 

ଚାଲି ଚାଲି ପାଣିଗ୍ରାହୀ ସାହିରେ ପହଞ୍ଚିଲୁ । ସାହିର ନିମ୍ନ ପ୍ରାଥମିକ ସ୍କୁଲ ସାମନାରେ ଏକ ଜିପ୍ଥୁଆ ହୋଇଛି । ସ୍କୁଲଘର ଆଲୋକିତ ହୋଇଛି । ସ୍କୁଲର ଝରକା ଦେଇ ଦେଖିଲୁ, ଛ’ ସାତଜଣ ବ୍ୟକ୍ତି, ଧିର ମନ୍ଥର ସ୍ୱରରରେ କ’ଣ ଆଲୋଚନା କରୁଛନ୍ତି ।

 

ଗାଡ଼ିର ଡ୍ରାଇଭରକୁ ପଚାରି ସବୁ ବୁଝିଲୁ । ସ୍ୱତନ୍ତ୍ର ଦଳର ଜଣେ ବିଶିଷ୍ଟ ନେତା ଆସିଛନ୍ତି । ତାଙ୍କ ସହିତ ଅତି ଗୁପ୍ତରେ ଅନିରୁଦ୍ଧ ମଧ୍ୟ ପରାମର୍ଶ କରୁଛନ୍ତି । ଆମ ନିର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ରଦଳ ତରଫରୁ ଯେଉଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି, ସେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

 

ସେମାନଙ୍କ ଆଲୋଚନାର ବିଷୟବସ୍ତୁ ଶୁଣିବା ପାଇଁ ଆମେ ଦୁହେଁଯାକ ଉତ୍ସୁକ ହୋଇ ଉଠିଲୁ । ଧୀରେ ଧୀରେ ଗୋଡ଼ ଚାପି ଅତି ସନ୍ତର୍ପଣରେ, ସ୍କୁଲ ଘରର ଝରକା ପାଖକୁ ଗଲୁ ।

 

ସ୍ୱତନ୍ତ୍ର ଦଳର ଜନୈକନେତା ଅନିରୁଦ୍ଧକୁ ଅନୁରୋଧ କରି କହିଲେ–ସମଗ୍ର ନିର୍ବାଚନ ମଣ୍ଡଳୀରେ ଆମର ଜିତିବାର ଆଶା ଖୁବ୍ ଉଜ୍ଜ୍ୱଳ ଅନିରୁଦ୍ଧ ବାବୁ ! ଆପଣ ଏବେଳେ ଆମକୁ ସାହାଯ୍ୟ କଲେ ଆମେ ନିଶ୍ଚିତ ଭାବେ ଜୟଲାଭ କରିବୁ । ଜନସ୍ୱାର୍ଥ ବିରୋଧୀ କଂଗ୍ରେସର ଆମେ ପ୍ରତିଶୋଧ ଚାହୁଁ ।

 

ଆପଣ ବର୍ତ୍ତମାନ ଏଇ ଦୁଇଶହଟଙ୍କା ନେଇ ଥାଆନ୍ତୁ । ଇଲେକସନ୍ ସରିଲାପରେ ଆଉ ଦୁଇଶହଟଙ୍କା ଦିଆଯିବ ।

 

ଅନିରୁଦ୍ଧ ହସି ହସି, ସ୍ୱତନ୍ତ୍ରଦଳର ନେତାଙ୍କଠାରୁ ଦୁଇଶହଟଙ୍କା ଆଣି ପକେଟରେ ରଖିଲେ ।

 

ଆମେ ଆଉ ଠିଆ ହୋଇ ପାରିଲୁ ନାହିଁ । ବହୁରୂପୀ, ନୀତିହୀନ, ଆଦର୍ଶହୀନ, ସୁବିଧାବାଦୀ ଅନିରୁଦ୍ଧର ଭୂମିକା ଦେଖି ଆମେ ରାଗ, କ୍ରୋଧ ଓ ବିରକ୍ତିରେ ସେଠାରୁ ଫେରିଆସିଲୁ । ଗଣତାନ୍ତ୍ରିକ ରାଷ୍ଟ୍ରରେ ଅନିରୁଦ୍ଧ ଭଳି ଯଦି କେତେଜଣ ସଂଘବଦ୍ଧ ହୋଇ, ନିର୍ବାଚନ ସମୟରେ ଏଭଳି ପୃଷ୍ଠହୀନ ଭୂମିକା ଗ୍ରହଣ କରନ୍ତି, ଏ ଦେଶର ଗଣତାନ୍ତ୍ରିକ ପରମ୍ପରା, ନିର୍ବାଚନ ଓ ସୁସ୍ଥ ରାଜନୈତିକ ପରିବେଶ ଯେ କଳଙ୍କିତ ହୋଇଯିବ, ଏକଥା ସୁନିଶ୍ଚିତ ।

 

ଆମେ ସେଦିନ ଫେରି ଆସିଲୁ ।

 

ନିର୍ବାଚନ ସରିଯାଇ ଫଳ ଘୋଷିତ ହେଲା । ନିର୍ବାଚନ ପରେ ପରେ ମୁଁ ମୋ କାର୍ଯ୍ୟକ୍ଷେତ୍ରକୁ ଫେରିଯିବି ବୋଲି ମନସ୍ଥ କରିଥିଲେ ମଧ୍ୟ ନିର୍ବାଚନ ଫଳାଫଳକୁ ଉପଭୋଗ କରିବା ପାଇଁ ଗାଁରେ ରହିଗଲି ।

 

ଫଳ ଘୋଷିତ ହେଲା ।

 

କଂଗ୍ରେସ ପ୍ରାର୍ଥୀ, ଅବଶେଷରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ, ପ୍ରଜାସୋସାଲିଷ୍ଟ ପ୍ରାର୍ଥୀଙ୍କୁ ମାତ୍ର ଦୁଇଶହ ଭୋଟରେ ପରାଜିତ କରି ବିଧାନସଭାକୁ ନିର୍ବାଚିତ ହେଲେ । କଂଗ୍ରେସଦଳ ତରଫରୁ ସେଦିନ ଏକ ବିରାଟ ସଭାର ଆୟୋଜନ ହେଲା । ବିଜୟୀ ପ୍ରାର୍ଥୀଙ୍କୁ କଣ୍ଠ ଦେଶରେ ଫୁଲମାଳାର ଏକ ସ୍ତୂପ....

 

ଅନିରୁଦ୍ଧ କିନ୍ତୁ ଆଗେ ଆଗେ । ତାଙ୍କ ପାଇଁ ସତେ ଯେପରି କଂଗ୍ରେସ ପ୍ରାର୍ଥୀ ଜିତିଗଲେ-। ତାଙ୍କରି ଅକ୍ଳାନ୍ତ ପରିଶ୍ରମ ଓ ପ୍ରଚାରଦ୍ୱାରା ଯେପରି କଂଗ୍ରେସର ମର୍ଯ୍ୟାଦା ରହିଗଲା-। ଆଗରେ କଂଗ୍ରେସ ପତାକା ଧରି, ଛାତିକୁ ଫୁଲାଇ ମୋଟା ମୋଟା ଦି’ପଟ ନିଶକୁ ମୋଡ଼ି ମୋଡ଼ି ଅନିରୁଦ୍ଧ ଚାଲିଥିଲେ ।

 

ମୁଁ ଓ ଚାରୁଚନ୍ଦ୍ର, ମି.ଇ. ସ୍କୁଲ ବାଣ୍ଡାରେ ଠିଆ ହୋଇ ବିଜୟଉତ୍ସବର ଏ ଶୋଭା ଯାତ୍ରାକୁ ନୁହେଁ, ଅନିରୁଦ୍ଧଙ୍କୁ ଲକ୍ଷ୍ୟ କରିଥିଲୁ ।

 

ମୁଁ ଭାବିଥିଲି ଆମ ଦେଶର ରାଜନୈତିକ ଦଳଗୁଡ଼ିକର ଯଦି ଦୂରଦୃଷ୍ଟି ଥାଆନ୍ତା, ତା’ ହେଲେ, ଅନିରୁଦ୍ଧଙ୍କ ପରି ଦଲାଲ, ଟାଉଟର, ପରସ୍ୱାପହରଣକାରୀ ଓ ସ୍ୱାର୍ଥପର ବ୍ୟକ୍ତମାନଙ୍କୁ ନିଜ ଦଳରେ ସଭ୍ୟ ଶ୍ରେଣୀଭକ୍ତ କରନ୍ତା ନାହିଁ । କ୍ଷମତା ଲାଭ କରିବା ପାଇଁ ଆମ ଦେଶର ରାଜନୈତିକ ଦଳଗୁଡ଼ିକ ଯେଭଳି ଭାବରେ ସଚେଷ୍ଟ, ଅନୁଷ୍ଠାନ ଭିତରକୁ ସଜାଡ଼ିବା ଓ ଶୃଙ୍ଖଳିତ କରିବା ପାଇଁ ସେମାନଙ୍କର ସେତିକି ଯତ୍ନ ଓ ଉଦ୍ୟମ ନାହିଁ ।

 

ଏ ଦେଶର ନିର୍ବାଚନ ସଂକ୍ରାନ୍ତରେ ଏକ ନୀଚ ଧାରଣା ନେଇ ମୁଁ ମୋ କର୍ମକ୍ଷେତ୍ରକୁ ଫେରି ଆସିଲି ।

 

ମୋ ଆସିବାର ପ୍ରାୟ ଚାରି ପରେ ଚାରୁଚନ୍ଦ୍ରଠାରୁ ଖଣ୍ଡିଏ ଚିଠି ପାଇଥିଲି । ସେ ଲେଖିଥିଲା–x x ଗତକାଲି, ଆମ ପଞ୍ଚାୟତ ସମିତିର ଚେୟାରମ୍ୟାନ ରୂପେ ଅନିରୁଦ୍ଧ ନାୟକ, କଂଗ୍ରେସଦଳର ଟିକେଟରେ ବିଜୟ ଲାଭ କଲେ । x x x

 

ମୁଁ ଆଉ ତା’ ଚିଠିଟା ପଢ଼ି ପାରିଲି ନାହିଁ । ଏଦେଶର ଗଣତାନ୍ତ୍ରିକ ନିର୍ବାଚନ ସମ୍ପର୍କରେ ଗତ କେତେ ଦିନ ଧରି ମୋ ମନ ଭିତରେ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା. ସେ ଦ୍ୱନ୍ଦ୍ୱକୁ ଚାରୁଚନ୍ଦ୍ରର ଚିଠି ଅଧିକ ଭାଗକ୍ରାନ୍ତ କରିଦେଲା ।

 

ମୁଁ ଆଉ କିଛି ଭାବିପାରିଲି ନାହିଁ । ନିରୁପାୟ ହୋଇ ଚାରୁଚନ୍ଦ୍ରର ଚିଠିଟାକୁ ଟିକ୍ ଟକ୍ କରି ଚିରି ବାହାରକୁ ଫୋପାଡ଼ି ଦେଲି ।

 

ଅନିରୁଦ୍ଧ ନାୟକଙ୍କ ସମସ୍ତ ଘଟଣାବଳୀ ମୋର ମାନସ ପଟରେ ନାଚି ଉଠିଲା ।

 

ଅନିରୂଦ୍ଧ ବାବୁ ଆଜି ପଞ୍ଚାୟତ ସମିତିର ଚେୟାରମ୍ୟାନ ! ସେ ପୁଣି ଦେଶ ସେବା କରିବେ ! !

Image

 

ଲ୍ୟାଣ୍ଡସ୍କ୍ୟାପର ନକ୍ସା

 

ଆସନ୍ତାକାଲି ପୁରୀ ଛାଡ଼ିବେ ପରିତୋଷ ସେଠାରେ ଛଅବର୍ଷ ରହିଲା ପରେ ।

 

ତାଙ୍କ ଆଖିରେ ପୁରୀ ଗୋଟିଏ ସ୍ଥାନ ନ ଥିଲା; ନ ଥିଲା ଓଡ଼ିଶା ମାନଚିତ୍ରରେ ଏକ ଭୌଗଳିକ ଚିହ୍ନିତ ରେଖା । ତାହା ଥିଲା ତାଙ୍କ ଆଖିରେ ସତେ ଯେପରି ଏକ ଲ୍ୟାଣ୍ଡସ୍କ୍ୟାପ୍ । ସମୁଦ୍ର, ବାଲିବନ୍ତ, ଝାଉଁ, ଦେଉଳ ଓ ଦାଣ୍ଡ ଏସମସ୍ତ ଯେପରି ଏକୀଭୂତ ହୋଇ ସେହି ଲ୍ୟାଣ୍ଡସ୍କ୍ୟାପରେ କ୍ରମଃ ସଜ୍ଜିତ ହୋଇ ରହିଥିଲେ ଏବଂ ଏସମସ୍ତ ପ୍ରଚ୍ଛଦଚିତ୍ରକୁ ଦେଖି ପରିତୋଷ ଦୀର୍ଘ ଛଅ ବର୍ଷକାଳ ସତେ ଯେପରି ଭୁଲି ଯାଇଥିଲେ ଆପଣାର ସ୍ଥିତିକୁ ।

 

ପ୍ରଥମେ ସେ ଆସିଥିଲେ ପୁରୀକୁ ଜଣେ ସରକାରୀ କର୍ମଚାରୀ ଚିରାଚରିତ ରୂପେ ଯେପରି ବଦଳିହୋଇ ଆସେ ଅନ୍ୟ ସ୍ଥାନମାନଙ୍କରୁ । ପ୍ରଥମେ ପ୍ରଥମେ ଏଇ ସ୍ଥାନ ତାଙ୍କୁ ଲାଗିଥିଲା ଏକ ପ୍ରାଣହୀନ ବାଲୁକାପ୍ରାନ୍ତର ପରି । ମାତ୍ର କିଛି ଦିନ ପରେ ଏହା ତାଙ୍କ ଆଗରେ ଦିଶିଲା ଏକ ଶୋଭନୀୟ, ବୈଚିତ୍ର୍ୟମୟ ସ୍ଥାନ, ଯାହାକି ତାଙ୍କ ଘର ଓ ଗାଁଠାରୁ ହୋଇ ଉଠିଲା ଅଧିକ ମମତାମୟ ।

 

ଆସନ୍ତାକାଲି ସେ ପୁରୀରୁ ବିଦାୟ ନେବେ । ତେଣୁ ଏହାର ପ୍ରତ୍ୟେକ ସ୍ଥାନ ଅର୍ଥାତ୍ ଯାହା ତାଙ୍କୁ ଗୋଟିଏ ଲ୍ୟାଣ୍ଡସ୍କ୍ୟାପ୍ ପରି ପ୍ରତୀତି ହୁଏ, ସେସବୁକୁ ଶେଷଥର ପାଇଁ ଦେଖି ନେବେ-। ନ ହେଲେ ମନ ଭିତରେ ରହିଯିବ ଦାରୁଣ ଅବଶୋଷ ।

 

ସେ ପ୍ରଥମେ ବଡଦାଣ୍ଡକୁ ଆସିଲେ । ସିଂହଦ୍ୱାରରେ ସନ୍ଧ୍ୟା । ଦେଉଳର କେଉଁ ଭାଗରୁ ଭାଗବତର ଏକ ଜଣାଶୁଣା ଅଧ୍ୟାୟ ଆବୃତ୍ତି ଚାଲିଛି ବେଶ ଏକ ସାଙ୍ଗିତିକ ସ୍ୱର ଲହର ମଧ୍ୟରେ । ସେ ଥମକି ଠିଆ ହେଲେ । ଦେଉଳକୁ ଚାହିଁଲେ ତା’ପରେ । ବାଇଶି ପାହାଚରୁ ଓହ୍ଲାଇ ଆସିଛନ୍ତି ଅନେକ ତୀର୍ଥକାମୀ ଜଗନ୍ନାଥ ଦର୍ଶନାଭିଳାଷୀ ଭକ୍ତବୃନ୍ଦ । ଉଦାର ନମ୍ରତାରେ ସତେ ଯେପରି ଗୋଟିଏ ଗୋଟିଏ ମଉଳା ଫୁଲ ସେମାନେ । ପ୍ରତ୍ୟାବୃତ୍ତ ସମସ୍ତ ଭକ୍ତ ଯେପରି ଜଗନ୍ନାଥଙ୍କ ସୌମ୍ୟ ଓ ମୈତ୍ରୀ ମନ୍ତ୍ରରେ ଦୀକ୍ଷିତ ହୋଇ ଫେରୁଛନ୍ତି ଦେଉଳର ଗମ୍ଭୀରାରୁ ।

 

ପରିତୋଷ ଧୀରେ ଧୀରେ ଆଗେଇଲେ ଅରୁଣସ୍ତମ୍ଭ ଆଡ଼କୁ । ଭାବିଲେ, ସେ ଏଇଠି ଠିଆହୋଇ ଦାଣ୍ଡ ଓ ଦେଉଳର ବୈଚିତ୍ର୍ୟକୁ ଅନେକବାର ପ୍ରତ୍ୟକ୍ଷ କରନ୍ତି । ଆଜି କିନ୍ତୁ ଏଠି ଠିଆହେବାର କୌଣସି ପ୍ରୟୋଜନ ନାହିଁ । ଆଜି ଏଇ ବିଦାୟ ଲଗ୍ନରେ, ଦେଉଳର ବୈଚିତ୍ର୍ୟ ସେ ଏକାନ୍ତରେ ଉପଲବ୍‍ଧି କରିବେ ।

 

ପରିତୋଷ ଦେଉଳକୁ ଗଲେ । ଆଜି ଯେପରି ଦେଉଳ ଛଅ ବର୍ଷର ପରିକ୍ରମା ମଧ୍ୟରେ ତାଙ୍କ ଚେତନା ଓ ଅନୁଭୂତିରେ ହୋଇ ଉଠୁଛି ଅଧିକ ମମତା ସ୍ନିଗ୍‍ଧ ।

 

ବାଇଶି ପାହାଚର ଗୋଟିଏ ପାର୍ଶ୍ୱରେ ବସି ଅନ୍ଧଟିଏ ତା’ର ଚମତ୍କାର କଣ୍ଠରେ ଗାଉଛି ଜଗନ୍ନାଥଙ୍କ ଚଉତିଶା । ଆହା ! ତାଙ୍କ ଅନୁଭୂତି ଓ ଚେତନାରେ କ୍ରମଃ ପ୍ରଲେପିତ ହୋଇ ଆସୁଥିବା ଏକ ମମତା-ସ୍ନିଗଧ ଆକର୍ଷଣର ବଇଁଶୀରେ, ସେଇ ଅନ୍ଧଟିର ସ୍ୱର ଯେପରି ମୂର୍ଚ୍ଛିତ ହୋଇଗଲା ଅକସ୍ମାତ୍ ।

 

ସେ ଧୀରେ ଧୀରେ ଆଗେଇଲେ ଆଗକୁ । ନାରାୟଣଙ୍କ ଦର୍ଶନସାରି ସେ ଆଗେଇଲେ କଳ୍ପବଟଆଡ଼କୁ । ଏଇଠାରେ ସେ ସ୍ତବ୍‍ଧ ହୋଇ ଠିଆହେଲେ । ଦେଉଳର ଚଉଦିଗରେ ଖାଲି ଜଣାଣର ଶ୍ରଦ୍ଧା ନିବେଦନ ଏବଂ ଖୋଳ ଓ ଗିନିର ବିରାମହୀନ ମୃଦୁ ଗୁଞ୍ଜରଣ । ଦେଉଳର ପ୍ରତ୍ୟେକ କୋଣ ଓ ଅନୁକୋଣରେ ଜଣାଣ ଓ ବାଦ୍ୟଯନ୍ତ୍ରର ସମ୍ମିଳିତ ସ୍ୱର ଯେପରି ଲେସିହୋଇ ଯାଇଛି ନିବିଡ଼ ଭାବରେ ।

 

ସେ ଠିଆ ହୋଇ ରହିଛନ୍ତି ମୁଗ୍‍ଧ ବିମୂଢ଼ ହୋଇ ସେହିପରି । ପୁରୀରୁ ବିଦାୟ ନେଇ ଯାଉଥିବା ଅବସ୍ଥାରେ ଜଗନ୍ନାଥ କିଆଁ ଲଗାଇ ଦେଉଛନ୍ତି ତାଙ୍କ ଚେତନାରେ ଏକ ଶାଶ୍ୱତ ଆକର୍ଷଣର ଫଗୁ । ଯଦି ଏଇ ଆକର୍ଷଣ ଏତେ ପ୍ରବଳ କରୁଛ ପ୍ରଭୁ ! ମତେ କିଆଁ ନିର୍ବାସିତ କରୁଛ ତମର ଏଇ ନିତ୍ୟ ଲୀଳାସ୍ଥଳୀରୁ ଅନ୍ୟତ୍ର ! !

 

ଦେଉଳର ସବୁ ସଙ୍ଗୀତ, ଜଗନ୍ନାଥଙ୍କ ସମସ୍ତ ଜଣାଣର ଠୁଳୀଭୂତ ଲୀଳାମୃତ ସତେ ଯେପରି ଏକାକାର ହୋଇଗଲା ପରିତୋଷଙ୍କ ଚେତନାରେ । ସେ ଅନୁଭବ କଲେ ଦେଉଳର ପ୍ରତ୍ୟେକ ଅନ୍ଦିକନ୍ଦି ଏକ ଅପୂର୍ବ, ବୈଚିତ୍ର୍ୟମୟ ଇନ୍ଦ୍ରନୀଳ ଆଲୋକରେ ଉଦ୍ଭାସିତ ହୋଇ ଉଠୁଛି ବେଳକୁବେଳ ଏବଂ ସେଇ ଲୀଳାମୟ ସୌନ୍ଦର୍ଯ୍ୟର ଦିଗନ୍ତ ଯେପରି ବିସ୍ତାରିତ ହୋଇ ଯାଉଛି କ୍ରମଶଃ ।

 

ସେ ଆଉ ସେଠାରେ ଠିଆ ହୋଇ ପାରିଲେ ନାହିଁ । ଦେଉଳର ସମସ୍ତ ଅଂଶ ପରିକ୍ରମା କରିବାକୁ, ମନର ଅପର୍ଯ୍ୟାପ୍ତ ଉତ୍‍ଫୁଲ୍ଲତାରେ, ତାଙ୍କର ଆଉ ଧୈର୍ଯ୍ୟ ରହିଲା ନାହିଁ । ଦେଉଳର କ୍ରମଃ ଲୋଭନୀୟ ଚମତ୍କାରିତାରେ ସେ ଆଉ କେଉଁଠାକୁ ନ ଯାଇ ପୁଣି ଫେରି ଆସିଲେ ଦାଣ୍ଡକୁ । ଜଗନ୍ନାଥଙ୍କୁ ଦର୍ଶନ କରିବାର ଅଭୀପ୍‍ସା ଲୁଚିଗଲା ମନର କେଉଁ ଏକ ଦିଗନ୍ତରେ ଯେଉଁଠାରେ ନିଜେ ଜଗନ୍ନାଥ ବିମୂର୍ତ୍ତି ହୋଇ ରହିଛନ୍ତି ପରିତୋଷଙ୍କ ଭିତରେ ।

 

ଏଇତ ଦିଗ୍‍ବାରେଣୀ ଖୁଣ୍ଟ । ପରିତୋଷ ଭାବିଲେ ଏଇଠି ଠିଆ ହୋଇ ସେ ସମୁଦ୍ରକୁ ଅନାଇବେ, ଯେଉଁ ନୀଳନୀଳ ସମୁଦ୍ର ଶୋଇ ରହିଛି ମହାନିଦ୍ରାରେ ଅନନ୍ତକାଳ ଧରି ।

 

ନିଜ ସଚେତନତାର ଅଜ୍ଞାତରେ ପରିତୋଷ ଦିଗ୍‍ବାରେଣୀ ଖୁଣ୍ଟ ଅତିକ୍ରମ କରି ଚାଲିଗଲେ ସମୁଦ୍ର କୂଳକୁ । ସେ ବସି ପଡ଼ିଲେ ବାଲିବନ୍ତରେ ଚୁପ୍‍ଚାପ୍‍ ହୋଇ ।

 

ଏଇତ ସମୁଦ୍ର ! କ୍ଳାନ୍ତିହୀନ, ବିଶ୍ରାମହୀନ ଭାବରେ ଯିଏ ଗର୍ଜୁଛି ଅହରହ ସୃଷ୍ଟିର ଏକ ଆଦିମ ପ୍ରଭାତରୁ ।

 

ଏଇଠି ବସିଲେ ଭୁଲି ହୋଇଯାଏ ସବୁ । ଘରସଂସାର, ବ୍ୟକ୍ତିଗତ ଜୀବନର ଜଞ୍ଜାଳ ଜର୍ଜରିତ ମୁହୂର୍ତ୍ତ ସବୁ ମହାସମୁଦ୍ରର ଉତ୍ତାଳ ଲହରୀର ଫେନଚୂଡ଼ ଭିତରେ ବିନ୍ଦୁବିନ୍ଦୁ ହୋଇ ଲୀନ ହୋଇଯାଏ କେଉଁଆଡ଼େ । ସମୁଦ୍ରର ସେଇ ବିଶାଳତା ଓ ପରିବ୍ୟାପ୍ତ ଜଳରାଶିର ଅନନ୍ତ ବିସ୍ତୃତି ମଧ୍ୟରେ ମଣିଷର ସ୍ଥିତି ଦେଖାଯାଏ ସତେ ଯେପରି ଗୋଟିଏ କଳାବିନ୍ଦୁ ପରି ।

 

ପରିତୋଷ ଚାହିଁଲେ ଆକାଶକୁ । ଛେଉଛେଉଆ ଆକାଶ ଅଗଣାରେ ଜହ୍ନର ପେଟ୍ରୋମ୍ୟାକ୍‍ସ ଜଳୁଛି ।

 

ତାଙ୍କର ହଠାତ୍ ଦୃଷ୍ଟି ପ୍ରସାରିତ ହେଲା ରାଜଭବନ ପଛପଟକୁ ଲାଗି ଝାଉଁବନ ଉପରେ ଯେଉଁଠାରେ ଆକାଶର ନୀଳ ବିସ୍ତାର କ୍ରମଃ ନଇଁ ଆସିଥିଲା ଓ ଯେଉଁଠି ଜହ୍ନ କରୁଥିଲା ତା’ର ରେଶମୀ ଦସ୍ତଖତ । ସେଇ ରେଶମୀ ଦସ୍ତଖତ । ତଳେ ପୁଳାଏ ଝାଉଁବିଥି ଆହା ଦେଖାଯାଉଛି ଏକ କଲିଜାପରି !

 

ସେ ଲୋଭାତୁର ଦୃଷ୍ଟିରେ ଚାହିଁ ରହିଲେ ଜହ୍ନଲୋକର ଧୂଆ ପୁଳାଏ ଝାଉଁବୀଥିକୁ, ଯାହା ଦେଖାଯାଉଛି ତାଙ୍କର କଲିଜାପରି ସବୁଜ ଓ ପ୍ରାଣବନ୍ତ ।

 

ଝାଉଁବୀଥିର ପୁଳାଏ କଲିଜା ଓ ନୀଳନୀଳ ସମୁଦ୍ରର ଚେନାଏ ଅଂଶ ତାଙ୍କ ଚେତନାରେ ଲେଖିଦେଲା ବହୁ ବିଚିତ୍ର, ମନସ୍ତାତ୍ତ୍ୱିକ ପୀଡ଼ନର କେତେ ଅନନୁଭୂତ ଅଭିଜ୍ଞତା, ଯାହାକି ସେ ନିଜେ ଉପଲବ୍‍ଧି କଲେ ।

 

ସେ ହାତଘଣ୍ଟାକୁ ଚାହିଁଲେ । ରାତି ସାଢ଼େ ଆଠ । ସେ ମନେ ମନେ କହିଲେ ହେ ମୋର ସମୁଦ୍ର ! ଝାଉଁ ଓ ବାଲିବନ୍ତ !! ମୋତେ ମନେରଖିଥିବ ।

 

ପରିତୋଷ ଫେରିଲେ ।

 

ସମୁଦ୍ରରୁ ଫେରିଲେ ପରିତୋଷ । ବାମ ପାଖରେ ଠିଆ ହୋଇଛି ‘ଆଦର୍ଶ ନାରୀଶିକ୍ଷାଶ୍ରମ’ ବେଶ୍ ଏକ ନିଦୁଆଳୀ ଆଖିରେ । ଏଇଠି ରହିଛନ୍ତି କେତେ ଅନୂଢ଼ା କିଶୋରୀ, କେତେ ସ୍ୱାମୀ ପରିତ୍ୟକ୍ତା ଅଥଚ ଲାବଣ୍ୟମୟୀ ହତଭାଗିନୀ ପୁଣି କେତେ ବିଡ଼ମ୍ବିତ ଯୌବନବତୀ ଅଥଚ ସ୍ଖଳିତା ଅଭିଶପ୍ତା ନାରୀ । ଏଇ ସମସ୍ତଙ୍କର ମିଳିତ ନିଃଶ୍ୱାସରେ ଆଶ୍ରମର ପ୍ରତ୍ୟେକ ଇଟା, କଡ଼ି ଓ ବର୍ଗା ଉପରେ ହୁଏତ ପରସ୍ତେ କଳଙ୍କି ଲାଗି ଯାଇଥିବ ଓ ସେ ସମସ୍ତ କଳଙ୍କି, ଆଜି ରାତିର ଏଇ ନିଶୂନ ପହରରେ ହୁଏତ କେତେ କଥାଭାଷା ହେଉଥିବେ ।

 

ପରିତୋଷଙ୍କର ମନେପଡ଼ୁଛି....

 

ଏଇ ନାରୀ ଆଶ୍ରମର ସେ ଥିଲେ ଜଣ ନୀରବ ସଙ୍ଗଠକ । ଏହାର ଦୁଃଖ ଦୁର୍ବିପାକରେ, ଆନନ୍ଦ ଉତ୍ସବର କୋଳାହଳ ମଧ୍ୟରେ ଅନ୍ତେବାସିନୀମାନଙ୍କର, ବ୍ୟଥା, ନିର୍ଯ୍ୟାତନା ଓ ବେଦନା ଲାଘବ କରିବାରେ ସେ କେଡ଼େ ଅନ୍ତରଙ୍ଗ ହୋଇ ନ ଥିଲେ ସତେ !

 

ପରିତୋଷଙ୍କ ସ୍ମୃତିର କାଗଜ ସବୁ ଫଡ଼୍‍ଫାଡ଼୍ ହୋଇ ଉଡ଼ିଲା ରାତ୍ରିର ନିଃଶବ୍ଦ ପ୍ରହରରେ । କେତେ ତରୁଣୀ ଓ ବର୍ଷିୟସୀ ନାରୀ ଆପଣାର ଦୁଃଖ କହି କହି ଆଖିରୁ ଲୁହ ପୋଛିଥିଲେ ତାଙ୍କ ଆଗରେ । ଆହା ! ସେଇ ଯେଉଁ ହେନା ନାମଧେୟା ବ୍ରାହ୍ମଣ ଘରର ବିବାହିତା ତରୁଣୀଟି ! କେତେ ନିର୍ଯ୍ୟାତନା ନ ସହିଛି ଜୀବନରେ !

 

ନିଦୁଆଳୀ ଆଶ୍ରମଟି ହୁଏତ ନିଦ୍ରା ଯାଇଛି । ତା’ ଭିତରେ ବର୍ତ୍ତମାନ କିଛି ସ୍ୱର ଶବ୍ଦ ଶୁଣାଯାଉ ନାହିଁ । ବେଶ୍ ଭଲ ହୋଇଛି । ତାହାର ଅନ୍ତେବାସିନୀମାନେ ଜାଣି ନାହାନ୍ତି ସେ ଆସନ୍ତାକାଲି ପୁରୀ ଛାଡ଼ୁଛନ୍ତି ବୋଲି । ଜାଣିବା ଲାଭ କ’ଣ ? ହୁଏତ କେହି କେହି ଦୁଃଖ କରିବେ-। କେହି କେହି ହୁଏତ କହିବେ–ସାର୍ ଆମକୁ ମନେ ରଖିଥିବେ । କେତେକଙ୍କୁ ଆର୍ଥିକ ଅଥବା ବ୍ୟକ୍ତିଗତ ଭାବରେ ଆଉ କିଛି କିଛି ସାହଯ୍ୟ ସେ ଦେଇଥିଲେ । ତାହାର ପ୍ରତିଦାନରେ, ତାଙ୍କ ବିଦାୟକାଳୀନ ମୁହୂର୍ତ୍ତରେ ହୁଏତ ସେମାନେ କୃତଜ୍ଞତାରେ ସ୍ନାନ କରି ବସିବେ । କ’ଣ ବା ଦର୍କାର ସେ ଲୌକିକ କୃତଜ୍ଞତା ? ଯଦି ସେଇ ଅଭିଶପ୍ତା ନାରୀମାନଙ୍କର କେବେ କିଛି ଉପକାର ସେ କରିଥାନ୍ତି, ତେବେ ସେମାନେ ମନେ ରଖିଥାନ୍ତୁ ତାଙ୍କୁ ତାଙ୍କର ଅଜ୍ଞାତରେ ।

 

ପରିତୋଷ ଆଗେଇଲେ ।

 

ଆଗରେ ଗୋଟିଏ ଘୁମନ୍ତ କ୍ୱାଟର । ତାହାର ଅନତି ଦୂରରେ ଗୋଟିଏ ସରକାରୀ କାର୍ଯ୍ୟାଳୟ ।

 

ସେଇ କ୍ୱାଟରଟିର ଆଲୋକ, ଝର୍କାଦେଇ ଛିଟିକି ପଡ଼ିଛି ବାହାରକୁ । ହୁଏତ ଶ୍ୟାମଗୌରବାବୁ ଚେଇଁଥିବେ, ଚେଇଁ ଚେଇଁ ହୁଏତ ତାଙ୍କ ସାନଝିଅ ମାନୀ ସହିତ ଖେଳୁଥିବେ ।

 

ସରକାରୀ ଚଳଣୀରେ ଶ୍ୟାମଗୌରବାବୁ ତାଙ୍କର ଅଫିସର । କିନ୍ତୁ ଅନାତ୍ମିକ ଭାବରେ ଭାବିନେଲେ ସେ ତାଙ୍କର ବଡ଼ଭାଇ । ଏକା ଗାଁରେ ଘର । ଅଫିସରର ଗର୍ବ ଓ ଅହଙ୍କାରକୁ ଚିରାଲୁଗା ଫୋପାଡ଼ି ଦେଲା ପରି, କେତେ ଶ୍ରଦ୍ଧା ଓ ସ୍ନେହ ନ କରନ୍ତି ତାଙ୍କୁ ସେ ! ଆଉ ତାଙ୍କର ସ୍ତ୍ରୀ ସୁଜାତା ଦେବୀ, ମାତୃପ୍ରତିମ ବଡ଼ ଭାଉଜ । ଘରେ ପହଞ୍ଚି ଗଲେ ଅତି କମରେ ଚା’ ଟିକିଏ ନ ଖୋଇ ସେ କେବେ ଛାଡ଼ି ଦିଅନ୍ତି ନାହିଁ । ସେଇ ସ୍ନେହଶୀଳ ପରିବାରଟି ଏଇ ଘୁମନ୍ତ କ୍ୱାଟରଟିରେ ହୁଏତ ଆପଣାର ପାରିବାରିକ ଦୁଃଖ ସୁଖରେ ବ୍ୟସ୍ତ ରହିଥିବେ ।

 

ପରିତୋଷଙ୍କ ଇଚ୍ଛା ହେଉଥିଲା ସିଆଡ଼େ ଯିବାକୁ । କିନ୍ତୁ ତାଙ୍କର ଗୋଡ଼ ଆଗେଇଲା ନାହିଁ । ଏଇ ଶ୍ୟାମଗୌରବାବୁ ଆସିବାର ମାତ୍ର ପାଞ୍ଚମାସ ହୋଇଛି । ତାଙ୍କ ଉପରିସ୍ଥ କର୍ତ୍ତା ରୂପେ ପାଇ ପରିତୋଷର ମନ କିଛିକାଳ ହୋଇଯାଇଥିଲା ବେଶ୍ ଆଶ୍ୱସ୍ତ । କିନ୍ତୁ ଏଇ ପୁରୀରେ ନିଜେ ଛଅ ବର୍ଷ ରହିଯାଇଥିବାରୁ ହଠାତ୍ ଆସିଗଲା ବଦଳି ଆଦେଶର ସ୍ରୋତ ଯାହାକୁ ଆଉ କୌଣସି ମତେ ରୋକି ହେବ ନାହିଁ ।

 

ଆଜି ସନ୍ଧ୍ୟାପୂର୍ବରୁ ଶ୍ୟାମଗୌରବାବୁଙ୍କଠାରୁ ବିଦାୟ ନେଇ ଆସିଲାବେଳେ ତାଙ୍କର ଆଖି ଅଶ୍ରୁ ସଜଳ ହୋଇ ଉଠିଥିଲା । ବିଦାୟ ନେଇ ଆସିବା ପରେ ଆଉ ଥରେ ଯିବାର କି ଅବା ପ୍ରୟୋଜନ ?

 

ପରିତୋଷ ଆଗେଇଲେ ।

 

ଏଇତ କନ୍‍ଭେଣ୍ଟ୍ । ଏଇଠାରେ ପ୍ରତିଦିନ ଆଂଲୋଇଣ୍ଡିଆନ୍ ଶିକ୍ଷୟିତ୍ରୀଙ୍କୁ ନୂଆ ନୂଆ ଢଙ୍ଗରେ ସ୍କାଟ୍ ପିନ୍ଧିବାର ସେ ଦେଖିଛନ୍ତି । ସାରଙ୍ଗୀରେ ରିଆଜ୍ କଲାପରି ଇଂରେଜରେ ଟୁଂ ଟାଂ କଥା କହନ୍ତି । ଆଜିର ଏଇ ଜହ୍ନରାତିରେ କନ୍‍ଭେଣ୍ଟ୍ ଚୁଡ଼ାରେ ଏଇ ଦିଶୁଛି ଯୀଶୁଖ୍ରୀଷ୍ଟଙ୍କ କ୍ରସ୍ ଚିହ୍ନ, ସତେ ଯେମିତି ପରିତୋଷଙ୍କୁ ରାତିର କନ୍‍ଭେଣ୍ଟ୍ ଓ ତାହାର ଜଣାଶୁଣା ପରିଚିତା ବଗପକ୍ଷିଆ ମଦରମାନେ ବାହୁ ଉତ୍ତୋଳନ କରି, ତାଙ୍କୁ ଅପେକ୍ଷାକୃତ ଅନ୍ତରଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି ।

 

ପରିତୋଷଙ୍କ ଆଖି ଫେରିଲା କ୍ରସ୍ ଉପରୁ ।

 

କନଭେଣ୍ଟ୍ ଆରପଟେ ଏଇ ଯେ ଦିଶୁଛି ଧଳାରଙ୍ଗର ଏକ ସମ୍ଭ୍ରାନ୍ତ ଗୀର୍ଜା, ସେଠାରେ ରହିଛନ୍ତି ମାଡ଼ାମ ମାର୍ଗାରେଟ୍ । ଜଣେ ଖ୍ରୀଷ୍ଟିୟାନ୍ ମିସନାରୀ । ବୟସ ପଚାଶରୁ ଊର୍ଦ୍ଧ୍ୱ ହେବ । ସ୍କଟଟ୍ଲ୍ୟାଣ୍ଡରୁ ଆସି ଓଡ଼ିଶାରେ କଟାଇ ଦେଲେଣି ତିରିଶ ବର୍ଷ । ତଥାପି ସେ ଅବିବାହିତା ।

 

କେତେଥର ସେ ସାଦର ନିମନ୍ତ୍ରଣ କରିଛନ୍ତି ତାଙ୍କୁ । ତାଙ୍କର ମାତୃ ପ୍ରତିମ ସ୍ନେହ ଶ୍ରଦ୍ଧା ଅବିସ୍ମରଣୀୟ । ତାଙ୍କର ଦୁଇଟି ସୁନୀଳ ଚକ୍ଷୁ ତାରକାରୁ ଝରି ଝରି ପଡ଼େ କଲ୍ୟାଣର ପେନ୍ଥା ପେନ୍ଥା ଫୁଲ । ପ୍ରତି ରବିବାର ଦିନ ତାଙ୍କ ପାଖକୁ ନ ଗଲେ, ସେ ଭାରି ଆପତ୍ତି କରନ୍ତି ଓ ପାଉଁରୁଟି ସାଙ୍ଗକୁ ମଖନର ମାତ୍ରା ବଢ଼ାଇ ଦେଇ କହନ୍ତି–ଗତଥର ତମେ ଅନୁପସ୍ଥିତ ଥିଲ । ତେଣୁ ତମକୁ ବେଶୀ ଖାଇବାକୁ ହେବ ।

 

ସ୍କଟଊ୍ୟାଣ୍ଡ କେଉଁଠି ? ମାଗାରେଟ୍ ପୁଣି କିଏ ? କ୍ୟାଥଲିକ୍ ଧର୍ମ ପ୍ରଚାର ପାଇଁ ତାଙ୍କର ଦୃଷ୍ଟିକୋଣ ଓ ଆଦର୍ଶ ଭିନ୍ନ । ଅଥଚ ଯଶୋଦାଙ୍କ ପରି ଅନ୍ତର ତାଙ୍କର ମେଦୁରିତ !

 

ସେହି ବିଦେଶିନୀ ମହିଳାଟି ହୁଏତ ଶୋଇ ସାରିବେଣି । ତାଙ୍କଠାରୁ ମେଲାଣି ଆଣିଥିଲେ ଭଲ ହୋଇଥାନ୍ତା ! କିନ୍ତୁ ମେଲାଣି ଆଣିବାର କି ଅବା ପ୍ରୟୋଜନ ? ସମୟ ତାଙ୍କୁ ବହୁ ପରିବେଶ ସହିତ ମିଶିବାକୁ ସୁଯୋଗ ଦେଇଥିଲା । ପୁଣି ସେହି ସମୟ, ତାହାର ସର୍ବଗ୍ରାସୀ ଡଷ୍ଟରରେ ପୋଛି ଦେଉଛି ସବୁ ଅବଲୀଳା କ୍ରମେ । ମାଡ଼ାମ୍ ମାର୍ଗାରେଟ୍ ମଧ୍ୟ ପୋଛି ହୋଇଯିବେ ମନ ଭିତରୁ ଆଉ କିଛିଦିନ ପରେ ।

 

ଆଗରେ ଏକ ସରକାରୀ କାର୍ଯ୍ୟାଳୟ, ଯେଉଁଠାରେ ତାଙ୍କ ଯୌବନର ଏକ ବର୍ଣ୍ଣାଢ଼୍ୟ ପ୍ରଭାତ ଉତ୍ତୀର୍ଣ୍ଣ ହୋଇଯାଇଛି । ବର୍ତ୍ତମାନ ରାତି ସାଢ଼େ ନଅ । ଅଫିସରେ କେହି ନ ଥିବେ । ସବୁ ନୀରବ ଓ ଶୁନଶାନ୍ । ହୁଏତ ହାଲୁ ନାମଧେୟ ଏକ ଷାଠିଏ ବର୍ଷ ବୟସର ବୃଦ୍ଧଟି, ଯିଏ ଚାକିରି ରେକର୍ଡ଼ରେ ନିଜର ଚତୁରପଣିଆଁ ଯୋଗୁଁ ମାତ୍ର ପଞ୍ଚତ୍ରାଶ ବର୍ଷ ଲେଖାଇ ପାରିଛି, ସେହି ବୃଦ୍ଧ ଓ ତରୁଣଟି (?) ଭାଲୁ ଭଳି ଅଫିସ ବାରଣ୍ଡାରେ ଚାରିକାତ ମେଲି ଗଡ଼ୁଥିବ ।

 

ପରିତୋଷ ଖୁବ୍ ଅନ୍ତରଙ୍ଗ ଭାବରେ ଅଫିସର ନାମଫଳକକୁ ଚାହିଁଲେ ଜହ୍ନ ଆଲୁଅରେ ନାମଫଳକରେ ଲିପିବଦ୍ଧ ହୋଇଥିବା ପ୍ରତ୍ୟେକ ଅକ୍ଷରକୁ ସେ ପଢ଼ି ପାରୁଥିଲେ ସ୍ପଷ୍ଟ ଭାବରେ ।

 

କିଛି ସମୟ ସେ ଅଫିସର ପ୍ରକାଣ୍ଡ ପାଚେରୀକୁ ଅନାଇଁ ରହିଲେ । ତା’ପରେ ସେ ଫେରି ଆସିଲେ ରାସ୍ତା ଉପରକୁ ଘରକୁ ଫେରିଯିବା ଲାଗି ।

 

କିନ୍ତୁ କେଜାଣି କାହିଁକି ତାଙ୍କର ମନର ଦିଗନ୍ତରେ ପ୍ରତିଫଳିତ ହେଲେ ଅଫିସରେ କାର୍ଯ୍ୟ କରୁଥିବା ତିନିଗୋଟି ନାରୀ । ରୀତା, ଗାୟତ୍ରୀ ଓ ଶ୍ୟାମଳୀ । ଅଫିସ୍ ଭିତରକୁ ପଶିଯାଇ ସେମାନଙ୍କୁ ଚାହିଁଦେଲେ, ତାଙ୍କର ଶିଳ୍ପୀସୁଲଭ ମନ ଭରିଯାଏ ଆନନ୍ଦର ପ୍ରାଚୁର୍ଯ୍ୟରେ । ଆଉ ହୁଏତ ସେମାନଙ୍କୁ ଦେଖିବାର ଅବକାଶ ମିଳିବ ନାହିଁ ।

 

ଆହା ରୀତା ! ହିନ୍ଦୁଧର୍ମର ଧର୍ମଗ୍ରନ୍ଥ ଗୀତାପରି ସେଇ ତରୁଣୀଟି କେଡ଼େ ଉଦାସ ଓ ନିର୍ଲିପ୍ତ ! ତା’ର ସେଇ ଗଦ୍ୟମୟ ଉଦାରତା ମଧ୍ୟରେ ଯଦିଓ ଭରି ରହିଛି ଆପାତତଃ ଏକ କାରୁଣ୍ୟ, ତଥାପି ତା’ମଧ୍ୟରେ ପ୍ରଚ୍ଛନ୍ନ ଭାବରେ ଲେସି ହୋଇଯାଇଛି ଏକ ଭୀରୁ ଲାବଣ୍ୟ । ଭାରି ସୁନ୍ଦର !

 

ଗାୟତ୍ରୀ ! ଗାୟତ୍ରୀ ମନ୍ତ୍ରର ଉଚ୍ଚାରିତ ପ୍ରଗଳ୍‍ଭତା, ତା’ ମଧ୍ୟରେ ଦେଖିବାକୁ ମିଳେ ଅସୁମାର । ତାହାର ସଂଳାପ ଗୋଟିଏ ଅଜ୍ଞାତ ବାଳୁତଠାରୁ ଯଦିଓ କୌତୂହଳଜନକ, ତଥାପି ତାହାର ନେପଥ୍ୟରେ ଭରି ରହିଥିଲା ଯେଉଁ ସାରଲ୍ୟ ଓ ଲାଳିତ୍ୟ, ଆଃ ଭାରି ଚମତ୍କାର !

 

ଆଉ ଶ୍ୟାମଳୀ ! ବନାନୀର ଶ୍ୟାମଳିମା ସତେ ଅବା ବୁଲି ଆସିଥିଲା ତାହାର ତନୁଶ୍ରୀରେ । କେତେବେଳେ ସେ ଦିଶେ ଦିଗହଜା ଶ୍ୟାମ ବନାନୀ ପରି ଗୋଟିଏ ନିଷ୍ପାପ ଶାନ୍ତ ଶିଶୁ, ଆଉ କେତେବେଳେ ସେ ଦିଶେ ଏକ ଦୂରନ୍ତ ଓ ଦୁର୍ବିନୀତ ଅରଣ୍ୟ ଶାବକ । ଖୁବ୍ ଭଲ ଲାଗେ ପରିତୋଷଙ୍କୁ ।

 

ପରିତୋଷ ଫେରି ଆସିଲେ ଘରକୁ ।

 

ରିକ୍‍ସା ତିନୋଟି ରହିଛି ତାଙ୍କ ଘର ଆଗରେ । ଜିନିଷପତ୍ର ଲଦାଲଦି ସରିଲାଣି । ପରିତୋଷ ବସ୍‍ଷ୍ଟାଣ୍ଡଆଡ଼େ ଯିବେ ।

 

ଯେଉଁ ଘରେ ସେ କଟାଇ ଦେଇଥିଲେ ଛଅଟି ବର୍ଷ, ଆଜି ସେଇ ଘର ଛାଡ଼ିଦେବେ । ଏତେ ଆପଣାର ଯେଉଁ ଘର, ଯାହା ଭିତରେ ତାଙ୍କ ଜୀବନର କେତେ ହର୍ଷ, ବିଷାଦ, ବ୍ୟର୍ଥତା ଓ ସାଫଲ୍ୟ ଖୁନ୍ଦି ହୋଇ ରହିଥିଲା ରେଣୁ ରେଣୁ ହୋଇ ତା’ର ସୀମିତ ପରିବେଷ୍ଟନୀ ମଧ୍ୟରେ, ସେହି ଘରକୁ ଆଜି ଛାଡ଼ିଦେବେ ।

 

ପରିତୋଷଙ୍କ ମନ ଆର୍ଦ୍ର ହୋଇ ଉଠିଲା ।

 

ସେ ଚାହିଁଲେ ପଡ଼ିଶା ଘରମାନଙ୍କୁ । ଆଃ, ଏ କ’ଣ ? ପ୍ରତ୍ୟେକ ଦୁଆରେ, ଗବାକ୍ଷ ପୁଡ଼ା ଧରି ଠିଆ ହୋଇଛନ୍ତି ପଡ଼ୋଶୀ ବୋହୂ, ଝିଅ ଓ ବୁଢ଼ୀ ମାଉସୀମାନେ ! ସେମାନେ ଆଖିରୁ ନୀରବରେ ଲୁହ ପୋଛୁଛନ୍ତି ! କାହିଁକି ? କ’ଣ ପାଇଁ ? ସେ ତ ଏପରି କିଛି କାମ କରିନାହାଁନ୍ତି ଦିନେ ? ଅଥଚ ତାଙ୍କ ବିଦାୟବେଳେ ସେମାନଙ୍କର ଏ କି ଅଶ୍ରୁଭିଜା ଛଳଛଳ ଆଖି ?

 

ପରିତୋଷ ଏକ ଅବରୁଦ୍ଧ ଆବେଗରେ ଭାଙ୍ଗି ପଡ଼ିଲେ ଓ ତାଙ୍କର ଆଖି ଲୁହରେ ଅନ୍ଧ ହୋଇଗଲା । ଗୋଟିଏ ରିକ୍‍ସାରେ ବସିପଡ଼ି ବସଷ୍ଟାଣ୍ଡ ଆଡ଼େ ଯିବାପାଇଁ ହାତ ଠାରିଲେ ।

 

ବଡ଼ଦାଣ୍ଡରେ ରିକ୍‍ସା ଗଡ଼ି ଗଡ଼ି ଚାଲିଛି । ପଡ଼ିଶା ଘରର ବୋହୂ, ଝିଅ ଓ ବୁଢ଼ୀ ମାଉସୀମାନଙ୍କ ଛଳଛଳ ଆଖି ଆଉ ଦୃଶ୍ୟ ହେଉନାହିଁ ।

 

ଦାଣ୍ଡର ଦାଣ୍ଡେ କମଳା ରଙ୍ଗର ଖରା, ଭାରି ନରମ ଲହୁଣୀ କୋମଳ ପରି ।

Image

 

ପୀଡ଼ିତର ସ୍ୱଗତୋକ୍ତି

 

ଦଶହରା ଆହୁରି ପନ୍ଦର ଦିନ ବାକି ଅଛି ଅଥଚ ସେଦିନ ସନ୍ଧ୍ୟାରେ କଟକ ବିପଣୀରେ ଯେପରି ପହଁରି ପହଁରି ବୁଲୁଥିଲା ଏକ ଉତ୍ସବ ମତୁଆଳ ବେଗବାନ୍ ହରିଣଟିଏ ।

 

ସବୁଦିନ ପ୍ରାଣକୃଷ୍ଣ ଅଫିସ୍ କାମ ସାରି ବସ୍‍ଷ୍ଟାଣ୍ଡକୁ ଆସନ୍ତି ଏବଂ ସେଇଠାରୁ ବସ୍ ଧରି ଭୁବନେଶ୍ୱର ଫେରନ୍ତି । ଗତ ତିନି ବର୍ଷ ଧରି ଭୁବନେଶ୍ୱରରୁ କଟକ ଯିବା ଆସିବା କରିବା ଓ ପ୍ରତିଦିନ ରାତି ସାଢ଼େ ସାତଟାବେଳେ ଭୁବନେଶ୍ୱରରେ ପହଁଞ୍ଚିବା ଯେପରି ପ୍ରାଣକୃଷ୍ଣଙ୍କର ଏକ ସ୍ୱାଭାବିକ ଅଭ୍ୟାସରେ ପରିଣତ ହୋଇ ଯାଇଛି ।

 

ସେଦିନ ପ୍ରାଣକୃଷ୍ଣ ପାଞ୍ଚଟା ପରେ ଅଫିସରୁ ବସ୍‍ଷ୍ଟାଣ୍ଡକୁ ଯାଉ ଯାଉ ଅକସ୍ମାତ୍ ନିଜ ଡାହାଣ ଗୋଡ଼ରେ ଏକ ଯନ୍ତ୍ରଣା ଅନୁଭବ କଲେ । ସେଇ ଯନ୍ତ୍ରଣା ଭିତରେ ସେ ଆହୁରି କିଛି ବାଟ ଆଗେଇଲେ । ସେ ଧାରଣା କରିପାରିଲେ ଯେ, ତାଙ୍କର ଡାହାଣ ଗୋଡ଼ଟି ସ୍ୱାଭାବିକ ଭାବରେ କାର୍ଯ୍ୟ କରୁନାହିଁ ଏବଂ ଚାଲିଲାବେଳେ ଗୋଡ଼ର ଭଣ୍ଡି ମଧ୍ୟରେ ଗୁରୁଗୁରୁ ହୋଇ ଏକ ଦୂରନ୍ତ ଯନ୍ତ୍ରଣା ଯେପରି ତାଙ୍କ ସାରା ଦେହକୁ ସଂକ୍ରମିତ କରୁଛି ।

 

ପ୍ରାଣକୃଷ୍ଣ ବସ୍‍ଷ୍ଟାଣ୍ଡକୁ ଆଗେଇଲେ । ଚାଲିଲାବେଳେ ଡାହାଣ ଗୋଡ଼ର ସେଇ ଆକସ୍ମିକ ଯନ୍ତ୍ରଣା ତାଙ୍କ ମନ ଭିତରେ ଏକ ଯୁଗପତ୍ ଆଶଙ୍କା ସୃଷ୍ଟିକଲା । ସେଦିନ ରାତି ସାଢ଼େ ସାତଟାରେ ଭୁବନେଶ୍ୱରରେ ପହଞ୍ଚିଲେ । ତାଙ୍କର ଧାରଣା ହେଲା ଯେ ଗୋଡ଼ର କେଉଁ ଏକ ଅଂଶରେ ରକ୍ତ ସଂଚାଳନର ହୁଏତ ଅସୁବିଧା ହୋଇଛି । ତେଣୁ ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି ।

 

ଲାଗ ଲାଗ ସେ ତିନିଦିନ କାଳ ରାତିରେ ଶୋଇଲାବେଳେ ଗୋଡ଼ରେ ଗରମ ପାଣି ସେକ ଦେଲେ । ମାତ୍ର ସେହି ଯନ୍ତ୍ରଣାର ଉପଶମ ନ ଘଟି ବରଂ କ୍ରମଶଃ ତାହା ବଢ଼ିବାକୁ ଲାଗିଲା ।

 

ପ୍ରାଣକୃଷ୍ଣ ସଳଖ ଭାବରେ ଚାଲିବାକୁ ଯେତେ ଚେଷ୍ଟା କଲେ, ମାତ୍ର ତାହା ହେଲାନାହିଁ-। ଜନ୍ମରୁ ଛୋଟା କିମ୍ବା କୌଣସି ଏକ ଆକସ୍ମିକ ଦୁର୍ଘଟଣାରେ ଆହତ ଓ ଗୋଡ଼ ଭାଙ୍ଗିଯିବା ଲୋକପରି ସେ ଛୋଟେଇ ଛୋଟେଇ ଘରୁ ବସ୍‍ଷ୍ଟାଣ୍ଡକୁ ଓ ବସ୍‍ଷ୍ଟାଣ୍ଡରୁ ଅଫିସକୁ ଯିବା ଆସିବା କଲେ । ଛୋଟେଇ ଛୋଟେଇ ଚାଲିଲାବେଳେ ସେ ଉପଲବ୍‍ଧି କଲେ ସହଜ ଓ ସ୍ୱାଭାବିକ ମଣିଷର ସଂସାରରେ ସେ ଯେପରି ଏକ ବ୍ୟତିକ୍ରମ, ସାରା ଜଗତର ମଣିଷର ସୁସ୍ଥ ସବଳ ହୋଇ ଜୀବନ-ନୌକା ମେଲିଥିଲା ବେଳେ ସେ ଯେପରି ଏକାକୀ ସଢ଼ୁଛନ୍ତି ଏକ ଅନନୁଭୂତ ଅଥଚ ନୂତନ ଶାରୀରିକ ବ୍ୟାଧିରେ ।

 

ତିନିଦିନ ବିତିଗଲା । ତାଙ୍କ ଗୋଡ଼ ଯନ୍ତ୍ରଣାର କୌଣସି ଉପଶମ ହେଲାନାହିଁ । ସେଦିନ ସେ ଅଫିସ୍ ସାରି କଟକରେ ରହୁଥିବା ତାଙ୍କର ଜଣେ ବିଶିଷ୍ଟ ଡାକ୍ତର ବନ୍ଧୁଙ୍କ ପାଖକୁ ଗଲେ ଓ ତାଙ୍କ ସହିତ ରୋଗ ସମ୍ପର୍କରେ ପରାମର୍ଶ କଲେ । ଡାକ୍ତର ବନ୍ଧୁ ଜଣକ ଗୋଡ଼ ପରୀକ୍ଷା କରିସାରିଲା ପରେ ତାଙ୍କୁ ଏକ ପ୍ରେସ୍‍କ୍ରିପ୍‍ସନ୍ ଲେଖିଦେଲେ ।

 

ସେଦିନ ଗୋଡ଼ ପରୀକ୍ଷା କରୁଥିବାବେଳେ ଡାକ୍ତର ବନ୍ଧୁଙ୍କୁ ପ୍ରାଣକୃଷ୍ଣ ପଚାରିଲେ : ହଠାତ୍ କାହିଁକି ଗୋଡ଼ ଏମିତି ହେଲା ଓ ଆକସ୍ମିକ ଭାବରେ ଗୋଡ଼ର ଚଳତ୍‍ଶକ୍ତି କାହିଁକି ଅଚଳ ଅବସ୍ଥାକୁ ଆସିଲା ଦୟାକରି କହିବେ କି ? ଏଇ ରୋଗ ସୃଷ୍ଟି ହେବାର କାରଣ କ’ଣ ?

 

ଡାକ୍ତର ବନ୍ଧୁ ଅଳ୍ପ ହସି କହିଲେ : ତମର ସ୍ମୃତି ଶକ୍ତି ଆସ୍ତେ ଆସ୍ତେ କ୍ଷୀଣ ହେବାକୁ ଆରମ୍ଭ କରିଛି ଏବଂ ଗୋଡ଼ରେ ରକ୍ତ ସଂଚାଳନରେ ସାମାନ୍ୟ ଅସୁବିଧା ଦେଖା ଦେଇଛି । ବର୍ତ୍ତମାନ ହେଉଛି ରୋଗର ପ୍ରାଥମିକ ଅବସ୍ଥା । ତମେ ଏଇ ଔଷଧ ଖାଇଲେ ରୋଗ ନିଶ୍ଚୟ ଭଲ ହେବ ।

 

ପ୍ରାଣକୃଷ୍ଣ ତାଙ୍କର ଡାକ୍ତର ବନ୍ଧୁଙ୍କଠାରୁ ପ୍ରେସ୍‍କ୍ରିପ୍‍ସନ୍ ଧରି ରିକ୍‍ସାରେ ଫେରିଲେ । ତାଙ୍କ ସ୍ମୃତିଶକ୍ତିର ବିସ୍ମରଣ ଘଟୁଛି ଜାଣି ସେ ଘୋର ଆତଙ୍କିତ ହୋଇ ଉଠିଲେ । ସ୍ମୃତିଶକ୍ତି ଯଦି ତୀକ୍ଷ୍‍ଣ ଓ ଶାଣିତ ନ ହୋଇ ତାହା ଅସ୍ପଷ୍ଟ ଓ ମଳିନ ହୋଇଯିବ, ତା’ହେଲେ ମଣିଷ ଜୀବନର ସାର୍ଥକ ମୂଲ୍ୟବୋଧ ନଷ୍ଟ ହୋଇଯିବ ଆପଣାଛାଏଁ । ଅତୀତର ଘଟଣାକୁ, ଗତକାଲି ଘଟି ଯାଇଥିବା ତିକ୍ତ ମଧୁର ସ୍ମୃତିଗୁଡ଼ିକୁ ସେ ଯଦି ମନେରଖି ନ ପାରିବେ, ତେବେ ସମାଜରେ ମଣିଷ ରୂପରେ ବଞ୍ଚିରହି କୌଣସି ଲାଭ ନାହିଁ ।

 

ରିକ୍‍ସେରେ ଆସୁ ଆସୁ ପ୍ରାଣକୃଷ୍ଣଙ୍କ ମନସ୍ତାତ୍ତ୍ୱିକ ପୀଡ଼ା ସହସ୍ର ଗୁଣରେ ଆହୁରି ବଢ଼ିଗଲା । ଗୋଡ଼ର ଯନ୍ତ୍ରଣା ସେହି ପୀଡ଼ାର ସଂକ୍ରମଣରେ ଆହୁରି ଯେପରି ହୋଇ ଉଠିଲା ଦୁର୍ବଳ ଓ କ୍ଳାନ୍ତିକର ।

 

ରିକ୍‍ସାରେ ଆସୁ ଆସୁ ଗୋଟିଏ ଔଷଧ ଦୋକାନରୁ ପ୍ରାଣକୃଷ୍ଣ ଡାକ୍ତର ବନ୍ଧୁଙ୍କ ପ୍ରେସ୍‍କ୍ରିପ୍‍ସନ୍ ଅନୁଯାୟୀ ଔଷଧ କିଣିଲେ । ସେହି ଦୀର୍ଘ ପ୍ରେସ୍‍କ୍ରିପ୍‍ସନ୍ ଅନୁସାରେ ନାନା ଜାତିର ଟ୍ୟାବଲେଟ୍ କିଣିଲେ ଏବଂ ପୁଣି ସେଇ ରିକ୍‍ସାରେ ବସ୍‍ଷ୍ଟାଣ୍ଡକୁ ଗଲେ ।

 

ସେଦିନ ସନ୍ଧ୍ୟା ହୋଇ ଆସୁଥିଲା । କଟକର ପାର୍ବଣ ପୂର୍ବ ସୁନୀଳ ଆକାଶରେ ଜଳି ଉଠୁଥିଲା କେତେଗୋଟି ଅସ୍ପଷ୍ଟ ତାରକାର ମୁହଁ; ଯେମିତି ପ୍ରାଣକୃଷ୍ଣଙ୍କ ସ୍ମୃତିଶକ୍ତି ମନସ୍ତାତ୍ତ୍ୱିକ ରୀତିରେ ହୋଇ ଯାଉଥିଲା ମନର କେଉଁ ଏକ ଦୂର ଦିଗନ୍ତରେ ଅସ୍ତମିତ ।

 

ଆସନ୍ନ ପୂଜାର ବିପଣୀରେ ଉତ୍ସବ । ମତୁଆଳ ବେଗବାନ ହରିଣୀଟି ପୂର୍ବପରି ହାଲୋଳ ଛୁଟାଇ ବୁଲୁଥିଲା ଚାରିଆଡ଼େ । ଆଃ, କେତେ ଯେ ମଣିଷ ! କେତେ ଉତ୍ସାହ ଓ ଉଦ୍ଦୀପନାର ଜୀବନ-ପ୍ରବାହ ! !

 

ପ୍ରାଣକୃଷ୍ଣ ଅନୁଭବ କଲେ ମଣିଷର ଏଇ ସ୍ୱାଭାବିକ ଆନନ୍ଦ ଓ ଉଲ୍ଲାସର ଚିରନ୍ତନ ରାଜ୍ୟରୁ ବିତାଡ଼ିତ ହୋଇ ସେ ଯେପରି ଏକ ଦୁର୍ବହ ନିର୍ବାସିତ ଜୀବନ ଅତିବାହିତ କରୁଛନ୍ତି । କେଉଁଦିନ ଗୋଡ଼ ତାଙ୍କର ଭଲ ହେବ ? କେଉଁଦିନ ପୂର୍ବପରି ସେ ବାଟ ଚାଲିବେ ଓ ମାଇଲ ମାଇଲ ଧରି କ୍ଳାନ୍ତିହୀନ ଯାତ୍ରା ଆରମ୍ଭ କରିବେ ?

 

ପ୍ରାଣକୃଷ୍ଣ ବସ୍‍ଷ୍ଟାଣ୍ଡରେ ପହଞ୍ଚିଲେ ।

 

ଔଷଧ ଖାଇବାର ପ୍ରାୟ ଏକ ସପ୍ତାହ ବିତିଗଲା । ନୀଳ, ହଳଦୀ, ଧଳା ଓ କଳା ରଙ୍ଗର ସାନ ବଡ଼ ଟ୍ୟାବଲେଟ୍ ଦିନକୁ କୋଡ଼ିଏଟି ଲେଖାଏଁ ଗିଳି ପ୍ରାଣକୃଷ୍ଣ ଗଳଦ୍‍ଘର୍ମ ହେଲେ । ଖାଇବା ପୂର୍ବରୁ ଓ ଖାଇ ସାରିଲା ପରେ ସେହିସବୁ ଟେବଲେଟଗୁଡ଼ିକୁ ଭକ୍ଷଣ କରିବାରେ ମନ ଭିତରର ସମସ୍ତ ଅନାଗ୍ରହ ଇଚ୍ଛା ଓ ଅସ୍ୱୀକାରକୁ ଚାପିରଖି ପ୍ରାଣକୃଷ୍ଣ ଗୋଟାକ ପରେ ଗୋଟାଏ, ତଣ୍ଟିରେ ଗଳାଇ ଢୋକେ ଢୋକେ ପାଣି ପିଉଥିଲେ । ଗୋଡ଼ ଶୀଘ୍ର ଭଲ ହୋଇଯିବ, ଏଇଆ ହିଁ ଥିଲା ଆଖିବୁଜି ଟ୍ୟାବଲେଟଗୁଡ଼ିକୁ ଆତ୍ମସାତ୍ କରିବାର ପ୍ରୟାସ ।

 

ପ୍ରତିଦିନ ଭୋଓରୁ ଉଠି ପ୍ରାଣକୃଷ୍ଣ ନିଜ ଶୋଇବା ଘରେ ଚଲାବୁଲା କରନ୍ତି ଓ ସାତଦିନ ଧରି ବହୁ କଷ୍ଟରେ ଗୁଡ଼ାଏ ଔଷଧ ଖାଇଲେ ମଧ୍ୟ ଗୋଡ଼ ସ୍ୱାଭାବିକ ସ୍ତରକୁ ନ ଆସିବାର ଜାଣି ସେ ଘୋର ମନସ୍ତାପରେ ସଢ଼ିବାକୁ ଲାଗିଲେ ।

 

ସେଦିନ ଥିଲା ରବିବାର । ସକାଳୁ ଉଠି ପ୍ରାଣକୃଷ୍ଣ ବହୁ ସମୟ ଧରି ଗୋଡ଼ରେ ହାତ ମାରିଲେ । ସେ ଅନୁଭବ କଲେ ତାଙ୍କ ଗୋଡ଼ର ସ୍ପନ୍ଦନ କ୍ରିୟା ସତେ ଯେପରି କ୍ରମଶଃ ଅସାଢ଼ ହୋଇ ଯାଉଛି ଏବଂ ପ୍ରଥମ ଅବସ୍ଥାରେ ଗୋଡ଼ର ଯନ୍ତ୍ରଣା ଯାହାଥିଲା ଆହୁରି ବଢ଼ି ଯାଇଛି ।

 

ସେଦିନ ସକାଳେ ବଡ଼ ଡାକ୍ତରଖାନାରେ ମେଡ଼ିସିନ୍ ସ୍ପେଶାଲିଷ୍ଟଙ୍କ ପାଖକୁ ଯାଇ ସେ ପରାମର୍ଶ କରିବେ ବୋଲି ସ୍ଥିର କଲେ । ବେଶୀ ବିଳମ୍ବ ହୋଇଗଲେ ତାଙ୍କର ସ୍ମୃତିଶକ୍ତି ଲୋପ ପାଇଯିବା ଆଶଙ୍କାରେ ସେ ଆତଙ୍କିତ ହୋଇ ଉଠିଲେ ।

 

ସେଦିନ ସକାଳ ଆଠଟାରେ ପ୍ରାଣକୃଷ୍ଣ ରିକ୍‍ସା କରି ବଡ଼ ଡାକ୍ତରଖାନାର ମେଡ଼ିସିନ୍ ସ୍ପେଶାଲିଷ୍ଟଙ୍କ ପାଖକୁ ବାହାରିଲେ । ତାଙ୍କ ଘରଠାରୁ ମାତ୍ର ଆଠ ଦଶଗଜ ଦୂରରେ ରିକ୍‍ସା ଯାଉଥିବା ବେଳେ ହଠାତ୍ ତାଙ୍କ ପାଖରେ ଆସି ପହଁଞ୍ଚିଲେ ତାଙ୍କର ଜଣେ ଅତ୍ୟନ୍ତ ଶୁଭାକାଂକ୍ଷୀ ଓ ଅନୁଜ ପ୍ରତିମ ଶ୍ରୀକାନ୍ତ, ବିଧାନସଭା ସଭ୍ୟ ଶ୍ରୀକାନ୍ତ ଚୌଧୁରୀ ।

 

ପ୍ରାଣକୃଷ୍ଣଙ୍କୁ ରିକ୍‍ସାରେ ଦେଖି ଶ୍ରୀକାନ୍ତ ସ୍କୁଟରରୁ ଓହ୍ଲାଇ ପଡ଼ି, ତାଙ୍କର ଗୋଡ଼ ସମ୍ବାଦ ପଚାରି ବସିଲେ । ପ୍ରାଣକୃଷ୍ଣ କହିଲେ କିଛି ଫଳ ହେଲାନାହିଁ ଗୁଡ଼ାଏ ଔଷଧ ଖାଇ ଶ୍ରୀକାନ୍ତ ! ମୁଁ ବର୍ତ୍ତମାନ ବାହାରିଛି ବଡ଼ ଡାକ୍ତରଖାନାର ସ୍ପେଶାଲିଷ୍ଟଙ୍କ ପାଖକୁ । ମୋର ମନେ ହେଉଛି ରୋଗ ଚିହ୍ନିବାରେ ଏବଂ ଯଥାର୍ଥ ଡାଇଓଗୋନାଇଜ୍ କରିବାରେ ଡାକ୍ତର ବନ୍ଧୁ ଜଣକ ବ୍ୟର୍ଥ ହୋଇଛନ୍ତି ।

 

ଶ୍ରୀକାନ୍ତ ତାଙ୍କଠାରୁ ହଠାତ୍ କଥା ଛଡ଼ାଇ ନେଇ କହିଲେ : ରିକ୍‍ସା ବିଦାକରି ଦିଅନ୍ତୁ ଏବଂ ବସନ୍ତୁ ମୋ ସ୍କୁଟରରେ । ଆପଣଙ୍କୁ ମୁଁ ନେଇଯିବି ଜଣେ ଡାକ୍ତରଙ୍କ ପାଖକୁ ଯିଏ ଆପଣଙ୍କୁ ପନ୍ଦର ଦିନ ମଧ୍ୟରେ ନିଶ୍ଚିତ ଭାବରେ ଆରୋଗ୍ୟ କରିଦେବେ ।

 

ପ୍ରାଣକୃଷ୍ଣ ନିଜ ରୋଗକୁ ଆରୋଗ୍ୟ କରିବା ପାଇଁ ବଡ଼ ବିକଳ ହେଉଥିଲେ । ତେଣୁ ଶ୍ରୀକାନ୍ତଙ୍କ କଥାରେ ହଠାତ୍ ସମ୍ମତି ହେଲେ ଓ ରିକ୍‍ସାକୁ ବିଦାକରି ଶ୍ରୀକାନ୍ତର ସ୍କୁଟରରେ ବସିଲେ-

 

ସ୍କୁଟର ଆଗେଇ ଚାଲିଲା ରାଜପଥରେ କିଛିବାଟ । ତା’ପରେ ପଡ଼ିଲା ଏକ ବେସରକାରୀ କଲୋନୀ, ଯେଉଁଠାରେ ବହୁ ସଂଭ୍ରାନ୍ତ ଭଦ୍ରଲୋକ ଆପଣାର ଘରବାଡ଼ି ତିଆରି କରି ଏବେ ବସବାସ କରି ରହୁଛନ୍ତି । ସେଇ ବସ୍ତିର କିଛିବାଟ ଗଲାପରେ ସ୍କୁଟରଟି ଅଟକିଲା ଗୋଟିଏ ଛୋଟ ଏକ ମହଲା ଘର ନିକଟରେ, ସମ୍ଭବତଃ କାହାର ବାସଗୃହ ।

 

ଶ୍ରୀକାନ୍ତ ସ୍କୁଟରରୁ ଓହ୍ଲାଇ, ଘରର ସାମ୍ନା ଗେଟ୍ ଖୋଲି ଭିତରକୁ ପ୍ରବେଶ କଲେ । ପ୍ରାଣକୃଷ୍ଣ ନୀରବ ପ୍ରତିବାଦରେ ତାଙ୍କର ଅନୁଧାବନ କଲେ ।

 

ଘରଟିର ସାମ୍ନା ଘରେ ବସିଛନ୍ତି ଜଣେ ବୃଦ୍ଧ । ମୁଣ୍ଡଟି ନିହାତି ଚନ୍ଦା । ଝର୍କା ଦେଇ ମେଞ୍ଚାଏ ସୂର୍ଯ୍ୟାଲୋକ ପଶି ଆସିଛି କୋଠରୀ ଭିତରକୁ । ସୂର୍ଯ୍ୟାଲୋକର ପ୍ରତିଫଳନରେ ବୃଦ୍ଧଙ୍କର ଚନ୍ଦାମୁଣ୍ଡ ବେଶ୍ ଚିକ୍ ଚିକ୍ କରୁଛି । ଆଖିରେ ଖୁବ୍ ଶକ୍ତିଶାଳୀ ଲେନ୍‍ସର ଚଷମା ମଧ୍ୟରୁ ବୃଦ୍ଧଙ୍କର ଦୁଇଟି କ୍ରମଃ କୋଟରଗତ ଚକ୍ଷୁର ମଳିନ ଦୀପ୍ତି ବେଶ୍ ବାରି ହେଉଛି । ଦେହରେ ଖୁବ୍ ସଫେଦ ପଞ୍ଜାବୀ ଓ ଧୋତି ।

 

ପ୍ରାଣକୃଷ୍ଣ, ଶ୍ରୀକାନ୍ତଙ୍କ ସହିତ ବୃଦ୍ଧଙ୍କୁ ନମସ୍କାର ଜଣାଇ ତାଙ୍କ ଚେୟାର ସାମ୍ନାରେ ପଡ଼ିଥିବା ଗୋଟିଏ ଲଙ୍ଗ୍ ବେଞ୍ଚ ଉପରେ ବସି ପଡ଼ିଲେ ।

 

ପ୍ରାଣକୃଷ୍ଣ ଭାବିଲେ, ଡାକ୍ତର କାହାନ୍ତି ? କାହିଁ ତାଙ୍କର ଡାକ୍ତରଖାନା ? ଔଷଧପତ୍ର ? ଘରଟିର ଅବସ୍ଥିତି ଓ ନିରାଭରଣ ସାଜସଜ୍ଜା ଦେଖି ମନେ ହେଉନାହିଁ ଏହା ଜଣେ ଡାକ୍ତରଙ୍କ ଘର ବୋଲି । ବୋଧହୁଏ ଶ୍ରୀକାନ୍ତଙ୍କର ଏଠାରେ କିଛି ଜରୁରୀ କାର୍ଯ୍ୟ ଅଛି । ତା’ ନ ହେଲେ ଏଠାକୁ ଆସିବାର ତ କୌଣସି କାରଣ ନ ଥିଲା ?

 

ଶ୍ରୀକାନ୍ତ ସେହି ବୃଦ୍ଧଙ୍କ ସହିତ ମାମୁଲି ବାକ୍ୟାଳପ କଲାପରେ ପ୍ରାଣକୃଷ୍ଣଙ୍କୁ ତାଙ୍କ ସହିତ ପରିଚୟ କରାଇ ଦେଲେ ।

 

ପ୍ରାଣକୃଷ୍ଣ ବୃଦ୍ଧଙ୍କର ପରିଚୟ ପାଇ ଆଶ୍ଚର୍ଯ୍ୟ ହୋଇଗଲେ । ଅନେକ ବର୍ଷତଳେ ସେ ଦେଖିଥିଲେ ବୃଦ୍ଧ ମାନସ ବଳିଆର ସିଂହଙ୍କୁ ସେ ଯେତେବେଳେ ଜିଲ୍ଲାପାଳ ଥିଲେ କୌଣସି ଏକ ଜିଲ୍ଲାରେ । ଏବେ ବଳିଆର ସିଂହ ଅବସର ଗ୍ରହଣ କରି ଏଇଠାରେ ରହୁଛନ୍ତି ଏବଂ ହୋମିଓପ୍ୟାଥିକ୍ ଡାକ୍ତରୀ ବିଜ୍ଞାନରେ ପଢ଼ାପଢ଼ି ଓ ଚର୍ଚ୍ଚାକରି ରୋଗୀମାନଙ୍କୁ ବିନା ପଇସାରେ ଚିକିତ୍ସା କରୁଛନ୍ତି ।

 

ଶ୍ରୀକାନ୍ତ ଯେତେବେଳେ ପ୍ରାଣକୃଷ୍ଣଙ୍କ ରୋଗ ସମ୍ପର୍କରେ ତାଙ୍କୁ ସୂଚନା ଦେଲେ, ବଳିଆରସିଂହ ଘଟଣାଟା ଜାଣିବାକୁ ଉତ୍କଣ୍ଠିତ ହୋଇ ଉଠିଲେ ।

 

ପ୍ରାଣକୃଷ୍ଣ ସଂକ୍ଷିପ୍ତରେ ରୋଗର ଲକ୍ଷଣ ବର୍ଣ୍ଣନା କରନ୍ତେ ବଳିଆରସିଂହ ତାଙ୍କୁ ପଚାରି ବସିଲେ ଅଜସ୍ର ପ୍ରଶ୍ନ । ସେସବୁ ପ୍ରଶ୍ନର ଉତ୍ତର ଦେବା କେବଳ ପ୍ରାଣକୃଷ୍ଣଙ୍କ ପକ୍ଷରେ ନୁହେଁ ଯେ କୌଣସି ରୋଗୀ ପକ୍ଷରେ ହୋଇଯିବ କଷ୍ଟକର ଓ ବିରକ୍ତି ଦାୟକ ।

 

ଦୀର୍ଘ ସମୟ ଧରି ପ୍ରଶ୍ନ ଓ ଉତ୍ତର ସରିଲାପରେ ବଳିଆରସିଂହ ମାଗି ବସିଲେ ପ୍ରାଣକୃଷ୍ଣଙ୍କ ଡାକ୍ତର ବନ୍ଧୁ ଦେଇଥିବା ପ୍ରେସ୍‍କ୍ରିପ୍‍ସନ୍‍କୁ । ପ୍ରାଣକୃଷ୍ଣ ପ୍ରେସ୍‍କ୍ରିପ୍‍ସନ୍‍କୁ ତାଙ୍କ ହାତକୁ ବଢ଼ାଇ ଦେଇ ସେ ଲକ୍ଷ୍ୟ କଲେ ବଳିଆରସିଂହ ତାହାକୁ ପଢ଼ୁଛନ୍ତି ଖୁବ୍ ମନଯୋଗ ଦେଇ ।

 

ଅନେକ ସମୟ ଧରି ପ୍ରେସ୍‍କ୍ରିପ୍‍ସନ୍ ଉପରେ ଆଖି ବୁଲାଇଲା ପରେ ସେ କହିଲେ, ମୁଁ ଆପଣଙ୍କୁ ଔଷଧ ଦେବି ବର୍ତ୍ତମାନ । କିନ୍ତୁ ମୁଁ ଦେବି ଗୋଟିଏ ମାତ୍ର ଡୋଜ୍ । ଏ ଔଷଧ ଖାଇବାର ସାତଦିନ ପରେ ଆପଣ ଆଉଥରେ ଆସିବେ ମୋ ପାଖକୁ । ତା’ ପୂର୍ବରୁ କେବେ ଆସିବେ ନାହିଁ ।

 

ପ୍ରାଣକୃଷ୍ଣ ବସିଥିଲେ ନୀରବ ନିଶ୍ଚୁପ ହୋଇ ।

 

ବଳିଆର ସିଂହ ତାଙ୍କ ଛୋଟ ବାକ୍‍ସରୁ ଔଷଧ ବାହାର କରି ପ୍ରାଣକୃଷ୍ଣଙ୍କୁ ଏକ କାଗଜ ପୁଡ଼ିଆରେ ଗୋଟିଏ ଡୋଜ୍ ଔଷଧ ମାତ୍ର ଖାଇବାକୁ ଦେଲେ । ସେ ଔଷଧର ନାମ କ’ଣ କେଜାଣି-?

 

ସେଦିନ ଶ୍ରୀକାନ୍ତ ଓ ପ୍ରାଣକୃଷ୍ଣ ଫେରି ଆସିଲେ ବଳିଆର ସିଂହଙ୍କ ଘରୁ ।

 

ଛଅଦିନ ବିତିଗଲା । ପ୍ରାଣକୃଷ୍ଣ ନିଜ ଗୋଡ଼ର କୌଣସି ପରିବର୍ତ୍ତନ ଲକ୍ଷ୍ୟ କଲେ ନାହିଁ-। ଗୋଡ଼ର ଯନ୍ତ୍ରଣା ତଥାପି ମଧ୍ୟ ଲାଘବ ହେଲା ନାହିଁ ।

 

ଦୁର୍ଗାପୂଜା ଆଉ ମାତ୍ର ଦିନଟିଏ ରହିଲା । ପୂଜାପାଇଁ ରାସ୍ତାଘାଟରେ, ଦୋକାନ ବଜାରରେ ମେଳା ମେଳା ମଣିଷର ଭିଡ଼ । ଶରତର ସୁନୀଳ ଆକାଶରେ ବେଳେବେଳେ ଭାସମାନ ମେଘଖଣ୍ଡର ଶୋଭାଯାତ୍ରା । ଆକାଶର ରଙ୍ଗରେ ଓ ପୃଥିବୀରେ ପ୍ରତ୍ୟେକ ମଣିଷର ଚେତନାରେ ଏକ ଅପୂର୍ବ କଳରୋଳ ଏବଂ ଏକ ଅଭିନବ ଆତ୍ମପରିଚିତିର ସାହାନାଇ ବାଜୁଛି ଯେପରି ।

 

ପ୍ରାଣକୃଷ୍ଣ କଟକ ଯିବା ପାଇଁ ରିକ୍‍ସାରେ ଆସି ବସ୍‍ଷ୍ଟାଣ୍ଡରେ ପହଞ୍ଚିଲେ ।

 

ପ୍ରତିଦିନ ଠିକ୍ ସାଢ଼େ ନଅଟାରେ ବସ୍ କଟକ ଯିବା ପାଇଁ ବସ୍‍ଷ୍ଟାଣ୍ଡରେ ଆସି ପହଞ୍ଚେ-। ସେଦିନ କାହିଁକି କେଜାଣି ଯଥା ସମୟରେ ବସ୍ ଆସିଲା ନାହିଁ । ସମୟ ଆସି ପ୍ରାୟ ଦଶଟା-। ତଥାପି ବସ୍‍ର ଦେଖାନାହିଁ । କଥା କ’ଣ ? ବ୍ରେକ୍ଡ଼ାଉନ୍ ହୋଇ ବାଟରେ କେଉଁଠି ଅଟକି ରହିଲା କି ?

 

ପ୍ରାଣକୃଷ୍ଣ ବଡ଼ ଚିନ୍ତାନ୍ୱିତ ହୋଇ ବସ୍‍ଷ୍ଟାଣ୍ଡର ଜନଗହଳି ମଧ୍ୟରେ ଗୋଟିଏ କାଠଚୌକି ଉପରେ ବସି ପଡ଼ିଲେ ।

 

ଦଳଦଳ ଲୋକ ବସ୍‍ଷ୍ଟାଣ୍ଡରେ ଦଉଡ଼ୁଛନ୍ତି । ଦୁରଗାମୀ ବସରେ ଉଠିବା ପାଇଁ ଚାଲିଛି ଠେଲାପେଲା । ତେଣେ କାଉଣ୍ଟର ପାଖରେ ମରାମରି ଧସ୍ତାଧସ୍ତି । ଆଗକୁ ମାଡ଼ିଯାଇ ଟିକେଟ୍ ଆଣିବାର ପ୍ରବଳ ପ୍ରତିଯୋଗିତା ।

 

ପ୍ରାଣକୃଷ୍ଣ ବଡ଼ ଅସହାୟ ଭାବରେ ଅନାଇଁ ରହିଲେ ସେହି ସବୁ ମଣିଷ ସମାଜକୁ । ଆହା ! ସେ ଯଦି ସ୍ୱାଭାବିକ ଭାବରେ ଚାଲିପାରୁ ଥାଆନ୍ତେ, ଏଇ ଚଳମାନ ମଣିଷ ସମାଜକୁ ଠେଲିପେଲି ସେବି ଧରନ୍ତେ ଆଉ ଗୋଟିଏ ବସ୍‍କୁ ।

 

ପ୍ରାଣକୃଷ୍ଣ ଲକ୍ଷ୍ୟ କଲେ ତାଙ୍କୁ ଅତିକ୍ରାନ୍ତ କରି ଯାଉଥିବା ବ୍ୟସ୍ତ ବିକଳ ସମ୍ଭାବ୍ୟ ଆରୋହୀ ଯାତ୍ରୀମାନଙ୍କୁ । ଗୋଡ଼ରେ ଶକ୍ତି ଅଛି ବୋଲି ସେମାନେ ଦଉଡ଼ୁଛନ୍ତି ଇତଃସ୍ତତଃ । ବସ୍ ଆସି ବସ୍‍ଷ୍ଟାଣ୍ଡରେ ପହଞ୍ଚିଲା ମାତ୍ରେ ସ୍ଥାନ ମାଡ଼ିଆସିବା ଲାଗି ବସ୍‍ର ଝର୍କାଦେଇ ଗଳି ପଶିଯାଉଛନ୍ତି ଥୋକେ । ଆଉ ଥୋକେ ସେମାନଙ୍କର ଜିନିଷପତ୍ର ବଢ଼ାଇ ଦେଉଛନ୍ତି ସ୍ଥାନର ନିରାପତ୍ତା ସମ୍ପର୍କରେ ।

 

ଦଶଟା ଦଶ ବାଜିଲ୍ଲା । ଆଉ କେତେବେଳେ ସେ କଟକ ଯାଇ ଅଫିସ କରିବେ ? ଅଫିସ ସମୟ ଗଡ଼ିଯାଉଛି । ଆସନ୍ତାକାଲି ଦୁର୍ଗାପୂଜା ପାଇଁ ଅଫିସ ବାରଦିନ ବନ୍ଦ ହେବ । ଆଜି ନ ଗଲେ ଚଳିବ ନାହିଁ ।

 

ପ୍ରାଣକୃଷ୍ଣ ଦୀର୍ଘଶ୍ୱାସ ଛାଡ଼ିଲେ । ଆଜି କୌଣସି ମତେ ତାଙ୍କୁ କଟକ ଯିବାକୁ ହେବ । ଯେଉଁମାନେ ପ୍ରତିଦିନ ତାଙ୍କ ସହିତ ସାଢ଼େ ନଅଟା ବସରେ କଟକ ଯାଆନ୍ତି ସେମାନଙ୍କ ମଧ୍ୟରୁ କେତେକ ଏଇଠି ସେପଟ ଏପଟ ହେଉଥିବାର ସେ ଲକ୍ଷ୍ୟ କରିଥିଲେ କିଛି ସମୟ ପୂର୍ବରୁ । ବର୍ତ୍ତମାନ କାହିଁ ସେମାନେ ତ ଆଉ ଦେଖାଯାଉ ନାହାନ୍ତି ? ବୋଧହୁଏ, ସେମାନେ ଆଉ କୌଣସି ବସ୍ କିମ୍ବା ଟ୍ୟାକ୍‍ସି ଧରି କଟକ ଚାଲି ଗଲେଣି ।

 

ପ୍ରାଣକୃଷ୍ଣ ସେଇ କାଠ ଚୌକିରୁ ଉଠିପଡ଼ି ଅନ୍ୟଯାତ୍ରୀମାନଙ୍କ ପରି ବସ୍ ଧରିବା ଲାଗି ଆଉ କୌଣସି ଏକ ବସରେ ଉଠିବାକୁ ବାହାରି ପଡ଼ିଲେ ।

 

ଚାଲିଲାବେଳେ ଗୋଡ଼ର ସେଇ ଯନ୍ତ୍ରଣା ପୁଣି ସେ ଅନୁଭବ କଲେ । ଯେତେ ଚେଷ୍ଟା କଲେ ମଧ୍ୟ ସଳଖ ଭାବରେ ପାଦ ପକାଇ ହେଉନାହିଁ । ମନ ଭିତରେ ଅସୁମାରୀ ଆତ୍ମ-ପ୍ରତ୍ୟୟ ନେଇ ଗୋଡ଼ ଆଗକୁ ଆଗକୁ ପକାଇବା ବେଳେ, ସ୍ୱୟଂକ୍ରିୟ ପଦପାତରେ ଯେପରି ରହି ଯାଉଛି ଏକ ବେଦନା । ଫଳରେ ତାଙ୍କ ସମସ୍ତ ଆତ୍ମ-ପ୍ରତ୍ୟୟ ଓ ସମ୍ଭାବନା ଭାଙ୍ଗିରୁଜି ଟୁକୁରା ଟୁକୁରା ହୋଇ ପାର୍ବଣ ଆକାଶରେ କୁଆଡ଼େ ମିଳାଇ ଯାଇଛି ।

 

ପ୍ରାଣକୃଷ୍ଣଙ୍କ ମନ ଭିତରେ ହଠାତ୍ ପ୍ରତିଫଳିତ ହେଲା ବଳିଆରସିଂହଙ୍କ କଥା । କାହିଁ ତାଙ୍କର ଔଷଧର କରାମତି ? ଏକ ବିଶାଳ ସମୁଦ୍ରର ଲବଣାକ୍ତ ଜଳ, ବିନ୍ଦୁଏ ମିଠା ପାଣିରେ କ’ଣ ସୁମିଷ୍ଟ ହୋଇଯିବ ? ସାଇଟିକା ପରି ଏକ ଦୁରାରୋଗ୍ୟ ବ୍ୟାଧିକୁ ହୋମିଓପ୍ୟାଥିକ ଔଷଧର ଗୋଟିଏ ଡୋଜ୍ କ’ଣ ଆରୋଗ୍ୟ କରି ପାରିବ ?

 

ପ୍ରାଣକୃଷ୍ଣ ଭାବିଲେ ସେଦିନ ସିଟି ହସ୍‍ପିଟାଲର ସ୍ପେଶାଲିଷ୍ଟଙ୍କ ପାଖକୁ ଯିବାବେଳେ, ଶ୍ରୀକାନ୍ତ ଆସି ପହଞ୍ଚିଯାଇ ସବୁ ବିଭ୍ରାଟ କରିଦେଲା । ରୋଗକୁ ଡାଇଓଗୋନାଇଜ୍ କରି ମେଡ଼ିସିନ୍ ସ୍ପେଶାଲିଷ୍ଟ ପ୍ରେସ୍‍କ୍ରିପ୍‍ସନ୍ ଦେଇଥିଲେ, ଏତେବେଳକୁ ସେ ସୁସ୍ଥ ହୋଇ ସାରନ୍ତେଣି ! ମାତ୍ର ହାୟ-! ବଳିୟାର ସିଂହ !! ଆସନ୍ତାକାଲି ଏକ ସପ୍ତାହ ପୂରିଯିବ । କାହିଁ ସେହି ଔଷଧର କୌଣସି ସୁଫଳ ତ ମିଳିଲା ନାହିଁ ।

 

ପ୍ରାଣକୃଷ୍ଣ ଲକ୍ଷ୍ୟ କଲେ ତାଙ୍କୁ ଅତିକ୍ରମ କରି ଚାଲି ଯାଉଥିବା ଜଣେ ବୟସ୍କ ବ୍ୟକ୍ତିଙ୍କୁ । ବୟସ୍କ ବ୍ୟକ୍ତିଙ୍କର ସମ୍ଭବତଃ ବୟସ ଷାଠିଏ ହେବ । କେଶରାଶି ପକ୍ୱ ହେଲେଣି । ତଥାପି ଚାଲିବାରେ ତାଙ୍କର ଅପୂର୍ବ ସ୍ଫୁର୍ତ୍ତି ଓ ଶୈଳୀ ପ୍ରକଟିତ ହେଉଛି ।

 

ପ୍ରାଣକୃଷ୍ଣ ଭାବିଲେ, ସ୍ୱାଭାବିକ ଭାବରେ ଚାଲିବାରେ ଏକ ପ୍ରାଣପୂର୍ଣ୍ଣ ଆତ୍ମସନ୍ତୋଷ ରହିଛି । ମଣିଷର ସ୍ୱାଭାବିକ ଚାଲିରେ ପ୍ରତିଫଳିତ ହୁଏ ତା’ର ନିରାମୟ ଜୀବନର ସୁସ୍ଥତା । ଖଞ୍ଜଟିଏ ଛୋଟାଟିଏ, ଗୋଡ଼ କଟି ଯାଇଥିବା ମଣିଷଟିଏ କିଭଳି ଗୁରୁଣ୍ଡି, ଗୁରୁଣ୍ଡି ଏରୁଣ୍ଡି ଏରୁଣ୍ଡି ବାଟ ଚାଲେ, ସେହି ଦୟନୀୟ ବୈକଲ୍ୟର ଯନ୍ତ୍ରଣା ସେ ଆଜି ଅନ୍ତରଙ୍ଗ ଭାବରେ ଅନୁଭବ କରିଛନ୍ତି ।

 

ସେ ଜନ୍ମରୁ ଛୋଟା ନୁହଁନ୍ତି, ଗୋଡ଼ ଭାଙ୍ଗି ଯାଇନି ଅଥଚ ହଠାତ୍ ଅନୁଭବ କରୁଛନ୍ତି ଏକ ଖଞ୍ଜ ପରି । ଗୋଡ଼ ଫୁଲି ନାହିଁ, ଜଖମ ହୋଇନାହିଁ, କୌଣସି ଦୁର୍ଘଟଣାର ସମ୍ମୁଖୀନ ସେ ହୋଇ ନାହାନ୍ତି, ଗୋଡ଼ ଦୁଇଟି ବେଶ୍ ରହିଛି ସ୍ୱାଭାବିକ ଭାବରେ ଅଥଚ ଏ କି ବେଦନା ?

 

ପ୍ରାଣକୃଷ୍ଣ ତାଙ୍କ ଚଉପାଶର ଗତିଶୀଳ, ଉଲ୍ଲାସ ଆମୋଦିତ ମଣିଷମାନଙ୍କୁ ଦେଖି ଓ ଆପଣାର ଶୋଚନୀୟ ଅସହାୟତା ସମ୍ପର୍କରେ ସଚେତନ ହୋଇ ଏକ ଅପ୍ରମିତ ଦହନ ଓ ଜ୍ୱାଳାରେ ତିଳତିଳ ହୋଇ ଜଳିବାକୁ ଲାଗିଲେ ।

 

ସେ କେଉଁଦିନ ଚାଲିବେ ଭଲ ଭାବରେ ? ଏଇ ଗୋଡ଼ରେ ସେ ମାଇଲ ମାଇଲ ବାଟ ଚାଲିଛନ୍ତି, ପାହାଡ଼ର ତୀଖ ଘାଟୀମାନଙ୍କ ଉପରକୁ ଉଠିଛନ୍ତି ଏକ ଦୁଃସାହସିକ ଶୃଙ୍ଗ ଆରୋହୀ ପରି । ଦୁଇଗୋଡ଼ ଛାଟି କୂଳପ୍ଲାବିନୀ ବୈତରଣୀର ଛାତି ଉପରେ ବର୍ଷା ଦିନେ ପହଁରି ନଦୀ ଆରପଟେ ଲାଗିଛନ୍ତି । କେତେ ଡେଙ୍ଗା ଡେଙ୍ଗା ନଡ଼ିଆ, ତାଳ ଓ ଗୁଆଗଛମାନଙ୍କୁ କୁଦା ମାରି ଚଢ଼ି ଯାଇଛନ୍ତି । କେତେ ନାଳ, କେତେ ନୟନଯୋଡ଼ି ଓ କେତେ ପାହାଡ଼ୀ ଝରଣା ଦୁଇଗୋଡ଼ ଯାକି ସେ ଡେଇଁ ପଡ଼ିଛନ୍ତି ।

 

ମାତ୍ର ଆଜି ଏ କ’ଣ ? ପ୍ରାଣକୃଷ୍ଣ ଭାବିଲେ ଆଉ ସମ୍ଭବତଃ ସେ ସଳଖ ଭାବରେ ଚାଲି ପାରିବେ ନାହିଁ । ସାରା ଜୀବନ କ’ଣ ସେ ଏଇମିତି ଛୋଟେଇ ଛୋଟଇ ଚାଲୁଥିବେ ? ସେ ଛୋଟେଇ ଛୋଟେଇ ଚାଲୁଥିଲା ବେଳେ ଅନେକ ଅଚିହ୍ନା ପଥିକ ତାଙ୍କୁ ଚାହୁଛନ୍ତି ବଡ଼ କୌତୂହଳରେ । ଚିହ୍ନା ପରିଚୟ ଲୋକେ ଦେଖାହେଲେ ପଚାରି ବସୁଛନ୍ତି କ’ଣ ତମର ହୋଇଛି ? କାହିଁକି ଛୋଟେଇ ଚାଲୁଛ ? ମାତ୍ର ଅଚିହ୍ନା ଅଜଣା ପଥିକ ଓ ସାଧାରଣ ଲୋକେ ତାଙ୍କୁ ଧରି ନିଅନ୍ତି ଖଞ୍ଜଟିଏ ବୋଲି । ଆଉ କେତେକ ଚାହାଁନ୍ତି ତାଙ୍କ ଗୋଡ଼କୁ ତଳେଇ ତଳେଇ ।

 

ତାଙ୍କୁ ଆଉ କିଛି ଭଲ ଲାଗିଲା ନାହିଁ । ସେ ଛୋଟେଇ ଛୋଟେଇ ଘୁଷୁରି ଘୁଷୁରି ଟ୍ୟାକ୍‍ସି ଷ୍ଟାଣ୍ଡଆଡ଼କୁ ଚାଲିଛନ୍ତି । କଟକ ଯିବା ଲାଗି ତାଙ୍କର ସଚେତନ ସ୍ମୃତି କ୍ରମଶଃ କ୍ଷୀଣ ହୋଇ ଆସୁଛି ।

 

ସେ ଭୁଲି ଯାଉଛନ୍ତି ନିଜକୁ, ନିଜର ନିର୍ଦ୍ଧାରିତ ରୁଟିନ୍ ବନ୍ଧା ଜୀବନକୁ । ସେ ଭୁଲି ଯାଉଛନ୍ତି ଆପଣାର ଘର, ବାପା, ବୋଉ, ଘରଦ୍ୱାର ଓ ପ୍ରିୟପରିଜନମାନଙ୍କୁ ।

 

ତାଙ୍କ ମନ ଭିତରେ କେବଳ ଲାଗି ରହିଛି ସ୍ୱାଭାବିକ ଭାବରେ ଚାଲିବାର ଏକ ମନ୍ମୟ ଓ ଚିତ୍ତାକର୍ଷକ ବିଳାସ ।

 

ଟ୍ୟାକ୍‍ସି ଷ୍ଟାଣ୍ଡର ଆରପଟେ ଯୁବକଟିଏ ଉଚ୍ଚସ୍ୱରରେ ଡକା ଛାଡ଼ିଛି–କଟକ, କଟକ । ଆଉ ମାତ୍ର ଗୋଟିଏ ସିଟ୍ ଅଛି । ଟ୍ୟାକ୍‍ସି କଟକ ଛାଡ଼ିଲା... ।

 

ପ୍ରାଣକୃଷ୍ଣ ହଠାତ୍ ସଚେତନ ହେଲେ ଏବଂ କଟକ ଯିବା ଲାଗି ତରବର ହୋଇ ଆପଣାର ଦୁଇ ଗୋଡ଼କୁ କ୍ଷିପ୍ର ଗତିରେ ଆଗକୁ ପକାଇଲେ । ଗୋଡ଼ର ସେଇ ଅସ୍ୱାଭାବିକ ଯନ୍ତ୍ରଣା ତାଙ୍କର ସମଗ୍ର ଚେତନାକୁ ଯେପରି ସେତେବେଳେ ଆଚ୍ଛନ୍ନ କରିଥିଲା ।

Image

 

କତିପୟ ଗଙ୍ଗଶିଉଳି

 

ଆଉ ଦୁଇଦିନ ପରେ ଦୁର୍ଗାପୂଜା । ସମସ୍ତ ବାୟୁମଣ୍ଡଳରେ ଯେପରି ଲେସି ହୋଇଯାଇଛି ଉତ୍ସବକାଳୀନ ଶରତର ଏକ ସୁନୀଳ ମାଦକତା ।

 

କଲେଜ ଛୁଟି ହୋଇଛି । ଅରବିନ୍ଦ ଗାଁକୁ ଯିବାର କଥା । ଯିବେ ଯିବେ ବୋଲି ଏପର୍ଯ୍ୟନ୍ତ ଯାଇ ନାହାଁନ୍ତି । ସେଥିପାଇଁ ଶରତର ଏକ ମୋହାଚ୍ଛନ୍ନତା ଯେପରି ଆବୋରି ରହିଛି ତାଙ୍କ ବ୍ୟକ୍ତିତ୍ୱକୁ ।

 

ଲଜ୍ଜାବତୀ ଓ ପିଲାମାନେ ଘରେ ନାହାଁନ୍ତି । ସେମାନେ ସବୁ ଯାଇଛନ୍ତି ବଜାରକୁ । ଗାଁକୁ ଯିବାପାଇଁ ସେମାନେ ସବୁ ଜିନିଷପତ୍ର କିଣାକିଣିରେ ବ୍ୟସ୍ତ ।

 

ଅରବିନ୍ଦ ଦାଣ୍ଡ ଘରେ ବସିଛନ୍ତି ଏକାକୀ । ତାଙ୍କ ଅଗଣାର ଗଙ୍ଗଶିଉଳି ଗଛରେ ଫୁଟିଛି ଅନେକ ବରଫ ଧବଳ ଫୁଲ ।

 

ସେ ଜହ୍ନ ଆଲୁଅରେ ତାଙ୍କ ଅଗଣାର ସେଇ ଗଛକୁ ଚାହିଁ କିପରି ଏକ ଆବେଗରେ ଅଭିଭୂତ ହୋଇଗଲେ । ତାଙ୍କର ହଠାତ୍ ଯେପରି ସ୍ମୃତିର କବାଟ ଉନ୍ମୋଚିତ ହୋଇଗଲା ଏବଂ ସେ ଫେରିଗଲେ କୋଡ଼ିଏ ବର୍ଷ ତଳର ଏକଦା ସେଇ ପୁରୁଣା ଅତୀତକୁ ।

 

ସେତେବେଳେ ସେ ପଢ଼ୁଥିଲେ କଲେଜରେ । ହଷ୍ଟେଲଟି, କଲେଜଠାରୁ କିଛି ଦୂରରେ ପୁଣି ଏକ ନଦୀକୂଳର ନିଛାଟିଆ ସ୍ଥାନରେ ରହିଥିବାର ସେ ହଷ୍ଟେଲରେ ନ ରହି ରହୁଥିଲେ କଲେଜଦ୍ୱାରା ସ୍ୱୀକୃତ ଆଉ ଗୋଟିଏ ମେସରେ । ସହରର ଏକ ସମ୍ଭ୍ରାନ୍ତ ସାହିରେ ସେହି ମେସଟି ରହିଥିଲା ।

 

ତାଙ୍କର ପୁଣି ସ୍ପଷ୍ଟ ମନେପଡ଼ୁଛି, କଲେଜ ଛୁଟି ହେବାକୁ ଆଉ ତିନି ଚାରିଦିନ ବାକି ଥାଏ । ହଠାତ୍ ଏକ ଅଳସ ରବିବାରର ଦ୍ୱିପହରରେ ପଡ଼ିଶା ଘରୁ ଏକ ଗ୍ରାମୋଫୋନ ରେକର୍ଡ଼ ସ୍ୱରରୁ ଭାସି ଆସିଲା–ପୂଜାର ଲଗନ ଗଡ଼ିଯାଏରେ...ଗୀତଟିଏ ।

 

କୋଡ଼ିଏ ବର୍ଷ ତଳେ, ଅରବିନ୍ଦଙ୍କ ଚେତନାରେ ଯେପରି ଗୋଟାଏ ବଇଁଶୀର ସ୍ୱର ମୂର୍ଚ୍ଛିତ ହୋଇ ଉଠିଲା । ପୂଜା ଆସୁଛି, ଶରତର ନଦୀପଠା କାଶତଣ୍ଡୀ ଗହଳରେ, ଗାଁ ପୋଖରୀରେ ଫୁଟିଥିବା ଅସଂଖ୍ୟ କଇଁଫୁଲର ହାଟ ମଝିରେ ଏବଂ ମାଇଲ ମାଇଲ ଧରି ଶ୍ୟାମଳ ଶସ୍ୟ କ୍ଷେତ୍ରରେ ହାଲ୍‍କା ପବନର ମୃଦୁ ଧକ୍‍କା ମେଳରେ ।

 

ଅରବିନ୍ଦ ଯେପରି ଭୁଲିଗଲେ ନିଜକୁ । ପୂଜା ପାଇଁ କଲେଜ ଛୁଟିହେଲା ।

 

ଅରବିନ୍ଦ ଓ ତାଙ୍କର ସାଙ୍ଗମାନେ ଚାଲିଲେ ଗାଁ ଅଭିମୁଖେ । ସହରଠାରୁ ତିରିଶ ମାଇଲ ଦୂରରେ ଆଉ ଏକ ଛୋଟ ବଜାର, ଯେଉଁଠି ବସ୍ ରହେ । ସେଇ ଛୋଟ ଗାଉଁଲୀ ବଜାରଠାରୁ ଗାଁ ଆହୁରି ଛଅ ମାଇଲ । ପୁଣି ରାସ୍ତା ନାହିଁ । ଗୁଡ଼ାଏ ଧାନବିଲ । ପାଣି ପୁଣି ଭର୍ତ୍ତି ହୋଇଯାଏ ସେହି ପାଟରେ ।

 

ଅରବିନ୍ଦ ଓ ତା’ର ସାଙ୍ଗମାନେ ଓହ୍ଲାଇଲେ ବସ୍‍ରୁ । ଏଇ ବଜାରରେ ଦୁଇଥର ସପ୍ତାହର ହାଟ ବସେ । ଆଖପାଖ ଗାଁ ଲୋକେ ଡଙ୍ଗା ଧରି ଏହି ହାଟରୁ ସଉଦା କରିଥାନ୍ତି ।

 

ଅରବିନ୍ଦଙ୍କର ମନେ ପଡ଼ୁଛି ଆଜି...ସେଦିନ ଥିଲା ହାଟପାଳି, ନାଉରୀମାନେ ଡଙ୍ଗାଧରି ଘାଟ କୂଳରେ ଅପେକ୍ଷା କରି ବସିଥାନ୍ତି । କେହି ଦୂର ଦେଶରୁ ଆସିଲେ ପାଇଯାଆନ୍ତି ଦିନକର ମଜୁରୀ ।

 

ଅରବିନ୍ଦ ଓ ତାଙ୍କର ବନ୍ଧୁମାନେ ଆଶ୍ୱିନର ସେଇ ନରମ ମଧ୍ୟାହ୍ନରେ ଡଙ୍ଗାରେ ବସି ଚାଲିଲେ ନିଜ ଗାଁକୁ ।

 

ଡଙ୍ଗା ଚାଲିଥିଲା ।

 

ପାଟ ପାରହୋଇ ଡଙ୍ଗା ଚାଲିଛି ଗୋଟିଏ ଛୋଟ କୁଶ ନଦୀରେ । ନାଆଁଟା ତା’ର ସମ୍ଭବତଃ ଗେଙ୍ଗୁଟୀ । ନଈ କୂଳେ କୂଳେ କେତେ ଛୋଟ ଗାଆଁ । କାଶତଣ୍ଡୀରେ ଅରାଏ ଅରାଏ ସ୍ପର୍ଦ୍ଧିତ ରାଜତ୍ୱ ମଝିରେ, ସେଇସବୁ ଛୋଟ ଛୋଟ ଗାଆଁରେ ତିଆରି ଚାଲିଥିଲା କେତେ ଦେବୀମୂର୍ତ୍ତି ।

 

ପୁଣି କେତେ ଝିଏ ଓ ବୋହୂଏ ସେଇ ଟିକି ନଦୀଘାଟରେ ଲୁଗା ଧୁଅନ୍ତି । ଦ୍ୱିପହରର କଂସାବାସନ ମାଜିବାଲାଗି ଆସି ସେଇ ଘାଟ କୂଳରେ ସେମାନେ ଚାହିଁ ରହନ୍ତି ଦୂର ନୌକା ଯାତ୍ରୀବାଟୋଇମାନଙ୍କୁ କେତେ ଉତ୍ସୁକ ଆଗ୍ରହରେ ।

 

ଅରବିନ୍ଦଙ୍କ ତରୁଣ ଚେତନାରେ ସେଇ ଛୋଟ ନଈ, ତା’ର କୂଳବର୍ତ୍ତୀ ଛୋଟ ଗାଆଁ ଓ ଘାଟମାନଙ୍କରେ ବସି କଂସାବାସନ ମାଜୁଥିବା ଅଥବା ନଈକୂଳେ ଠିଆ ହୋଇ ଦୂରଯାତ୍ରୀମାନଙ୍କୁ ଅନାଇଁ ରହିଥିବା ସେଇ ଝିଅ ଓ ବୋହୂଏ...ଅତୀତର ସେଇ ଏକ ହଜିଯାଇଥିବା ମଳିନ ସ୍ମୃତି, ଆଜି ଯେପରି କୋଡ଼ିଏ ବର୍ଷ ପରେ ହଠାତ୍ ସ୍ନିଗ୍‍ଧ ଓ ଉଜ୍ଜ୍ୱଳ ହୋଇ ଉଠିଲା ।

 

ଅରବିନ୍ଦଙ୍କର ମନେପଡ଼ୁଛି, ଡଙ୍ଗା ଚାଲିଥାଏ ପାଣି କାଟି କାଟି ଧୀରେ ଧୀରେ ଆଗକୁ । ସେ ଓ ତାଙ୍କର ସାଙ୍ଗମାନେ ଡଙ୍ଗାରେ ଜାକିଜୁକି ଚେକାମାଡ଼ି ହୋଇ ବସିଥାନ୍ତି ଚୁପଚାପ । ମନରେ ସୀମାହୀନ ଆଗ୍ରହ, କେତେବେଳେ ପହଞ୍ଚିବେ ସେମାନେ ଗାଆଁରେ ।

 

ଅରବିନ୍ଦଙ୍କ ଗାଁ ଅବଶ୍ୟ ନଦୀ କୂଳରେ ନଥିଲା । ଯେଉଁ ବଡ଼ ନଦୀଟି, ଖରାଦିନେ ଗୁଡ଼ାଏ ବାଲି ପେଟଭିତରେ ଜାକିଧରି ଶୋଇଥାଏ ନିତାନ୍ତ ପ୍ରାଣହୀନ ଭାବରେ ଊର୍ଦ୍ଧ୍ୱ ଆକାଶକୁ ଚାହିଁ ଚାହିଁ, ବର୍ଷାଦିନେ ସେଇ ନଦୀହୁଏ ବଡ଼ ଭୟଙ୍କର, କୁଳପ୍ଲାବିନୀ । ସେଇ ନଦୀ ପାରିହୋଇ ଆହୁରି ମାଇଲିଏ ବାଟ ଗଲେ ଅରବିନ୍ଦଙ୍କ ଗାଁ ମଧୁମତୀପୁର ପଡ଼େ ।

 

ଠିକ୍ ସନ୍ଧ୍ୟାବେଳେ ଡଙ୍ଗାର ଆଗ ମଙ୍ଗ ଲାଗିଯାଏ ସେଇ ବଡ଼ ନଦୀର ଏକ ପରିଚିତ ଘାଟରେ । ଘାଟର ଆନତିଦୂରରୁ ଭାସିଆସେ ଗୁଡ଼ାଏ ମିଳିତ କଣ୍ଠସଙ୍ଗୀତ ‘କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ’ । ଆଃ–କେଡ଼େ ମିଠା ମିଠା ସେ ସଙ୍ଗୀତର ସୁର ।

 

ଅରବିନ୍ଦଙ୍କ ଚେତନା ହଠାତ୍ ସ୍ପନ୍ଦିତ ହୋଇଗଲା କୋଡ଼ିଏ ବର୍ଷ ତଳର ସେଇ ବିସ୍ମୃତି ଅନୁଭୂତିର ପ୍ରଚଣ୍ଡ ଆବେଗରେ । ତାରୁଣ୍ୟର ସେଇ ସମସ୍ତ ସୌରଭ, ଆଜି ଯେପରି ଚାଳିଶିବର୍ଷ ବୟସର ତାଙ୍କର ଚେତନାକୁ କରିଦେଉଛି ଗନ୍ଧବିଧୂର ଓ ଆମୋଦିତ ।

 

ଡଙ୍ଗା ଲାଗିଗଲା ପରେ, ଅରବିନ୍ଦ କୂଳକୁ ଓହ୍ଲାଉଥିଲେ ଏବଂ ହାତରେ ଖଣ୍ଡିଏ ବ୍ୟାଗ ଧରି ଜହ୍ନ ଆଲୁଅରେ ଯାଉଥିଲେ ନିଜ ଗାଁକୁ । ତାଙ୍କର ସାଙ୍ଗମାନେ ଅବଶ୍ୟ ସେଇସବୁ ପାଖ ପାଖ ଗାଆଁର ବାସିନ୍ଦା ଥିଲେ ଏବଂ ବଡ଼ନଦୀ ଘାଟରେ ପହଞ୍ଚିଲେ ସେମାନେ ସବୁ ଚାଲିଯାଉଥିଲେ ନିଜ ନିଜ ଗାଆଁକୁ ତାଙ୍କରି ପରି ।

 

ପୋଖରୀ ହୁଡ଼ା ଉପରେ ରାସ୍ତା ପଡ଼ିଛି ଗାଆଁ ଭିତରକୁ । ପୋଖରୀର ହୁଡ଼ାରେ ଏକ ବିଶାଳ ବଟ ବୃକ୍ଷ । ତା’ପାଖରେ ଗୋଡ଼ ଲମ୍ବାଇ ଶୋଇଛି ସେଇ ପୋଖରୀଟି କେଉଁକାଳରୁ କେଜାଣି ! ସେଇ ପୋଖରୀରେ ଭାର ଭାର କଇଁ ଓ ପଦ୍ମଫୁଲ ଫୁଟେ ।

 

ପୋଖରୀ ହୁଡ଼ାରେ ଗୋଡ଼ ଦେଲାବେଳେ ଅରବିନ୍ଦ ଶୁଣିପାରୁ ଥିଲେ–ଆରଗାଁରୁ ଶୁଣିଆସିଥିବା ଏବଂ ବାଟରେ ଆସୁଥିଲାବେଳେ ହଜାଇ ଦେଇଥିବା ସେଇ ଗୋଟିଏ ସଙ୍ଗୀତର ପୁନରାବୃତ୍ତିକୁ । ଯେଉଁ ଗୀତକୁ ସେ ଭୁଲିଯାଇଥିଲେ, ସେ ଗୀତ ଏବେ ସ୍ପଷ୍ଟତର ହେଉଛି ଓ ସେସବୁ କଣ୍ଠର ଲଳିତ ମୂର୍ଚ୍ଛନା ଯେପରି ଅନୁରଣିତ ହେଉଛି ।

 

ଅରବିନ୍ଦ ପୋଖରୀ ହୁଡ଼ା ପାରିହୋଇ ମହାଦେବ ମନ୍ଦିର ସାମ୍ନାରେ ପହଞ୍ଚିଲେ । ସେଠାରେ ହଠାତ୍ ପହଞ୍ଚି ଥମକି ଠିଆ ହେଉଥିଲେ । ମିଳିତ କଣ୍ଠସଙ୍ଗୀତର ମୂର୍ଚ୍ଛନା ସ୍ପଷ୍ଟତର ହେଉଥିଲା । ସେ କାନପାରି ଶୁଣୁଥିଲେ । ଜଣେ ଗାଉଥିଲା ଆଗେ–ତା’ପରେ ଅନ୍ୟମାନେ ଧରୁଥିଲେ ପାଳି । ଅରବିନ୍ଦ ଜାଣିପାରୁଥିଲେ ଆଗ ଯେ ଗୀତଗାଉଛି, ସେ ହେଉଛି ସୁରମା, ତା’ର କଣ୍ଠସ୍ୱର ସହିତ ସେ ଅନେକ ଦିନରୁ ପରିଚିତ ।

 

ସେତେବେଳର ସୁରମା ଆଜି କୁଆଡ଼େ କେଜାଣି !

 

ଅରବିନ୍ଦଙ୍କର ପୁଣି ମନେପଡ଼ିଲା କୁଆଁର ଉତ୍ସବର ଯାତ୍ରା କଥା । ଝିଅମାନେ ଘର ଘର ବୁଲି ଚାନ୍ଦା ଆଦାୟ କରନ୍ତି ଏବଂ ଚାନ୍ଦା ପଇସାରେ ଯାତ୍ରା କରନ୍ତି ଏବଂ ଚାନ୍ଦା ପଇସାରେ ଯାତ୍ରା ହୁଏ ଦୁଇଦିନ ଧରି । ଗାଁଦାଣ୍ଡ ଫାଟିଯାଏ ଲୋକାରଣ୍ୟରେ ।

 

ଅରବିନ୍ଦଙ୍କର ଏଇସବୁ କଥା ଭାବି ଗଙ୍ଗଶିଉଳି ଗଛ ପର୍ଯ୍ୟନ୍ତ ଚାଲି ଆସିଲେ । ଏବଂ ଠିକ୍ ସେତିକିବେଳେ ତାଙ୍କ ସ୍ତ୍ରୀ ଓ ପିଲାମାନେ ଫେରୁଥିଲେ ବଜାରରୁ । ଅରବିନ୍ଦ ଫେରି ଆସିଲେ ଅତୀତର କୋଡ଼ିଏ ବର୍ଷ ତଳର ବିସ୍ମୃତିର ଗର୍ଭ ମଧ୍ୟରୁ । ଆସନ୍ତାକାଲି ତାଙ୍କୁ ଗାଁକୁ ଯିବାକୁ ପଡ଼ିବ ଏବଂ ଦଶହରା ପରେ ସେ ଫେରିବେ ଏଠାକୁ । ତାଙ୍କ ସ୍ତ୍ରୀ ଲଜ୍ଜାବତୀ ଘରୁ ଡାକ ଛାଡ଼ିଲେ–ଆସ ଦେଖିବ ଆସ, ପିଲାଙ୍କର ଜାମାପ୍ୟାଣ୍ଟ । ଚାକିରିଆ ଓ ମୂଲିଆମାନଙ୍କ ଲାଗି ଧୋତି ଗାମୁଛା ।

 

ଅରବିନ୍ଦ ଆତ୍ମସ୍ଥ ହେଲେ । ଗାଁକୁ ଯିବାଲାଗି କିଣାକିଣି କରି ବଜାରରୁ ଫେରୁଛନ୍ତି ଲଜ୍ଜାବତୀ ଏବଂ ଗାଁରେ ଦୁଇଦିନ ରହିଲା ପରେ ପୁଣି କହିବ ଚାଲ ଫେରିଯିବା ଯତନନଗରକୁ ।

 

କୋଡ଼ିଏ ବର୍ଷ ତଳର ଗାଁ ଆଜି ନାହିଁ । ଯେଉଁମାନଙ୍କୁ ନେଇ ଗାଁ ହେଉଥିଲା ଉତ୍ସବମୁଖର ଓ ଯେଉଁଥିଲାଗି ଗାଁ ଥିଲା ତାଙ୍କର ତୀର୍ଥଭୂମି, ସମୟର ନିଷ୍ଠୁର ବଜ୍ରାଘାତରେ ସେ ଗାଁ ହୋଇଯାଇଛି ଶ୍ମଶାନପରି । ଯେଉଁ ପୋଖରୀରେ ଫୁଟୁଥିଲା ଭାର ଭାର କରି ପଦ୍ମ, ସେ ପୋଖରୀ ଆଜି ପୋତି ହୋଇଯାଇଛି ଓ ତାହା ଉପରେ ଘରଟିଏ ତିଆରି ହୋଇ କଣ୍ଟ୍ରୋଲ ଦୋକାନ ଦେଇଛନ୍ତି ଜଣେ ରାଜନୈତିକ କର୍ମୀ ।

 

ଗାଁର ସେଇ ପୁରାତନ ଦେବୀମଣ୍ଡପ–ତିସାଣିଆ କାଠଘର–ତଳ ସିମେଣ୍ଟ ଚଟାଣ–ଶହେବର୍ଷ ତଳର ପୋଖତ କାରିଗରଦ୍ୱାରା ନିର୍ମିତ ମେହଗାନୀ କାଠର ପ୍ରକାଣ୍ଡ ମେଢ଼ ଭାଙ୍ଗି ଚୁରି ଧୂଳିସାତ୍ ହୋଇଯାଇଛି ସବୁ । ସେଇ ସ୍ଥାନରେ ଏବେ ମୁଣ୍ଡ ଟେକିଛି ପଞ୍ଚାୟତ ଅଫିସ ଯେଉଁଠି କଳା ଧନରେ ପ୍ରତିଦିନ ରାମପକ୍ଷୀ କୁର୍ବାନ ହୁଏ । ଅରବିନ୍ଦ ଏକ ଅବ୍ୟକ୍ତ ବେଦନାରେ ଶିହରି ଉଠିଲେ ।

 

ପୂଜାର ଦୁଇ ତିନିଦିନ ପୂର୍ବରୁ ଗତ କୋଡ଼ିଏ ବର୍ଷ ତଳର ସ୍ମୃତି ତାଙ୍କ ମନରେ ରହିଯାଇଛି ଏକ ବିସ୍ମୃତି ସଙ୍ଗୀତପରି ଯାହାର ପୁନରାବୃତ୍ତି ଆଜି ହୋଇ ଉଠିଛି ଆକସ୍ମିକ ଭାବରେ-

 

ଆଜି ଯେପରି କଇଁଫୁଲର ଗାଁକୁ କେହି ଦଳି ଚକଟି ଦେଇଛି ଓ ଫୁଲ ବଉଳବେଣୀ ଗୀତର ମୂର୍ଚ୍ଛନା ଯେପରି ହଜିଯାଇଛି ଇଥରର କେଉଁ ଦୂରାନ୍ତର ଅଭ୍ୟନ୍ତରରେ ।

 

ଅରବିନ୍ଦ ଅନ୍ୟମନସ୍କ ଭାବରେ କେତୋଟି ଗଙ୍ଗଶିଉଳି ଫୁଲକୁ ତଳୁ ଗୋଟାଇ ଆଣିଲେ ।

 

ଲଜ୍ଜାବତୀ ପୁଣି ଘରୁ ଡକା ଛାଡ଼ିଲେ–କାହିଁକି ସେଠି ଠିଆହୋଇଛ ଯେ–ଆସ ଘରକୁ !

 

ଅରବିନ୍ଦ ଚମକି ପଡ଼ିଲେ ଏବଂ ଅନ୍ୟମନସ୍କ ଭାବରେ ହାତରେ କେତୋଟି ଗଙ୍ଗଶିଉଳି ଫୁଲଧରି ଲଜ୍ଜାବତୀଙ୍କ ପାଖକୁ ଚାଲିଲେ ।

Image

 

ଉଜାଣିସୁଅ

 

ସାରଙ୍ଗଗଡ଼କୁ ଆସିବାର ବର୍ଷଟିଏ ପୂରିଗଲାଣି ଉଦୟଚନ୍ଦ୍ରଙ୍କର । ଏଠାକୁ ଆସିଲା ଦିନଠାରୁ ସେ ଶୁଣି ଆସୁଛନ୍ତି ସେଇ ଗୋଟାଏ ଆଲୌକିକ, ଅଦ୍‍ଭୂତ କାହାଣୀ, ଯେପରିକି ସେଇ କାହାଣୀର ଆଉ ପରିସମାପ୍ତି ନାହିଁ ।

 

ସର୍ବପ୍ରଥମେ ଯେତେବେଳେ ଉଦୟଚନ୍ଦ୍ରଙ୍କ କାନରେ ସେଇ ଅଲୌକିକ କାହାଣୀର କିଛି ଅଂଶ ବାଜିଲ୍ଲା, ସେତେବେଳେ ସେ କଥାଟାକୁ ଉଡ଼ାଇଦେଲେ ବାଏଁ ବାଏଁ । ସେ ସବୁ କଥା ଉପରେ ତାଙ୍କର ବିଶ୍ୱାସ ଆସିଲା ନାହିଁ ପିଲାଦିନେ ଆଇମା’ଙ୍କଠାରୁ ଶୁଣିଥିବା କୌଣସି ଏକ କାଳ୍ପନିକ ଗଳ୍ପର ତାହା ଏକ ଅଂଶବିଶେଷ ବୋଲି ସେ ଧରିନେଇଥିଲେ ମନେ ମନେ ।

 

କାରଣ ଉଦୟଚନ୍ଦ୍ରଙ୍କର ବିଚାରଧାରା ଗଢ଼ି ଉଠିଥିଲା ସେହି ମର୍ମରେ ପିଲାଟି କାଳୁ । ସମାଜର ଅନ୍ଧବିଶ୍ୱାସ, ଧର୍ମ ଧାରଣା ଓ କୁସଂସ୍କାର ସମ୍ପର୍କରେ ତାଙ୍କର ଏକ ଯୁଗପତ ବିରୋଧୀ ମନୋଭାବ ରହି ଆସିଛି । ସେହି ଦୃଷ୍ଟିରୁ ଏଇ ସମସ୍ତ ଅଲୌକିକ ଓ ଅବାସ୍ତବ କଥା ଉଠିଲେ, ଉଦୟଚନ୍ଦ୍ର ଆପାଣର ବସ୍ତୁବାଦୀ ଚିନ୍ତାଧାରାରେ ତାହାକୁ ବିଶ୍ଳେଷଣ କରି ସେସବୁ କଥାଗୁଡ଼ିକର ଗୁରୁତ୍ୱକୁ ସେ ଅତି ନ୍ୟୂନ କରିଦିଅନ୍ତି ।

 

ମୋଟ ଉପରେ, ସମାଜର ବାସ୍ତବ ଘଟଣା ପ୍ରତି ତାଙ୍କର ରହିଥିଲା ସୁପ୍ରଚୁର ସହାନୁଭୂତି । ଅଲୌକିକ, ଆଦିଭୌତିକ ଓ କାଳ୍ପନିକ ଘଟଣାବଳୀ ପ୍ରତି ରହିଥିଲା ତାଙ୍କର ଏକ ଅବିଶ୍ୱାସ ।

 

ଏଇ ମାନସିକ ଭିତ୍ତିଭୂମି ଉପରେ ଯେତେବେଳେ ସାରଙ୍ଗଗଡ଼ଠାରେ ପ୍ରତିଦିନ ସେଇ ଗୋଟାଏ ଅଲୌକିକ କାହାଣୀର ବହୁ ଚିତ୍ତଚାଞ୍ଚଲ୍ୟକାରୀ ରୋମାଞ୍ଚକର କାହାଣୀ ତାଙ୍କ ପାଖରେ ବହୁ ଲୋକେ ଆସି ବର୍ଣ୍ଣନା କରନ୍ତି ସେତେବେଳେ ଯଦି ଓ ସେସବୁକୁ ସେ ଅଙ୍ଗୀକାର କରିପାରନ୍ତି ନାହିଁ ତଥାପି ଏକ ନୀରବ ପ୍ରତିବାଦରେ ସେ ଯେପରି ଗୁମୁରି ଉଠନ୍ତି ।

 

ଉଦୟଚନ୍ଦ୍ର ଆହୁରି ବିସ୍ମିତ ହୁଅନ୍ତି ସେ ଯେତେବେଳେ ସରକାରୀ କାର୍ଯ୍ୟୋପଲକ୍ଷେ ସାରା ସବ୍ଡ଼ିଭିଜନ ଗସ୍ତ କରନ୍ତି । ମଫସଲର ନିଭୃତ ଅଞ୍ଚଳକୁ ଗସ୍ତରେ ଗଲାବେଳେ, ଗ୍ରାମୀଣ ଜନତାର ପ୍ରତ୍ୟକ୍ଷ ସମ୍ପର୍କରେ ଆସିଲାବେଳେ, ସେମାନଙ୍କର ଅଭାବ ଅସୁବିଧା ଆନ୍ତରିକ ଭାବେ ଶୁଣିଲା ବେଳେ, ସେଇ ଅଲୌକିକ କାହାଣୀର କେତେ ଚିତ୍ତ ଆଲୋଡ଼ନକାରୀ ଭଗ୍ନାଂଶ ତାଙ୍କ କାନରେ ବାଜିଯାଏ । ମାତ୍ର ସେସବୁ କାହାଣୀ ସେ ଶୁଣିଯା’ନ୍ତି ବଡ଼ ଉଦାସୀନ ଭାବରେ ।

 

ଉଦୟଚନ୍ଦ୍ରଙ୍କ ସ୍ତ୍ରୀ ଶାନ୍ତିଲତା ଗତ ବର୍ଷେ ହେଲା ସେଇ ଅଲୌକିକ କାହାଣୀଟି ସମ୍ପର୍କରେ ଶୁଣି ଆସୁଛନ୍ତି । ମାତ୍ର ସ୍ୱାମୀଙ୍କର ଚିନ୍ତାଧାରା ସମ୍ପର୍କରେ ଗତ ପନ୍ଦର ବର୍ଷ ଧରି ସେ ପରିଚିତ ଥିବାରୁ, ତାଙ୍କ ପାଖରେ ଏସବୁ କଥା ଉଠାଇବାକୁ ଭରସି ପାରନ୍ତି ନାହିଁ । ତେଣୁ ତାଙ୍କ ଭିତରେ ସେଇ ଅଲୌକିକ ବ୍ୟାପାର ସେ ସମ୍ପର୍କରେ ଅନେକ ଆଗ୍ରହ ଓ କୌତୂହଳ ସୃଷ୍ଟି ହେଲେ ମଧ୍ୟ ଉଦୟଚନ୍ଦ୍ରଙ୍କ ପାଖରେ ସେ କିଛି ପ୍ରକାଶ କରି ପାରନ୍ତି ନାହିଁ ।

 

ଶାନ୍ତିଲତା ମନେମନେ ଅନେକଥର ସାହସ ବାନ୍ଧି, ଉଦୟଚନ୍ଦ୍ରଙ୍କୁ ପଚାରିବେ ପଚାରିବେ ବୋଲି ମନସ୍ଥ କଲେଣି । କିନ୍ତୁ ତାଙ୍କ ସ୍ୱାମୀଙ୍କର ସମୟ କାହିଁ ? ସାରା ସବ୍ଡ଼ିଭିଜନର ଶାନ୍ତି, ଶୃଙ୍ଖଳା ଦାୟିତ୍ୱ ତାଙ୍କ ଉପରେ । ଜନସାଧାରଣଙ୍କ ଖାଦ୍ୟ, ବସ୍ତ୍ର, ଚିନି, କିରୋସିନି, ଜମିଜମା ଗଣ୍ଡଗୋଳ, କଳାବଜାରୀ ଓ ମୁନାଫାଖୋରୀମାନଙ୍କର ଦମନ, ଆଦିବାସୀ ଓ ହରିଜନମାନଙ୍କୁ ବଳକା ଜମିବଣ୍ଟନ, ଓଃ, ଏ ସମସ୍ତ କାମ ସବ୍ଡ଼ିଭିଜନାଲ ଅଫିସରଙ୍କ ଉପରେ । ସେଥିରେ ପୁଣି କଲେକ୍ଟର, କମିଶନର, ମନ୍ତ୍ରୀ, ଏମ. ଏଲ. ଏ ଓ ଏମ୍. ପି ମାନଙ୍କର ଘନଘନ ଗସ୍ତ, ଆଲୋଚନା, ସଭା ସମିତିର ଆୟୋଜନ । ରାତି ନାହିଁ, ଦିନ ନାହିଁ, ଖିଆ ପିଆ ନାହିଁ, ସେ ଘୁରୁଛନ୍ତି ସାରଙ୍ଗଗଡ଼ ସବ୍ଡ଼ିଭିଜନର ମଙ୍ଗଳ ପାଇଁ, କଲ୍ୟାଣ ପାଇଁ ।

 

ଉଦୟଚନ୍ଦ୍ର ଘରକୁ ଫେରିଲାବେଳକୁ କେଉଁଦିନ ରାତି ବାର, ଗୋଟାଏ ଏବଂ ରାତି ତମାମ୍ କେଉଁ ମଫସଲ ଅଞ୍ଚଳରେ ରହି ଭୋଅରୁ ଭୋଅରୁ ପହଞ୍ଚନ୍ତି ଘରେ । ତାଙ୍କର ଖାଲି କାମ, ଦାୟିତ୍ୱ ଓ ପୁଣି ଗୁରୁଦାୟିତ୍ୱ । ସେ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ଲାଗି ବ୍ୟାକୁଳ । ମଫସଲର ସାଧାରଣ ମଳିମୁଣ୍ଡିଆ ଗରିବ ଲୋକଙ୍କଠାରୁ ଆରମ୍ଭ କରି ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ସେ ଚାହାନ୍ତି ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପାଇଁ । କାରଣ ଆଗରେ ତାଙ୍କର ପଦୋନ୍ନତିର ସିଡ଼ି, ଏ. ଡ଼ି. ଏମ୍. ହେବାକୁ ସେ ହେଉଛନ୍ତି ପ୍ରଥମ ଲୋକ, ତା’ପରେ ଆଇ. ଏ. ଏସ୍. ଲାଗି ରେକୋମେଣ୍ଡେସନ୍‍ ଯିବ-

 

ସେଦିନ ସନ୍ଧ୍ୟା ହେଲା । ଶାନ୍ତିଲତା ଏକାକୀ ସେଇ ଅଲୌକିକ କାହାଣୀଟି ସମ୍ପର୍କରେ ଚିନ୍ତା । କରୁଥିବାବେଳେ, କାହିଁକି କେଜାଣି ଉଦୟଚନ୍ଦ୍ର ପଶିଆସିଲେ ଘର ଭିତରକୁ । ତାଙ୍କୁ ଦେଖି ଶାନ୍ତିଲତା ଅବାକ୍ ହୋଇଗଲେ ଏବଂ ହଠାତ୍ ପଚାରିଲେ–ଆଜି କ’ଣ କିଛି କାମ ନାହିଁ ? ଏମିତି ଯଦି ପ୍ରତିଦିନ ସନ୍ଧ୍ୟାବେଳେ ତମେ ଫେରି ଆସନ୍ତ, ଆଃ କେଡ଼େ ଭଲ ହୁଅନ୍ତା ! ତମ ସ୍ୱାସ୍ଥ୍ୟ ସ୍ୱାଭାବିକ ଭାବରେ ଚାଲନ୍ତା ଏବଂ ତମେ ଯନ୍ତ୍ରଣା ଅନୁଭବ କରନ୍ତ ନାହିଁ ।

 

ଉଦୟଚନ୍ଦ୍ର ହସିଲେ । କହିଲେ–ଆଜି କାହିଁକି କେଜାଣି ଜନତାର ଭିଡ଼ ନାହିଁ । ଓଃ, ମଣିଷ ମରିଗଲା ଖାଟି ଖାଟି ଏଇ ଇମରଜେନ୍‍ସି ବେଳେ । ଯାହାହେଉ ଆଜି ଟିକିଏ ବିଶ୍ରାମ ମିଳିଲା । ଆସ ଶାନ୍ତି, ଆରାମରେ ବସି ଟିକିଏ ଗପଟପ କରିବା ।

 

ଶାନ୍ତିଲତା କହିଲେ–ତମେ ବସ, ମୁଁ ଆସୁଛି ଚା’ ଧରି ।

 

ଚା’ କପ୍ ଉଦୟଙ୍କ ହାତକୁ ବଢ଼ାଇ ଦେଇ ଶାନ୍ତିଲତା ତାଙ୍କ ପାଖରେ ବସି ପଡ଼ିଲେ ।

 

ଶାନ୍ତିଲତା ଖୁବ୍ ଏକାନ୍ତରେ ଯେଉଁ ଅଭାବବୋଧର କାରୁଣ୍ୟରେ ଏତେଦିନଯାଏ ପୀଡ଼ିତ ଥିଲେ, ତାହାର ଉପଶମ ପାଇଁ ଉଦୟଚନ୍ଦ୍ର ସତେ ଯେପରି ପ୍ରତିଷେଧକ ବ୍ୟବସ୍ଥା ବତାଇ ଦେଲେ । ଏକ ଉଚ୍ଛଳ ଆନନ୍ଦରେ ସେ ଉଦୟଚନ୍ଦ୍ରଙ୍କ ପାଖରେ ବସିପଡ଼ିଲେ ଓ ଗଞ୍ଜିରୁ ବାହାରି ତାଙ୍କ ମୁଣ୍ଡରେ ଲାଗିଥିବା ଏକ ସୂତାକୁ ଅତି ଯତ୍ନରେ ସେ ବାହାର କରିଦେଲେ ।

 

ଉଦୟଚନ୍ଦ୍ର ଚା’ କପ୍‍ରେ ଓଠ ରଖିଲେ ।

 

ଅନେକ ଦିନ ହେଲା ଶାନ୍ତିଲତା ବ୍ୟାଘ୍ରୀ ଠାକୁରାଣୀଙ୍କ ସମ୍ପର୍କରେ ତାଙ୍କ ସ୍ୱାମୀଙ୍କୁ କହିବେ ବୋଲି ଏ ପର୍ଯ୍ୟନ୍ତ କହିପାରି ନ ଥିଲେ । କହିବା ଲାଗି ଅନେକ ଥର ଇଚ୍ଛା କରିଥିଲେ ମଧ୍ୟ ସେଥିପାଇଁ ତାଙ୍କୁ ଯଥେଷ୍ଟ ସୁଯୋଗ ମିଳୁ ନ ଥିଲା । ଆଜି ଯେପରି ତାଙ୍କୁ ମିଳିଗଲା ଏକ ସୁବର୍ଣ୍ଣ ସୁଯୋଗ ।

 

ବଡ଼ପୁଅ ପଢ଼ୁଛି ତା’ପଢ଼ା ରୁମରେ । ଝିଅ ନାହିଁ, ଯେ ଯାଇଛି ସେକେଣ୍ଡ ଅଫିସରଙ୍କ ଝିଅ ଅଞ୍ଜଳି ପାଖକୁ, ସେ ତାର ଭାରୀ ସାଙ୍ଗ ।

 

ଶାନ୍ତିଲତା ଆରମ୍ଭ କରିଦେଲେ–ଏଠାରୁ କୋଡ଼ିଏ ମାଇଲ ଦୂରରେ ଗାଁଟିଏ ଅଛି–ନାଁ ତା’ର ସ୍ୱପ୍ନେଶ୍ୱର । ସେଠାରେ ବ୍ୟାଘ୍ରଦେବୀ ଠାକୁରାଣୀ ଅଛନ୍ତି । ସେ କଥା କହୁଛନ୍ତି । ପ୍ରତିଦିନ ଶହଶହ ଲୋକ ଯାଉଛନ୍ତି ଠାକୁରାଣୀଙ୍କ ପାଖକୁ । ସେ ଯାହା କହୁଛନ୍ତି ସବୁ କୁଆଡ଼େ ସତ । ତମର ପ୍ରମୋସନ କେବେ ହେବ, ତାହା ମଧ୍ୟ ସେ କହିଦେବେ । ଏପରିକି ତାରିଖ ମଧ୍ୟ ଠାକୁରାଣୀ ନିର୍ଭୁଲ ଭାବରେ ଲେଖିଦେବେ । ଆମେ ଥରେ ଯାଆନ୍ତେ ସେଠାକୁ । ତମର ତ ଦିଅଁ ଦେବୀଙ୍କ ଉପରେ ବିଶ୍ୱାସ ନାହିଁ । ଥରେ ଚାଲ ଦେଖି ଆସିବା !

 

ଚିରାଚରିତ ଭାବରେ ଉଦୟଚନ୍ଦ୍ର ଅବଶ୍ୟ ଶାନ୍ତିଲତାଙ୍କ କଥାରେ ପ୍ରତିବାଦ କଲେ ନାହିଁ-। ତାଙ୍କର ଅନ୍ଧବିଶ୍ୱାସ ସମ୍ପର୍କରେ ସେ ମଧ୍ୟ ବିରକ୍ତି ପ୍ରକାଶ କଲେ ନାହିଁ । ଯେଉଁ ଆଲୌକିକ କାହାଣୀ ସମ୍ପର୍କରେ ଗତ ବର୍ଷେ ହେଲା ସେ ଶୁଣି ଆସୁଛନ୍ତି ବିରତିହୀନ ଭାବରେ ଲୋକମୁଖରୁ ଏବଂ ଏପରିକି ତାଙ୍କ ଅଫିସରମାନଙ୍କ ମଧ୍ୟରୁ କେତେକ ସେହି କଥାଟାର ସତ୍ୟତାକୁ ପ୍ରତିପାଦିତ କରୁଛନ୍ତି ଦୃଢ଼ ଭାବରେ–ସେହି କଥାଟାକୁ ପୁନରାବୃତ୍ତି କରୁଛନ୍ତି ଶାନ୍ତିଲତା । ଏ ସଂକ୍ରାନ୍ତରେ ତାଙ୍କ ନାରୀ ମନର ଅନେକ ସ୍ୱାଭାବିକ କୌତୂହଳ ଅବଶ୍ୟ ଜଡ଼ିତ ରହିଛି । ସେ ସିନା ଏସବୁ ବ୍ୟାପାରରେ ଆଦୌ ଗୁରୁତ୍ୱ ଦିଅନ୍ତି ନାହିଁ; ମାତ୍ର ଶାନ୍ତିଲତା ଗତ ବର୍ଷେ ହେଲା ଠାକୁରାଣୀଙ୍କ କାହାଣୀ ଶୁଣି ଶୁଣି କିପରି ଅବା ସମ୍ଭାଳି ହୋଇ ରହନ୍ତେ ?

 

ଉଦୟଚନ୍ଦ୍ର ଶାନ୍ତିଲତାଙ୍କୁ ଆଶ୍ୱାସନା ଦେଇ କହିଲେ–ଆମେ ଥରେ ଯିବାକୁ କୁହଛ ଶାନ୍ତି, ଏସବୁ ଲୋକ–କାହାଣୀ ସମ୍ପୂର୍ଣ୍ଣ କାଳ୍ପନିକ । ମୁଁ ଏକଥା ଅନେକ ଦିନ ହେଲା ଶୁଣୁଛି । ମାତ୍ର ତିଳେମାତ୍ର ଏସବୁ କଥାକୁ ମୁଁ ବିଶ୍ୱାସ କରିପାରୁ ନାହିଁ । କେବେ ସେଠାକୁ ଯିବା, ମୁଁ ତମକୁ ପରେ ସୁବିଧା ଦେଖି କହିବି ।

 

ଶାନ୍ତିଲତା ସତେ ଯେପରି ଆଶ୍ୱସ୍ତ ହେଲେ । ତାଙ୍କ ସ୍ୱାମୀଙ୍କୁ ସେ ସ୍ୱପ୍ନେଶ୍ୱର ଯିବା ଲାଗି ରାଜି କରାଇ ପାରିଥିବାରୁ, ତାଙ୍କର ମନ ଯେପରି ଭରିଗଲା ଏକ ପୂର୍ଣ୍ଣତାରେ ।

 

ସେଦିନ ଶାନ୍ତିଲତା ମନ ଖୁସିରେ କହିଲେ–ଯାଉଛି, ତମ ପାଇଁ କିଛି ଜଳଖିଆ ତିଆରି କରେ ।

 

ଶାନ୍ତିଲତା ଚାଲିଗଲେ ଉଦୟଙ୍କ ପାଖରୁ ।

 

ସାରଙ୍ଗଗଡ଼ଠାରୁ ସ୍ୱପ୍ନେଶ୍ୱର କୋଡ଼ିଏ ମାଇଲ ଦୂର । ଉଦୟଚନ୍ଦ୍ର ଓ ଶାନ୍ତିଲତା ଚାଲିଛନ୍ତି ସ୍ୱପ୍ନେଶ୍ୱରଆଡ଼େ । ଖରାଦିନ ସକାଳରେ ସ୍ୱପ୍ନେଶ୍ୱରଆଡ଼େ କାର୍ ଗଡ଼ି ଗଡ଼ି ଚାଲିଛି ଆଗକୁ ଶବ୍ଦହୀନ ଭାବରେ ।

 

ସାରଙ୍ଗଗଡ଼ଠାରୁ ପାଞ୍ଚ ମାଇଲ ବାଟ ଗଲା ପରେ, ରାସ୍ତାର ଦୁଇ ପାଖରେ ପଡ଼ିଲା ଛୋଟ ଛୋଟ ପାହାଡ଼ ଶ୍ରେଣୀ ଯେପରି ଲମ୍ବିଯାଇଛି ତଳକୁ ତଳକୁ ମାଇଲ ମାଇଲ ଧରି ।

 

ଖରାଦିନ ସକାଳେ ସେଇସବୁ ଛୋଟ ଛୋଟ ନୀଳ ପାହାଡ଼ ଉପରେ କେତେ ଜାତିର ପକ୍ଷୀ ସବୁ ଦେଖା ଯାଉଥିଲେ କାର୍ ଭିତରୁ । ନିଃସଙ୍ଗ ମୟୂରୀଟିଏ ତା’ର ପୁଚ୍ଛ ମେଲାଇ ବସିଥିଲା ନୀଳ ପାହାଡ଼ ଉପରେ ସତେ ଯେପରି ତାହାର ଦୟିତ୍ୱକୁ ଅପେକ୍ଷା କରି ।

 

ପାହାଡ଼ର ପାଦଦେଶରେ ଛୋଟ ଛୋଟ ଚାଳିଘର । ଜନବସତିର ଚିହ୍ନ । ଖରାଦିନ ସକାଳରେ ସେଇସବୁ ଚାଳିଘରର ଜନବସତି ମଧ୍ୟରୁ ଅଧା ଲଙ୍ଗଳା ପୁରୁଷ ଓ ସ୍ତ୍ରୀ ହାତରେ ଧନୁଶର ଧରି ବାହାରୁଥିଲେ ପାହାଡ଼କୁ ଲାଗି ଅରଣ୍ୟ ଭିତରକୁ ।

 

ଶାନ୍ତିଲତା ଏଇସବୁ ଦୃଶ୍ୟ ଦେଖି ଭାରି ଚମତ୍କୃତ ହେଉଥିଲେ । ସାରଙ୍ଗଗଡ଼ ସବ୍ଡ଼ିଭିଜନର ଅଭ୍ୟନ୍ତର ଅଞ୍ଚଳରେ ଏପରି ପାହାଡ଼ ଓ ଅରଣ୍ୟ ଥିଲା ବୋଲି ତାଙ୍କର କେବେ ଧାରଣା ନଥିଲା । ତେଣୁ ଖରାଦିନ ସକାଳରେ ଏଇସବୁ ନୂଆ ପ୍ରାକୃତିକ ଦୃଶ୍ୟ ଦେଖି ସେ ତଟସ୍ଥ ହୋଇଯାଉଥିଲେ ।

 

ଗାଡ଼ି ଚାଲିଥିଲା ।

 

ସକାଳ ନଅଟା ସୁଦ୍ଧା ଉଦୟଚନ୍ଦ୍ର ସ୍ୱପ୍ନେଶ୍ୱର ଗାଁରେ ପହଞ୍ଚିଲେ ।

 

ସ୍ୱପ୍ନେଶ୍ୱର ଗାଁଟି କେଉଁ ଏକ ନାମହୀନ ନଦୀକୂଳରେ ଅବସ୍ଥିତ । ଯେଉଁ ସବୁ ଛୋଟ ଛୋଟ ପର୍ବତମାଳା ଅତିକ୍ରାନ୍ତ କରି ମୁଖ୍ୟ ରାସ୍ତାରେ ଉଦୟଚନ୍ଦ୍ରଙ୍କ ଗାଡ଼ି ଚାଲିଆସିଥିଲା ସ୍ୱପ୍ନେଶ୍ୱର ପର୍ଯ୍ୟନ୍ତ, ସେସବୁ ପର୍ବତମାଳା କାହିଁ କେଉଁ ଦୂରରେ ଅଦୃଶ୍ୟ ହୋଇ ରହିଗଲେ ।

 

ସ୍ୱପ୍ନେଶ୍ୱର ଗାଁ ପାରିହେଲେ ପଡ଼ିବ ବ୍ୟାଘ୍ରେଶ୍ୱରୀ ମନ୍ଦିର । ନଦୀ ପଠାର ବିସ୍ତୀର୍ଣ୍ଣ ବାଲୁକା ପ୍ରାନ୍ତରର ଅପର ପାର୍ଶ୍ୱରେ ଦେଖାଯାଉଛି ଗୋଟିଏ ଛୋଟ ଦେଉଳ । ଦେଉଳର ଊର୍ଦ୍ଧ୍ୱ ଭାଗରେ ଉଡ଼ୁଛି ତା’ର ନାଲି ରଙ୍ଗର ନେତ ।

 

ନୀଦ ପଠାର କୁଢ଼ କୁଢ଼ ବିସ୍ତୀର୍ଣ୍ଣ ବାଲିବନ୍ତକୁ ଠେଲି ଉଦୟଚନ୍ଦ୍ରଙ୍କର ଗାଡ଼ି ଆଉ ଆଗକୁ ଗଡ଼ିଲା ନାହିଁ । ତେଣୁ ଗାଡ଼ିଟି ସେଇଠାରେ ଅଟକିଲା ।

 

ଉଦୟଚନ୍ଦ୍ର ଗାଡ଼ିରୁ ଓହ୍ଲାଇ ବାଲିବନ୍ତର ଅପରପାର୍ଶ୍ୱରେ ଥିବା ଛୋଟ ଦେଉଳଟିକୁ ନିରୀକ୍ଷଣ କଲେ । ଦେଉଳ ସମୀପରେ ଜମିଛନ୍ତି ପ୍ରାୟ ଶହେ କିମ୍ବା ଦେଢ଼ ଶହ ସରିକି ଲୋକ ।

 

ଉଦୟଚନ୍ଦ୍ର ଓ ଶାନ୍ତିଲତା ସେଇ ବାଲି ଭିତରେ ଧସେଇ ଆଗକୁ ଚାଲିଲେ । ଗାଡ଼ି ରହିଗଲା ଏପଟେ । ଡ୍ରାଇଭର ରହିଗଲା ଗାଡ଼ିକୁ ଜଗି ।

 

ଉଦୟଚନ୍ଦ୍ର ଓ ଶାନ୍ତିଲତା ଚାଲିଛନ୍ତି ବାଲି ଭିତରେ । ବାଲି ଅବଶ୍ୟ ବିଶେଷ ତାତି ନାହିଁ-। ଆଉ ଟିକିଏ ଖରା ହେଲେ ବାଲି ଆହୁରି ତାତିଯିବ । ଯୋତା ବାହାର କରି ଖାଲି ଗୋଡ଼ରେ ଯିବା ହୁଏତ ଅସମ୍ଭବ ହୋଇ ପଡ଼ିବ ।

 

ଉଦୟଚନ୍ଦ୍ର ଓ ଶାନ୍ତିଲତା ବାଲି ପାରି ହୋଇ ମନ୍ଦିର ଚତ୍ୱରରେ ପହଞ୍ଚିଲେ । ସେଠାରେ ସମାବିଷ୍ଟ ଭକ୍ତ–ଜନତାଙ୍କ ମଧ୍ୟରୁ କେତେକ ଉଦୟଚନ୍ଦ୍ରଙ୍କୁ ଚିହ୍ନିପାରି ଚାଲି ଆସୁଥିଲେ ତାଙ୍କଆଡ଼କୁ-। ଆଉ କେତେକଙ୍କ ଭିତରେ ହଠାତ୍ ଖେଳିଗଲା ଏକ କଳଗୁଞ୍ଜନ । ସେମାନେ ଏକାସାଙ୍ଗରେ କହିଉଠିଲେ–ଏସ୍. ଡ଼ି. ଓ. ଆସିଛନ୍ତି ଆଜି ।

 

ଭକ୍ତ–ଜନତାଙ୍କ ମଧ୍ୟରୁ କେତେକ ଆସି ତାଙ୍କୁ ସମ୍ମାନ ଜଣାଇଲେ ଏବଂ ତାଙ୍କ ଚାରିପିଠି ଘେରିଗଲେ । ଅବଶ୍ୟ ଏ ଘେରାଉ କୌଣସି ଉଦ୍ଦେଶ୍ୟ କିମ୍ବା ମତଲବ୍ ରଖି କରାଯାଇ ନ ଥିଲା । ସେମାନେ ଚିରାଚରିତ ଭାବରେ ଅଟା, ଚାଉଳ ଚିନି ଏବଂ କିରୋସିନ୍ ମିଳିବା ସମ୍ପର୍କରେ କଥାବାର୍ତ୍ତା ଆରମ୍ଭ କରିଦେଲେ ।

 

ଉଦୟଚନ୍ଦ୍ର ସମବେତ ଜନତାକୁ କହିଲେ–ମୁଁ ବ୍ୟାଘ୍ରଦେବୀଙ୍କ ଦର୍ଶନ ପାଇଁ ଆସିଛି । ମୋର ଏଇଟା ସରକାରୀ ଗସ୍ତ ନୁହେଁ; ସମ୍ପୂର୍ଣ୍ଣ ବ୍ୟକ୍ତିଗତ । ତେବେ ଆପଣମାନଙ୍କର ଯାହା କହିବାର ଅଛି, ମୁଁ ଦର୍ଶନ ସାରି ଫେରିଲାବେଳକୁ, ଆପଣମାନେ ମୋ ସହିତ ଆଲୋଚନା କରିପାରନ୍ତି । ସମବେତ ଭକ୍ତ-ଜନତା ତାଙ୍କୁ ବାଟ ଛାଡ଼ି ଦେଲେ । ଉଦୟଚନ୍ଦ୍ର ଓ ଶାନ୍ତିଲତା ଦେଉଳ ଆଡ଼କୁ ମୁହାଁଇଲେ ।

 

ଉଦୟଚନ୍ଦ୍ର ଦେଉଳର ଖୁବ୍ ନିକଟବର୍ତ୍ତୀ ହେଲେ । ଛୋଟ ଏକ ଦେଉଳ । ଦେଉଳ ଚଉପାଶରେ ବେଲ ଓ କନିଅର ଗଛର ଛୋଟ ଏକ ବନାନୀ । ବାହାରୁ ଠିଆ ହୋଇ ଚାହିଁଲେ ଦେଉଳ ଭିତରର କିଛି ଦୃଶ୍ୟ ହେଉନାହିଁ । ସେଇ ଦେଉଳର ଅବସ୍ଥିତି ଦେଖି ପିଲାବେଳେ ତାଙ୍କ ଆଈମା’ଙ୍କଠାରୁ ଶୁଣିଥିବା କେଉଁ ଏକ ଅମୁହାଁ ଦେଉଳର କଥା ମନେ ପଡ଼ିଲା ।

 

ସେମାନେ ଗୋଟିଏ ପାହାଚ ଅତିକ୍ରମ କରିଛନ୍ତି କି ନାହିଁ ଦେଉଳର ଅନ୍ଧାରୀ ଗହ୍ୱରରୁ ମୁଖ୍ୟ ପୂଜକ ବାହାରି ଆସି ତାଙ୍କ ଆଗରେ ଠିଆ ହୋଇଗଲେ ଏବଂ ସ୍ୱାମୀ ସ୍ତ୍ରୀଙ୍କୁ ପାଛୋଟି ନେବାର ଅଭିନୟ ଆରମ୍ଭ କଲେ ।

 

ପୂଜକଙ୍କ ଚେହେରା ଥିଲା ବିଚିତ୍ର । ମୁଣ୍ଡରେ ରକ୍ତଚନ୍ଦନର ବହଳ ତ୍ରିବେଣୀ । ବେକରେ ରୁଦ୍ରାକ୍ଷ ମାଳା । ଦେହରେ ଓଦା ପାଚିଲା ଗାମୁଛା । ବେହରଣରେ କେଉଁ ଅନାଦି ଯୁଗର ମଠା ଖଣ୍ଡେ ।

 

ପୂଜକଙ୍କ ବୟସ ଆନୁମାନିକ ଷାଠିଏ ପାଖାପାଖି ହେବ । ଲଣ୍ଡିତ ମସ୍ତକ । ଦେହରେ ମଇଳା ଉପବୀତ । ପାନଖିଆ ଦାନ୍ତଗୁଡ଼ିକ ଦେଖାଯାଉଛି ନିତାନ୍ତ କଳା ।

 

ଉଦୟଚନ୍ଦ୍ରଙ୍କୁ ଦେଖି ମୁଖ୍ୟ ପୂଜକ ବେଶ୍ ଆହ୍ଲାଦିତ ହୋଇ ଉଠିଲେ ଏବଂ ହାତରେ ଝୁଲାଇଥିବା ଗୋଟାଏ କଳା ବ୍ୟାଗରୁ ଥୋଡ଼େ କାଗଜପତ୍ର ବାହାର କରି ଉଦୟଚନ୍ଦ୍ରଙ୍କୁ ଦେଖାଇଲେ ।

 

ପୂଜକଙ୍କ ହାତରୁ ଥୋଡ଼ାଏ କାଗଜ ଆଣି ଉଦୟଚନ୍ଦ୍ର ପଢ଼ିବାରେ ଲାଗିଲେ । ଅନେକ ଟାଇପ୍ କରା କାଗଜ । ସବୁଗୁଡ଼ିକ ପ୍ରାୟ ଇଂରେଜୀରେ ଲେଖା । କେତେ ଏମ୍ବାସିର ପ୍ରଥମ ଓ ଦ୍ୱିତୀୟ ସେକ୍ରେଟେରୀଙ୍କ ଉଚ୍ଛ୍ୱସିତ ପ୍ରଶଂସାପତ୍ର । ସମସ୍ତେ ଲେଖିଛନ୍ତି ଗୋଟିଏ କଥା–ଠାକୁରାଣୀ କଥା କହୁଛନ୍ତି । ଠାକୁରଙ୍କ ମନକଥା ଏଡ଼େ ଅନ୍ତରଙ୍ଗ ଭାବରେ ବୁଝିପାରନ୍ତି ତାଙ୍କର ପୂଜକ–ଯାହା ନିତାନ୍ତ ଅନନ୍ୟସାଧାରଣ ।

 

ଉଦୟଚନ୍ଦ୍ର ଆଶ୍ଚର୍ଯ୍ୟ ହୋଇଗଲେ । ସେ ସେହି କାଗଜକୁ ପଢ଼ୁଥିବା ବେଳେ ପୂଜକଙ୍କ ଦୀର୍ଘ ନାସା ଆତ୍ମଶ୍ଳାଘାରେ ଯେପରି ଫୁଲି ଫୁଲି ଉଠୁଥିଲା । ତାଙ୍କ କପାଳରେ ରକ୍ତଚନ୍ଦନର ଯେଉଁ ତ୍ରିବେଣୀ ଧାରା ଝଟକୁଥିଲା, ତାହା ଯେପରି ଆହୁରି ଝଟକିଲା ।

 

ଉଦୟଚନ୍ଦ୍ର କାଗଜ ତାଡ଼ାଟିକୁ ପଢ଼ିସାରିଲା ପରେ ଫେରାଇଦେଲେ ପୂଜକଙ୍କୁ । ପୂଜକ ସେଇ କାଗଜଗୁଡ଼ିକୁ ନିଜ ବ୍ୟାଗରେ ରଖି ଶାନ୍ତିଲତା ଓ ଉଦୟଚନ୍ଦ୍ରଙ୍କୁ ଦେଉଳ ଭିତରକୁ ପାଛୋଟି ନେଲେ ।

 

ଶାନ୍ତିଲତାଙ୍କ ମନରେ ଅସୁମାରୀ ପ୍ରଶ୍ନର ଉତ୍ତାଳ ଲହଡ଼ି । ଆଜି ସେ ପଚାରି ବସିବେ ଠାକୁରାଣୀଙ୍କୁ ତାଙ୍କର ବହୁଦିନର ସଞ୍ଚିତ ଓ ଇପ୍ସିତ ପ୍ରଶ୍ନାବଳୀ । ଏଇସବୁ କଥା ଭାବୁ ଉଦୟଚନ୍ଦ୍ର ଓ ଶାନ୍ତିଲତା ଦେଉଳ ଭିତରକୁ ପ୍ରବେଶ କଲେ ।

 

ଦେଉଳ ଭିତରଟି ଥିଲା ନିତାନ୍ତ ସଂକୀର୍ଣ୍ଣ । ତହିଁରେ ଅଛି ପଥରର ଏକ ଦୀର୍ଘକାୟ ଠାକୁରାଣୀ ମୂର୍ତ୍ତି । ମସ୍ତକରେ ସିନ୍ଦୂରର ବିପୁଳ ବିଳାସ । ସ୍ତନର ଆକୃତି ବଡ଼ ଭୟଙ୍କର । ସିନ୍ଦୂରର ବିପୁଳ ବାହୁଲ୍ୟ ମଧ୍ୟରେ ଠାକୁରାଣୀଙ୍କ ନାକ, ଆଖି ଓ ଓଠ ଦେଖାଯାଉ ନାହିଁ ସ୍ୱଷ୍ଟ ଭାବରେ ।

 

ଠାକୁରାଣୀଙ୍କ ପଛପଟେ କ’ଣ ଅଛି ତାହା ମଧ୍ୟ ଦେଖି ହେଉନାହିଁ । ଖାଲି ଦେଖାଯାଉଛି ଅନ୍ଧାରିଆ । ଚମ୍ପାଫୁଲ, କନିଆର ଫୁଲ ଓ ଗୋକୁଳର ମିଶ୍ରିତ ସୁବାସରେ ମନ୍ଦିରର ଅଭ୍ୟନ୍ତର ମହମହ ବାସି ଉଠୁଛି ।

 

ଠାକୁରାଣୀଙ୍କ ଚଣ୍ଡୀ ଚାମଣ୍ଡା ଓ ଅପ୍ରାକୃତ ରୂପ ଦେଖି ଶାନ୍ତିଲତା ଅଭିଭୂତ ହେଉଛନ୍ତି କ୍ରମଶଃ । ସେ ଯେପରି ହଜିଯାଉଛନ୍ତି ଏକ ଇନ୍ଦ୍ରିୟାତୀତ ଆବେଗରେ ।

 

କିନ୍ତୁ ବସ୍ତୁବାଦୀ ଉଦୟଚନ୍ଦ୍ର ଦେଖୁଛନ୍ତି ଠାକୁରଙ୍କ ରୂପକୁ ଓ ତା’ ସହିତ ଅନ୍ତରଙ୍ଗ ଭାବରେ ପ୍ରତ୍ୟକ୍ଷ କରୁଛନ୍ତି ପୂଜକର ଭାବଭଙ୍ଗୀକୁ ।

 

ଶାନ୍ତିଲତା ଠାକୁରାଣୀଙ୍କ ପାଦତଳେ ଲମ୍ବ ହୋଇ ପଡ଼ିଗଲେ ଅତ୍ୟନ୍ତ ଭାକ୍ତିକ ତନ୍ମୟତାରେ । କିନ୍ତୁ ଉଦୟଚନ୍ଦ୍ର ଠିଆ ହୋଇଛନ୍ତି ଠାକୁରାଣୀଙ୍କ ମୂର୍ତ୍ତିର କାରୁକାର୍ଯ୍ୟ ଓ ଗଠନଭଙ୍ଗୀକୁ ଲକ୍ଷ୍ୟ କରି । ଶାନ୍ତିଲତାଙ୍କ ପ୍ରଣାମ ପରେ ପରେ ଉଦୟଚନ୍ଦ୍ର ଏକ ସ୍ୱାଭାବିକ ଗତିରେ ପରିଚାଳିତ ହୋଇ ଠାକୁରାଣୀଙ୍କୁ ଦୁଇହାତ ଯୋଡ଼ି ପ୍ରଣାମ କଲେ ।

 

ପୂଜକ ତା’ପରେ ପଚାରିଲେ–ଏ ବ୍ୟାଘ୍ରଦେବୀ ହେଉଛନ୍ତି ପ୍ରତ୍ୟକ୍ଷ ଦେବତା ମା’ । ତମେ ଯେଉଁ ପ୍ରଶ୍ନ ପଚାରିବ, ସେ ତା’ର ଉତ୍ତର ଠିକ୍ ଭାବରେ ଦେବେ । ତମେ ଲିଖିତ ପ୍ରଶ୍ନ ପଚାରିଲେ, ସେ ତା’ର ଉତ୍ତର ଲିଖିତ ଆକାରରେ ଦେବେ ।

 

ଶାନ୍ତିଲତାଙ୍କ ଆଗ୍ରହ ବଢ଼ିବାରେ ଲାଗିଲା । ତାଙ୍କ ମନ ଭିତରେ ରହିଥିବା ପ୍ରଶ୍ନ ସବୁ ବେଶ୍ ସଜ୍ଜିତ ଭାବରେ ରହିଗଲେ ।

 

ତା’ପରେ ପୂଜକ, ଠାକୁରାଣୀଙ୍କ ପାଦଦେଶରେ ଚକାମାଡ଼ି ଧ୍ୟାନମଗ୍ନ ହେଲା ପରି ବସିପଡ଼ିଲେ ।

 

ଧ୍ୟାନମଗ୍ନ ହେବାର ମାତ୍ର ତିନି ଚାରି ମିନିଟ୍ ପରେ ପୂଜକଙ୍କ କଣ୍ଠରୁ ନିଃସୃତ ହେଲା ଏକ ଅଦ୍ଭୁତ ଶବ୍ଦ । ତ୍ରୀଂ–ତ୍ରୀଂ–ହ୍ରୀଂ–ହ୍ରୀଂ–ଶ୍ରୀଂ–ଶ୍ରୀଂ–ଟ୍ରୀଂ–ଟ୍ରୀଂ ଏବଂ ଏଇଭଳି ଗୁଡ଼ାଏ ଦୁର୍ବୋଧ୍ୟ ବିଚିତ୍ର ଶବ୍ଦ ଯାହାର ଅର୍ଥ ଉଦୟଚନ୍ଦ୍ରଙ୍କ ନିକଟରେ କୌଣସି ବୈଚିତ୍ର୍ୟ ସୃଷ୍ଟି କରି ନଥିଲା ।

 

ଶାନ୍ତିଲତାଙ୍କ ନାରୀ ସୁଲଭମନରେ ଏଇସବୁ ପାରିବେଶିକ ଚିତ୍ର ଦେଖି ଅପ୍ରମିତ ଭକ୍ତି ଓ ନୈବେଦ୍ୟ ସୃଷ୍ଟି ହେଉଛି । କିନ୍ତୁ ଉଦୟଚନ୍ଦ୍ର ଠିଆ ହୋଇଛନ୍ତି ନିର୍ବେଦ ହୋଇ ଏବଂ ଦେଖୁଛନ୍ତି ପୂଜକଙ୍କ ପୂଜା କରିବାର ଅପୂର୍ବ ଶୈଳୀକୁ ଏକାନ୍ତରେ ।

 

ଏଣେ ମନ୍ଦିର ବେଢାରେ ବାଜି ଉଠିଲା ଘଣ୍ଟା, କାହାଳୀ ଓ ମୃଦଙ୍ଗର ବିଲମ୍ବିତ ଐକ୍ୟତାନିକ ସୁର । ଏଇସବୁ ବାଦ୍ୟ ବାଜି ଉଠିଲା ମାତ୍ରେ ପୂଜକଙ୍କର ସେଇ ବିଚିତ୍ର ଶବ୍ଦଗୁଡ଼ିକ ହଠାତ୍ ବନ୍ଦ ହୋଇଗଲା । ସେ ଆଖିଖୋଲି ଚାହିଁଲେ ପ୍ରଥମେ ଠାକୁରାଣୀଙ୍କୁ । ତା’ ପରେ ଚାହିଁଲେ ଶାନ୍ତିଲତା ଓ ଉଦୟଚନ୍ଦ୍ରଙ୍କୁ ।

 

ଶାନ୍ତିଲତାଙ୍କଆଡ଼କୁ ଲକ୍ଷ୍ୟ କରି ପୂଜକ ପଚାରିଲେ କ’ଣ ତମର ପ୍ରଶ୍ନ ସବୁ ଅଛି ମା–ବର୍ତ୍ତମାନ ପଚାରିପାର ।

 

ପୂଜକ ହଠାତ୍ ଦେଉଳର ଅନ୍ଧାରି ଭିତରକୁ ପଶିଯାଇ ଏବଂ ସେଠାରୁ ଖଣ୍ଡିଏ କାଗଜ ଆଣି ଶାନ୍ତିଲତାଙ୍କୁ ଧରାଇଲେ । କାଗଜ ଖଣ୍ଡିକ ତାଙ୍କୁ ବଢ଼ାଇଦେଇ ପୂଜକ କହିଲେ–ଏଇ ପେନ୍‍ସିଲ୍ ନିଅ ମା–ତମର ଯାହା ପ୍ରଶ୍ନ ପଚାରିବାର ଅଛି, ଏଇ କାଗଜ ଖଣ୍ଡିକରେ ଲେଖିଦିଅ । ମା’ ବ୍ୟାଘ୍ରେଶ୍ୱରୀ ସେହି କାଗଜରେ ପୁଣି ସବୁ ଉତ୍ତର ଲେଖିଦେବେ ।

 

ଶାନ୍ତିଲତା ଦେଉଳର ଗମ୍ଭୀରି ମଧ୍ୟରେ ଦିବସର ସ୍ୱଳ୍ପ ଆଲୋକ ଭିତରେ ଲେଖି ବସିଲେ ତାଙ୍କର ପ୍ରଶ୍ନ । ଉଦୟଚନ୍ଦ୍ର ଠିଆ ହୋଇଛନ୍ତି ପୂର୍ବପରି ।

 

ଶାନ୍ତିଲତା ସମସ୍ତ ପ୍ରଶ୍ନ ଲେଖିସାରି ବଢ଼ାଇଦେଲେ ପୂଜକଙ୍କ ହାତକୁ ।

 

ପୂଜକ ତତ୍‍କ୍ଷଣାତ୍ ସେଇ କାଗଜ ଖଣ୍ଡିକ ଧରି ଠାକୁରାଣୀଙ୍କ ପିଠିପଟେ ଥିବା ଅନ୍ଧକାର ମଧ୍ୟରେ କୁଆଡ଼େ ଅଦୃଶ୍ୟ ହୋଇଗଲେ । ମାତ୍ର ସେଇ ଅନ୍ଧକାର ମଧ୍ୟରୁ ତାଙ୍କର ସ୍ୱର ଶୁଭୁଥିଲା ବଡ଼ ଗମ୍ଭୀର ଭାବରେ–ଆପଣମାନେ ହାତଯୋଡ଼ି ବସିଯାଆନ୍ତୁ ଠାକୁରାଣୀଙ୍କ ପାଦ ପାଖରେ । ଆଖିବୁଜି ଧ୍ୟାନମଗ୍ନ ହେଲା ପରି ବସିଯାଆନ୍ତୁ । ଅଳ୍ପ କେତେ ସମୟ ପରେ ଠାକୁରାଣୀ ଆପଣଙ୍କ ପ୍ରଶ୍ନ ସବୁର ଉତ୍ତର ନିଶ୍ଚୟ ଦେବେ ।

 

ଶାନ୍ତିଲତା ତହୁଁ ବସି ପଡ଼ିଲେ ଆଖିମୁଦି ଓ ଦୁଇହାତ ଯୋଡ଼ି ।

 

ଉଦୟଚନ୍ଦ୍ର ଶେଷକୁ ବାଧ୍ୟ ଶିଶୁ ପରି ସେଇଠାରେ ବସିପଡ଼ିଲେ ଆଖିମୁଦି କିଛିକ୍ଷଣ । ମାତ୍ର ଆଖିମୁଦି ଚୁପ୍‍ଚାପ୍ ବସିବାକୁ ତାଙ୍କୁ ବଡ଼ ଅହସ୍ୟ ବୋଧ ହେଲା । ତେଣୁ ସେ ଆଖି ଖୋଲି ମଝିରେ ମଝିରେ ଅନାଉଁଥାନ୍ତି ଠାକୁରାଣୀଙ୍କୁ । ତାଙ୍କ ଭିତରେ ଜିଜ୍ଞାସା ହେଉଥିଲା ପୂଜକଙ୍କ ସମ୍ପର୍କରେ । ସେ ଗଲେ କୁଆଡ଼େ ?

 

ତାଙ୍କର ଇଛା ହେଲା, ଠାକୁରାଣୀଙ୍କ ପଛପଟକୁ ଯାଇ ସେଇ ପୂଜକଙ୍କର ଅନୁସନ୍ଧାନ କରିବାକୁ । ମାତ୍ର ପଛପଟେ ଗହୀର ଅନ୍ଧକାରର ରାଜୁତି । ସେ ଆଖି ଖୋଲି ସେଇ ଅନ୍ଧକାରର ଉପତ୍ୟକା ମଧ୍ୟକୁ ବାରମ୍ବାର ନିରୀକ୍ଷଣ କଲେ ।

 

ଶାନ୍ତିଲତା ଭକ୍ତି ଗଦଗଦ ନିତ୍ତରେ ଠାକୁରାଣୀଙ୍କୁ ପ୍ରାର୍ଥନା କରୁଛନ୍ତି ମୁଗ୍‍ଧ, ବିଭୋର ହୋଇ । କିନ୍ତୁ ଉଦୟଚନ୍ଦ୍ର ବସିଛନ୍ତି ନୀରବ ହୋଇ କୌଣସି ଏକ ଅଜ୍ଞାତ ଦେଶର ଏକୁଟିଆ ପରିବ୍ରାଜକ ପରି ।

 

ପ୍ରାୟ ପନ୍ଦର କୋଡ଼ିଏ ମିନିଟ୍ ପରେ ଠାକୁରାଣୀଙ୍କ ପୃଷ୍ଠଦେଶ ଅନ୍ଧକାର ମଧ୍ୟରୁ ଏକ ବିକଟାଳ ଶବ୍ଦ କରି ବାହାରି ଆସିଲେ ପୂଜକ । ତାଙ୍କର ସେଇ ଭୟଙ୍କର ଶବ୍ଦରେ ମନ୍ଦିରର ପରିସର ପ୍ରତିଧ୍ୱନିତ ହୋଇ ଉଠିଲା । ସେଇ ଶବ୍ଦ ପରେ ପରେ ଶୁଣାଗଲା–ମା ବ୍ୟାଘ୍ରଦେବୀ, ଭକ୍ତର ମନୋବାଞ୍ଝା ପୂର୍ଣ୍ଣ କର ।

 

ଉଦୟଚନ୍ଦ୍ର ଅନାଇଲେ ପୂଜକ ଓ ତା’ ପରେ ଶାନ୍ତିଲତାଙ୍କୁ । ଶାନ୍ତିଲତାଙ୍କର ଆଖି ତଥାପି ଉନ୍ମୀଳିତ ହୋଇନାହିଁ । ସେ ଯେପରି ଆପଣାକୁ ସମର୍ପି ଦେଇଛନ୍ତି ଠାକୁରାଣୀଙ୍କ ପାଦପଦ୍ମରେ ।

 

ପୂଜକ କହିଲେ–ଏଇ ନିଅନ୍ତୁ ଆପଣଙ୍କ ଉତ୍ତର ମା’ ଠାକୁରାଣୀ ଦେଇଛନ୍ତି । ଉଦୟଚନ୍ଦ୍ର ଲକ୍ଷ୍ୟ କଲେ ପୂଜକଙ୍କ କଣ୍ଠରେ ଯେପରି ଦୃଢ଼ତା ଓ ଆତ୍ମବିଶ୍ୱାସର ସ୍ୱର ମୂର୍ଚ୍ଛିତ ହେଉଛି-

 

ଶାନ୍ତିଲତା ଆଖି ଖୋଲି ଚାହିଁଲେ । ପୂଜକ ବଢ଼ାଇଦେଲେ ତାଙ୍କ ହାତକୁ କାଗକ ଖଣ୍ଡିକ । ଶାନ୍ତିଲତା ବଡ଼ ଉତ୍ସୁକ ଆବେଗରେ କାଗଜଟି ପଢ଼ିବାକୁ ଲାଗିଲେ ।

 

ଉତ୍ତରଟି ପଢ଼ୁଥିଲାବେଳେ, ଶାନ୍ତିଲତାଙ୍କ ଆଖି ଦୁଇଟି ଅସୀମ ଉଜ୍ଜ୍ୱଳତାରେ ଆଲୋକିତ ହୋଇ ଉଠୁଥିଲା ସତେ ଯେପରି । ଏକ ଲୟରେ ଉତ୍ତରଗୁଡ଼ିକ ପଢ଼ିସାରିଲା ପରେ, ସେ ପୁଣି ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ପ୍ରାଣିପାତ କଲେ ।

 

ଉଦୟଚନ୍ଦ୍ର କୌତୂହଳରେ ଶାନ୍ତିଲତାଙ୍କ ହାତରୁ କାଗଜଟିକୁ ଆଣି ଏବଂ ତାକୁ ନ ପଢ଼ି ନିଜ ପକେଟରେ ରଖିବାର ଉଦ୍ୟମ କରୁଛନ୍ତି; ପୂଜକ କହି ଉଠିଲେ–ନାଇଁ ଆଜ୍ଞା, ସେଇ କାଗଜ ଖଣ୍ଡିକୁ କାହାରିକୁ ଦେବାର ଠାକୁରାଣୀଙ୍କ ହୁକୁମ ନାହିଁ । ଏଇଟା ଠାକୁରାଣୀଙ୍କ ରେକର୍ଡ଼ରେ ରହେ, ଦେଇଦିଅନ୍ତୁ । ଯଦି ଆପଣ ପଢ଼ିବାକୁ ଚାହାନ୍ତି, ପଢ଼ିସାରି ମତେ ଫେରାଇ ଦିଅନ୍ତୁ । ଏହାକୁ ଉତ୍ତାରି ନେବା ପାଇଁ ମଧ୍ୟ ଠାକୁରାଣୀଙ୍କ କଟକଣା ରହିଛି ।

 

ଉଦୟଚନ୍ଦ୍ର ପୂଜକଙ୍କ ହାତକୁ କାଗଜ ଖଣ୍ଡିକ ବଢ଼ାଇଦେଲେ ।

 

ଶାନ୍ତିଲତାଙ୍କ କୋମଳ ମନ ଠାକୁରାଣୀଙ୍କ ଉତ୍ତରରେ, ଏକ ଅନନୁଭୂତ ଓ ଅପ୍ରତ୍ୟାଶିତ ଉଲ୍ଲାସରେ ସତେ ଯେପରି ଭରିଗଲା । ସେ ସଙ୍ଗେ ସଙ୍ଗେ ପୂଜକଙ୍କୁ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ପଚାଶ ଟଙ୍କିଆ ନୋଟ୍‍ରୁ ଖଣ୍ଡିଏ ବଢ଼ାଇ ଦେଲେ ।

 

ପୂଜକ ଆଖିମୁଦି ଓଃ କେତେ ଯେ ଆଶୀର୍ବାଦ କଲେ ।

 

ଉଦୟଚନ୍ଦ୍ର ଫେରିଲେ ଦେଉଳର ଅଭ୍ୟନ୍ତରରୁ । ପଛେ ପଛେ ଶାନ୍ତିଲତା ଏବଂ ସେହି ଦିବ୍ୟଦ୍ରଷ୍ଟା ପୂଜକ ।

 

ଉଦୟଚନ୍ଦ୍ର ଦେଉଳ ବେଢ଼ା ଅତିକ୍ରମ କରି ଚାଲି ଆସୁଥିଲେ । ମାତ୍ର ପୂଜକ ଓ ତାଙ୍କର ସତୀର୍ଥ କର୍ମୀମାନେ ଦଉଡ଼ି ଆସି ତାଙ୍କୁ ବାଟ ଓଗାଳିଲେ ।

 

ସେ ଅଟକିଲେ । ପୂଜକ କହିଲେ–ଆଜ୍ଞା, ପ୍ରସାଦ ନ ଖାଇ କ’ଣ ଚାଲିଯିବେ ଆପଣ ? ବ୍ୟାଘ୍ରଦେବୀଙ୍କର ଅସରନ୍ତି ଭଣ୍ଡାର । ସେ ଭଣ୍ଡାରରୁ ଆପଣ ପ୍ରସାଦ ନ ଖାଇ ଗଲେ, ଦେବୀ ଆଜ୍ଞା ରୁଷ୍ଟ ହେବେ ଆମ ଉପରେ । ଆସନ୍ତୁ ।

 

ଉଦୟଚନ୍ଦ୍ରଙ୍କୁ ଅବଶ୍ୟ ଭୋକ ଲାଗିଲାଣି । ସେ ହୁଏତ ନ ଖାଇ ସେଇମିତି କାରରେ ଚାଲିଯିବେ ସାରଙ୍ଗଗଡ଼ । ମାତ୍ର ଶାନ୍ତିଲତା ସକାଳୁ କିଛି ଖାଇନାହାନ୍ତି । ଦେବୀ ଦର୍ଶନ ଉଦ୍ଦେଶ୍ୟରେ ସେ ଘରୁ ବାହାରିଲା ବେଳେ ଚା’ କପେ ମଧ୍ୟ ଖାଇଲେ ନାହିଁ । ତାଙ୍କୁ ନିଶ୍ଚୟ ଭୋକ ହେଉଥିବ । ବାଟରେ ବଜାର ହାଟ ନାହିଁ । ଅନୁନ୍ନତ ପାହାଡ଼ିଆ ମାଳ ଅଞ୍ଚଳରେ ଦୋକାନ ବଜାର ଆସିବ ଅବା କେଉଁଠୁ ?

 

ଉଦୟଚନ୍ଦ୍ର ଏଇ ଦେଉଳର ବାତାବରଣ ମଧ୍ୟରୁ ମୁକ୍ତ ହୋଇ ଶୀଘ୍ର ଚାଲିଯିବା ଲାଗି ଇଛା କରିଥିଲେ ମଧ୍ୟ କେବଳ ଶାନ୍ତିଲତାଙ୍କ ପାଇଁ ସେ ବାଧ୍ୟ ହୋଇ ଅଟକିଗଲେ ।

 

ଉଦୟଚନ୍ଦ୍ର ପଚାରିଲେ–କ’ଣ ଏଇ ଦେଉଳ ଭିତରେ ପ୍ରସାଦ ଅଛି ? କାହିଁ କେଉଁଠି ରୋଷେଇଶାଳା ଥିଲା ପରି ତ ମନେ ହେଉନାହିଁ ?

 

ପୂଜକ ହାତଯୋଡ଼ି କହିଲେ–ମୋ ଘର ପାଖରେ ଆଜ୍ଞା, ପ୍ରସାଦ ସେବନ କରିବେ । ଏଠାରୁ ଭୋଗରାଗ ହୋଇ ଚାଲିଯାଏ ମୋ ଘରକୁ । ଯେତେ ଭକ୍ତ ଆସନ୍ତୁ, ସେହି ଭକ୍ତମାନଙ୍କର ସଂଖ୍ୟା ଶହେ ହେଉ, ପାଞ୍ଚ ଶହ ହେଉ କିମ୍ବା ହଜାରେ ହେଉ, ଠାକୁରାଣୀଙ୍କ ଅସରନ୍ତି ଭଣ୍ଡାରରୁ କେବେ କିଛି ସରେ ନାହିଁ । ଆପଣ ହୁଏତ ଏକଥା ଶୁଣିଥିବେ ଲୋକମାନଙ୍କଠାରୁ ।

 

ଉଦୟଚନ୍ଦ୍ର ପଚାରିଲେ–ଆପଣଙ୍କ ଘର ପୁଣି ଏଠାରୁ କେତେ ଦୂର ? ପୂଜକ ଦେଖାଇଦେଲେ ଦେଉଳର ପଛପଟ ବସ୍ତିକୁ ଯାହା କନିଅର ଓ ବେଲଗଛମାନଙ୍କର ଏକ ଛୋଟ ଅରଣ୍ୟ ଭେଦ କରି ଦେଖା ଯାଉଥିଲା ସେଠାକୁ ।

 

ଉଦୟଚନ୍ଦ୍ର କହିଲେ–ପଠାର ଆରପଟେ ରହିଗଲା ଆମ ଡ୍ରାଇଭର । ସେ ମଧ୍ୟ କିଛି ଖାଇନାହିଁ । ତାକୁ....

 

ପୂଜକ କହିଲେ–କିଛି ନାଇଁ ଆଜ୍ଞା । ଆମେ ଡ୍ରାଇଭରଙ୍କ ପାଖକୁ ସାଙ୍ଗେ ସାଙ୍ଗେ ପ୍ରସାଦ ପଠାଇଦେବାର ବ୍ୟବସ୍ଥା କରିବୁ ନଚେତ୍ ତାଙ୍କୁ ଡାକି ନେଇ ଆସିବୁ ।

 

ଉଦୟଚନ୍ଦ୍ର ଓ ଶାନ୍ତିଲତା ପୂଜକଙ୍କ ଘରଆଡ଼େ ଚାଲିଲେ ।

 

ଉଦୟଚନ୍ଦ୍ର ଓ ଶାନ୍ତିଲତା କାରରେ ବସିଲେଣି । ଡ୍ରାଇଭର ଷ୍ଟିଅରିଂ ଧରିଛି ।

 

ମୁଖ୍ୟ ପୂଜକ ଦଉଡ଼ି ଆସି କାରରେ ମୁହଁ ଗଳାଇ କହିଲେ ଆଜ୍ଞା, ପୁଅଟି ଏଥର ମାଟ୍ରିକ୍ ପାଶ୍ କରିଛି । ତାକୁ ଖଣ୍ତିଏ ଆଜ୍ଞା, ଚାକିରି ଯୋଗାଡ଼ କରାଇ ଦେବେ । ଏତିକି ମୋର ଅଳି ଆଜ୍ଞା । ବ୍ୟାଘ୍ର ଦେବୀଙ୍କୁ ଡାକୁଥିବି ସବୁଦିନେ । ଆପଣଙ୍କ କଲମ ଜୋର ହେବ । ଆପଣ ଉପରକୁ ଆହୁରି ଉପରକୁ ଉଠି ଉଠି ବଡ଼ ହେବେ ।

 

ଉଦୟଚନ୍ଦ୍ର ଅସ୍ୱାଭାବିକ ଭାବରେ ଗମ୍ଭୀର ହୋଇ କେବଳ ମୁଣ୍ଡ ହଲାଇଲେ ।

 

ଉଦୟଚନ୍ଦ୍ର ଯେଉଁସବୁ ଭକ୍ତ-ଜନତାଙ୍କୁ ପରେ ଆସି ସାକ୍ଷାତ କରିବା ପାଇଁ କହିଥିଲେ, ସେମାନେ କାହିଁ କୁଆଡ଼େ ଦେଖାଯାଉ ନାହାନ୍ତି । ସମ୍ଭବତଃ ଅଧିକ ଖରାହେତୁ ସେମାନେ ଚାଲିଗଲେଣି ନିଜ ନିଜ ଘରମାନଙ୍କୁ ।

 

ଗାଡ଼ି ଚାଲିଲା ସାରଙ୍ଗଗଡ଼ ଅଭିମୁଖେ ।

 

କିଛିବାଟ ଗଲାପରେ ଡ୍ରାଇଭର କହିଲା–ଏଇ ଯେଉଁ କାନିକା, ଡାଲି, ତରକାରୀ ଓ ଛେନା ପାଏସର ଆୟୋଜନ ହୋଇଥିଲା, ତାକୁ ଏଇ ସ୍ୱପ୍ନେଶ୍ୱର ପଞ୍ଚାୟତର ସରପଞ୍ଚ ଯୋଗାଡ଼ କରିଥିଲେ । ସେ ମୋର ଦେଖା ହୋଇଥିଲେ ଆପଣ ଯେତେବେଳେ ପୂଜକଙ୍କ ଘର ଭିତରେ ଥିଲେ ।

 

ସରପଞ୍ଚ ମତେ କହିଲେ–ଏସ୍. ଡ଼ି. ଓ. ଯେତେବଳେ ଆସୁଛନ୍ତି, ତାଙ୍କ ପାଇଁ ଭଲ ଖାଦ୍ୟ ପଦାର୍ଥ ଯୋଗାଡ଼ ନ କଲେ, ଆମ ପଞ୍ଚାୟତର ମର୍ଯ୍ୟଦା ଚାଲିଯିବ । ତେଣୁ ମୁଁ ସବୁ ଯୋଗାଡ଼ଯନ୍ତ୍ର କରାଇଛି । ଏସ୍. ଡ଼ି. ଓ ଯେପରି ଏକଥା ନ ଜାଣନ୍ତି । ଖବରଦାର ଭାଇ ତୁ ଏକଥା କହିବୁ ନାହିଁ ।

 

ଉଦୟଚନ୍ଦ୍ର କ୍ରମଶଃ ଆହୁରି ଗମ୍ଭୀର ହୋଇ ଉଠୁଛନ୍ତି । ବ୍ୟାଘ୍ର ଦେବୀଙ୍କ ନାଁରେ ପୂଜକ କିପରି ମିଥ୍ୟା ଓ ପ୍ରବଞ୍ଚନାର ଆଶ୍ରୟ ନେଇ ସରଳ ବିଶ୍ୱାସୀ ଭକ୍ତ-ସମାଜକୁ ବିଭ୍ରାନ୍ତ କରାଉଛି ତାହାହିଁ ତାଙ୍କୁ ବେଶୀ ମାତ୍ରାରେ ଆଲୋଡ଼ିତ କଲା । ଠାକୁରାଣୀଙ୍କ ପଛପଟ ଅନ୍ଧାର ଭିତରେ ପୂଜକ କିପରି ଶାନ୍ତିଲତାଙ୍କ ପ୍ରଶ୍ନର ଉତ୍ତର ଲେଖୁଥିଲେ ତାହା ସେ ନିଜେ ଲକ୍ଷ୍ୟ କରିଥିଲେ ।

 

ଉଦୟଚନ୍ଦ୍ରଙ୍କ ମନ ସେଇ ପୂଜକଙ୍କ ପ୍ରତି ଘୃଣା ଓ ଅବିଶ୍ୱାସରେ ଭରିଗଲା । ସବ୍ଡ଼ିଭିଜନର ମୁଖ୍ୟ ଶାସକ ହିସାବରେ ସେ ଏହାର ପ୍ରତିକାର କରିବେ ବୋଲି ସ୍ଥିର କଲେ ଏବଂ ସରଳ ବିଶ୍ୱାସୀ ଭକ୍ତମାନଙ୍କୁ ଏଇସବୁ ଅନ୍ଧବିଶ୍ୱାସରୁ ମୁକ୍ତ କରିବା ଲାଗି ସେ ଯେପରି ପ୍ରତିଜ୍ଞାବଦ୍ଧ ହେଉଥିଲେ ।

 

ଗାଡ଼ି ଛୁଟିଥିଲା ସାରଙ୍ଗଗଡ଼ ଆଡ଼କୁ ଅଣନିଶ୍ୱାସୀ ହୋଇ । ଶାନ୍ତିଲତା କୌଣସି ପ୍ରଶ୍ନ ସ୍ୱାମୀଙ୍କୁ ନ ପଚାରି ଚୁପ୍‍ଚାପ୍ ବସି ରହିଥିଲେ ।

 

ଉଦୟଚନ୍ଦ୍ର ରସିକତା ଦେଖାଇ ପ୍ରଶ୍ନ କଲେ–କ’ଣ ଶାନ୍ତି, ତମର ସବୁ ପ୍ରଶ୍ନର ଉତ୍ତର ପାଇଲ ତ ?

 

ଶାନ୍ତିଲତାଙ୍କ ଚେତନାରେ ତଥାପି ଲାଗି ରହିଥିଲା ବ୍ୟାଘ୍ର ଠାକୁରାଣୀଙ୍କର ସେଇ ରହସ୍ୟମୟୀ ଚଣ୍ଡୀ ରୂପ ଓ ସେହି ପୂଜକର ପ୍ରଭାବଶାଳୀ କେଇପଦ କଥା, ତମେ ଯାହା ପଚାରିବ, ଠାକୁରାଣୀ ଉତ୍ତର ଦେବେ ।

 

ଶାନ୍ତିଲତା ତଥାପି ନୀରବ ରହିଥିଲେ ।

 

ଉଦୟଚନ୍ଦ୍ର ତାଙ୍କୁ ନିରୁତ୍ତର ଦେଖି କହିଲେ–ଏସବୁ ଭାଣ୍ଡାମି ଓ ପ୍ରବଞ୍ଚନା ଶାନ୍ତି ! ଏବେ ତମର ଏ ସମ୍ପର୍କରେ ହୃଦ୍‍ବୋଧ ହେଲା ତ ?

Image